ଫାଇନାନ୍ସ କଂପାନୀ କର୍ମଚାରୀଙ୍କ ଦାଦାଗିରି,ହାଇଜାକ୍ କରିନେଲେ ବସ୍ !

ଗୁୁରୁଗ୍ରାମ:  ନିକଟରେ ବସରେ ଯାତ୍ରା କରୁଥିବା ଯାତ୍ରୀଙ୍କୁ ନେଇ ଏଭଳି ଏକ ଖବର ଆସିଛି ଯାହା ଯାତ୍ରୀ ମାନଙ୍କ ମନରେ ଏକ ଭୟ ସୃଷ୍ଟି କରିଛି । ଖବର ଅନୁସାରେ ଶ୍ରୀରାମ ଫାଇନାନ୍ସ କମ୍ପାନୀର କର୍ମଚାରୀମାନେ ଏକ ବସକୁ ହାଇଜାକ୍ କରି ନେଇଥିଲେ । ମଙ୍ଗଳବାରକୁ ଗୁରୁଗ୍ରାମରୁ ମଧ୍ୟପ୍ରଦେଶର ପନ୍ନା ପାଇଁ ବାହାରିଥିବା କଳ୍ପନା ଟ୍ରାଭେଲ୍ସର ବସ୍ ଆଗ୍ରାରେ ପହଂଚିଲା । ଏଠାରୁ ଫାଇନାନ୍ସ କମ୍ପାନୀର କର୍ମଚାରୀ ଡ୍ରାଇଭର ଏବଂ କଣ୍ଡକ୍ଟରକୁ ଗାଡ଼ିରୁ ଓହ୍ଲାଇ ନିଜ ଅକ୍ତିଆରକୁ ନେଇଗଲେ । ଏହାପରେ ଆଗ୍ରାରେ ଯାତ୍ରୀ ମାନଙ୍କୁ ଝାନ୍ସୀ ପାଇଁ ଆଉ ଏକ ବସରେ ବସାଇ ସେଠାରୁ ଗାଡ଼ିକୁ ନେଇ ପଳାଇଥିଲେ ।  ଖାଲି ବସକୁ ନେଇ କମ୍ପାନୀର ଉକ୍ତ କର୍ମଚାରୀମାନେ ଫେରାର ହୋଇଗଲେ । ଏବେ ପୋଲିସ ହାଇଜାକ ହୋଇଥିବା ବସ୍ ଏବଂ ଯାତ୍ରୀ ମାନଙ୍କୁ ଖୋଜୁଛି ।

ରିପୋର୍ଟ ଅନୁସାରେ ଯାତ୍ରୀ ମାନଙ୍କୁ ଝାନସୀ ପାଇଁ ଅନ୍ୟ ଏକ ବସରେ ବସାଇବା ପରେ ଫାଇନାନ୍ସ କମ୍ପାନୀର କର୍ମଚାରୀ ଇଟାଓ୍ୱା ପାଇଁ ବାହାରିଗଲେ । ତେବେ ବସ ମାଲିକ ଅଶୋକ ଅରୋରା ଗ୍ୱାଲିଅରରେ ରୁହନ୍ତି । ସେ ୨୫୦ଟି ବସର ମାଲିକ । କଳ୍ପନା ଟ୍ରାଭେଲ ନାମରେ ତାଙ୍କର ବସ ସର୍ଭିସ ଅଛି । ସେ ଏହି ଟ୍ରାଭେଲ୍ସର ନାମ ତାଙ୍କ ଝିଅ ନାମ ଅନୁସାରେ ରଖିଛନ୍ତି । ଅଶୋକଙ୍କ ଝିଅ କଳ୍ପନା ବିବାହ ପରେ ଇଟାଓ୍ୱାରେ ରହୁଛନ୍ତି । ଗତ ମଙ୍ଗଳବାର ଦିନ ଅଶୋକ ଅରୋରାଙ୍କର ମୃତ୍ୟୁ ହୋଇଥିବା କୁହାଯାଉଛି । ତାଙ୍କ ମୃତ୍ୟୁ ପରେ ଫାଇନାନ୍ସ କମ୍ପାନୀ ତାଙ୍କ ବସକୁ ନେବାରେ ଲାଗିଛନ୍ତି ।
ଘଟଣା ପରେ ଆଗ୍ରାର କ୍ରାଇମ ବ୍ରାଞ୍ଚ ଇନ୍ସପେକ୍ଟର କମଲେଶ ସିଂ ବସରେ ଯାତ୍ରା କରିଥିବା କିଛି ଯାତ୍ରୀ ମାନଙ୍କୁ ପଚରା ଉଚରା କରିଛନ୍ତି । ଯେଉଁଥିରେ ଯାତ୍ରୀମାନଙ୍କୁ ଗୋଟିଏ ବସରୁ ଓହ୍ଲାଇ ଆଉ ଏକ ବସରେ କିଭଳି ପଠାଇ ଦିଆଯାଇଥିଲା, ସେହି ବିଷୟରେ କୁହାଯାଇଛି । ଆଉ କିଛି କିଛି ଯାତ୍ରୀ ଅଧା ରାସ୍ତାରୁ ଓହ୍ଲାଇଥିବା କଥା ମଧ୍ୟ କୁହାଯାଇଛି ।
ସରକାରଙ୍କ ମୁଖପାତ୍ରଙ୍କ କହିବା ଅନୁଯାୟୀ ଶ୍ରୀରାମ ଫାଇନାନ୍ସର କର୍ମଚାରୀମାନେ ଦୁର୍ବୁତ୍ତଙ୍କ ଭଳି ବ୍ୟବହାର କରିଛନ୍ତି । ଯାହାକୁ ଯଥେଷ୍ଟ ନିନ୍ଦା କରାଯାଉଛି । ଏହି ମାମଲାରେ ଅଭିଯୋଗ ଦାଖଲ ହୋଇ ସାରିଛି ଏବଂ ଉକ୍ତ ଘଟଣାର ତଦନ୍ତ ଜାରି ରହିଛି ।

Leave a Reply