spot_img
Home Blog Page 6747

୪ ଦିନିଆ ରିମାଣ୍ଡରେ ସୌଭିକ ଏବଂ ସାମୁଏଲ, ରିୟାଙ୍କୁ ମଧ୍ୟ ପଠାଯିବ ସମନ

0

ମୁମ୍ବାଇ: ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ସୁଶାନ୍ତ ସିଂ ରାଜପୁତ ମାମଲାରେ ଡ୍ରଗ୍ସ ଲିଙ୍କକୁ ନେଇ ଯାଞ୍ଚ କରୁଛି । ଏନସିବି ସୌଭିକ ଚକ୍ରବର୍ତ୍ତୀ, ସାମୁଏଲ ମିରାଣ୍ଡା, ଜୈଦ ବିଲାତ୍ରା ଏବଂ କାଇଜାନଙ୍କୁ ଏନଡିପିଏସ କୋର୍ଟରେ ଉପସ୍ଥାପନ କରିଛି । ଏନସିବି ସୌଭିକ ଏବଂ ସାମୁଏଲଙ୍କୁ କୋର୍ଟରୁ ୭ ଦିନିଆ ରିମାଣ୍ଡରେ ନେବାକୁ ଦାବି କରିଛି । କିନ୍ତୁ କୋର୍ଟ ଉଭୟଙ୍କୁ ଚାରି ଦିନ ପାଇଁ ରିମାଣ୍ଡରେ ପଠାଇଛନ୍ତି । ଅର୍ଥାତ୍ ସୌଭିକ୍ ଚକ୍ରବର୍ତ୍ତୀ ଏବଂ ସାମୁଏଲ୍ ମିରାଣ୍ଡା ୯ ସେପ୍ଟେମ୍ବର ପର୍ଯ୍ୟନ୍ତ ଏନସିବି ରିମାଣ୍ଡରେ ରହିବେ । ଏହା ବ୍ୟତୀତ କାଇଜାନଙ୍କୁ ୧୪ ଦିନ ପାଇଁ ନ୍ୟାୟିକ ହେପାଜତକୁ ନେବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଏନଡିପିଏସ କୋର୍ଟ ରିୟା ଚକ୍ରବର୍ତ୍ତୀକୁ ସମନ ପଠାଇବା ପାଇଁ ଏନସିବିକୁ ଆଦେଶ ଦେଇଛନ୍ତି । ଏହାପରେ ଏନସିବି ରିୟା ଚକ୍ରବର୍ତ୍ତୀ ସହ ମଧ୍ୟ ପଚରାଉଚରା କରିବ । ମିଳିଥିବା ସୂଚନା ଅନୁଯାୟୀ, ରିୟା ଚକ୍ରବର୍ତ୍ତୀ, ସୌଭିକ ଏବଂ ସାମୁଏଲଙ୍କୁ ସାମ୍ନା ସାମ୍ନି ବସାଇ ପଚରାଉଚରା କରାଯିବ ।

ସୂଚନାଯୋଗ୍ୟ ଯେ, ରିୟାଙ୍କ ଓକିଲ ସତୀଶ ମନସିନ୍ଦେ ସୌଭିକ ଚକ୍ରବର୍ତ୍ତୀଙ୍କ ପକ୍ଷ ଅଦାଲତରେ ରଖି ଏନସିବି ହେପାଜତକୁ ବିରୋଧ କରୁଥିଲେ । ସେ କୋର୍ଟରେ କହିଛନ୍ତି ଯେ, ସୌଭିକଙ୍କ କୌଣସି ପ୍ରତ୍ୟକ୍ଷ ସଂଯୋଗ ମିଳିନାହିଁ । ଏଭଳି ପରିସ୍ଥିତିରେ ଏନସିବି ସେମାନଙ୍କୁ ରିମାଣ୍ଡରେ ନେବାକୁ ଦାବି କରିପାରିବ ନାହିଁ । କୋର୍ଟର ଶୁଣାଣି ସମୟରେ ଅନେକ ପ୍ରସଙ୍ଗ ଉପରେ ବିତର୍କ ହୋଇଥିଲା । ଏହାକୁ ଉପସ୍ଥାପନ କରିବା ପୂର୍ବରୁ ସୌଭିକ, ସାମୁଏଲ, ଜୈଦ ଏବଂ କାଇଜାନ ଡାକ୍ତରୀ ପରୀକ୍ଷା କରିଥିଲେ । ଏହା ସହିତ ତାଙ୍କର କରୋନା ପରୀକ୍ଷା ମଧ୍ୟ କରାଯାଇଥିଲା, ଯାହାର ରିପୋର୍ଟ ନେଗେଟିଭ ଆସିଥିଲା । ଏଥି ସହିତ ଡାକ୍ତରୀ ପରୀକ୍ଷଣର ସମସ୍ତ ରିପୋର୍ଟ ମଧ୍ୟ ଠିକ ଆସିଛି । ରିପୋର୍ଟ ଆସିବା ପରେ ଏନସିବି ଟିମ୍ ଚାରି ଜଣଙ୍କୁ ନେଇ NDPS କୋର୍ଟରେ ଉପସ୍ଥାପନ କରିଥିଲେ ।

