spot_img
Home Blog Page 5908

ବିଶ୍ୱ ମହିଳା ଦିବସରେ ଆରମ୍ଭ ହେଲା ନନ୍ଦିଘୋଷ ଟିଭିର ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଦୁହିତା

ଭୁବନେଶ୍ୱଣ: ଆଜି ହେଉଛି ବିଶ୍ୱ ମହିଳା ଦିବସ। ଏହି ଅବସରରେ ନନ୍ଦିଘୋଷ ଟିଭି ପକ୍ଷରୁ ଦିନ ୧୧ଟାରୁ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଦୁହିତାର ଆରମ୍ଭ ହୋଇଛି। ପ୍ରଥମେ ପ୍ରଦୀପ ପ୍ରଜ୍ୱଳନ ପରେ ଆରମ୍ଭ ହୋଇଥିଲା କାର୍ଯ୍ୟକ୍ରମ ଦୁହିତା। କର୍ଯ୍ୟକ୍ରମ ଆରମ୍ଭରୁ ପ୍ରଥମେ ପଦ୍ମଶ୍ରୀ ଓଡ଼ିଶୀ ନୃତ୍ୟଶିଳ୍ପୀ ଏଲିଆନା ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିଲେ। ଏହାପରେ ପଦ୍ମଶ୍ରୀ ଏଲିଆନାଙ୍କୁ ନନ୍ଦିଘୋଷ ଟିଭି ଏବଂ ସକାଳର ମୁଖ୍ୟ ତଥା ରାଜ୍ୟ ସରକାରଙ୍କର ଗଣମାଧ୍ୟମ ପରାମର୍ଶଦାତା ମାନସ ମଙ୍ଗରାଜ ସମ୍ମାନିତ କରିଥିଲେ। ଏହା ପରେ ଆରମ୍ଭ ହୋଇଛି ଦୁହିତାର ପ୍ରଥମ ସେଗମେଣ୍ଟ  ନାରୀ ପ୍ରଗତିର ସଂରକ୍ଷଣ ଜରୁରି କି ?। ଏହି ସେଗମେଣ୍ଟରେ ମଞ୍ଚ ପରିଚାଳନା କରିଥିଲେ ଗାୟତ୍ରୀ ମହିନ୍ତି ଏବଂ ଶୁଭଲକ୍ଷ୍ମୀ ଜେନା। ପ୍ରଥମ ସେଗମେଣ୍ଟରେ ପ୍ୟାନେଲିଷ୍ଟ ରହିଛନ୍ତି ସଂହମିତ୍ରା ପତି ଡ଼ାଇରେକ୍ଟର ଆରଏମ୍‌ଆର୍‌ସି, କଣ୍ଠଶୀଳ୍ପି ତୃପ୍ତି ଦାଶ, ଜୟନ୍ତି ଏକା ସଭାପତି ଏସ୍‌ଏସ୍‌ଜି, ମାଲା ମିଶ୍ର ଚେୟାର ପର୍ସନ ଡିପିଏସ୍‌ କଳିଙ୍ଗ।

ଦେଶରେ ବଢ଼ୁଛି କରୋନା ସଂକ୍ରମଣ, ୬ଟି ରାଜ୍ୟରେ କରୋନା ଚିନ୍ତା ବଢ଼ାଉଛି

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଛି। ଲଗାତାର ତୃତୀୟ ଦିନ ପାଇଁ ୧୮ ହଜାରରୁ ଅଧିକ କରୋନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୮ ହଜାର ୫୯୯ ଟି ନୂଆ ମାମଲା ରୁଜୁ ହୋଇଛି ବୋଲି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଦେଇଛି। ଗତକାଲି ଏହି ମହାମାରୀ ଯୋଗୁଁ ୯୭ ଜଣଙ୍କର ମୃତ୍ୟୁ ହୋଇଥିଲା। ଦେଶରେ କରୋନା ପଜିଟଭ୍‌ ସଂଖ୍ୟା ୧ କୋଟି ୧୨ ଲକ୍ଷ ୨୯ ହଜାର ୩୯୮ ରେ ପହଞ୍ଚିଛି। ସେଥିମଧ୍ୟରୁ ୧ ଲକ୍ଷ ୫୭ ହଜାର ୮୫୩ ଜଣଙ୍କର ମୃତ୍ୟୁ ହୋଇଛି। ଦେଶରେ ସମୁଦାୟ କରୋନା ସକ୍ରିୟ ମାମଲା ବର୍ତ୍ତମାନ ୧ ଲକ୍ଷ ୮୮ ହଜାର ୭୪୭କୁ ବୃଦ୍ଧି ପାଇଛି। ଏଥି ସହିତ, ସୁସ୍ଥ ହୋଇ ଘରକୁ ଫେରିଥିବା ମୋଟ ମାମଲା ହେଉଛି ୧ କୋଟି  ୮ ଲକ୍ଷ ୮୨ ହଜାର ୭୯୮। ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ ୨ କୋଟି ୯ ଲକ୍ଷ  ୮୯ ହଜାର ୧୦ ଜଣଙ୍କୁ କରୋନା ଟିକା ଟିକା ଦିଆଯାଇଛି।

