ସୋନପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ହେବ ଦମଦାର ଲଢ଼େଇ

ନନ୍ଦିଘୋଷ ବ୍ୟୁରୋ: ସୁବର୍ଣ୍ଣପୁର ଜିଲ୍ଲାରେ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ସରିବା ପରେ ଏବେ ପ୍ରଚାରରେ କମ୍ପୁଛି ଗାଁ ଦାଣ୍ଡ । ତିନି ପ୍ରମୁଖ ରାଜନୈତିକ ଦଳ ସହ ସ୍ୱାଧୀନ ପ୍ରାର୍ଥୀଙ୍କ ପ୍ରଚାର ଯୋଗୁଁ ସରଗରମ ହୋଇଛି ରାଜନୈତିକ ମାହୋଲ । ଚଳିତ ନିର୍ବାଚନରେ ୩ ପ୍ରମୁଖ ଦଳକୁ ମିଶାଇ ମୋଟ ୮ ଜଣ ନିର୍ବାଚନ ମୈଦାନରେ ଅବତିର୍ଣ୍ଣ ହୋଇଛନ୍ତି।

ସୋନପୁର ବିଧାନସଭା ନିର୍ବାଚନ ମଣ୍ଡଳୀ। ୨୦୦୦ ମସିହାରୁ ରହିଛି ବିଜେଡିର ଅଭେଦ୍ଯ ଦୁର୍ଗ । ୨୦୦୯ ସୀମା ପୁନଃ ନିର୍ଦ୍ଧାରଣ ପରଠାରୁ ଏଠାରୁ ବିଜେଡିର ପ୍ରାର୍ଥୀ ନିରଞ୍ଜନ ପୂଜାରୀ ବିଜୟୀ ହୋଇ ଆସୁଛନ୍ତି । ଚଳିତ ନିର୍ବାଚନରେ ପୁଣିଥରେ ତାଙ୍କ ଟିକେଟ ଦେଇଛି ଦଳ । ବିଜେଡିର ଷ୍ଟାର ପ୍ରଚାରକ କାର୍ତ୍ତିକ ପାଣ୍ଡିଆନ ଗତ ଦୁଇଦିନ ତଳେ ଆସି ଶିଆଳି ଖେଳ ପଡିଆରେ କରିଛନ୍ତି ହାଇଭୋଲ୍ଟଜ ପ୍ରଚାର । ଏହାପରେ ନିରଞ୍ଜନ ପୂଜାରୀ  ଗାଁକୁ ଗାଁ ବୁଲି ଲୋକଙ୍କ ସହିତ ମିଶିବା ସହିତ ମୁଖ୍ୟମନ୍ତ୍ରୀଙ୍କ ବିଭିନ୍ନ ବିକାଶ ଯୋଜନା ଓ ଜିଲ୍ଲାରେ କରିଥିବା ବିକାଶ ସମ୍ପର୍କରେ ଦେଉଛନ୍ତି ତଥ୍ଯ ।

ଚଳିତ ନିର୍ବାଚନରେ ଏଠାରୁ ବିଭିନ୍ନ ରାଜନୈତିକ ଦଳର ଓ ସ୍ୱାଧୀନ ପ୍ରାର୍ଥୀ ମିଶି ୮ଜଣ ନିର୍ବାଚନ ଲଢୁଛନ୍ତି । ବିଜେପି ମଧ୍ୟ ଗାଁକୁ ଗାଁ ବୁଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନାଁ ରେ ଭୋଟ ହାତେଇବାକୁ ଉଦ୍ଯମ କରୁଛି । କଂଗ୍ରେସ ମଧ୍ୟ କେନ୍ଦ୍ର ସରକାରଙ୍କ ଦର ଦାମ ବୃଦ୍ଧିକୁ ମୁଖ୍ୟ ମୁଦ୍ଦା କରି ନିର୍ବାଚନ ବୈତରଣୀ ପାର ହେବାକୁ ଚଳାଇଛି ପ୍ରୟାସ । ଅପର ପକ୍ଷରେ ଏଥର ନିର୍ବାଚନରେ ସ୍ୱାଧୀନ ପ୍ରାର୍ଥୀ ଭାବେ ସୋନାଲି ବିଶିଙ୍କ ନିର୍ବାଚନ ପ୍ରଚାର ରାଜନୀତିକୁ ଅଧିକ ରୋଚକ କରିଛି ।