spot_img
Home Blog Page 6032

ତିନି ବର୍ଷରେ ୩୦୫ ଜଣ ସହିଦ, ୨୦୧୮ରେ ସବୁଠୁ ଅଧିକ

ନୂଆଦିଲ୍ଲୀ: ଗତ ତିନି ବର୍ଷରେ ଜାମ୍ମୁ-କାଶ୍ମୀରରେ ସହିଦ ହୋଇଛନ୍ତି ୩୦୫ ଜଣ ଯବାନ । ୨୦୧୮ରେ ସବୁଠୁ ଅଧିକ ଯବାନ ସହିଦ ହୋଇଛନ୍ତି । ଗତ ତିନି ବର୍ଷରେ ସୀମାରେ ହୋଇଥିବା ଅସ୍ତ୍ରବିରତି ଭଲ୍ଲଂଘନର ରିପୋର୍ଟ ରଖିଛନ୍ତି ଗୃହମନ୍ତ୍ରାଳୟ ।

ତିନି ବର୍ଷରେ ଅସ୍ତ୍ରବିରତି ଭଲ୍ଲଂଘନ ଅଧିକ ଥର ହୋଇଥିବା ବେଳେ ଆତଙ୍କୀ ହମଲା କମ୍ ହୋଇଛି । ମଙ୍ଗଳବାର ଗୃହମନ୍ତ୍ରାଳୟ ପକ୍ଷରୁ ଜାରି ହୋଇଥିବା ସୂଚନା ଅନୁସାରେ ୨୦୨୦ରେ ୫ ହଜାର ୧୩୩ ଥର ଅସ୍ତ୍ରବିରତି ଭଲ୍ଲଂଘନ ହୋଇଛି । ଯେଉଁଥିରେ ୨୨ ଜଣ ସାଧାରଣ ଲୋକଙ୍କ ଜୀବନ ଯାଇଥିବା ବେଳେ ୧୭ ଜଣ ଆହତ ହୋଇଛନ୍ତି ।

ସେହିଭଳି ୨୪ ଜଣ ଯବାନ ସହିଦ ହୋଇଥିବା ବେଳେ ୧୨୬ ଜଣ ଆହତ ହୋଇଛନ୍ତି । ୨୦୧୯ରେ ୩୪୭୯ଟି ଅସ୍ତ୍ରବିରତି ଭଲ୍ଲଂଘନ ମାମଲା ସାମ୍ନାକୁ ଆସିଥିଲା । ଏହି ବର୍ଷ ୧୮ ଜଣ ସାଧାରଣ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୧୯ ଜଣ ଯବାନ ସହିଦ ହୋଇଛନ୍ତି । ସେହିଭଳି ୨୦୧୮ରେ ୨୧୪୦ଥର ଅସ୍ତ୍ରବିରତି ଭଲ୍ଲଂଘନ ହୋଇଥିଲା । ତେବେ ଏହି ବର୍ଷ ୬୧୪ ଥର ଆତଙ୍କବାଦୀ ଆକ୍ରମଣ ଘଟଣା ଘଟିଥିଲା । ଯେଉଁଥିରେ ୯୧ ଜଣ ଯବାନ ସହିଦ ହୋଇଥିବା ବେଳେ ୩୯ ଜଣ ସାଧାରଣ ଲୋକଙ୍କ ଜୀବନ ଯାଇଥିଲା । ସେହିଭଳି ୨୦୨୦ରେ ୨୨୧ ଜଣ ଆତଙ୍କବାଦୀ ନିହତ ହୋଇଥିବା ବେଳେ ୨୦୧୮ରେ ୨୫୭ ଓ ୨୦୧୯ରେ ୧୫୭ ଜଣ ଆତଙ୍କବାଦୀ ନିପାତ ହୋଇଛନ୍ତି ।

ଦିଲ୍ଲୀ ସୀମାରେ କଣ୍ଟା ପୋତିଲା ପ୍ରଶାସନ, ଟିକାୟତ କହିଲେ ଅକ୍ଟୋବର ଯାଏ ଚାଲିବ ଆନ୍ଦୋଳନ

ଦୂଆଦିଲ୍ଲୀ: ଆନ୍ଦୋଳନ ଅଟକାଇବା ପାଇଁ ଅନ୍ନଦାତାଙ୍କୁ ଟାର୍ଗେଟ । ସୀମାରେ ସମରସଜ୍ଜା ଭଳି ସଜେଇ ହୋଇଛି ଲୁହା ତାର ଓ କଣ୍ଟା ବାଡ଼ । ଅନ୍ୟ ରାଜ୍ୟରୁ ଆସୁଥିବା ଚାଷୀଙ୍କୁ ଅଟକାଇବା ପାଇଁ ଏଭଳି ଦମନମୂଳକ ନୀତି ଆପଣେଇଛି ପ୍ରଶାସନ । ଯାହାକୁ ବିରୋଧ କରି ତାରବନ୍ଦୀ ବନାମ ରୋଟିବନ୍ଦୀର ଡାକରା ଦେଇଛନ୍ତି ଚାଷୀ ।

ଚାଷୀଙ୍କ ସ୍ୱରକୁ ଅଟକାଇବା ପାଇଁ ଦିଲ୍ଲୀ ସୀମା ଏବେ ପାଲଟିଛି କିଲ୍ଲା । ଯେଭଳି ବାହାର ରାଜ୍ୟର ଚାଷୀ ଆନ୍ଦୋଳନରେ ସାମିଲ ନ ହୋଇପାରିବେ ସେଥିପାଇଁ ଏଭଳି ଦମନମୂଳକ ନୀତି ଆପଣେଇଛି ସ୍ଥାନୀୟ ପ୍ରଶାସନ । ସୀମାରେ ଚୀନ୍‌ ଦିନକୁ ଦିନ ହରକତ୍ କରୁଥିବା ବେଳେ ଏହାର ଜବାବ ଦେବା ପରିବର୍ତ୍ତେ ସୀମାରେ ହକ୍ ପାଇଁ ଅଡ଼ି ବସିଥିବା ଅନ୍ନଦାତାଙ୍କୁ ଅଟକାଇବା ପାଇଁ ସରକାରଙ୍କ ଏଭଳି ହୀନଉଦ୍ୟମ । ଯାହାକୁ ବିରୋଧ କରିଛନ୍ତି ବିରୋଧୀ ।

