କ୍ରାସ ଡାଏଟ୍ କ’ଣ, ଯେଉଁଥିପାଇଁ ଯାଇଥିଲା ଶ୍ରୀଦେବୀଙ୍କ ଜୀବନ…

ମୁମ୍ବାଇ: ଆଜିକା ସମୟରେ ମେଦବହୁଳତା ସମସ୍ୟା ଲୋକଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ଏମିତିକି ସ୍ଲିମ୍ ଟ୍ରିମ୍ ତଥା ନିଜକୁ ଫିଟ୍ ରଖିବା ପାଇଁ ଭିନ୍ନଭିନ୍ନ ଡାଏଟିଂ ପ୍ଲାନ ଆପଣାଉଛନ୍ତି। ଏଥିପାଇଁ ତ ଶୀଘ୍ର ଓଜନ କମାଇବା କ୍ଷେତ୍ରରେ କ୍ରାସ ଡାଏଟ୍ ର କ୍ରେଜ୍ ଅଧିକ ରହିଛି।

ବଲିଉଡର ଦିବଙ୍ଗତ ଅଭିନେତ୍ରୀ ଶ୍ରୀଦେବୀଙ୍କ ପାଇଁ ପ୍ରାଣଘାତକ ସାଜିଥିଲା ଏହି କ୍ରାସ୍ ଡାଏଟ୍। ଶ୍ରୀଦେବୀଙ୍କ ମୃତ୍ୟୁର ୫ ବର୍ଷ ପରେ ତାଙ୍କ ସ୍ୱାମୀ ବୋନି କପୁର ପତ୍ନୀଙ୍କ ମୃତ୍ୟୁ ନେଇ ମୁହଁ ଖୋଲିଛନ୍ତି। ସେ କହିଛନ୍ତି ଯେ ମୃତ୍ୟୁ ପୂର୍ବରୁ ଶ୍ରୀଦେବୀ କ୍ରାସ୍ ଡାଏଟ୍ ଜରିଆରେ ନିଜର ଓଜନକୁ ନିୟନ୍ତ୍ରଣ କରୁଥିଲେ ଏବଂ କ୍ରାସ୍ ଡାଏଟରେ କିଛି କମ୍ପ୍ଲିକେସନ୍ ତାଙ୍କ ଜୀବନ ପାଇଁ ବିପଦ ସାଜିଲା ।

ବୋନି କପୁର କହିଛନ୍ତି ଯେ ବିବାହ ପରେ ଓଜନ ହ୍ରାସ କରିବାକୁ ଶ୍ରୀଦେବୀ କ୍ରାସ୍ ଡାଏଟ୍ ଭଳି କଷ୍ଟକର ଡାଏଟ୍ ଆପଣାଉଥିଲେ। ଏହି କାରଣରୁ ସେ ଅନେକ ଥର ଚେତାଶୂନ୍ୟ ମଧ୍ୟ ହୋଇପଡୁଥିଲେ। ତେବେ ଆସନ୍ତୁ ଜାଣିବା କ୍ରାସ୍ ଡାଏଟ୍ କ’ଣ ଏବଂ ଏହାଦ୍ୱାରା କ’ଣ ସବୁ ଅସୁବିଧା ହୋଇପାରେ।

କ୍ରାସ୍ ଡାଏଟ୍ କ’ଣ? 

ଏକ୍ସପର୍ଟଙ୍କ ମତରେ ଦ୍ରୁତଗତିରେ ଓଜନ ହ୍ରାସ ପାଇଁ ଆଜିକାଲି କ୍ରାସ୍ ଡାଏଟ୍କୁ ଅନେକ ଫଲୋ କରୁଛନ୍ତି । ଏହା ଡାଏଟିଂର ଏଭଳି ଏକ ପ୍ରକ୍ରିୟା ଯେଉଁଥିରେ ଜଣେ ବ୍ୟକ୍ତି ଖୁବ୍ କମ୍ କ୍ୟାଲୋରୀ ଖାଇ ଓଜନ ହ୍ରାସ କରିଥାଏ|

