ଅନ୍ୟ ଜାତିରେ ଝିଅ ବାହାହେଲା ବୋଲି ପରିବାର ସାମାଜିକ ବାସନ୍ଦ

Social Restriction On Family For Daughter Married Other Caste In Nabarangpur

ନବରଙ୍ଗପୁର (ଅଜିତ ନାୟକ): ପ୍ରେମ କରି ଅନ୍ୟ ଜାତିରେ ବିବାହ କରିବାରୁ ସାମାଜିକ ବାସନ୍ଦ । ଗୋଟିଏ ପରିବାରକୁ ୩ ମାସ ହେଲା ନିଆଁ ପାଣିରୁ ବାସନ୍ଦ କରାଯାଇଛି । ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି ବ୍ଲକ ଆଉଁଳି ଗାଁର ବାସୁଦେବ କୁର୍ମାଙ୍କ ପରିବାର ସହୁଛନ୍ତି ବାସନ୍ଦ କଷ୍ଟ । ସ୍ତ୍ରୀ, ଗୋଟିଏ ପୁଅ ଏବଂ ଦୁଇ ଝିଅଙ୍କୁ ନେଇ ବାସୁଦେବଙ୍କ ୬ ପ୍ରାଣୀର କୁଟୁମ୍ବ ।

Social Restriction On Family For Daughter Married Other Caste In Nabarangpur

ଦୁଇ ଝିଅ ନିଜ ଇଚ୍ଛାରେ ଘରୁ ପଳାଇ ପ୍ରେମ ବିବାହ କରିଛନ୍ତି । ଏଥିପାଇଁ ବାସନ୍ଦ ସଜା ଭୋଗୁଛନ୍ତି ବାସୁଦେବଙ୍କ ପରିବାର । ବାସୁଦେବଙ୍କ ୨ ଝିଅଙ୍କ ବିବାହ ନେଇ କୁର୍ମୀ ସମାଜ ଗାଁରେ ପ୍ରଜାକୋର୍ଟ କରିଥିଲା । ଏଥିରେ ପରିବାରକୁ ଦୋଷୀ କରି ନିଆଁ ପାଣିରୁ ବାସନ୍ଦ ଭଳି କୋଠର ନିଷ୍ପତ୍ତି ନିଆଯାଇଛି । ଆଉ ଗୋଟିଏ ଝିଅ ପାଇଁ ୬ ହଜାର ଟଙ୍କା ଅନ୍ୟ ଗୋଟିଏ ଝିଅ ପାଇଁ ୧୦ ହଜାର ଟଙ୍କାର ଜରିମାନା କରାଯାଇଛି ।

Social Restriction On Family For Daughter Married Other Caste In Nabarangpur

ବାସୁଦେବଙ୍କ ଆର୍ଥିକ ସ୍ଥିତି ଭଲ ନଥିବାରୁ ପଞ୍ଚାୟତ ଆଗରେ ୧୬ ହଜାର ଟଙ୍କା ବଦଳରେ ଜରିମାନା ଅର୍ଥ କମ୍ କରିବାକୁ ଗୁହାରି କରିଥିଲେ । ସମାଜ ଜରିମାନା କମ୍ କରିନଥିଲା । ଅର୍ଥ ଦେଇ ନପାରିବାରୁ ଦୀର୍ଘ ୩ ମାସ ହେଲା ଏମିତି ବାସନ୍ଦ ହୋଇ ଦିନ କାଟୁଛନ୍ତି କୁର୍ମା ପରିବାର । ଦୁଇ ଝିଅ ନିଜ ଜାତି ସମାଜକୁ ନ ଜଣାଇ ବିବାହ କରିଥିବାରୁ ଗାଁର କୌଣସି କାର୍ଯ୍ୟ ବିବାହ କି ଦଶାହରେ ପରିବାରକୁ ନିମନ୍ତ୍ରଣ କରାଯାଉନାହିଁ । ଏମତିକି ଗାଁର ନଳକୂଅ ବ୍ୟବହାର ଉପରେ ପରିବାରକୁ ରୋକ୍ ଲଗାଇଛି ସମାଜ ।

Social Restriction On Family For Daughter Married Other Caste In Nabarangpur

ଏନେଇ ପରିବାର ଜିଲ୍ଲାପାଳ ଏବଂ ଏସପିଙ୍କୁ ମଧ୍ୟ ଅଭିଯୋଗ କରିଛନ୍ତି ତଥାପି କିଛି ସୁଫଳ ମିଳିନାହିଁ । ଫଳରେ ପରିବାର ଜିଲ୍ଲା ଆଇନ୍ ସେବା ପ୍ରାଧିକରଣର ଦ୍ୱାରସ୍ଥ ହୋଇଛନ୍ତି । ଘଟଣା ସମ୍ପର୍କରେ ନନ୍ଦିଘୋଷ ଟିଭି ନବରଙ୍ଗପୁର ଉପ ଜିଲ୍ଲାପାଳଙ୍କୁ ଅବଗତ କରାଇବା ପରେ ପାପଡ଼ାହାଣ୍ଡି ଥାନା ଅଧିକାରୀଙ୍କୁ ଏହା ଉପରେ ଗୁରୁତର ସହ ତଦନ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏଭଳି କୁସଂସ୍କାରକୁ ପ୍ରରୋଚନା ଦେଉଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଉପ ଜିଲ୍ଲାପାଳ ।

Leave a Reply