spot_img
Home Blog Page 6379

ବିହାର ନିର୍ବାଚନ : NDAରୁ ବାହାରି ଏକାକୀ ଲଢିବ LJP

ପାଟନା : ଯାହା ଆଶା କରାଯାଉଥିଲା, ତାହା ହିଁ ହେଲା । କେନ୍ଦ୍ର କ୍ୟାବିନେଟ୍ ମନ୍ତ୍ରୀ ରାମବିଳାସ ପାଶୱାନଙ୍କ ପାର୍ଟି ଲୋକଜନଶକ୍ତି ପାର୍ଟି(ଏଲଜେପି) ବିହାର ନିର୍ବାଚନ ପୂର୍ବରୁ ନିଜର ଅଲଗା ରାସ୍ତା ତିଆରି କରିଛି । ଜାତୀୟ ଗଣତାନ୍ତ୍ରିକ ମେଣ୍ଟ(ଏନଡିଏ)ରୁ ଅଲଗା ଲଢିବ ଏଲଜେପି । ବିହାର ରାଜନୀତିର ଯଥେଷ୍ଟ ପୂର୍ବରୁ ଏଲଜେପି ଏହି ସୂଚନା ପରୋକ୍ଷରେ ଦେଇ ସାରିଥଇଲା । ଏନଡିଏରେ ଥିବା ଜେଡିୟୁ ବିଶେଷ କରି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ଖୋଲା ଆଲୋଚନା କରୁଥିଲେ ଜୁନିୟର ପାଶୱାନ ଅର୍ଥାତ ଚିରାଗ ।

chirag paswan

ବିହାର ରାଜନୀତିକୁ ଯଦି ଅନୁଶୀଳନ କରାଯାଏ, ତେବେ ନୀତିଶ ହିଁ୧୫ ବର୍ଷ ଧରି ସର୍ବାଧିକ ଥର ମୁଖ୍ୟମନ୍ତ୍ରୀ ରହିଛନ୍ତି । ୨୦୧୪ ପରେ କେବଳ ସ୍ୱଳ୍ପ ସମୟ ପାଇଁ ଜୀତନରାମ ମାଝୀ ମୁଖ୍ୟମନ୍ତ୍ରୀ ହୋଇପାରିଥିଲେ । ବିଧାନସଭା ନିର୍ବାଚନ ଯେତେବେଳ ହୋଇଛି ନୀତିଶ ହିଁ ମୁଖ୍ୟ ଚେହେରା ହୋଇଛନ୍ତି । ଆରଜେଡି ସହ ମିଶି ୨୦୧୫ ହେଉ କି ୨୦୦୫ ଓ ୨୦୧୦ରେ ବିଜେପି ସହ ହେଉ ନୀତିଶ ହିଁ ବଡ଼ ଭାଇର ଭୂମିକା ନିର୍ବାହ କରିଆସିଛନ୍ତି । ଘଟଣାକ୍ରମରେ ୨୦୧୭ରେ ଆରଜେଡ଼ି ଠାରୁ ସମ୍ପର୍କ ଚ୍ଛିନ୍ନ କରି ବିଜେପିର ହାତ ଧରିଥିଲେ ନୀତିଶ । ଏ ସମୟରେ ବି ବଡ଼ ଭାଇ ପଣିଆ ଜାହିର କରିଥିଲେ ନୀତିଶ । ହେଲେ ଆଉ ନୁହେଁ ୨୦୦୫ର ବିଜେପି ଏବଂ ବର୍ତ୍ତମାନ ସମୟର ବିଜେପି ମଧ୍ୟରେ ରହିଛି ବିରାଟ ଫରକ । ୟୁପି ହେଉ କି ଅନ୍ୟ କୌଣସି ହିନ୍ଦୀ ହାର୍ଟଲ୍ୟାଣ ବିଗତ ୨ ଦଶନ୍ଧିରେ ବିଜେପି ହିଁ ଅକ୍ତିଆର କରିଛି । ସବୁ ରାଜ୍ୟରେ ଭାଗୁଆଳି ଦଳ ଅପେକ୍ଷା ନିଜ ସଙ୍ଗଠନ ବିସ୍ତାର କରିଛି ।

ସେହିଦୃଷ୍ଟିରୁ ଦେଖିଲେ ନୀତିଶଙ୍କୁ ରାଜନୈତିକଭାବେ ଗୁରୁତ୍ୱହୀନ କରିବା ପାଇଁ ଏଲଜେପିକୁ ନିଜର ବି-ଟିମ୍ ଭାବେ ବ୍ୟବହାର କରିବାକୁ ଯାଉଛି । ଏଲଜେପି ବିହାର ବିଧାନସଭା ନିର୍ବାଚନରେ ନୀତିଶ କୁମାରଙ୍କ ଦଳ ବିରୋଧରେ ପ୍ରାର୍ଥୀ ଦେବ ବୋଲି ଜଣାପଡିଛି । ବିଜେପି ଲଢୁଥିବା ଆସନରେ ଗୈରିକ ଦଳକୁ ସହଯୋଗ କରିବ । ତେଣୁ ଜେଡିୟୁ ଭୋଟ ବିଭାଜନ ଯେ, ଚିରାଗଙ୍କ ମୁଖ୍ୟ ଉଦ୍ଦେଶ୍ୟ ଏଥିରେ ସନ୍ଦେହ ନାହିଁ ।

ଚିରାଗଙ୍କ ସ୍ଲୋଗାନ ବିହାର ଫାଷ୍ଟ ବିହାରୀ ଫାଷ୍ଟ ଏହି ନିର୍ବାଚନର ମୁଖ୍ୟ ପ୍ରସଙ୍ଗ ହେବ । ନୀତିଶ ଦେଇଥିବା ପ୍ରତିଶ୍ରୁତି ପୂରଣ ନ ହେବା ଭଳି ବିଷୟକୁ ଏଲଜେପି ପ୍ରସଙ୍ଗ କରିବ । ଗତକାଲି ମେଣ୍ଟ ଏବଂ ଆସନ ବୁଝାମଣା ସମ୍ପର୍କରେ ଭାଜପା ଅଧ୍ୟକ୍ଷ ଜେ.ପି ନଡ୍ଡା ଏବଂ ଅନ୍ୟ ଶୀର୍ଷ ନେତାଙ୍କ ସହ ଆଲୋଚନା କରିଥିଲେ ।ସେହିକ୍ରମରେ ଦଳର ସଂସଦୀୟ ବୋର୍ଡର ବୈଠକ ରବିବାର ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଜେଡିୟୁ ଥିବା ମେଣ୍ଟରୁ ଅଲଗା ହୋଇ ଲଢିବା ପାଇଁ ନିଷ୍ପତ୍ତି ହୋଇଥିବା ଜଣାପଡିଛି । ସୂଚନା ଅନୁଯାୟୀ ଜେଡିୟୁ ଲଢିବାକୁ ଥିବା ସମସ୍ତ ଆସନରେ ଏଲଜେପି ପ୍ରାର୍ଥୀ ଦେବ ।