NDPS ଅଧିନିୟମ ଅନୁଯାୟୀ ମାମଲା ଦାଖଲ

ଏହି ଚାରି ଜଣଙ୍କ ଉପରେ ଏନଡିପିଏସ୍ ଆକ୍ଟରର ବିଭିନ୍ନ ବିଭାଗ ଅଧୀନରେ ଏକ ମକଦ୍ଦମା ଦାୟର କରାଯାଇଛି । ସେମାନଙ୍କ ବିରୋଧରେ NDPS ର ଧାରା ୨୦ (B) ଲାଗୁ କରାଯାଇଛି । ଏହି ଧାରା ଡ୍ରଗସ କିଣିବା, ବିକ୍ରୟ ଏବଂ ପରିବହନ ଏବଂ ପ୍ରସ୍ତୁତି ମାମଲାରେ ଲଗାଯାଇଛି । ଏହା ବ୍ୟତୀତ ଏହି ଚାରି ଜଣଙ୍କ ଉପରେ NDPS ର ୨୭, ୨୮, ୨୯, ୩୦ ଧାରା ଲାଗୁ କରାଯାଇଛି । ସେମାନଙ୍କ ଅଧୀନରେ ଅପରାଧିକ ଷଡଯନ୍ତ୍ର ଏବଂ ଅନଧିକୃତ ଢଙ୍ଗରେ ଟଙ୍କା ରୋଜଗାର ଭଳି ମାମଲା ରହିଛି ।

ଏଯାବତ ୭ ଜଣ  ଗିରଫ

ଏହି ମାମଲାରେ ଏଯାବତ ୭ ଜଣଙ୍କୁ ଗିରଫ କରାଯାଇଛି । ଏଥିମଧ୍ୟରେ ଅବାସ ରମଜାନ, ଅଲୀ ଲଖାନୀ, ଜୈଦ ବିଲାତ୍ରା, ଅବଦୁଲ ୱାସିତ ପରିହାର, କୈଜାନ ଇବ୍ରାହିମ, ସାମୁଏଲ ମିରାଣ୍ଡା ଏବଂ ସୌଭିକ ଚକ୍ରବର୍ତ୍ତୀଙ୍କୁ ଏନସିବି ଗିରଫ କରିଛି ।

ଅଲଗା ହେବା ପାଇଁ ଅଦାଲତରେ ବର୍ଷା, ଦାବି କଲେ ଭରଣପୋଷଣ

0

କଟକ: ଓଲିଉଡର ଚର୍ଚ୍ଚିତ ଯୋଡି ଓ ରିଏଲ ଲାଇଫ ପାର୍ଟନର ବର୍ଷା-ଅନୁଭବ ଅଲଗା ହେବାକୁ ଯାଉଛନ୍ତି । ବିବାହ ବିଛେଦ ପାଇଁ ଅଦାଲତଙ୍କ ଦ୍ୱାରସ୍ଥ ହୋଇଛନ୍ତି ବର୍ଷା ପ୍ରିୟଦର୍ଶିନୀ । ଏହା ସହ ସେ ସାଂସଦ ଅନୁଭବଙ୍କ ବିରୋଧରେ ଘରୋଇ ହିଂସାର ଅଭିଯୋଗ ଆଣିଛି । ଅନୁଭବଙ୍କ ବିରୋଧରେ ସେ କଟକ ଏସଡିଜେଏମ୍ କୋର୍ଟର ଦ୍ୱାରସ୍ଥ ହେବା ସହ ନିଜର ଭରଣପୋଷଣ ଦାବି କରିଛନ୍ତି ।  ଉଭୟ ଆଲବମ୍ ଓ ଓଲିଉଡର  ଆଗଧାଡ଼ିର ଅଭିନେତା ରାଜନୀତିରେ ମଧ୍ୟ ସଫଳତା ପାଇଛନ୍ତି ।

