spot_img
Home Blog Page 5693

ବାବା ଆଖଣ୍ଡଳମଣିଙ୍କ ପିଠରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ ରହିଲା ସାଧାରଣ ଦର୍ଶନ

ଆରଡ଼ି: ସମଗ୍ର ଦେଶରେ କରୋନାର ଦ୍ୱିତୀୟ ପ୍ରବାହ ଯୋଗୁଁ ସ୍ଥିତି ଗମ୍ଭୀର ହେବାରେ ଲାଗିଛି । ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବା ସହ ରୋଗୀଙ୍କ ମୃତ୍ୟୁ ମଧ୍ୟ ହେଉଛି । ଅପେକ୍ଷାକୃତ ଭାବେ ଓଡ଼ିଶାରେ ସ୍ଥିତି ସେତେଟା ଗମ୍ଭୀର ନଥିଲେ ପୂର୍ବପେକ୍ଷା ଅଧିକ ସଂକ୍ରମିତ ଚିହ୍ନଟ ହେବାରେ ଲାଗିଛନ୍ତି । ଏହାକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ବିଭିନ୍ନ ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି । ଏଭଳି କି ଧର୍ମାନୁଷ୍ଠାନରେ ସାଧାରଣ ଦର୍ଶନକୁ ମଧ୍ୟ ବାରଣ କରାଯାଇଛି । ପୁରୀ ଶ୍ରୀମନ୍ଦିରରେ ମଧ୍ୟ ମହପ୍ରଭୁଙ୍କ ସାଧାରଣ ଦର୍ଶନ ବନ୍ଦ ରଖାଯାଇଛି । ସେହିଭଳି ଭଦ୍ରକ ଜିଲ୍ଳା ପ୍ରଶାସନ ଆଜିଠାରୁ ବାବା ଆଖଣ୍ଡଳମଣିଙ୍କ ମନ୍ଦିରରେ ସାଧାରଣ ଭକ୍ତଙ୍କ ଦର୍ଶନ ଉପରେ ଅନିର୍ଦ୍ଦିଷ୍ଟ କାଳ ପ୍ରଯ୍ଯନ୍ତ ରୋକ ଲଗାଇଛନ୍ତି । ଏପରି ସୂଚନା ଦେଇଛନ୍ତି ଭଦ୍ରକ ଉପଜିଲାପାଳ ତଥା ମନ୍ଦିର ଟ୍ରଷ୍ଟି ପିତାମ୍ବର ସାମଲ।

ଏଥିସହିତ ପଢ଼ନ୍ତୁ: ରିଲାଏନ୍ସର ମିଶନ ଅକ୍ସିଜେନ୍ : ଦୈନିକ ୧୦୦୦ ଟନ୍ ମେଡିକାଲ ଅମ୍ଳଜାନ ଉତ୍ପାଦନ ସହ ମାଗଣାରେ ଯୋଗାଉଛି

ଭାରତରୁ ଅଷ୍ଟ୍ରେଲିଆ ଫେରୁଥିଲେ ୫ବର୍ଷ ଜେଲ୍ ସହ ଭରିବାକୁ ପଡ଼ିବ ମୋଟାଅଙ୍କର ଜୋରିମାନା

ନୂଆଦିଲ୍ଲୀ: ପ୍ରଥମ ଥର ପାଇଁ ଅଷ୍ଟ୍ରେଲିଆ ସରକାର ତା’ର ନାଗରିକ ମାନଙ୍କ ଉପରେ ପ୍ରବେଶ କଟକଣା ଲଗାଇଛନ୍ତି । ଯଦି କେହି ବ୍ୟକ୍ତି ଭାରତରୁ ଅଷ୍ଟ୍ରେଲିଆ ଯାଉଛନ୍ତି ତାହେଲେ ସେମାନଙ୍କୁ ମୋଟା ଅଙ୍କର ଜୋରିମାନା ଦେବା ସହ ୫ ବର୍ଷ ଯାଏଁ ଜେଲ୍ ଦଣ୍ଡାଦେଶ ହୋଇପାରେ ।

ସୂଚନା ଅନୁଯାୟୀ ଯଦି କେହି ନାଗରିକ ଭାରତରେ ୧୪ ଦିନ ବିତାଇଥିବେ ତାହେଲେ ସେମାନେ ଅଷ୍ଟ୍ରେଲିଆକୁ ଫେରିପାରିବେ ନାହିଁ । ଭାରତରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢିବା ପରେ ନିଜ ନାଗରିକ ମାନଙ୍କ ପାଇଁ ଅଷ୍ଟ୍ରେଲିଆ ସରକାର ଶନିବାର ଏଭଳି କଟକଣା ଲଗାଇଛନ୍ତି ।

ଅଷ୍ଟ୍ରେଲିଆ ଗଣମାଧ୍ୟମ ଅନୁଯାୟୀ, ଗତ ୧୪ ଦିନ ମଧ୍ୟରେ ଯେଉଁମାନଙ୍କର ଟ୍ରାଭେଲ୍ ହିଷ୍ଟ୍ରି ଭାରତ ରହିଛି ସେମାନଙ୍କ ଉଡାଣ ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ସରକାର ବାୟୋସିକ୍ୟୁରିଟି ଆକ୍ଟ ପାସ୍ କରାଇଛନ୍ତି । ଏଥିସହ ଫେରିଥିବା ବ୍ୟକ୍ତିଙ୍କ ବିରୋଧରେ ଅପରାଧିକ ମାମଲା ଚାଲିବ ବୋଲି ଅଷ୍ଟ୍ରେଲିଆ ସରକାର କହିଛନ୍ତି । ମେ ୧୫ ପର୍ଯ୍ୟନ୍ତ ଏହି କଟକଣା ଲଗାଯାଇଥିବା ବେଳେ ସରକାର ଏହାକୁ ଗୁରୁତର ସହ ନେଉଛନ୍ତି ବୋଲି ଚେତାଇ ଦେଇଛନ୍ତି ।

