spot_img
Home Blog Page 6644

ହାଥରସ୍ ପୀଡ଼ିତାଙ୍କ ବାପାଙ୍କୁ ଜିଲ୍ଲାପାଳ କହିଲେ, ତମ ଝିଅ ଯଦି କରୋନାରେ ମରିଥାନ୍ତା ?

ଲକ୍ଷ୍ନୌ: ୟୁପି ହାଥରସକୁ ନେଇ ଅଡ଼ୁଆରେ ପ୍ରଶାସନ । ପୀଡ଼ିତାଙ୍କ ପରିବାର ଏଭଳି କିଛି ଗୁରୁତର ଅଭିଯୋଗ ଆଣିଛନ୍ତି ଜିଲ୍ଲା ପ୍ରଶାସନ ନାଁରେ । ଜିଲ୍ଲା ଅଧିକାରୀ ପ୍ରବୀଣ କୁମାର ଲକ୍କରଙ୍କ ନାଁରେ ପୀଡ଼ିତାଙ୍କ ଭାଉଜ ସଙ୍ଗୀନ ଅଭିଯୋଗ କରିଛନ୍ତି । ଜିଲ୍ଲାପାଳ ତାଙ୍କ ଶ୍ୱଶୁର ଅର୍ଥାତ୍ ପୀଡ଼ିତାଙ୍କ ବାପାଙ୍କୁ କହିଛନ୍ତି- ‘ତୁମ ଝିଅ ଯଦି କରୋନାରେ ମରିଥାନ୍ତା ତ ତୁମକୁ ସହାୟତା ଟଙ୍କା ମିଳିଥାନ୍ତା ।’ ଏଥିସହ ସୋସିଆଲ୍ ମିଡିଆରେ ବୁଲୁଥିବା ଜିଲ୍ଲାପାଳ ଓ ପୀଡ଼ିତାଙ୍କ ବାପାଙ୍କ ମଧ୍ୟରେ କଥାବାର୍ତ୍ତାର ଏକ ଭିଡିଓ ପ୍ରଶାସନ ଉପରେ ସନ୍ଦେହ ସୃଷ୍ଟି କରିଛି ।

Video Of Hathras DM And Victim Father Goes Viral

ସୋସିଆଲ୍ ମିଡିଆରେ ଭାଇରାଲ୍ ଭିଡିଓରେ ଜିଲ୍ଲାପାଳ ପୀଡ଼ିତାଙ୍କ ବାପାଙ୍କୁ କହୁଛନ୍ତି- ଆପଣ ଆପଣଙ୍କ ବିଶ୍ୱନୀୟତାକୁ ହରାନ୍ତୁ ନାହିଁ । ଆଉ ମିଡିଆ ଆଜି ଅଧା ପଳାଇଛନ୍ତି ଆଉ କାଲି ଅଧା ପଳାଇବେ । ଆମେ ଆପଣଙ୍କ ସହିତ ଅଛୁ, ଆପଣଙ୍କ ଇଚ୍ଛା ଆପଣ ବାରମ୍ବାର ବୟାନ ବଦଳାଇବେ କି ନାହିଁ । ଆମେ ବି ବଦଳି ଯିବୁ ।

Video Of Hathras DM And Victim Father Goes Viral

ଏହି ଭିଡିଓ ବାଦ୍ ପୀଡ଼ିତାଙ୍କ ଭାଉଜଙ୍କ ଅଭିଯୋଗ ଜିଲ୍ଲାପାଳ କହୁଛନ୍ତି- ତୁମ ଝିଅ କରୋନାରେ ମରି ଯାଇଥିଲେ, ସହାୟତା ଅର୍ଥ ପାଇଥାନ୍ତ । ବାପାଙ୍କୁ ଧମକ ଦିଆଯାଉଛି । ଆମକୁ ଏଠାରେ ରହିବାକୁ ଦେବେନି । ଜିଲ୍ଲାପାଳ ବହୁତ ଚାଲ୍ ଖେଳୁଛନ୍ତି । ପ୍ରଶାସନ ଆମ ଉପରେ ଚାପ ପକାଉଛି । ତେବେ ସୋସିଆଲ୍ ମିଡିଆରେ ଭାଇରାଲ ଭିଡିଓ ନେଇ ପ୍ରଶାସନ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।

ତଦନ୍ତରେ ଖୁସି ନୁହଁନ୍ତି ହାଥରସ୍ ଗଣଦୁଷ୍କର୍ମ ପୀଡ଼ିତାଙ୍କ ବାପା

ହାଥରସ୍: ପୋଷ୍ଟମର୍ଟମ ରିପୋର୍ଟରେ ନାହିଁ ଗଣଦୁଷ୍କର୍ମ ନେଇ ପ୍ରମାଣ

ରାଜ୍ୟରେ ଆଉ ୪୩୮୦ କରୋନା ଆକ୍ରାନ୍ତ ସୁସ୍ଥ, ଜାଣନ୍ତୁ କେଉଁଠୁ କେତେ..

ଭୁବନେଶ୍ୱର: ରାଜ୍ୟରେ ଆଉ ୪୩୮୦ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ସମସ୍ତ ସୁସ୍ଥଙ୍କୁ ଘରକୁ ଫେରିବା ପାଇଁ ଅନୁମତି ଦିଆଯାଇଛି ।

ତେବେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୭୭୦ ଜଣ ସୁସ୍ଥ ହୋଇଥିବା ବେଳେ ୫୫୮ ଜଣ କଟକରୁ, ୨୩୩ ଜଣ ଜଗତସିଂହପୁରରୁ, ସୁନ୍ଦରଗଡ଼ରୁ ୨୩୩, ଯାଜପୁରରୁ ୧୯୮, ପୁରୀରୁ ୧୯୨, ଝାରସୁଗୁଡ଼ାରୁ ୧୬୮, ମୟୂରଭଞ୍ଜରୁ ୧୫୫, ବରଗଡ଼ରୁ ୧୩୫, କେନ୍ଦ୍ରାପଡ଼ାରୁ ୧୨୪, ବାଲେଶ୍ୱରରୁ ୧୨୨, ଅନୁଗୁଳରୁ ୧୧୯, ସମ୍ବଲପୁରରୁ ୧୧୩, ନୟାଗଡ଼ରୁ ୧୦୩, କଳାହାଣ୍ଡିରୁ ୧୦୨, ଢ଼େଙ୍କାନାଳରୁ ୯୦, ନବରଙ୍ଗପୁରରୁ ୮୨, ନୂଆପଡ଼ାରୁ ୭୬, ସୋନପୁରରୁ ୭୫, କେନ୍ଦୁଝରରୁ ୭୨, କନ୍ଧମାଳରୁ ୬୧, ଭଦ୍ରକରୁ ୬୦, କୋରାପୁଟରୁ ୫୩, ବଲାଙ୍ଗିରରୁ ୪୯, ମାଲକାନଗିରିରୁ ୪୬, ଗଞ୍ଜାମରୁ ୪୨, ରାୟଗଡ଼ାରୁ ୪୨, ବୌଦ୍ଧରୁ ୩୮, ଦେଓଗଡ଼ରୁ ୨୦, ଗଜପତିରୁ ୧୨ ଜଣ ସୁସ୍ଥ ହୋଇଛନ୍ତି । ଏହାସହ ଷ୍ଟେଟ୍‌ ପୁଲ୍‌ରେ ମଧ୍ୟ ୨୩୭ ଜଣ ସୁସ୍ଥ ହୋଇଥିବା ସୂଚନା ମିଳିଛି ।

ତେବେ ଏହି ସୁସ୍ଥଙ୍କୁ ମିଶାଇ ରାଜ୍ୟରେ ଏବେ ସୁଦ୍ଧା ୧ ଲକ୍ଷ ୯୦ ହଜାର ୮୦ ଜଣ ସୁସ୍ଥ ହୋଇଛନ୍ତି ।