ଦେଶର ୬ଟି ରାଜ୍ୟ, ପଞ୍ଜାବ, କର୍ଣ୍ଣାଟକ, ଗୁଜରାଟ, ତାମିଲନାଡୁ, କେରଳ ଏବଂ ମହାରାଷ୍ଟ୍ରରେ ଦୈନିକ କରୋନା ରୋଗରେ ବୃଦ୍ଧି ଘଟୁଛି। ପଞ୍ଜାବ, କର୍ଣ୍ଣାଟକ, ଗୁଜୁରାଟ ଏବଂ ତାମିଲନାଡୁରେ କରୋନା ପରିସ୍ଥିତି ଚିନ୍ତାଜନକ ଥିବାବେଳେ କେରଳ ଏବଂ ମହାରାଷ୍ଟ୍ରର ଅବସ୍ଥା ଅତ୍ୟନ୍ତ ବିପଜ୍ଜନକ ରହିଛି। ୮୪.୭ ପ୍ରତିଶତ ମାମଲା କେବଳ ଏହି ୬ ଟି ରାଜ୍ୟରୁ ଆସିଛି। ଭୟଙ୍କର ପରିସ୍ଥିତିକୁ ଦୃଷ୍ଟିରେ ରଖି ମହାରାଷ୍ଟ୍ର ଏବଂ ପଞ୍ଜାବରେ ମନ୍ତ୍ରଣାଳୟ ମଧ୍ୟ ଉଚ୍ଚ ସ୍ତରୀୟ ଦଳ ନିୟୋଜିତ କରିଛନ୍ତି।

ଏହିସବୁ ରାଜ୍ୟରେ କରୋନା ସଂକ୍ରମଣ ବଢ଼ୁଥିବା ସତ୍ତ୍ୱେ ସରକାର ପରୀକ୍ଷା ବୃଦ୍ଧି କରୁନାହାଁନ୍ତି। ୮ ରୁ ୧୦ ଫେବୃଆରୀ ମଧ୍ୟରେ, ଯେତେବେଳେ ପ୍ରତି ଦିନ୮ରୁ ୧୦ ହଜାର କରୋନା ମାମଲା ସାମ୍ନାକୁ ଆସୁଥିଲା, ସେତେବେଳେ ପ୍ରତିଦିନ ୬ଣଉ ୭ ଲକ୍ଷ ପରୀକ୍ଷା କରାଯାଉଥିଲା। ବର୍ତ୍ତମାନ, ଯେତେବେଳେ ନୂତନ ସଂକ୍ରମିତଙ୍କ ସଂଖ୍ୟା ଦ୍ୱିଗୁଣିତ ହୋଇ ୧୮ ହଜାରରୁ ଅଧିକ ହୋଇଛି ସେତେବେଳେ ରାଜ୍ୟ ତାର ଟେଷ୍ଟିଂରେ ବୃଦ୍ଧି କରୁନାହିଁ।

ମହିଳାଙ୍କ ସେବା, ତ୍ୟାଗ, ବଳୀଦାନକୁ ମନେ ପକାଇବା ପାଇଁ ଖାସ୍ ଦିନଟିଏ

ଭୁବନେଶ୍ୱର: ଆଜି ବିଶ୍ବ ମହିଳା ଦିବସ, ମହିଳାଙ୍କ ସେବା, ତ୍ୟାଗ, ବଳୀଦାନକୁ ମନେ ପକାଇବା ପାଇଁ ଖାସ୍ ଦିନ। ଜୀବନ ଯୁଦ୍ଧରେ ସେ ବିଜୟିନୀ, କର୍ତ୍ତବ୍ୟ କାଠଗଡ଼ାରେ ସେ ଯୋଦ୍ଧା। ନାରୀର ଅନେକ ରୂପ, ଅନେକ କାହାଣୀ। ମହିଳାଙ୍କ ପ୍ରତି ସମ୍ମାନ ଜଣାଇବା ପାଇଁ ପ୍ରତି ବର୍ଷ ମାର୍ଚ୍ଚ ୮କୁ ଅନ୍ତର୍ଜାତୀୟ ମହିଳା ଦିବସ ଭାବେ ପାଳନ କରାଯାଏ ।

