ସଞ୍ଜିବନୀ (ପ୍ଲାଜମା) ସଂଗ୍ରହରେ ଆଗୁଆ ହେଲା ରାଉରକେଲା, ପଶ୍ଚିମ ଓଡିଶାର ଗୁରୁତର କରୋନା ରୋଗୀଙ୍କୁ ଦେଉଛି ଜୀବନ

ରାଉରକେଲା: କରୋନା ପାଇଁ ଚାଲିଛି ଅହରହ ସଂଘର୍ଷ । କରୋନା ପ୍ରତିଷେଧକ ବାହାରି ନାହିଁ । ଠିକ୍‌ ଏତିକିବେଳେ ସଞ୍ଜିବନୀ ଭାବେ ଉଭା ହୋଇଛି ପ୍ଲାଜମା । କରୋନାରେ ଅତି ଗୁରୁତର ରୋଗୀ ମଧ୍ୟ ସୁସ୍ଥ ହେଉଛନ୍ତି ପ୍ଲାଜମା ପାଇଁ । ସେଥିପାଇଁ ରାଜ୍ୟରେ ପ୍ଲାଜମା ଡୋନେଟକୁ ରାଜ୍ୟ ସରକାର ସ୍ୱୀକୃତି ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ଆହ୍ୱାନ ମଧ୍ୟ ଦେଇଛନ୍ତି ପ୍ଲାଜମା ଦାନ କରିବାକୁ ଆଗେଇ ଆସିବା ପାଇଁ । ଆଉ ଏବେ ଏହି ପ୍ଲାଜମା ସଂଗ୍ରହରେ ରାଉରକେଲା ଓଡିଶାରେ ପ୍ରଥମ ହୋଇଛି । ରାଉରକେଲାରେ ୨୦୨୦ ଜୁଲାଇ ୩୦ରେ ଖୋଲାଯାଇଥିବା ରାଜ୍ୟର ତୃତିୟ ପ୍ଲାଜମା ବ୍ୟାଙ୍କ  ।

ତେବେ ରେକର୍ଡରେ ରାଉରକେଲା ଇସ୍ପାତ ଜେନେରାଲ ହସ୍ପିଟାଲ ପ୍ଲାଜମା ବ୍ୟାଙ୍କରେ ୧୦୪ ଜଣଙ୍କ ଠାରୁ  ପ୍ଲାଜମା ସଂଗ୍ରହ କରି ସମଗ୍ର ରାଜ୍ୟରେ ପ୍ରଥମ ସ୍ଥାନ ଅଧିକାର କରିଛି ଏହି ବ୍ୟାଙ୍କ  । ପାଞ୍ଚ ଜଣ ଡାକ୍ତର, ପୋଲିସ, ଓଢ୍ରାଫ, ସି.ଆର.ପି.ଏଫ ଜବାନ, ରାଉରକେଲା ଇସ୍ପାତ କାରଖାନା କର୍ମଚାରୀଙ୍କ ସହ କିଛି ସ୍ୱେଚ୍ଛାସେବୀ ପ୍ଲାଜମା ଦାନ କରିଛନ୍ତି । ଏନେଇ ମୁଖ୍ୟମନ୍ତ୍ରୀଙ୍କ ସହ ସୁନ୍ଦରଗଡ ଜିଲ୍ଲା ପ୍ରଶାସନ ଓ ସ୍ଥାନିୟ କିଛି ସ୍ୱେଚ୍ଛାସେବୀ ଅନୁଷ୍ଠାନକୁ  ଧନ୍ୟବାଦ ଦେଇଛନ୍ତି ବିଧାୟକ ସାରଦା ପ୍ରସାଦ ନାୟକ  । ଅଧିକରୁ ଅଧିକ  ପ୍ଲାଜମା କିପରି ସଂଗ୍ରହ କରାଯାଇ ପାରିବ ସେନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଉଦ୍ୟମ ଜାରି ରହିଛି ।

ପ୍ଲାଜମା ଦାନ କରୁଥିବା ଲୋକଙ୍କୁ ଉତ୍ସାହିତ କରିବା ପାଇଁ ଜିଲ୍ଲା ପ୍ରଶାସନର ସହଯୋଗରେ ରାଉରକେଲାର ବିଭିନ୍ନ ସଙ୍ଗଠନ ପକ୍ଷରୁ ପ୍ଲାଜମା ଦାତାଙ୍କୁ ସମ୍ବର୍ଦ୍ଧିତ କରାଯାଉଛି  । କରୋନାରେ ଆକ୍ରାନ୍ତ ହୋଇ ସୁସ୍ଥ ହେଉଥିବା ବ୍ୟକ୍ତିମାନେ ପ୍ଲାଜମା ଦେଇ ଖୁସି ପ୍ରକାଶ କରିଛନ୍ତି  । ରାଉରକେଲା  ପ୍ଲାଜମା ବ୍ୟାଙ୍କରେ ସଂଗ୍ରୁହିତ ପ୍ଲାଜମା ପୂରା ପଶ୍ଚିମ ଓଡିଶାର ଗୁରୁତର କରୋନା ରୋଗୀଙ୍କୁ ଜୀବନ ବଞ୍ଚାଇବାରେ ସହାୟକ ହେଉଛି  ।

Leave a Reply