ନାଇଟ୍ କର୍ଫ୍ୟୁ ଓ ସପ୍ତାହନ୍ତ ସଟଡାଉନ୍ ନେଇ ଗାଇଡଲାଇନ୍ ଜାରି କଲେ SRC

Odisha SRC Issued Detailed Guidelines Regard Night Curfew And Weekend Shutdown

ଭୁବନେଶ୍ୱର: ଛତିଶଗଡ଼ ସୀମାନ୍ତ ୧୦ ଜିଲ୍ଲାରେ ସନ୍ଧ୍ୟା ୬ଟାରୁ ସକାଳ ୫ଟା ଯାଏ ନାଇଟ୍ କର୍ଫ୍ୟୁ ଶନିବାର ଠାରୁ ଲାଗୁ ହେବ । ଏନେଇ ସ୍ୱତନ୍ତ୍ର ରିଲିଫ୍ କମିଶନର ଗାଇଡଲାଇନ୍ ଜାରି କରିଛନ୍ତି । ସୀମାନ୍ତ ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ବଲାଙ୍ଗିର, ନୂଆପଡ଼ା, କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ ଓ ମାଲକାନଗିରିରେ ଶନିବାର ଠାରୁ ରାତ୍ରୀକାଳୀନ କର୍ଫ୍ୟୁ ସନ୍ଧ୍ୟା ୬ଟାରୁ ଲାଗୁ ହେବ । ସେହିଭଳି ଆସନ୍ତା ଶନିବାର ଠାରୁ ୱିକେଣ୍ଡ ସଟଡାଉନ୍ ଏହି ୧୦ ଜିଲ୍ଲାରେ ଲାଗୁ ହେବ ।

ନାଇଟ୍ କର୍ଫ୍ୟୁ ସମୟରେ ସମସ୍ତ ଜରୁରୀକାଳୀନ ସେବା ବିଦ୍ୟୁତ୍, ଟେଲିକମ୍, ୱାଟର ସପ୍ଲାଏ ଓ ସାନିଟେସନ୍ ଏବଂ ସ୍ୱେରେଜ କାମ ଜାରି ରହିବ । ଆଇଟି, ମେଡିକାଲ୍ କର୍ମଚାରୀ, କେମିଷ୍ଟ ସପ୍, ଶିଳ୍ପାଞ୍ଚଳ କର୍ମଚାରୀ, ନିର୍ମାଣରେ ନିୟୋଜିତ ଲୋକଙ୍କୁ ବାଦ୍ ଦିଆଯିବ । ବସଷ୍ଟାଣ୍ଡ, ରେଲୱେ ଷ୍ଟେସନ ଓ ବିମାନବନ୍ଦରରୁ ଯାତ୍ରୀ ନବା ଆଣିବାରେ ନିୟୋଜିତ ଗାଡ଼ିକୁ ବାଦ୍ ଦିଆଯିବ । ରୋଡ୍ ସାଇଡ୍ ଢାବା କେବଳ ପାର୍ସଲ ଦେବେ । ପେଟ୍ରୋଲ ପମ୍ପ ଖୋଲା ରହିବ । ଗଣମାଧ୍ୟମ ଉପରେ କଟକଣା ରହିବ ନାହିଁ ।

ସେହିଭଳି ନାଇଟ୍ କର୍ଫ୍ୟୁ ସମୟରେ କଟକଣାରୁ ବାଦ୍ ଦିଆଯାଇଥିବା ସେବା ସହ ବିବାହ, ଅନ୍ତ୍ୟେଷ୍ଟି, ବ୍ୟାଙ୍କିଂ ସେବା, ଏଟିଏମ୍, ଅନଲାଇନ୍ ଖାଦ୍ୟ ଯୋଗାଣକାରୀ ସଂସ୍ଥା, କ୍ଷୀର ଦୋକାନ, ଘରେ ପରିବା ଯୋଗାଉଥିବା ଅନଲାଇନ୍ ସଂସ୍ଥା ଏବଂ ନ୍ୟୁଜ୍ ପେପର ହକରଙ୍କୁ ସକାଳ ୫ଟାରୁ ୮ଟା ଯାଏ ସାପ୍ତାହିକ ସଟଡାଉନ୍ ସମୟରେ ଅନୁମତି ଦିଆଯାଇଛି । ଏସବୁଥିପାଇଁ କୌଣସି ସ୍ୱତନ୍ତ୍ର ପାସ୍ ଦିଆଯିବ ନାହିଁ । ସମସ୍ତେ ଅନୁଷ୍ଠାନ ପ୍ରଦତ୍ତ ପରିଚୟପତ୍ର ଯାଞ୍ଚ ବେଳେ ଦେଖାଇ ଯାଇପାରିବେ ।

ଆସନ୍ତା ୧୯ ତାରିଖରୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ଥିବା ସମସ୍ତ ଶିକ୍ଷାନୁଷ୍ଠାନରେ ପାଠପଢ଼ା ହେବ ନାହିଁ । ହଷ୍ଟେଲରେ କେହି ରହିପାରିବେ ନାହିଁ । ସେହିଭଳି ଉଚ୍ଚଶିକ୍ଷା ବିଭାଗର ସମସ୍ତ ଥିଓରୀ ଓ ପ୍ରାକ୍ଟିକାଲ୍ କ୍ଲାସ୍ ଓ ପରୀକ୍ଷାକୁ ସ୍ଥଗିତ କରାଯାଇଛି । ପାଠ୍ୟକ୍ରମ ସାରିବାକୁ ଅନଲାଇନ୍ କ୍ଲାସ୍ ହେବ । ବୈଷୟିକ ଶିକ୍ଷାନୁଷ୍ଠାନରେ ପାଠପଢ଼ା ୧୯ ତାରିଖରୁ ବନ୍ଦ ରହିବ । ଅଫଲାଇନ୍ ଡିପ୍ଲୋମା ପରୀକ୍ଷା ନିର୍ଦ୍ଧାରିତ ସୂଚୀରେ ହେବ । ୧୭ ତାରିଖରୁ ସମସ୍ତ କୋଚିଂ କ୍ଲାସ୍ ବନ୍ଦ ହେବ ।

ହାଟରେ ଦୋକାନ ଗୁଡ଼ିକ ମଧ୍ୟରେ ୩୦ ଫୁଟର ଦୂରତା ରହିବ । ସାମାଜିକ ଦୂରତା ରକ୍ଷା ସହ ମାସ୍କ ବ୍ୟବହାରକୁ ବାଧ୍ୟତାମୂଳକ କରାଯାଇଛି । ରେଷ୍ଟୁରାଣ୍ଟ, ବାର୍, ହୋଟେଲରେ ୫୦ ପ୍ରତିଶତ ଗ୍ରାହକ ବସି ଖାଇପାରିବେ । ରାତି ୯ଟା ପରେ ବାର, ପବ୍ ଓ ହୋଟେଲ ବନ୍ଦ ରହିବ । ନିୟମ ଉଲ୍ଲଂଘନ କଲେ ଆଇନ୍ ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଏସଆରସି କହିଛନ୍ତି ।

Leave a Reply