ଲାଲ୍‌ଗଡ଼ରେ ଲାଲ୍‌ବାହିନୀ ବିରୋଧରେ ରଣହୁଙ୍କାର, ଅପରେସନରେ ଥରହର ମାଓବାଦୀ

ଭୁବନେଶ୍ୱର: ମାଓ ଦମନର ମଙ୍ଗ ଧରିଛି ଓଡ଼ିଶା ପୋଲିସ । ଲାଲ୍‌ଗଡ଼ରେ ଲାଲ୍‌ବାହିନୀ ବିରୋଧରେ ରଣହୁଙ୍କାର ଦେଉଛି ପୋଲିସ । ପୋଲିସର ଅପରେସନ ପରେ ଛତ୍ରଭଙ୍ଗ ଦେଲାଣି ଲାଲ୍‌ବାହିନୀ । ମାଓବିରୋଧୀ କାର୍ଯ୍ୟ ଓ ଦେଶଦ୍ରୋହ ମାମଲା ରୁଜୁ କରିବାରେ ଓଡ଼ିଶା ଆଗରେ ଅଛି  । NCRBର ରିପୋର୍ଟ ଅନୁସାରେ ଦେଶଦ୍ରୋହ ଓ ରାଜ୍ୟ ବିରୋଧୀ କାର୍ଯ୍ୟରେ ମାଓବାଦୀଙ୍କ ବିରୋଧରେ ଭାରତରେ ରୁଜୁ ହୋଇଥିବା ସମସ୍ତ ମାମଲା ଓଡ଼ିଶା ପୋଲିସ କରିଛି  । ଅନ୍ୟ ରାଜ୍ୟ ତୁଳନାରେ ମାଓବାଦୀଙ୍କ ପ୍ରତି ଓଡ଼ିଶା ପୋଲିସ କଠୋର ହୋଇଛି । ଓଡ଼ିଶା ପୋଲିସର ମାଓ ଦମନ ରଣନୀତି ଜୋରଦାର ହେବା ପରେ ୧୦ଟି ଜିଲ୍ଲାକୁ ଖସିଛି ମାଓ କାର୍ଯ୍ୟକଳାପ ।  ଆଇପିସିର ଧାରା ୧୨୧- ଭାରତ ସରକାରଙ୍କ ବିରୋଧରେ ଯୁଦ୍ଧ, ୧୨୧-ଏ-  ଅପରାଧ ପାଇଁ ଷଡ଼ଯନ୍ତ୍ର, ୧୨୨- ଯୁଦ୍ଧ ପାଇଁ ଅସ୍ତ୍ର ସଂଗ୍ରହ ଓ ୧୨୩ ଯୁଦ୍ଧକୁ ସହଜ କରିବା ଉଦ୍ଦେଶ୍ୟରେ ଲୁଚି ରହିବା ଆଦି ନେଇ ୧୨୪ ଏ -ରେ ଦେଶଦ୍ରୋହ ମାମଲା ରୁଜୁ କରିଛି ଓଡ଼ିଶା ।

୫ଟି ଜିଲ୍ଲାରେ ଦୁଇ ବର୍ଷ ଧରି ମାଓହିଂସା ଘଟି ନଥିବାରୁ ଏସବୁ ଜିଲ୍ଲାକୁ ରାଜ୍ୟ ସରକାର ମାଓମୁକ୍ତ ଜିଲ୍ଲା ଘୋଷଣା କରିଛନ୍ତି  । ୧୦ଟି ଜିଲ୍ଲା -କୋରାପୁଟ, ମାଲାକାନଗିରି, ରାୟଗଡ଼ା, କନ୍ଧମାଳ, କଳାହାଣ୍ଡି, ବରଗଡ, ବଲାଙ୍ଗୀର, ନୂଆପଡା, ସୁନ୍ଦରଗଡ଼, ନବରଙ୍ଗପୁରରେ ମାଓ କାର୍ଯ୍ୟକଳାପ ନିୟନ୍ତ୍ରଣ କରିବା ପାଇଁ ଓଡ଼ିଶା ପୋଲିସ ଆଲର୍ଟ ରହିଛି  । ଏନ୍‌ସିଆର୍‌ବି ରିପୋର୍ଟ ପରେ କେନ୍ଦ୍ର ଗୃହ ମନ୍ତ୍ରାଳୟର ବରିଷ୍ଠ ସୁରକ୍ଷା ପରାମର୍ଶଦାତା ବିଜୟ କୁମାର ଏବଂ ସିଆର୍ପିଏଫ୍ ଡିଜି ରାମେଶ୍ୱରୀ ଓଡିଶା ପୋଲିସ ଡିଜି ଓ ଗୁଇନ୍ଦା ବିଭାଗର ବରିଷ୍ଠ କର୍ମଚାରୀଙ୍କ ସହ ଆଲୋଚନା କରିଛନ୍ତି । ଓଡ଼ିଶାରେ ମାଓ ବିରୋଧୀ କାର୍ଯ୍ୟକଳାପ ନେଇ ଆଲୋଚନା ହୋଇଛି । ମାଓବାଦୀମାନେ ବନ୍ଧୁକ ଛାଡି ସମାଜର ମୁଖ୍ୟ ସ୍ରୋତକୁ ଫେରି ଆଲୋଚନା ମାଧ୍ୟମରେ ସମସ୍ୟା ସମାଧାନ କରିବା ଉଚିତ ବୋଲି ମାନବାଧିକାର କର୍ମୀ କହିଛନ୍ତି ।

୨୦୧୯ରେ ୪୪ଟି ଅପରାଧିକ କାର୍ଯ୍ୟକଳାପ ଘଟାଇଥିଲେ ମାଓବାଦୀ  । ୧୦ ଜଣ ସାଧାରଣ ଲୋକଙ୍କୁ ହତ୍ୟା କରିଥିଲ । ସେ ଭିତରେ ଜଣେ ପୋଲିସ କର୍ମଚାରୀ ଥିଲେ  । ଅନ୍ୟପକ୍ଷରେ ୮ ଜଣ ମାଓବାଦୀଙ୍କୁ କରାଯାଇଥିଲା । ୧୩ ଜଣ ମାଓବାଦୀ ଆତ୍ମସମର୍ପଣ କରିଥିଲେ ଓ ୫୦ଜଣ ଗିରଫ ହୋଇଥିଲେ । ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ୧୪ଟି ଗୁଳିବିନିମୟ  ହୋଇଥିଲା

