spot_img
Home Blog Page 6613

Bhubaneswar Corona Updates : ବଢୁଛି ସଂକ୍ରମଣ, ସୁସ୍ଥ ହେଲେ ୧୫୦

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରେ ଶେଷ ୨୪ ଘଣ୍ଟାରେ ୩୭୦ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୧୬୬ ଜଣ ସ୍ଥାନୀୟ ସଂକ୍ରମିତ ହୋଇଥିବା ବେଳେ କ୍ୱାରେଣ୍ଟାଇନରୁ ୨୦୪ ଜଣ ବ୍ୟକ୍ତି ସଂକ୍ରମଣର ଶୀକାର ହୋଇଛନ୍ତି । ସମସ୍ତ ସଂକ୍ରମିତଙ୍କୁ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଉଲ୍ଲେଖଯୋଗ୍ୟ ଯେ ଚିହ୍ନଟ ହୋଇଥିବା ସଂକ୍ରମିତମାନଙ୍କ ମଧ୍ୟରୁ ୧୯୭ ଜଣ ପୂର୍ବ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିଲେ । ଅନ୍ୟପକ୍ଷରେ ରାଜଧାନୀରେ ଆଜି ୧୫୦ ଜଣ ସଂକ୍ରମିତ ସୁସ୍ଥ ହୋଇ ଫେରିଛନ୍ତି । ଆଜିର ଦିନର ସୁସ୍ଥ ବ୍ୟକ୍ତିଙ୍କ ସଂଖ୍ୟାକୁ ମିଶାଇ ଭୁବନେଶ୍ୱରରେ ସମୁଦାୟ ୩୮୪୦ ଜଣ ସୁସ୍ଥ ହୋଇଛନ୍ତି ।

ସେହିଭଳି କରୋନା ସଂକ୍ରମଣ ଶୀକାର ହୋଇ ଭୁବନେଶ୍ୱରରେ ୩୦ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୨୦୧ ଜଣ ସକ୍ରିୟ ସଂକ୍ରମିତ ରହିଛନ୍ତି । ଉଲ୍ଲେଖଯୋଗ୍ୟ ଯେ ଗତ ଦୁଇ ସପ୍ତାହ ହେବ ଖୋର୍ଦ୍ଧା ଜିଲ୍ଲା ସଂକ୍ରମିତ ସଂଖ୍ୟା ତାଲିକାରେ ଆଗକୁ ଆସିଛି । ଏପରିକି ଦିନେ ଦିନେ ଗଞ୍ଜାମର ସଂକ୍ରମିତଙ୍କ ସଂଖ୍ୟାକୁ ମଧ୍ୟ ଟପୁଛି । ତେବେ ପ୍ରାୟତଃ ଖୋର୍ଦ୍ଧାର କରୋନା ସଂକ୍ରମଣ ପାଇଁ ଭୁବନେଶ୍ୱରକୁ ଦାୟୀ କରାଯାଇପାରିବ । ଖୋର୍ଦ୍ଧା ଗ୍ରାମାଞ୍ଚଳରେ ସଂକ୍ରମଣର ମାତ୍ରା ଯଥେଷ୍ଟ କମ୍ ରହିଛି । ସୂଚନା ଥାଉ କି, ରାଜଧାନୀରେ ଏଯାବତ୍ ୬୦୭୭ ଜଣ ବ୍ୟକ୍ତି କୋଭିଡ୍ ପଜିଟିଭ୍ ଚିହ୍ନଟ ହେଲେଣି।

ପ୍ରଣବ ମୁଖାର୍ଜୀଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଅବନତି, ଫୁସଫୁସରେ ସଂକ୍ରମଣ

ନୂଆଦିଲ୍ଲୀ: ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଏପର୍ଯ୍ୟନ୍ତ କୌଣସି ଉନ୍ନତି ପରିଲକ୍ଷିତ ହୋଇନାହିଁ । ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ଦେଖାଯିବା ପରିବର୍ତ୍ତେ ପ୍ରଣବ କୋମାକୁ ଚାଲି ଯାଇଛନ୍ତି । ତାଜା ଖବର ଅନୁସାରେ ହସ୍ପିଟାଲ ପକ୍ଷରୁ ବୁଧବାର ଦିନ ଏକ ରିପୋର୍ଟ ଜାରି କରାଯାଇଛି । ଯେଉଁଥିରେ ପ୍ରଣବଙ୍କ ଫୁସଫୁସରେ ସଂକ୍ରମଣ ହୋଇଥିବା ଅନୁମାନ କରାଯାଉଛି ବୋଲି କୁହାଯାଇଛି ।  ପୂର୍ବତନ ରାଷ୍ଟ୍ରପତି ବର୍ତ୍ତମାନ ଭେଣ୍ଟିଲେଟରରେ ଅଛନ୍ତି ଏବଂ ଏକ ବିଶେଷ ଡାକ୍ତର ଟିମ୍ ତାଙ୍କ ଚିକିତ୍ସାରେ ନିୟୋଜିତ  ଅଛନ୍ତି ।