ମୁମ୍ୱାଇ vs ପଞ୍ଜାବ; ଟସ୍ ଜିତି ବୋଲିଂ ବାଛିଲା କିଙ୍ଗ୍ସ XI ପଞ୍ଜାବ…

ଭୁବନେଶ୍ୱର: ଆଇପିଏଲ ମହାମୁକାବିଲାରେ ଆଜି କିଙ୍ଗସ୍ ଇଲଭେନ୍ ପଞ୍ଜାବକୁ ଭେଟିବ ରୋହିତଙ୍କ ମୁମ୍ୱାଇ ଇଣ୍ଡିଆନ୍ସ । କିଙ୍ଗସ୍ ଟିମ୍ ପ୍ରଥମେ ଟସ୍ ଜିତି ରୋହିତବାହୀନିଙ୍କୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ ଦେଇଛି ।  ଉଭୟ ଦଳ ଗୋଟିଏ ଲେଖାଏଁ ବିଜୟ ସହ ଟେବୁଲରେ ୫ ନମ୍ୱର ଓ ୬ ନମ୍ୱର ସ୍ଥାନରେ ରହିଛନ୍ତି । ଉଭୟ ଟିମ୍ ପାଇଁ ଆଜିର ବିଜୟ ଗୁରୁତ୍ୱପୂର୍ଣ୍ଣ ଅଟେ ।

ତେବେ ସବୁଠାରୁ ବଡ଼ ମୁକାବିଲା ହେଉଛିୁ ମୁମ୍ୱାଇର ବୋଲିଂ ଓ କିଙ୍ଗସ୍ ଇଲେଭେନର ବ୍ୟାଟିଂ । ମୁମ୍ୱାଇର ବୋଲିଂ ଲାଇନଅପରେ ଜସପ୍ରିତ୍ ବୁଲରାହ, ଟ୍ରେଣ୍ଟ ବୋଲ୍ଟ ଓ ପାଟିନସନଙ୍କ ଭଳି ଦକ୍ଷ ବୋଲର ରହିଥିବା ବେଳେ ପଞ୍ଜାବ ପକ୍ଷରୁ ବ୍ୟାଟିଂ ଭାର ସମ୍ଭାଳିବେ କେଏଲ ରାହୁଲ ଓ ମୟଙ୍କ ଅଗ୍ରଓ୍ୱାଲ । ଉଭୟ ଟୁର୍ଣ୍ଣାମେଣ୍ଟରେ ସବୁଠାରୁ ଅଦିକ ରନ୍ ସଂଗ୍ରହ କରିଥିବା ଖେଳାଳି ଅଟନ୍ତି ।

ଅନ୍ୟପକ୍ଷରେ ମଧ୍ୟ କ୍ରମ ବ୍ୟାଟିଂରେ ଗ୍ଲେନ ମ୍ୟାକ୍ସଓ୍ୱେଲ ଓ ନିକୋଲସ୍ ପୁରନଙ୍କ ଭଳି ଦୁର୍ଦ୍ଦଶ ବ୍ୟଟସ୍ ମ୍ୟାନଙ୍କୁ ଦେଖିବାକୁ ମିଳିବ । ସେହିଭଳି ମୁମ୍ୱାଇର ରୋହିତ୍, ଇସାନ କିଶାନ ଓ କାଇରନ୍ ପୋଲାର୍ଡ ମ୍ୟାଚ ବଦଳାଇବାର ଦକ୍ଷତା ରଖନ୍ତି । ତେବେ ଟପ୍ ୪ରେ ନିଜ ସ୍ଥାନ ବଞ୍ଚାଇ ରଖିବା ପ୍ରୟାସରେ ଦୁଇ ଦଳ ପଡ଼ିଆକୁ ଓହ୍ଲାଇବେ ।

ୟୁପି: ହାଥରସ୍, ବଳରାମପୁର ପରେ ଭଦୋହୀରେ ଦଳିତ ଯୁବତୀଙ୍କୁ ଦୁଷ୍କର୍ମ ପରେ ବୀଭତ୍ସ ହତ୍ୟା

ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ମହିଳାଙ୍କ ଉପରେ ହେଉଥିବା ଅପରାଦ କମିବାର ନାଁ ନେଉନି । ଏବେ କେତକ ଜିଲ୍ଲାରେ ଦୁଷ୍କର୍ମ ଘଟଣାକୁ ନେଇ ଲୋକଙ୍କ ମଧ୍ୟରେ ଥିବା ଆକ୍ରୋଶ ଶାନ୍ତ ପଡ଼ିନି । ଏପଟେ ଭଦୋହୀରେ ଜଣେ ଦଳିତ ନାବାଳିକାଙ୍କୁ ବୀଭତ୍ସ ଭାବେ ହତ୍ୟା କରାଯାଇଛି । ଝିଅଟିର ବେକକୁ କାଟି ଦିଆଯାଇଛି । ଘର ଲୋକ ଅଭିଯୋଗ କରିଛନ୍ତି ଦୁଷ୍କର୍ମ ପରେ ଝିଅକୁ ମାରି ଦିଆଯାଇଛି ।

Another Dalit Minor Girl Rape Murder Case In UP Bhadohi After Hathras Balrampur

ଭଦୋହୀର ଗୋପୀଗଞ୍ଜର କୋତବାଲି ଅଞ୍ଚଳରେ ଘଟିଛି ଏହି ଅମାନବୀୟ ଘଟଣା । ଚକରାଜାରାମ ତିୱାରୀପୁର ଗାଁରେ ଦିନ ଦ୍ୱିପ୍ରହରରେ ୧୪ ବର୍ଷୀୟା ନାବାଳିକା ଘର ନିକଟ ବିଲକୁ ଶୌଚ ପାଇଁ ଯାଇଥିଲେ । ବହୁତ ସମୟ ଧରି ଝିଅ ଘରକୁ ନ ଫେରିବାରୁ ଘର ଲୋକ ଖୋଜାଖୋଜି କରିଥିଲେ । ଶେଷରେ ବିଲରେ ଝିଅର ରକ୍ତାକ୍ତ ମୃତଦେହ ପଡ଼ିଥିବା ଦେଖିଥିଲେ ଘର ଲୋକ ।

ଘଟଣା ସମ୍ପର୍କରେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ପରିବାର ଲୋକ ଆଶଙ୍କା କରୁଛନ୍ତି ଝିଅକୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଛି । ପୋଲିସ ତଦନ୍ତ ଆରମ୍ଭ କରିଛି । ଫରେନ୍ସିକ୍ ଏକ୍ସପର୍ଟ ଓ କ୍ରାଇମବ୍ରାଞ୍ଚ ଟିମ୍ ଘଟଣାସ୍ଥଳକୁ ଯାଉଛନ୍ତି । ଭଦୋହୀ ଏସପିଙ୍କ ଅନୁସାରେ- ପୋଲିସ ଦୁଷ୍କର୍ମ ଓ ଅନ୍ୟ ଦିଗ ଉପରେ ତଦନ୍ତ କରୁଛି । ତଣ୍ଟି କାଟି ହତ୍ୟା କରାଯାଇଥିବା ବେଳେ ଦୁଷ୍କର୍ମ ହୋଇଛି କି ନାହିଁ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଜଣାପଡ଼ିବ ବୋଲି କହିଛନ୍ତି ।

Women Comission Noticed OTV MD In Minor Girl Gang Rape Case
Abuse

ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି । ପୂର୍ବରୁ ହାଥରସ୍, ବଳରାମପୁରରେ ଦଳିତ ଝିଅଙ୍କ ସହ ଦୁଷ୍କର୍ମ ପରେ ହତ୍ୟା ମାମଲାରେ ପୋଲିସ ଓ ଆଇନ୍ ଉପରେ ଲୋକ ପ୍ରଶ୍ନବାଚୀ ସୃଷ୍ଟି କରିଛନ୍ତି । ହାଥରସରେ ଦୁଷ୍କର୍ମ ପୀଡ଼ିତାଙ୍କ ମୃତ୍ୟୁ ପରେ ପୋଲିସ ମରଶରୀର ପୋଡ଼ି ଦେଇଥିଲା । ଯାହାକୁ ନେଇ ପୋଲିସ-ପ୍ରଶାସନ ଉପରେ ସମସ୍ତେ ପ୍ରଶ୍ନ ଉଠାଇଥିଲେ ।

