spot_img
Home Blog Page 5909

ନୂଆପଡ଼ାବାସୀଙ୍କ ପାଇଁ ବଡ଼ ଗିଫ୍ଟ ନେଇ ଆସୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ଆସନ୍ତା ୧୦ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ନୂଆପଡ଼ା ଗସ୍ତ । ଜିଲ୍ଲାରେ ବହୁ ପ୍ରତୀକ୍ଷିତ ଲୋୟର ଇନ୍ଦ୍ର ଜଳପ୍ରକଳ୍ପକୁ କରିବେ ଲୋକାର୍ପଣ । ଚାଷଜମିକୁ ପାଣି ଓ ପ୍ରତି ଘରକୁ ଶୁଦ୍ଧ ପାନୀୟଜଳ ଯୋଗାଇବ ୨୦୦୦ କୋଟିରେ ନିର୍ମିତ ଏହି ପ୍ରକଳ୍ପ ।

ନୂଆପଡ଼ାବାସୀଙ୍କ ଦୀର୍ଘଦିନର ସ୍ୱପ୍ନ ସାକାର ହେବ । ଆସନ୍ତା ୧୦ରେ ନୂଆପଡ଼ା ଲାଇଫ୍ ଲାଇନର ହେବ ଶୁଭାରମ୍ଭ । ପ୍ରତିଶ୍ରୁତି ରକ୍ଷା କରିଛନ୍ତି ନବୀନ ପଟ୍ଟନାୟକ । ଲୋୟର ଇନ୍ଦ୍ର ପ୍ରକଳ୍ପ ଓ ପାଇପ୍‌ ଜଳ ଯୋଗାଣ ବ୍ୟବସ୍ଥାର ଉଦଘାଟନ ପରେ ଖଡ଼ିଆଳ ହାଇସ୍କୁଲ ପଡ଼ିଆରେ ଏକ ସଭାରେ ମୁଖ୍ୟମନ୍ତ୍ରୀ ଯୋଗଦେବାର କାର୍ଯ୍ୟକ୍ରମ ଅଛି । ନୂଆପଡ଼ା ଜିଲ୍ଲା ପାଇଁ ମୁଖ୍ୟମନ୍ତ୍ରୀ ବଡ଼ ଉପହାର ନେଇ ଆସୁଥିବା କହିଛନ୍ତି ଦଳୀୟ କର୍ମକର୍ତ୍ତା ଓ ସ୍ଥାନୀୟ ଲୋକ ।

ତିଖାଲିଠାରେ ୨୦୨୦ ମେ’ ୭ ତାରିଖରେ ୨୦୦୦ କୋଟି ଟଙ୍କା ଅଟକଳରେ ଲୋୟର ଇନ୍ଦ୍ର ଜଳ ପ୍ରକଳ୍ପ ପାଇଁ ଶିଳାନ୍ୟାସ ହୋଇଥିଲା । ଜିଲ୍ଲାକୁ ଫ୍ଳୋରାଇଡ୍ ମୁକ୍ତ ଓ ଶୁଦ୍ଧ ପାନୀୟଜଳ ଯୋଗାଇବା ଲକ୍ଷ୍ୟରେ ଏହି ପ୍ରକଳ୍ପ ପ୍ରତିଷ୍ଠା ପାଇଁ ରାଜ୍ୟ ସରକାର ପଦକ୍ଷେପ ନେଇଥିଲେ । ଲୋୟର ଇନ୍ଦ୍ରପ୍ରକଳ୍ପ ସହ ନୂଆପଡ଼ା ଜିଲ୍ଲାରେ ୭୫୦ କୋଟି ଟଙ୍କାର ଅନ୍ୟ ପ୍ରକଳ୍ପକୁ ବି ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ । ଏହି ପ୍ରକଳ୍ପଗୁଡିକ ଲୋକଙ୍କ ବିଭିନ୍ନ ସମସ୍ୟା ଦୂର କରିବାରେ ଐତିହାସିକ ପଦକ୍ଷେପ ହେବ ବୋଲି ମତ ପକାଶ ପାଇଛି । ମୁଖ୍ୟମନ୍ତ୍ରୀ ଗସ୍ତ କାର୍ଯ୍ୟକ୍ରମ ପାଇଁ ଜିଲ୍ଲା ପ୍ରଶାସନିକ ସ୍ତରରେ ପ୍ରସ୍ତୁତି ଆରମ୍ଭ ହୋଇଛି ।

ସୁନ୍ଦର ଓ ଇନ୍ଦ୍ରନଦୀର ସଙ୍ଗମସ୍ଥଳୀରେ ନିର୍ମାଣ ହୋଇଛି ଲୋୟର ଇନ୍ଦ୍ରଜଳ ପ୍ରକଳ୍ପ । ଏହି ପ୍ରକଳ୍ପ ଦ୍ୱାରା ନୂଆପଡ଼ା ଜିଲ୍ଲାର ୧୩ ହଜାର ୧୯୧ ହେକ୍ଟର ଓ ବଲାଙ୍ଗୀର ଜିଲ୍ଲାର ୧ ହଜାର ୬୭୦ ହେକ୍ଟର ଚାଷ ଜମିକୁ ଜଳସେଚନ ହୋଇପାରିବ ।