କଂଗ୍ରେସ ସାଂସଦ ରାହୁଲ ଗାନ୍ଧି କହିଛନ୍ତି ସରକାର ସେତୁ ତିଆରି କରନ୍ତୁ, କାନ୍ଥ ଠିଆ ନକରନ୍ତୁ । ସେପଟେ ଶିବସେନା ସାଂସଦ ସଞ୍ଜୟ ରାଓ୍ୱତ ଚାଷୀଙ୍କୁ ଭେଟି ସେମାନଙ୍କର ସମର୍ଥନ ଥିବା ଜଣାଇଛନ୍ତି । ଅପରପଟେ ଚାଷୀ ନେତା ତାରବନ୍ଦୀ ଭର୍ସେସ୍ ରୋଟିବନ୍ଦୀ ଡାକରା ଦେଇ ଆସନ୍ତା ଅକ୍ଟୋବର ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଘୋଷଣା କରିଛନ୍ତି । ଯେ ପର୍ଯ୍ୟନ୍ତ ଆଇନ୍ ପ୍ରତ୍ୟାହାର ନ ହୋଇଛି ସେ ପର୍ଯ୍ୟନ୍ତ ଲଢେଇ ଜାରି ରହିବ ବୋଲି କହିଛନ୍ତି ଚାଷୀ ନେତା ରାକେଶ ଟିକାୟତ ।

ଅନ୍ୟପଟେ ଆରମ୍ଭରୁ ଚାଷୀଙ୍କ ପାଇଁ ତାତିଲା ରାଜ୍ୟସଭା । କୃଷି ଆଇନ୍ ପ୍ରସଙ୍ଗରେ ଆଲୋଚନା ପାଇଁ ବିରୋଧୀଙ୍କ ଦାବି । ସୀମାରେ ଚାଷୀଙ୍କ ଆନ୍ଦୋଳନ ଜାରି ରହିଥିବା ବେଳେ ସଂସଦରେ ଚାଷୀ ଆନ୍ଦୋଳନ ନେଇ ଜୋର୍‌ଦାର ବର୍ଷିଥିଲେ ବିରୋଧୀ । ହଟ୍ଟଗୋଳ ଯୋଗୁ କାଲି ପର୍ଯ୍ୟନ୍ତ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି ଅଧ୍ୟକ୍ଷ ଏମ. ଭେଙ୍କେୟା ନାଇଡୁ । ଗୃହ କାର୍ଯ୍ୟ ଆରମ୍ଭରୁ କୃଷି ଆଇନ ଉପରେ ଆଲୋଚନା କରିବାକୁ ଦାବି କରିଥିଲେ ବିରୋଧୀ । ହେଲେ ଏହାକୁ ଅଗ୍ରାହ୍ୟ କରି ଅଧ୍ୟକ୍ଷ କହିଥିଲେ, ଏନେଇ ଆଗରୁ ଆଲୋଚନା ହୋଇଛି, ତେଣୁ ଏବେ ଆଲୋଚନାର ଆବଶ୍ୟକତା ନାହିଁ ।

ଆନ୍ଦୋଳନକୁ ଆହୁରି ବ୍ୟାପକ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ଅନ୍ନଦାତା । ଆସନ୍ତା ୬ ତାରିଖରେ ଦିନ ୧୨ଟାରୁ ୩ଟା ଯାଏ ସାରା ଦେଶରେ ଚକା ଜାମ୍‌ ପାଇଁ ଘୋଷଣା କରିଛନ୍ତି ଚାଷୀ ସଙ୍ଗଠନ । କୃଷି ଆଇନକୁ ବିରୋଧ କରି ଚାଷୀମାନେ ଦୁଇ ମାସରୁ ଅଧିକ ଦିନ ହେଲାଣି ଆନ୍ଦୋଳନ କରୁଛନ୍ତି । ଏହା ମଧ୍ୟରେ ୧୧ଥର ଚାଷୀ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ବୈଠକ ବସିଥିଲେ ବି ସମାଧାନର କିଛି ବାଟ ବାହାରି ପାରିନି ।

ପଞ୍ଜାବରେ ରାଜନୈତିକ ହିଂସା, କଂଗ୍ରେସ-ଅକାଳି ମୁହାଁମୁହିଁ

ପଞ୍ଜାବ: ନଗର ନିଗମ ନିର୍ବାଚନ ପାଇଁ ପଞ୍ଜାବରେ ବଢ଼ି ଚାଲିଛି ହିଂସା । ଗୋଟିଏ ପରେ ଗୋଟିଏ ରାଜନୈତିକ ହିଂସା ସାମ୍ନାକୁ ଆସୁଛି । ନଗର ନିଗମ ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ ସମୟରେ କଂଗ୍ରେସ ଓ ଅକାଳି ଦଳର କର୍ମୀଙ୍କ ମଧ୍ୟରେ ସଂଘର୍ଷ ହୋଇଥିବା ଦେଖାଯାଇଛି । ଏଥିରେ ଅକାଳି ଦଳର କିଛି କର୍ମୀ ଆହତ ହୋଇଥିବା ଅଭିଯୋଗ ହୋଇଛି । ପଞ୍ଜାବର ତରଣ-ତାରଣ ଜିଲ୍ଲାରେ ଉଭୟ ଦଳ ମଧ୍ୟରେ ସଂଘର୍ଷ ହୋଇଥିବା ଜଣାପଡ଼ିଛି ।