କହିରଖୁଛୁ ୮୪ ବର୍ଷୀୟ ଏହି ରାଷ୍ଟ୍ରପତିଙ୍କର ପ୍ରଥମେ ବ୍ରେନ ସର୍ଜରୀ ହୋଇଥିଲା ।  ଚିକିତ୍ସା ପାଇଁ ହସ୍ପିଟାଲକୁ ଯାଇଥିବା ସମୟରେ ତାଙ୍କର କରୋନା ପରୀକ୍ଷଣ କରାଯାଇଥିଲା । ଯାହାପରେ ରିପୋର୍ଟ ପଜିଟିଭ ଆସିବାରୁ ତାଙ୍କୁ ଗତ ଅଗଷ୍ଟ ୧୦ରେ ଦିଲ୍ଲୀର ଛାବନୀର ସୈନ୍ୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ତା ପରଠାରୁ କୋମାକୁ ଚାଲି ଯାଇଛନ୍ତି ପ୍ରଣବ ।


ଗତ ଅଗଷ୍ଟ ୧୦ରେ ଏକ ଟ୍ୱିଟ ମାଧ୍ୟମରେ ନିଜ ସ୍ୱାସ୍ଥ୍ୟବସ୍ଥା ସଂପର୍କରେ ସୂଚନା ଦେଇଥିଲେ  ପ୍ରଣବ । ଅନ୍ୟ କାରଣ ପାଇଁ ହସ୍ପିଟାଲକୁ ଆସିଥିବା ବେଲେ କରୋନ ପରୀକ୍ଷଣରେ ତାଙ୍କ ରିପୋର୍ଟ ପଜିଟିଭ୍ ଆସିଛି ବୋଲି ସେତେବେଳେ ସୂଚନା ଦେଇଥିଲେ ପ୍ରଣବ ।  କହିରଖୁଛୁ ୨୦୧୨-୧୭ ପର୍ଯ୍ୟନ୍ତ ଦେଶର ୧୩ତମ ରାଷ୍ଟ୍ରପତି ଥିଲେ ପ୍ରଣବ ।

ଅନଲାଇନରେ ଚାକିରି ଦେବେ କହି ଲୁଟୁଛନ୍ତି ଟଙ୍କା, ଜାଣନ୍ତୁ ପୁରା ପ୍ରସଙ୍ଗ…..

ଭୁବନେଶ୍ୱର : କରୋନା ବେଳେ ଚାକିରି ପାଇଁ ଲୋକେ ଢେର ହିନସ୍ତା ହେଉଛନ୍ତି । ଏହାର ସୁଯୋଗ ନେଇ ଏକ ଜାଲ ନିଯୁକ୍ତି ଓ୍ୱେବସାଇଟ ଅନଲାଇନରେ ଅର୍ଥ ଲୁଟୁଥିବା ଖବର ସାମ୍ନାକୁ ଆସିଛି । www.shinejob.tech ନାମକ ଏକ ୱେବସାଇଟ ମାଧ୍ୟମରେ ଟଙ୍କା ଠକେଇ ହେଉଥିବା ଅଭିଯୋଗ ସାମ୍ନାକୁ ଆସିଛି । ଏହାର ସତ୍ୟାସତ୍ୟ ଯାଞ୍ଚ କରିବା ପରେ କ୍ରାଇମବ୍ରାଞ୍ଚ ଏନେଇ ଆଡଭାଇଜରି କରିଛି । ସବୁ ଜିଲ୍ଲା ଏସପି, ଡିସିପିଙ୍କୁ ଆଲର୍ଟ ରହିବାକୁ କ୍ରାଇମବ୍ରାଞ୍ଚର ନିର୍ଦ୍ଦେଶ ଦେଇଛି ।

