ବିହାର ନିର୍ବାଚନ : NDAରୁ ବାହାରି ଏକାକୀ ଲଢିବ LJP

1 min read

ପାଟନା : ଯାହା ଆଶା କରାଯାଉଥିଲା, ତାହା ହିଁ ହେଲା । କେନ୍ଦ୍ର କ୍ୟାବିନେଟ୍ ମନ୍ତ୍ରୀ ରାମବିଳାସ ପାଶୱାନଙ୍କ ପାର୍ଟି ଲୋକଜନଶକ୍ତି ପାର୍ଟି(ଏଲଜେପି) ବିହାର ନିର୍ବାଚନ ପୂର୍ବରୁ ନିଜର ଅଲଗା ରାସ୍ତା ତିଆରି କରିଛି । ଜାତୀୟ ଗଣତାନ୍ତ୍ରିକ ମେଣ୍ଟ(ଏନଡିଏ)ରୁ ଅଲଗା ଲଢିବ ଏଲଜେପି । ବିହାର ରାଜନୀତିର ଯଥେଷ୍ଟ ପୂର୍ବରୁ ଏଲଜେପି ଏହି ସୂଚନା ପରୋକ୍ଷରେ ଦେଇ ସାରିଥଇଲା । ଏନଡିଏରେ ଥିବା ଜେଡିୟୁ ବିଶେଷ କରି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ଖୋଲା ଆଲୋଚନା କରୁଥିଲେ ଜୁନିୟର ପାଶୱାନ ଅର୍ଥାତ ଚିରାଗ ।

chirag paswan

ବିହାର ରାଜନୀତିକୁ ଯଦି ଅନୁଶୀଳନ କରାଯାଏ, ତେବେ ନୀତିଶ ହିଁ୧୫ ବର୍ଷ ଧରି ସର୍ବାଧିକ ଥର ମୁଖ୍ୟମନ୍ତ୍ରୀ ରହିଛନ୍ତି । ୨୦୧୪ ପରେ କେବଳ ସ୍ୱଳ୍ପ ସମୟ ପାଇଁ ଜୀତନରାମ ମାଝୀ ମୁଖ୍ୟମନ୍ତ୍ରୀ ହୋଇପାରିଥିଲେ । ବିଧାନସଭା ନିର୍ବାଚନ ଯେତେବେଳ ହୋଇଛି ନୀତିଶ ହିଁ ମୁଖ୍ୟ ଚେହେରା ହୋଇଛନ୍ତି । ଆରଜେଡି ସହ ମିଶି ୨୦୧୫ ହେଉ କି ୨୦୦୫ ଓ ୨୦୧୦ରେ ବିଜେପି ସହ ହେଉ ନୀତିଶ ହିଁ ବଡ଼ ଭାଇର ଭୂମିକା ନିର୍ବାହ କରିଆସିଛନ୍ତି । ଘଟଣାକ୍ରମରେ ୨୦୧୭ରେ ଆରଜେଡ଼ି ଠାରୁ ସମ୍ପର୍କ ଚ୍ଛିନ୍ନ କରି ବିଜେପିର ହାତ ଧରିଥିଲେ ନୀତିଶ । ଏ ସମୟରେ ବି ବଡ଼ ଭାଇ ପଣିଆ ଜାହିର କରିଥିଲେ ନୀତିଶ । ହେଲେ ଆଉ ନୁହେଁ ୨୦୦୫ର ବିଜେପି ଏବଂ ବର୍ତ୍ତମାନ ସମୟର ବିଜେପି ମଧ୍ୟରେ ରହିଛି ବିରାଟ ଫରକ । ୟୁପି ହେଉ କି ଅନ୍ୟ କୌଣସି ହିନ୍ଦୀ ହାର୍ଟଲ୍ୟାଣ ବିଗତ ୨ ଦଶନ୍ଧିରେ ବିଜେପି ହିଁ ଅକ୍ତିଆର କରିଛି । ସବୁ ରାଜ୍ୟରେ ଭାଗୁଆଳି ଦଳ ଅପେକ୍ଷା ନିଜ ସଙ୍ଗଠନ ବିସ୍ତାର କରିଛି ।

ସେହିଦୃଷ୍ଟିରୁ ଦେଖିଲେ ନୀତିଶଙ୍କୁ ରାଜନୈତିକଭାବେ ଗୁରୁତ୍ୱହୀନ କରିବା ପାଇଁ ଏଲଜେପିକୁ ନିଜର ବି-ଟିମ୍ ଭାବେ ବ୍ୟବହାର କରିବାକୁ ଯାଉଛି । ଏଲଜେପି ବିହାର ବିଧାନସଭା ନିର୍ବାଚନରେ ନୀତିଶ କୁମାରଙ୍କ ଦଳ ବିରୋଧରେ ପ୍ରାର୍ଥୀ ଦେବ ବୋଲି ଜଣାପଡିଛି । ବିଜେପି ଲଢୁଥିବା ଆସନରେ ଗୈରିକ ଦଳକୁ ସହଯୋଗ କରିବ । ତେଣୁ ଜେଡିୟୁ ଭୋଟ ବିଭାଜନ ଯେ, ଚିରାଗଙ୍କ ମୁଖ୍ୟ ଉଦ୍ଦେଶ୍ୟ ଏଥିରେ ସନ୍ଦେହ ନାହିଁ ।

ଚିରାଗଙ୍କ ସ୍ଲୋଗାନ ବିହାର ଫାଷ୍ଟ ବିହାରୀ ଫାଷ୍ଟ ଏହି ନିର୍ବାଚନର ମୁଖ୍ୟ ପ୍ରସଙ୍ଗ ହେବ । ନୀତିଶ ଦେଇଥିବା ପ୍ରତିଶ୍ରୁତି ପୂରଣ ନ ହେବା ଭଳି ବିଷୟକୁ ଏଲଜେପି ପ୍ରସଙ୍ଗ କରିବ । ଗତକାଲି ମେଣ୍ଟ ଏବଂ ଆସନ ବୁଝାମଣା ସମ୍ପର୍କରେ ଭାଜପା ଅଧ୍ୟକ୍ଷ ଜେ.ପି ନଡ୍ଡା ଏବଂ ଅନ୍ୟ ଶୀର୍ଷ ନେତାଙ୍କ ସହ ଆଲୋଚନା କରିଥିଲେ ।ସେହିକ୍ରମରେ ଦଳର ସଂସଦୀୟ ବୋର୍ଡର ବୈଠକ ରବିବାର ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଜେଡିୟୁ ଥିବା ମେଣ୍ଟରୁ ଅଲଗା ହୋଇ ଲଢିବା ପାଇଁ ନିଷ୍ପତ୍ତି ହୋଇଥିବା ଜଣାପଡିଛି । ସୂଚନା ଅନୁଯାୟୀ ଜେଡିୟୁ ଲଢିବାକୁ ଥିବା ସମସ୍ତ ଆସନରେ ଏଲଜେପି ପ୍ରାର୍ଥୀ ଦେବ ।

Leave a Reply