କଂଗ୍ରେସ ଦଳର କିଛି କର୍ମୀ ଟେକା, ପଥର ମାଡ଼ କରିଥିବା ଅକାଳି ଦଳ ପକ୍ଷରୁ ଅଭିଯୋଗ ହୋଇଛି । ଏହା ପୂର୍ବରୁ ଜଲାଲାବାଦରେ ଶିରୋମଣି ଅକାଳି ଦଳର ନେତା ସୁଖବିର ସିଂ ବାଦଲଙ୍କ ଗାଡି ଉପରକୁ ମଧ୍ୟ ଆକ୍ରମଣ ହୋଇଥିଲା । ଜଲାଲାବାଦ ଘଟଣାରେ କଂଗ୍ରେସ ବିଧାୟକ ରାମନ୍ଦିର ସିଂ ଓ ତାଙ୍କ ପୁଅଙ୍କ ସମେତ ୬୦ ଜଣଙ୍କ ବିରୋଧରେ ମାମଲା ରୁଜୁ ମଧ୍ୟ ହୋଇଛି । ଏଭଳି ଘଟଣା ସାମ୍ନାକୁ ଆସିବା ପରେ ଆଲର୍ଟ ହୋଇଯାଇଛି ରାଜ୍ୟ ପୋଲିସ । ଘଟଣାକୁ ନିନ୍ଦା କରିବା ସହ ଖୁବ ଶୀଘ୍ର ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି ଅକାଳି ଦଳର ନେତା । ସୋମବାର ମଧ୍ୟ ଆପ୍ ଓ କଂଗ୍ରେସ କର୍ମୀଙ୍କ ମଧ୍ୟରେ ଦେଖିବାକୁ ମିଳିଥିଲା ରାଜନୈତିକ ହିଂସା ।

ୟୁନିୟନ ବ୍ୟାଙ୍କରେ ୧୪ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ହେରଫେର ଅଭିଯୋଗ

ପାରାଦୀପ: ୟୁନିୟନ ବ୍ୟାଙ୍କରେ ୧୪ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ହେରଫେର ଅଭିଯୋଗ।  ଏନେଇ ପାରାଦୀପ ଲକ୍ ଥାନାରେ ଅଭିଯୋଗ କରିଛନ୍ତି ବ୍ୟାଙ୍କ କର୍ତୃପକ୍ଷ। ୨୦୧୬ରୁ ୨୦୨୦ ମଧ୍ୟରେ ୧୪ ଲକ୍ଷ ୮୬ ହଜାର ୭୦୦ ଟଙ୍କା ହେରଫେର ହୋଇଛି। ପୂର୍ବତନ ବ୍ୟାଙ୍କ ମ୍ୟାନେଜର ଓ କର୍ମଚାରୀ ମିଳିମିଶି ଚଞ୍ଚକତା କରିଥିବା ଏତଲାରେ ଦର୍ଶାଯାଇଛି। ଦୁଇ ପୂର୍ବତନ ବ୍ୟାଙ୍କ ମ୍ୟାନେଜର , ଜଣେ ଆକାଉଣ୍ଟ, ଓ ଜଣେ ଅତିରିକ୍ତ ମ୍ୟାନେଜରଙ୍କ ନାଁରେ ଏତଲା ଦିଆଯାଇଛି। ବ୍ୟାଙ୍କ ଅଡିଟ୍ ସମୟରେ  ହେରଫେର ଘଟଣା ସାମ୍ନାକୁ ଆସିଥିଲା। ସେପଟେ ଅଭିଯୋଗ ପରେ ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ କରାଯାଇଛି।

ପ୍ରେମ ନିବେଦନ ନଶୁଣିବାରୁ ପ୍ରେମିକାର ଗଳା କାଟିଲା ପ୍ରେମିକ

ବାଲେଶ୍ୱର: ପ୍ରେମରେ ବିଫଳ ହୋଇ ପ୍ରେମିକାର ଗଳା କାଟିଲା ପ୍ରେମିକ। ମଙ୍ଗଳବାର ସଂନ୍ଧ୍ଯାରେ ବାଲେଶ୍ବର ସେଲଟ୍ୟାକ୍ସ କଲୋନୀ ନିକଟରେ ଘଟିଛି ଏଭଳି ଘଟଣା। ପ୍ରେମିକର ଆକ୍ରମଣରେ ଗୁରୁତର ଆହତ ହୋଇଥିବା ନାବାଳିକାକୁ ପରିବାର ଲୋକେ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି। ତାଙ୍କର ସ୍ବାସ୍ଥ୍ୟବସ୍ଥା ସ୍ଥିର ଥିବା ସୂଚନା ମିଳିଛି। ସେପଟେ ଆକ୍ରମଣ କରି ଅଭିଯୁକ୍ତ ପ୍ରେମିକ ଫେରାର ହୋଇଯାଇଥିବା ପୋଲିସ କହିଛି। ଛାତ୍ରୀ ଜଣକ ଟ୍ୟୁସନରୁ ଫେରିବା ସମୟରେ ଏକତରଫା ପ୍ରେମ କରୁଥିବା ଅଭିଯୁକ୍ତ ସଞ୍ଜୀବ ବେହେରା ସେଲଟ୍ୟାକ୍ସ କଲୋନୀ ନିକଟରେ ଛାତ୍ରୀଙ୍କୁ ଅଟକାଇ ପ୍ରେମ ନିବେଦନ କରିଥିଲେ। ଛାତ୍ରୀ ଜଣକ ବିରୋଧ କରିବାରୁ ସଞ୍ଜୀବ ଏକ ଛୁରୀରେ ଛାତ୍ରୀଙ୍କ ଗଳା କାଟିଥିଲେ। ଖବର ପାଇ ଛାତ୍ରୀଙ୍କ ପରିବାର ଲୋକେ ଗୁରୁତର ଆହତ ଅବସ୍ଥାରେ ଛାତ୍ରୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।

