ଅନୁସୂଚିତ ଜାତି ଲୋକଙ୍କୁ ଠକିଛି ଓଟିଭି, ବହୁ ଚର୍ଚ୍ଚିତ ସାରୁଆ ଜମି କେଳେଙ୍କାରୀ ତଦନ୍ତ କ୍ରାଇମବ୍ରାଞ୍ଚ ହାତକୁ ଗଲା

1 min read

ଭୁବନେଶ୍ୱର:  ବହୁ ଚର୍ଚ୍ଚିତ ଖୋର୍ଦ୍ଧା ଜିଲା ସାରୁଅ ଜମି କେଳେଙ୍କାରୀ ମାମଲାର ତଦନ୍ତ କ୍ରାଇମବ୍ରାଞ୍ଚ ହାତକୁ ଯ଼ାଇଛି । ଏହି ଠକେଇ ଏବଂ ଚଞ୍ଚକତା ମାମଲାରେ କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର। ସାରୁଅରେ ଅନୁସୂଚିତଜାତି(ଏସସି)ଙ୍କ ଜମି ହଡପ ନେଇ  ମୋଟ ୩ଟି ମାମଲା ରୁଜୁ ହୋଇଥିଲା । ତନ୍ମଧ୍ୟରୁ  ଗୋଟିଏ ମାମଲାର ତଦନ୍ତ କ୍ରାଇମବ୍ରାଞ୍ଚ  ହାତକୁ ଯାଇଛି। ରବୀନ୍ଦ୍ର ସେଠୀଙ୍କ ଅଭିଯୋଗ ଆଧାରରେ ହୋଇଥିବା ମାମଲାର ତଦନ୍ତ କ୍ରାଇମବ୍ରାଞ୍ଚ କରିବାକୁ ଯାଉଥିବା ଜଣାପଡିଛି ।

ଓଡିଶା ଇନଫ୍ରାଟେକ୍ ପ୍ରାଇଭେଟ ଲିମିଟେଡ ନାଁରେ ଜମି ହଡପ ଅଭିଯୋଗ ହୋଇଥିବା ପିଟିସନରୁ ଏକ ପ୍ରକାର ସ୍ପଷ୍ଟ ହୋଇଛି । ଓଡିଶା ଇନଫ୍ରେଟେକ୍ ହେଉଛି ଓଟିଭିର ଅନ୍ୟଏକ ପ୍ରମୁଖ ସଂସ୍ଥା । ଏହି ସଂସ୍ଥା ରବୀନ୍ଦ୍ର ସେଠୀଙ୍କ ଜରିଆରେ ହାଲୁରୀ ପାହାଡସିଂଙ୍କ ଠାରୁ ଜମି ହଡ଼ପ କରିଥିବା ଅଭିଯୋଗ ହୋଇଥିଲା । ରବୀନ୍ଦ୍ର ସେଠୀଙ୍କ ଜରିଆରେ ଦିନ ଦ୍ୱିପ୍ରହର ଆଇନ ଉଲ୍ଲ୍ଂଘନ କରି ଏହି ଜମି କିଣାଯାଇଥିଲା । ସ୍ଥାନୀୟ ଅଞ୍ଚଳର ବ୍ୟକ୍ତିବିଶେଷ ହାଲୁରୀ ପାହାଡସିଂ ଅନୁସୂଚିତ ଜାତି(ଏସସି) ବର୍ଗର । ସେଲ୍ ଡିଡ୍‌ ବା ବିକ୍ରୟ ପ୍ରକ୍ରିୟାରେ ବିକ୍ରେତା ଓ କ୍ରେତା ଉଭୟଙ୍କ ସମାନ ଠିକଣା ରହିଥିଲା । ସେଲ୍‌ ଡିଡ୍‌ରେ ଜମି ବିକ୍ରିର କାରଣ ଝିଅ ବାହାଘର ବୋଲି ଦର୍ଶାଯାଇଥିଲା । ତେବେ ବିକ୍ରି ପାଇଁ ଦିଆ ଯାଇଥିବା ଅନୁମତିରେ ବିକ୍ରିର କାରଣ ଗୃହ ନିର୍ମାଣ ବୋଲି ଦର୍ଶାଯାଇଛି । ହାଲୁରି ପାହାଡ଼ସିଂଙ୍କଠାରୁ ଜମି କିଣିଥିବା ରବୀନ୍ଦ୍ର ସେଠୀଙ୍କ ଦସ୍ତଖତ ବିଭିନ୍ନ କାଗଜପତ୍ରରେ ଅଲଗା ଅଲଗା ରହିଛି ।  ରବୀନ୍ଦ୍ର ସେଠୀଙ୍କୁ ଜଣେ ବ୍ୟବସାୟୀ ବୋଲି ତାଙ୍କଠାରୁ ଜମି କିଣିଥିବା ସଂସ୍ଥା ଦର୍ଶାଇଛି । କିନ୍ତୁ ଅସଲରେ ରବୀନ୍ଦ୍ର ସେଠୀ ଓଟିଭିର ଜଣେ ସ୍ୱଳ୍ପ ବେତନଭୋଗୀ କର୍ମଚାରୀ ଥିଲେ । ଗରିବ ଅନୁସୂଚିତ ଜାତି(ଏସସି) ଜମି ହଡ଼ପ ପାଇଁ ତାଙ୍କୁ ବାରମ୍ବାର ବ୍ୟବହାର କରାଯାଉଥିବା ସ୍ପଷ୍ଟ ହୋଇଛି । ଏକଥା ରବୀନ୍ଦ୍ର ସେଠୀ ନିଜେ ତାଙ୍କ ପିଟିସନ୍‌ରେ ସ୍ପଷ୍ଟ ଭାବେ ଦର୍ଶାଇଛନ୍ତି ।