ବହୁ ଦେଶ ଭାରତକୁ ଉଡ଼ାଣ ନେଇ ଦେଲେ ନାହିଁ ଅନୁମତି: ଭାରତର ମଧ୍ୟ ସମାନ ଆଭିମୁଖ୍ୟ

ନୂଆଦିଲ୍ଲୀ: କରୋନା ଭାଇରସକୁ ବ୍ୟାପିବାରୁ ରୋକିବା ଲାଗି ଅଧିକାଂଶ ଦେଶରେ ଲକଡାଉନ୍ ଲାଗୁ କରାଯାଇଥିଲା । ଏହାସହିତ ଅନ୍ୟ ଦେଶରୁ ଆସୁଥିବା ବିମାନ ଉପରେ ମଧ୍ୟ ରୋକ୍ ଲାଗାଯାଇଥିଲା । ତେବେ କିଛି ଦେଶମାନଙ୍କରେ ପରିସ୍ଥିତିରେ କିଛି ସୁଧାର ଆସିବା ପରେ ବହୁ ଅନ୍ତର୍ଜାତୀୟ ଫ୍ଳାଇଟ୍ ମଧ୍ୟ ଆରମ୍ଭ କରାଯାଇଛି । ତେବେ ଏବେ ମଧ୍ୟ ଅଧିକାଂଶ ଦେଶରେ କରୋନା ଭୟାବହତାକୁ ଆଖି ଆଗରେ ରଖି ସଂକ୍ରମଣର ଭୟ ଥିବା ଦେଶଗୁଡ଼ିକରୁ ବିମାନ ଆସିବାକୁ ଅନୁମତି ଦେଉନାହାନ୍ତି । ସେହିଭଳି କିଛି ଦେଶ ଏବେ ଭାରତୀୟ ବିମାନର ଉଡ଼ାନ ଉପରେ ମଧ୍ୟ ରୋକ୍ ଲଗାଇଛନ୍ତି ।

ଆମେରିକା:

ମଇ ମାସରେ ଭାରତ ସରକାର ଆମେରିକାରେ ରହୁଥିବା ଭାରତୀୟଙ୍କୁ ଆଣିବା ଲାଗି ବନ୍ଦେ ଭାରତ ମିଶନ ଆରମ୍ଭ କରିଥିଲା । ହେଲେ ଏହାକୁ ଆମେରିକୀୟ ସରକାର ଅନୁମତି ଦେଇନଥିଲେ । ଆମେରିକା ପକ୍ଷରୁ କୁହାଯାଇଥିଲା ଯେ ସମାନ କାର୍ଯ୍ୟକ୍ରମ ପାଇଁ ଆମେରିକାକୁ ଭାରତ ସରକାରଙ୍କ ପକ୍ଷରୁ ଅନୁମତି ଦିଆଯାଇନଥିଲା । ଏଭଳି କରି ଭାରତ ଆମେରିକା ସହ ଭେଦଭାବ ପୂର୍ଣ୍ଣ ବ୍ୟବହାର କରୁଛି ବୋଲି କହିଥିଲା ।  କିନ୍ତୁ ପରେ ଭାରତ ଏବଂ ଆମେରିକା ପ୍ରସଂଗରେ ଏୟାର ବବଲ ସ୍ଥାପନ କରି ମାମଲାର ସମାଧାନ କରାଯାଇଥିଲା ।

ୟୁଏଇ

ଲକ୍‌ଡାଉନ୍ ପରେ ସଂଯୁକ୍ତ ରାଷ୍ଟ୍ର ଏମିରାତର ମଧ୍ୟ ଆମେରିକା ଭଳି ହିଁ କଥା କହିଛି । ସେ ମଧ୍ୟ ଭାରତ ଏବଂ ୟୁଏଇ ମଧ୍ୟରେ କୌଣସି ବିମାନ ଚଳାଚଳ ନେଇ ଅନୁମତି ଦେଉନାହିଁ । ୟୁଏଇ ଅଧିକାରୀ ଜୁନରେ କହିଥିଲେ ଯଦି ଏୟାର ଇଣ୍ଡିଆର ଫ୍ଳାଇଟ୍ ୟୁଏଇ ନାଗରିକ ନେଇଯାଉଛି ତେବେ ସେମାନଙ୍କୁ ବିଶେଷ ଅନୁମତିର ଆବଶ୍ୟକ । ଏହା ପରେ ୟୁଏଇ ମଧ୍ୟରେ ଏୟାର ବବଲ ବ୍ୟବସ୍ଥା ସ୍ଥାପନ କରାଗଲା । ତେବେ ୟୁଏଇରେ ଇଣ୍ଡିଆନ୍ ପ୍ରିମିୟର ଲିଗ ମଧ୍ୟ ଖେଳଯାଉଛି ।

ଜର୍ମାନୀ

ବିମାନ ଚଳାଚଳ ନେଇ ଜର୍ମାନୀ ଶୁକ୍ରବାର କହିଥିଲା ୬ ଅକ୍ଟୋବରରେ ଭାରତ ସହିତ କଥାବାର୍ତ୍ତା କରିବ । ଦୁଇ ଦେଶ ମଧ୍ୟରେ ବିମାନ ଉଡ଼ାଣ କିଭଳି ସ୍ୱାଭାବିକ କରାଯିବ । ଜର୍ମାନୀର ପରିବହନ ଏବଂ ଡିଜିଟାଲ ଆଧାରଭୂତ ଢ଼ାଞ୍ଚା ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି, ଆମକୁ ସଂକେତ ମିଳିଛି ଯେ, ଭାରତକୁ ଉଭୟ ପକ୍ଷ ମଧ୍ୟରେ ତ୍ୱରିତ ଏବଂ ସନ୍ତୋଷଜନକ ସମାଧାନରେ ଆଗ୍ରହ ରଖିଛି । ଏୟାର ଇଣ୍ଡିଆ ଗୁରୁବାର ଫ୍ରେକପ୍ରଣ୍ଟ ଏବଂ ଭାରତ ମଧ୍ୟରେ ୧୪ ଅକ୍ଟୋବର ଯାଏଁ ସମସ୍ତ ଉଡ଼ାଣକୁ ବାତିଲ କରାଯାଇଛି ।

ଏୟାର୍‌ପୋର୍ଟରେ ଲଗାଯାଉଥିବା କ୍ୱାରେଣ୍ଟାଇନ୍‌ ଷ୍ଟାମ୍ପ୍‌ର ରିଆକ୍ସନ୍‌, ପୂର୍ବତନ ସାଂସଦଙ୍କ ଖରାପ ହେଲା ସ୍କିନ୍‌

ନୂଆଦିଲ୍ଲୀ: ଲକ୍‌ଡାଉନ୍‌ ନିୟମରେ ଅନେକାଂଶରେ କୋହଳ ହେବା ପରେ, ଏବେ ବିମାନ ଚଳାଚଳ ସେବା କିଛି ମାତ୍ରାରେ ସ୍ୱାଭାବିକ୍‌ ହେବାରେ ଲାଗିଛି । ତେବେ ଯେଉଁମାନେ ବିଦେଶରୁ ଆସୁଛନ୍ତି ସେମାନଙ୍କ ଚିହ୍ନଟ ପାଇଁ ତାଙ୍କ ହାତରେ ଏକ ଷ୍ଟାମ୍ପ ଲାଗଯାଉଛି । ଯାହା ଦ୍ୱାରା ସେମାନେ ବାହାରେ ନବୁଲି କ୍ୱାରେଣ୍ଟାଇନ୍‌ରେ ରହିବେ । ଯଦି ବାହାରେ ବୁଲିଲେ ତେବେ ସେହି ଷ୍ଟାମ୍ପ ଦେଖି ଲୋକ ଜାଣିପାରିବେ ଯେ, ସେ ବିଦେଶରୁ ଆସିଛନ୍ତ ତାଙ୍କୁ କ୍ୱାରେଣ୍ଟାନ୍‌ରେ ରହିବାକୁ ନିର୍ଦ୍ଦେଶ ରହିଛି ।