ସେ ଉଭୟ ଲୋକସଭା ଓ ରାଜ୍ୟସଭାର ସାଂସଦ ଭାବେ ରାଜ୍ୟକୁ ପ୍ରତିନିଧିତ୍ୱ କରିଛନ୍ତି । ସଂପ୍ରତି ସେ କେନ୍ଦ୍ରାପଡ଼ା ଲୋକସଭା ଆସନରୁ ନିର୍ବାଚିତ ହୋଇ ସାଂସଦ ଭାବେ କାର୍ଯ୍ୟରତ । ଏହି ଦୁଇ ଚର୍ଚ୍ଚିତ ଦମ୍ପତିଙ୍କ ବିବାହ ୨୦୧୪ରେ ହୋଇଥିଲା । ଅନ୍ୟପକ୍ଷରେ ବର୍ଷାଙ୍କ ଅଭିଯୋଗ ପରେ ଅନୁଭବ ମହାନ୍ତି ପ୍ରତିକ୍ରିୟା ମିଳିବା ସମ୍ଭବ ହୋଇ ପାରିନାହିଁ । ନୋଟିସ ମିଳିଲେ ଉତ୍ତର ରଖିବେ ବୋଲି କହିଛନ୍ତି ।

ଆମାଜନରେ ଜାଲ୍ ରିଭ୍ୟୁ କରି ୧୯ ଲକ୍ଷ ରୋଜଗାର କଲେ ଯୁବକ

ନୂଆଦିଲ୍ଲୀ: ଅନଲାଇନରୁ ଜିନିଷ କିଣିବା ପରେ ତାହାର ଗୁଣବତ୍ତାକୁ ନଜରରେ ରଖି ଗ୍ରାହକ ରିଭ୍ୟୁ ଦିଅନ୍ତି । ଆଉ ସେହି ରିଭ୍ୟୁକୁ ପଢିବା ପରେ ଅନ୍ୟ ଗ୍ରାହକ ମାନେ ଜିନିଷ କିଣିଥାନ୍ତି । ଯଦି ରେଟିଂ ଭଲ ରହିଥାଏ ତେବେ ଉକ୍ତ ଜିନିଷ ଅଧିକ ବିକ୍ରି ହୋଇଥାଏ ଏବଂ ଯଦି ରେଟିଂ ଭଲ ନଥାଏ ତେବେ ଜିନିଷର ଚାହିଦା କମିଯାଏ । ଏଭଳି ପରିସ୍ଥିତିକୁ ନଜରରେ ରଖି କିଛି ଠକ କମ୍ପାନୀ ଭିନ୍ନ ଭିନ୍ନ ଭାବରେ ଗ୍ରାହକଙ୍କୁ ଠକୁ ଥିବାର ଦେଖିବାକୁ ମିଳିଛି ।

ନିକଟରେ ଏହାର ଖୁଲାସା କରିଛି ଗଣମାଧ୍ୟମ । କିଛି ଚୀନ କମ୍ପାନୀ ଟଙ୍କା ଦେଇ Amazonରେ ଭ୍ରମାତ୍ମକ ଓ ଭୂଲ ରିଭ୍ୟୁ କରୁଥିଲେ । ଜଣେ ରିଭ୍ୟୁ କରୁଥିବା ଯୁବକ ପ୍ରାୟ ୩ରୁ ୪ ମାସ ମଧ୍ୟରେ ଫର୍ଜି ରିଭ୍ୟୁ କରି ୧୯ ଲକ୍ଷ ରୋଜଗାର କରିଛନ୍ତି । ରିପୋର୍ଟ ଅନୁସାରେ ଟପ୍ ରିଭ୍ୟୁଅର୍ସ ଟଙ୍କା ନେଇ ପ୍ରଥମେ ଜିନିଷ କିଣୁଥିଲେ ଏବଂ ଆମାଜନରେ ୫ ଷ୍ଟାର ରେଟିଂ ଦେଉଥିଲେ । ଅବଶ୍ୟ ଏହା ତ ସାଧାରଣ କଥା ଜିନିଷ କିଣିବା ପରେ ହିଁ ରିଭ୍ୟୁ ଦିଆଯାଏ,କିନ୍ତୁ ଯୁବକ ଜଣଙ୍କ ପକ୍ଷରେ ଏହା ଥିଲା ଭିନ୍ନ । ବାସ୍ତବରେ ଜିନିଷ କିଣିବା ପରେ କମ୍ପାନୀ ତରଫରୁ ତାହାକୁ ଫେରସ୍ତ କରି ଦିଆଯାଉଥିଲା । କେବେ କେବେ ଯୁବକ ଜଣଙ୍କୁ କିଛି ଉପହାର ମଧ୍ୟ ମିଳୁଥିଲା ।