ଏନେଇ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଦେଶର ମହିଳା ଅନେକ କ୍ଷେତ୍ରରେ ଅନେକ କିର୍ତ୍ତୀମାନ ସ୍ଥାପନ କରୁଛନ୍ତି। ଆଜିର ଦିନରେ ପୁରୁଷ ଏ ମହିଳାଙ୍କ ମଧ୍ୟରେ ସମାନତା ରଖିବାକୁ ଆହ୍ବାନ ଦେଇଛନ୍ତି ରାଷ୍ଟ୍ରପତି। ସେହିପରି ରାଜ୍ୟପାଳ ଗଣେଶି ଲାଲ ମଧ୍ୟ ଟ୍ବିଟ୍ କରି ମହିଳା ଦିବସର ଶୁଭକାମନା ଜଣାଇଛନ୍ତି। ମହଇଲା ସଶକ୍ତିକରଣକୁ ଅଗ୍ରାଧିକାର ଦେବାକୁ ସଚେତନ କରିଛନ୍ତି।

ସେପଟେ ମହିଳା ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଟ୍ବିଟ୍ କରିଛନ୍ତି। ଏହି ଅବସରରେ ମହିଳା ସଶକ୍ତିକରଣକୁ ପ୍ରାଥମିକତା ଦେଇଛନ୍ତି। ସବୁ କ୍ଷେତ୍ରରେ ମହିଳାଙ୍କ ସଫଳତାକୁ ପ୍ରଶଂସା କରିବା ସହ ସମାଜରେ ମହିଳା ଲିଡର ସୃଷ୍ଟି କରିବାକୁ ଆହ୍ବାନ ଦେଇଛନ୍ତି ନବୀନ।

ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ପୁରୀ ବେଳାଭୂମିରେ ହେଲା ବାଲୁକା କଳା । ବାଲୁକା ଶିଳ୍ପୀ ସୁଦର୍ଶନଙ୍କ ଆର୍ଟି ସ୍କୁଲର ଝିଅ ବାଲୁକା ଶିଳ୍ପୀ ଆଜିର ଦିନରେ ସୁନ୍ଦର କଳାକୃତି କରିଦେଖାଇଛନ୍ତି । ଶୁଭଶ୍ରୀ ମିଶ୍ର, ବର୍ଷା ପ୍ରିୟଦର୍ଶୀନି , ସଶ୍ମିତା ସାହୁ, ସୋନିତା ଦାସ, ମଧୁସ୍ମିତା ଦାସ, ବିଜୟଲକ୍ଷ୍ମୀ ଦାସ ମିଳିମିଶି ଏହି ବାଲୁକାକଳା ପ୍ରଦର୍ଶନ କରିଛନ୍ତି ।

ଶେରଗଡ଼ ଟୋଲ ଗେଟ ନିକଟରୁ ୨ଟି ଗୋରୁ ବୋଝେଇ କଣ୍ଟେନର ଜବତ୍, ୧୦୦ରୁ ଅଧିକ ଗୋରୁ ଉଦ୍ଧାର  

ସୋର: ବାଲେଶ୍ବର ଶେରଗଡ ଟୋଲ ଗେଟ ନିକଟରେ ୨ଟି ଗୋରୁ ବୋଝେଇ କଣ୍ଟେନର ଜବତ୍  । ୧୦୦ରୁ ଅଧିକ ଗୋରୁ ଉଦ୍ଧାର  । ୬ ଗୋରୁ ଚାଲାଣକାରୀଙ୍କୁ ଅଟକ ରଖିଲା ଶେରଗଡ ଫାଣ୍ଡି ପୋଲିସ । ୧୬ନଂ ଜାତୀୟ ରାଜପଥରେ କଣ୍ଟେନରଟି କଲିକତା ଯାଉଥିବାବେଳେ ଶେରଗଡ ଟୋଲଗେଟ ନିକଟରେ କଣ୍ଟେନରକୁ ଯାଢ୍ଚ କରିଥିଲେ ଫାଣ୍ଡି ଅଧିକାରୀ  । କଣ୍ଟେନର ଦୁଇଟିରୁ ୧୦୦ ରୁ ଉର୍ଦ୍ଧ୍ବ ଗୋରୁ ଉଦ୍ଧାର କରାଯାଇଥିଲା  । ଉଦ୍ଧାର ଗୋରୁଙ୍କୁ ନୀଳଗିରି ଗୋଶାଳାରେ ଛଡା ଯାଇଛି  । କଣ୍ଟେନର ଡ୍ରାଇଭର୍ ସମେତ ୬ ଜଣକୁ ଖନ୍ତାପଡା ପୋଲିସ ଅଟକ ରଖିଛି ।

