spot_img
Home Blog Page 6614

ଜବରଦସ୍ତ ଫିଚର୍ସ ସହ Redmi 9iର ବିକ୍ରି, ଦାମ୍ ୮୨୯୯ ରୁ ଆରମ୍ଭ… ଜାଣନ୍ତୁ ଅଫର୍ସ

ନୂଆଦିଲ୍ଲୀ: ଆଜିଠୁ Redmi 9iର ବିକ୍ରି ଭାରତରେ ଆରମ୍ଭ ହେଉଛି । ଗ୍ରାହକମାନେ ଆଜି ମଧ୍ୟାହ୍ନ ୧୨ଟାରୁ ଫ୍ଲିପକାର୍ଟ ଏବଂ ଶାଓମିର ଅଫିସିଆଲ୍ ୱେବସାଇଟରୁ ଏହାକୁ କିଣି ପାରିବେ । ଏହି ସ୍ମାର୍ଟଫୋନ୍ ଗତ ମାସରେ ଭାରତରେ ଲଞ୍ଚ କରାଯାଇଥିଲା। ଏହି ଫୋନ୍ ଶାଓମିର ରେଡମି ୯ ସିରିଜର ଏକ ପାର୍ଟ । ରେଡମି 9i ର ୪ ଜିବି + ୬୪ ଜିବି ଭାରିଆଣ୍ଟର ଦାମ ୮,୨୯୯ ଟଙ୍କା ଏବଂ ୪ଜିବି + ୧୨୮ ଜିବି ଭାରିଆଣ୍ଟର ମୂଲ୍ୟ ୯,୨୯୯ ଟଙ୍କା  । ଏହା ମିଡନାଇଟ୍ ବ୍ଲାକ୍, ସି ବ୍ଲୁ ଏବଂ ସବୁଜ ରଙ୍ଗରେ ଉପଲବ୍ଧ ରହିବ ।

ଅଫର ବିଷୟରେ କହିବାକୁ ଗଲେ, ଫ୍ଲିପକାର୍ଟରେ ଫ୍ଲିପକାର୍ଟ ଆକ୍ସିସ ବ୍ୟାଙ୍କ କ୍ରେଡିଟ କାର୍ଡରେ ୫ ପ୍ରତିଶତ ଅନଲିମିଟେଡ୍ କ୍ୟାସବ୍ୟାକ, ଆକ୍ସିସ ବ୍ୟାଙ୍କ ବଜ କ୍ରେଡିଟ କାର୍ଡରେ ୫ ପ୍ରତିଶତ ରିହାତି ଏବଂ ନୋ-କଷ୍ଟ୍ EMI ଅପସନ୍ ର ଲାଭ ପାଇପାରିବେ। ଡୁଆଲ୍-ସିମ୍ (ନାନୋ) ସପୋର୍ଟ ଥିବା ଏହି ସ୍ମାର୍ଟଫୋନ୍ ଆଣ୍ଡ୍ରଏଡ୍ ୧୦ ଆଧାରିତ MIUI ୧୨ରେ ଚାଲିଥାଏ ଏବଂ ଏଥିରେ ୬.୫୩ -ଇଞ୍ଚ HD + (୭୨୦x୧, ୬୦୦ ପିକ୍ସେଲ) ଡିସପ୍ଲେ ରହିଛି । ଏହାର ବ୍ୟାଟେରୀ ହେଉଛି ୫୦୦୦mAh ଏବଂ ୧୦W ଚାର୍ଜିଂ ସପୋର୍ଟ ଦିଆଯାଇଛି ।

ଫଟୋଗ୍ରାଫି ଏବଂ ଭିଡିଓଗ୍ରାଫି ପାଇଁ, ଏଥିରେ ୧୩MPର କ୍ୟାମେରା ଦିଆଯାଇଛି । ସେଲ୍ଫି ପାଇଁ ଏଥିରେ ୫MP କ୍ୟାମେରା ଅଛି ଏଥିରେ ୪GB ରାମ ସହିତ ଏକ ଅକ୍ଟୋ-କୋର ମିଡିଆଟେକ ହେଲିଓ G25 ପ୍ରୋସେସର ରହିଛି ।

Hathras Case: ଜେଲରୁ SPଙ୍କୁ ଚିଠି ଲେଖିଲେ ୪ ଅଭିଯୁକ୍ତ,ଅଧିକ ସୁରକ୍ଷାକୁ ନେଇ ଚିନ୍ତିତ ପୀଡିତାଙ୍କ ପରିବାର

ଲକ୍ଷ୍ନୌ: ଜେଲ ଭିତରୁ ଏସପିଙ୍କୁ ଦୁଷ୍କର୍ମ ଅଭିଯୁକ୍ତଙ୍କ ଚିଠି । ମାମଲାର ସମସ୍ତ ଚାରିଜଣ ଅଭିଯୁକ୍ତ ଏସପିଙ୍କୁ ଚିଠି ଲେଖି ନିଜକୁ ନିର୍ଦ୍ଦୋଷ ବୋଲି କହିଛନ୍ତି । ଚିଠିରେ ଦର୍ଶାଯାଇଛି ଯେ, ପୀଡିତାଙ୍କ ସହ ସେମାନଙ୍କର ବନ୍ଧୁତା ଥିଲା। ସେମାନେ ପରସ୍ପରଙ୍କ ସହ  କଥାବାର୍ତ୍ତା ହେଉଥିଲେ । ଘଟଣାସ୍ଥଳରେ ସେମାନେ ପୀଡ଼ିତାଙ୍କୁ ମାଡ଼ ମାରିନଥିଲେ ବୋଲି ଚିଠିରେ ଉଲ୍ଲେଖ କରିଛନ୍ତି । ବରଂ ପୀଡିତାଙ୍କ ମା ଏବଂ ତାଙ୍କ ଭାଇ ଘଟଣାସ୍ଥଳରେ ପୀଡିତାଙ୍କୁ ମାଡ଼ ମାରିଥିଲେ । ସେଥିପାଇଁ ତାଙ୍କ ମୃତ୍ୟୁ ହୋଇଥିଲା । ଏହି ଚିଠିରେ ଚାରି ଅଭିଯୁକ୍ତ ସନ୍ଦୀପ, ରାମୁ, ରବି ଏବଂ ଲାବକୁଶଙ୍କ ଦସ୍ତଖତ ଏବଂ ସେମାନଙ୍କର ଆଙ୍ଗୁଠି ଚିହ୍ନ ରହିଛି ।