ଅଲଗା ହେଲା ମିଶନଶକ୍ତି, ମହିଳାଙ୍କ ପାଇଁ ରାଜନୈତିକ ଓ ଅର୍ଥନୈତିକ ସ୍ୱତନ୍ତ୍ରତାକୁ ଫୋକସ୍

ଭୁବନେଶ୍ୱର: ବିଶ୍ୱ ମହିଳା ଦିବସ ପୂର୍ବରୁ ମିଶନ ଶକ୍ତିକୁ ନୂଆ ପରିଚୟ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କ୍ୟାବିନେଟ୍‌ର ମୋହର ପରେ ମିଶନ ଶକ୍ତି ସ୍ୱତନ୍ତ୍ର ବିଭାଗ ହୋଇଛି । ମହିଳାଙ୍କୁ ସଶକ୍ତ କରିବା ସହ ସେମାନଙ୍କୁ ଆର୍ଥିକ ଓ ସାମାଜିକ କ୍ଷେତ୍ରରେ ସ୍ୱାବଲମ୍ବୀ କରିବା ପାଇଁ ମିଶନଶକ୍ତି ଯେଉଁ କାର୍ଯ୍ୟ କରୁଥିଲା, ତାହା ତ୍ୱରାନିତ ହେବ । ମହିଳା ଓ ଶିଶୁକଲ୍ୟାଣ ବିଭାଗରୁ ମିଶନ ଶକ୍ତିକୁ ଅଲଗା କରି ରାଜ୍ୟ ସରକାର ଏହି ପଦକ୍ଷେପ ନେଇଛନ୍ତି ।

ମହିଳାଙ୍କୁ ସଶକ୍ତ କରିବାରେ ଓଡ଼ିଶା ସବୁଠୁ ଆଗରେ । ମହିଳାଙ୍କ ପାଇଁ ରାଜନୈତିକ ଓ ଅର୍ଥନୈତିକ ସ୍ୱତନ୍ତ୍ରତାକୁ ଫୋକସ୍‌ । ମିଶନଶକ୍ତିରେ ସାମିଲ ହେଲେଣି ୮୦ଲକ୍ଷରୁ ଅଧିକ ମହିଳା । ଆନ୍ତର୍ଜାତୀୟ ମହିଳା ଦିବସ ପୁର୍ବରୁ ମୁଖ୍ୟମନ୍ତ୍ରୀ ମହିଳାଙ୍କୁ ଦେଇଛନ୍ତି ବଡ଼ ଭେଟି । ମହିଳାଙ୍କ ଅର୍ଥନୈତିକ ବିକାଶ ସହ ସବୁକ୍ଷେତ୍ରରେ ସେମାନଙ୍କୁ ତୃଣମୂଳ ସ୍ତରରୁ ସଶକ୍ତ କରିବା ପାଇଁ ରାଜ୍ୟ ସରକାର ଗୁରୁତ୍ୱ ଦେଇଛନ୍ତି । ସେଥିଲାଗି ମିଶନଶକ୍ତିକୁ ସ୍ୱତନ୍ତ୍ର ବିଭାଗ କରାଯାଇଛି । ମହିଳାଙ୍କୁ ବିଭିନ୍ନ କ୍ଷେତ୍ରରେ ଉତ୍ତମ ସେବା ଯୋଗାଇବା, ଏସ୍‌ଏଚ୍‌ଜି ମାଧ୍ୟମରେ ଆର୍ଥିକ ସ୍ୱାବଲମ୍ବୀ କରିବା ଓ ସାମାଜିକ ସୁରକ୍ଷା ଦେବା ଦିଗରେ ମିଶନଶକ୍ତି ବିଭାଗ ବେଶ୍ ସହାୟକ ହେବ । ରାଜ୍ୟ ସରକାର ସବୁବେଳେ ମହିଳାଙ୍କୁ ଗୁରୁତ୍ୱ ଦେଇ ଆସିଥିବା ବିଜେଡି କହିଛି ।

୨୦୧୨ ମସିହାରୁ ଓଡ଼ିଶାରେ ପଞ୍ଚାୟତ ଓ ପୌରସଂସ୍ଥାରେ ମହିଳାଙ୍କ ପାଇଁ ୫୦ପ୍ରତିଶତ ସ୍ଥାନ ସଂରକ୍ଷିତ ରହିଛି । ସଂସଦ ଓ ବିଧାନସଭାରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସ୍ଥାନ ସଂରକ୍ଷଣ ପାଇଁ ବିଜେଡି ସଂସଦରେ ସ୍ୱର ଶାଣିତ କରିବା ସହ ଦେଶର ସବୁ ରାଜନୈତିକ ଦଳ ପାଖରେ ଦାବି ରଖିଛି । ବିଶେଷକରି ରାଜ୍ୟ ଅର୍ଥନୀତିରେ ଏସ୍‌ଏଚ୍‌ଜି ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଉଥିବାରୁ ମହିଳାଙ୍କୁ ମୁଖ୍ୟମନ୍ତ୍ରୀ ମିଶନଶକ୍ତି ବିଭାଗ ଉପହାର ଦେଇଥିବା ମହିଳା ବିଜେଡି ସଭାନେତ୍ରୀ ତଥା ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ କହିଛନ୍ତି ।