ବିରୋଧୀଙ୍କ ସହ ଇଏ କି ବ୍ୟବହାର ? ଅପରାଧୀଙ୍କୁ ଅଟକାଇ ପାରୁନାହାନ୍ତି,ବିରୋଧକୁ ରୋକୁଛନ୍ତି

ନୂଆଦିଲ୍ଲୀ: ସଂଘୀୟ ବ୍ୟବସ୍ଥାରେ ସମସ୍ତଙ୍କୁ କହିବାର ଅଧିକାର ଦେବା ହିଁ ଗଣତନ୍ତ୍ରର ବୈଶିଷ୍ଟ୍ୟ । ସମାଜରେ ଚାଲୁଥିବା ଶାସନରେ ବ୍ୟତିକ୍ରମକୁ କ୍ଷମତାସୀନ ବର୍ଗର ଦୃଷ୍ଟିକୁ ଆଣିବା ହିଁ ବିରୋଧୀଙ୍କ ପ୍ରାଥମିକ କାର୍ଯ୍ୟ । ଏହି ଗଠନଧର୍ମୀ କାର୍ଯ୍ୟକ୍ରମ ହିଁ ଗଣତନ୍ତ୍ରକୁ କେବଳ ଲୋକମାନଙ୍କ ନିକଟରେ ଉତ୍ତରଦାୟୀ କରି ନ ଥାଏ,ଏହା ଜନତାନ୍ତ୍ରିକ ବ୍ୟବସ୍ଥାକୁ ସୁଦୃଢ କରିଥାଏ । ସେଥିପାଇଁ ତ ଗଣତନ୍ତ୍ରରେ ବିରୋଧୀ ଦଳକୁ ଛାୟା ସରକାର କୁହାଯାଇଥାଏ । ବିରୋଧୀଙ୍କ ସ୍ୱର କେବଳ ବିରୋଧ ପାଇଁ ହେଲେ ତାହା ସାମାନ୍ୟ ରାଜନୈତିକ ଘଟଣା ହୋଇଥାଏ । ହେଲେ ଏହି ବିରୋଧ ଯଦି ଯୁକ୍ତିଯୁକ୍ତ, ଗଠନଧର୍ମୀ ତେବେ ଏହାକୁ ଗ୍ରହଣ କରିବାରେ ଅସୁବିଧା କେଉଁଠି ।

ଏକଥା ସାମ୍ପ୍ରତିକ ୟୁପିର ହସରତ ଘଟଣାକୁ ଦେଖିଲେ ସହଜରେ ଅନୁମେୟ । ୟୁପିରେ କ୍ଷମତାସୀନ ଦଳ ହେଉଛି ବିଜେପି । ବିଜେପିକୁ ବାଦ୍ ଦେଲେ ସେହି ରାଜ୍ୟରେ ସମାଜବାଦୀ ପାର୍ଟି, ବହୁଜନ ସମାଜବାଦୀ ପାର୍ଟି, କଂଗ୍ରେସ ଇତ୍ୟାଦି ବିରୋଧୀ ଦଳ ରହିଛନ୍ତି । ହସରତ ଗଣଦୁଷ୍କର୍ମଘଟଣା ପରେ କଂଗ୍ରେସ ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଏବଂ କଂଗ୍ରେସ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ସେହି ସ୍ଥାନକୁ ଗସ୍ତ କରିଥିଲେ । ହେଲେ ଏହି ଗସ୍ତ ସେମାନଙ୍କୁ ମହଙ୍ଗା ପଡିଛି । ଭାରତୀୟ ରାଜନୀତିର ସର୍ବପୁରାତନ ଏବଂ ସର୍ବାଧିକ ଥର କ୍ଷମତାରେ ରହିଥିବା ଦଳର ପୂର୍ବତନ ମୁଖିଆଙ୍କୁ ସେହି ସ୍ଥାନକୁ ଯିବା ପାଇଁ ଅନୁମତି ଦିଆଗଲା ନାହିଁ । ଯେଉଁ ପୋଲିସ ଠିକ୍ ସମୟରେ ପୀଡିତା ବଞ୍ଚାଇବାକୁ ପହଞ୍ଚି ପାରି ନ ଥିଲା । ତଦନ୍ତକୁ ମନ୍ଥର କରି ଦେଇଥିଲା । ସେହି ପୋଲିସ ଆଜି ବିରୋଧୀଙ୍କ ସ୍ୱରକୁ ମଧ୍ୟ ଚପାଇବାକୁ ଉଦ୍ୟମ କରିଛି ।

ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀଙ୍କୁ ଅତ୍ୟନ୍ତ ଅଭ୍ରଦୋଚିଚ ବ୍ୟବହାର କରାଯିବ ସହ ଧକ୍କା ଦିଆଯାଇଥିଲା । ମୁଥ ମରାଯାଇଥିଲା । ଘୋଷାଡି କି ବାରଣ କରାଯାଉଥିଲା, ହସରଥ ପୀଡିତାଙ୍କ ପରିବାର ପାଖକୁ ନ ଯିବା ପାଇଁ । ଏହି ଘଟଣା କେବଳ ରାହୁଲ ଗାନ୍ଧୀ ନାମ୍ନୀ ବ୍ୟକ୍ତି ସହ ଯୋଡି ଦେଲେ ହୁଏତ ଇତିହାସ ଉଚିତ ମୂଲ୍ୟାୟନ ନ ହୋଇପାରେ । ରାହୁଲ ମରାଯାଇଥିବା ଧକ୍କା କୌଣସି ବ୍ୟକ୍ତିକୁ ଧକ୍କା ନ ଥିଲା । ଏହା ଥିଲା ଅଭିବ୍ୟକ୍ତିକୁ ଧକ୍କା । ବିରୋଧର ସ୍ୱରକୁ ଧକ୍କା । ବ୍ୟବସ୍ଥା ବିରୋଧରେ ସ୍ୱର ଉଠାଇବାକୁ ଚାହୁଁଥିବା ସାମାଜିକ କର୍ତ୍ତବ୍ୟ ଉପରେ ଧକ୍କା  ।

ହଥରସ ଗଣଦୁଷ୍କର୍ମ ପାଇଁ ଦାୟୀ କିଏ ? ଜର୍ଜର ସାମାଜିକ ବ୍ୟବସ୍ଥା ?