ଅଷ୍ଟ୍ରେଲିଆ ସରକାରଙ୍କ ପକ୍ଷରୁ ପୂର୍ବରୁ ଭାରତକୁ ସମସ୍ତ ଉଡାଣ ବାତିଲ କରାଯାଇଥିଲା । ସରକାରୀ ସୁତ୍ର ଅନୁଯାୟୀ ଅଷ୍ଟ୍ରେଲିଆର ପାଖାପାଖି ୯ ହଜାର ଲୋକ ଭାରତରେ ରହୁଛନ୍ତି । ସେମାନଙ୍‌କ ମଧ୍ୟରୁ ୬୦୦ କରୋନା କବଳିତ ହୋଇଥିବା ଆଶଙ୍କା ରହିଛି ।

ଜୁନ୍ ୨୭ ଯାଏଁ ବନ୍ଦ ରହିବ ସୁପ୍ରିମକୋର୍ଟ: ଗ୍ରୀଷ୍ମକାଳୀନ ଅବକାଶ ଘୋଷଣା କଲେ ପ୍ରଧାନ ବଚାରପତି

ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ ଗ୍ରୀଷ୍ମକାଳୀନ ଅବକାଶ ଘୋଷଣା । ମେ’ ୧୦ରୁ ଜୁନ୍‌ ୨୭ ପର୍ଯ୍ୟନ୍ତ ବନ୍ଦ ରହିବ ସୁପ୍ରିମକୋର୍ଟ  । କୋରନା ସଂକ୍ରମଣ ଯୋଗୁଁ ଅବକାଶ ଘୋଷଣା କଲେ ପ୍ରଧାନ ବିଚାରପତି ଏନ.ଭି ରମନା । ଛୁଟି ଘୋଷଣା ପାଇଁ ବିଭିନ୍ନ ବାର୍‌ ପୂର୍ବରୁ ନିବେଦନ କରିଥିଲେ । ବର୍ତ୍ତମାନ ରାଜଧାନୀ ଦିଲ୍ଲୀରେ କରୋନା ସ୍ଥିତି ଅତି ଗମ୍ଭୀର ରହିଛି । ଦିଲ୍ଲୀର ବାତ୍ରା ହସ୍ପିଟାଲରେ ଅକ୍ସିଜେନ୍ ଅଭାବର ଚାଲିଗଲା ୮ ରୋଗୀଙ୍କ ଜୀବନ ।  ଦିଲ୍ଲୀ ହାଇକୋର୍ଟରେ ଏନେଇ ତଥ୍ୟ ରଖିଛି ଦିଲ୍ଲୀର ବାତ୍ରା ହସ୍ପିଟାଲ । ହସ୍ପିଟାଲ ପକ୍ଷରୁ କୁହାଯାଇଛି, ପ୍ରାୟ ଘଣ୍ଟାଏ ଧରି ଅକ୍ସିଜେନ୍ ଅଭାବ ଯୋଗୁଁ ଜଣେ ଡାକ୍ତରଙ୍କ ସହ ୮ ଜଣଙ୍କ ମୃତ୍ୟୁ ହୋଇଛି । ହସ୍ପିଟାଲ ପକ୍ଷରୁ କୋର୍ଟରେ କୁହାଯାଇଛି, ଆମେ ସମୟରେ ଅକ୍ସିଜେନ୍ ପାଇଲୁ ନାହିଁ । ଦିନ ପ୍ରାୟ ୧୨ଟା ବେଳେ ଅକ୍ସିଜେନ୍ ସରିଗଲା । ଆମେ ଜଣେ ଡାକ୍ତରଙ୍କୁ ମଧ୍ୟ ହରାଇଛୁ । ପ୍ରାୟ ଘଣ୍ଟାଏ ଧରି ଅକ୍ସିଜେନ୍ ବିନା ଆମେ ଚିକିତ୍ସା ଜାରି ରଖିଥିଲୁ । ଅକ୍ସିଜେନ୍ ଅଭାବ ନେଇ ବାତ୍ରା ହସ୍ପିଟାଲ ଜରୁରୀ ମେସେଜ୍ ପଠାଇଥିଲା । ମାତ୍ର ୧୦ ମିନିଟ୍ ପାଇଁ ଅକ୍ସିଜେନ୍ ଅଛି, ମେଡିକାଲରେ ୩୨୬ ଜଣ ଆଡମିଟ୍ ଅଛନ୍ତି ବୋଲି ହସ୍ପିଟାଲ ପକ୍ଷରୁ କୁହାଯାଇଥିଲା । ଏନେଇ ଦିଲ୍ଲୀର ମନ୍ତ୍ରୀ ରାଘବ ଚଢ଼ା କହିଛନ୍ତି- ଜରୁରୀ ମେସେଜର ମାତ୍ର ୫ ମିନିଟ ମଧ୍ୟରେ ଅକ୍ସିଜେନ୍ ଟ୍ୟାଙ୍କର ମେଡିକାଲରେ ପହଞ୍ଚିଥିଲା ।