ଚୀନର କେତେକ କମ୍ପାନୀ ସୋସିଆଲ ମିଡିଆ ଗ୍ରୁପ ଏବଂ ମେସେଜିଂ ଆପରେ ଏଭଳି ରିଭ୍ୟୁଅର୍ସଙ୍କୁ ଯୋଗାଯୋଗ କରନ୍ତି । ସେମାନେ ଟଙ୍କା ନେଇ ରିଭ୍ୟୁ ଦିଅନ୍ତି । ଟେଲିଗ୍ରାମରେ ଏଭଳି କିଛି ଗ୍ରୁପ ନଜର ଆସିଛି, ଯେଉଁଥିରେ ହଜାର ହଜାର ରିଭ୍ୟୁ ଦେଇଥିବା ଦାବି କରାଯାଇଛି ।

ଚୀନ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥଙ୍କ ସିଧା କଥା,ଆମ ପ୍ରତିବଦ୍ଧତାକୁ ନେଇ ଭ୍ରମରେ ନରହୁ ଚୀନ୍

0

ନୂଆ ଦିଲ୍ଲୀ: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଚୀନକୁ କଡ଼ା ଏବଂ ସ୍ପଷ୍ଟ ଭାବରେ କହିଛନ୍ତି କି ପୂର୍ବ ଲଦାଖରେ ବିବାଦର ଏକମାତ୍ର କାରଣ ଚୀନ ସୈନିକଙ୍କ ଆକ୍ରମଣାତ୍ମକ ସ୍ୱଭାବ । ଏଭଳି ପରିସ୍ଥିତିରେ ଭାରତ ନିଜ ଅଞ୍ଚଳର ରକ୍ଷା ପାଇଁ କିଛି ମଧ୍ୟ କରିପାରେ । ସେ ଋଷର ରାଜଧାନୀ ମସ୍କୋରେ ଚୀନର ପ୍ରତିରକ୍ଷା ମନ୍ତ୍ରୀ ଜେନେରାଲ ଓ୍ୱେଇ ଫେଙ୍ଗଙ୍କ ସହିତ ଆଲୋଚନା ସମୟରେ ଏହା କହିଛନ୍ତି ।

ପ୍ରତିରକ୍ଷା ମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଜାରି ହୋଇଥିବା ବୟାନରେ କୁହାଯାଇଛି କି, ଚୀନ ସୈନିକଙ୍କ ଗତିବିଧି,ଆକ୍ରମଣାତ୍ମକ ସ୍ୱଭାବ ଏବଂ ଦ୍ୱିପାକ୍ଷିକ ଚୁକ୍ତିର ଉଲଙ୍ଘନ କରି ନିଜ ଦେଶର ପରିଧିକୁ ବୃଦ୍ଧି କରିବା ପାଇଁ ଲାଗି ପଡ଼ିଛି । ଏତଦ୍‌ ବ୍ୟତୀତ ସୀମାରେ ଚୀନ୍‌ ବହୁଳ ମାତ୍ରାରେ ସୈନ୍ୟ ପଠାଉଥିବା ଘଟଣା ବିଷୟରେ ମଧ୍ୟ ଆଲୋଚନା କରିଛନ୍ତି ରାଜନାଥ ।