ଭୁବନେଶ୍ୱର: ଉତ୍ତରପ୍ରଦେଶ ଗଣଦୁଷ୍କର୍ମ ପରେ ସାରା ଦେଶ ଏବେ ନ୍ୟାୟ ମାଗୁଛି । ଅପରାଧୀକୁ ଦଣ୍ଡ ଦେବା ପାଇଁ  ସାଧାରଣର ମନରେ ବ୍ୟଗ୍ରତା ଦେଖାଦେଉଛି । ଯେଉଁ ଭଳି ଏହି ନିର୍ମମ ଗଣଦୁଷ୍କର୍ମ ଓ ହତ୍ୟାକାଣ୍ଡ ହେଲା ତାହା ନାରୀଙ୍କ ପ୍ରତି ସମାଜରେ ଥିବା ଏକ ଅସଙ୍ଗତ ଦୃଷ୍ଟିଭଙ୍ଗୀକୁ ସ୍ପଷ୍ଟ କରୁଛି । ମଣିଷତ୍ୱକୁ ତାତ୍ସଲ୍ୟ କରୁଥିବା ଏହି ଗଣଦୁଷ୍କର୍ମ ଉପରେ ଏବେ ସାରା ଦେଶବାସୀଙ୍କ ନଜର । ଏଣୁ ଉତ୍ତରପ୍ରଦେଶ ସରକାରଙ୍କ ଦାୟିତ୍ୱ କେବଳ ପୀଡିତାଙ୍କ ପରିବାରକୁ ଆର୍ଥିକ ସହାୟତା ଦେବାରେ ସୀମିତ ନୁହେଁ ବରଂ ଏଭଳି ତମାମ୍ ଆଇନ ଓ ସାମାଜିକ ପରିବର୍ତ୍ତନ ଆଣିବା, ଯାହା ଆଗାମୀ ଦିନରେ ଏହି ସାମାଜିକ ବ୍ୟାଧିକୁ ମାରିପାରିବ । ଏଇ କିଛି ଦିନ ତଳେ ଏନସିଆରବି ରିପୋର୍ଟ ଆସିଲା । ଦିନକୁ ୮୭ଜଣ ମହିଳାଙ୍କୁ ଦୁଷ୍କର୍ମ ହେଉଛି । ମହିଳାଙ୍କ କ୍ଷେତ୍ରରେ ଅପରାଧ ୭ ପ୍ରତିଶତ ବଢ଼ିଛି । ଏହି ଅପରାଧ ମଧ୍ୟରେ ସବୁ ସାମିଲ । ନାରୀ ନିର୍ଯ୍ୟାତନା ଓ ଗଣଦୁଷ୍କର୍ମ ବି ।

Hathras Gang Rape Victim's Father Unhappy With Probe, Demands CBI Investigation

ତେବେ ଘଟଣାକୁ ଫେରିବା । ହସରଥରେ ଘଟିଥିବା ଘଟଣା ପଛରେ ଦାୟୀ କିଏ? ଯେଉଁ ଚାରି ଜଣଙ୍କୁ ପୋଲିସ ଅଭିଯୁକ୍ତ ସଜେଇଛି, ସେମାନେ? ଯଦି ବାସ୍ତବରେ କେବଳ ସେମାନଙ୍କୁ ଦାୟୀ ବୋଲି ମାନି ନେବା ତେବେ ଭୁଲ୍ ହେବ । ସମାଜ ଭିତରେ ଚଳିବାକୁ ହେଲେ ସମାଜ ସହ ଖାପ ଖୁଆଇବାକୁ ପଡ଼େ । ସମାଜ ଆଖିରେ ଦୁନିଁଆ ଦେଖିବାକୁ ହୁଏ । ଠିକ୍ ଯେମିତି ହସରଥରେ ରହୁଥିବା ସବୁ ପରିବାର ପରସ୍ପର ସହ ଏକ ଅନ୍ୟାୟିକ ଅବସ୍ଥାରେ ଖାପ ଖାଇଯାଇଛନ୍ତି । ଏହି ମର୍ମଦୁନ୍ତ ଘଟଣା ଘଟିବା ପରେ କିଛି ଜାତୀୟ ଗଣମାଧ୍ୟମ ହସରଥର ବୁଲଗଡ଼ି ଗାଁରେ ପହଞ୍ଚି ଗ୍ରାଉଣ୍ଡ ଜିରୋର ଖବର ପରଖିବାକୁ ଚାହିଁଥିଲେ ।

ମିଳିଥିବା ଖବର, ଭାରତୀୟ ସାମାଜିକ ବ୍ୟବସ୍ଥାକୁ ନଗ୍ନ କରିବା ପାଇଁ ଯଥେଷ୍ଟ ଥିଲା । ଥରେ ଚିନ୍ତା କରନ୍ତୁ ତ, ଆପଣଙ୍କ ଅଞ୍ଚଳରେ ଏଭଳି ଏକ ଘଟଣା ଘଟିଗଲେ ଲୋକଙ୍କ ମଧ୍ୟରେ କେତେ ଆକ୍ରୋଶ ତିଆରି ହେବ । ମାତ୍ର ଆଶ୍ଚର୍ଯ୍ୟର କଥା ସେଭଳି କୌଣସି ମନୋଭାବ କିମ୍ୱା ଭାବପ୍ରବଣତା ସେଠାରେ ଦେଖିବାକୁ ମିଳିନଥିଲା । ଏବେ ବି ସମସ୍ତେ ଏକ ସ୍ୱାଭାବିକ ଜୀବନ ନେଇ ବଞ୍ଚୁଛନ୍ତି ।

ଏହାସହ ପଢନ୍ତୁ;- ତଦନ୍ତରେ ଖୁସି ନୁହଁନ୍ତି ହାଥରସ୍ ଗଣଦୁଷ୍କର୍ମ ପୀଡ଼ିତାଙ୍କ ବାପା

ଦଳିତ ସମ୍ପ୍ରଦାୟ ଯୁବତୀଙ୍କ ସହ ଗଣଦୁଷ୍କର୍ମ ହୋଇଛି । ହେଲେ ପରିବାରକୁ ବାଦ ଦେଲେ ଜଣେ ମଧ୍ୟ ଗଣଦୁଷ୍କର୍ମ ସମ୍ପର୍କରେ ମତ ରଖିବାକୁ ପ୍ରସ୍ତୁତ ନୁହନ୍ତି । ଏକ ଅଜବ ନିରବତା ଯାହା ଅସହ୍ୟ ହୋଇ ପଡ଼ୁଥିଲା । ଯାହା ପାଖରେ ପହଞ୍ଚି ଗଣଦୁଷ୍କର୍ମ କଥା ପଚାରିଲେ ସମସ୍ତେ ନିରୁତ୍ତର । କେହି କହିବାକୁ ପ୍ରସ୍ତୁତ ନୁହେଁ । ପ୍ରଶ୍ନ କରିବାକୁ, ଦାବି ରଖିବାକୁ କିମ୍ୱା ଅଭିଯୁକ୍ତଙ୍କୁ ବିରୋଧ କରିବାକୁ ଜଣେ ହେଲେ ମଧ୍ୟ ପସ୍ତୁତ ନୁହେଁ ।

ସବୁ ଯେମିତି ଚିରାଚରିତ ଭାବେ ସେମାନଙ୍କର ଅସ୍ଥିମଜ୍ଜାଗତ ହୋଇ ଗଲାଣି  । ତଥାକଥିତ ଉଚ୍ଚ ଜାତିର ଲୋକଙ୍କ ସଂଖ୍ୟା ଗାଁରେ ସବୁଠାରୁ ଅଧିକ । କେବଳ ଠାକୁର ଓ ବ୍ରାହ୍ଣଣ ପରିବାରକୁ ନେଇ ପୁରା ଗାଁ । ହାତ ଗଣତି ୪ଟି ପରିବାର ଦଳିତ । ସେଇ ୪ଟି ପରିବାର ଭିତର ଗୋଟିଏ ପରିବାରର ଝିଅ ଥିଲା ପୀଡ଼ିତା । ପଡୀତିତାଙ୍କ ସମେତ ଥିବା ୪ଟି ପରିବାରକୁ ଗାଁର ତଥାକଥିତ କଙ୍ଗାରୁକୋର୍ଟ ପକ୍ଷରୁ ନିର୍ଦ୍ଦେଶନାମା ମଧ୍ୟ ଥିଲା । ନଳା ସଫା କରିବାଠାରୁ ଆରମ୍ଭ କରି ସବୁ ପ୍ରକାରର ସଫେଇ କାର୍ଯ୍ୟର ଦାୟିତ୍ୱ ଏମାନଙ୍କ ଉପରେ ଥୋପା ଯାଇଥିଲା ।