ଅଭିନୟ ପୂର୍ବରୁ ଦିନେ ଭାରତୀୟ ସେନାରେ ଥିଲେ ବିକ୍ରମଜୀତ କୁଅଁରପାଲ

ମମ୍ବାଇ: କରୋନା ଦିତ୍ୱୀୟ ପ୍ରବାହ ଏବେ ସାରା ବିଶ୍ୱରେ ଆତଙ୍କ ସୃଷ୍ଟି କରିଛି । ଧନୀ ହେଉ କିମ୍ବା ଗରିବ, ସାଧାରଣ ଲୋକ ହେଉ କିମ୍ବା ରାଜନେତା କାହାକୁ ବି ଛାଡୁନି ଏଇ ମହାମାରୀ । ପ୍ରତ୍ୟେକ ଦିନର ସକାଳ ଖରାପ ଖବର ନେଇ ଆସୁଛି, ଯାହା ପ୍ରତ୍ୟେକଙ୍କ ମନକୁ ଆଘାତ ପହଂଚାଉଛି । ଏହି କରୋନା ମହାମାରୀ କବଳରେ ବଲିଉଡର ଅନେକ କଳାକାର କବଳିତ ହୋଇଚାଲିଛନ୍ତି । ତାଙ୍କ ଭିତରୁ କିଏ କରୋନା ସହ ଲଢି ଜିତାପଟ ହାସଲ କରୁଛି ତ ପୁଣି କିଏ ଜୀବନ ଯୁଦ୍ଧରେ ହାର ମାନିଯାଉଛି। ଆଉ ଏହି ଯୁଦ୍ଧରେ ଆଜି ଆଉ ଜଣେ ବଲିଉଡ କଳାକାର ମଧ୍ୟ ହାର ମାନିଯାଇଛନ୍ତି।

ଯିଏକି ନିଜ ନିଖୁଣ ଅଭିନୟରେ ପ୍ରତ୍ୟେକ ଫିଲ୍ମରେ ମନୋରଞ୍ଜନର ଏକ ଭିନ୍ନସ୍ୱାଦ ଦର୍ଶକଙ୍କୁ ଯୋଗାଇ ଦେଇଥାନ୍ତି। ସେ ହେଉଛନ୍ତି ବିକ୍ରମଜୀତ କୁଅଁରପାଲ। ବିକ୍ରମଜୀତଙ୍କୁ ପରଦାରେ ଆପଣମାନେ ଅନେକ ଚରିତ୍ରରେ ଦେଖିଥିବେ କିନ୍ତୁ ତାଙ୍କ ପ୍ରକୃତ ଜୀବନରେ ବି ସେ ଭିନ୍ନ ଚରିତ୍ର ପ୍ଲେ କରିଛନ୍ତି। ଆଜ୍ଞା ହଁ ବିକ୍ରମଜୀତ ଅଭିନୟର ଏହି ରଙ୍ଗାରଙ୍ଗ ଦୁନିଆରେ ପାଦ ଥାପିବା ପୂର୍ବରୁ ସେନାରେ ନିଜର ଯୋଗଦାନ ଦେଇଥିଲେ।

 

ହିମାଚଳ ପ୍ରଦେଶର ସୋଲେନରେ ଜନ୍ମ ହୋଇଥିବା ବିକ୍ରମଜୀତ ପିଲାଦିନୁ ଭାରତୀୟ ସେନାରେ ଯୋଗ ଦେବା ପାଇଁ ସ୍ୱପ୍ନ ଦେଖୁଥିଲେ। ଆଉ ତାଙ୍କୁ ସେ ଉତ୍ସାହ ତାଙ୍କ ବାପା ଦ୍ୱାରକାନାଥ କୁଅଁରପାଲଙ୍କ ଯୋଗୁଁ ହିଁ ମିଳିଥିଲା । କାହିଁକି ନା ବିକ୍ରମଜୀତଙ୍କ ପିତା ଜଣେ ଆର୍ମୀ ଅଫିସର ଥିଲେ ଓ ୧୯୬୩ ମସିହାର ଯୁଦ୍ଦରେ ତାଙ୍କ ବାହାଦୁରୀ ପାଇଁ ତାଙ୍କୁ କିର୍ତ୍ତୀ ଚକ୍ର ପୁରସ୍କାରରେ ସମ୍ମାନିତ କରାଯାଇଥିଲା । ସେଥିପାଇଁ ବାପାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ବିକ୍ରମଜୀତ ୧୯୮୯ରେ ଭାରତୀୟ ସେନାରେ ଯୋଗଦେଲେ । ଆଉ ଅନେକ ଦିନ ସେନାରେ କାର୍ଯ୍ୟରତ ରହିବା ପରେ ୨୦୦୨ରେ ମେଜର ହୋଇ ଆର୍ମିରୁ ଅବସର ନେଲେ ।