ଅଭିଯୁକ୍ତ ମାନେ ଚିଠିରେ ପୀଡ଼ିତା ସହ ବନ୍ଧୁତା ଥିବା ନେଇ ବାରମ୍ବାର ଚିଠିରେ ଦର୍ଶାଇଛନ୍ତି । ଫୋନରେ ମଧ୍ୟ ସେମାନେ ସବୁବେଳେ ଯୋଗାଯୋଗ କରୁଥିଲେ । ଏହି କାରଣରୁ ତାଙ୍କ ମାଆ ଏବଂ ଭାଇ ସେଦିନ ପୀଡ଼ିତାଙ୍କୁ ପିଟିଥିଲେ। ଏହା ପରେ ଅଭିଯୁକ୍ତମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ। ସେମାନଙ୍କୁ ଘରେ ପାଣି ପିଇବାକୁ ଦେଇଥିଲେ । କିନ୍ତୁ ପରବର୍ତ୍ତୀ ସମୟରେ ସେମାନଙ୍କୁ ଦୋଷୀ କୁହାଯାଇଥିଲା । ୟୁପି ପୋଲିସ ପକ୍ଷରୁ ଉଚିତ ତଦନ୍ତ ଦାବି କରିଛନ୍ତି ସମସ୍ତ ଅଭିଯୁକ୍ତ ।

ଅପରପକ୍ଷରେ ହାଥ୍ରସରେ ମହିଳାଙ୍କ ପରିବାର ଲୋକଙ୍କୁ ତାଙ୍କ ନିଜ ଘରେ ବନ୍ଦି କରି ରଖାଯାଇଥିବା ଅଭିଯୋଗ ହୋଇଛି । ଆହ୍ଲାବାଦ ହାଇକୋର୍ଟରେ ପୀଡ଼ିତାଙ୍କ ପରିବାର ଆବେଦନ କରିଛନ୍ତି ଯେ, ଜିଲ୍ଲା ପ୍ରଶାସନ ତାଙ୍କୁ ତାଙ୍କ ନିଜ ଘରେ ବେଆଇନ ଭାବେ ବନ୍ଦ କରି ରଖିଛନ୍ତି । ସେମାନଙ୍କୁ ଏହି ବନ୍ଦୀରୁ ମୁକ୍ତ କରାଯିବା ଉଚିତ୍ ଏବଂ ଘରୁ ବାହାରକୁ ଯାଇ ଲୋକଙ୍କୁ ଭେଟିବା ପାଇଁ ଅନୁମିତି ଦେବା ଉଚିତ୍ ବୋଲି କହିଛନ୍ତି । ଏହି ଆବେଦନରେ ପୀଡିତାଙ୍କ ପରିବାରର ପ୍ରତିନିଧିତ୍ୱ ବାଲମିକି ସମାଜ ପାଇଁ କାର୍ଯ୍ୟ କରୁଥିବା ଏକ ସଂଗଠନ କରିଛି । ପୀଡ଼ିତାଙ୍କ ବାପା, ପୀଡ଼ିତାଙ୍କ ମା, ଦୁଇ ଭାଇ ଏବଂ ଅନ୍ୟ ଦୁଇ ପରିବାର ଏହି ପିଟିସନ ଦାଖଲ କରିଛନ୍ତି।

ଏହି ଆବେଦନରେ ଅଭିଯୋଗ ହୋଇଛି ଯେ, ସେପ୍ଟେମ୍ବର ମାସ ୨୯ ଏବଂ ୩୦ ତାରିଖରେ ଜିଲ୍ଲା ପ୍ରଶାସନ ଆବେଦନକାରୀଙ୍କୁ ତାଙ୍କ ଘରେ ବେଆଇନ ଭାବେ ଅଟକ ରଖିଥିଲା । ​​ଏବଂ ସେମାନଙ୍କୁ କାହା ସହିତ ସାକ୍ଷାତ କରିବାକୁ ଦିଆଯାଇନଥିଲା। ତେବେ ପରେ କିଛି ଲୋକଙ୍କୁ ସେମାନଙ୍କୁ ଭେଟିବାକୁ ଅନୁମତି ଦିଆଯାଇଥିଲା । ତଥାପି ଜିଲ୍ଲା ପ୍ରଶାସନ ପୀଡିତାଙ୍କ ପରିବାର ଲୋକଙ୍କୁ ତାଙ୍କ ଇଚ୍ଛାନୁସାରେ ସେମାନଙ୍କୁ ଘରୁ ବାହାରକୁ ଯିବାକୁ ଦେଉନାହାଁନ୍ତି । ସେମାନଙ୍କୁ ଅନ୍ୟ ଲୋକଙ୍କ ସହ ଯୋଗାଯୋଗ କରିବାକୁ ମଧ୍ୟ ବାରଣ କରାଯାଇଛି ।

କରୋନା କଟକଣା ସହ ଖୋଲିପାରେ ରାଜ୍ୟର କିଛି ପ୍ରସିଦ୍ଧ ମନ୍ଦିର

ଭୁବନେଶ୍ୱର: କରୋନା ଏବେ ଧିରେ ଧିରେ ରାଜ୍ୟରେ କମିବାରେ ଲାଗିଛି । ସେଥିପାଇଁ କରୋନା କଟକଣାରେ କୋହଳ କରୁଛନ୍ତି ରାଜ୍ୟ ସରକାର । ରାଜ୍ୟରେ ଦୋକାନ ବଜାର ପର୍ଯ୍ୟାୟ କ୍ରମେ ପୂର୍ବଭଳି ସ୍ୱଭାବିକ ଅବସ୍ଥାକୁ ଫେରୁଛି । ଗୋଟିଏ ପରେ ଗୋଟିଏ ପର୍ଯ୍ୟଟନସ୍ଥଳୀ କରୋନା କଟକଣା ସହ ଖୋଲିବାରେ ଲାଗିଛି । ତେବେ ଏଇ ଭିତରେ ରାଜ୍ୟର ସମସ୍ତ ମନ୍ଦିରକୁ ମିଳିଛି ସବୁଜ ସଙ୍କେତ । କୋଭିଡ୍ କଟକଣା ସହିତ ରାଜ୍ୟରେ ସବୁ ପ୍ରସିଦ୍ଧ ମନ୍ଦିର ଖୋଲିବା ନେଇ ସମ୍ଭାବନା ସୃଷ୍ଟି ହୋଇଛି ।

