ପିପିଲିରେ କାହା ଉପରେ କିଏ ପଡ଼ିବ ଭାରି ? କ’ଣ କହୁଛି ରାଜନୀତିକ ଇତିହାସ…

1 min read
Who Will Win Pipili By Election, Know Pipili Politics History

ଭୁବନେଶ୍ୱର (ସୁଶାନ୍ତ କୁମାର ସାହୁ): ବିଗୁଲ୍ ବାଜିଛି ପିପିଲି ଉପନିର୍ବାଚନ ଲାଗି । ନିର୍ବାଚନ କମିଶନଙ୍କ ପକ୍ଷରୁ ତାରିଖ ଘୋଷଣା ପରେ ବିଭିନ୍ନ ଦଳର ନେତାଙ୍କ ଭିତରେ ଜିତିବାକୁ ଗୋଟିଚାଳନା ଆରମ୍ଭ ହୋଇଛି। ନିଜ ଆଡ଼କୁ ଜନତାଙ୍କୁ ଆକୃଷ୍ଟ କରିବାକୁ ନେତାଏ ରଣହୁଙ୍କାର ବି ଦେଇଛନ୍ତି। ହେଲେ ଜିତିବ କିଏ ? ପ୍ରଦୀପ ମହାରଥୀଙ୍କ ଅବର୍ତ୍ତମାନରେ ବିକଳ୍ପ ଭାବେ କାହାକୁ ବାଛିବେ ଜନତା ? ଏହାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା ଓ ଅଙ୍କକଷା ।

ପ୍ରଥମେ ଜାଣିବା ପିପିଲି ବିଧାନସଭା ନିର୍ବାଚନ ମଣ୍ଡଳୀ ବିଷୟରେ । ରାଜ୍ୟର ୧୧୦ ନମ୍ବର ବିଧାନସଭା କ୍ଷେତ୍ର ହେଉଛି ପିପିଲି । ପୁରୀ ଜିଲ୍ଲାର ପିପିଲି, ଡେଲାଙ୍ଗ ବ୍ଲକକୁ ନେଇ ଗଠିତ ଏହି ବିଧାନସଭା ନିର୍ବାଚନ ମଣ୍ଡଳି । ଗଲା ଦୁଇ ଦଶନ୍ଧିଭିତରେ ଲଗାତାର ୫ଟି ନିର୍ବାଚନରେ ପିପିଲିର ଭୋଟର ବିଜେଡି ପ୍ରାର୍ଥୀଙ୍କୁ ବିଜୟୀ କରି ଆସିଛନ୍ତି। ଦିବଂଗତ ପ୍ରଦୀପ ମହାରଥୀ ଏହି ସମୟରେ ତାଙ୍କ ସାରଥୀ ସାଜିଛନ୍ତି। ବିଜେଡି ଗଢ଼ା ହେବା ଦିନଠାରୁ ଏଠାରେ କେବେ ପରାଜୟ ମୁହଁ ଦେଖି ନାହିଁ। ଅର୍ଥାତ୍ ଗୋଟିଏ ଦଳ ଓ ଗୋଟିଏ ପ୍ରାର୍ଥୀଙ୍କ ଉପରେ ଦୃଢ଼ ଆସ୍ଥା ପ୍ରକଟ କରିଆସିଛନ୍ତି ପିପିଲିବାସୀ । ୨୦୨୦ ମସିହା ଅକ୍ଟୋବର ୪ରେ ପ୍ରଦୀପ ମହାରଥୀଙ୍କ ବିୟୋଗ ପରେ ଏହି ଆସନ ଖାଲି ପଡ଼ିଛି । ଏପ୍ରିଲ୍ ୧୭ରେ ପିପିଲି ଉପନିର୍ବାଚନ ଲାଗି ଭୋଟ୍ ଗ୍ରହଣ ହେବ ।

Who Will Win Pipili By Election, Know Pipili Politics History

ଏ ଉପନିର୍ବାଚନ ପାଇଁ ଯଦିଓ କୌଣସି ଦଳ ପ୍ରାର୍ଥୀ ଘୋଷଣା କରି ନାହାନ୍ତି କିନ୍ତୁ କିଏ ପ୍ରାର୍ଥୀ ହେବ ତାହା ଦଳୀୟ ନେତୃତ୍ୱ ନିଶ୍ଚିତ କରିସାରିବେଣି । ଏହି ପରିପ୍ରେକ୍ଷୀରେ କେଉଁ ଦଳର ପ୍ରାର୍ଥୀ ଜିତିବେ ? ଉପ ନିର୍ବାଚନ ହେଉଥିବାରୁ ବିଗତ ଦିନମାନଙ୍କରେ ହୋଇଥିବା ଉପନିର୍ବାଚନଗୁଡ଼ିକୁ ଆଲୋଚନାରେ ଅନ୍ତର୍ଭୁକ୍ତ କରିବା ଆବଶ୍ୟକ । ଗତବର୍ଷ ନଭେମ୍ବର ମାସରେ ରାଜ୍ୟର ୨ ଗୋଟି ଆସନରେ ଉପନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଆଉ ଉପନିର୍ବାଚନ ହୋଇଥିବା ବାଲେଶ୍ୱର ସଦର ଓ ଜଗତସିଂହପୁର ତିର୍ତ୍ତୋଲ ୨ଟି ଯାକ ଆସନରେ ବିଜୟୀ ହୋଇଥିଲା ବିଜେଡି ।