ସାଧାରଣତଃ ଅବସର ପରେ ଆର୍ମୀ ଅଫିସରମାନେ ବହୁତ କଠୋର ଓ ସମୟାନୁବର୍ତ୍ତୀ ହୋଇ ସାଧାରଣ ଜୀବନକୁ ଅତିବାହିତ କରନ୍ତି । କିନ୍ତୁ ବିକ୍ରମଜୀତଙ୍କ କ୍ଷେତ୍ରରେ ଏହିଭଳି ହୋଇନଥିଲା । ସେ ଅବସର ନେବାପରେ ନିଜ ଜୀବନକୁ ଆହୁରୀ ସ୍ମରଣୀୟ କରିବା ପାଇଁ ୨୦୦୩ରେ ବଲିଉଡରେ ପ୍ରଥମଥର ପାଇଁ ନିଜର ଡେବ୍ୟୁ କଲେ। ଆଉ ଏହିଠାରୁ ହିଁ ଆରମ୍ଭ ହେଲା ତାଙ୍କ ଜୀବନର ନୂଆ ଅଧ୍ୟାୟ। ତେବେ ଅଧିକାଂଶ ଚଳଚିତ୍ରରେ ସେ ସପୋର୍ଟିଂ ଆକ୍ଟର ଭାବରେ କାମ କରିଛନ୍ତି । ହେଲେ ତାହା ନେଗେଟିଭ ହେଉ କିମ୍ବା ପଜିଟିଭ ସବୁ ଚରିତ୍ର ତାଙ୍କ ପାଇଁ ଖୁବ୍ ଖାସ୍ ଥିଲା । ତେଣୁକରି ତାଙ୍କ ଅଭିନୟ ମାଧ୍ୟମରେ ସେ ସେହି ଚରିତ୍ରକୁ ଅଧିକ ଜୀବନ୍ତ କରିଦିଅନ୍ତି ।

୧୮ବର୍ଷର ଏହି ବଲିଉଡ ଯାତ୍ରାରେ ସେ କେବେ ବି ନିଜ ଦର୍ଶକଙ୍କୁ ନିରାଶ କରିନାହାନ୍ତି । ଫିଲ୍ମ ଓ ଟିଭି ଶୋରେ ତାଙ୍କର ଉପସ୍ଥିତି ପାଇ ଦର୍ଶକେ ଖୁବ୍ ଉତ୍ସାହିତ ହୁଅନ୍ତି । ହେଲେ ଆଉ ପରଦାରେ ଦେଖିବାକୁ ମିଳିବନି ତାଙ୍କ ଅଭିନୟ। କରୋନାରେ ପିଡିତ ଥିବାରୁ ମେ ୧ ତାରିଖ ଦିନ ୫୨ବର୍ଷ ବୟସରେ ସେ ତାଙ୍କ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।

ରିଲାଏନ୍ସର ମିଶନ ଅକ୍ସିଜେନ୍ : ଦୈନିକ ୧୦୦୦ ଟନ୍ ମେଡିକାଲ ଅମ୍ଳଜାନ ଉତ୍ପାଦନ ସହ ମାଗଣାରେ ଯୋଗାଉଛି

ମୁମ୍ବଇ/ଭୁବନେଶ୍ୱର: ସମଗ୍ର ଭାରତ କୋଭିଡ ମହାମାରୀର ଅପ୍ରତ୍ୟାଶିତ ନୂଆ ଲହରକୁ ନେଇ ଗୁରୁତର ସଙ୍କଟର ସମ୍ମୁଖୀନ ହେଉଥିବାବେଳେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ମୂଲ୍ୟବାନ ଜୀବନ ବଞ୍ଚାଇବା ପାଇଁ ସମସ୍ତ ପ୍ରୟାସ ଜାରି ରଖିଛି । ସାଂପ୍ରତିକ ସମୟରେ ସମଗ୍ର ଦେଶରେ ଅତି ଗୁରୁତର ରୋଗୀମାନଙ୍କର ଚିକିତ୍ସା ପାଇଁ ଅମ୍ଳଜାନ ସବୁଠାରୁ ଜରୁରୀ ଆବଶ୍ୟକତା ହୋଇଛି । ରିଲାଏନ୍ସ ପାରମ୍ପରିକ ଭାବେ ତରଳ ଅମ୍ଳଜାନର ଉତ୍ପାଦନକାରୀ ହୋଇନଥିବାବେଳେ ସଂପ୍ରତି ଗୋଟିଏ ସ୍ଥାନରେ ଏହି ଜୀବନ ରକ୍ଷାକାରୀ ସମ୍ବଳର ଦେଶରେ ସର୍ବବୃହତ ଉତ୍ପାଦନକାରୀ ହୋଇଛି । ଜାମନଗରସ୍ଥିତ ଏହାର ବିଶୋଧନାଗାର-ତଥା-ପେଟ୍ରୋରସାୟନ କମ୍ପ୍ଳେକ୍ସ ତଥା ଏହାର ଅନ୍ୟାନ୍ୟ ୟୁନିଟରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ ସମ୍ପ୍ରତି ଦୈନିକ ୧୦୦୦ ମେଟ୍ରିକ ଟନ୍‌ରୁ ଅଧିକ ମେଡିକାଲ ଗ୍ରେଡ ତରଳ ଅମ୍ଳଜାନ ଉତ୍ପାଦନ କରୁଛି । ଯାହା ଭାରତରେ ହେଉଥିବା ମୋଟ ଉତ୍ପାଦନର ୧୧ ପ୍ରତିଶତ । ଏହି ଅନୁସାରେ ଏହା ପ୍ରତି ଦଶ ଜଣରେ ଜଣେ ରୋଗୀଙ୍କର ଅମ୍ଳଜାନ ଆବଶ୍ୟକତା ପୂରଣ କରୁଛି । ଏହି ଅମ୍ଳଜାନ କୋଭିଡ-୧୯ରେ ସଂକ୍ରମିତ ଗୁରୁତର ରୋଗୀଙ୍କ ପାଇଁ ମାଗଣାରେ ଯୋଗାଇ ଦିଆଯାଉଛି ।

