ବିହାର ମହାଭାରତର ଦ୍ୱିତୀୟ ଯୁଦ୍ଧ, ଅପରାହ୍ନ ୩ଟା ସୁଦ୍ଧା ୪୪.୫୧%; ତେଜସ୍ୱୀ-ତେଜ୍‌ଙ୍କ ଭାଗ୍ୟ ପରୀକ୍ଷା

bihar Election

ବିହାର: ବିହାର ମହାଭାରତର ମଙ୍ଗଳବାର ଦ୍ୱିତୀୟ ଯୁଦ୍ଧ ଚାଲିଛି । ନୀତୀଶ ହେବେ ପାସ୍, ନା ତେଜସ୍ୱୀଙ୍କୁ ତାଜ୍ ? ୧୭ ଜିଲ୍ଲାର ୯୪ ଆସନରେ ଚାଲିଛି ଘମାସାନ୍ ମତଦାନ । ଅପରାହ୍ନ ୩ଟା ସୁଦ୍ଧା ୪୪.୫୧ ପ୍ରତିଶତ ମତଦାନ ହୋଇଛି । କାହା ସପକ୍ଷରେ ଯିବ ଭୋଟରଙ୍କ ମତ ? ତେବେ ଏନେଇ ଆରମ୍ଭ ହୋଇଯାଇଛି କଳ୍ପନା ଜଳ୍ପନା ।

ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ପାଟନାରୁ ମତଦାନ କରିଛନ୍ତି । ସେହିପରି ଆରଜେଡି ନେତା ତେଜସ୍ୱୀ ଯାଦବ ଓ ରାବିଡ଼ି ଦେବୀ ମଧ୍ୟ ନିଜ ମତ ସାବ୍ୟସ୍ତ କରିଛନ୍ତି । ମତଦାନ ପରେ ବିହାରରେ ପରିବର୍ତ୍ତନର ଗଙ୍ଗା ବହୁଛି ବୋଲି ରାବିଡ଼ୀ ଦେବୀ କହି ଥିବା ବେଳେ ବନ୍ୟା ଓ କରୋନା ମଧ୍ୟରେ ବିହାର ଖରାପ ଦିନ ଦେଇ ଗତି କରୁଛି ବୋଲି କହିଛନ୍ତି ତେଜସ୍ୱୀ କହିଛନ୍ତି । ସେପଟେ ରାଘୋପୁରରୁ ଏଲଜେପି ନେତା ଚିରାଗ ଲଢ଼ୁଥିବା ବେଳେ ସେ କହିଛନ୍ତି ଆଉ ମୁଖ୍ୟମନ୍ତ୍ରୀ ହୋଇପାରିବେନି ନୀତିଶ ।

ଦ୍ୱିତୀୟ ପର୍ଯ୍ୟାୟରେ ଆରଜେଡି ୫୬ଟି ଆସନରେ ନିର୍ବାଚନ ଲଢୁଥିବା ବେଳେ ବିଜେପି ୪୬ ଓ ଜେଡିୟୁ ୪୩ଟି ଆସନରେ ନିର୍ବାଚନ ଲଢୁଛି । ସେହିଭଳି କଂଗ୍ରେସ ୨୪ ଓ ଏଲଜେପି ପ୍ରାର୍ଥୀ ୨୬ଟି ଆସନରେ ମୈଦାନକୁ ଓହ୍ଲାଇଛନ୍ତି । ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ ଆରଜେଡି ସୁପ୍ରିମୋ ଲାଲୁ ଯାଦବଙ୍କ ପୁଅ ତେଜସ୍ୱୀ ଯାଦବ ଓ ତେଜ ପ୍ରତାପ ଯାଦବଙ୍କ ସହ ଅନେକ ବରିଷ୍ଠ ନେତାଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ଭୋଟର ।

ଏହି ପର୍ଯ୍ୟାୟରେ ଆରଜେଡି ନେତା ତଥା ମହାଗଠବନ୍ଧନର ମୁଖ୍ୟମନ୍ତ୍ରୀ ଚେହେରା ତେଜସ୍ୱୀ ଯାଦବ ରାଘବପୁରରୁ ନିଜର ଭାଗ୍ୟ ପରୀକ୍ଷା କରୁଛନ୍ତି । ତାଙ୍କୁ ଟକ୍କର ଦେଉଛନ୍ତି ବିଜେପିର ସତୀଶ କୁମାର । ସେହିଭଳି ହାସନପୁରରେ ଆରଜେଡି ନେତା ତଥା ଲାଲୁ ଯାଦବଙ୍କ ବଡ଼ ପୁଅ ତେଜ୍‌ପ୍ରତାପ ଯାଦବଙ୍କ ସହ ହେଉଛି ଜେଡିୟୁର ରାଜ କୁମାର ରାୟଙ୍କ ଲଢେଇ । ବାଙ୍କିପୁରାରେ କଂଗ୍ରେସ ପ୍ରାର୍ଥୀ ଲଭ୍ ସିହ୍ନା ଓ ବିଜେପିର ନିତିନ ନବୀନଙ୍କ ମଧ୍ୟରେ ହେଉଛି କଡା ଟକ୍କର ।