Shanghai Cooperation Organisationର ବୈଠକରେ ଉଭୟ ଭାରତ ଓ ଚୀନର ପ୍ରତିରକ୍ଷା ମନ୍ତ୍ରୀଙ୍କ ମଧ୍ୟରେ ହୋଇଥିବା ଆଲୋଚନାକୁ ନେଇ ଟ୍ୱିଟରରେ ଦିଆଯାଇଥିବା ସୂଚନା ଅନୁଯାୟୀ ଭାରତ ସୀମା ନିକଟରେ ପରିଚାଳନା ଦାୟୀତ୍ୱ ତୁଳାଉଛି ଏବଂ ତୁଲାଇବ ମଧ୍ୟ । କିନ୍ତୁ ନିଜର କ୍ଷେତ୍ର ଏବଂ ଅଖଣ୍ଡତାକୁ ନେଇ କେବେ ମଧ୍ୟ ସାଲିସ କରିବ ନାହିଁ । ଟ୍ୱିଟରରେ ଏହା ମଧ୍ୟ ଉଲ୍ଲେଖ ଅଛି କି ସୀମା ପରିଚାଳନାକୁ ନେଇ ଭାରତୀୟ ସୈନିକ ସର୍ବଦା ଦାୟୀତ୍ୱବାନ୍‌ । ଏହାକୁ ନେଇ କୌଣସି ସନ୍ଦେହ ରହିବା ଅନୁଚିତ୍ ।

କେବଳ ସେତିକି ନୁହେଁ ରାଜନାଥ ସିଂ ଚୀନକୁ ପରାମର୍ଶ ଦେଇଛନ୍ତି । ଯଦି ଚୀନ ସୀମାରେ ଶାନ୍ତି ଏବଂ ସ୍ଥିରତା ଚାହୁଁଛି ତେବେ ନିଜ ସ୍ୱଭାବରେ ପରିବର୍ତ୍ତନ କରିବା ଉଚିତ୍‌ । ଏହାଦ୍ୱାରା କେବେ ମଧ୍ୟ ବିବାଦ ହେବ ନାହିଁ । ଏହା ସହିତ ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି କି ଦୁଇ ପକ୍ଷର ନେତା ମଧ୍ୟରେ ସହମତି ଅନୁସାରେ ପଦକ୍ଷେପ ନେବା ଉଚିତ୍‌ । କାରଣ ଉଭୟ ପକ୍ଷର ସମ୍ପର୍କରେ ଶାନ୍ତି ଏବଂ ସ୍ଥିରତାର ଆବଶ୍ୟକତା ରହିଛି । ଖାଲି ସେତିକି ନୁହେଁ ବରଂ ପେଙ୍ଗୋଙ୍ଗ ହ୍ରଦ ସମେତ ସମସ୍ତ ବିବାଦୀୟ ଅଞ୍ଚଳରୁ ସୈନିକ ହଟାଇବା ଦିଗରେ ଭାରତ ସହିତ ମିଶି ପଦକ୍ଷେପ ନେବା ଉଚିତ୍‌ ବୋଲି ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି ।

କରୋନା ମୁକାବିଲା: ବୁର୍ଲା ଭିମସାରରେ ୧୦୦ ଶଯ୍ୟାର କୋଭିଡ୍ ହସ୍ପିଟାଲ୍, ମୁଖ୍ୟ ଶାସନ ସଚିବଙ୍କ ସମୀକ୍ଷା ବୈଠକ

ସମ୍ୱଲପୁର: ବୁର୍ଲା ଭିମସାରରେ ନବ ନିର୍ମିତ ୯ ମହଲା ବିଶିଷ୍ଟ କୋଠାକୁ ୧୦୦ ଶଯ୍ୟା ବିଶିଷ୍ଟ କୋଭିଡ୍ ହସ୍ପିଟାଲରେ ପରିବର୍ତ୍ତିତ କରାଯିବ । ରାଜ୍ୟ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି । ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କ ସମ୍ୱଲପୁର ଗସ୍ତ ବେଳେ ଏଭଳି ନିଷ୍ପତ୍ତି ଆସିଛି । ମୁଖ୍ୟ ଶାସନ ସଚିବ ଅସୀତ ତ୍ରିପାଠୀଙ୍କ ସମ୍ୱଲପୁର ଗସ୍ତ ବେଳେ ତାଙ୍କ ସହ ରାଜ୍ୟ ସ୍ୱାସ୍ଥ୍ୟ ସଚିବ ଓ ଡିଏମଟି ନିର୍ଦ୍ଦେଶକ ମଧ୍ୟ ଗସ୍ତ କରିଥିଲେ । ଭିମସାରରେ ଏକ ଓଟି ଏବଂ ୨୦ଟି ଆଇସିୟୁ ର ମଧ୍ୟ ବ୍ୟବସ୍ଥା କରାଯିବା ପାଇଁ ଘୋଷଣା ହୋଇଛି । ଏହାସହ ସମଲପୁର କୋଭିଡ ହସ୍ପିଟାଲରେ ଡାକ୍ତର ଅଭାବ ଦୂର କରିବା ପାଇଁ ୧୦ ଜଣ ସିନିଅର ଡାକ୍ତର ଙ୍କୁ ପଠାଯିବା ସହ ୨୦ ଜଣ ଏଟେଣ୍ଡାଣ୍ଟ ଏବଂ ୩୦ ଜଣ ଏ ଏନ ଏମଙ୍କୁ ମଧ୍ୟ ନିଯୁକ୍ତି ଦିଆଯିବାକୁ ମୁଖ୍ୟ ଶାସନ ସଚିବ ସୂଚନା ଦେଇଛନ୍ତି । ସମ୍ବଲପୁରରେ କୋଭିଡରୁ ସୁସ୍ଥ ହେଉଥିବା ହାର ରାଜ୍ୟ ହାର ଠାରୁ ଅଧିକ ରହିଥିବା ସୂଚନା ଦେଇଛନ୍ତି । ସୁସ୍ଥ ହାର ୭୭ % ରହିଥିବା ବେଳେ ହୋମ ଆଇସୋଲେସନ ରେ ୭୪% ରୋଗୀ ରହୁଥିବା ସୂଚନା ଦେଇଛନ୍ତି ।