ଏବେ ସେହି ଷ୍ଟାମ୍ପକୁ ନେଇ ଆରମ୍ଭ ହୋଇଛି ବିବାଦ । ଷ୍ଟାମ୍ପରେ ବ୍ୟବହାର ହେଉଥିବା କେମିକାଲ କିଛି ଲୋକଙ୍କ ପାଇଁ କ୍ଷତିକାରକ ବୋଲି ଅଭିଯୋଗ ହୋଇଛି । ଏନେଇ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂହ ପୁରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି । ସେ କହିଛନ୍ତି ଏଭଳି ଘଟଣା ମୋ ନଜରକୁ ଆଣିଥିବାରୁ ଧନ୍ୟବାଦ ।

ସୂଚନାଯୋଗ୍ୟ, କଂଗ୍ରେସର ରାଷ୍ଟ୍ରୀୟ ମହାସଚିବ ତଥା ପୂର୍ବତନ ସାଂସଦ ମଧୁ ଗୌଡ଼ ୟାକ୍ଷି ରବିବାର ଟ୍ୱିଟ୍‌ର ହାଣ୍ଡେଲରେ ନିଜ ହାତ ଫଟୋ ପୋଷ୍ଟ କରି ମନ୍ତ୍ରୀ ହରଦୀପ ସିଂହ ପୁରୀଙ୍କୁ ଟ୍ୟାଗ୍‌ କରିଥିଲେ । ଏହି ପୋଷ୍ଟରେ ସେ ଲେଖିଛନ୍ତି ଯେ, ବିଦେଶରୁ ଆସିବା ବେଳେ ନୂଆଦିଲ୍ଲୀ ଏୟାରପୋର୍ଟରେ ତାଙ୍କ ହାତରେ କ୍ୱାରେଣ୍ଟାଇନ୍‌ ଷ୍ଟାମ୍ପ ଲଗାଯାଇଥିଲା । ଆଉ ସେ ଷ୍ଟାମ୍ପରେ ବ୍ୟବହାର ହୋଇଥିବା କେମିକାଲ ଯୋଗୁଁ ତାଙ୍କ ହାତର ସ୍କିନ୍‌ ଖରାପ ହୋଇଛି । ତେଣୁ ଏହି କେମିକାଲ ଓ ଷ୍ଟାମ୍ପ ପ୍ରତି ଧ୍ୟାନ ଦେବା ପାଇଁ ମନ୍ତ୍ରୀଙ୍କୁ ପରାମର୍ଶ ଦେଇଛନ୍ତି ମଧୁ ଗୌଡ଼ ।

ଆଉ ଏହି ପୋଷ୍ଟ ଦେଖିବା ପରେ ମନ୍ତ୍ରୀ ହରଦୀପ ସିଂହ ପୁରୀ ମଧ୍ୟ ଘଟଣା ପ୍ରତି ଧ୍ୟାନ ଦେବେ ବୋଲି କହିଛନ୍ତି । ଅନ୍ୟପଟେ ଏହି ଘଟଣା ପ୍ରତି ତାଙ୍କର ଦୃଷ୍ଟି ଆକର୍ଷଣ କରିଥିବାରୁ ସେ ଧନ୍ୟବାଦ ଦେଇଛନ୍ତି ।

ଘରୋଇ ସ୍କୁଲ କର୍ତ୍ତୃପକ୍ଷଙ୍କ ଦାଦାଗିରି, ରି-ଆଡମିଶନ ଫି ଦେବା ପାଇଁ ବାଧ୍ୟ କରୁଛନ୍ତି କର୍ତ୍ତୃପକ୍ଷ

ଭୁବନେଶ୍ୱର: ସ୍କୁଲ ଫି ଦିଅ, ନହେଲେ ଅନଲାଇନ କ୍ଲାସରେ ବସି ପାରିବ ନାହିଁ  । ଫି ନଦେଲେ ପାଠ ପଢ଼ି ପାରିବେ ନାହିଁ ଛାତ୍ରଛାତ୍ରୀ । ଏ ଭଳି ଧମକ ଆଉ କାହାର ନୁହେଁ । ରାଜଧାନୀରେ ଗଢ଼ି ଉଠିଥିବା ବଡ଼ ବଡ଼ ପ୍ରାଇଭେଟ ସ୍କୁଲର ଦବଙ୍ଗଗିରି । ଘରୋଇ ସ୍କୁଲ କର୍ତ୍ତୃପକ୍ଷ ଛାତ୍ରଛାତ୍ରୀଙ୍କ ଅଭିଭାବକଙ୍କୁ ଦେଉଛନ୍ତି ଏଭଳି ଧମକ  ।  ୟେ ହେଉଛି ଧମକ ଦେଇଥିବା ମେସେଜ  ।

ଏହାରି ବିରୋଧରେ ଭୁବନେଶ୍ୱର ସହିଦ ନଗର ଥାନାରେ ଏତଲା ଦେଇଛନ୍ତି ଅଭିଭାବକ  ।  ଓଡିଶା ହାଇକୋର୍ଟ ସ୍କୁଲ ଫିକୁ ନେଇ ଏକ ରାୟ ଶୁଣାଇଥିଲା । କରୋନା ସମୟରେ ସ୍କୁଲ ଫି ପାଇଁ ସ୍କୁଲର ଅଭିଭାବକ ବାଧ୍ୟ କରିପାରିବେ ନାହିଁ କି କ୍ଲାସରୁ ବଞ୍ଚିତ କରିପାରିବେ ନାହିଁ । କିନ୍ତୁ ଫିକୁ ନେଇ ସ୍କୁଲ କର୍ତ୍ତୃପକ୍ଷ ଆରମ୍ଭ କରିଦେଲେଣି ଦାଦାଗିରି । ଘରୋଇ ସ୍କୁଲର ମନ୍‌ମାନିକୁ ବିରୋଧ କରିଛି ଓଡ଼ିଶା ଅଭିଭାବକ ମହାସଂଘ ।

ଏହି ଧମକପୂର୍ଣ୍ଣ ମେସେଜ ସଂପର୍କରେ ଆମେ ପ୍ରଭୁଜୀ ଇଂଲିଶ ମିଡିୟମ ସ୍କୁଲର ପ୍ରିନ୍ସିପାଲଙ୍କ ସହ ଯୋଗାଯୋଗ କରିଥିଲୁ ।  ଫି ନନେଲେ ଅନୁଷ୍ଠାନ କେମିତି ଚଳାଇବୁ ବୋଲି ଓଲଟା ପ୍ରଶ୍ନ କରିଛନ୍ତି ପ୍ରିନ୍ସିପାଲ । ସମସ୍ତେ ନେଉଛନ୍ତି ଆମେ ବି ନେବୁ ବୋଲି ସେ କହିଛନ୍ତି ।

