ନଦୀ ଗର୍ଭରୁ ବାହାରିଲା ଶିବ ଲିଙ୍ଗ, ନୀତିକାନ୍ତିରେ ପୂଜାର୍ଚ୍ଚନା କଲେ ସେବାୟତ

ଯାଜପୁର: ଯାଜପୁର ଦଶରଥପୁର ସିଦ୍ଧେଶ୍ୱର ପୀଠ ନିକଟ ବୈତରଣୀ ନଦୀ ଗର୍ଭରୁ ମିଳିଛି ପୁରାତନ ଯୁଗର ବହୁ କୀର୍ତ୍ତିରାଜି । ଏମିତିକି ନଦୀ ଗର୍ଭରୁ ବାହାରିଛି ଏକ ଶିବଲିଙ୍ଗ । ଏହି ମହାପ୍ରଭୁଙ୍କ ଦିବ୍ୟ ଦର୍ଶନ ପାଇଁ ନଦୀ କୂଳ ଏବଂ ପଠାରେ ଲୋକଙ୍କ ଗହଳି ଜମିଛି । ନଦୀ ଗର୍ଭରୁ ଫୁଟି ବାହାରିଥିବା ଏହି ବିଶାଳ ଶିବଲିଙ୍ଗକୁ ଶିବରାତ୍ରୀରେ ବୈଦିକ ନୀତିକାନ୍ତିରେ ପୂଜାର୍ଚ୍ଚନା କରିଛନ୍ତି ସେବାୟତ ।

ସୂଚନା ଅନୁଯାୟୀ, ଏହା ସହ ୬ରୁ ଅଧିକା ଅମୁହାଁ ମନ୍ଦିର ମଧ୍ୟ ଦୃଶ୍ୟମାନ ହୋଇଛି । ଦେବୀଙ୍କ ଭୂମିରେ ଶିବଙ୍କ ଆଗମନ ଏକ ଅଲୌକିକ ମହିମା ବୋଲି ସାଧାରଣରେ ଚର୍ଚ୍ଚା ହେଉଛି। ମନ୍ଦିର ଚାରି ପଟେ ଆହୁରି ପ୍ରସ୍ତର ମୂର୍ତ୍ତି ଓ କୀର୍ତ୍ତିରାଜି ସବୁ ପୋତି ହୋଇ ରହିଥିବା ସ୍ଥାନୀୟ ଅଞ୍ଚଳବାସୀ ମତ ରଖିଛନ୍ତି।

ଉଲ୍ଲେଖଯୋଗ୍ୟ, ଇତିହାସ ଓ ସଂସ୍କୃତି ଆଇନାରେ ଯାଜପୁର ଜିଲ୍ଲାର ରିହିଛି ଏକ ସ୍ୱତନ୍ତ୍ର ସ୍ଥାନ। ଦୀର୍ଘ ଦିନରୁ ବାଲି ପାଇଁ ନଦୀ ଖୋଳା ଚାଲିଥିବା ବେଳେ ଏହି ଶିବଲିଙ୍ଗ ଓ ମନ୍ଦିର ସବୁ ଦୃଶ୍ୟମାନ ହୋଇଛି । ସିଦ୍ଧେଶ୍ୱର ପୀଠର ସୁରକ୍ଷା ସହ ମିଳିଥିବା ଐତିହ୍ୟର ଯତ୍ନ ନେବା ପାଇଁ ଜିଲ୍ଲା ପ୍ରଶାସନ ଓ ପ୍ରତ୍ନତତ୍ତ୍ୱ ବିଭାଗ ଗୁରୁତ୍ୱ ଦେବାକୁ ଦାବି କରିଛନ୍ତି ସ୍ଥାନୀୟ ବାସିନ୍ଦା।

Leave a Reply