ସାତ ଏକର ଜମିର ଧାନ ଜଳିପୋଡ଼ି ପାଉଁଶ, ପୋଡ଼ିଗଲା ୧୦ ବଖରା ଘର

ସୋର: ସୋରର ଦୁଇଟି ସ୍ଥାନରେ ଭୟାବହ ଅଗ୍ନିକାଣ୍ଡ। ନିଆଁ ଲାଗି ତିନିଜଣ ଗୁରୁତର ହୋଇଥିବା ବେଳେ ୧୦ ବଖରା ଘର ପୋଡି ଯାଇଛି। ଏହାସହ ସାତ ଏକର ଜମିର ଧାନ ଜଳିପୋଡ଼ି ପାଉଁଶ ହୋଇଯାଇଛି। ସୂଚନା ଅନୁସାରେ ସୋର ପୌରପାଳିକା ୧୯ନମ୍ବର ୱାର୍ଡ କ୍ଷୀରକୋଣାରେ ଅଗ୍ନିକାଣ୍ଡ ଘଟି ବିକର୍ତ୍ତନ ମହାଳିକ, ପୁଅ ପ୍ରଶାନ୍ତ ଓ ଟୁକୁନାଙ୍କର ପାଞ୍ଚ ବଖରା ପୋଡି ପାଉଁଶ ହୋଇଯାଇଛି।  ନିଆଁରେ ବିକର୍ତ୍ତନଙ୍କ ସ୍ତ୍ରୀ ଲଷ୍ମୀ ଓ ୧୦ ବର୍ଷର ନାତି ପୋଡ଼ି ଗୁରୁତର ହୋଇଥିବା ସୂଚନା ମିଳିଛି। ଚଳିତ ବର୍ଷ ବିକର୍ତ୍ତନ ସାତ ଏକର ଜମିରେ ଧାନ ଚାଷ କରିଥିଲେ। ନିଆଁ ଲାଗି ତା ବି ପୋଡ଼ି ପାଉଁଶ ହୋଇଯାଇଛି। ନିଆଁର ପ୍ରଖରତା ଏତେ ଥିଲା ଯେ ଘରୁ କୌଣସି ଜିନିଷ ବାହାର କରିବା ସମ୍ଭବ ନଥିଲା। ସେପଟେ କୁଡେଇ ଗାଁର ବିଜୟ ଦଳେଇଙ୍କ ଘରେ ନିଆଁ ଲାଗି ୫ବଖରା ପୋଡି ପାଉଁଶ ହୋଇଯାଇଛି। ନଗଦ ୧୨ ହଜାର ଟଙ୍କା ଓ ଲକ୍ଷାଧିକ ଟଙ୍କାର ଆସବାବ ପତ୍ର ପୋଡି ଯାଇଛି। ସୋର ଦମକଳ ବାହିନୀ ନିଆଁକୁ ଆୟତ୍ତ କରିଥିଲା।

ପୁଣି ଥରେ ଅସୁସ୍ଥ ହୋଇ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହେଲେ ପଦ୍ମଶ୍ରୀ ତୁଳସୀ ମୁଣ୍ଡା

ପଦ୍ମଶ୍ରୀ ତୁଳସୀ ମୁଣ୍ଡା ପୁଣି ଅସୁସ୍ଥ। ଚିକିତ୍ସା ପାଇଁ ତାଙ୍କୁ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୂଚନା ଅନୁଯାୟୀ, ୭୪ ବର୍ଷୀୟା ପଦ୍ମଶ୍ରୀ ତୁଳସୀ ମୁଣ୍ଡା ତାଙ୍କ ବଡବିଲ୍ ସେରେଣ୍ଡାସ୍ଥିତ ବାସଭବନରେ ଆଜି ସକାଳେ ହଠାତ୍ ଅସୁସ୍ଥ ହୋଇ ପଡିଥିଲେ। ସଙ୍ଗେ ସଙ୍ଗେ ତାଙ୍କୁ ଯୋଡା ଟିସ୍କୋ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କ ଶରୀରରେ ସୋଡିୟମ୍, ପଟାସିୟମ୍ ଓ ସୁଗାର କମ୍ ଥିବା ଜଣାପଡିଥିଲା। ଅଧିକ ଚିକିତ୍ସା ପାଇଁ ତାଙ୍କୁ ଭୁବନେଶ୍ବରସ୍ଥିତ ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଚିକିତ୍ସା ପରେ ଏବେ ସେ ସାମାନ୍ୟ ସୁସ୍ଥ ଥିବା ଜଣାପଡିଛି। ସୂଚନାଯୋଗ୍ୟ, ଗତ ଫେବୃଆରୀ ୧୭ ତାରିଖରେ ଅସୁସ୍ଥ ହେବା ପରେ ଭୁବନେଶ୍ବରସ୍ଥିତ ଆପୋଲୋ ହସ୍ପିଟାଲରେ ଚିକିତ୍ସିତ ହୋଇ ସେ ଘରକୁ ଫେରିଥିଲେ।