ବର୍ତ୍ତମାନର ପରିସ୍ଥିତିରେ କୌଣସି ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ଅନଲାଇନ କ୍ଲାସରୁ ବଞ୍ଚିତ କରିପାରିବେ ନାହିଁ ବୋଲି ହାଇକୋର୍ଟ ପୂର୍ବରୁ କହିଥିଲେ  ।  କିନ୍ତୁ ହାଇକୋର୍ଟଙ୍କୁ ଅବମାନନା କରି ବହୁ ସ୍କୁଲ ଏଭଳି ନିଷ୍ପତ୍ତି ନେଉଥିବା ଅଭିଯୋଗ ହୋଇଛି

ହସ୍ପିଟାଲକୁ ମଧ୍ୟ ସାରା ବିଶ୍ୱକୁ ଧ୍ୱସଂ କରିପାରୁଥିବା ‘ନ୍ୟୁକ୍ଳିୟର ଫୁଟବଲ’ ନେଇ ଯାଇଛନ୍ତି ଡୋନାଲ୍ଡ ଟ୍ରମ୍ପ

ଓ୍ୱାସିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ତାଙ୍କୁ ଓ୍ୱାଲ୍ଟର ରୋଡ ନ୍ୟାସନାଲ ମେଡିକାଲ ସେଣ୍ଟରକୁ ନିଆଯାଇଛି । ସ୍ଥାନାନ୍ତର ବେଳେ ତାଙ୍କ ସହ କିଛି ଜିନିଷ ନିଆଯାଉଥିବା ଦେଖିବାକୁ ମିଳିଛି । ଯାହା ଉପରେ ଏବେ ସମସ୍ତଙ୍କ ନଜର ରହିଛି । ଡୋନାଲ୍ଡ ଟ୍ରମ୍ପ ନିଜ ସହିତ ନ୍ୟୁକ୍ଳିୟର ଫୁଟବଲ ନେଇ କରିଯାଇଛନ୍ତି । ଯାହା ସାରା ବିଶ୍ୱକୁ ଧ୍ୱସଂ କରିପାରେ । କରୋନା ସଂକ୍ରମିତ ହେଲା ପରେ ବି ପ୍ରୋଟକଲ ପାଳନ ଦୃଷ୍ଟିରୁ ତାଙ୍କ ସହ ନ୍ୟୁକ୍ଳିୟର ଫୁଟବଲକୁ ନିଆଯାଇଥିଲା ।

ଟ୍ରମ୍ପଙ୍କ ସହିତ ଯାଇଛି ସୁଟକେସ୍

ସୁଟକେସଟି ସର୍ବଦା ଆମେରିକୀୟ ରାଷ୍ଟ୍ରପତିଙ୍କ ସହିତ ରହିଥାଏ । ଏହାକୁ Presidential Emergency Satchel କୁହାଯାଏ । ତାଙ୍କ ସହିତ ଜଣେ ସାଥି ମଧ୍ୟ ରହିଥାନ୍ତି ଯିଏ ଆବଶ୍ୟକ ପଡ଼ିଲେ ତୁରନ୍ତ ପରମାଣୁ ଆକ୍ରମଣ କରିବାକୁ ପ୍ରସ୍ତୁତ ରହିଥାଏ ।

୧୯୬୨ ମସିହାରେ କ୍ୟୁବନ ମିସାଇଲ ସଂକଟ ପରେ ତତ୍କାଳୀନ ରାଷ୍ଟ୍ରପତି ଜନ୍ଏଫ୍ କେନେଡି ଆମେରିକା ପ୍ରତି ବିପଦ ଅନୁଭବ କରିଥିଲେ । ଏହା ପର ଠାରୁ ଆମେରିକାର ସବୁ ରାଷ୍ଟ୍ରପତିଙ୍କ ସହିତ ଏହି ଏହି ଫୁଟବଲଟି ରହିଥାଏ । ଏବଂ ଏହା ସବୁ ସମୟରେ ପରମାଣୁ ଆକ୍ରମଣ ନେଇ ପ୍ରସ୍ତୁତ ରଖାଯାଇଥାଏ ।  ଏହାକୁ ଏହାର ନାମ Eisenhower ସମୟର ପରମାଣୁ ଯୁଦ୍ଧ ପ୍ଳାନ୍ Dropkick ଠାରୁ ମିଳିଥିଲା । ଏହାର ଉଦ୍ଦେଶ୍ୟ ଥିଲା ସବୁ ସମୟରେ ରାଷ୍ଟ୍ରପତିଙ୍କୁ ପରମାଣୁ ଯୁଦ୍ଧ ପାଇଁ ପ୍ରସ୍ତୁତ ରଖିବା । ଏଭଳି ମୋଟ ୩ ବ୍ୟାଗ୍ ରହିଛି । ଗୋଟିଏ ରାଷ୍ଟ୍ରପତି ଅନ୍ୟ ଏକ ଉପ ରାଷ୍ଟ୍ରପତି ଏବଂ ତୃତୀୟ ଟି ହ୍ୱାଇଟ୍ ହାଉସ୍ ଭିତରେ ରହିଥାଏ । ଏହାକୁ ଦେଖୁଥିବା ଅଫିସରଙ୍କ ନିକଟରେ Beretta  ପିସ୍ତଲ ରହିଥାଏ । ଫଳରେ ସେମାନେ ଏହାକୁ ସୁରକ୍ଷା ଯୋଗାଇପାରିବେ ।

ତେବେ ଏ ସମ୍ପର୍କିତ ସମସ୍ତ ସୂଚନାକୁ ସାର୍ବଜାନୀନ କରାଯାଇନାହିଁ । ଏଥିରେ ସବୁବେଳେ ପରିବର୍ତ୍ତନ କରାଯାଏ । ତେବେ ସୁଟକେସ୍ ବାହାରକୁ ଏକ ଆଣ୍ଟିନା ବାହାରିଥାଏ । ଏଥିସହିତ ସେଟାଲାଇଟ୍ ଫୋନ୍, ୭୫ ପୃଷ୍ଠାର ଏକ ପୁସ୍ତକ ମଧ୍ୟ ଏହି ସୁଟକେସ୍ ମଧ୍ୟରେ ରହିଛି । ଯେଉଁଥିରେ ରାଷ୍ଟ୍ରପତିଙ୍କ ପାଇଁ ପରମାଣୁ ଆକ୍ରମଣର ବିକଳ୍ପ ଦିଆଯାଇଥାଏ । ଏକ ଲେମିନେଟ୍ ହୋଇଥିବା କାର୍ଡ ‘Biscuit’ ଏବଂ ସେନାର ପ୍ରମୁଖ ଅଧିକାରୀ ଏବଂ ବ୍ରଡକାଷ୍ଟ ସମ୍ପର୍କ ନମ୍ୱର ମଧ୍ୟ ରହିଥାଏ । ଏହା ଏକ କ୍ରେଡିଟ କାର୍ଡ ଭଳି ଲାଗିଥାଏ ଯାହା ଉପରେ ଲେଟର ଏବଂ ନମ୍ୱର ଲାଗିଥାଏ ।