 

ସହିଦ କୋଭିଡ ଯୋଦ୍ଧାଙ୍କୁ ମିଳିବ ସମ୍ମାନ, ନିର୍ମାଣ ହେବ ସହିଦ ସ୍ମାରକୀ

ଭୁବନେଶ୍ୱର: କୋଭିଡ ସହିଦ ଯୋଦ୍ଧାଙ୍କୁ ମିଳିବ ସମ୍ମାନ। କୋଭିଡ ସମୟରେ ଯୋଗାଇ ଦେଇଥିଲେ ନିରନ୍ତର ସେବା। ଅନେକ ସଂକ୍ରମିତ ହୋଇଥିଲେ। ଅନେକଙ୍କ ମୃତ୍ୟୁ ବି ହେଲା। ସେମାନଙ୍କୁ ସହିଦର ମାନ୍ୟତା ଦେଇ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ କରାଗଲା। ଏବେ ସେହି ସହିଦମାନଙ୍କ ସମ୍ମାନରେ ସ୍ମାରକୀ ନିର୍ମାଣ କରିବାର ପ୍ରସ୍ତାବ ରଖିଛନ୍ତି ରାଜ୍ୟ ସରକାର।

ଏ ନେଇ ଭୁବନେଶ୍ବରରେ ସ୍ଥାନ ଚିହ୍ନଟ କରାଯିବ। ସେହିପରି କରୋନା ଯୋଦ୍ଧାଙ୍କ ଅତୁଳନୀୟ ସେବାକୁ ସମ୍ମାନିତ କରିବାକୁ ସ୍ଥିର କରାଯାଇଛି। ସେମାନଙ୍କ ସେବା, ତ୍ୟାଗ ଓ ବଳିଦାନ ପାଇଁ ରାଜ୍ୟରୁ କୋଭିଡ ପ୍ରକୋପ କମିଲା। ଗ୍ରୀନ ଜୋନକୁ ଆସିଲା ଓଡ଼ିଶା ଓ ସୁସ୍ଥତା ହାରରେ ବି ଉନ୍ନତି ଘଟିଲା। ଗତ ସାତ ଦିନ ହେଲା ମୃତ୍ୟୁ ସଂଖ୍ୟା ଶୂନ ରହିଛି। ଏଥିରେ ସନ୍ତୋଷ ପ୍ରକାଶ କରି ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ସେବାକୁ ଟ୍ବିଟ କରି ପ୍ରଶଂସା କରିଛନ୍ତି ବିଜେଡି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ  ।

ସେପଟେ ଟିକାକରଣରେ ଶ୍ରେଷ୍ଠ ରାଜ୍ୟ ଭାବେ ବିବେଚିତ ଓଡ଼ିଶା ଦ୍ବିତୀୟ ପର୍ଯ୍ୟାୟ ଟିକାକରଣ ପାଇଁ ପ୍ରସ୍ତୁତ ହେଉଛି। ଆସନ୍ତା ଫେବୃଆରୀ ୬ ତାରିଖରୁ ଗୃହ, ନଗର ଉନ୍ନୟନ, ରାଜସ୍ବ ଓ ପଞ୍ଚାୟତିରାଜ ବିଭାଗର ସମ୍ମୁଖ ଯୋଦ୍ଧାଙ୍କ ଟିକାକରଣ କାର୍ଯ୍ୟ ଆରମ୍ଭ ହେବାକୁ ଯାଉଛି। ସେମାନଙ୍କ ଟିକାକରଣ ପାଇଁ ସ୍ବତନ୍ତ୍ର ସ୍ଥାନ ଓ ଭ୍ୟାକ୍ସିନେଟରଙ୍କୁ ନିୟୋଜିତ କରିବା ପାଇଁ ଜିଲ୍ଲାପାଳ, ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀ ଓ ମହାନଗର ନିଗମ କମିସନରଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ପଲସ୍ ପୋଲିଓ ଯୋଗୁ ତିନି ଦିନ ପାଇଁ ବନ୍ଦ ଥିବା ଟିକାକରଣ ଆସନ୍ତାକାଲିଠାରୁ ପୁଣି ଚାଲିବ। ୫୯ଟି ସେସନ ସାଇଟରେ ୬୪୯୮ ସ୍ବାସ୍ଥ୍ୟକର୍ମୀଙ୍କୁ ଟିକା ଦିଆଯିବ।

 

ସାଇବର୍‌ ସେଲ୍‌ର କ୍ୱିକ୍‌ ଆକ୍ସନ, ଫେରିଲା ଆକାଉଣ୍ଟରୁ ଗାୟବ ହୋଇଥିବା‌ ଟଙ୍କା

ଭୁବନେଶ୍ୱର: ପୁଣି ଫେରିଲା ଲୁଟ୍‌ ଟଙ୍କା । ଅସମ୍ଭବ ଏବେ ଧିରେ ଧିରେ ହେଉଛି ସମ୍ଭବ । କିଛି ଦିନ ପୂର୍ବରୁ କୁହାଯାଉଥିବା ଅସମ୍ଭବ କାର୍ଯ୍ୟ ଏବେ ଧିରେ ଧିରେ ସମ୍ଭବ ହେଲାଣି । ସାଇବର ଠକେଇ ଦ୍ୱାରା ଲୁଟ୍‌ ହୋଇଥିବା ଟଙ୍କାକୁ ଫେରି ପାଉଛି ପୋଲିସ। ଆଉ ଏହି ଟଙ୍କା ଯାହାର ତାକୁ ଫେରାଇ ଦିଆଯାଉଛି।