ରିଲାଏନ୍ସର ଅଧ୍ୟକ୍ଷ ଏବଂ ପରିଚାଳନା ନିର୍ଦ୍ଦେଶକ ମୁକେଶ ଅମ୍ବାନିଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ରିଲାଏନ୍ସ ପକ୍ଷରୁ ଭାରତରେ ମେଡିକାଲ ଅକ୍ସିଜେନ ଉପଲବ୍ଧ ସ୍ଥିତି ମଜଭୁତ କରିବାକୁ ଜାମନଗରଠାରେ ୨ ସୂତ୍ରୀ ଆଭିମୁଖ୍ୟ କାର୍ଯ୍ୟକାରୀ କରାଯାଉଛି । ପ୍ରଥମତଃ ରିଲାଏନ୍ସର ଜାମନଗର ଏବଂ ଅନ୍ୟାନ୍ୟ ୟୁନିଟରେ ଥିବା ଶିଳ୍ପଭିତିକ ପ୍ରକ୍ରିୟାରେ ମେଡିକାଲ ଗ୍ରେଡ ତରଳ ଅମ୍ଳଜାନ ଉତ୍ପାଦନକୁ ଅଗ୍ରାଧିକାର ଦିଆଯାଉଛି । ଦ୍ୱିତୀୟରେ ଉତ୍ପାଦିତ ଅମ୍ଳଜାନକୁ କରୋନା ପ୍ରଭାବିତ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ସୁରୁଖୁରୁରେ ଓ ନିରାପଦରେ ପଠାଇବାକୁ ବୋଝେଇ ଓ ପରିବହନ ବ୍ୟବସ୍ଥାକୁ ଅଧିକ ସୁସଂହିତ କରାଯାଉଛି । କୋଭିଡ ମହାମାରୀ ପୂର୍ବରୁ ରିଲାଏନ୍ସ ମେଡିକାଲ ଗ୍ରେଡ ତରଳ ଅମ୍ଳଜାନ ଉତ୍ପାଦନ କରୁନଥିଲା । ତେବେ ରିଲାଏନ୍ସର ଇଞ୍ଜିନିୟରମାନେ ଖୁବ କମ ସମୟ ମଧ୍ୟରେ ବିଶୋଧନାଗାର ଏବଂ ପେଟ୍ରୋରସାୟନ ଗ୍ରେଡ ଅମ୍ଳଜାନ ଉତ୍ପାଦନ ଡିଜାଇନକୁ ଅତ୍ୟନ୍ତ ଶୁଦ୍ଧ ମେଡିକାଲ ଗ୍ରେଡ ଅମ୍ଳଜାନରେ ରୂପାନ୍ତରିତ କରିବା ଏବଂ ଉତ୍ପାଦନ ବୃଦ୍ଧି ଘଟାଇବା କାର୍ଯ୍ୟ ସମ୍ପାଦନ କରିଥିଲେ । ମେଡିକାଲ ଗ୍ରେଡ ତରଳ ଅକ୍ସିଜେନକୁ ସାଧାରଣତଃ ତରଳ ଆକାରରେ ବିଯୁକ୍ତ ୧୮୩ ଡିଗ୍ରୀ ସେଲସିୟସ ତାପମାତ୍ରାରେ ପ୍ରସ୍ତୁତ କରାଯାଇଥାଏ ଯାହା ପ୍ରାୟତଃ ୯୯.୫% ଶୁଦ୍ଧ ହୋଇଥାଏ । ସେଥିପାଇଁ ଏହି ଅମ୍ଳଜାନ ଉତ୍ପାଦନ ଏବଂ ଏହାର ପରିମାଣ ବୃଦ୍ଧି କରିବା କ୍ଷେତ୍ରରେ ଅନେକ ଆପଦ ରହିଥାଏ । ରିଲାଏନ୍ସ ସମ୍ପ୍ରତି ତାହାର ମେଡିକାଲ ଗ୍ରେଡ ଅମ୍ଳଜାନ ଉତ୍ପାଦନ ବସ୍ତୁତଃ ଶୂନ୍ୟ ସ୍ତରରୁ ଦିନକୁ ୧୦୦୦ ଟନ୍‌କୁ ଖୁବ କମ ସମୟ ମଧ୍ୟରେ ପହଂଚାଇବା ସହିତ ଉତ୍ପାଦନ ବୃଦ୍ଧି କରାଇ ପାରିଛି । ରିଲାଏନ୍ସ ଇଞ୍ଜିନିୟରମାନେ ଅକ୍ଳାନ୍ତ ଭାବରେ କାର୍ଯ୍ୟକରି ଏବଂ କ୍ରାୟୋଜେନିକ ବାୟୁ ପୃଥକିକରଣ ୟୁନିଟଗୁଡିକକୁ ସର୍ବାଧିକ କାର୍ଯ୍ୟକ୍ଷମ କରାଇ ତଥା ସେଥିରେ ଆବଶ୍ୟକ ପରିବର୍ତନ ଆଣି ଏହା ସମ୍ଭବ କରିପାରିଛନ୍ତି । ସଂପ୍ରତି ରିଲାଏନ୍ସ ଦେଶରେ ଉତ୍ପାଦିତ ମୋଟ ମେଡିକାଲ ଗ୍ରେଡ ତରଳ ଅମ୍ଳଜାନର ୧୧ ପ୍ରତିଶତରୁ ଅଧିକ ଉତ୍ପାଦନ କରୁଛି । ସମଗ୍ର ଦେଶରେ ବିଭିନ୍ନ ରାଜ୍ୟ ସରକାର ଏବଂ କେନ୍ଦ୍ରଶାସିତ ଅଂଚଳଗୁଡିକୁ ଏହି ଅମ୍ଳଜାନ ମାଗଣାରେ ଯୋଗାଇ ଦିଆଯାଉଛି ଏବଂ ଏହା ପ୍ରତିଦିନ ୧ଲକ୍ଷରୁ ଅଧିକ ରୋଗୀଙ୍କୁ ତୁରନ୍ତ ଆଶ୍ୱସ୍ତି ପ୍ରଦାନ କରୁଛି । କେବଳ ଅପ୍ରେଲ୍ ମାସରେ ରିଲାଏନ୍ସ ୧୫୦୦୦ ମେଟ୍ରିକ୍ ଟନ୍ ମେଡିକାଲ ଗ୍ରେଡ ତରଳ ଅମ୍ଳଜାନ ଯୋଗାଇଥିବା ବେଳେ ୨୦୨୦ ମାର୍ଚ୍ଚରେ ମହାମାରୀ ଆରମ୍ଭ ହେବା ଦିନଠାରୁ ଏପର୍ଯ୍ୟନ୍ତ ରିଲାଏନ୍ସ ସମଗ୍ର ଦେଶରେ ୫୫,୦୦୦ ମେଟ୍ରିକ ଟନ୍ ମେଡିକାଲ ଗ୍ରେଡ ତରଳ ଅମ୍ଳଜାନ ଯୋଗାଇ ସାରିଛି ।