ଏହାସହ ପଢନ୍ତୁହାଥରସ୍ ଯିବାବେଳେ ରାହୁଲଙ୍କୁ ପୋଲିସ୍ ମାଡ଼, ଭାଇ-ଭଉଣୀ ଅଟକ

ପାରିଶ୍ରମିକ ବାବଦକୁ ଯାହା ମିଳୁଥିଲା ସେତିକି ହିଁ ପ୍ରାପ୍ତ । କାମ ପରେ ନିଜ ପାରଶ୍ରମିକ ପାଇଁ ହକ୍ ବି ନଥିଲା । କଥା କହିବାର ହକ୍, ତଥାକଥିତ ଉଚ୍ଚଙ୍କ ଭିତରେ ମତ ରଖିବାର ହକ୍ ପାଇଁ ଏହି ଦଳିତମାନେ ଥରୁଟିଏ ପ୍ରୟାସ କରୁନଥିବା କଥାକୁ ନିଜେ ସ୍ୱୀକାର କରିଛନ୍ତି ପୀଡ଼ିତାଙ୍କ ବଡ଼ଭାଇ । ତାଙ୍କ କହିବା କଥା ଯେ ଗାଁର ପ୍ରତିଟି ଚଳଣୀରେ ଉଚ୍ଚ-ନିଚ୍ଚର ଭେଦଭାବ ସ୍ପଷ୍ଟ ଭାବେ ବାରି ହୋଇପଡ଼ିବ ।

ସବୁକଥାରେ ଉଚ୍ଚଙ୍କ ମନମାନିକୁ ନେଇ ଅଭିଯୋଗ କରିବାର ସୁଯୋଗ ମଧ୍ୟ କେବେ ପାଇନୁ । ଏଣୁ ଏଠାରେ ବଞ୍ଚିବା କଷ୍ଟ । ତେବେ ଆଜି ଭଉଣୀ ଚାଲିଯିବା ପରେ ପୋଲିସ ଆସି ଘଟଣାର ତଦନ୍ତ କରିବା କିମ୍ୱା କାଗଜ-କଲମ-ବୁମ୍ ଧରି ଗଣମାଧ୍ୟମ ସେମାନଙ୍କ ଦରଦକୁ ଲୋକଙ୍କ ସାମ୍ନାକୁ ଆଣିବାକୁ ପ୍ରୟାସ କରୁଛନ୍ତି । ନିଜ ଦରଦ ଶୁଣାଇବା ପାଇଁ କାହା ଜୀବନ ଦେବାକୁ ପଡ଼ୁଛି । ୟାଠାରୁ ବଳି ଦୁର୍ଭାଗ୍ୟ କାହାର ଥାଇପାରେ । ସମ୍ୱିଧାନର  ଧାରା ୧୭ କୁହେ, ଛୁଆଁ ଅଛୁଆଁକୁ ମନୋଭାବକୁ ଆମେ କେବେଠାରୁ ଉପାଡ଼ି ଫିଙ୍ଗିସାରିଛୁ ।  ଏସବୁ ଆଇନଗତ ଅପରାଧ । ହେଲେ ବାସ୍ତବତା ଭିନ୍ନ । ଯଦି ବାସ୍ତବତା ଭିନ୍ନ ତେବେ ଏଇ ଆଇନ କାହା ପାଇଁ? ଦଳିତ ପିଲା ଖେଳିବା ବେଳେ ଯଦି ଭୂଲବଶତଃ ଏକ ତଥାକଥିତ ଉଚ୍ଚ ଜାତିର ପିଲାଙ୍କ ସଂସ୍ପର୍ଶରେ ଆସିଯାଏ, ତେବେ ଗାଁରେ ତୁମ୍ୱିତୋଫାନ ହୋଇଯାଏ । ଏସବୁକୁ ବିରୋଧ କରିବାକୁ ସ୍ୱର ସେମାନଙ୍କୁ ଦେବ କିଏ? ସେମାନଙ୍କ ସହ ହେଉଥିବା ସାମାଜିକ ଭେଦଭାବ ଜଣାଇବାକୁ ନିଜ ଆଡ଼ୁ ଆସିପାରୁନଥିବା ଲୋକଙ୍କ ପାଇଁ ସରକାରର କର୍ତ୍ତବ୍ୟ କଣ?

ଥରେ ଭାବନ୍ତୁ, ସମାଜ ଭିତରେ ବଞ୍ଚିଥିବା ମଣିଷ ପାଇଁ ଆଉ ଜଣେ ମଣିଷ ହିଁ ତ ସମ୍ୱେଦନଶୀଳ ହେବ ନା’! ଅର୍ଥାତ୍ ଝିଅଟିର ଗଣଦୁଷ୍କର୍ମ ହେବା ପରେ ଠାକୁର ଓ ବ୍ରାହ୍ଣଣ ପରିବାର ଆ ହା ପଦେ କହିବାକୁ ନଆସିଲେ, ସେ କି ମଣିଷ, ଯେ । ଠିକ୍ ଏମିତି ହୋଇଛି ସେଇ ଗାଁରେ । ତମାମ୍ ପରିବାରକୁ ଘଟଣା ବିଷୟରେ ପଚାରିବା ପରେ ଉତ୍ତର ମିଳିଛି, ଆମେ ସେ ବିଷୟରେ ଅଜ୍ଞ । କଣ ଘଟିଛି ସେ ବିଷୟରେ ଜଣା ନାହିଁ । ନିଜ ଜାତିକୁ ନେଇଆଖିରେ ଏମିତି ଅନ୍ଧପୁଟୁଳି ବନ୍ଧା ଯାଇଛି ଯେ ମଣିଷ, ଦରଦ ଓ ବେଦନାକୁ ବୁଝିବାକୁ ନାରାଜ ।

ଆମେ ସିନା ଲକ୍ଷ୍ନୌ ଓ ଦିଲ୍ଲୀ ଭଳି ସହରେ ପ୍ଲାକାର୍ଡ ଧରି ବଳାତ୍କାରୀ ଓ ହତ୍ୟାକାରୀ ପାଇଁ ନ୍ୟାୟ ମାଗିବା, ହେଲେ କିଏ ବିଶ୍ୱାସକୁ ନେବ ଯେ ଆଗାମୀ ଦିନରେ ସେଇ ଅନ୍ଧାରୀମୂଲକରେ ପୁଣି ଏମିତି ଘଟଣା ଘଟିବନି ବୋଲି । ଜାତିବାଦର ବର୍ବରତାରୁ ଜନ୍ମ ନେଉଥିବା ଘୃଣ୍ୟ ଅପକର୍ମ ପଛରେ ଯେ ଏକ ମିଛ ସ୍ୱାଭିମାନ ବଢୁଛି, ସେକଥା କିଏ ବୁଝିବ । ବ୍ରାହ୍ଣଣ ବୋଲି କିଛି ଗର୍ବ କରିବାର ନାହିଁ କିମ୍ୱା ଦଳିତ ବୋଲି କେହି ହତଭାଗ୍ୟ ନୁହେଁ, ଏକଥା ସେହି ଗାଁ କେବେ ବୁଝିବ । ଟିଭି ପରଦାରେ ପୀଡ଼ିତାଙ୍କ ସମ୍ପର୍କରେ ଶୁଣି ଆମ ଲୋମଟାଙ୍କୁରି ଯାଏ । ଦୁଃଖ ଲାଗେ । ଦୁଷ୍କର୍ମ ରୋକିବା ପାଇଁ ଅନେକ ଚର୍ଚ୍ଚା ହୁଏ । ହେଲେ ଏକଥା ସତ ଯେ ହସରଥ ଦୁଷ୍କର୍ମ ପଛରେ ରହିଛି ଏ ସକ୍ରିୟ ଜାତିବାଦର ମାନସିକତା ।