ମିଳିଥିବା ସୂଚନା ଅନୁଯାୟୀ, ଏହି ୱେବସାଇଟରେ ଚାକିରି ପାଇଁ ଆବେଦନ କଲେ ୧୦ ଟଙ୍କା ଚାର୍ଜ ମଗାଯାଉଛି । ଅନ ଲାଇନ ମାଧ୍ୟମରେ ୧୦ ଟଙ୍କା ଦେବା ପରେ ଅବେଦନକାରୀଙ୍କର ଏଟିଏମ, ଆକାଉଣ୍ଟ କିମ୍ବା ପେଟିଏମକୁ ହ୍ୟାକ କରି ଉଠାଇ ନେଉଛନ୍ତି ଟଙ୍କା  । ଏହି ୱେବସାଇଟ୍ ହେଉଛି ଏକ ଜର୍ମାନର ପୋର୍ଟାଲ । ବସ୍ତାବରେ ଚାକକିରି ସୁବିଧା ସୁଯୋଗ ଯୋଗାଇବା ଉଦ୍ଦେଶ୍ୟରେ ତିଆରି ହୋଇଥିବା ୱେବସାଇଟର ନାମ ହେଉଛି www.shinejob.com

ମାତ୍ର ହ୍ୟାକରମାନେ ଏହି ୱେବସାଇଟକୁ ହ୍ୟାକ କରି www.shinejob.tech ନାମକ ୱେବସାଇଟ୍ ପ୍ରସ୍ତୁତ କରିଛନ୍ତି । ଏହି ୱେବସାଇଟ୍ ମାଧ୍ୟମରେ ଲୋକଙ୍କ ଠକାମୀର ଶୀକାର କରାଯାଉଛି । ତେବେ ରାଜ୍ୟରେ ଏଭଳି ଅଭିଯୋଗ ଗତ କିଛି ଦିନ ହେବ କ୍ରମାଗତ ଭାବେ ନଜରକୁ ଆସିବା ପରେ କ୍ରାଇମବ୍ରାଞ୍ଚ ଏନେଇ ସତର୍କ ହୋଇଛି ।

ଭିଜିଲାନ୍ସ ଚଢ଼ଉ ପରେ ଗିରଫ ହେଲେ ପୂର୍ବତନ ରେଞ୍ଜର

ଭୁବନେଶ୍ୱର : ବାଲୁଗାଁର ଅବସରପ୍ରାପ୍ତ ରେଞ୍ଜର ଅଭୟ ଜେନା ଗିରଫ ହୋଇଛନ୍ତି । ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ଅଭୟ ଜେନାଙ୍କୁ ଗିରଫ କରାଯାଇଛି । ଗିରଫ କଲା ଭୁବନେଶ୍ୱର ଭିଜିଲାନ୍ସ ଡିଭିଜନ । ରେଞ୍ଜର ଅଭୟ ଜେନାଙ୍କ ଘରୁ ୪ କୋଟି ୩୭ ଲକ୍ଷ ଟଙ୍କା ସମ୍ପତ୍ତି ଠାବ କରିଛି ଭିଜିଲାନ୍ସ । ଭୁବନେଶ୍ୱରର ଗୋଟିଏ ୩ ମହଲା କୋଠା ଓ ବାରଙ୍ଗ ଓ ଜଟଣୀରେ ୯ଟି ପ୍ଳଟ, ବ୍ୟାଙ୍କ ଡେପୋଜିଟ୍, ସୁନା ଗହଣା ଓ ୨ଟି ଚାରି ଚକିଆ ଠାବ କରାଯାଇଛି ।

ଆୟ ବର୍ହିଭୂତ ସମ୍ପତ୍ତି ଠୂଳ ଅଭିଯୋଗରେ ଗତକାଲି  ଅଭୟଙ୍କ ସରକାରୀ ବାସଭବନ ସହ ୫ଟି ସ୍ଥାନରେ ଚଢ଼ାଉ କରିଥିଲା ଭିଜିଲାନ୍ସ । କଟକସ୍ଥିତ ମହୁମାଛିଗଳି, ହିନ୍ଦୋଳକୋଠି, ତୁଳସିପୁର ବାସଭବନରେ ରେଡ୍ ହୋଇଥିଲା । ପୂର୍ବରୁ ମଧ୍ୟ ୧୯୯୯ ମସିହାରେ ତାଙ୍କ ଘରେ  ଭିଜିଲାନ୍ସ ରେଡ୍ କରିଥିଲା ।  ଗତ ୫ମାସ ତଳେ ଅଭୟ କୁମାର ଜେନା ଅବସର ନେଇଥିଲେ।