ଏନେଇ ଶ୍ରୀମନ୍ଦିର ଓ ପ୍ରମୁଖ ମନ୍ଦିର ପ୍ରଶାସକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର । କୋଭିଡ ନିୟମ ମାନି ମନ୍ଦିର ଖୋଲିବା ନେଇ ନିର୍ଦ୍ଦେଶ ଦେଇଛନ୍ତି । ମନ୍ଦିର ଖୋଲିବା ପୂର୍ବରୁ ସମସ୍ତ ଅଂଶୀଦାରଙ୍କ ସହ ଆଲୋଚନା କରି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ୧୦ ଦିନ ମଧ୍ୟରେ ଏନେଇ ରିପୋର୍ଟ ଦେବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର । ସେପଟେ ଏନେଇ ଟ୍ୱିଟ୍‌ ଜାରି କରିଛନ୍ତି ମୁଖ୍ୟ ଶାସନ ସଚିବ ।

 

ସେପଟେ ଆମ ଅଧୀନରେ ୧୮ହଜାର ମନ୍ଦିର ରହିଛି । ଏଯାଏ ସରକାରଙ୍କ ପକ୍ଷରୁ ଆମକୁ କିଛି ଚିଠି ଆସିନି । ପ୍ରଥମେ ଜିଲ୍ଲାପାଳ ଏନେଇ ରିପୋର୍ଟ ଦିଅନ୍ତୁ । ଆମେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକୁ ମାନିବୁ । କୋଭିଡ ନିୟମରେ ମନ୍ଦିରରେ ଖୋଲିଲେ କିଛି ଅସୁବିଧା ନାହିଁ ବୋଲି କହିଛନ୍ତି ଦେବୋତ୍ତର କମିଶନର ଚିତ୍ତରଞ୍ଜନ ମହାପାତ୍ର ।

ଭିମସାରରେ ଡାକ୍ତରଙ୍କ ଭିତରେ ଯୁଦ୍ଧ : ଡାକ୍ତରାଣୀଙ୍କ ଚପଲ ମାଡ ଯବାବରେ ଡାକ୍ତରଙ୍କ ଚାପୁଡା

ବୁର୍ଲା: ପୁଣି ଚର୍ଚ୍ଚାରେ ବୁର୍ଲା ଭିମସାର ।  ଏଥର କିନ୍ତୁ ଚର୍ଚ୍ଚାର କାରଣ ଅଲଗା । ଏଥର ଡାକ୍ତରଙ୍କୁ ରୋଗୀ କିମ୍ବା ସମ୍ପର୍କୀୟ ପିଟି ନାହାନ୍ତି । ଡାକ୍ତର ନିଜ ନିଜ ଭିତରେ ବାଡିଆପିଟା ହୋଇଛନ୍ତି । ଭିମସାରରେ ଜଣେ  ମହିଳା ଡାକ୍ତର ପୁରୁଷ ଡାକ୍ତରଙ୍କୁ ଚପଲରେ ମାଡ ମାରିଥିଲେ,ଉତ୍ତରରେ ଡାକ୍ତର ମଧ୍ୟ ମାଡ ମାରିଛନ୍ତି । ଡାକ୍ତର-ଡାକ୍ତରାଣୀଙ୍କ ଏହି ମାରପିଟ୍ ଭିଜୁଆଲ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ଜଣେ ମହିଳା ଡାକ୍ତର ଜଣେ ପୁରୁଷ ଡାକ୍ତରଙ୍କୁ ଚପଲରେ ପିଟୁଥିବା ଦେଖିବାକୁ ମିଳୁଛି । ମାଡ ଖାଇବା ପରେ ଡାକ୍ତର ଜଣକ ଜବାବ ବି ଦେଉଛନ୍ତି । ସେ ଡାକ୍ତରାଣୀଙ୍କୁ ଏକ ଶକ୍ତ ଚାପୁଡା ମାରୁଥିବା ଭିଡିଓରେ ଦେଖିବାକୁ ମିଳୁଛି ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଭୀମସାରର ମେଡିସିନ ୱାର୍ଡ କରିଡରରେ । ଦୁଇ ଜଣ ଡାକ୍ତର କୌଣସି କାରଣକୁ ନେଇ ଉଭୟ ଉଭୟଙ୍କୁ ପିଟିବାର ଦୃଶ୍ୟ ଦେଖିବାକୁ ମିଳିଛି ।

ମହିଳା ଡାକ୍ତର ଜଣଙ୍କ ରାଗିଯାଇ ପୁରୁଷ ଡାକ୍ତର ଜଣଙ୍କୁ ଚପଲରେ ମାରୁଥିବା ବେଳେ ପୁରୁଷ ଜଣଙ୍କ ମହିଳା ଚାପୁଡା ମାରୁଥିବା ଦେଖିବାକୁ ମିଳିଛି । କେଉଁ କାରଣରୁ ଏମାନେ ଝଗଡ଼ ଓ ମାରପିଟ କରୁଛନ୍ତି ତାହା ସ୍ପଷ୍ଟ ହୋଇନଥିବା ବେଳେ ଭିଡିଓ ଭାଇରାଲ୍ ହେବାରେ ଲାଗିଛି । ଏହି ଦୃଶ୍ୟ ବୁର୍ଲା ଭୀମସାର ନୂତନ ଫିମେଲ ମେଡ଼ିସିନ ୱାର୍ଡର ବୋଲି ଜଣାପଡିଛି ।