ବର୍ଷିଲେ ମାୟାବତୀ- ଯୋଗୀଙ୍କ ବଦଳରେ କୌଣସି ‘ଯୋଗ୍ୟ’ ହୁଅନ୍ତୁ ମୁଖ୍ୟମନ୍ତ୍ରୀ

ଲକ୍ଷ୍ନୌ: ଅପରାଧକୁ ନେଇ ଉତ୍ତରପ୍ରଦେଶ ସରକାର ହଲୁଥିବା ବେଳେ ବିଏସପି ସୁପ୍ରିମୋ ମାୟାବତୀ ତୀବ୍ର ଆକ୍ରମଣ କରିଛନ୍ତି । ଗୁରୁବାର ମାୟାବତୀ ଉତ୍ତରପ୍ରଦେଶର ଆଇନ୍ ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠାଇବା ସହ କେନ୍ଦ୍ର ସରକାରଙ୍କୁ ରାଜ୍ୟରେ ନେତୃତ୍ୱ ପରିବର୍ତ୍ତନ କିମ୍ବା ରାଷ୍ଟ୍ରପତି ଶାସନ ଲାଗୁ ପାଇଁ ଦାବି କରିଛନ୍ତି । ଏହାର କାଉଣ୍ଟରରେ ରାଜ୍ୟ ବିଜେପି ନେତା କହିଛନ୍ତି ମାୟାବତୀଙ୍କ ମୁଖ୍ୟମନ୍ତ୍ରୀତ୍ୱ ବେଳେ ଉତ୍ତରପ୍ରଦେଶରେ ଏକ ହଜାରରୁ ଅଧିକ ଦଳିତଙ୍କୁ ହତ୍ୟା କରାଯାଇଥିଲା । ସେ ଆଜି ଅଙ୍ଗୁଳି ଉଠାଉଛନ୍ତି ।

Mayawati Demands Replace Yogi With Someone Capable As Chief Minister Or President Rules

ମାୟାବତୀ କହିଛନ୍ତି- ରାଜ୍ୟରେ ଆଇନ୍ ବ୍ୟବସ୍ଥା ଓ ମହିଳାଙ୍କ ସହ ଘଟୁଥିବା ଅପରାଧ ବହୁ ମାତ୍ରାରେ ବୃଦ୍ଧି ପାଇଛି । ଏଥିପାଇଁ କେନ୍ଦ୍ର ସରକାର ଯୋଗୀ ଆଦିତ୍ୟନାଥଙ୍କ ବଦଳରେ କୌଣସି ‘ଯୋଗ୍ୟ’ଙ୍କୁ ମୁଖ୍ୟମନ୍ତ୍ରୀ କରନ୍ତୁ । ଯଦି ଏଭଳି ସମ୍ଭବ ହେଉନାହିଁ ତେବେ ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ କରିଦେବା ଉଚିତ୍ । ସେ ୟୁପିର ହାଥରସ୍ ଓ ବଳରାମପୁର ଗଣଦୁଷ୍କର୍ମ ପରେ ୨ ଯୁବତୀଙ୍କ ମୃତ୍ୟୁକୁ ୨୦୧୨ ଦିଲ୍ଲୀ ନିର୍ଭୟା କାଣ୍ଡ ସହ ତୁଳନା କରିଛନ୍ତି ।

Mayawati Demands Replace Yogi With Someone Capable As Chief Minister Or President Rules

ଯୋଗୀ ଆଦିତ୍ୟନାଥଙ୍କୁ କହିଛନ୍ତି- ‘ଆପଣ ଜଣେ ମାଆ ପେଟରୁ ଜନ୍ମ ନେଇଛନ୍ତି । ଅନ୍ୟ ଝିଅଙ୍କୁ ବି ଆପଣ ନିଜ ଭଉଣୀ, ଝିଅ ଭଳି ଦେଖିବା ଉଚିତ୍ । ଯଦି ଆପଣ ଏହାକୁ ଗ୍ରହଣ କରିପାରୁ ନାହାଁନ୍ତି ତ ଇସ୍ତଫା ଦେଇ ଦେବା ଉଚିତ୍ । ’ ମାୟାବତୀ କହିଛନ୍ତି- ଝିଅଙ୍କ ଉପରେ ଉତ୍ତରପ୍ରଦେଶର ଲଗାତାର ଅତ୍ୟାଚାର ବଢ଼ି ଚାଲିଥିବା ବେଳେ ଯୋଗୀ ସରକାର ସଜାଗ ହେଉନାହିଁ । ବୋଧେ ସେ ଭାବୁଛନ୍ତି- ଏଥିରେ କେନ୍ଦ୍ର ସରକାରଙ୍କୁ ଚେତାଇବା ଉଚିତ୍ ।

Mayawati Demands Replace Yogi With Someone Capable As Chief Minister Or President Rules

ଯଦି ଯୋଗୀ ଆଦିତ୍ୟନାଥଙ୍କୁ ତାଙ୍କ ପ୍ରକୃତ ସ୍ଥାନ ଅର୍ଥାତ ଗୋରଖପୁର ମଠରେ ବସାଇ ଦେବା ଉଚିତ୍ ବୋଲି ମାୟାବତୀ କହିଛନ୍ତି । ତଥାପି ଯୋଗୀଙ୍କୁ ଗୋରଖପୁର ମଠ ଭଲ ନଲାଗିଲେ ତାଙ୍କୁ ଅଯୋଧ୍ୟାରେ ହେଉଥିବା ରାମ ମନ୍ଦିର ନିର୍ମାଣ କାମ ଦିଆଯାଉ । ତାଙ୍କ ସ୍ଥାନରେ କୌଣସି ଯୋଗ୍ୟ ଲୋକଙ୍କୁ ମୁଖ୍ୟମନ୍ତ୍ରୀ କରାଯାଉ, ଯିଏ କି ରାଜ୍ୟର ଲୋକଙ୍କୁ ଭଲ ଆଇନ୍ ବ୍ୟବସ୍ଥା ଦେଇପାରିବେ । ‘ଯଦି ଭାଜପା ମୁଖ୍ୟ ଏହା କରିପାରିବେ ନାହିଁ, ତେବେ ଉତ୍ତରପ୍ରଦେଶର ଜନତାଙ୍କ ଉପରେ ଟିକିଏ ଦୟାକରି ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ କରନ୍ତୁ ।’ ଆଉ ରାଜ୍ୟରେ ଆଇନ୍ ବ୍ୟବସ୍ଥାକୁ ମଜଭୁତ୍ କରାନ୍ତୁ ।

ସ୍ନେହର ଡୋରୀରେ ବନ୍ଧା ଭାଲୁ, ଜଙ୍ଗଲରୁ ପ୍ରତିଦିନ ଆଶ୍ରମକୁ ଆସି ଖାଆନ୍ତି ଭୋଗ ନଡ଼ିଆ-କଦଳୀ..

ନବରଙ୍ଗପୁର: ସ୍ନେହ ମମତାରେ ବନ୍ଧା ହିଂସ୍ର ଜନ୍ତୁ । ଆଜିର ସ୍ୱାର୍ଥପର ଦୁନିଆରେ ଲୋକେ ମଣିଷ ପଣିଆ ଭୁଲି ଯାଇଥିବା ବେଳେ ସମାଜକୁ ଶିକ୍ଷା ଦେଉଛି ହିଂସ୍ର ଭାଲୁ । ଲୋକଙ୍କ ଭିଡ଼ ଭିତରେ ବି କାହାର କ୍ଷତି କରୁନାହାନ୍ତି ଏହି ଭାଲୁ ପଲ । ପ୍ରତିଦିନ ଆଶ୍ରମ ଭିତରକୁ ଯାଇ ବାବାଙ୍କ ହାତରୁ ପ୍ରସାଦ ଖାଇ ବିଳମ୍ବିତ ରାତିରେ ଫେରି ଯାଉଛନ୍ତି ପାହାଡ଼କୁ । ଏମିତି ଦୃଶ୍ୟ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲାର ଡାବୁଗାଁ ରେଞ୍ଜ ଅନ୍ତର୍ଗତ ବାସିନୀ ଗାଁରେ ।Bhalu