ଲଘୁଚାପଜନିତ ବର୍ଷା : ୧୦ ଜିଲ୍ଲାକୁ ହାଇ-ଆଲର୍ଟ

0

ଭୁବନେଶ୍ୱର : ଏଥରର ବର୍ଷା ବିଳମ୍ୱରେ ଆସିଲା । ହେଲେ ବେଶ ଦିନ ହେବ ରାଜ୍ୟ ସାରା ବର୍ଷୁଛି । ଲଘୁଚାପ ଉପରେ ଲଘୁଚାପ । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ପୁଣି ଅବପାତର ରୂପ ନେବ ଲଘୁଚାପ । ଗତକାଲି ବଙ୍ଗୋପସାବରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଲଘୁଚାପରେ ପରିଣତ ହେବାରୁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ଜାରି ରହିଛି । ଏହି କ୍ରମରେ ୧୦ଟି ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି କରାଯାଇଛି ।

ବାଲେଶ୍ୱର, ମୟୂରଭଞ୍ଜ, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଢ଼େଙ୍କାନାଳ, ବୌଦ୍ଧ, ଜଗତସିଂହପୁର, କଟକ, ଅନୁଗୁଳ ଜିଲ୍ଲାରେ ରେଡ୍ ଆଲର୍ଟ ଜାରି କରାଯାଇଛି । ଏସବୁ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଅନ୍ୟପକ୍ଷରେ ଭୁବନେଶ୍ୱରରେ ଅରେଞ୍ଜ ଆଲର୍ଟ କରାଯାଇଛି । ବନ୍ଦରକୁ ସତର୍କ ସୂଚନା ଦିଆଯିବା ସହ ପାହାଡ଼ିଆ ଅଞ୍ଚଳରେ ଭୂସ୍ଖଳନ ଆଶଙ୍କା ରହିଛି । ସେହିଭଳି ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ନଯିବା ପାଇଁ ସତର୍କ କରାଯାଇଛି । ଅନ୍ୟପକ୍ଷରେ ଆସନ୍ତା ୨୩ ତାରିଖରେ ପୁଣି ଥରେ ଏକ ଲଘୁଚାପ ସୃଷ୍ଟି ହେବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

ସାର ମିଳୁନି : ହରଡ଼ଘଣାରେ ଚାଷୀ, କଳାବଜାରୀ ମାଲେମାଲ୍

0

ଭୁବନେଶ୍ୱର : ପଶ୍ଚିମ ଓଡ଼ିଶା ଓ ଏବେ ରାଜ୍ୟର ଅଧିକାଂଶ ଜିଲ୍ଲାରେ ସାର ଅଭାବ ଏକ ପ୍ରମୁଖ ସମସ୍ୟା ହୋଇ ଉଭା ହେଲାଣି ।  ଏବର୍ଷ ବର୍ଷା ବିଳମ୍ୱରେ ଆସିଲା ହେଲେ ଗଲା ସପ୍ତାହେ ହେବ ବର୍ଷୁଛି । ବର୍ଷା ଭଲ ହେବା ହେତୁ ଧାନ ରୁଆ କାମ ଆରମ୍ଭ ହୋଇ ସାରିଲାଣି । ଏଭଳି ସ୍ଥିତି ଚାଷୀକୁ ସାର ନିହାତି ଦରକାର ହେବ । ସରକାରୀ ସାର କମ୍ ଦାମରେ ମିଳୁଥିବା ହେତୁ ସବୁ ଚାଷୀ ସେଇ ସାର ପାଇଁ ମନ ବଳାନ୍ତି । ହେଲେ ରାଜ୍ୟର ଅଧିକାଂଶ ଜିଲ୍ଲାରେ ଏବେ କେନ୍ଦ୍ର ସରକାରଙ୍କ ପ୍ରଦତ୍ତ ସରକାରୀ ସାର ପହଞ୍ଚିନି । ଯାହା ପହଞ୍ଚିବା କଥା ତା’ ୩ ଭାଗରୁ ଭାଗେ ଆସିଛି । ଏଣୁ ଚାଷୀ ଏବେ ହରଡ଼ଘଣାରେ । ବାଧ୍ୟ ହୋଇ ଲାଇସେନ୍ସପ୍ରାପ୍ତ ହୋଲସେଲର ଓ ରିଟେଲରଠାରୁ ସାର କିଣୁଛନ୍ତି । ୪୬ କିଲୋର ସାର ପ୍ୟାକେଟକୁ ସରକାର ୨୬୬ ଟଙ୍କା ୫୦ ପଇସାରେ ଦିଅନ୍ତି । ହେଲେ ସାର ଅଭାବ ସ୍ଥିତିରେ ଚାଷୀ ବଜାରରୁ ଏହାକୁ ଦୁଇ ଗୁଣା ଦରରେ କିଣୁଛନ୍ତି ।