ମହିଳାଙ୍କୁ କେବଳ ରାଜନୈତିକ କ୍ଷେତ୍ରରେ ନୁହେଁ, ସବୁକ୍ଷେତ୍ରରେ କିପିର ସଶକ୍ତ କରାଯିବ ସେନେଇ ବିଜେଡି ସବୁବେଳେ ଉଦ୍ୟମ ଜାରି ରଖିଛି । ୨୦୨୦ ମାର୍ଚ୍ଚ ୮ ତାରିଖରେ ମିଶନଶକ୍ତିକୁ ଏକ ସ୍ବତନ୍ତ୍ର ବିଭାଗ କରିବା ପାଇଁ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ । ଫଳରେ ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳ ମହିଳା ବିଶେଷ ଉପକୃତ ହେବେ ବୋଲି ସରକାର କହିଛନ୍ତି ।

୭ହଜାର୫ଶହ ତମ ଜନଔଷଧୀ କେନ୍ଦ୍ରର ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଜନଔଷଧୀ ଦିବସରେ ପ୍ରଧାନମନ୍ତ୍ରୀଙ୍କ ଦେଶବାସୀଙ୍କୁ ଉପହାର  । ଆଜି ୭ହଜାର ୫ଶହତମ ଜନଓୌଷଧୀ କେନ୍ଦ୍ରର ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି  । ଏହି ଅବସରରେ ଲାଭାର୍ଥିଙ୍କ ସହ ଭିଡିଓ କନଫରେସିଂ ଜରିଆରେ ଆଲୋଚନା କରି ମୋଦି କହିଥିଲେ, ଯେଭଳି ଦେଶର ସମସ୍ତ ଲୋକ ଔଷଧ ପାଇପାରିବେ ଏହାକୁ ନଜରରେ ରଖି ଆରମ୍ଭ ହୋଇଥିଲା ଜନଓୌଷଧୀ ଦିବସ  । ଏହା ଦ୍ବାରା ଦେଶର ଲକ୍ଷ ଲକ୍ଷ ଗରିବ ଉପକୃତ ହୋଇ ପାରୁଛନ୍ତି  ।  ଜନଓୌଷଧୀ କେନ୍ଦ୍ରରେ ମହିଳାଙ୍କୁ ଖୁବ କମ୍‌ ପଇସାରେ ସମସ୍ତ ସୁବିଧା ମିଳିପାରୁଛି  । ଭାରତ କରୋନା ଟିକା ପ୍ରସ୍ତୁତ କରି ସାରା ବିଶ୍ବ ପାଇଁ ଉଦାହରଣ ସୃଷ୍ଟି କରିଛି  । ଭାରତରେ ପ୍ରସ୍ତୁତ ହୋଇଥିବା କରୋନା ଟିକା ବେସରକାରୀ ହସ୍ପିଟାଲରେ ମାତ୍ର ୨୫୦ ଟଙ୍କାରେ ମିଳୁଛି  । ଦେଶବାସୀ ମୋର ପରିବାର  । ସଭିଏଁ କିଭଳି ନିରୋଗ ରହିବେ ତାହା ଉପରେ ସରକାର ଦୃଷ୍ଟି ଦେଉଥିବା କହିଛନ୍ତି ମୋଦି  ।

ଏଥିସହିତ ପଢ଼ନ୍ତୁ: କରୋନାର ତୃତୀୟ ଓ ଚତୁର୍ଥ ପ୍ରବାହ ଆସିପାରେ: ‘ହୁ’

ଆନ୍ତଜାର୍ତୀୟ ମହିଳା ଦିବସ ପାଇଁ ରାଜଧାନୀରେ କାର୍‌ ରାଲି

ଭୁବନେଶ୍ୱର: ଆନ୍ତଜାର୍ତୀୟ ମହିଳା ଦିବସ ପୂର୍ବରୁ ସେବା ପ୍ରୟାସ ଫାଉଣ୍ଡେସନ ପକ୍ଷରୁ ଭୁବନେଶ୍ୱରରେ ଆୟୋଜିତ ହୋଇଛି ମହିଳା କାର୍ ରାଲି । ଜନତା ମଇଦାନରୁ ବାହାରି ଉତ୍କଳ କନିକା ଗ୍ୟାଲେରିଆରେ ଏହି ରାଲି ପହଞ୍ଚିଥିଲା । ଚଳିତ ବର୍ଷ ଥିମ୍ ରହିଛି ଚୁଜ୍-ଟୁ-ଚ୍ୟାଲେଞ୍ଜ୍ ।