ମୁଖ୍ୟତଃ ସମ୍ୱଲପୁର ଓ ବୁର୍ଲା କୋଭିଡ୍ ହସ୍ପିଟାଲ୍ , ସ୍ୱାବ ଟେଷ୍ଟିଂ ସେଣ୍ଟର, ଆଇସିୟୁ ସେଣ୍ଟର ଆଦିର ସାଂପ୍ରତିକ ସ୍ଥିତିର ଅନୁଶୀଳନ କରିବା ପାଇଁ ଏହି ଗସ୍ତ ଯୋଜନା ହୋଇଥିଲା । ନିର୍ଦ୍ଧାରିତ ସୂଚୀ ଅନୁଯାୟୀ ସଚିବମାନେ ସମସ୍ତ କାର୍ଯ୍ୟ ଶେଷ କଲେ । ତେବେ ସମ୍ୱଲପୁରର ପ୍ରମୁଖ ସମସ୍ୟା ହେଉଛି ବର୍ଦ୍ଧିତ କରୋନାଜନିତ ମୃତ୍ୟୁହାର । ଏହି ପରିପ୍ରେକ୍ଷୀ ମୁଖ୍ୟ ଶାସନ ସଚିବଙ୍କ ତତ୍ତ୍ୱାବଧାନରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା । ତେବେ ସମ୍ୱଲପୁରର ସ୍ଥିତି ସମ୍ପର୍କିତ ସୂଚନା ଦେବା ପାଇଁ ଭିମସାର୍ ନିର୍ଦ୍ଦେଶକ, ସମ୍ୱଲପୁର ସିଡିଏମୋ, ଆରଡିସି ଓ ଜିଲ୍ଲାପାଳ ପ୍ରମୁଖ ଉପସ୍ଥିତ ଥିଲେ ।

ଏମାନଙ୍କ ସହ ସ୍ଥିତି ସମ୍ପର୍କରେ ବିସ୍ତୃତ ଆଲୋଚନା କରିବା ପରେ ଜିଲ୍ଲାର କୋଭିଡ୍ ପରିସ୍ଥିତି ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ତରଫରୁ ମୁଖ୍ୟ ଶାସନ ସଚିବ ଆସନ୍ତା ପଦକ୍ଷେପ ନେଇ ଘୋଷଣା କରିଥିଲେ । ତେବେ ଏହି ବୈଠକ ଭୀମସାର ନିର୍ଦ୍ଦେଶକଙ୍କ ପ୍ରକୋଷ୍ଠରେ ଆୟୋଜିତ ହୋଇଥିବା ବେଳେ ଭିମସାରର ଅଧିକ୍ଷକ,ଅଧ୍ୟକ୍ଷ, ଡିନ୍ ଓ ସମସ୍ତ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ। ଉଲ୍ଲେଖଯୋଗ୍ୟ ଯେ ରାଜ୍ୟରେ କରୋନା ସଂକ୍ରମଣ କ୍ରମାଗତ ବଢ଼ୁଥିବା ହେତୁ ସରକାର କୋଭିଡ୍ ବେଡ୍ ସଂଖ୍ୟା ସାରା ରାଜ୍ୟରେ ବଢାଇବା ଉପରେ ଧ୍ୟାନ ଦେଉଛନ୍ତି  । କୋଭିଡ୍ ବେଡ୍ ସଂଖ୍ୟା ବୃଦ୍ଧି ପାଇଁ ସରକାର ଗତକାଲି ବିଜ୍ଞପ୍ତି ପ୍ରକାଶ କରିଥିଲେ । ଏହି କ୍ରମରେ ଆଜି ଭିମସାରରେ ବେଡ୍ ସଂଖ୍ୟା ବଢିବା ନେଇ ନିଷ୍ପତ୍ତି ହୋଇଛି ।