ବିଦ୍ୟାଳୟ ରୂପାନ୍ତର ଯୋଜନାରେ କେନ୍ଦୁଝର ଜିଲ୍ଲାର ୧୦୦ ସ୍କୁଲ ସାମିଲ: ଉଦ୍‌ଘାଟନ୍ କଲେ ୫-ଟି ସଚିବ

କେନ୍ଦୁଝର: ସ୍ମାର୍ଟ ସ୍କୁଲ ହେବ ସରକାରୀ ଉଚ୍ଚ ବିଦ୍ୟାଳୟ । ବିଦ୍ୟାଳୟ ରୂପାନ୍ତର ଯୋଜନାରେ ବଦଳିବ ସ୍କୁଲର ରୂପରେଖ । କେନ୍ଦୁଝର ଜିଲ୍ଲାରେ ୧୦୦ଟି ସ୍କୁଲକୁ ସାମିଲ କରାଯାଇଛି । ୫-ଟି ସଚିବ ଭିକେ ପାଣ୍ଡିଆନ ଭିଡିଓ କନଫରେନ୍ସ ଜରିଆରେ ଏହାର ଉଦଘାଟନ କରିଛନ୍ତି । ଏହି ଯୋଜନାରେ ସାମିଲ ହାଇସ୍କୁଲଗୁଡିକରେ ସ୍ମାର୍ଟ କ୍ଲାସରୁମ୍, ଇ- ଲାଇବ୍ରେରୀ , ସାଇନ୍ସ ଲାବୋରଟୋରୀ, ଉନ୍ନତ କ୍ରୀଡା ଭିତ୍ତିଭୂମି ସହ ଅନ୍ୟାନ୍ୟ ସୁବିଧା ଯୋଗାଇଦିଆଯିବ । ଏନେଇ କେନ୍ଦୁଝର ଜିଲ୍ଲାପାଳ ଆଶିଷ ଠାକରେ ଏକ ବୁକଲେଟ୍ ଉନ୍ମୋଚନ କରିଛନ୍ତି । ତେବେ ଯୋଜନାର ଉଦଘାଟନ ଅବସରରେ ଫାଇଭ-ଟି ସଚିବ ଭିଡିଓ କନଫରେନ୍ସି ଜରିଆରେ ବିଭିନ୍ନ ଅଧିକାରୀ , ଶିକ୍ଷକମାନଙ୍କ ସହିତ ଆଲୋଚନା କରିଛନ୍ତି । ଏଥିରେ ବାଂଶପାଳ ବ୍ଲକର ୬ ଟି ସରକାରୀ ହାଇସ୍କୁଲ, ଚମ୍ପୁଆ ବ୍ଲକର ୬ଟି, ଘଷିପୁରା ବ୍ଲକର ୭ଟି, ଘଟଗାଁ ବ୍ଲକର ୭ଟି, ହାଟଡିହି ବ୍ଲକର ୯ଟି, ହରିଚନ୍ଦନପୁର ବ୍ଲକର ୭ଟି, ଝୁମୁରା ବ୍ଲକର ୯ଟି, ଯୋଡା ବ୍ଲକର ୧୩ଟି, କେନ୍ଦୁଝର ସଦର ବ୍ଲକର ୧୨ଟି ସରକାରୀ ହାଇସ୍କୁଲ , ପାଟଣା ବ୍ଲକର ୬ ଟି ସ୍କୁଲ, ତେଲକୋଇ ବ୍ଲକର ୬ଟି ସରକାରୀ ହାଇସ୍କୁଲ ମିଶାଇ ୧୦୦ଟି  ସ୍କୁଲକୁ ସାମିଲ କରାଯାଇଥିବା ଜଣାପଡ଼ିଛି ।

