‘ଯେଉଁ ଦିନ କଂଗ୍ରେସ ସତ୍ତାକୁ ଆସିବ, ସେହିଦିନ କୃଷି ଆଇନ୍ ଅଳିଆ ଗଦାକୁ ଯିବ’‌

1 min read

ପଞ୍ଜାବ: ତିନି ନୂଆ କୃଷି ଆଇନ୍‌ ବିରୋଧରେ ପୁଣି ମୁହଁ ଖୋଲିଲେ ରାହୁଲ । ପଞ୍ଜାବର ମୋଗାରେ କ୍ଷେତି ବଞ୍ଚାଅ ରାଲିରେ ଯୋଗ ଦେଇ ରାହୁଲ କହିଛନ୍ତି, ଯଦି ସରକାରଙ୍କୁ ଏହି ବିଲ୍‌ ପାସ୍‌ କରିବାର ଥିଲା ତେବେ ପୂର୍ବରୁ ଏନେଇ ରାଜ୍ୟସଭା ଓ ଲୋକସଭାରେ ଚର୍ଚ୍ଚା କରିବାର ଥିଲା । କୃଷକ ମାନଙ୍କ ଉଦେଶ୍ୟରେ ରାହୁଲ ଗାନ୍ଧି କହିଛନ୍ତି, ଯେଉଁ ଦିନ କଂଗ୍ରେସ ସରକାରକୁ ଆସିବ ସେହିଦିନ ଏହି ତିନୋଟି ଯାକ କଳା କାନୁନକୁ ଡଷ୍ଟବିନ୍‌ରେ ଫିଙ୍ଗିଦିଆଯିବ ।

ଚଷୀଙ୍କ ସହ କଂଗ୍ରେସ

କଂଗ୍ରେସ ପଞ୍ଚାବର ଚାଷୀଙ୍କୁ ଭରସା ଦେଉଛି ଯେ, ସାରା ଦେଶର ଚାଷୀଙ୍କ ସହ ରହିଛି କଂଗ୍ରେସ । ନିଜ ପ୍ରତିଶ୍ରୁତିରୁ ଇଞ୍ଚେ ବି ପଚକୁ ହଟିବ ନାହିଁ ଦଳ । ରାହୁଲ ଆହୁରି କହିଛନ୍ତି ଯେ, ନରେନ୍ଦ୍ର ମୋଦି ସରକାର ଏମ୍‌ଏସ୍‌ପି କୁ ସମ୍ପୂର୍ଣ୍ଣ ଶେଷ କରିବାକୁ ଚାହୁଁଛନ୍ତି । ସେ ଚାଷର ବଜାରକୁ ସମ୍ପୂର୍ଣ୍ଣ ଭାବେ ଆଦାନୀ ଓ ଆମ୍ବାନୀ ହାତରେ ଟେକି ଦେବାକୁ ଚାହୁଁଛନ୍ତି । କିନ୍ତୁ କଂଗ୍ରେସ ଏହା କେବେ ବି ହେବାକୁ ଦେବନାହିଁ ।

ରାହୁଲ ପ୍ରଶ୍ନ କରିଛନ୍ତି ଯେ, ଯଦି ଏହି ନୂଆ ନିୟମରେ ଚାଷୀମାନେ ଖୁସି ଅଛନ୍ତି, ତେବେ ସାରା ଦେଶରେ ଚାଷୀ କାହିଁକି ରାଜରାସ୍ତାକୁ ଓହ୍ଲାଇଛନ୍ତି ? କାହିଁକି ଚାଷୀମାନେ ଆନ୍ଦୋଳନ କରୁଛନ୍ତି ? ପଞ୍ଚାବରେ କାହିଁକି ଚାଷୀ ଆଜି ପ୍ରଦର୍ଶନ କରୁଛନ୍ତି ? କରୋନା ସମୟରେ ଏଭଳି ଆଇନ୍‌ ଆଣିବା କ’ଣ ଜରୁରୀ ଥିଲା? କାହିଁ ସରକାର ଏହି ଆଇନ୍‌ ଆଣିବା ପାଇଁ ଏତେ ବ୍ୟଗ୍ର ଥିଲେ ?

ରାହୁଲ କହିଛନ୍ତି ଯେ, ଚାଷୀଙ୍କ ଉତ୍ପାଦିତ ସାମଗ୍ରୀ କିଣା ବିକା ପାଇଁ ଥିବା ବ୍ୟବସ୍ଥାରେ ଅନେକ ସମସ୍ୟା ରହିଛି ସତ । ହେଲେ ଏହାକୁ ସମାଧାନ କରିବା ପରିବର୍ତ୍ତେ ସରକାର ସମ୍ପୂର୍ଣ୍ଣ ରୂପେ ନଷ୍ଟ କରିବାକୁ ଚାହୁଛନ୍ତି । ଏହି କିଣା ବିକା ବ୍ୟବସ୍ଥା ଯଦି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଏ ତେବେ ଚାଷୀଙ୍କ ପାଖରେ ଆଉ କିଛି ରହିବ ନାହିଁ । ଚାଷୀ ସର୍ବସ୍ୱାନ୍ତ ହୋଇଯିବେ । ଚାଷୀଙ୍କ ପରାଧିନ ହୋଇଯିବେ । ଚାଷୀଙ୍କୁ ଅନେକ କ୍ଷତି ସହିବାକୁ ପଡ଼ିବ । ଚାଷୀମାନଙ୍କୁ ସିଧାସଳଖ ଆମ୍ବାନୀ ଓ ଆଦାନୀଙ୍କ ସହ କଥା ହେବାକୁ ପଡ଼ିବ । ଯେଉଁଥରେ ନୀରିହ ଚାଷୀ ବଳି ପଡ଼ିବ ।

ମୋଦି ନୁହେଁ ଆମ୍ବାନୀ-ଆଦାନୀଙ୍କ ସରକାର

ରାହୁଲ ଗାନ୍ଧି ପୁଣି ଏହି ସଭାରେ କହିଛନ୍ତି ଯେ, ଦେଶରେ ନାଁକୁ ମାତ୍ର ନରେନ୍ଦ୍ର ମୋଦି ସରକାର ଚାଲିଛି, ବାସ୍ତବରେ ଏହା ଆମ୍ବାନୀ ଓ ଆଦାନୀଙ୍କ ସରକାର ଚାଲିଛି । ନରେନ୍ଦ୍ର ମୋଦିଙ୍କୁ ଆମ୍ବାନୀ ଓ ଆଦାନୀ ଚଲାଉଛନ୍ତି । ମୋଦି ଏମାନଙ୍କ ପାଇଁ ରାସ୍ତା ସଫା କରୁଛନ୍ତି ଆଉ ଏମାନେ ମୋଦିଙ୍କୁ ସମର୍ଥନ କରୁଛନ୍ତି ।

Leave a Reply