ଏମିତି ଏକ ଖବର ପୁଣି ସାମ୍ନାକୁ ଆସିଛି। କ୍ରାଇମ୍‌ ବ୍ରାଞ୍ଚ, ଓଡ଼ିଶା ପୋଲିସ ନିଜ ଟ୍ୱିଟ୍‌ ହ୍ୟାଣ୍ଡେଲରେ ଏନେଇ ସୂଚନା ଦେଇଛି। ଗୋଟିଏ ନୁହେଁ ଏକ କକାଳୀନ ତିନୋଟି ସାଇବର ଠକେଇ ଘଟଣାରେ ପୋଲିସକୁ ସଫଳତା ମିଳିଛି। ଗତ କିଛି ଦିନ ପୂର୍ବରୁ କଟକ ନୂଆ ବଜାରର ବିଷ୍ଣୁପ୍ରସାଦଙ୍କ ସହ ସାଇବର ଠକେଇ ହୋଇଥିଲା। ସେ ତାଙ୍କ ଟଙ୍କା ଏବେ ଫେରି ପାଇଛନ୍ତି। ପ୍ରାୟ ୧ ଲକ୍ଷ ୯୪ ହଜାର ଟଙ୍କା ସେ ଫେରିପାଇଥିବା ଟ୍ୱିଟ୍‌ ଯୋଗେ ସୂଚନା ଦେଇଛି କ୍ରାଇମ୍‌ ବ୍ରାଞ୍ଚ, ଓଡ଼ିଶା ପୋଲିସ।

ଏହା ସହ ପୁରୀ ଅଞ୍ଚଳର ବିବୁନା କୁମାର ଗିରିଙ୍କ ସହ ମଧ୍ୟ କିଛି ଦିନ ପୂର୍ବେ ସାଇବର ଠକେଇ ହୋଇଥିଲା ଏବଂ ତାଙ୍କ ଆକାଉଣ୍ଟରୁ ମଧ୍ୟ ଟଙ୍କା ଗାୟବ ହୋଇଥିଲା। ତେବେ ସେ ମଧ୍ୟ ୧୮ ହଜାର ୯୯୦ ଟଙ୍କା ଫେରି ପାଇଛନ୍ତି। ତାଙ୍କ ଆକାଉଣ୍ଟରୁ ୨୨, ୪୯୦ ଟଙ୍କାର ଠକେଇ ହୋଇଥିଲା।

ଆଉ ଗୋଟିଏ ମାମଲା ହେଉଛି ସେହି କଟକ ଅଞ୍ଚଳର । ମାଲଗୋଦାମ ଅଞ୍ଚଳର ସୂର୍ଯ୍ୟନାରାୟଣ ମହାନ୍ତିଙ୍କ ଆକାଉଣ୍ଟରୁ ଟଙ୍କା ଗାୟବ ହୋଇଥିଲା । ସେ ମଧ୍ୟ ତାଙ୍କର ପୁରା ଟଙ୍କା ଫେରି ପାଇଛନ୍ତି । ସୂର୍ଯ୍ୟନାରାୟଣଙ୍କ ଆକାଉଣ୍ଟରୁ ୫୩ ହଜାର ୬୬୨ ଟଙ୍କା ଲୁଟ୍‌ ହୋଇଥିବା ବେଳେ ସେ ପୁରା ଟଙ୍କା ଫେରି ପାଇଛନ୍ତି ।

ତେବେ ଏନେଇ ପୋଲିସ କହିଛି ଯେ, ସାଇବର ସେଲ ତୁରନ୍ତ ସୂଚନା ପାଇବା ସହ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବାରୁ ଏହି ଠକେଇ ଗୁଡ଼ିକୁ ଧରାଯାଇପାରିଛି । ଲୋକଙ୍କ ଟଙ୍କା ଲୋକେ ଫେରିପାଇଛନ୍ତି ।

ଅକ୍ସଫୋର୍ଡ କରୋନା ଭ୍ୟାକ୍ସିନ୍‌ ଟ୍ରାଏଲରେ ତ୍ରୁଟି, ଜଣାଇଲେନି କ’ଣ ରହିଛି ବିପଦ

ନୂଆଦିଲ୍ଲୀ: ସାରା ବିଶ୍ୱରେ ଅକ୍ସଫୋର୍ଡ ଆଷ୍ଟ୍ରୋଜେନିକା କରୋନା ଭ୍ୟାକ୍ସିନ୍‌ର ବ୍ୟବହାର ଜୋରସୋରରେ ଚାଲିଛି । ଏହାରି ମଧ୍ୟରେ ଏକ ରିପାରର୍ଟ ସାମ୍ନାକୁ ଆସିବା ପରେ ଏହି ଭ୍ୟାକ୍ସିନ ପୁଣି ବିବାଦକୁ ଚାଲିଆସିଛି । ଅଭିଯୋଗ ରହିଛି ଯେ, ଭ୍ୟାକ୍ସିନର ଶେଷ ଟ୍ରାଏଲ ବେଳେ ପାଖାପାଖି ୧୫୦୦ ସ୍ୱେଚ୍ଛାସେବୀଙ୍କୁ ଭୁଲ୍‌ ଡୋଜ୍‌ ଦିଆଯାଇଥିଲା । ଖାଲି ସେତିକି ନୁହେଁ ଏହି ଭୁଲ୍‌କୁ ସେହି ସ୍ୱେଚ୍ଛାସେବୀଙ୍କୁ ମଧ୍ୟ ଜାଣିବାକୁ ଦିଆଯାଇନଥିଲା । ସମାଚାର ଏଜେନ୍ସି ରଏଟର୍ସର ରିପୋର୍ଟରୁ ଏହି ତଥ୍ୟ ସାମ୍ନାକୁ ଆସିଛି ।