ଏଥିସହିତ ପଢ଼ନ୍ତୁ: କରୋନାରେ ରୋଗୀଙ୍କ ପାଇଁ ଦେବଦୂତ ସାଜିଲେ ମନ୍ତ୍ରୀ ସୁଶାନ୍ତ ସିଂହ

କେନ୍ଦ୍ରକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ; ଦିଲ୍ଲୀକୁ ଯେମିତି ହେଲେବି 490 MT ଅକ୍ସିଜେନ୍ ମିଳୁ

ନୂଆଦିଲ୍ଲୀ: କରୋନା ମହାମାରୀ ସମୟରେ ଦେଶରେ ଜାରି ରହିଛି ଅକ୍ସିଜେନ୍ ସଙ୍କଟ । ଏନେଇ ହାଇକୋର୍ଟରେ ଶୁଣାଣି ଜାରି ରହିଛି । ଏହା ମଧ୍ୟରେ ଅକ୍ସିଜେନ୍ ଅଭାବରୁ ଦିଲ୍ଲୀର ବତ୍ରା ହସ୍ପିଟାଲରେ ପ୍ରାୟ ୮ ଜଣ ରୋଗୀଙ୍କ ମୃତ୍ୟୁ ଘଟିଛି । ଯେଉଁଥିରେ ଜଣେ ଡାକ୍ତର ମଧ୍ୟ ସାମିଲ ରହିଛନ୍ତି ।

ସୂଚନା ଅନୁଯାୟୀ ବାତ୍ରା ହସ୍ପିଟାଲରେ ଅକ୍ସିଜେନ୍ ପହଞ୍ଚିବା ପୂର୍ବରୁ ଏଭଳି ହୃଦୟ ବିଦାରକ ଘଟଣା ଘଟିଯାଇଥିଲା। ହସ୍ପିଟାଲ୍ ପକ୍ଷରୁ ଜାରି ବୟାନ୍ ଅନୁଯାୟୀ, ‘‘ଆମକୁ ସମୟରେ ଅକ୍ସିଜେନ୍ ମିଳନଥିଲା । ଦ୍ୱିପ୍ରହର ୧୨ଟା ବେଳକୁ ଅକ୍ସିଜେନ୍ ସରି ଆସିଥିବା ବେଳେ ଆମକୁ ଦେଢ ଘଣ୍ଟା ବିଳମ୍ବରେ ଅକ୍ସିଜେନ୍ ଦିଆଯାଇଥିଲା । ସମୟରେ ଅକ୍ସିଜେନ୍ ନମିଳିବାରୁ ଅନେକ ମୂଲ୍ୟବାନ ଜୀବନ ଶେଷ ହୋଇଯାଇଛି’’ ।

ତେବେ ଏନେଇ ହାଇକୋର୍ଟରେ ଶୁଣାଣି ବେଳେ ବାତ୍ରା ହସ୍ପିଟାଲ ପକ୍ଷରୁ କୁହାଯାଇଥିଲା ଯେ ମେଡିକାଲ ପାଖରେ କେବଳ ୧ ଘଣ୍ଟା ପାଇଁ ଅକ୍ସିଜେନ୍ ରହିଛି । ପ୍ରତିଦିନ କିଛି କିଛି ଘଣ୍ଟା ସଙ୍କଟରେ ବିତୁଛି ।

ଏହି ପୂରା ଘଟଣାକୁ ନେଇ ଦିଲ୍ଲୀ ସରକାର କୋର୍ଟକୁ କହିଛନ୍ତି ଯେ ଦିଲ୍ଲୀରେ ଅକ୍ସିଜେନ୍ ଟ୍ୟାଙ୍କରକୁ ପ୍ରାଥମିକତା ଦିଆଯାଉନାହିଁ । ଯେଉଁଥିପାଇଁ ପ୍ରତିଦିନ ସଂଘର୍ଷ କରିବାକୁ ପଡୁଛି । ଏହା ମଧ୍ୟରେ ବିରାଟ ଗୁପ୍ତା ନାମକ ଜଣେ ବ୍ୟକ୍ତି କହିଛନ୍ତି ଯେ ୧୨ ରାଜନୈତିକ ଦଳ ଅକ୍ସିଜେନର କଳାବଜାରୀରେ ଲାଗିଛନ୍ତି ।

ଯାହା ପରେ ହାଇକୋର୍ଟ କହିଛନ୍ତି, ‘‘ଯାହା ବି ହେଇଯାଉ ଆଜି 490MT ଅକ୍ସିଜେନ୍ ପହଞ୍ଚିବା ଦରକାର । ଯଦି ନିର୍ଦ୍ଦେଶ ପାଳନ ନହୁଏ ତାହେଲେ ଏହାକୁ ଅଦାଲତ ଅବମାନନା ବୋଲି ବିଚାର କରାଯିବ । ନିର୍ଦ୍ଦେଶ କାର୍ଯ୍ୟକାରୀ ନହେଲେ DPIIT  ସଚିବଙ୍କୁ ଆଗାମୀ ଶୁଣାଣିରେ କୋର୍ଟରେ ହାଜର ହେବାକୁ ପଡିବ ।

