ଆରଜେଡ଼ି ନେତାଙ୍କୁ ଗୁଳି ମାରି ହତ୍ୟା , ତେଜସ୍ୱୀ ଯାଦବଙ୍କୁ ଦାୟୀ କଲେ ପରିବାର

ପାଟନା: ବିହାର ବିଧାନସଭା ନିର୍ବାଚନକୁ ହାତଗଣତି ଦିନ ରହିଛି । ଏହା ପୂର୍ବରୁ ରାଷ୍ଟ୍ରୀୟ ଜନତା ଦଳ ନେତା ଶକ୍ତି ମଲ୍ଲିକଙ୍କ ହତ୍ୟା ହୋଇ ଯାଇଛି । ରବିବାର ପାହାନ୍ତିଆ ରାତି ୩ଟା ପାଖାପାଖି ସମୟରେ କିଛିଜଣ ଦୁବୁର୍ତ୍ତ ଘରେ ଶକ୍ତିଙ୍କ ଘରେ ପସି ତାଙ୍କ ଉପରେ ଗୁଳିଚାଳନା କରି ଫେରାର ହୋଇଯାଇଛନ୍ତି । ଆଉ ଏହି ହତ୍ୟା ପାଇଁ ଶକ୍ତିଙ୍କ ପତ୍ନୀ ଏବଂ ସମ୍ପର୍କୀୟ ରାଷ୍ଟ୍ରୀୟ ଜନତା ଦଳର ଶୀର୍ଷ ନେତା ତଥା ବିହାର ବିଧାନସଭାର ବିରୋଧୀ ଦଳ ନେତା ତେଜସ୍ୱୀ ଯାଦବଙ୍କ ଉପରକୁ ଅଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି ।

କିଛିଦିନ ତଳେ ଶକ୍ତି ବିହାର ରାଣୀଗଞ୍ଜ ବିଧାନସଭା ଆସନରୁ ଲଢିବା ପାଇଁ ଶକ୍ତି ଇଚ୍ଛା ପ୍ରକାଶ କରିଥିଲେ । ଏଥିପାଇଁ ତେଜସ୍ୱୀ ଯାଦବଙ୍କ ନିକଟକୁ ଟିକେଟ ପାଇଁ ଯାଇଥିଲେ । ହେଲେ ଏକଦା ଆରଜେଡିର ଏସସିଏସଟି ସେଲର ପୂର୍ବ ସଚିବ ଥିବା ଶକ୍ତିଙ୍କୁ ଟିକେଟ ପାଇଁ ସିଧା ମନା କରାଯାଇଥିଲା । ଏପରିକି ଟିକେଟ୍ ପାଇଁ ତାଙ୍କୁ ୫୦ ଲକ୍ଷ ଟଙ୍କା ମଗାଯିବା କଥା ମଧ୍ୟ ଶକ୍ତି ଅଭିଯୋଗ ଆଣିଥିଲେ । କେବଳ ଯେ ଟଙ୍କା ମଗାଯାଇଥିଲା ତାହା ନୁହେଁ, ତାଙ୍କ ଜାତି ପ୍ରତି ମଧ୍ୟ ଆକ୍ଷେପମୂଳକ ମନ୍ତବ୍ୟ ଦିଆଯାଇଥିଲା । ଏପରିକି ବିଭିନ୍ନ ସମୟରେ ତାଙ୍କୁ ମାରିଦେବାକୁ ଧମକ ମିଳୁଥିବା ତାଙ୍କ ପରିଜନ କହିଛନ୍ତି । ତାଙ୍କୁ ଗୁଳି କରାଯିବା  ସମୟରେ ଘରେ ତାଙ୍କ ସ୍ତ୍ରୀ , ପିଲା ସହ ଡ୍ରାଇଭର ମଧ୍ୟ ଉପସ୍ଥିତ ଥିଲେ । ତାଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇଥିଲା ସତ ମାତ୍ର ବ୍ୟାପକ ରକ୍ତସ୍ରାବ ଯୋଗୁ ତାଙ୍କର ପ୍ରାଣବାୟୁ ଉଡିଯାଇଥିଲେ । ଏଥିସହିତ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ ।

ତେଜସ୍ୱୀ ଯାଦବଙ୍କ ସମେତ ଶକ୍ତିଙ୍କ ମୃତ୍ୟୁ ପାଇଁ  ଅରାରିୟା ଅଞ୍ଚଳର କାଲୋ ପାଶ୍ୱୱାନ, ସୁନୀତି ଦେବର ଏବଂ ତେଜସ୍ୱୀଙ୍କ ନିକଟତମ କୁହାଯାଉଥିବା ଅନିଲ ସାଧୁଙ୍କ ଉପରକୁ ମଧ୍ୟ ଅଙ୍ଗୁଳି ଉଠିଛି । ରାଜନୈତିକ ସମୀକ୍ଷକଙ୍କ କହିବାନୁଯାୟୀ, ଏହି ହତ୍ୟାରେ ଯଦି ପ୍ରକୃତରେ ତେଜସ୍ୱୀ ଯାଦବଙ୍କ ସଂପୃକ୍ତି ଥାଏ, ତେବେ ଏହା ତାଙ୍କ ରାଜନୈତିକ ଜୀବନକୁ ପ୍ରଭାବିତ କରିବ । ଆରେଜେଡି ବ୍ୟାକଫୁଟରେ ରହିବ । ଘଟଣାର ନିରପକ୍ଷ ତଦନ୍ତ ହେବାର ଆବଶ୍ୟକତା ରହିଛି ।

Leave a Reply