Lalu Nitish

ସେହିଭଳି ପାଟନା ସାହିବରୁ ବିଜେପିର ନନ୍ଦ କିଶୋର ଯାଦବ, ହଥୁଆ ବିଧାନସଭା ଆସନରୁ ଜେଡୟୁ ବିଧାୟକ ରାମସେବକ ସିଂହ ଓ ମଧୁବନ ଆସନରୁ ବିଜେପି ପ୍ରାର୍ଥୀ ରାଣା ରଣଧୀର ନିଜର ଭାଗ୍ୟ ପରୀକ୍ଷା ଦେଉଛନ୍ତି ।

ତେବେ ବିହାରରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଚାଲିଥିବା ବେଳେ ଅନ୍ୟ ୧୧ ରାଜ୍ୟରେ ୫୪ଟି ବିଧାନସଭା ଆସନରେ ଚାଲିଛି ଉପନିର୍ବାଚନ । ମଧ୍ୟପ୍ରଦେଶରେ ୧୯ ଜିଲ୍ଲାର ୨୮ ବିଧାନସଭା କ୍ଷେତ୍ରରେ ଉପନିର୍ବାଚନ ପାଇଁ ଜାରି ରହିଛି ଭୋଟିଂ । ଅପରାହ୍ନ ୩ଟା ସୁଦ୍ଧା ୫୬.୭୯ ପ୍ରତିଶତ ମତଦାନ ହୋଇଛି । ରାଜ୍ୟର ୯ ହଜାର ୩୬୧ କେନ୍ଦ୍ରରେ ମତଦାନ ସାବ୍ୟସ୍ତ କରୁଛନ୍ତି ଭୋଟର । ନିର୍ବାଚନ ମୈଦାନରେ ମୋଟ ୩୫୫ ପ୍ରାର୍ଥୀ ରହିଛି । ମତଦାନକୁ ଶାନ୍ତିଶୃଙ୍ଖଳାର ସହ ସାରିବାକୁ ୧୩ ହଜାର ୧୧୫ ବାଲଟ ଯୁନିଟ୍, ୧୩ ହଜାର ୧୧୫ କଣ୍ଟ୍ରୋଲ ଯୁନିଟ୍ ଓ ୧୪ ହଜାର ୫୦ ଭିଭିପ୍ୟାଟ୍‌ ଯୋଗାଇ ଦିଆଯାଇଛି । କରୋନା କଟକଣା ପାଇଁ ସଂଧ୍ୟା ୬ଟା ଯାଏଁ ଚାଲିବ ମତଦାନ ପ୍ରକ୍ରିୟା ।

Kamal Nath

ସେହିପରି ଉତ୍ତରପ୍ରଦେଶର ୭ଟି ଆସନ, ଗୁଜୁରାଟର ୮ରେ ଉପନିର୍ବାଚନ ଚାଲିଛି ।  କର୍ଣ୍ଣାଟକ, ଓଡ଼ିଶା, ଝାଡ଼ଖଣ୍ଡ ଓ ନାଗାଲାଣ୍ଡର ଦୁଇଟି ଲେଖାଏଁ ବିଧାନସଭା ଆସନରେ ଭୋଟିଂ ଜାରି ରହିଛି । ଏହାସହ ତେଲଙ୍ଗାନା, ଛତିଶଗଡ଼ ଓ ହରିଆଣାରେ ଗୋଟିଏ ଲେଖାଏଁ ଆସନ ପାଇଁ ଭୋଟିଂ ହେଉଛି । ଉତ୍ତରପ୍ରଦେଶର ୭ ବିଧାନସଭା ଆସନରେ ୮୮ ଜଣ ପ୍ରାର୍ଥୀ ନିଜର ଭାଗ୍ୟ ପରୀକ୍ଷା କରୁଛନ୍ତି । ଗୁଜରାଟର ୮ଟି ଆସନରେ ୮୧ ପ୍ରାର୍ଥୀ ରହିଛନ୍ତି ।

Leave a Reply