ଉଦାହରଣ ସ୍ୱରୂପ, ଜଣେ ସୁସ୍ଥ ବ୍ୟକ୍ତିକୁ ଦୈନିକ ପ୍ରାୟ ୨୫୦୦ କ୍ୟାଲୋରୀ ଆବଶ୍ୟକ ହୋଇଥାଏ। କିନ୍ତୁ କ୍ରାସ୍ ଡାଏଟ୍ କରୁଥିବା ବ୍ୟକ୍ତି ଦିନରେ ମାତ୍ର ୭୦୦ରୁ ୯୦୦ କ୍ୟାଲୋରୀ ଖାଇଥାନ୍ତି। ଆହୁରି ମଧ୍ୟ କ୍ରାସ ଡାଏଟ୍ ଜରିଆରେ ଜଣେ ବ୍ୟକ୍ତି ଏକ ସପ୍ତାହ ମଧ୍ୟରେ ପାଖାପାଖି ୩ କିଲେ ଓଜନ ହ୍ରାସ କରିପାରିବେ ।

ଖାଲି ଏତିକି ନୁହେଁ ଏହି ଡାଏଟ୍ ନେଉଥିବା ଅନେକ ବ୍ୟକ୍ତି ଲୁଣ ଜମାରୁ ଖାଆନ୍ତି ନାହିଁ । ଏପରିକି ଦୈନିକ କ୍ୟାଲୋରୀ ଇନଟେକରେ ବହୁତ କମ୍ କାର୍ବୋହାଇଡ୍ରେଟ୍ ଏବଂ ପ୍ରୋଟିନ୍ ଗ୍ରହଣ କରିଥାନ୍ତି, ଯେଉଁ କାରଣରୁ ଗୋଟିଏ ସପ୍ତାହରେ ବହୁତ ଓଜନ କମିଯାଇଥାଏ ।

କ୍ରାସ୍ ଡାଏଟ୍ ର କ’ଣ ସବୁ ବିପଦ ରହିଛି?

କ୍ରାସ୍ ଡାଏଟ୍ କୁ ପ୍ରାୟତଃ ଲାଇମଲାଇଟ୍ ରେ ରହୁଥିବା ବ୍ୟକ୍ତି ତଥା ସେଲିବ୍ରିଟି ମାନେ ଫଲୋ କରିଥାନ୍ତି ।ଯେହେତୁ କ୍ରାସ୍ ଡାଏଟ୍ ରେ ଶରୀରକୁ ବହୁତ କମ୍ ପୋଷଣ ମିଳେ, ସେଥିପାଇଁ ଏହା ଶରୀର ପାଇଁ ଅନେକ ବିପଦ ମଧ୍ୟ ସୃଷ୍ଟି କରିଥାଏ । ତେବେ ଯଦି ପୂର୍ବରୁ ଆପଣଙ୍କ ଶରୀରରେ ଅନ୍ୟ କିଛି ରୋଗ ଥାଏ ତେବେ ଏହା ପ୍ରାଣଘାତୀ ମଧ୍ୟ ସାବ୍ୟସ୍ତ ହୋଇପାରେ ।

ତେବେ ରକ୍ତଚାପ ସମସ୍ୟା ଭୋଗୁଥିବା ବ୍ୟକ୍ତିମାନଙ୍କ ପାଇଁ କ୍ରାସ୍ ଡାଏଟ୍ ଅତ୍ୟନ୍ତ ବିପଦଜନକ ହୋଇଥାଏ । କେହି ଯଦି ଦୀର୍ଘ ସମୟ ଧରି କ୍ରାସ୍ ଡାଏଟ୍ କରୁଛନ୍ତି ତେବେ ସେ ଅବସାଦ, ଚିନ୍ତା, ମାଂସପେଶୀ ହ୍ରାସ, ଦୁର୍ବଳ ହାଡ, କେଶ ଝଡିବା, ମଧୁମେହ, ନିଦ୍ରାହୀନତା, ଦୁର୍ବଳତା, ଡିହାଇଡ୍ରେସନ୍ ଏବଂ ରକ୍ତହୀନତାର ସମସ୍ୟା ଆଦିରେ ପୀଡିତ ହୋଇପାରନ୍ତି।