ଏହାରି ଭିତରେ ଅନ୍ୟ ଜଣେ ବରିଷ୍ଠ ଡାକ୍ତର ଏ ଦୁହିଁଙ୍କ ମଧ୍ୟରେ ମଧ୍ୟସ୍ଥତା କରୁଥିବା ଦେଖିବାକୁ ମିଳିଛି । ସେପଟେ ଏନେଇ ଡାକ୍ତରଖାନାର ସୁପରିଟେଣ୍ଡଣ୍ଟ ଜୟଶ୍ରୀ ଡ଼ୋରା ତାଙ୍କ ପାଖକୁ ଏନେଇ ଅଭିଯୋଗ ଆସିଲେ ତଦନ୍ତ କରିବେ ବୋଲି ସୁଚନା ଦେଇଛନ୍ତି ।

 

ପେଟ୍ରୋଲ ପମ୍ପ ବିସ୍ଫାେରଣ ଟ୍ରାଜେଡି: ନିଖୋଜ ପେଟ୍ରୋଲ ପମ୍ପରେ କାମ କରୁଥିବା ସୀମାଞ୍ଚଳ ପରିଡ଼ା

ଭୁବନେଶ୍ୱର: ପେଟ୍ରୋଲ ପମ୍ପ ଟ୍ରାଜେଡିରେ ଆସୁଛି ଗୋଟିଏ ପରେ ଗୋଟିଏ ଟୁଇଷ୍ଟ । ରାଜଧାନୀର ଛାତି ଉପରେ ବିସ୍ଫୋରଣ ପରେ ଏବେ ସମସ୍ତେ ସ୍ତବ୍ଦ ରହିଛନ୍ତି । ଏହି ଭିତରେ ୨ ଜଣ ଗୁରୁତରଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଛି । ତେବେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଏବେ ଜଣେ ନିଖୋଜ ରହିଛନ୍ତି । ଏନେଇ ବିସ୍ଫୋରଣ ପରେ ଘଟଣା ଚାଲିଛି ତଦନ୍ତ । ୯ ଗୁରୁତର ଆହତଙ୍କର ଚିକିତ୍ସା ଚାଲିଥିବା ବେଲେ ନିଖୋଜ ଅଛନ୍ତି ପେଟ୍ରୋଲ ପମ୍ପରେ କାମ କରୁଥିବା ସୀମାଞ୍ଚଳ ପରିଡ଼ା ।

ଗତକାଲି ବିସ୍ଫୋରଣ ପରଠାରୁ ସୀମାଞ୍ଚଳକୁ ପାଉନାହାନ୍ତି ତାଙ୍କ ପରିବାର ଲୋକେ । ତାଙ୍କର ଖୋଜଖବର ମିଳୁନି ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି । ବିସ୍ଫୋରଣରେ ସୀମାଞ୍ଚଳଙ୍କର କଣ ହୋଇଛି ସେ ବଞ୍ଚିଛନ୍ତି ନା ତାଙ୍କର କଣ ହୋଇଛି ବୋଲି କିଛି ଖୋଜ ଖରବ ମିଳୁନାହିଁ । ସେପଟେ ପୋଲିସକୁ ବିସ୍ଫୋଣ ସ୍ଥାନରେ ସୀମାଞ୍ଚଳଙ୍କ ପର୍ସ ମିଳିଛି । ସେ କେଉଁଠି ଅଛନ୍ତି କେମି ଅଛନ୍ତି କାହାରିକୁ ଜଣାନାହିଁ । ସୀମାଞ୍ଚଳଙ୍କୁ ଖୋଜି ଖୋଜି ତାଙ୍କ ଭାଇ ବି ଦୁଃଖରେ ଜର୍ଜରିତ ହୋଇପଡ଼ିଛନ୍ତି ।

ଦେଶରେ ୬୮ ଲକ୍ଷ ଟପିଲା କରୋନା ସଂକ୍ରମିତ ସଂଖ୍ୟା… ଦିନକରେ ୭୮ ହଜାର ୫୨୪ ଆକ୍ରାନ୍ତ

ନୂଆଦିଲ୍ଲୀ: ଦେଶରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୬୮ଲକ୍ଷ ୩୫ହଜାର ୬୫୬ରେ ପହଞ୍ଚିଛି । ୨୪ ଘଣ୍ଟାରେ ୭୮ ହଜାର ୫୨୪ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ୯୭୧ଜଣଙ୍କ ମୃତ୍ୟୁ ହୋଇଛି । ଦେଶରେ ମୋଟ୍ ମୃତ୍ୟୁସଂଖ୍ୟା ଲକ୍ଷେ ୫ହଜାର ୫୨୬ରେ ପହଞ୍ଚିଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଏବେ ଦେଶରେ ୯ଲକ୍ଷ ୨୪ଶହ୨୫ ଆକ୍ଟିଭ୍ କେସ୍ ରହିଛି ।

ଏହା ସହ ୫୮ଲକ୍ଷ ୨୭ହଜାର ୭୦୫ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ମହାରାଷ୍ଟ୍ରରେ ସର୍ବାଧିକ କରୋନା ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ରହିଛି । ମହାରାଷ୍ଟ୍ରରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୪ଲକ୍ଷ ୮୦ହଜାର ୪୮୯ରେ ପହଞ୍ଚିଥିବା ବେଳେ ମୃତ୍ୟୁସଂଖ୍ୟା ୪୦ହଜାର ପାଖେଇଲାଣି । ଆନ୍ଧ୍ରପ୍ରଦେଶରେ ୭ଲକ୍ଷ ଟପିଲାଣି ଆକ୍ରାନ୍ତଙ୍କ ସଂଖ୍ୟା ମୃତ୍ୟୁସଂଖ୍ୟା ୭ହଜାରକୁ ପାଖେଇଲାଣି । କର୍ଣ୍ଣାଟକ ଓ ତାମିଲନାଡୁରେ ୬ଲକ୍ଷରୁ ଅଧିକ ଲେଖାଏଁ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ମୃତ୍ୟୁସଂଖ୍ୟା ୧୦ହଜାର ପାଖାପାଖି ଲେଖାଏଁ ହେଲାଣି ।