ତ୍ରାହି ତ୍ରାହି ଡ଼ାକିଲେଣି ଜଙ୍ଗଲରେ ଜୀବଜନ୍ତୁ, ବିଶାଳ ରୂପ ନେଲାଣି ଜଙ୍ଗଲ ନିଆଁ

ନିଆଁ ଆଁରେ ଭଶ୍ମ ହେବାରେ ଲାଗିଛି ଜଙ୍ଗଲ। ଜଙ୍ଗଲରେ ନିଆଁ ଲାଗିବା ଏବେ ମୁଣ୍ଡବ୍ୟଥାର କାରଣ ପାଲଟିଛି। ଦିନକୁ ଦିନ ଗୋଟିଏ ପରେ ଗୋଟିଏ ଜଙ୍ଗଲକୁ ନିଆଁ ତାର କବଳକୁ ନେଉଛି। ଏଥିରେ ତ୍ରାହି ତ୍ରାହି ଡ଼ାକିଲେଣି ଜଙ୍ଗଲରେ ସବୁ ଜୀବଜନ୍ତୁ। ଜୀବଜନ୍ତୁ ମାନଙ୍କର ମୃତ୍ୟୁ ଫଟାେ ବାହାରକୁ ଆସିନଥିଲେ ମଧ୍ୟ ଜଙ୍ଗଲ ନିଆଁରେ ଅନେକ ଜୀବଜନ୍ତୁ ମରିଥାଇ ପାରନ୍ତି ବୋଲି ସନ୍ଦେହ କରାଯାଉଛି। ସବୁଠାରୁ ବଡ଼ କଥାହେଉଛି ଗୋଟିଏ ପରେ ଗୋଟି ଜଙ୍ଗଲରେ ନିଆଁ କେମିତି ଲାଗୁଛି। ଯଦି ଦେଖିବା ଏହି ସବୁ ଜଙ୍ଗଲ ମଧ୍ୟରେ ଅନେକ ଦୁରତା ରହିଛି। ଗୋଟିଏ ଜଙ୍ଗଲରୁ ଆଉଗୋଟିଏ ଜଙ୍ଗଲକୁ ନିଆଁ ପହଞ୍ଚିବା ବହୁତ କଷ୍ଟ। କିନ୍ତୁ ତଥାପି ନିଆଁ ବ୍ୟାପିବାରେ ଲାଗିଛି ଜାହା ଏବେ ସବୁଠାରୁ ବଡ଼ ଚିନ୍ତାର କାରଣ।

ଶିମିଳିପାଳରେ ସ୍ଥିତି ଅଣାୟତ୍ତକୁ ଆସିନଥିବା ବେଳେ ଏବେ ସୁନାବେଡ଼ା ଅଭୟାରଣ୍ୟ ନିଆଁ କବଳରେ। ସେପଟେ ନୀଳଗିରି କୁଳଡିହା ସଂରକ୍ଷିତ ଜଙ୍ଗଲରେ ଲାଗିଥିବା ନିଆଁ ଲିଭିବାର ନା ଧରୁନି। ନିଆଁକୁ ଆୟତ୍ତ କରିବା ପାଇଁ ନିୟୋଜିତ ଅଛନ୍ତି ୯୦ରୁ ଅଧିକ କର୍ମଚାରୀ, ଅଗ୍ନିଶମ ବାହିନୀ ଓ କିଛି ସ୍ଥାନୀୟ ଅଞ୍ଚଳବାସୀ। ୫ରୁ ୬ ସ୍ଥାନରେ ନିଆଁ ଲାଗି ଏବେ ଧୀରେ ଧୀରେ ଗାଁକୁ ବ୍ୟାପିବାରେ ଲାଗିଛି। ରବିବାର ରାତିରେ ବାଲି ଚୁଆ ଗାଁକୁ ମାଡ଼ି ଆସିଥିଲା ନିଆଁ, ଫଳରେ ରାତିସାରା  ଅଗ୍ନିଶମ ବାହିନୀ, ବନ କର୍ମଚାରୀ, ଗାଁ ଲୋକଙ୍କ ସହାୟତାରେ ନିଆଁକୁ ଆୟତ କରିବାକୁ ଚେଷ୍ଟା ଜାରି ରଖିଛି।