‘ଯେଉଁ ଦିନ କଂଗ୍ରେସ ସତ୍ତାକୁ ଆସିବ, ସେହିଦିନ କୃଷି ଆଇନ୍ ଅଳିଆ ଗଦାକୁ ଯିବ’‌

ପଞ୍ଜାବ: ତିନି ନୂଆ କୃଷି ଆଇନ୍‌ ବିରୋଧରେ ପୁଣି ମୁହଁ ଖୋଲିଲେ ରାହୁଲ । ପଞ୍ଜାବର ମୋଗାରେ କ୍ଷେତି ବଞ୍ଚାଅ ରାଲିରେ ଯୋଗ ଦେଇ ରାହୁଲ କହିଛନ୍ତି, ଯଦି ସରକାରଙ୍କୁ ଏହି ବିଲ୍‌ ପାସ୍‌ କରିବାର ଥିଲା ତେବେ ପୂର୍ବରୁ ଏନେଇ ରାଜ୍ୟସଭା ଓ ଲୋକସଭାରେ ଚର୍ଚ୍ଚା କରିବାର ଥିଲା । କୃଷକ ମାନଙ୍କ ଉଦେଶ୍ୟରେ ରାହୁଲ ଗାନ୍ଧି କହିଛନ୍ତି, ଯେଉଁ ଦିନ କଂଗ୍ରେସ ସରକାରକୁ ଆସିବ ସେହିଦିନ ଏହି ତିନୋଟି ଯାକ କଳା କାନୁନକୁ ଡଷ୍ଟବିନ୍‌ରେ ଫିଙ୍ଗିଦିଆଯିବ ।

ଚଷୀଙ୍କ ସହ କଂଗ୍ରେସ

କଂଗ୍ରେସ ପଞ୍ଚାବର ଚାଷୀଙ୍କୁ ଭରସା ଦେଉଛି ଯେ, ସାରା ଦେଶର ଚାଷୀଙ୍କ ସହ ରହିଛି କଂଗ୍ରେସ । ନିଜ ପ୍ରତିଶ୍ରୁତିରୁ ଇଞ୍ଚେ ବି ପଚକୁ ହଟିବ ନାହିଁ ଦଳ । ରାହୁଲ ଆହୁରି କହିଛନ୍ତି ଯେ, ନରେନ୍ଦ୍ର ମୋଦି ସରକାର ଏମ୍‌ଏସ୍‌ପି କୁ ସମ୍ପୂର୍ଣ୍ଣ ଶେଷ କରିବାକୁ ଚାହୁଁଛନ୍ତି । ସେ ଚାଷର ବଜାରକୁ ସମ୍ପୂର୍ଣ୍ଣ ଭାବେ ଆଦାନୀ ଓ ଆମ୍ବାନୀ ହାତରେ ଟେକି ଦେବାକୁ ଚାହୁଁଛନ୍ତି । କିନ୍ତୁ କଂଗ୍ରେସ ଏହା କେବେ ବି ହେବାକୁ ଦେବନାହିଁ ।

ରାହୁଲ ପ୍ରଶ୍ନ କରିଛନ୍ତି ଯେ, ଯଦି ଏହି ନୂଆ ନିୟମରେ ଚାଷୀମାନେ ଖୁସି ଅଛନ୍ତି, ତେବେ ସାରା ଦେଶରେ ଚାଷୀ କାହିଁକି ରାଜରାସ୍ତାକୁ ଓହ୍ଲାଇଛନ୍ତି ? କାହିଁକି ଚାଷୀମାନେ ଆନ୍ଦୋଳନ କରୁଛନ୍ତି ? ପଞ୍ଚାବରେ କାହିଁକି ଚାଷୀ ଆଜି ପ୍ରଦର୍ଶନ କରୁଛନ୍ତି ? କରୋନା ସମୟରେ ଏଭଳି ଆଇନ୍‌ ଆଣିବା କ’ଣ ଜରୁରୀ ଥିଲା? କାହିଁ ସରକାର ଏହି ଆଇନ୍‌ ଆଣିବା ପାଇଁ ଏତେ ବ୍ୟଗ୍ର ଥିଲେ ?

ରାହୁଲ କହିଛନ୍ତି ଯେ, ଚାଷୀଙ୍କ ଉତ୍ପାଦିତ ସାମଗ୍ରୀ କିଣା ବିକା ପାଇଁ ଥିବା ବ୍ୟବସ୍ଥାରେ ଅନେକ ସମସ୍ୟା ରହିଛି ସତ । ହେଲେ ଏହାକୁ ସମାଧାନ କରିବା ପରିବର୍ତ୍ତେ ସରକାର ସମ୍ପୂର୍ଣ୍ଣ ରୂପେ ନଷ୍ଟ କରିବାକୁ ଚାହୁଛନ୍ତି । ଏହି କିଣା ବିକା ବ୍ୟବସ୍ଥା ଯଦି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଏ ତେବେ ଚାଷୀଙ୍କ ପାଖରେ ଆଉ କିଛି ରହିବ ନାହିଁ । ଚାଷୀ ସର୍ବସ୍ୱାନ୍ତ ହୋଇଯିବେ । ଚାଷୀଙ୍କ ପରାଧିନ ହୋଇଯିବେ । ଚାଷୀଙ୍କୁ ଅନେକ କ୍ଷତି ସହିବାକୁ ପଡ଼ିବ । ଚାଷୀମାନଙ୍କୁ ସିଧାସଳଖ ଆମ୍ବାନୀ ଓ ଆଦାନୀଙ୍କ ସହ କଥା ହେବାକୁ ପଡ଼ିବ । ଯେଉଁଥରେ ନୀରିହ ଚାଷୀ ବଳି ପଡ଼ିବ ।

ମୋଦି ନୁହେଁ ଆମ୍ବାନୀ-ଆଦାନୀଙ୍କ ସରକାର

ରାହୁଲ ଗାନ୍ଧି ପୁଣି ଏହି ସଭାରେ କହିଛନ୍ତି ଯେ, ଦେଶରେ ନାଁକୁ ମାତ୍ର ନରେନ୍ଦ୍ର ମୋଦି ସରକାର ଚାଲିଛି, ବାସ୍ତବରେ ଏହା ଆମ୍ବାନୀ ଓ ଆଦାନୀଙ୍କ ସରକାର ଚାଲିଛି । ନରେନ୍ଦ୍ର ମୋଦିଙ୍କୁ ଆମ୍ବାନୀ ଓ ଆଦାନୀ ଚଲାଉଛନ୍ତି । ମୋଦି ଏମାନଙ୍କ ପାଇଁ ରାସ୍ତା ସଫା କରୁଛନ୍ତି ଆଉ ଏମାନେ ମୋଦିଙ୍କୁ ସମର୍ଥନ କରୁଛନ୍ତି ।

ସଞ୍ଜିବନୀ (ପ୍ଲାଜମା) ସଂଗ୍ରହରେ ଆଗୁଆ ହେଲା ରାଉରକେଲା, ପଶ୍ଚିମ ଓଡିଶାର ଗୁରୁତର କରୋନା ରୋଗୀଙ୍କୁ ଦେଉଛି ଜୀବନ

