ସବୁଠି ଗୋଟିଏ ଚର୍ଚ୍ଚା, ୨୦୨୪ରେ ବିଜେଡିକୁ ମିଳିବ ବଡ଼ ବିଜୟ

ଭୁବନେଶ୍ବର: ୨୦୨୪ରେ ବିଜେଡିକୁ ମିଳିବ ବଡ଼ ବିଜୟ। ଜୁନ ୯ ତାରିଖରେ ନବୀନ ଷଷ୍ଠ ଥର ମୁଖ୍ୟମନ୍ତ୍ରୀ ଭାବେ ନେବେ ଶପଥ। ରାଜନୀତିରେ ସୃଷ୍ଟି ହେବ ନୂଆ ରେକର୍ଡ। ପ୍ରଚାରରେ ବିଜେଡିକୁ ବିପୁଳ ଜନ ସମର୍ଥନ ମିଳୁଛି। ଯାହା ଭୋଟରେ ଶତ ପ୍ରତିଶତ ପରିଣତ ହେବ ବୋଲି ବରିଷ୍ଠ ବିଜେଡି ଉପସଭାପତି ଦେବୀପ୍ରସାଦ ମିଶ୍ର କହିଛନ୍ତି। ନିରନ୍ତର ବିକାଶ ଓ ନବୀନଙ୍କ ଲୋକପ୍ରିୟତା ବିଜେଡିକୁ ବଡ଼ ବିଜୟ ଦେବ। ଯାହାକୁ ନେଇ ଉଷ୍ମ ହୋଇଛି ରାଜ୍ୟ ରାଜନୀତି।

ଷଷ୍ଠଥର ଓଡ଼ିଶାର ମୁଖ୍ୟମନ୍ତ୍ରୀ ହେବେ ନବୀନ ପଟ୍ଟନାୟକ। ଓଡିଶାବାସୀଙ୍କ ଆଶୀର୍ବାଦରେ ୨୦୨୪ରେ ବିଜେଡିର ହେବ ବଡ଼ ବିଜୟ। ଉଭୟ ବିଧାନସଭା ଓ ଲୋକସଭାରେ ରେକର୍ଡ ଆସନ ଦାଖଲ କରିବ ବିଜେଡି। ଷଷ୍ଠଥର ମୁଖ୍ୟମନ୍ତ୍ରୀଙ୍କ ଅଭିଷେକ ତାରିଖ ଓ ସମୟ ଘୋଷଣା ପରେ ଚିନ୍ତାରେ ବିରୋଧୀ। ବରିଷ୍ଠ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନଙ୍କ ଘୋଷଣା ପରେ ବିଜେଡି ବରିଷ୍ଠ ଉପସଭାପତି ଦେବୀ ପ୍ରସାଦ ମିଶ୍ରଙ୍କ ଏ ଆକଳନ।

ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ବିଜେଡି ବିପୁଳ ଜନସମର୍ଥନ ପାଇବ। ଏହାର ସଙ୍କେତ ଜନସଭା ଓ ପ୍ରଚାରରେ ବିଜେଡି ପ୍ରାର୍ଥୀଙ୍କୁ ଜନତାଙ୍କ ମିଳୁଛି ଅଜଶ୍ର ଆର୍ଶୀବାଦ। ନବୀନଙ୍କ ପ୍ରତି ଓଡ଼ିଶାବାସୀଙ୍କ ଆତ୍ମ ବିଶ୍ବାସ, ବିଜେଡିକୁ ବଡ଼ ବିଜୟ ଦେବ ବୋଲି ଦମ୍ଭୋକ୍ତି ପ୍ରକାଶ କରିଛନ୍ତି ଦଳର ଅନେକ ବରିଷ୍ଠ ନେତା।ବିଜେପି ଓଡ଼ିଶାରେ ସରକାର ଗଢିବାକୁ ଦିବାସ୍ବପ୍ନ ଦେଖୁଛି ବୋଲି କହିଛନ୍ତି ବିଜେଡି ନେତା ଚିରଞ୍ଜୀବ ବିଶ୍ବାଳ। ଅନ୍ୟ ରାଜ୍ୟରେ ସଫଳତା ମିଳୁନଥିବାରୁ ଓଡ଼ିଶାକୁ ବିଜେପି କେନ୍ଦ୍ରୀୟ ନେତା ବାରମ୍ବାର ଆସୁଛନ୍ତି। ହେଲେ ଏହାର କୌଣସି ପ୍ରଭାବ ନିର୍ବାଚନ ଉପରେ ପଡ଼ିବ ନାହିଁ ବୋଲି କହିଛି ବିଜେଡି ।

ବିଜେଡି ଷଷ୍ଠ ଥର ଲାଗି କ୍ଷମତାକୁ ଆସିବାରେ ବାସ୍ତବ ଯୁକ୍ତି ଥିବା ଆକଳନ କରିଛନ୍ତି ରାଜନୈତିକ ସମୀକ୍ଷକ। ୨୦୧୪ରେ ବିଜେଡିର ଭୋଟ୍ ପ୍ରତିଶତ ୪୩.୪ ପ୍ରତିଶତ ସହ ସିଟ ସଂଖ୍ୟା ୧୧୭କୁ ବଢିଥିଲା। ୨୦୧୯ରେ ୪୪.୭୧ ଭୋଟ ସହ ୧୧୨ ସିଟ୍ ପାଇଥିଲା ବିଜେଡି। ୨୦୧୯ ପରେ ହୋଇଥିବା ୮ ଉପନିର୍ବାଚନରେ ଧାମନଗରକୁ ଛାଡି ଅନ୍ୟ ୭ଟିରେ ଦଳ ବିଜୟୀ ହୋଇଛି।

୩୦ରୁ ୩୦ ଜିଲ୍ଲା ପରିଷଦ ଦଖଲ ସହ ୩ ମହାନଗର ନିଗମ ଓ ଅଧିକାଂଶ ପୌର, ଏନଏସି ମଧ୍ୟ ବିଜେଡି ଦଖଲ କରିଛି। ସେହି ତୁଳନାରେ ବିଜେପି ଭୋଟ ହାର ଓ ଆସନ ସଂଖ୍ୟା ବେଶ କମ। ଏହି ରାଜନୈତିକ ଅଙ୍କ କହୁଛି ୨୪ରେ ବିଜେଡି ଓଡିଶାରେ ସବୁଠାରୁ ଶକ୍ତିଶାଳୀ ଦଳ। ତେଣୁ ଷଷ୍ଠଥର କ୍ଷମତା ଦାବି କରିବା ଯୁକ୍ତିଯୁକ୍ତ ବୋଲି କହିଛନ୍ତି ରାଜନୈତିକ ସମୀକ୍ଷକ। ମେ ୧୩ ତାରିଖରେ ଓଡିଶାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ। ଏହା ପୂର୍ବରୁ ନିର୍ବାଚନ ଫଳାଫଳ ଓ ଶପଥପାଠ ଉତ୍ସବକୁ ନେଇ ଆରମ୍ଭ ହୋଇଛି ରାଜନୀତି।