ବାଲେଶ୍ୱର ସଦର ଆସନରେ ବିଜେପି ବିଧାୟକ ମଦନମୋହନ ଦତ୍ତଙ୍କ ମୃତ୍ୟୁ ପରେ ଗତବର୍ଷ ଉପନିର୍ବାଚନ ହୋଇଥିଲା । ନିର୍ବାଚନରେ ବିଜେପି ମଦନମୋହନ ଦତ୍ତଙ୍କ ପୁଅ ମାନସ ଦତ୍ତଙ୍କୁ ପ୍ରାର୍ଥୀ କରିଥିଲା । ସେଠାରେ ବିଜେଡି ସ୍ୱରୂପ ଦାସଙ୍କୁ ଛିଡ଼ା କରିଥିଲା । ଏଥିରେ ବିଜୟୀ ହୋଇଥିଲେ ବିଜେଡିର ସ୍ୱରୂପ ଦାସ । ସେହିଭଳି ତିର୍ତ୍ତୋଲ ବିଧାୟକ ବିଷ୍ଣୁ ଦାସଙ୍କ ମୃତ୍ୟୁ ପରେ ହୋଇଥିବା ଉପନିର୍ବାଚନରେ ବିଜେଡି ପ୍ରାର୍ଥୀ ବିଜୟ ଶଙ୍କର ଦାସ ବିଜୟୀ ହୋଇଥିଲେ ।

Who Will Win Pipili By Election, Know Pipili Politics History

ବାଲେଶ୍ୱର କିମ୍ବା ତିର୍ତ୍ତୋଲ ଉପନିର୍ବାଚନକୁ ବାଦ୍ ଦେଲେ ରାଜ୍ୟର ଅନ୍ୟ ସ୍ଥାନରେ ହୋଇଥିବା ଅଧିକାଂଶ ନିର୍ବାଚନରେ ବିଜେଡି ବିଜୟୀ ହୋଇଛି । ତା’ଛଡ଼ା ଦୀର୍ଘ ଦୁଇ ଦଶନ୍ଧି ଧରି ପିପିଲି ଆସନରେ ବିଜେଡିର ଦବଦବା ରହିଥିବା ବେଳେ ଅନେକ ଉନ୍ନତିମୂଳକ କାର୍ଯ୍ୟ ହୋଇଛି । ବିଜେଡି ଟିକେଟରୁ ଦିବଂଗତ ମହାରଥୀ ୨୦୦୦ ମସିହାରୁ ୨୦୧୯ ଯାଏ ନିର୍ବାଚନ ଲଢ଼ି ବିଜୟୀ ହୋଇଛନ୍ତି ।

୨୦୧୯ ନିର୍ବାଚନରେ ପ୍ରଦୀପ ମହାରଥୀ ୧୫ ହଜାର ୭୮୭ ଭୋଟ୍ ବ୍ୟବଧାନରେ ବିଜୟୀ ହୋଇଥିଲେ । ପ୍ରଦୀପ ମହାରଥୀଙ୍କୁ ୮୮ ହଜାର ୫୧୮ ଖଣ୍ଡ ଭୋଟ୍ ମିଳିଥିବା ବେଳେ ବିଜେପିର ଅଶ୍ରିତ ପଟ୍ଟନାୟକ ୭୨ ହଜାର ୭୩୧ ଖଣ୍ଡ ଭୋଟ୍ ପାଇଥିଲେ । ସେହିଭଳି ୨୦୧୪ ନିର୍ବାଚନରେ ପ୍ରଦୀପ ମହାରଥୀ ୩୩ ହଜାର ୪୭୪ ଭୋଟ୍ ବ୍ୟବଧାନରେ ବିଜୟୀ ହୋଇଥିଲେ । ପ୍ରଦୀପ ମହାରଥୀଙ୍କୁ ୮୨ ହଜାର ୫୫୦ ଖଣ୍ଡ ଭୋଟ୍ ମିଳିଥିବା ବେଳେ କଂଗ୍ରେସର ଯୁଧିଷ୍ଠିର ସାମନ୍ତରାୟ ପାଇଥିଲେ ୪୯ ହଜାର ୭୬ ଖଣ୍ଡ ଭୋଟ୍ । ବିଜେପି ପ୍ରାର୍ଥୀ ପ୍ରଫୁଲ୍ଲ ପ୍ରସାଦ ଗଜେନ୍ଦ୍ରଙ୍କୁ ମିଳିଥିଲା ୭ ହଜାର ୬୫୬ ଭୋଟ୍ ମିଳିଥିଲା ।

ଏଥିସହ ପଢ଼ନ୍ତୁ- ଏପ୍ରିଲ୍ ୧୭ରେ ପିପିଲି ଉପନିର୍ବାଚନ ଲାଗି ଭୋଟ୍, ମେ’୨ରେ ରେଜଲ୍ଟ

ବିଗତ ନିର୍ବାଚନ ଫଳାଫଳ ଏବଂ ଭୋଟ୍ ହାରକୁ ଦେଖିଲେ ଲାଗୁଛି ପିପିଲିରେ ବିଜେଡି ଦିନକୁ ଦିନ ସୁଦୃଢ଼ ହୋଇଛି ଏବଂ ବିଜେଡି ଉପରେ ପିପିଲିବାସୀଙ୍କ ପୂର୍ଣ୍ଣ ଆସ୍ଥା ରହିଛି । ଏବେ ହେବାକୁ ଥିବା ଉପନିର୍ବାଚନ ମଧ୍ୟ ବିଜେଡି ପୂର୍ବଭଳି ବିପୁଳ ଭୋଟରେ ବିଜୟ ଲାଭ କରିବ ବୋଲି ସମ୍ଭାବନା ଆସିବା ସ୍ୱାଭାବିକ ।

Leave a Reply