କରୋନା ସଂକ୍ରମଣ ସଂଖ୍ୟା ଅନୁସାରେ ଭାରତ ବିଶ୍ୱର ଦ୍ୱିତୀୟ ସର୍ବାଧିକ ପ୍ରଭାବିତ ଦେଶ । ମୃତ୍ୟୁ ମାମଲାରେ ଆମେରିକା ଏବଂ ବ୍ରାଜିଲରେ ପରେ ଭାରତ ରହିଛି। ତେବେ ଆଶ୍ୱସ୍ତିର ବିଷୟ ଏହା ଯେ ଦେଶରେ ମୃତ୍ୟୁହାରରେ କ୍ରମାଗତ ରେକର୍ଡ କରାଯାଇଛି । ମୃତ୍ୟୁ ହାର ୧.୫୪ ପ୍ରତିଶତକୁ ଖସି ଆସିଛି । ଏହା ବ୍ୟତୀତ ଚିକିତ୍ସିତ ହେଉଥିବା ସକ୍ରିୟ ମାମଲା ହାର ମଧ୍ୟ ୧୩ ପ୍ରତିଶତକୁ ଖସି ଆସିଛି।  ସୁସ୍ଥତା ହାର ୮୫ ପ୍ରତିଶତ ରହିଛି । ଭାରତରେ ସୁସ୍ଥତା ହାର କ୍ରମାଗତ ଭାବେ ବୃଦ୍ଧି ପାଉଛି ।

IPL 2020: ଚେନ୍ନାଇକୁ ହରାଇ ପଏଣ୍ଟ ଟେବୁଲର ତୃତୀୟ ସ୍ଥାନରେ ପହଞ୍ଚିଲା KKR

ନୂଆଦିଲ୍ଲୀ: ଆଇପିଏଲର ୨୧ତମ ମ୍ୟାଚରେ ଚେନ୍ନାଇକୁ ମାତ୍ ଦେଲା କେକେଆର । ଚଳିତ ସିଜିନରେ ପ୍ରଥମଥର ମୁହାଁମୁହିଁ ହୋଇଥିଲେ ଚେନ୍ନାଇ ସୁପର କିଙ୍ଗ୍ସ ଓ କୋଲକାତା ନାଇଟ୍ ରାଇଡର୍ସ । କେକେଆରର ରାହୁଲ ତ୍ରୀପାଠୀଙ୍କ ୮୧ ରନ ଆଗରେ ପଡ଼ିଗଲା ସେନ୍‌ ୱାଟ୍‌ସନ୍‌ ଅର୍ଧଶତକ। ପ୍ରଥମେ ବ୍ୟାଟିଂ କରି କୋଲକାତା ୧୬୭ ରନ୍ କରିଥିଲା । ଜବାବରେ ଚେନ୍ନାଇ ୧୫୭ ରନ କରିବାରେ ସକ୍ଷମ ହୋଇଥିଲା । ମ୍ୟାଚ ଜିତି କୋଲ୍‌କାତା ପଏଣ୍ଟ୍‌ ତାଲିକାରେ ତୃତୀୟ ସ୍ଥାନକୁ ଉଠିଥିବାବେଳେ ଚେନ୍ନାଇ ପଞ୍ଚମ ସ୍ଥାନରେ ଅପରିବର୍ତିତ ରହିଛି । ସେପଟେ ଆଜି ପଞ୍ଜାବ ଓ ହାଇଦ୍ରାବାଦ୍ ମଧ୍ୟରେ ହେବ ଆଇପିଏଲ୍ ଟକ୍କର ।

କୋଲକାତା ନାଇଟ୍ ରାଇଡର୍ସ ଚେନ୍ନାଇ ସୁପର କିଙ୍ଗ୍ସକୁ ୧୦ ରନରେ ପରାସ୍ତ କରିଛି । ଏହି ସିଜିନ୍ ରେ କୋଲକାତାର ଏହା ତୃତୀୟ ବିଜୟ । ଏମଏସ ଧୋନିଙ୍କ ଦଳ ଚେନ୍ନାଇ ସୁପର କିଙ୍ଗ୍ସର ଏହା ହେଉଛି ଚତୁର୍ଥ ପରାଜୟ । ଚେନ୍ନାଇ ବିପକ୍ଷରେ ଜିତିଥିବା କୋଲକାତାକୁ ପଏଣ୍ଟ ଟେବୁଲରରୁ ବଡ଼ ଫାଇଦା ହୋଇଛି । ପଏଣ୍ଟ ଟେବୁଲରେ କେକେଆର ୬ଟି ପଏଣ୍ଟ ସହ ତୃତୀୟ ସ୍ଥାନରେ ପହଞ୍ଚିଛି । ଏହା ସହିତ ତାଙ୍କର ନେଟ ରନ୍ ହାର ମଧ୍ୟ ପ୍ଲସ୍ ହୋଇଯାଇଛି ।

ଚଳିତ ସିଜିନରେ କୋଲକାତା ଏପର୍ଯ୍ୟନ୍ତ ପାଞ୍ଚଟି ମ୍ୟାଚରୁ ତିନୋଟି ବିଜୟ ରେକର୍ଡ କରିଛି । ଛଅ ପଏଣ୍ଟ ସହିତ ତାଙ୍କର ନେଟ୍ ରନ୍ ହାର ହେଉଛି +0.002 । ଏଥି ସହିତ ଚେନ୍ନାଇ ଟିମ୍ ପଏଣ୍ଟ ଟେବୁଲରେ ପାଞ୍ଚ ନମ୍ବରରେ ପହଞ୍ଚିଛି । ଏଥିସହ ତାଙ୍କର ନେଟ୍ ରନ୍ ହାର ମଧ୍ୟ ନେଗେଟିଭ୍ ରେ ରହିଛି । ଚେନ୍ନାଇ ଚଳିତ ସିଜନରେ ଏପର୍ଯ୍ୟନ୍ତ ୬ଟି ମ୍ୟାଚ୍ ଖେଳି ଦୁଇଟି ମ୍ୟାଚ୍ ଜିତିଛି ଓ ଚାରିଟି ହାରିଛି । ଏହି ସମୟରେ, ତାଙ୍କର ନେଟ୍ ରନ୍ ହାର ହେଉଛି -0.371 ।