ସ୍ୱେଚ୍ଛାସେବୀଙ୍କୁ ଭୁଲ ଡୋଜ୍‌ ଦେବା ପରେ ଏମିତି ବ୍ୟବହାର କଲେ ଯେମିତି, ତାଙ୍କୁ ଅଲଗା ଅଲଗା ଡୋଜ୍‌ ଦିଆଯାଇଥିଲା । କିନ୍ତୁ ୮ ଜୁନ୍‌ରେ ଅକ୍ସଫୋର୍ଡ ୟୁନିଭର୍ସିଟିର ବିଶେଷଜ୍ଞମାନେ କହିସାରିଥିଲେ ଯେ, ଅଲଗା ଅଲଗା ଡୋଜ୍‌ ଦେଲେ ମଧ୍ୟ ଏହି ଭ୍ୟାକ୍ସିନ୍‌ କାମ କରୁଛି । ଏହି ଚିଠି ଉପରେ ଅକ୍ସଫୋର୍ଡର ପ୍ରଫେସର ଓ ଟ୍ରାଏଲ ଚିଫ୍‌ ଇନ୍‌ଭେଷ୍ଟିଗେଟର ଆଣ୍ଡ୍ରୁ ଜେ ପୋଲାର୍ଡ ଦସ୍ତଖତ ମଧ୍ୟ କରିଛନ୍ତି ।

ଏହା ପୂର୍ବରୁ  ରଏଟର୍ସ ୨୪ ଡିସେମ୍ବରରେ ଏକ ରିପୋର୍ଟ ପ୍ରକାଶ କରିଥିଲା ଯେ, ଅକ୍ସଫୋର୍ଡ ବିଶେଷଜ୍ଞଙ୍କ ଦ୍ୱାରା ମାପିବାରେ ଭୁଲ୍‌ ହୋଇଥିବାରୁ ଅନେକ ସ୍ୱେଚ୍ଛାସେବିଙ୍କୁ ଡୋଜ୍‌ଠାରୁ କମ୍‌ ପରିମାଣର ଭ୍ୟାକ୍ସିନ୍‌ ଦିଆଯାଇଥିଲା । କିନ୍ତୁ ପୋଲାର୍ଡଙ୍କ ସେହି ଚିଠିରେ ଏଭଳି କୌଣସି ଭୁଲକୁ ସ୍ୱୀକାର କରାଯାଇ ନାହିଁ ।

ସେହି ସମୟରେ ଭୁଲ୍‌ ଡୋଜ୍‌ ଖବର ବିଶେଷଜ୍ଞମାନେ ବ୍ରିଟିଶ ମେଡିକାଲ ରେଗୁଲେଟର୍ସଙ୍କୁ ଦେଇଥିଲେ । ରେଗୁଲେଟର୍ସମାନେ ସେତେବେଳେ ଅକ୍ସଫୋର୍ଡକୁ ଟ୍ରାଏଲ ପାଇଁ ପୁଣି ଥରେ ଏକ ସ୍ୱେଚ୍ଛାସେବୀ ଗ୍ରୁପ୍‌ ଗଠନ କରି ସେମାନଙ୍କୁ ସମ୍ପୂର୍ଣ୍ଣ ଡୋଜ୍‌ ଦେଇ ଟ୍ରାଏଲ କରିବାକୁ ପରାମର୍ଶ ଦେଇଥିଲେ । ପୋଲାର୍ଡଙ୍କ ପତ୍ରରେ ଏନେଇ ମଧ୍ୟ କୌଣସି ସୂଚନା ଦିଆଯାଇ ନାହିଁ ।

ସ୍ୱେଚ୍ଛାସେବୀମାନଙ୍କୁ ଏହି ସବୁ ଭୁଲ୍‌ ଲୁଚାଇବାକୁ ଯାଇ ସେମାନଙ୍କୁ ଏହା ମଧ୍ୟ କୁହାଯାଇନଥିଲା ଯେ, ଅଧା ଡୋଜ୍‌ ନେଲେ ସେମାନଙ୍କର କ’ଣ କ୍ଷତି ହୋଇପାରେ । ବୟସ୍କ ମାନେ ଯଦି ଏହି ଭୁଲ୍‌ ଡୋଜ୍‌ ନେଇଛନ୍ତି ସେମାନଙ୍କ ପାଇଁ ବିପଦ ରହିଛି, ସେନେଇ ମଧ୍ୟ କୌଣସି ସୂଚନା ଦେଇନଥିଲେ । ତେବେ ଏହି ସବୁ କାରଣରୁ ଅକ୍ସଫୋର୍ଡ ଆଷ୍ଟ୍ରେଜେନିକା କରୋନା ଭ୍ୟାକ୍ସିନ୍‌ ଏବେ ପୁଣି ଥରେ ବିବାଦ ଘେରକୁ ଚାଲି ଆସିଛି । ଏହି ଭ୍ୟାକ୍ସିନ୍‌କୁ ନେଇ ଏବେ ପୁଣି ପରୀକ୍ଷା ନିରୀକ୍ଷା ଆରମ୍ଭ ହୋଇଛି ।

ଫ୍ରିଡମ୍‌ ଅଫ୍‌ ଇନ୍‌ଫରମେସନ୍‌ ଆଇନ୍‌ ଆଧାରରେ ନ୍ୟୁଜ୍‌ ଏଜେନ୍ସି ରଏଟର୍ସ ବିଶ୍ୱବିଦ୍ୟାଳୟରୁ ପାଇପାରିଥିଲା । ଏହି ପତ୍ରରେ ବିଶେଷଜ୍ଞମାନେ ଭିନ୍ନ ଭିନ୍ନ ମତାମତ ରଖିଛନ୍ତି ।