ଟିକିଏ ସ୍ନେହ ଆଦର ପାଇଲେ ହିଂସ୍ର ଜନ୍ତୁ ବି ନିଜର ସ୍ୱଭାବରେ ପରିବର୍ତ୍ତନ କରିଦିଏ । ଲୋକଙ୍କ ମଧ୍ୟରେ ଭାଲୁଟି ବୁଲୁଥିଲେ ମଧ୍ୟ କାହାର କିଛି କ୍ଷତି କରୁନି । ଆଶ୍ରମ ଭିତରେ ବାବାଙ୍କ ହାତରୁ ପ୍ରସାଦ ଖାଇ ଫେରି ଯାଉଛନ୍ତି ଜଙ୍ଗଲକୁ । ଆଜିର ସ୍ୱାର୍ଥପର ଦୁନିଆରେ ଲୋକେ ମଣିଷ ପଣିଆ ଭୁଲି ଯାଇଥିବା ବେଳେ ସମାଜକୁ ଶିକ୍ଷା ଦେଉଛି ହିଂସ୍ର ଭାଲୁ ।

Bhalu

ବାସିନୀ ଗାଁରେ ରହିଛି ବାବା ଗଙ୍ଗାଧରଙ୍କ ଆଶ୍ରମ । ଅଲେଖ ମହିମା ଧର୍ମୀ ଏହି ବାବାଙ୍କ ଆଶ୍ରମରେ ପ୍ରତିଦିନ ପୂଜା ହେଉଥିବା ଭୋଗକୁ ଖାଇବାକୁ ପ୍ରତିଦିନ ଭାଲୁମାନେ ଆସିଥାନ୍ତି । କାହାର କିଛି କ୍ଷତି ନକରି ଭୋଗ ଖାଇ ଚୁପ୍‌ଚାପ୍‌ ସଂଧ୍ୟା ସନ୍ଧ୍ୟା ହେଲେ ଫେରି ଯାଉଛନ୍ତି । ଯାହାକୁ ଦେଖିବାକୁ ଲୋକଙ୍କ ଭିଡ଼ ଜମୁଛି । ଆଶ୍ରମର ଭୋଗ ଓ ଫଳମୂଳ ଫିଙ୍ଗିଦେବା ପରେ ଏହାର ବାସ୍ନାରେ ଭାଲୁମାନେ ଜଙ୍ଗଲରୁର ଚାଲି ଆସନ୍ତି । ପାଖାପାଖି ୬ଟି ଭାଲୁ ପ୍ରତିଦିନ ଆସୁଥିବା କହନ୍ତି ପୂଜକ ।

ପୁଣି ଚକଡ଼ା ଚଡ଼କ, ଏକର ଏକର ଜମିରେ ଫସଲ ନଷ୍ଟ ! ପ୍ରଶାସନର ସହାୟତା ଅପେକ୍ଷାରେ ଚାଷୀ

ଗଞ୍ଜାମ: ଆଉ କିଛି ଦିନ ଗଲେ ଧାନ ଗଛରୁ କେଣ୍ଡା ବାହାରିବ । ହେଲେ ଏହି ଧାନ କେଣ୍ଡା ବାହାରିବା ପୂର୍ବରୁ ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଚାଷୀଙ୍କୁ ଘାରିଛି ଚକଡ଼ା ପୋକ ଭୟ । ଅଧିକାଂଶ ଜମିରେ ଚକାଡ଼ ପୋକ ଲାଗିବାରୁ ଧାନ ଗଛ ଛାରଖାର ହେବାକୁ ବସିଲାଣି । ଏଭଳି ସ୍ଥିତିରେ ଋଣ କରି ଚାଷ କରିଥିବା ଚାଷୀ ଏବେ ଚିନ୍ତାରେ । କୃଷି ବିଭାଗ ତୁରନ୍ତ ଔଷଧ ପ୍ରଦାନ କରି ଚାଷୀଙ୍କ ସମସ୍ୟା ସମାଧାନ କରିବାକୁ ଦାବି ହୋଇଛି ।

Farmer

ପ୍ରଥମେ ବିଳମ୍ବାରେ ବର୍ଷା, ପରେ ବନ୍ୟା ପ୍ରକୋପ । ଆଉ ଏବେ ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଚାଷୀଙ୍କୁ ଘରିଛି ଚକଡା ପୋକ ଭୟ । ବେଉସଣ ସରି ଧାନକେଣ୍ଡା ବାହାରିଲା ବେଳକୁ ହେକ୍ଟର ହେକ୍ଟର ଧାନ ବିଲକୁ ନଷ୍ଟ କରିଦେଉଛନ୍ତି ଚକଡ଼ା ପୋକ । ଆଉ ଋଣ କରି ଚାଷ କରିଥିବା ଚାଷୀ କ୍ଷେତର ଏଭଳି ଅବସ୍ଥା ଦେଖି ମୁଣ୍ଡରେ ହାତ ଦେଇ ବସିଛନ୍ତି ।

ପୁରୁଷୋତ୍ତମପୁର ବ୍ଲକର ଷୋଳଘର, ହିଣ୍ଡୁଳା, ପାଣ୍ଡିଆ ଆଦି ଗାଁର ଅଧିକାଂଶ ଜମିରେ ଚକଡ଼ା ପୋକ ଲାଗିଥିବା ଦେଖିବାକୁ ମିଳୁଛି । ଏନେଇ ଚାଷୀମାନେ କୃଷି ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିବା ବେଳେ କୃଷି ବିଭାଗ ଚାଷ ଜମି ପରିଦର୍ଶନ କରିଛନ୍ତି । ଏଥିସହ ଚାଷୀଙ୍କୁ ରିହାତି ଦରରେ ଔଷଧ ଦିଆଯିବ ବୋଲି କହିଛନ୍ତି କୃଷି ଅଧିକାରୀ ।

ଜଘନ୍ୟ ଦୁଷ୍କର୍ମଠୁ କୌଣସି ଗୁଣରେ କମ୍ ନୁହେଁ ଜାତିପ୍ରଥା….

ନୂଆଦିଲ୍ଲୀ  : ଉତ୍ତର ପ୍ରଦେଶର ହସରତଠାରେ ୧୯ ବର୍ଷୀୟ ଦଳିତ ଝିଅର ଗଣଦୁଷ୍କର୍ମ ଘଟଣା ସାରା ଦେଶର ସାମାଜିକ ଜୀବନକୁ ମାନସିକଭାବେ ଗଭୀର ପ୍ରଭାବିତ କରିଛି । ଝିଅଟି କେବଳ ଗଣଦୁଷ୍କର୍ମର ଶୀକାର ହେଲା ତାହା ନୁହେଁ, ପରବର୍ତ୍ତୀ ସମୟରେ ଉପଯୁକ୍ତ ଚିକିତ୍ସା ଅଭାବରୁ ବଞ୍ଚିତ ହେଲା । ଯେଉଁ ସମୟରେ ସେ ପୋଲିସର ସହାୟତା ଆବଶ୍ୟକତା କରୁଥିଲା, ତାହା ମଧ୍ୟ ପାଇଲା ନାହିଁ । ନ୍ୟାୟ ନିସାବ ହେବା ଆଗରୁ ଏ ଦୁନିଆରୁ ଚାଲିଗଲା । ଚାଲିଯିବା ପରେ ତା ଶବ ପରିଜନଙ୍କ ଇଚ୍ଛା ବିନା ଦାହ କରାଗଲା ।

UP rape case

ଏହି ଘଟଣାଟି ଏଭଳି ଜଘନ୍ୟ ଯେ ଏହାର ବର୍ଣ୍ଣନା ଅନାବଶ୍ୟକ । ପ୍ରତିଟି ମୂହୁର୍ତ୍ତ ଯେମିତି ବିତିଯାଉଛି, ହସରତ ଘଟଣାର ଘୃଣ୍ୟର ନୂଆ ନୂଆ ଫର୍ଦ୍ଦ ଲୋକଲୋଚନକୁ ଆସିବାରେ ଲାଗିଛି । ବରିଷ୍ଠ ସାମ୍ବାଦିକା ରୋହିଣୀ ସିଂ ଏ ସମ୍ପର୍କରେ ନିଜ ଟୁଇଟରେ ଅନେକ ତଥ୍ୟା ରଖିବା ସହ ସେହି ଘଟଣାକୁ ରିପୋର୍ଟିଂ କରିଥିବା ଖବରଦାତାଙ୍କର ଏକାଧିକ ଟୁଇଟ୍ କୁ ରିଟୁଇଟ୍ ମଧ୍ୟ କରିଛନ୍ତି ।