ଚୁଜ୍ ଟୁ ଚ୍ୟାଲେଞ୍ଜ୍ । ଏହି ସ୍ଲୋଗାନ ନେଇ ଭୁବନେଶ୍ୱରରେ ଆୟୋଜିତ ହୋଇଥିଲା ମହିଳା କାର୍ ରାଲି । ଜନତା ମଇଦାନରୁ କଳ୍ପନା ଯାଏ ୧୫ କିଲୋମିଟର କାର ରାଲିରେ ଭାଗ ନେଇଥିଲେ ୧୦ରୁ ଅଧିକ ମହିଲା । ଲମ୍ବା ଲାଇନରେ ସୁସଜିତ ହୋଇ ପଛକୁ ପଛ ଗଡିଥିଲା କାର । କିଏ ଗଛ ସୁରକ୍ଷା ନେଇ ତ, କିଏ ସଂସଦରେ ମହିଳା ସଂରକ୍ଷଣକୁ ନେଇ ବାର୍ତ୍ତା ଦେଇଥିଲେ । ଜନତା ମଇଦାନରୁ ଫ୍ଳାଗ ଅପ୍ ହେବା ପରେ ଜୟଦେବ ବିହାର, ରସୁଲଗଡ ଦେଇ କଳ୍ପନା ଛକରେ ପହଞ୍ଚିଥିଲା ରାଲି ।

ମହିଲା ଦିବସ ଅବସରରେ ଭୁବନେଶ୍ୱରରେ ସେବା ପ୍ରୟାସ ଫାଉଣ୍ଡେସନ ପକ୍ଷରୁ ହୋଇଛି ଏହି କାର୍ଯ୍ୟକ୍ରମ । ରାଲି ପାଇଁ ପଞ୍ଜୀକୃତ ଟଙ୍କାକୁ ପାଇଲଟ୍‌ ପ୍ରୋଜେକ୍ଟ ଭାବରେ କାର୍ଯ୍ୟକାରୀ କରିଛି ସଂସ୍ଥା । ନୟାଗଡ଼ ଜିଲ୍ଲାରେ ଅନଲାଇନ୍‌ ଅଧ୍ୟୟନ କରିବା ପାଇଁ ମୋବାଇଲ କିମ୍ବା ଲାପଟପ୍‌ ସୁବିଧା ନଥିବା ୨ଟି ଗାଁରେ ସୁବିଧା ଯୋଗାଇ ଦେବାକୁ ସେବା ଫାଉଣ୍ଡସେନ ପକ୍ଷରୁ କୁଆଯାଇଛି । ମହିଳା କାର ରାଲିକୁ ସଫଳ ଭାବରେ ଶେଷ କରିଥିବା ମହିଳାଙ୍କୁ କଳିଙ୍ଗ ବିରଙ୍ଗନା ସମ୍ମାନରେ ସମ୍ମାନିତ କରାଯାଇଥିଲା ।

କରୋନାର ତୃତୀୟ ଓ ଚତୁର୍ଥ ପ୍ରବାହ ଆସିପାରେ: ‘ହୁ’

ନୂଆଦିଲ୍ଲୀ: କରୋନା ସଂକ୍ରମଣ ହାର କମିବା ପରେ ଏବେ ପୁଣି ଏହାର ମାମଲା ବୃଦ୍ଧି ପାଇବାରେ ଲାଗିଛି । ସାରା ବିଶ୍ବରେ ଗତ ୨୪ ଘଣ୍ଟା ମଧ୍ୟରେ ୩ ଲକ୍ଷରୁ ଅଧିକ ସଂକ୍ରମିତ ହୋଇଥିବା ଜଣାପଡିଛି । ଫଳରେ ବିଶ୍ବରେ କରୋନା ସଂକ୍ରମଣ ସଂଖ୍ୟା ୧୧ କୋଟି ୭୦ ଲକ୍ଷରେ ପହଞ୍ଚିଛି । ଆମେରିକାରର ଜନ୍ ହାପକିନ୍ସ ୟୁନିରଭସିଟି ପରିସଂଖ୍ୟାନ ଅନୁଯାୟୀ, ବିଶ୍ବରେ ବର୍ତ୍ତମାନ ସୁଦ୍ଧା ୨୬ ଲକ୍ଷରୁ ଅଧିକ ଲୋକଙ୍କ ଜୀବନ ନେଇଛି ଏହି ମହାମାରୀ ଭୂତାଣୁ । ଏହାକୁ ନେଇ ପୁଣି ଥରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଚେତାବନୀ ଦେଇଛି । ବିଶ୍ବରେ ତୃତୀୟ କିମ୍ବା ଚତୁର୍ଥ କରୋନା ଲହର ଆସିବା ନେଇ ସତର୍କ ସୂଚନା ଜାରି କରିଛି ଡବ୍ଲୁଏଚଓ । ସେଥିପାଇଁ ଏହାକୁ ଅଣଦେଖା କରିବା କ୍ଷତିକାରକ ସାବ୍ୟସ୍ତ ହୋଇପାରେ ବୋଲି କହିଛି ଡବ୍ଲ୍ୟୁଏଚଓ । ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ମୁଖ୍ୟ ଟି ଅଧାନୋମ କହିଛନ୍ତି, ଆମକୁ ବୁଝିବାକୁ ହେବ ଯେ, ଭୂତାଣୁକୁ ରୋକାଯାଇ ପାରିଛି କିନ୍ତୁ ଏହା ସମ୍ପୂର୍ଣ୍ଣରୂପେ ମରିନାହିଁ । ତେଣୁ ପୂର୍ବପରି ସତର୍କତା ଅବଲମ୍ବନ କରିବା ସହ ଜୀବନ ଜୀବିକାକୁ ଆଗକୁ ନେବାକୁ ହେବ । ନହେଲେ ପୁଣିଥରେ ବିଶ୍ବବାସୀଙ୍କୁ ଭୟଙ୍କର ବିପତ୍ତିର ସାମ୍ନା କରିବାକୁ ପଡିବ ।