ସେପଟେ ନିଆଁ ଗାଁକୁ  ଯେଭଳି ବ୍ୟାପୁଛି ଗାଁ ଲୋକେ ଭୟରେ ଥିବା ସୂଚନା ରହିଛି। ତେବେ ଲଗାତାର ଭାବେ ଅଗ୍ନିଶମ ବିଭାଗ ବନକର୍ମଚାରି ଓ ଗାଁ ଲୋକଙ୍କ ମଧ୍ୟରେ ଚାଲିଛି ଯୋଜନା କିପରି ନିଆଁକୁ ଆୟତ କରାଯିବ। କପିଳାସ, କୁଲଢ଼ିହା ମଧ୍ୟ ନିଆଁର ଆଁ ଭିତରକୁ ଆସିଲାଣି। ନୃସିଂହନାଥ, ହରିଶଙ୍କର ରେଞ୍ଜରେ ଜଳୁଛି ଜଙ୍ଗଲ। ମୟୂରଭଞ୍ଜରୁ ମାଲକାନଗିରି ହେଉ କି କଳାହାଣ୍ଡିରୁ କଣ୍ଟାବାଞ୍ଝି। ସବୁଠି ଜଙ୍ଗଲ ନିଆଁ ଆଜି ଭୟଙ୍କର ରୂପ ଧାରଣ କରିଛି। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୫୦୦ରୁ ଅଧିକ ସ୍ଥାନରେ ବଡ଼ଧରଣର ଜଙ୍ଗଲ ନିଆଁ ଚିହ୍ନଟ କରାଯାଇଛି।

ଦିନକୁ ଦିନ ନିଆଁ ତାର ଆକାର ବଢ଼ାଇବାରେ ଲାଗିଛି। ସପ୍ତାହକ ମଧ୍ୟରେ ଯେତିକି ନିଆଁ ଲାଗିଥିଲା ଏବେ ତାହା ଗୋଟିଏ  ଦିନରେ ଲାଗୁଛି। ଯେଉଁଥିପାଇଁ ହୁତ୍‌ ହୁତ୍‌ ହୋଇ ସାତକୋଶିଆ ଜଳୁଛି। ଏହି ଅଭୟାରଣ୍ୟ ଏବଂ ଜୀବଜନ୍ତୁ ନିଆଁ ମୁହଁକୁ ଠେଲି ହୋଇଯାଇଛନ୍ତି। ଗତକାଲି ସୁଦ୍ଧା ସାତକୋଶିଆର ୧୨୪ଟି ଜଙ୍ଗଲ ଅଞ୍ଚଳ ଜଳୁଥିବା ସାଟେଲାଇଟ୍ ତଥ୍ୟ ଦେଇଥିବା ବେଳେ ଆଜି ରବିବାର ଦିନ ୯୨ଟି ଜଙ୍ଗଲ ଅଞ୍ଚଳ ଜଳୁଥିବା କଥା ସାଟେଲାଇଟ୍‌ ତଥ୍ୟ ଦେଇଛି।

ମାର୍ଚ୍ଚ ୧ ତାରିଖରୁ ୬ତାରିଖ ମଧ୍ୟରେ ମହାନଦୀ ଡିଭିଜନରେ ୮୮ଟି ଜଙ୍ଗଲ ଅଞ୍ଚଳ ଜଳୁଛି ବୋଲି ସାଟେଲାଇଟ୍ ଧରିଥିଲା। ସୋମବାର ଗୋଟିଏ ଦିନରେ ମହାନଦୀ ଡିଭିଜନର ୭୮ଟି ଅଞ୍ଚଳରେ ନିଆଁ ଲାଗିଥିବା ସାଟେଲାଇଟ୍‌ ଜାଣିବାକୁ ପାଇଛି। ସବୁଠାରୁ ବେଶି ଜଳୁଛି ମହାନଦୀ ଏବଂ ବାଇଶିପାଲୀ ଜଙ୍ଗଲ। ତେବେ ଜଙ୍ଗଲରେ କେଉଁଥି ପାଇଁ ନିଆଁ ଲାଗିଛି ତାହା ଏପର୍ଯ୍ୟନ୍ତ ଯଣାପଡ଼ିନାହିଁ। କାହିଁକି ଗୋଟିଏ ପରେ ଗୋଟିଏ ଜଙ୍ଗଲକୁ ନିଆଁ ବ୍ୟାପୁଛି ତାହା ଏବେ ଅସ୍ପଷ୍ଟ।

ତେବେ ନିଆଁକୁ ଲିଭାଇବା ପାଇଁ ସମସ୍ତ ପ୍ରକାରର ପଦକ୍ଷେପ ନିଆଯାଇଛି। ଦମକଳ ବାହୀନି ପ୍ରତି ମୁହୂର୍ତ୍ତରେ ନିଆଁ ଲିଭାଇବା ପାଇଁ ଚେଷ୍ଟା ଚଳାଇଛନ୍ତି।