ରାଉରକେଲା: କରୋନା ପାଇଁ ଚାଲିଛି ଅହରହ ସଂଘର୍ଷ । କରୋନା ପ୍ରତିଷେଧକ ବାହାରି ନାହିଁ । ଠିକ୍‌ ଏତିକିବେଳେ ସଞ୍ଜିବନୀ ଭାବେ ଉଭା ହୋଇଛି ପ୍ଲାଜମା । କରୋନାରେ ଅତି ଗୁରୁତର ରୋଗୀ ମଧ୍ୟ ସୁସ୍ଥ ହେଉଛନ୍ତି ପ୍ଲାଜମା ପାଇଁ । ସେଥିପାଇଁ ରାଜ୍ୟରେ ପ୍ଲାଜମା ଡୋନେଟକୁ ରାଜ୍ୟ ସରକାର ସ୍ୱୀକୃତି ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ଆହ୍ୱାନ ମଧ୍ୟ ଦେଇଛନ୍ତି ପ୍ଲାଜମା ଦାନ କରିବାକୁ ଆଗେଇ ଆସିବା ପାଇଁ । ଆଉ ଏବେ ଏହି ପ୍ଲାଜମା ସଂଗ୍ରହରେ ରାଉରକେଲା ଓଡିଶାରେ ପ୍ରଥମ ହୋଇଛି । ରାଉରକେଲାରେ ୨୦୨୦ ଜୁଲାଇ ୩୦ରେ ଖୋଲାଯାଇଥିବା ରାଜ୍ୟର ତୃତିୟ ପ୍ଲାଜମା ବ୍ୟାଙ୍କ  ।

ତେବେ ରେକର୍ଡରେ ରାଉରକେଲା ଇସ୍ପାତ ଜେନେରାଲ ହସ୍ପିଟାଲ ପ୍ଲାଜମା ବ୍ୟାଙ୍କରେ ୧୦୪ ଜଣଙ୍କ ଠାରୁ  ପ୍ଲାଜମା ସଂଗ୍ରହ କରି ସମଗ୍ର ରାଜ୍ୟରେ ପ୍ରଥମ ସ୍ଥାନ ଅଧିକାର କରିଛି ଏହି ବ୍ୟାଙ୍କ  । ପାଞ୍ଚ ଜଣ ଡାକ୍ତର, ପୋଲିସ, ଓଢ୍ରାଫ, ସି.ଆର.ପି.ଏଫ ଜବାନ, ରାଉରକେଲା ଇସ୍ପାତ କାରଖାନା କର୍ମଚାରୀଙ୍କ ସହ କିଛି ସ୍ୱେଚ୍ଛାସେବୀ ପ୍ଲାଜମା ଦାନ କରିଛନ୍ତି । ଏନେଇ ମୁଖ୍ୟମନ୍ତ୍ରୀଙ୍କ ସହ ସୁନ୍ଦରଗଡ ଜିଲ୍ଲା ପ୍ରଶାସନ ଓ ସ୍ଥାନିୟ କିଛି ସ୍ୱେଚ୍ଛାସେବୀ ଅନୁଷ୍ଠାନକୁ  ଧନ୍ୟବାଦ ଦେଇଛନ୍ତି ବିଧାୟକ ସାରଦା ପ୍ରସାଦ ନାୟକ  । ଅଧିକରୁ ଅଧିକ  ପ୍ଲାଜମା କିପରି ସଂଗ୍ରହ କରାଯାଇ ପାରିବ ସେନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଉଦ୍ୟମ ଜାରି ରହିଛି ।

ପ୍ଲାଜମା ଦାନ କରୁଥିବା ଲୋକଙ୍କୁ ଉତ୍ସାହିତ କରିବା ପାଇଁ ଜିଲ୍ଲା ପ୍ରଶାସନର ସହଯୋଗରେ ରାଉରକେଲାର ବିଭିନ୍ନ ସଙ୍ଗଠନ ପକ୍ଷରୁ ପ୍ଲାଜମା ଦାତାଙ୍କୁ ସମ୍ବର୍ଦ୍ଧିତ କରାଯାଉଛି  । କରୋନାରେ ଆକ୍ରାନ୍ତ ହୋଇ ସୁସ୍ଥ ହେଉଥିବା ବ୍ୟକ୍ତିମାନେ ପ୍ଲାଜମା ଦେଇ ଖୁସି ପ୍ରକାଶ କରିଛନ୍ତି  । ରାଉରକେଲା  ପ୍ଲାଜମା ବ୍ୟାଙ୍କରେ ସଂଗ୍ରୁହିତ ପ୍ଲାଜମା ପୂରା ପଶ୍ଚିମ ଓଡିଶାର ଗୁରୁତର କରୋନା ରୋଗୀଙ୍କୁ ଜୀବନ ବଞ୍ଚାଇବାରେ ସହାୟକ ହେଉଛି  ।

ଆରଜେଡ଼ି ନେତାଙ୍କୁ ଗୁଳି ମାରି ହତ୍ୟା , ତେଜସ୍ୱୀ ଯାଦବଙ୍କୁ ଦାୟୀ କଲେ ପରିବାର

ପାଟନା: ବିହାର ବିଧାନସଭା ନିର୍ବାଚନକୁ ହାତଗଣତି ଦିନ ରହିଛି । ଏହା ପୂର୍ବରୁ ରାଷ୍ଟ୍ରୀୟ ଜନତା ଦଳ ନେତା ଶକ୍ତି ମଲ୍ଲିକଙ୍କ ହତ୍ୟା ହୋଇ ଯାଇଛି । ରବିବାର ପାହାନ୍ତିଆ ରାତି ୩ଟା ପାଖାପାଖି ସମୟରେ କିଛିଜଣ ଦୁବୁର୍ତ୍ତ ଘରେ ଶକ୍ତିଙ୍କ ଘରେ ପସି ତାଙ୍କ ଉପରେ ଗୁଳିଚାଳନା କରି ଫେରାର ହୋଇଯାଇଛନ୍ତି । ଆଉ ଏହି ହତ୍ୟା ପାଇଁ ଶକ୍ତିଙ୍କ ପତ୍ନୀ ଏବଂ ସମ୍ପର୍କୀୟ ରାଷ୍ଟ୍ରୀୟ ଜନତା ଦଳର ଶୀର୍ଷ ନେତା ତଥା ବିହାର ବିଧାନସଭାର ବିରୋଧୀ ଦଳ ନେତା ତେଜସ୍ୱୀ ଯାଦବଙ୍କ ଉପରକୁ ଅଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି ।