ଏହି ଜଘନ୍ୟ ଅପରାଧ ପଛରେ ଆଉ ଏକ ଘୃଣ୍ୟ ପ୍ରଥା ମଧ୍ୟ ଆଢୁଆଳରେ କାହିଁ କେତେ କାଳରୁ ରହିଆସିଛି । ତାହା ହେଉଛି ଜାତିପ୍ରଥା । ସେହି ହସରଥର ଜନୈକ ମହିଳାଙ୍କ କହିବାନୁଯାୟୀ, ଅଜାଣତରେ ଖେଳିବା ସମୟରେ ଜଣେ ଠାକୁର ସମ୍ପ୍ରଦାୟର ପିଲାଟିର ଖାଦ୍ୟରେ ହାତ ମାରି ଦେଇଥିଲା ଦଳିତ ପିଲା । ବାସ୍ ଏହା ପରେ ସେହି ଠାକୁର ସମ୍ପ୍ରଦାୟ ଅନ୍ୟ କେତେକ ଜଣ ଏକାଠି ହୋଇ ସେହି ପିଲାକୁ ମାରିଥିଲେ । ତା ଘରେ ପଶି ଭଙ୍ଗାରୁଜା କରିଥିଲେ । ଆଉ ବାରମ୍ବାର କହୁଥିଲେ ଦଳିତ ପିଲାର ସ୍ପର୍ଶରେ ତାଙ୍କ ଖାଦ୍ୟ ଅପବିତ୍ର ହୋଇଗଲା । ସତରେ ଦଳିତ ପିଲାର ଛୁଆଁରେ ଖାଦ୍ୟ ଅପବିତ୍ର ହୋଇ ଯାଉଛି । ହେଲେ ସେହି ସମ୍ପ୍ରଦାୟ ଲୋକଙ୍କୁ ବାଡେଇଲେ ଅତ୍ୟାଚାର କଲେ କେଉଁ ପୁଣ୍ୟ ମିଳୁଛି । ଏହି ଘଟଣା ସମ୍ପର୍କରେ ଇସମତ ଆରା ନିଜ ଟୁଇଟରେ ପ୍ରକାଶ କରିଥିଲେ ।

ଅନୁରୂପଭାବେ ୟୁପିର ସେହି ଗାଁରେ ଆହୁରି  ଏକ ଖରାପ ପ୍ରଥା ପ୍ରଚଳିତ ରହିଛି । କେତେବେଳ କୌଣସି ଉତ୍ସବ ହେଲେ ଠାକୁରମାନଙ୍କ ଘରେ ବଳି ଯାଇଥିବା ଖାଦ୍ୟକୁ ଖାଇବା ପାଇଁ ଦଳିତ ପିଲାଙ୍କୁ ଡକାଯାଇଥାଏ । ଘରର ସବୁଠୁ ଅପରିଷ୍କାର କୋଣରେ ତାଙ୍କୁ ବସିବାକୁ କୁହାଯାଇଥାଏ । ନ ହେଲେ କେତେବେଳ ଛାତ ଉପରୁ ଖାଦ୍ୟ ଫୋପାଡି ଦିଆଯାଏ, ସେହି ଖାଦ୍ୟ ତଳେ ଆସି ପଡିଥାଏ । ଆଉ ତାକୁ ଖାଇ ଥାଆନ୍ତି ଅସବର୍ଣ୍ଣ । ଏପରି କରାଯାଇଥାଏ କାରଣ ଠାକୁରମାନଙ୍କ ପାଇଁ ସେମାନେ ଅଛୁଆଁ ଏବଂ ତାଙ୍କୁ ଅପବିତ୍ର କରି ଦେଉଥିବା ମଣିଷ ।

ସେହି ୟୁପିର ଆଉ ଜଣେ ମାଆ କୁହନ୍ତି ଯେ, ତାଙ୍କ ପୁଅ ସନ୍ନି ଗାଁର କେଉଁ ଏକ ସ୍ଥାନରେ ବସିଥିଲା । ହଠାତ ଠାକୁର ସମ୍ପ୍ରଦାୟର ପିଲାମାନେ ଆସିଲେ, ସେମାନେ ପୂର୍ବରୁ ବସୁଥିବା ସ୍ଥାନରେ କାହିଁକି ନୀଚ୍ଚ ଜାତିର ହୋଇ ବସୁଛି ବୋଲି କହି ମାରିବାକୁ ଲାଗିଲେ । ସତରେ ସ୍ୱାଧୀନ ଆହାର, ସ୍ୱାଧୀନ ବିହାର, ସ୍ୱାଧୀନତା ଆମର ଜନ୍ମ ଅଧିକାର ଏହି ଉକ୍ତି ସତେ କେତେ ଉପହେସିତ ହୋଇଯାଏ ।

ଆଉ ଜଣେ ବର୍ଷିୟାନ ବ୍ୟକ୍ତି କୁହନ୍ତି ଯେ, ଦୁଇ ଦଶନ୍ଧିର ତଳର କଥା । ତାଙ୍କ ଭାଇ ଠାକୁରଙ୍କ ବିରୋଧରେ ସ୍ୱର ଉତ୍ତୋଳନ କରିଥିବାରୁ ହାତର ଆଙ୍ଗୁଠି କାଟି ଦିଆଯାଇଥିଲା । ଏମିତି ଅନେକ ସତର ଅବତାରଣା । ଆଜି ହସରଥ ଘଟଣାଟି ହୋଇଛି ବୋଲି ଏ ସବୁର ସ୍ମୃତି ରୋମନ୍ଥନ ଚାଲିଛି । ଦିନ କେଇଟାପରେ ଏହାକୁ ଭୁଲିବାକୁ ଆମକୁ କେତେ ବା ସମୟ ଲାଗିବ ଯେ । କେବଳ ଠାକୁର ମାନେ ଯେ ବଳାତ୍କାର କରୁଛନ୍ତି ତାହା ନୁହେଁ ,  ସବର୍ଣ୍ଣ ବ୍ରାହ୍ମଣ, କାୟସ୍ଥ, କ୍ଷେତ୍ରୀୟ, ଖଣ୍ଡାୟତ,ବୈଶ୍ୟ ଏବଂ ଶୁଦ୍ରଙ୍କ ଦ୍ୱାରା ବିଭିନ୍ନ ସମୟରେ ନୀଚ୍ଚ ଜାତିର ଝିଅମାନଙ୍କୁ ଏମିତି ଦୁଷ୍କର୍ମ କରାଯାଇଥିବା ହଜାର ହଜାର ଉଦାହରଣ ରହିଛି । ହେଲେ ଏସବୁ ପରେ ବି ଦଳିତ ସମ୍ପଦ୍ରାୟ ବିରୋଧରେ ଏ ପ୍ରକାର ହିଂସା ସର୍ବାଧିକ ସଂଘଠିତ ହୋଇଥିବା ବିଭିନ୍ନ ସରକାରୀ ତଥ୍ୟ କହୁଛି । ତେଣୁ ଘୃଣ୍ୟ ନାରୀ ବିରୋଧୀ ମାନସିକତା ସହ ଜାତିପ୍ରଥାର ମାନସିକତାରୁ ମୁକ୍ତି ନ ହେଲେ, ଏପରି ଘଟଣାର ପୁନରାବୃତ୍ତି ଯେ ହୋଇ ଚାଲିଥିବ, ଏଥିରେ ସନ୍ଦେହ ନାହିଁ ।