ଏହି ସିଜନରେ ୪ଟି ମ୍ୟାଚ୍ ଜିତିଥିବା ମୁମ୍ବାଇ ଇଣ୍ଡିଆନ୍ସ ପ୍ରଥମ ସ୍ଥାନରେ ରହିଛି । ମୁମ୍ବାଇର ଏପର୍ଯ୍ୟନ୍ତ ଆଠ ପଏଣ୍ଟ ରହିଛି ଏବଂ ଏହାର ନେଟ ରନ୍ ହାର +1.488 ରହିଛି, ଯାହା ସମସ୍ତ ଟିମ୍ ତୁଳନାରେ ସର୍ବୋତ୍ତମ । ଏଥି ସହିତ ପଏଣ୍ଟ ଟେବୁଲରେ ଦ୍ୱିତୀୟ ସ୍ଥାନରେ ଥିବା ଦିଲ୍ଲୀ କ୍ୟାପିଟାଲ ମଧ୍ୟ ୪ଟି ମ୍ୟାଚ୍ ଜିତିଛି, କିନ୍ତୁ ନେଟ୍ ରନ୍ ହାରରେ ପଛରେ ଥିବାରୁ ଏହି ଟିମ୍ ଦ୍ୱିତୀୟ ସ୍ଥାନରେ ଅଛନ୍ତି।

ପଏଣ୍ଟ ଟେବୁଲରେ ସବୁଠୁ ତଳେ ତଥା ଅଷ୍ଟମ ସ୍ଥାନରେ ପଞ୍ଜାବ କିଙ୍ଗ୍ସ ଚିମ୍ ରହିଛି। ଏହି ସିଜିନ୍ ରେ ପଞ୍ଜାବ ଏପର୍ଯ୍ୟନ୍ତ ପାଞ୍ଚଟି ମ୍ୟାଚ୍ ଖେଳିଛି ଯେଉଁଥିରେ ସେମାନେ ଗୋଟିଏ ମ୍ୟାଚ୍‌ରେ ଜିତିଛନ୍ତି ଏବଂ ୪ଟି ମ୍ୟାଚ୍‌ରେ ପରାଜୟର ସାମ୍ନା କରିବାକୁ ପଡିଛି । ତଥାପି, ତାଙ୍କର ନେଟ ରନ୍ ପ୍ଲସ୍ ରେ ରହିଛି । ଏଥି ସହିତ ଲଗାତାର ୩ଟି ମ୍ୟାଚ୍ ହାରିଥିବା ରାଜସ୍ଥାନ ରୟାଲ୍ସ ପଏଣ୍ଟ ଟେବୁଲରେ ସପ୍ତମ ସ୍ଥାନରେ ରହିଛି ଏବଂ ସନରାଇଜର୍ସ ହାଇଦ୍ରାବାଦ ଷଷ୍ଠ ସ୍ଥାନରେ ରହିଛି। ଏହା ବ୍ୟତୀତ ପାଞ୍ଚଟି ମ୍ୟାଚରେ ତିନୋଟି ମ୍ୟାଚ୍ ଜିତିଥିବା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପଏଣ୍ଟ ଟେବୁଲରେ ଚତୁର୍ଥ ସ୍ଥାନରେ ରହିଛି।

 

୮୮ ବର୍ଷରେ ଭାରତୀୟ ବାୟୁସେନା, ଜାଣନ୍ତୁ କାହିଁକି ଭାରତୀୟ ବାୟୁସେନାରୁ ଅଲଗା ହେଲା ‘ରୟାଲ’ ଶବ୍ଦ

ନୂଆଦିଲ୍ଲୀ: ଭାରତୀୟ ବାୟୁସେନା ଆଜି ତାର ୮୮ ତମ ପ୍ରତିଷ୍ଠା ଦିବସ ପାଳନ କରୁଛି । ଗାଜିଆବାଦର ହିଣ୍ଡନ ଏୟାରବେସରେ ବାୟୁସେନା ନିଜର ଶକ୍ତି ପ୍ରଦର୍ଶନ କରିବ । ଚାଲିଛି ବାୟୁସୋନାର ପରେଡ କାର୍ଯ୍ୟକ୍ରମ । ବାୟୁସେନାର ମୁଖ୍ୟ ମାର୍ଶଲ ରାକେଶ କୁମାର ସିଂ ଭଦୋରିଆ ୮୮ ତମ ଭାରତୀୟ ବାୟୁସେନା ଦିବସ ପରେଡ କାର୍ଯ୍ୟକ୍ରମକୁ ତଦାରଖ କରୁଛନ୍ତି । ଏହି ସ୍ୱତନ୍ତ୍ର ଦିବସରେ ପ୍ରତିରକ୍ଷା ବିଭାଗର ମୁଖ୍ୟ ଜେନେରାଲ ବିପିନ ରାୱତ, ସେନା କର୍ମଚାରୀଙ୍କ ମୁଖ୍ୟ ଜେନେରାଲ ମନୋଜ ମୁକୁନ୍ଦ ନରଓ୍ୱଣେ ଏବଂ ଜଳ ସେନାର ମୁଖ୍ୟ ଆଡମିରାଲ କରମବିର ସିଂ ୮୮ ତମ ଭାରତୀୟ ବାୟୁସେନା ଦିବସ ଉତ୍ସବରେ ଯୋଗ ଦେଇଛନ୍ତି । ତେବେ ଏହି ସ୍ୱତନ୍ତ୍ର ଦିବସରେ ରାଫେଲକୁ ସାମିଲ କରାଯାଇଛି । ୧୯୩୨ ମସିହାରେ ସ୍ଥାପିତ ହୋଇଥିବା ଭାରତୀୟ ବାୟୁସେନା, ପାକିସ୍ତାନ ଏବଂ ଚୀନ୍ ବିରୋଧରେ ହୋଇଥିବା ଯୁଦ୍ଧଠାରୁ ଆରମ୍ଭ କରି ଏପର୍ଯ୍ୟନ୍ତ ନିଜର ଚମତ୍କାରିତାକୁ ପ୍ରମାଣ କରିଛି ।