ନୟାଗଡ଼ ଜିଲ୍ଲାରେ ୩ଶହ ହେକ୍ଟର ଜମିରେ ଖରିଫ୍ ଧାନ ଚାଷ ହୋଇଛି । ଏତକ ଧାନ ଚାଷ ପାଇଁ ୩୫ ହଜାର ୧୧୩ ମେଟ୍ରିକ୍ ଟନ୍ ସାର ଦରକାର ହେବ । ହେଲେ ସାର ଅଭାବ ସ୍ଥିତି ଚାଷୀର ଚିନ୍ତା ବଢାଇଛି । ଅନ୍ୟପକ୍ଷରେ ଜିଲ୍ଲା କୃଷି ଉପନିର୍ଦ୍ଦେଶକ ଆୟୁର ଦେହୀ ମିଶ୍ର କହିଛନ୍ତି ଯେ, ନୟାଗଡ଼ ଜିଲ୍ଲାରେ ସାର କଳାବଜାରୀକୁ ରୋକିବାକୁ ସବୁ ପ୍ରକାର ଉଦ୍ୟମ ହେଉଛି । ସେହିଭଳି ଗଞ୍ଜାମ ଜିଲ୍ଲାରେ ମଧ୍ୟ ସମାନ ସ୍ଥିତି । କଳାବଜାରରେ ସାର ୪ଶହରୁ ୫ଶହ ଟଙ୍କାର ଦରରେ ମିଳୁଛି । ଅନେକ ଜିଲ୍ଲାରେ ଏବେ ଏଭଳି ସାର ଅଭାବ ଦେଖା ଦେଇଛି । ସରକାର ଏହାର ସମାଧାନ ଖୁବ୍ ଶୀଘ୍ର ନକଲେ ଚାଷୀଙ୍କ ସମସ୍ୟା ଅଦିକ ଜଟିଳ ହେବ ବୋଲି ଚାଷୀମାନେ କହିଛନ୍ତି ।

ଫାଇନାନ୍ସ କଂପାନୀ କର୍ମଚାରୀଙ୍କ ଦାଦାଗିରି,ହାଇଜାକ୍ କରିନେଲେ ବସ୍ !

ଗୁୁରୁଗ୍ରାମ:  ନିକଟରେ ବସରେ ଯାତ୍ରା କରୁଥିବା ଯାତ୍ରୀଙ୍କୁ ନେଇ ଏଭଳି ଏକ ଖବର ଆସିଛି ଯାହା ଯାତ୍ରୀ ମାନଙ୍କ ମନରେ ଏକ ଭୟ ସୃଷ୍ଟି କରିଛି । ଖବର ଅନୁସାରେ ଶ୍ରୀରାମ ଫାଇନାନ୍ସ କମ୍ପାନୀର କର୍ମଚାରୀମାନେ ଏକ ବସକୁ ହାଇଜାକ୍ କରି ନେଇଥିଲେ । ମଙ୍ଗଳବାରକୁ ଗୁରୁଗ୍ରାମରୁ ମଧ୍ୟପ୍ରଦେଶର ପନ୍ନା ପାଇଁ ବାହାରିଥିବା କଳ୍ପନା ଟ୍ରାଭେଲ୍ସର ବସ୍ ଆଗ୍ରାରେ ପହଂଚିଲା । ଏଠାରୁ ଫାଇନାନ୍ସ କମ୍ପାନୀର କର୍ମଚାରୀ ଡ୍ରାଇଭର ଏବଂ କଣ୍ଡକ୍ଟରକୁ ଗାଡ଼ିରୁ ଓହ୍ଲାଇ ନିଜ ଅକ୍ତିଆରକୁ ନେଇଗଲେ । ଏହାପରେ ଆଗ୍ରାରେ ଯାତ୍ରୀ ମାନଙ୍କୁ ଝାନ୍ସୀ ପାଇଁ ଆଉ ଏକ ବସରେ ବସାଇ ସେଠାରୁ ଗାଡ଼ିକୁ ନେଇ ପଳାଇଥିଲେ ।  ଖାଲି ବସକୁ ନେଇ କମ୍ପାନୀର ଉକ୍ତ କର୍ମଚାରୀମାନେ ଫେରାର ହୋଇଗଲେ । ଏବେ ପୋଲିସ ହାଇଜାକ ହୋଇଥିବା ବସ୍ ଏବଂ ଯାତ୍ରୀ ମାନଙ୍କୁ ଖୋଜୁଛି ।