ସେହିଭଳି ରବୀନ୍ଦ୍ର ସେଠୀଙ୍କୁ ମଧ୍ୟ ଜଣେ ପ୍ରଚୁର ଜମିଜମା ସଂପନ୍ନ ବ୍ୟକ୍ତି ଭାବେ ଦର୍ଶାଇ ତାଙ୍କ ମାଧ୍ୟମରେ ସରକାରୀ କଳକୁ ବିଭ୍ରାନ୍ତ କରି ଓଟିଭି ଜମି କିଣାକିଣି କରାଇଛି । ଜମି କେଳେଙ୍କାରୀ ସଂପର୍କରେ ହୋଇଥିବା ଦୁଇଟି ପିଟିସନ୍ ମଧ୍ୟରୁ ଗୋଟିଏ ହାଲୁରୀ ପାହାଡସିଂ କରିଥିବା ବେଳେ ଅନ୍ୟଟି ନିଜେ ରବୀନ୍ଦ୍ର ସେଠୀ କରିଛନ୍ତି । ହାଲୁରୀ ପାହାଡସିଂ ଓ ତାଙ୍କ ପରିବାର ପିତା ନରସିଂହ ପାହାଡସିଂ, କାକା- ଚରଣ ପାହାଡସିଂ ଖୋର୍ଦ୍ଧା ଜିଲ୍ଲା ସାରୁଅ ମୌଜାର ବୋଲି ଜଣାପଡିଛି । ଅପରପକ୍ଷରେ ରବୀନ୍ଦ୍ର ସେଠୀଙ୍କ ଘର ଗଞ୍ଜାମ ଜିଲ୍ଲାରେ । ରବୀନ୍ଦ୍ରଙ୍କୁ ଏକ ପ୍ରକାର ମୋହରା ବନାଇ ଓଟିଭି ଏହି ଜମି କେଳେଙ୍କାରୀ କରିଥିଲା । ହାଲୁରୀ ପାହାଡସିଂ ଅଭିଯୋଗ କରିଥିଲେ ଯେ, ଓଟିଭି ତାଙ୍କ ଜମି କିଣିବା ପାଇଁ ବାରମ୍ବାର ଚାପ ପକାଉଥିଲେ ମଧ୍ୟ ସେ ଓଟିଭିକୁ ଜମି ବିକିବାକୁ ଚାହିଁ ନ ଥିଲେ । ଏହି ସମୟରେ ରବୀନ୍ଦ୍ର ସେଠୀ ନାମକ ଜଣେ ବ୍ୟକ୍ତି ନିଜେ ଜମି କିଣିବେ ବୋଲି ତାଙ୍କ ସହ ଯୋଗାଯୋଗ କରିଥିଲେ । ରବୀନ୍ଦ୍ର ସେଠୀ ମଧ୍ୟ ଅନୁସୂଚିତ ଜାତି ବର୍ଗ(ଏସସି)ର ହୋଇଥିବାରୁ ହାଲୁରୀ ପାହାଡ଼ସିଂ ତାଙ୍କୁ ଜମି ବିକ୍ରି କରିଥିଲେ । ହେଲେ ପରବର୍ତ୍ତୀ ସମୟରେ ସେ ଜାଣିବାକୁ ପାଇଥିଲେ ଯେ, ରବୀନ୍ଦ୍ର ସେଠୀ ଏହି ଜମିକୁ ଓଟିଭିକୁ ବିକ୍ରି କରି ସାରିଛନ୍ତି । ଏହି ଜମି ଉପରେ ଓଟିଭି ପାଚେରୀ ଛିଡ଼ା କରିଛି । ପାଚେରୀ ଯୋଗୁଁ ହାଲୁରୀ ପାହାଡ଼ସିଂ ତାଙ୍କର ଅନ୍ୟ ଜମିକୁ ଯିବା ପାଇଁ ରାସ୍ତା ବନ୍ଦ ହୋଇଯାଇଛି । ଫଳରେ ହାଲୁରୀ ପାହାଡ଼ସିଂ ଜମି ଚାଷ ନ କରିପାରି ପ୍ରଚଣ୍ଡ ଅସୁବିଧା ସମ୍ମୁଖୀନ ହୋଇଥିଲେ । କେବଳ ସେତିକି ନୁହେଁ, ଯେଉଁ ଜମିକୁ ହାଲୁରୀ ପାହାଡସିଂ ଯାଇ ପାରୁ ନ ଥିଲେ ସେ ଜମି ମଧ୍ୟ ଶାଗ ମାଛ ଦରରେ ବିକ୍ରି କରିବାକୁ ତାଙ୍କ ଉପରେ ଚାପ ପକାଯାଉଥିଲା ।