ଏଥିସହିତ ପଢ଼ନ୍ତୁ: ଜି-୧ ସାଟେଲାଇଟ୍ ଲଞ୍ଚ କରିବ ଭାରତ: ସାଟେଲାଇଟ୍ ଦ୍ୱାରା ସୀମା ଉପରେ ରହିବ ନଜର

ଜି-୧ ସାଟେଲାଇଟ୍ ଲଞ୍ଚ କରିବ ଭାରତ: ସାଟେଲାଇଟ୍ ଦ୍ୱାରା ସୀମା ଉପରେ ରହିବ ନଜର

 ନୂଆଦିଲ୍ଲୀ: ଶତ୍ରୁପକ୍ଷଙ୍କ ଉପରେ ନଜର ରଖିବ ଭାରତର ତୃତୀୟ ଆଖି । ୨୮ ମାର୍ଚ୍ଚରେ ଜି-୧ ସାଟେଲାଇଟ୍ ଲଞ୍ଚ କରିବାକୁ ଯୋଜନା କରୁଛି ଭାରତ । ଏହି ସାଟେଲାଇଟ୍ ଭାରତୀୟ ସୀମା ଉପରେ ରଖିବ ତୀକ୍ଷ୍ନ ନଜର । ଏହା କେବଳ ଶତ୍ରୁପକ୍ଷର ଷଡଯନ୍ତ୍ରର ପର୍ଦ୍ଦାଫାଶ କରିବନି, ବରଂ ପାଣିପାଗ ସମ୍ବନ୍ଧୀୟ ବିପଦ ଉପରେ ମଧ୍ୟ ନଜର ରଖିବ । ଜିସାଟ୍-୧ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା ଅନ୍ତରୀକ୍ଷ କେନ୍ଦ୍ରରୁ ଜିଏସଏଲଭି ଏଫ-୧୦ ଜରିଆରେ ଉତକ୍ଷେପଣ କରାଯିବ । ଇସ୍ରେ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଏହି ସାଟେଲାଇଟକୁ ୩୬ ହଜାର କିଲମିଟର ଉଚ୍ଚ ଅନ୍ତରୀକ୍ଷରେ ଅବସ୍ଥାପିତ କରାଯିବ । ଜିଏସଏଲଭି ଏଫ-୧୦ ରେ ଯାନ୍ତ୍ରୀକ ତ୍ରୁଟି କାରଣରୁ ଏହାକୁ ସ୍ଥଗିତ ରଖାଯାଇଛି । ଏଥିରେ ଥିବା ଲାଗିଥିବା କ୍ୟାମେରା କେବଳ ସ୍ଥଳଭାଗ ଓ ଜଳ ଭାଗ ଉପରେ ରଖିବ ନଜର । ଏହାର ଓଜନ ୨ ହଜାର ୨୬୮ କିଲୋଗ୍ରାମ । କରୋନା କଟକଣା ଯୋଗୁଁ ଏହାର ନିର୍ମାଣରେ ବିଳମ୍ବ ହୋଇଥିବା କହିଛନ୍ତି ଅଧିକାରୀ ।

ଏଥିସହିତ ପଢ଼ନ୍ତୁ: ତାଗିଦ୍ କରିବାରୁ ଶିକ୍ଷକଙ୍କୁ ଗୁଳି କଲା ଛାତ୍ର

ଖୁବଶୀଘ୍ର ପୁରୀ ପୌରପାଳିକା ହେବ ମହାନଗର ନିଗମ, ଚାଲିଛି ଜୋରଦାର ପ୍ରସ୍ତୁତି

ପୁରୀ: ଖୁବଶୀଘ୍ର ମହାନଗର ନିଗମର ମାନ୍ୟତା ପାଇବ ପୁରୀ ପୌରପାଳିକା । ଏନେଇ ସବୁ ପ୍ରକାରର ଉଦ୍ୟମ ଆରମ୍ଭ ହୋଇଛି । ମୁଖ୍ୟମନ୍ତ୍ରୀ ପୁରୀର ବିକାଶ ପାଇଁ ସଦା ସର୍ବଦା ଚେଷ୍ଟା ଜାରି ରଖିଥିବା ବେଳେ ପୁରୀ ମହାନଗର ନିଗମ ପାଇଁ ସମସ୍ତ ସର୍ତ୍ତାବଳୀ ପୂରଣ କରିଥିବା କୁହାଯାଉଛି । ଯାହାକୁ ସବୁ ମହଲରେ ସ୍ୱାଗତ କରାଯାଇଛି ।