୮ ଅକ୍ଟୋବର ୧୯୩୨ ରେ ପ୍ରତିଷ୍ଠା ହୋଇଥିଲା ବାୟୁସେନା, ସେବେଠାରୁ ଆଜି ପର୍ଯ୍ୟନ୍ତ ଏହି ଦିନକୁ ପ୍ରତିବର୍ଷ ବାୟୁସେନା ଭାବେ ପାଳନ କରାଯାଏ | ଭାରତୀୟ ବାୟୁସେନା ୧୯୩୩ ମସିହା ଏପ୍ରିଲ ୧ରେ ପ୍ରଥମ ଥର ପାଇଁ ନିଜର ସ୍ଥାପତ୍ୟକୁ ଜାହିର କରିଥିଲା । ବ୍ରିଟିଶ ସାମ୍ରାଜ୍ୟର ବାୟୁସେନାର ଏକକ ଭାବରେ ଭାରତୀୟ ବାୟୁସେନା ପ୍ରତିଷ୍ଠା କରାଯାଇଥିଲା । ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ‘ରୟାଲ୍’ ଶବ୍ଦକୁ ଭାରତୀୟ ବାୟୁସେନା ନାମରେ ଯୋଡା ଯାଇଥିଲା । କିନ୍ତୁ ସ୍ୱାଧୀନତାର ତିନି ବର୍ଷ ପରେ ୧୯୫୦ ମସିହାରେ ଏହାକୁ ହଟାଇ ଦିଆଯାଇଥିଲା । ସେବେଠାରୁ ଏହା ଭାରତୀୟ ବାୟୁସେନା ନାମରେ ନାମିତ ହୋଇଛି ।

୪ଟି ଯୁଦ୍ଧରେ ସାମିଲ ହୋଇଛି ଭାରତୀୟ ବାୟୁସେନା

ଦେଶରେ ସ୍ୱାଧୀନତା ପରଠାରୁ ଭାରତୀୟ ବାୟୁସେନା ୪ଟି ଯୁଦ୍ଧରେ ସାମିଲ ହୋଇସାରିଛି । ସେଥିମଧ୍ୟରୁ ତିନୋଟି ପାକିସ୍ତାନ ଏବଂ ଗୋଟିଏ ଚୀନ୍ ବିରୋଧରେ ରହିଛି । ଭାରତୀୟ ବାୟୁସେନାର ଅନ୍ୟାନ୍ୟ ପ୍ରମୁଖ କାର୍ଯ୍ୟରେ ଅପରେସନ୍ ବିଜୟ, ଅପରେସନ୍ ମେଘଦୁତ, ଅପରେସନ୍ କେକଟସ୍, ଅପରେସନ୍ ପୁମଲାଇ, ବାଲାକୋଟ ଏୟାର ଷ୍ଟ୍ରାଇକ୍ ଅନ୍ତର୍ଭୁକ୍ତ ଅଛି । ଏହା ବ୍ୟତୀତ ଜାତିସଂଘର ଶାନ୍ତି ରକ୍ଷା କାର୍ଯ୍ୟରେ ଭାରତୀୟ ବାୟୁସେନା ମଧ୍ୟ ସହଯୋଗ କରିଛି ।

ପେଟ୍ରୋଲ ପମ୍ପ୍‌ ବିସ୍ଫୋରଣ ଟ୍ରାଜେଡି:୨ ଗୁରୁତରଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ

ଭୁବନେଶ୍ୱର: ଭୁବନେଶ୍ୱର ରାଜଭବନ ପାଖ ପେଟ୍ରୋଲ ପମ୍ପରେ ବିସ୍ଫୋରଣ ଟ୍ରାଜେଡି । ଘଟଣାରେ ଆସିଲା ଆଉ ଏକ ଦୁଃଖଦ ଖବର । ଗତକାଲି ଗୁରୁତର ୨ ଜଣଙ୍କ ମଧ୍ୟରୁ ଜଣଙ୍କର ଚିକିତ୍ସାଧୀନ ଅବସ୍ଥାରେ କଟକ ଏସ୍‌ସିବିରେ ମୃତ୍ୟୁ ହୋଇଛି । ଏନେଇ ଏସସିବି ଜରୁରୀକାଳୀନ ଅଧିକାରୀ ଭୁବନାନନ୍ଦ ମହାରଣା ସୂଚନା ଦେଇଛନ୍ତି । ମୃତକ ଜଣକ ହେଲେ ଗଞ୍ଜାମ ଜିଲ୍ଲାର ସତ୍ୟ ନାୟକ । ସେ ଗତକାଲି ପେଟ୍ରୋଲ ପମ୍ପରେ ଥିବା ବେଳେ ବିସ୍ଫୋରଣ ହୋଇଥିଲା । କାଲି ଗୁରୁତର ଅବସ୍ଥାରେ କଟକ ଏସସିବିକୁ ସ୍ଥାନାନ୍ତର ହୋଇଥିଲେ । ବିସ୍ଫୋରଣରେ ତାଙ୍କ ଶରୀରରେ ୬୦ ପ୍ରତିଶତ ପୋଡ଼ି ଯାଇଥିଲା । ତେବେ ଅନ୍ୟ ଜଣଙ୍କ ଅବସ୍ଥ ଏବେ ବି ସ୍ଥିର ରହିଛି ।