ନିର୍ମଳା ବଜେଟରେ ନବୀନ ମଡେଲ, ବଜେଟରେ ରାଜ୍ୟ ଯୋଜନାର ଛାପ

ଭୁବନେଶ୍ୱର: କେନ୍ଦ୍ର ବଜେଟରେ ଓଡ଼ିଶା ଯୋଜନାର ଛାପ। ରାଜ୍ୟସରକାରଙ୍କ ଲୋକପ୍ରିୟ ଯୋଜନା ମିଶନ ଶକ୍ତି ଓ ମମତାକୁ କେନ୍ଦ୍ର ବଜେଟରେ ଫୋକସ କରାଯାଇଛି। ମହିଳାଙ୍କ ଉନ୍ନତି କ୍ଷେତ୍ରରେ ଓଡ଼ିଶାର ଏହି ଯୋଜନାକୁ କେନ୍ଦ୍ର ଗୁରୁତ୍ବ ଦେବା ପରେ ସାରା ଦେଶ ପାଇଁ ଓଡ଼ିଶା ପୁଣି ଥରେ ମଡେଲ ସାଜିଛି।

ଗର୍ଭବତୀ ମହିଳାଙ୍କ ପାଇଁ ରାଜ୍ୟସରକାରଙ୍କ ଲୋକପ୍ରିୟ ଯୋଜନା ମମତା ୨୦୧୧ରୁ ଆରମ୍ଭ ହୋଇଛି। ଗର୍ଭଧାରଣ ସମୟରେ ମା’ଙ୍କ ପାଇଁ ପୁଷ୍ଟିକର ଖାଦ୍ୟ ସାଙ୍ଗକୁ ନବଜାତ ଶିଶୁର ଯତ୍ନ ନେବା ଏହି ଯୋଜନାର ଉଦ୍ଦେଶ୍ୟ। ମମତା ସାଙ୍ଗକୁ ରାଜ୍ୟସରକାରଙ୍କ ମିଶନ ଶକ୍ତି ଏବେ ଏକ ବିପ୍ଳବରେ ପରିଣତ ହୋଇଛି।  ମହିଳା ସଶକ୍ତିକରଣ ଦିଗରେ ଓଡ଼ିଶା ଏବେ ବହୁ ଆଗରେ ରହିଛି। ପ୍ରାୟ ୮୦ ଲକ୍ଷ ମହିଳା ଏବେ ଆର୍ଥିକ ସ୍ବାବଲମ୍ବୀ ହୋଇସାରିଲେଣି। ଏବେ ଏହା ସାରା ଦେଶ ପାଇଁ ବେଞ୍ଚମାର୍କ ଭାବେ ପରିଗଣିତ ହୋଇଛି। କେନ୍ଦ୍ର ବଜେଟରେ ମହିଳାଙ୍କ ପାଇଁ ସ୍ବତନ୍ତ୍ର ସ୍ଥାନ ଦେଇଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଏହାକୁ ନେଇ ମୁଖ୍ୟମନ୍ତ୍ରୀ ଖୁସି ବ୍ୟକ୍ତକରିଛନ୍ତି। ମହିଳା ସଶକ୍ତିକରଣ ଦିଗରେ ଓଡ଼ିଶା ଏବେ ସାରା ଦେଶ ପାଇଁ ଉଦାହରଣ ହୋଇଛି ବୋଲି ବିଜେଡି ବିଧାୟକ ଅମର ଶତପଥୀ କହିଛନ୍ତି।

ଓଡ଼ିଶାର ସଫଳ ଯୋଜନା କେନ୍ଦ୍ର ବଜେଟରେ ସ୍ଥାନ ପାଇଥିଲେ ମଧ୍ୟ ରାଜ୍ୟରେ ମୁଖ୍ୟ ବିରୋଧୀ ଦଳ ବିଜେପି ଏହାକୁ ସହଜରେ ଗ୍ରହଣ କରିପାରି ନାହିଁ। ଦଳ କହିଛି କେନ୍ଦ୍ର ଯୋଜନାକୁ ଓଡ଼ିଶା ସରକାର ନିଜ ନାମରେ ଉପସ୍ଥାପିତ କରୁଛି। ସେପଟେ କଂଗ୍ରେସ କିନ୍ତୁ  କେନ୍ଦ୍ରସରକାରଙ୍କ ବଜେଟକୁ ସମାଲୋଚନା କରିଛି। ଟିକସ ବାବଦକୁ ରାଜ୍ୟ ଯାହା ପ୍ରାପ୍ୟ ପାଇବା କଥା ତାହା ଏଥର ବଜେଟରେ ରାଜ୍ୟ ପାଇବ ନାହିଁ। କେନ୍ଦ୍ର ବଜେଟରେ ଓଡ଼ିଶାର ଭାଗ କମିଛି। ଯାହା ରାଜ୍ୟ ପାଇଁ ଚିନ୍ତାର କାରଣ ପାଲଟିଛି  ।