ପୁରୀରେ ଜନସଂଖ୍ୟା ସମସ୍ୟା ଏଡାଇବାକୁ ଆଖପାଖ ଅଞ୍ଚଳ ହେବ ସାମିଲ୍ । ଐତିହ୍ୟ ନଗରୀ ପୁରୀର ସାମଗ୍ରିକ ବିକାଶ ଦିଗରେ ମୁଖ୍ୟମନ୍ତ୍ରୀ ଚେଷ୍ଟା କରିବା ସହ ବହୁ ଉନ୍ନତି ମୂଳକ ପ୍ରକଳ୍ପର ନିର୍ମାଣ ଚାଲିଛି । ଏହାରି ମଧ୍ୟରେ ପୁରୀ ପୌରପାଳିକାକୁ ମହାନଗର ନିଗମ କରିବା ନେଇ ମଧ୍ୟ ଯୋଜନା ଚାଲିଥିବା ଜଣାପଡିଛି । ମହାନଗର ନିଗମ ନେଇ ପୁରୀ ସମସ୍ତ ସର୍ତ୍ତାବଳୀ ପୂର୍ଣ୍ଣ କରୁଥିବା ବେଳେ ଛୋଟ ମୋଟ କିଛି ସମସ୍ୟାର ସମାଧାନ ଖୁବ୍‌ ଶୀଘ୍ର କରାଯିବ । ଏନେଇ ପୁରୀ ସାଂସଦ ପିନାକୀ ମିଶ୍ର ସୂଚନା ଦେଇଛନ୍ତି ।

ମହାନଗର ନିଗମ ହେଲେ ସାଧାରଣ ଲୋକେ ଅଧିକ ମୌଳିକ ସୁବିଧା ସୁଯୋଗ ପାଇପାରିବେ । ଅଧିକ ଅନୁଦାନ ରାଶି ମିଳିବା ସହ ଅନେକ ଉନ୍ନତି ମୂଳକ କାର୍ଯ୍ୟ ହୋଇପାରିବ । ତେବେ ଜନସଂଖ୍ୟା ସମସ୍ୟାକୁ ଏଡ଼ାଇବା ପାଇଁ ପୁରୀ ଆଖପାଖ ଅଂଚଳକୁ ସାମିଲ କରାଯିବାର ଆବଶ୍ୟକତା ଥିବା ମତ ପ୍ରକାଶ ପାଇଛି । ପୁରୀ ମହାନଗର ନିଗମ ହୋଇପାରିଲେ ବିକାଶ କାର୍ଯ୍ୟ ଆହୁରି ଅଧିକ ତ୍ୱରାନ୍ୱିତ ହେବ । ଯାହାକୁ ସବୁ ମହଲରୁ ସ୍ୱାଗତ କରାଯାଇଛି ।

ଆନ୍ତର୍ଜାତୀୟ ମହିଳା ଦିବସ ପୂର୍ବରୁ ରାଜଧାନୀରେ ପ୍ରି-ଓମେନ୍‌ସ ଡେ’ ସେଲିବ୍ରେସନ୍‌

ଭୁବନେଶ୍ୱର: ମହିଳାମାନେ ସଶକ୍ତ ହେଲେ ଦେଶ ଓ ରାଜ୍ୟ ଆଗେଇବ । ଏହି ବାର୍ତ୍ତା ନେଇ ଭୁବନେଶ୍ୱରରେ ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ଜୟ ଓଡ଼ିଶା ଓ ଶକ୍ତି ଅନୁଷ୍ଠାନ ପକ୍ଷରୁ ଆୟୋଜିତ ହୋଇଛି ପ୍ରି-ଓମେନ୍ସ ଡ଼େ ସେଲିବ୍ରେସନ । ଶନିବାର ନାରୀଙ୍କୁ ଆତ୍ମନିର୍ଭରଶୀଳ କୌଶଳ ଶିକ୍ଷା ଦିଆଯିବା ପରେ ରବିବାର ମହିଳା କରିଛନ୍ତି ରକ୍ତଦାନ । ସେପଟେ ସହିଦ ସ୍ପୋର୍ଟିଂ ପଡ଼ିଆରେ ଖେଳକୁଦରେ ସହ ପ୍ରି-ଓମେନ୍ସ ଡ଼େ ପାଳିଛନ୍ତି ।