 

ରାଜ୍ୟ ଗଣମାଧ୍ୟମ ପରାମର୍ଶଦାତା ମାନସ ମଙ୍ଗରାଜଙ୍କ ଆରୋଗ୍ୟ କାମନା କରି ପୂଜାର୍ଚ୍ଚନା…..

ଚିଲିକା:ରାଜ୍ୟ ସରକାରଙ୍କ ଗଣମାଧ୍ୟମ ପରାମର୍ଶଦାତା ମାନସ ମଙ୍ଗରାଜଙ୍କ ଆଶୁ ଆରୋଗ୍ୟ କାମନା କରି ପୂଜାର୍ଚ୍ଚନା ହୋଇଛି । ଚିଲିକା ନିର୍ବାଚନମଣ୍ଡଳୀର ଶତାଧିକ ଶୁଭେଚ୍ଛୁ ବାଣପୁର ବ୍ଲକ୍‌ ସଲପଡ଼ିହ ଗାଁର ମା’ ପାଣ୍ଡବାଶୁଣୀ ପୀଠରେ ପୂଜାର୍ଚ୍ଚନା କରିଛନ୍ତି । ମାନସ ମଙ୍ଗରାଜଙ୍କ ଆଶୁ ଆରୋଗ୍ୟ କାମନା କରି ଦେବୀଙ୍କ ପାଖରେ ୧୦୮ ଦୀପଦାନ କରାଯାଇଛି ।

ରାମଚନ୍ଦ୍ର ପ୍ରଧାନ, ବ୍ରଜ ମହାରଣା, ଜୟ ବେହେରା, ଶିବାରାମ ବେହେରା, ଜୟଦେବ ନାୟକ ପ୍ରମୁଖ ଶତାଧିକ ଲୋକ ମାନସ ମଙ୍ଗରାଜଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି । ରାଜ୍ୟ ସରକାରଙ୍କ ଗଣମାଧ୍ୟମ ପରାମର୍ଶଦାତା ମାନସ ମଙ୍ଗରାଜ କରୋନା ଆକ୍ରାନ୍ତ ହୋଇ ଏବେ ଚିକିତ୍ସାଧୀନ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଏବେ ସନ୍ତୋଷଜନକ ରହିଛି ଓ ସେ ଖୁବ୍ ଶୀଘ୍ର ସୁସ୍ଥ ହୋଇ ଫେରିପାରିବା ନେଇ ସୂଚନା ରହିଛି ।

