ମୁଁ ଓ ମୋ ପତ୍ନୀ ବଞ୍ଚିଛୁ, ଆମର ପେନସନ କରାଇଦିଅ ବାବୁ…

ଭୋପାଳ: ମଧ୍ୟପ୍ରଦେଶର ରାଜଗଢରେ ଏକ ଅଭାବନୀୟ ଘଟଣା ନଜରକୁ ଆସିଛି । ଯେଉଁଠି ଜଣେ ବୃଦ୍ଧ ଦମ୍ପତ୍ତିଙ୍କୁ କାଗଜ କଲମରେ ମୃତ ଘୋଷଣା କରାଯାଇ ସେମାନଙ୍କର ପେନସନ ବନ୍ଦ କରି ଦିଆଯାଇଛି । ଯାହା ପରେ ସମ୍ପୃକ୍ତ ଦମ୍ପତ୍ତି ନିଜକୁ ଜୀବିତ ବୋଲି କହିବା ସହ ପେନସନ କରାଇ ଦେବା ଲାଗି ସ୍ଥାନୀୟ ଏସଡିଏମଙ୍କୁ ଗୁହାରୀ କରିଛନ୍ତି ।

ଏସଡିଏମଙ୍କୁ ଗୁହାରୀ କରିବା ସହ କହିଛନ୍ତି ଯେ, ମୁଁ ଓ ମୋ ପତ୍ନୀ ବଞ୍ଚିଛୁ, ଆମର ପେନସନ କରାଇଦିଅନ୍ତୁ ବାବୁ…। ଏହି ଘଟଣା ରାଜଗଢ ଜିଲ୍ଲାର ବ୍ୟାବରା ଜନପଦ ପଞ୍ଚାୟତର ଗାଁଓ ବୈଳାସର । ବୃଦ୍ଧ ଦମ୍ପତ୍ତି ବଦ୍ରିଲାଲ୍ ସୋଦ୍ଧିୟା ଓ ତାଙ୍କ ପତ୍ନୀ ସୋରମ୍ ବାଇଙ୍କର ପେନସନ କୗେଣସି କାରଣବଶତଃ ବନ୍ଦ ହୋଇଯାଇଥିଲା । ଏହାର କାରଣ ଜାଣିବା ପାଇଁ ସେ ଜନପଦ ପଞ୍ଚାୟତ ଅଫିସ ପହଞ୍ଚିଥିଲେ । ହେଲେ ସେଠାରେ ସେ ଯାହା ଶୁଣିଲେ ତାହା ତାଙ୍କ ହୋସ୍ ଉଡାଇ ଦେଲା ଭଳି ଥିଲା ।

ଜନପଦ ପଞ୍ଚାୟତର ଜଣେ ଅଧିକାରୀଙ୍କ ମୁତାବକ ବୃଦ୍ଧ ଦମ୍ପତ୍ତି ଦୁହେଁ ମୃତ୍ୟୁ ବରଣ କରିସାରିଛନ୍ତି । ଯେଉଁଥିପାଇଁ ୨୦୨୦ ମସିହା ନଭେମ୍ବର ୧୫ ତାରିଖରେ ସେମାନଙ୍କୁ ମୃତ ଘୋଷଣା କରାଯିବା ସହ ପେନସନ ବନ୍ଦ କରାଯାଇଥିଲା। ଏହି କଥା ଶୁଣିବା ପରେ ନିଜକୁ ଜୀବିତ ବୋଲି ପ୍ରମାଣିତ କରିବା ଲାଗି ସେ ଅଫିସର ଚକ୍କର କାଟିବାରେ ଲାଗିଛନ୍ତି ।

ତେବେ ଏହି ଘଟଣାରେ ଏସଡିଏମ୍ ନିଧି ସିଂହ ଯଥାଶୀଘ୍ର ତାଙ୍କର ପେନସନ କରାଇଦେବା ଓ ଏଭଳି ଅବହେଳା କରିଥିବା ବ୍ୟକ୍ତିମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ସହ ତଦନ୍ତ କରିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି ।

Leave a Reply