ଅନ୍ତର୍ଜାତୀୟ ମହିଳା ଦିବସ ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେଇଛି ସଂଗଠନ । ଶନିବାର କମଳା ନେହରୁ ମହିଳା ମହାବିଦ୍ୟାଳୟରେ ଦୁଇ ଶହରୁ ଉର୍ଦ୍ଧ୍ୱ ଛାତ୍ରୀଙ୍କୁ ଆତ୍ମନିର୍ଭର କୌଶଳ ଶିକ୍ଷା ଦିଆଯାଥିବା ବେଳେ ରବିବାର ଶହିଦନଗର ଦୁର୍ଗାପୂଜା ମଣ୍ଡପରେ ଆୟୋଜିତ ହୋଇଥିଲା ରକ୍ତଦାନ ଶିବିର । ଏଥିରେ ଶତାଧିକ ମହିଳା ସ୍ୱେଚ୍ଛେକୃତ ଭାବେ ରକ୍ତଦାନ କରିଥିଲେ ।

ସେପଟେ ଭୁବନେଶ୍ୱର ଶହିଦନଗର ସ୍ପୋଟିଂ କ୍ଲବରେ ମହିଳାମାନେ ପ୍ରି ଓମେନ୍ସ ଡ଼େ ସେଲିବ୍ରେସନ କରିଥିବା ବେଳେ ଖେଳ କୁଦ ସାଙ୍ଗକୁ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଦେଖାଇଥିବା ମହିଳାଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ଜୟ ଓଡ଼ିଶା ଓ ଶକ୍ତିର ମିଳିତ ଉଦ୍ୟମରେ ଜାରି ରହିଥିବା କାର୍ଯ୍ୟକ୍ରମକୁ ସ୍ୱାଗତ କରଛନ୍ତି ମହିଳା ଓ ସ୍ୱେଚ୍ଛାସେବୀ ।

ରାଜଧାନୀରେ ହେବ ଜୋରଦାର ଚେକିଂ, ରାସ୍ତାରେ ଗଡ଼ିପାରିବନି ଅନ୍‌ଫିଟ୍‌ ଗାଡ଼ି

ଭୁବନେଶ୍ୱର: ଯାନବାହାନ ଜନିତ ପ୍ରଦୂଷଣ ମାତ୍ରା ହ୍ରାସ ପାଇଁ ପରିବହନ ବିଭାଗର ଆଉ ଏକ ନୂଆ ପ୍ରୟାସ । ଏଣିକି ଭୁବନେଶ୍ୱର ୧ ଏବଂ ଭୁବନେଶ୍ୱର ୨ ଅନ୍ତର୍ଗତ ସମସ୍ତ ଦୁଇ ଚକିଆ, ତିନି ଚକିଆ ଓ ଚାରି ଚକିଆ ସମେତ ସମସ୍ତ ଭାରିଯାନର ଫିଟନେସ୍ ଓ ପ୍ରଦୂଷଣ ସାର୍ଟିଫିକେଟ୍ କଡ଼ାକଡ଼ି ଯାଞ୍ଚ ହେବ ।

ରୋବୋଟ୍ ଦେବ ଫିଟନେସ୍ ସାର୍ଟିଫିକେଟ୍ । ଗଳାବାଟରେ ଲାଗିବ ରୋକ୍ । କଡାକଡି ହେବ ପ୍ରଦୂଷଣ ଯାଞ୍ଚ । ଆଉ ପରିବହନ ଅଧିକାରୀ ଖାମାଖିଆଲି ଭାବେ ଗାଡ଼ିକୁ ଦେଖି ସାର୍ଟିଫିକେଟ ଦେବେନି । ଏଣିକି ଯାନବାହାନ ରାସ୍ତାରେ ଗଡ଼ିବା ପାଇଁ କେତେ ଫିଟ୍ ଆଉ କେତେ ଅନଫିଟ୍ ତାର ସାର୍ଟିଫିକେଟେ ଦେବ ରୋବୋଟ୍ । ସାରା ଦେଶରେ ପ୍ରଥମ ରାଜ୍ୟ ଭାବେ ଓଡ଼ିଶାରେ ଏଣିକି ଦୁଇ, ଚାରି ଚକିଆ ଓ ଭାରିଯାନଗୁଡ଼ିକର ଫିଟନେସ୍ ପରଖିବା ପାଇଁ ରୋବୋଟ୍‌ର ସହାୟତା ନେବ ରାଜ୍ୟ ପରିବହନ ବିଭାଗ । ଏଥିପାଇଁ ଆବଶକୀୟ ଭିତ୍ତିଭୂମି ଓ କ୍ଷେତ୍ର ପ୍ରସ୍ତୁତି କରାଯାଉଛି । କେବଳ ଭୁବନେଶ୍ୱର ଆରଟିଓ ୧ ଏବଂ ୨ ପାଇଁ ଏହି ବ୍ୟବସ୍ଥା ହୋଇଛି । ଏଥିପାଇଁ ଛତାବର ପଞ୍ଚାୟତ ଅଲକର ମୌଜାରେ ୬ ଏକର ଜମି ଅଧିଗ୍ରହଣ ସରିଛି ।