ପ୍ରକାଶ ପାଇଲା ଯୁକ୍ତ ଦୁଇ କଳା ପରୀକ୍ଷାଫଳ, ପୁଣି ବାଜି ମାରିଲେ ଛାତ୍ରୀ

ଭୁବନେଶ୍ୱର: ପ୍ରକାଶ ପାଇଲା ଯୁକ୍ତ ଦୁଇ କଳା ପରୀକ୍ଷାଫଳ । ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି । ସିଏଚଏସଇ କାର୍ଯ୍ୟାଳୟରେ ପରୀକ୍ଷାଫଳ ଘୋଷଣା କରାଯାଇଛି । ଚଳିତବର୍ଷ କଳାରେ ୨ ଲକ୍ଷ ୨୫ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ୧ ଲକ୍ଷ ୪୮ ହଜାର ୪୫୨ ଜଣ ଛାତ୍ରଛାତ୍ରୀ ପାସ ହୋଇଛନ୍ତି । ପାସ୍‌ ହାର ୬୭.୮୬ ପ୍ରତିଶତ ରହିଛି । ପାସ ହାରରେ ବରଗଡ଼ ଆହରେ ରହିଛି । ନବରଙ୍ଗପୁରରେ ସବୁଠୁ କମ ସଂଖ୍ୟାରେ ଛାତ୍ରଛାତ୍ରୀ ପାସ ହୋଇଛନ୍ତି । ନବରଙ୍ଗପୁରରେ ପାସ ହାର ରହିଛି ୪୪ ପ୍ରତିଶତ । ବରଗଡ଼ରେ ୭୬.୬୩ ପ୍ରତିଶତ ଛାତ୍ରଛାତ୍ରୀ ପାସ ହୋଇଛନ୍ତି । ୧୦ଟି ସ୍କୁଲରେ ଶତ ପ୍ରତିଶତ ବିଦ୍ୟାର୍ଥୀ ପାସ ହୋଇଛନ୍ତି । କୌଣସି ସ୍କୁଲରେ ଶୂନ ପ୍ରତିଶତ ରେଜଲ୍ଟ ହୋଇନାହିଁ । ଅର୍ଥାତ ଏଭଳି କୌଣସି ସ୍କୁଲ ନାହିଁ ଯେଉଁଠି କେହି ମଧ୍ୟ ପାସ କରିନାହାନ୍ତି ।

ଫଳାଫଳ ଉପରେ ନଜର ପକାଇଲେ ଜଣାପଡ଼େ ଯେ ଛାତ୍ରୀ ଛାତ୍ରଙ୍କ ଅପେକ୍ଷା ଆଗରେ ଅଛନ୍ତି । ଛାତ୍ରୀଙ୍କ ପାସ ହାର ୭୫.୪୮ ପ୍ରତିଶତ ରହିଥିବା ବେଳେ ଛାତ୍ର ପାସ ହାର ୫୭.୫୩ ରହିଛି । ପୂର୍ବରୁ ଅଗଷ୍ଟ ୧୨ ତାରିଖରେ ଯୁକ୍ତଦୁଇ ବିଜ୍ଞାନ ଓ ୧୯ ତାରିଖରେ ବାଣିଜ୍ୟ ପରୀକ୍ଷା ଫଳ ପ୍ରକାଶ ପାଇଥିଲା ।

ପ୍ରଥମ ଶ୍ରେଣୀରେ ପାସ କରିଛନ୍ତି ୨୨ ହଜାର ୧୯୬ ଜଣ ଛାତ୍ରଛାତ୍ରୀ । ଜ୍ୱିତୀୟ ଶ୍ରେଣୀରେ ପାସ କରିଛନ୍ତି ୨୬ ହଜାର ୨୭ ଜଣ ଛାତ୍ରଛାତ୍ରୀ ଏବଂ ତୃତୀୟ ଶ୍ରେଣୀରେ ପାସ କରିଛନ୍ତି ୧ ଲକ୍ଷ ୧୦୨ ଜଣ ଛାତ୍ରଛାତ୍ରୀ । ଜଣେ ବିଦ୍ୟାର୍ଥୀ ୯୦ ପ୍ରତିଶତରୁ ଅଧିକ ନମ୍ବର ରଖିଛନ୍ତି ।

SMS ଦ୍ୱାରା କେମିତି ରେଜଲ୍ଟ ଜାଣିବେ?

ଟାଇପ କରନ୍ତୁ RESULT<space>OR12<space>ରୋଲ ନମ୍ବର’ ଓ ଏହାକୁ ୫୬୨୬୩କୁ ପଠାଇ ଦିଅନ୍ତୁ

ୱେବସାଇଟରୁ କେମିତି ଫଳାଫଳ ଜାଣିବେ ?

୧. ଅଫିସିଆଲ ୱେବସାଇଟ୍ orissaresults.nic.in କୁ ଯାଆନ୍ତୁ

: ରେଜଲ୍ଟ ପାଇଁ ଥିବା ଲିଙ୍କ୍ ଉପରେ କ୍ଲିକ୍ କରନ୍ତୁ

 : ଲଗଇନ୍ ପେଜରେ ରୋଲ୍ ନମ୍ବର ଓ ଅନ୍ୟ ବିବରଣୀ ଦିଅନ୍ତୁ

: ସବମିଟ୍ ବଟନ କ୍ଲିକ୍ କରନ୍ତୁ ଓ ରିଜଲ୍ଟର ପ୍ରିଣ୍ଟଆଉଟ୍ ନିଅନ୍ତୁ