ଡାକ୍ତରଙ୍କ ଅବହେଳାରୁ ରୋଗୀ ମୃତ୍ୟୁ ଅଭିଯୋଗ, ଡାକ୍ତରଖାନାରେ ଉତ୍ତେଜନା

ଯାଜପୁର: ମୁଖ୍ୟ ଚିକିତ୍ସାଳୟରେ ଡାକ୍ତରଙ୍କ ଅବହେଳା ପାଇଁ ‌ଜଣେ ରୋଗୀଙ୍କ ମୃତ୍ୟୁ ଅଭିଯୋଗ । ଘଟଣାକୁ ନେଇ ମେଡିକାଲରେ ଉତ୍ତେଜନା ଦେଖା ଦେଇଛି । ଟାଉନ ପୋଲିସ ଘଟଣାସ୍ଥଳରେ ପହଞ୍ଚି ବୁଝାସୁଝା କରି ପରିସ୍ଥିତି ଶାନ୍ତ କରିଥିଲା ।

ବଡଶାସନ ଅନ୍ତର୍ଗତ କପିଳେଶ୍ୱରପୁର ଗ୍ରାମର ବିଷ୍ଣୁ ପଲେଇ ରବିବାର ସକ‌ାଳେ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ । ତେବେ ସାଲାଇନ ଓ ଅକ୍ସିଜେନ ସହଯୋଗରେ ସେ ଧୀରେଧୀରେ ସୁସ୍ଥ ହୋଇଥିଲେ । ପରେ ଡାକ୍ତରଖାନା ପକ୍ଷରୁ ତାଙ୍କୁ ଅକ୍ସିଜେନ ଆବଶ୍ୟକତା ନଥିବା କହି କାଢ଼ି ଦିଆଯାଇଥିଲା । କିନ୍ତୁ ରୋଗୀ ଅକ୍ସିଜେନ ଲଗାଇ ରଖିବାକୁ କହିଥିଲେ ।

ଅପରାହ୍ନରେ ହଠାତ୍ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ହେବା ପରେ ଡାକ୍ତର ଗୁରୁତର କହି କଟକ ସ୍ଥାନାନ୍ତରିତ କରି ଦେଇଥିଲେ । ତେବେ ରୋଗୀ ଜଣକ ଆମ୍ବୁଲାନସକୁ ଯିବା ପୂର୍ବରୁ ମୃତ୍ୟୁବରଣ କରିଥିଲେ । ଯାହାକୁ ନେଇ ମୃତକଙ୍କ ପରିବାର ଲୋକ ମେଡିକାଲ ପରିସରରେ ହୋ-ହଲ୍ଲା କରିଥିଲେ । ପରେ ସ୍ଥାନୀୟ ଲୋକ ମଧ୍ୟ ଡାକ୍ତରଙ୍କ ଏଭଳି କାର୍ଯ୍ୟକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ । ତେଣୁ ଡାକ୍ତରଖାନା ପରିସରରେ ଉତ୍ତେଜନା ପ୍ରକାଶ ପାଇଥିଲା । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରି ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରିଥିଲା ।

ପ୍ରେମୀ ଯୁଗଳଙ୍କ ରକ୍ତ ଜୁଡ଼ୁବୁଡ଼ୁ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ଗଜପତି: ପ୍ରେମୀ ଯୁଗଳଙ୍କ ସନ୍ଦେହଜନକ ମୃତ୍ୟୁ । ଗଜପତି ଜିଲ୍ଲା ଗୁରୁଣ୍ଡିଥାନା ଆରିବା ଗାଁରେ ଘଟିଛି ଅଭାବନୀୟ ଘଟଣା । ଏକ ପରିତ୍ୟକ୍ତ ଘର ଭିତରୁ ଯୁବକ-ଯୁବତୀଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର ହୋଇଛି । ଦୁହିଁଙ୍କୁ ଯୋଜନାବନ୍ଧ ଭାବେ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ମୃତକ ଦୁହେଁ ହେଉଛନ୍ତି ସେହି ଗାଁର ୨୧ ବର୍ଷୀୟା ଝିଅ ଶିବାଲ ଦିଲେଶ୍ୱରୀ ଓ ୨୮ ବର୍ଷୀୟ ପୁଅ ଟାଲୁରୁ ଶ୍ରୀନୁ । ଦୀର୍ଘ ଦିନରୁ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ରହିଥିଲା ।

ତେବେ ଏହାକୁ ବିରୋଧ କରୁଥିଲେ ଝିଅର ପରିବାର ଲୋକ । ଗତ କିଛି ଦିନ ମଧ୍ୟରେ ଝିଅକୁ ଅନ୍ୟତ୍ର ବିବାହ କରିବା ପାଇଁ ଯୋଜନା କରିଥିଲେ ପରିବାର ଲୋକେ । ହେଲେ ରବିବାର ଉଭୟଙ୍କ ମୃତ୍ୟୁ ଦେହ ମିଳିବା ପରେ ସ୍ଥାନୀୟ ଅଞ୍ଚଳରେ ଏହା ଚର୍ଚ୍ଚାର ବିଷୟ ପାଲଟିଛି । ଘଟଣାସ୍ଥଳରେ ଗୁରାଣ୍ଡି ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ମେଜର ସନ୍ଦୀପ ମହାପାତ୍ର ମେମୋରିଆଲ୍ ଟେନିସ୍ ଚାମ୍ପିଅନସିପ୍: ସିଙ୍ଗଲସ୍‌ରେ କବିର ହନ୍ସ ବିଜୟୀ

