କୋଭିଡ ସଂକ୍ରମଣରୁ ସୁସ୍ଥ ହୋଇଥିବା କେଉଁ ବର୍ଗ ଅଧିକ ସତର୍କ ରହିବା ଆବଶ୍ୟକ, ଜାଣନ୍ତୁ ….

ଭୁବନେଶ୍ୱର:  କରୋନା ଆକ୍ରାନ୍ତ ହୋଇ ସୁସ୍ଥ ହେବା ପରେ ସ୍ୱାସ୍ଥ୍ୟର ଯତ୍ନ ନେବା ନିହାତି ଆବଶ୍ୟକ । ନଚେତ ଏହା ଶରୀରକୁ ଅଧିକ କ୍ଷତି କରିଦେବ । ତେଣୁ କରୋନା ପରବର୍ତ୍ତୀ ଚିକିତ୍ସା ପାଇଁ ଡାକ୍ତରମାନେ ସର୍ବାଧିକ ଗୁରୁତ୍ୱ ଦେଉଛନ୍ତି । ଏ ସମ୍ପର୍କରେ ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ୱାସ୍ଥ୍ୟ ବୁଲେଟିନ୍ ମାଧ୍ୟମରେ ସଚେତନତା କରାଯାଇଛି ।

ଏହି କ୍ରମରେ କଟକସ୍ଥିତ ଏସସିବି ଭେଷଜ ବିଶେଷଜ୍ଞ ଡାକ୍ତର ଜୟନ୍ତ ପଣ୍ଡା ମଙ୍ଗଳବାର ରାଜ୍ୟବାସୀଙ୍କୁ ଉଦବୋଧନ ପ୍ରଦାନ କରିଛନ୍ତି । ସେ କହିଛନ୍ତି ଯେ, କୋଭିଡରୁ ମୁକ୍ତ ହେବା ପରେ ଦୁର୍ବଳ ଲାଗିବା, ଦେହବଥା କିମ୍ବା ମୁଣ୍ଡବିନ୍ଧା ହେବା, ସ୍ୱାଦ କମିଯିବା ଇତ୍ୟାଦି ଦେଖାଦେବ । ସେହିପରି ଯେଉଁମାନଙ୍କର ଛାତିରୋଗ ରହିଛି, ସେମାନେ ଧଇଁସଇଁ ହୋଇ ପଡିବେ । ସେହିପରି କେତେକ ଅବସାଦ ଆଡକୁ ଗତି କରିଥାଆନ୍ତି । ମନୁଷ୍ୟମାନଙ୍କ ମଧ୍ୟରେ ଆତ୍ମହତ୍ୟା ପ୍ରବଣତା ବୃଦ୍ଧି ପାଇଥାଏ ।କେତେକଙ୍କ ନିକଟରେ ଗ୍ୟାସଷ୍ଟ୍ରିକ୍ ଏବଂ ଭୋକ କମିବା ପରି ଲକ୍ଷଣ ଦେଖାଦେଇଥାଏ । ଅବଶ୍ୟ କୋଭିଡରୁ ସୁସ୍ଥ ହୋଇଥିବା ସମସ୍ତ ରୋଗୀଙ୍କ କ୍ଷେତ୍ରରେ ଏହା ଦେଖା ଯାଇ ନ ଥାଏ । କୋଭିଡ ସଂକ୍ରମିତ ହୋଇଥିବା ବ୍ୟକ୍ତିବିଶେଷଙ୍କ ମଧ୍ୟରୁ ଅମ୍ଳଜାନ ଆବଶ୍ୟକ କରୁଥିବା ୧୫ ପ୍ରତିଶତ ଏବଂ ଆଇସିୟୁରେ ଥିବା ୫ ପ୍ରତିଶତ ରୋଗୀଙ୍କ ନିକଟରେ ଉପରୋକ୍ତ ଲକ୍ଷଣ ଦେଖାଦେଇଥାଏ । ସେହିପରି ଡାଇବେଟିସ, ଉଚ୍ଚ ରକ୍ତଚାପ ଏବଂ କ୍ୟାନସର ଥିବା ରୋଗୀ ସାମାନ୍ୟ ସାବଧାନତା ଅବଲମ୍ବନ କରିବାକୁ ପଡିବ ବୋଲି ଡାକ୍ତର ଜୟନ୍ତ ପଣ୍ଡା କହିଛନ୍ତି ।

covid

ସେହିପରି ଏଥିରୁ ସତର୍କ ରହିବା ପାଇଁ ପ୍ରୋଟିନ୍ ଯୁକ୍ତ ଖାଦ୍ୟ ଖାଇବା, ବ୍ୟାୟାମ କରିବା, ଧୂମ୍ରପାନ ଏବଂ ମଦ୍ୟପାନ କରିବାରୁ ବିରତ ରହିବା ପାଇଁ ପରାମର୍ଶ ଦିଆଯାଇଛି । ମଦ୍ୟପାନ ଏବଂ ଧୂମ୍ରପାନ ଶରୀରକୁ ବହୁତ କ୍ଷତି କରିଥାଏ । ସେହିଭଳି କୋଭିଡରୁ ସୁସ୍ଥ ହେବା ପରେ କୌଣସି ବ୍ୟକ୍ତି ନିଜ ପରିଜନଙ୍କ ପାଖରେ ରହୁଛନ୍ତି । ମିଳାମିଶା କରୁଛନ୍ତି । ଏହା କ’ଣ ଅନ୍ୟମାନଙ୍କୁ ବିପଦରେ ପକାଇବ ନାହିଁ କି ବୋଲି ଡାକ୍ତର ଜୟନ୍ତ ପଣ୍ଡାଙ୍କୁ ପ୍ରଶ୍ନ କରାଯାଇଥିଲା । ଏହାର ଉତ୍ତରରେ ସେ କହିଥିଲେ ଯେ, କେବଳ ବ୍ୟକ୍ତିବିଶେଷ ନୁହଁନ୍ତି । ଡାକ୍ତରମାନେ ମଧ୍ୟ ଏହି ମାନସିକତାର ଶୀକାର ହୋଉଛନ୍ତି । ସାଧାରଣତଃ କୋଭିଡ ଭୂତାଣୁ ୧୦ ଦିନ ସଂକ୍ରମଣ ପରେ ଦୁର୍ବଳ ହୋଇ ଯାଇଥାଏ । ତେଣୁ ଅନ୍ୟ ଲୋକଙ୍କ ସହ ମିଶିବାରେ କୌଣସି ଅସୁବିଧା ନାହିଁ ।

Leave a Reply