ପାରାଦୀପ-ବଡ଼ବିଲ ମଧ୍ୟରେ ନିର୍ମାଣ ହେବ ୮ଲେନ୍ ବିଶିଷ୍ଟ ରାସ୍ତା

ଭୁବନେଶ୍ୱର:ପାରାଦୀପ ଠାରୁ ବଡ଼ବିଲ ମଧ୍ୟରେ ନିର୍ମାଣ ହେବ ଅର୍ଥନୈତିକ କରିଡର। ପାରାଦୀପ-ବଡ଼ବିଲ ମଧ୍ୟରେ ନିର୍ମାଣ ହେବ ୮ଲେନ୍ ବିଶିଷ୍ଟ ରାସ୍ତା। ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ ନୀତିନ ଗଡକରୀଙ୍କ ସହ ଆଲୋଚନା କରିଛନ୍ତି। କେନ୍ଦୁଝର ଖଣି ଅଞ୍ଚଳରୁ ୩ ଶହ କିମି ଲମ୍ବ ଏହି ରାସ୍ତା ଦ୍ବାରା ପାରାଦୀପ ବନ୍ଦରକୁ ଖଣିଜ ସାମଗ୍ରୀ ପରିବହନ ସୁଗମ ହେବ। ଖଣିଜ ସଂପଦରେ ଭରା କେନ୍ଦୁଝର ଅର୍ଥନୀତି ଦୃଷ୍ଟିରୁ ରାଜ୍ୟର ଏକ ଗୁରୁତ୍ବପୂର୍ଣ୍ଣ ଜିଲ୍ଲା ହୋଇଥିବା ବେଳେ ଶୀଘ୍ର ପ୍ରକଳ୍ପ ନିର୍ମାଣ କାମ ଶେଷ କରିବାକୁ ନବୀନ ପ୍ରସ୍ତାବ ଦେଇଛନ୍ତି। ପାରାଦୀପ-ବଡ଼ବିଲ ମଧ୍ୟରେ ନିର୍ମାଣ ହେବାକୁ ଥିବା  ୮ଲେନ୍ ବିଶିଷ୍ଟ ରାସ୍ତା ନିର୍ମାଣ ସମୟରେ ସର୍ଭିସ ରୋଡ ଦେବାକୁ ପ୍ରସ୍ତାବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ।

ପ୍ରକଳ୍ପରେ ରାଜ୍ୟର ଭାଗିଦାରୀ ରହିବା ସହିତ ସମସ୍ତ ସହଯୋଗ ଯୋଗାଇ ଦିଆଯିବ। ପ୍ରତି ଦୁଇ ମାସରେ କେନ୍ଦ୍ର ସହ ବୈଠକ କରି କାମ ତ୍ବରାନ୍ବିତ କରାଯିବାକୁ ସେ ପ୍ରସ୍ତାବ ଦେଇଛନ୍ତି। ପ୍ରସ୍ତାବିତ ୩ଶହ କିଲୋମିଟର ଦୀଘା-ସାତପଡ଼ା ବେଳାଭୂମି ଜାତୀୟ ରାଜପଥ ପାଇଁ ଦେଖାଦେଇଥିବା ସମସ୍ୟାର ତୁରନ୍ତ ସମାଧାନ କରିବାକୁ କହିବା ସହ ରାଜ୍ୟ ସରକାର ଏଥିପାଇଁ କ୍ଲିଅରାନ୍ସ ଦେଇଛନ୍ତି। ଏସବୁ ପ୍ରସ୍ତାବରେ କେନ୍ଦ୍ର ମନ୍ତ୍ରୀ ଗଡ଼କରୀ ରାଜି ହୋଇଛନ୍ତି। ସେହିଭଳି ଏନଏଚ-୨୦ର ପାଣିକୋଇଲି-ରେମୁଳି ଅଂଶର ୪ ଥାକିଆ କାମ ସାରିବା ନେଇ ଆଲୋଚନା ହୋଇଛି। କେନ୍ଦ୍ରମନ୍ତ୍ରୀ ଏକ ବର୍ଷ ମଧ୍ୟରେ କାମ ସରିବ ବୋଲି ଆଶ୍ବାସନା ଦେଇଛନ୍ତି। ସେହିଭଳି ୪୩ କିଲୋମିଟର ରେମୁଳି-କୋଇଡା ଏବଂ ୧୦୪ କିଲୋମିଟର ସିଙ୍ଗଡା-ବିଞ୍ଜବାହଲ ୪ ଥାକିଆ ରୋଡ ଜୁନ ୨୦୨୧ ସୁଦ୍ଧା ସାରିବାକୁ ଲକ୍ଷ୍ୟ ରଖାଯାଇଛି। ଏହାପରେ ଯାଇ ଆଠ ଥାକିଆ ରୋଡ ବିଷୟରେ ଯୋଜନା ହେବ।

ଆଲୋଚନାରେ ଗୋପାଳପୁର, ସୁବର୍ଣ୍ଣରେଖା, ଅସ୍ତରଙ୍ଗ, ପାରାଦୀପ ଏବଂ ଧାମରା ବନ୍ଦର ସଂଯୋଗୀକରଣ ସ୍ଥାନ ପାଇଥିଲା। ଏହି ସବୁ ପ୍ରକଳ୍ପଗୁଡିକୁ ଶୀଘ୍ର ଶେଷ କରିବା ପାଇଁ ଉପଯୁକ୍ତ ପଦକ୍ଷେପ ନିଆଯିବ ବୋଲି କେନ୍ଦ୍ର ମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି। ବିଜୁ ଏକ୍ସପ୍ରେସ ୱେର ଅଂଶ ଅମ୍ପାନି-ଜୟପୁର, ଭୁବନେଶ୍ବର-ପୁରୀ ଏକ୍ସପ୍ରେସ ୱେ ଏବଂ ରାୟପୁର-ବିଶାଖାପାଟଣା ରୋଡ ସଂପର୍କରେ ଉଭୟ ସରକାର ଆଲୋଚନା କରିଛନ୍ତି। ଶେଷରେ କାନୁପୁର ଜଳସେଚନ ପ୍ରକଳ୍ପ ଶୀଘ୍ର ଶେଷ କରିବାକୁ କେନ୍ଦ୍ର ମନ୍ତ୍ରୀ ଗଡକରୀଙ୍କ ଆଶ୍ବାସନାରେ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଜଣାଇଛନ୍ତି।