କିଛିଦିନ ତଳେ ଶକ୍ତି ବିହାର ରାଣୀଗଞ୍ଜ ବିଧାନସଭା ଆସନରୁ ଲଢିବା ପାଇଁ ଶକ୍ତି ଇଚ୍ଛା ପ୍ରକାଶ କରିଥିଲେ । ଏଥିପାଇଁ ତେଜସ୍ୱୀ ଯାଦବଙ୍କ ନିକଟକୁ ଟିକେଟ ପାଇଁ ଯାଇଥିଲେ । ହେଲେ ଏକଦା ଆରଜେଡିର ଏସସିଏସଟି ସେଲର ପୂର୍ବ ସଚିବ ଥିବା ଶକ୍ତିଙ୍କୁ ଟିକେଟ ପାଇଁ ସିଧା ମନା କରାଯାଇଥିଲା । ଏପରିକି ଟିକେଟ୍ ପାଇଁ ତାଙ୍କୁ ୫୦ ଲକ୍ଷ ଟଙ୍କା ମଗାଯିବା କଥା ମଧ୍ୟ ଶକ୍ତି ଅଭିଯୋଗ ଆଣିଥିଲେ । କେବଳ ଯେ ଟଙ୍କା ମଗାଯାଇଥିଲା ତାହା ନୁହେଁ, ତାଙ୍କ ଜାତି ପ୍ରତି ମଧ୍ୟ ଆକ୍ଷେପମୂଳକ ମନ୍ତବ୍ୟ ଦିଆଯାଇଥିଲା । ଏପରିକି ବିଭିନ୍ନ ସମୟରେ ତାଙ୍କୁ ମାରିଦେବାକୁ ଧମକ ମିଳୁଥିବା ତାଙ୍କ ପରିଜନ କହିଛନ୍ତି । ତାଙ୍କୁ ଗୁଳି କରାଯିବା  ସମୟରେ ଘରେ ତାଙ୍କ ସ୍ତ୍ରୀ , ପିଲା ସହ ଡ୍ରାଇଭର ମଧ୍ୟ ଉପସ୍ଥିତ ଥିଲେ । ତାଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇଥିଲା ସତ ମାତ୍ର ବ୍ୟାପକ ରକ୍ତସ୍ରାବ ଯୋଗୁ ତାଙ୍କର ପ୍ରାଣବାୟୁ ଉଡିଯାଇଥିଲେ । ଏଥିସହିତ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ ।

ତେଜସ୍ୱୀ ଯାଦବଙ୍କ ସମେତ ଶକ୍ତିଙ୍କ ମୃତ୍ୟୁ ପାଇଁ  ଅରାରିୟା ଅଞ୍ଚଳର କାଲୋ ପାଶ୍ୱୱାନ, ସୁନୀତି ଦେବର ଏବଂ ତେଜସ୍ୱୀଙ୍କ ନିକଟତମ କୁହାଯାଉଥିବା ଅନିଲ ସାଧୁଙ୍କ ଉପରକୁ ମଧ୍ୟ ଅଙ୍ଗୁଳି ଉଠିଛି । ରାଜନୈତିକ ସମୀକ୍ଷକଙ୍କ କହିବାନୁଯାୟୀ, ଏହି ହତ୍ୟାରେ ଯଦି ପ୍ରକୃତରେ ତେଜସ୍ୱୀ ଯାଦବଙ୍କ ସଂପୃକ୍ତି ଥାଏ, ତେବେ ଏହା ତାଙ୍କ ରାଜନୈତିକ ଜୀବନକୁ ପ୍ରଭାବିତ କରିବ । ଆରେଜେଡି ବ୍ୟାକଫୁଟରେ ରହିବ । ଘଟଣାର ନିରପକ୍ଷ ତଦନ୍ତ ହେବାର ଆବଶ୍ୟକତା ରହିଛି ।

ବିଚ୍‌ ରାସ୍ତାରେ ମିଠା ଦୋକାନୀଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ

ଭୁବନେଶ୍ୱର: ରାଜଧାନୀରେ ମର୍ଡର ଲାଇଭ୍ ।  ରାଜଧାନୀରେ ଦିନ ଦ୍ୱିପ୍ରହରରେ ହତ୍ୟା କାଣ୍ଡ । ଫିଲ୍ମ ଷ୍ଟାଇଲରେ ବିଚ୍ ରାସ୍ତାରେ ଗୋଡାଇ ଗୋଡ଼ାଇ ହାଣିଲେ ଦୁବୃର୍ତ୍ତ । ସାମନ୍ତରାପୁରରେ ମିଠା ଦୋକାନୀକୁ ହତ୍ୟା ଅଭିଯୋଗ । ପୂର୍ବ ଶତ୍ରୁତାକୁ କନ୍ଦ୍ର କରି ହତ୍ୟା ହୋଇଥିବା ଅଭିଯୋଗ ହୋଇଛି । ମୃତକଙ୍କ ନାମ ହେଉଛି ଶମ୍ଭୁନାଥ । କିଛି ଦୁର୍ବୃତ୍ତ ତାଙ୍କ ବେକକୁ ହାଣୀ ହତ୍ୟା କରିଥିବା ଅଭିଯୋଗ ହୋଇଛି । ହତ୍ୟାକୁ ନେଇ ପ୍ରତିବାଦରେ ସାମନ୍ତରାପୁରରେ ପୋଡ଼ା ଜଳା । ପୁରୀ ଯାଉଥିବା ରାସ୍ତାକୁ ଟାୟାର ଜାଳି ବନ୍ଦ କରିଛନ୍ତି ସ୍ଥାନୀୟ ଲୋକେ ।

ଘଟଣା ସ୍ଥଳରେ ଲିଙ୍ଗରାଜ ଥାନା ପୋଲିସ ପହଞ୍ଚି ତାର ତଦନ୍ତ ଆରମ୍ଭ କରିଛି । ଦୁର୍ବୃତ୍ତ ମାନଙ୍କୁ ଗିରଫ କରିବା ପାଇଁ ପ୍ରତିବାଦରେ ମୃତ ଦେହକୁ ରାସ୍ତା ଉପରେ ରଖି ଧାରଣା ଦେଇଛନ୍ତି ପରିବାର ଲୋକେ । ପରିବାର ଲୋକଙ୍କ କହିବା ଅନୁଯାୟୀ ଶମ୍ଭୁକୁ ରାସ୍ତା ଉପରେ ଗୋଡ଼ାଇ ଗୋଡ଼ାଇ ହାଣିଥିଲେ ଦୁର୍ବୃତ୍ତ । ତେବେ ଯେଉଁମାନଙ୍କ ନାମରେ ପରିବାର ଲୋକେ ଅଭିଯୋଗ କରିଛନ୍ତି ସେମାନେ ଏବେ ଫେରାର ରହିଛନ୍ତି ।

ସୂଚନା ଅନୁଯାୟୀ, ହତ୍ୟା ପଛରେ ଦିଲୁ ବେହେରାର ହାତ ଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି । କିଛି ଦିନ ପୂର୍ବରୁ ଦିଲୁ ନାମକ ମିଠା ଦୋକାନୀଙ୍କ ପାଖରେ ଜମ୍ବୁ କାମ କରୁଥିଲେ । ସେଠାରୁ ବାହାରି ନିଜେ ମିଠା ଦୋକାନ କରିଥିଲେ ଜମ୍ବୁ । ବ୍ୟାବସାୟିକ ଶତ୍ରୁତାରୁ ଜମ୍ବୁଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ସେପଟେ ବିଭିନ୍ନ ତଥ୍ୟ ଆଧାରରେ ପୋଲିସ ତଦନ୍ତ ଆରମ୍ଭ କରିଛି । ଖୁବ୍‌ଶୀଘ୍ର ଅଭିଯୁକଙ୍କୁ ଗିରଫ କରାଯିବ ଓ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦିଆଯିବା ବୋଲି ପୋଲିସ ପ୍ରତିଶ୍ରୁତି ଦେଇଛି ।