ଭୁବନେଶ୍ୱର: ଭୁବନେଶ୍ୱର ଉପକଣ୍ଠ ମେଣ୍ଡାଶାଲ ଗୁରୁକୁଲ ରିସର୍ଟରେ ୩ତାରିଖରୁ ଠାରୁ ଚାଲିଥିବା ମେଜର ସନ୍ଦୀପ ମହାପାତ୍ର ମେମୋରିଆଲ୍ ଟେନିସ୍ ଚାମ୍ପିଅନସିପ୍ ରବିବାର ଉଦଯାପିତ ହୋଇଯାଇଛି । ପୁରୁଷ ଏକକରେ କବିର ହନ୍ସ ବିଜୟୀ ହୋଇଛନ୍ତି । ପ୍ରତ୍ୟୁଷ ମହାନ୍ତିଙ୍କୁ ୬-୧, ୬-୨ରେ କବିର ହନ୍ସ ପରାଜିତ କରିଛନ୍ତି ।

ସେପଟେ ପୁରୁଷ ଡବଲସରେ କବିର ହନ୍ସ ଓ ପ୍ରତ୍ୟୁଷ ମହାନ୍ତି, କୁମାର ଅନୁରାଗ ଓ ଆଦିତ୍ୟ ସତପଥୀଙ୍କୁ ୦-୪, ୬-୦ରେ ପରାସ୍ତ କରିଛନ୍ତି । ଅନ୍ୟପଟେ ମହିଳା ଏକକରେ ଋତୁପର୍ଣ୍ଣା ଚୌଧୁରୀ ୭-୫, ୬-୧ରେ ସିମରନ୍ ନେହା ଏକ୍‌କଙ୍କୁ ପରାସ୍ତ କରି ବିଜୟୀ ହୋଇଛନ୍ତି । ସେହିଭଳି ୧୬ ବର୍ଷରୁ କମ ବାଳକ ଏକକରେ ଦେବାଶିଷ ସାହୁ ବିଜୟୀ ହୋଇଥିବା ବେଳେ ୧୬ ବର୍ଷରୁ କମ୍‌ ବାଳିକା ଏକକରେ କ୍ରୀର୍ଷ୍ଣା ରାଜ୍ ବିଜୟୀ ହୋଇଛନ୍ତି ।

ଉଦଯାପନୀ ସନ୍ଧ୍ୟାରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ତଥା ଓଡ଼ିଶା ଟେନିସ୍‌ ଆସୋସିଏସନର ସଭାପତି ଅସିତ୍‌ ତ୍ରିପାଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ଓଡ଼ିଶା ଟେନିସ୍‌ ଆସୋସିଏସନର ଉପ-ସଭାପତି ତଥା ଓଡ଼ିଶା ପବ୍ଲିକ୍ ସର୍ଭିସ କମିଶନ ଚ୍ୟାରମ୍ୟାନ୍ ସତ୍ୟଜିତ ମହାନ୍ତି ସମ୍ମାନୀୟ ଅତିଥି ଭାବେ ଯୋଗଦେଇ ବିଜୟୀ ପ୍ରତିଯୋଗୀଙ୍କୁ ଟ୍ରଫି ସହ କ୍ୟାସ୍ ପ୍ରାଇଜ୍ ପ୍ରଦାନ କରିଥିଲେ । ବିଜେତାଙ୍କୁ ୧,୭୦,୦୦୦ ଟଙ୍କାର ଆର୍ଥିକ ପୁରସ୍କାର ପ୍ରଦାନ କରାଯାଇଛି । ପୁରୁଷ ଏକକ ବର୍ଗରେ ବିଜୟୀ ଖେଳାଳିଙ୍କୁ ସର୍ବାଧିକ ୩୦,୦୦୦ ଟଙ୍କାର ପୁରସ୍କାର ପ୍ରଦାନ କରିଯାଇଛି । ସେହିଭଳି ଉପବିଜେତାଙ୍କୁ ୧୫,୦୦୦ ଟଙ୍କା ଦିଆଯାଇଛି । ପୁରୁଷ ଯୁଗଳ ବିଜେତାଙ୍କୁ ୨୦,୦୦୦ ଏବଂ ବାଳକ ଓ ବାଳିକା ବର୍ଗ ବିଜେତାଙ୍କୁ ୬,୦୦୦ ଟଙ୍କା ଲେଖାଏଁ ପ୍ରଦାନ କରାଯାଇଛି ।