ଆଜି ବାୟୁସେନାର ୮୮ତମ ସ୍ଥାପନା ଦିବସ, ଚୀନ ଦେଖିବ ଭାରତୀୟ ବାୟୁସେନାର ଶକ୍ତି ପ୍ରଦର୍ଶନ

ନୂଆଦିଲ୍ଲୀ: ଆଜି ଭାରତୀୟ ବାୟୁସେନାର ୮୮ ତମ ସ୍ଥାପନା ଦିବସ ପାଳନ କରାଯିବ। LACରେ ଚୀନ୍ ବିରୋଧରେ ନିଜ ଶକ୍ତିର ପ୍ରଦର୍ଶନ କରିବା ପରେ ଆଜି ଦିଲ୍ଲୀ ନିକଟରେ ହିଣ୍ଡନ୍ ଏୟାର ବେସରେ ଭାରତର ବାୟୁ ଶକ୍ତି ଦେଖିବାକୁ ମିଳିବ। ଏଥର ହିଣ୍ଡନରେ ମୋଟ ୫୬ ବିମାନ ଯୋଗ ଦେଇଛନ୍ତି । ଏଥିରେ ରାଫେଲ, ସୁଖୋଇ, ମିଗ୍ ୨୯, ମିରାଜ୍, ଜାଗୁଆର୍ ଏବଂ ତେଜସ୍ ମଧ୍ୟ ସାମିଲ ଅଛନ୍ତି । ଏହି ସମୟ ମଧ୍ୟରେ, ହିଣ୍ଡନ ଏୟାରବେସରେ ଜବରଦସ୍ତ ଉଡ଼ାଣ ଦେଖିବାକୁ ମିଳିବ । ଯେଉଁଥିରେ ମୁଖ୍ୟ ଆକର୍ଷଣ ରାଫାଲ୍ ବିମାନ ହେବ ।

ଆଜି ହିଣ୍ଡନ ଏୟାରବେସରେ ଆକାଶରୁ ପାରା-ଜମ୍ପରୁ ଆରମ୍ଭ ହେବ। ଏହି ପାରା-ଜମ୍ପରେ ବାୟୁସେନା ମାନେ ବିମାନରୁ ପାରାଶୁଟ୍ ଦ୍ୱାରା ଜମ୍ପ କରିବେ । ଏହା ପରେ ବାୟୁସେନାମାନେ ମାର୍ଚ୍ଚ ପାଷ୍ଟ  କରିବେ । ମାର୍ଚ୍ଚ ପାଷ୍ଟ ପରେ ବାୟୁସେନା ହେଭି-ଲିଫ୍ଟ ହେଲିକପ୍ଟର M-17 V5 ର ହିଣ୍ଡନ୍ ଏୟାରବେସ୍ ଉପରେ ଉଡ଼ାଣ ଆରମ୍ଭ କରିବେ । ହିଣ୍ଡନ୍ ଏୟାରବେସରେ ସି -୧୩୦ ଜେ ସୁପର ହର୍କ୍ୟୁଲିସ୍ ଟ୍ରାନ୍ସପୋର୍ଟ ବିମାନ ମଧ୍ୟ ଷ୍ଟାଟିକ୍-ଡିସପିଲରେ ଦେଖାଯିବ। ଏହି ସମସ୍ତ ହେଲିକପ୍ଟର ଏବଂ କାର୍ଗୋ ବିମାନ ନିକଟରେ ଚୀନ୍ ସହିତ ହୋଇଥିବା ମୁକାବିଲାରେ LACରେ ବ୍ୟବହାର କରାଯାଇଥିଲା  ।

ହିଣ୍ଡନ୍ ଏୟାରବସ୍ ର ଷ୍ଟାଟିକ୍ ଡିସପ୍ଲେରେ ରାଫେଲ୍ ସର୍ବାଧିକ ସ୍ଥାନ ପାଇଛି । ଫ୍ଲାଏ ପାଷ୍ଟର ଦୁଇଟି ଫର୍ମେସନରେ ରାଫେଲକୁ ସ୍ଥାନ ଦିଆଯାଇଛି । ପ୍ରଥମଟି ହେଉଛି ‘ବିଜୟ’ ଏବଂ ଦ୍ୱିତୀୟଟି ହେଉଛି ‘ଟ୍ରାନ୍ସଫର୍ମର’  । ବିଜୟ ଫର୍ମେସନରେ ରାଫେଲ ସହିତ ମିରାଜ୍ -୨୦୦୦ ଏବଂ ଜାଗୁଆର ଫାଇଟର ବିମାନ ଥିବାବେଳେ ଟ୍ରାନ୍ସଫର୍ମରରେ ସ୍ୱଦେଶୀ LCA-Tejas ଓ ସୁଖୋଇ ଯୁଦ୍ଧ ବିମାନ ରହିବ  ।

ଏହା ବ୍ୟତୀତ ସୁଖୋଇ, ମିଗ୍ -29, ମିରାଜ୍ ୨୦୦୦ ଏବଂ ଜାଗୁଆର ମଧ୍ୟ ଆକାଶରେ ଭାରତର ବାୟୁ ଶକ୍ତି ପ୍ରଦର୍ଶନ କରିବ । ଷ୍ଟାଟିକ୍ ଡିସପ୍ଲେରେ ଅପାଚେ ଆଟାକ୍ ହେଲିକପ୍ଟର, ଆକାଶ କ୍ଷେପଣାସ୍ତ୍ର ପ୍ରଣାଳୀ ଏବଂ ସ୍ୱଦେଶୀ ରାଡାର ପ୍ରଣାଳୀ, ରୋହିଣୀ ମଧ୍ୟ ହିଣ୍ଡନ୍ ଏୟାରବେସରେ ଦେଖିବାକୁ ମିଳିବେ । ଦର୍ଶକଙ୍କ ପାଇଁ ସ୍ୱତନ୍ତ୍ର ସାରଙ୍ଗ ହେଲିକପ୍ଟର ଏବଂ ସୂର୍ଯ୍ୟକିରଣ ଜେଟ ଟିମ୍ ମଧ୍ୟ ଏୟରୋବେଟିକ୍ସ କରୁଥିବା ଦେଖିବାକୁ ମିଳିବ ।

ତେବେ ଏହି ଅବସରରେ ଭାରତର ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମସ୍ତ ଭାରତୀୟ ବାୟୁସେନାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଅନ୍ୟପଟେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଆଜି ଭାରତୀୟ ବାୟୁସେନାର ସ୍ୱତନ୍ତ୍ର ଦିବସରେ ବାୟୁଯୋଦ୍ଧାମାନଙ୍କୁ ସାଲ୍ୟୁଟ୍ କରିଛନ୍ତି ।