ରିପୋର୍ଟ ଅନୁସାରେ ଯାତ୍ରୀ ମାନଙ୍କୁ ଝାନସୀ ପାଇଁ ଅନ୍ୟ ଏକ ବସରେ ବସାଇବା ପରେ ଫାଇନାନ୍ସ କମ୍ପାନୀର କର୍ମଚାରୀ ଇଟାଓ୍ୱା ପାଇଁ ବାହାରିଗଲେ । ତେବେ ବସ ମାଲିକ ଅଶୋକ ଅରୋରା ଗ୍ୱାଲିଅରରେ ରୁହନ୍ତି । ସେ ୨୫୦ଟି ବସର ମାଲିକ । କଳ୍ପନା ଟ୍ରାଭେଲ ନାମରେ ତାଙ୍କର ବସ ସର୍ଭିସ ଅଛି । ସେ ଏହି ଟ୍ରାଭେଲ୍ସର ନାମ ତାଙ୍କ ଝିଅ ନାମ ଅନୁସାରେ ରଖିଛନ୍ତି । ଅଶୋକଙ୍କ ଝିଅ କଳ୍ପନା ବିବାହ ପରେ ଇଟାଓ୍ୱାରେ ରହୁଛନ୍ତି । ଗତ ମଙ୍ଗଳବାର ଦିନ ଅଶୋକ ଅରୋରାଙ୍କର ମୃତ୍ୟୁ ହୋଇଥିବା କୁହାଯାଉଛି । ତାଙ୍କ ମୃତ୍ୟୁ ପରେ ଫାଇନାନ୍ସ କମ୍ପାନୀ ତାଙ୍କ ବସକୁ ନେବାରେ ଲାଗିଛନ୍ତି ।
ଘଟଣା ପରେ ଆଗ୍ରାର କ୍ରାଇମ ବ୍ରାଞ୍ଚ ଇନ୍ସପେକ୍ଟର କମଲେଶ ସିଂ ବସରେ ଯାତ୍ରା କରିଥିବା କିଛି ଯାତ୍ରୀ ମାନଙ୍କୁ ପଚରା ଉଚରା କରିଛନ୍ତି । ଯେଉଁଥିରେ ଯାତ୍ରୀମାନଙ୍କୁ ଗୋଟିଏ ବସରୁ ଓହ୍ଲାଇ ଆଉ ଏକ ବସରେ କିଭଳି ପଠାଇ ଦିଆଯାଇଥିଲା, ସେହି ବିଷୟରେ କୁହାଯାଇଛି । ଆଉ କିଛି କିଛି ଯାତ୍ରୀ ଅଧା ରାସ୍ତାରୁ ଓହ୍ଲାଇଥିବା କଥା ମଧ୍ୟ କୁହାଯାଇଛି ।
ସରକାରଙ୍କ ମୁଖପାତ୍ରଙ୍କ କହିବା ଅନୁଯାୟୀ ଶ୍ରୀରାମ ଫାଇନାନ୍ସର କର୍ମଚାରୀମାନେ ଦୁର୍ବୁତ୍ତଙ୍କ ଭଳି ବ୍ୟବହାର କରିଛନ୍ତି । ଯାହାକୁ ଯଥେଷ୍ଟ ନିନ୍ଦା କରାଯାଉଛି । ଏହି ମାମଲାରେ ଅଭିଯୋଗ ଦାଖଲ ହୋଇ ସାରିଛି ଏବଂ ଉକ୍ତ ଘଟଣାର ତଦନ୍ତ ଜାରି ରହିଛି ।