କିଏ ଏ ରବି ସେଠୀ… ଜାଣନ୍ତୁ

ରବୀନ୍ଦ୍ର ସେଠୀ । ଏହି ଜମି କେଳେଙ୍କାରୀର ମୋହରା । ଜମି କେଳେଙ୍କାରୀ ଘଟଣା ପଦାକୁ ଆସିବା ପରେ ରବୀନ୍ଦ୍ର ସେଠୀ ମଧ୍ୟ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ନିକଟରେ ଏକ ପିଟିସନ୍ କରିଥିଲେ । ସେ ଜଣେ ଅତି ଗରିବ ଶ୍ରେଣୀରେ ଲୋକ ।  ସେ ନିଜ ଦାଦାଙ୍କ ସହ ଗାଁରୁ ଭୁବନେଶ୍ୱର ଆସିଥିଲେ । ସାଲିଆସାହିରେ ରହିବା ସହ ସେ ଗାଡ଼ି ଚଳାଇବା ଶିଖିଥିଲେ । ଫଳରେ ଅରଟେଲ୍‌ର ପୂର୍ବତନ ଅଧିକାରୀ ବିଭୂ ରଥ ତାଙ୍କୁ ଡ୍ରାଇଭର ଭାବେ କାମ ଦେଇଥିଲେ । ଗାଡ଼ି ଚାଳନା ବାବଦକୁ ସେ ୫୬୦୦ ଟଙ୍କାରୁ ୧୨,୦୦୦ ପର୍ଯ୍ୟନ୍ତ ମାସକୁ ପାରିଶ୍ରମିକ ପାଉଥିଲେ । ତେବେ ପରବର୍ତ୍ତୀ ସମୟରେ ଯେତେବେଳେ ସଂସ୍ଥାର ନାଁ ପରିବର୍ତ୍ତନ ହେଲା, ସେତେବେଳେ ଚାକିରୀ ସମ୍ବନ୍ଧୀୟ କାଗଜପତ୍ର କହି ତାଙ୍କୁ ବିଭିନ୍ନ କାଗଜପତ୍ରରେ ଦସ୍ତଖତ କରିବାକୁ କୁହାଗଲା । ସେ କାଗଜ କଣ ଥିଲା ସେ ବିଷୟରେ ସେ ଅଜ୍ଞ ବୋଲି ପିଟିସନ୍‌ରେ ଦର୍ଶାଇଛନ୍ତି । ରବୀନ୍ଦ୍ର ସେଠୀ ଦସ୍ତଖତ କରିବା ପରେ ଓଟିଭି ଏହାର ଫାଇଦା ଉଠାଇଥିଲା । ତାଙ୍କ ନାଁରେ ବେନାମୀ କାରବାର କରିଥିଲା । ତାଙ୍କଠାରୁ ବିଭିନ୍ନ ଫାଇଲ୍ ଓ କାଗଜପତ୍ରରେ ଦସ୍ତଖତ ନିଆଯାଉଥିବା ବେଳେ ଏଥିରେ ଟଙ୍କାର ପରିମାଣ ଦର୍ଶାଯାଉନଥିଲା । ଏବେବି ତାଙ୍କ ନିକଟରେ ତାଙ୍କ ଜମି ଥିବା କଥା ବା ତାଙ୍କ ନାଁରେ ଜମି ଖରିଦ ହୋଉଥିବା କଥା ସେ ଜାଣିନାହାନ୍ତି ବୋଲି ଦର୍ଶାଇଛନ୍ତି । ଜମି କାଗଜପତ୍ରରେ ଲକ୍ଷ ଲକ୍ଷ ଟଙ୍କାର କାରବାର ହୋଇଛି । କିନ୍ତୁ ସେ ଟଙ୍କାଟିଏ ବି ଦେଖିନାହାନ୍ତି ବୋଲି ପିଟିସନ୍‌ରେ ଦର୍ଶାଇଛନ୍ତି । ଓଟିଭିର ଏହି ଠକେଇ, ଜାଲିଆତି ଓ ଅପରାଧିକ ଷଡ଼ଯନ୍ତ୍ର ଯୋଗୁଁ ୨ଟି ଗରୀବ, ଅସହାୟ, ଅନୁସୂଚିତ ଜାତି ପରିବାର ଫସି ଯାଇଛନ୍ତି । ଶହ ଶହ ଏକର ଜମି ଦଖଲ କରିବାର ଲାଳସା ଯୋଗୁଁ ଦିନ ଦ୍ୱିପହରରେ ଓଟିଭି ଶୋଷଣ କରିଥିବା ଅଭିଯୋଗ ହୋଇଛି ।

Leave a Reply