ବଢୁଥିବା ବାୟୁ ପ୍ରଦୂଷଣକୁ ନେଇ ଚିନ୍ତା ପ୍ରକଟ କରିଛି ପରିବହନ ବିଭାଗ । ଏଥିପାଇଁ ଗାଡି ଗୁଡ଼ିକର ପ୍ରଦୂଷଣ ପ୍ରମାଣ ପତ୍ର ଯାଞ୍ଚ ଉପରେ ଅଧିକ ଗୁରୁତ୍ୱ ଦିଆଯାଇଛି । ଏନେଇ ସମସ୍ତ ଆରଟିଓକୁ ଚିଠି ଲେଖି ଏହାର କଡ଼ାକଡ଼ି ପାଳନ ପାଇଁ କୁହାଯାଇଛି । କୋଭିଡ୍ କଟକଣା ଯୋଗୁଁ ଚେକିଂରେ ବାଧା ଉପୁଜିଥିଲା । ବର୍ତ୍ତମାନ ପ୍ରଦୂଷଣ ପ୍ରମାଣ ପତ୍ର ଯାଞ୍ଚ ପାଇଁ ମାତ୍ରାଧିକ ଚେକିଂ କରିବାକୁ କୁହାଯାଇଛି । କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରାଳୟ ମଧ୍ୟ ନ୍ୟାସନାଲ କ୍ଲିନ୍ ଏୟାର ପ୍ରୋଗ୍ରାମ ଜରିଆରେ ଯାନବାହାନ ଜନିତ ବାୟୁ ପ୍ରଦୂଷଣ ରୋକିବା ଉପରେ କାର୍ଯ୍ୟ କରୁଛନ୍ତି ।

ଜାତୀୟ ଜୁନିୟର ତୀରନ୍ଦାଜ ଚାମ୍ପିଅନସିପ୍‌ରେ ୧୩ ଓଡ଼ିଆ

ଭୁବନେଶ୍ୱର: ଡେରାଡୁନରେ ଆୟୋଜିତ ହେଉଛି ଜାତୀୟ ଜୁନିୟର ତୀରନ୍ଦାଜ ଚାମ୍ପିଅନସିପ୍ । ଏଥିରେ ତିନୋଟି ବିଭାଗରେ ଓଡିଶାର ୧୩ ଜଣ ଖେଳାଳି ଭାଗ ନେଉଛନ୍ତି । କଟକରେ ଅଭ୍ୟାସ କରି ଓଡିଶା ଟିମ୍ ଡେରାଡୁନ ଯାତ୍ରା କରିବ । ଏଥର ଭଲ ପ୍ରଦର୍ଶନ କରି ରାଜ୍ୟ ପାଇଁ ଗୌରବ ଆଣିବେ ବୋଲି ଆଶା ରଖିଛନ୍ତି ଉଭୟ କୋଚ ଓ ଖେଳାଳି ।

ଜାତୀୟସ୍ତରୀୟ ଖେଳ ପାଇଁ କଟକ ଜବାହାରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମରେ ତୀରନ୍ଦାଜଙ୍କ ଜୋରଦାର ଅଭ୍ୟାସ ଚାଲିଛି । ଇଣ୍ଡିଆନ ଇଭେଣ୍ଟରେ ଖେଳାଳିମାନେ ଡେରାଡୁନ ଯାତ୍ରା କରି ସାରିଥିବା ବେଳେ କମ୍ପାଉଣ୍ଡ ଇଭେଣ୍ଟରେ ୮ ତାରିଖରେ ଖେଳାଳିମାନେ ଡେରାଡୁନ ଯିବେ ।

ରି-କର୍ଭ ଇଭେଣ୍ଟରେ ୩ ଖେଳାଳୀ ଆସନ୍ତା ୧୧ ତାରିଖରେ ଚାମ୍ପିଅନସିପରେ ଭାଗ ନେବେ । ପୂର୍ବରୁ ବାରବାଟୀରେ ରାଜ୍ୟ ତୀରନ୍ଦାଜ ଚାମ୍ପିଅନସିପ୍‌ ଆୟୋଜିତ ହୋଇଥିବା ବେଳେ ଶିବିରରେ ମଧ୍ୟ ପ୍ରସ୍ତୁତି ଭଲ ହୋଇଛି । ତେଣୁ ଏଥର ଭଲ ପ୍ରଦର୍ଶନ କରି ରାଜ୍ୟ ପାଇଁ ଗୌରବ ଆଣିବେ ବୋଲି ଆଶା ରଖିଛନ୍ତି ଉଭୟ କୋଚ ଓ ଖେଳାଳି । ତୀରନ୍ଦାଜରେ ଓଡିଶାର ଖେଳାଳିମାନଙ୍କ ପ୍ରଦର୍ଶନ ପୂର୍ବରୁ ଭଲ ରହି ଆସିଥିବାରୁ, ଏଥର ମଧ୍ୟ ଦଳଠାରୁ ଶ୍ରେଷ୍ଠ ପ୍ରଦର୍ଶନ ଆଶା କରାଯାଉଛି ।