ଭାରତରେ ପହଞ୍ଚିଲା ଋଷ ଟିକା ସ୍ପୁଟନିକ୍-ଭି: ଜରୁରୀକାଳୀନ ବ୍ୟବହାରକୁ ମିଳିଛି ଅନୁମତି

ହାଇଦ୍ରାବାଦ: ଆଜି ଭାରତରେ ପହଁଞ୍ଚିଲା ସ୍ପୁଟନିକ୍‌-ଭି ଟିକା । ଋଷରୁ ସ୍ବତନ୍ତ୍ର ବିମାନ ଯୋଗେ ହାଇଦ୍ରାବାଦରେ ଟିକା ଆସି ପହଞ୍ଚିଛି । ପ୍ରଥମ ପର୍ଯ୍ୟାୟରେ ୨ଲକ୍ଷ ଟିକା ଭାରତରେ ପହଞ୍ଚିଛି । ଋଷିଆ ପ୍ରସ୍ତୁତ ଏହି ଟିକାର ବ୍ୟବହାର ପାଇଁ ଭାରତ ସହ ପୂର୍ବରୁ ଚୁକ୍ତି ବଦ୍ଧ ହୋଇଥିଲା । ଭାରତରେ ଏହାର ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ମିଳିଥିଲେ ମଧ୍ୟ ଡକ୍ଟର ରେଡ୍ଡୀ ଲ୍ୟାବ ଏହି ଟିକାର ପରୀକ୍ଷଣ କରିବ । ସାରା ଦେଶରେ ଟିକାର ଅଭାବ ଦେଖାଦେଇଥିବା ବେଳେ ସ୍ପୁଟ୍‌ନିକ୍‌ ଭି ଟିକା ସମସ୍ୟାର ସମାଧାନ କରିବ ବୋଲି ଆଶା କରାଯାଉଛି । ଏଥିସହ ଆଜିଠୁ ତୃତୀୟ ପର୍ଯ୍ୟାୟ ଟିକାକରଣ ଆରମ୍ଭ ହେଉଥିବା ବେଳେ ସ୍ପୁଟ୍‌ନିକ୍ ଭି ଟିକା ବ୍ୟବହାର ଖୁବଶୀଘ୍ର ବ୍ୟବହାର କରାଯିବ ।

ଏଥିସହିତ ପଢ଼ନ୍ତୁ: ଟିକାକରଣ ନେଇ ଆଜି ସନ୍ଧ୍ୟାରୁ କୋଓ୍ୱିନ୍ ପୋର୍ଟାଲ ମାଧ୍ୟମରେ ସ୍ଲଟ୍ ବୁକ୍ କରିପାରିବେ

ବିମାନ ଯାତ୍ରା ଉପରେ ପ୍ରତିବନ୍ଧକ ଲଗାଇଲା ଆମେରିକା

ନୂଆଦିଲ୍ଲୀ: ଭାରତରୁ ବିମାନ ଯାତ୍ରା ଉପରେ ପ୍ରତିବନ୍ଧକ ଲଗାଇଲା ଆମେରିକା। ମଙ୍ଗଳବାର ମଧ୍ୟରାତ୍ରିରୁ ତଥା ମେ ମାସ ୪ ତାରିଖରୁ ଭାରତରୁ ଅଣ ଆମେରିକୀୟ ନାଗରିକଙ୍କ ଯାତ୍ରା ଉପରେ କଟକଣା ଲଗାଇଛନ୍ତି ବାଇଡେନ ସରକାର। ଭାରତରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ବିମାନ ଯାତ୍ରା ଉପରେ କଟକଣା ଲଗାଇଛି ଆମେରିକା ।

ଶୁକ୍ରବାର ହ୍ବାଇଟ୍ ହାଉସ୍ ପକ୍ଷରୁ ଏ ନେଇ ସୂଚନା ଦିଆଯାଇଛି । ଭାରତରେ ଲଗାତାର କରେନା ସଂକ୍ରମିତଙ୍କ ସଂଖ୍ୟା ବଢୁଛି । ଦୈନିକ ସଂକ୍ରମଣ ୪ ଲକ୍ଷ ପାର୍ କରିଥିବା ବେଳେ ଏହାକୁ ଦୃଷ୍ଟିରେ ରଖି ବିମାନ ଯାତ୍ରାରେ ସାମୟିକ ଭାବେ ପ୍ରତିବନ୍ଧକ ଲଗାଇଛି ଆମେରିକା ।

ସୂଚନା ଅନୁଯାୟୀ, ଭାରତରେ ଥିବା ଆମେରିକୀୟ ନାଗରିକମାନେ ଯାଇପାରିବେ । ତେବେ ଛାତ୍ର, ସାମ୍ବାଦିକ ଓ ବିଭିନ୍ନ ଏକାଡେମି ପାଇଁ ପ୍ରତିବନ୍ଧକରେ କିଛିଟା କୋହଳ କରାଯାଇଛି ।

ଅଧିକ ପଢନ୍ତୁ-  ଦେଶରେ ସଂକ୍ରମଣ ଭାଙ୍ଗିଲା ସବୁ ରେକର୍ଡ, ଦିନକରେ ୪ ଲକ୍ଷରୁ ଅଧିକ ପଜିଟିଭ୍ ଚିହ୍ନଟ

କାଲିଫର୍ଣ୍ଣିଆରୁ ଦିଲ୍ଲୀରେ ପହଞ୍ଚିବ ସାହାଯ୍ୟ, ପ୍ରତ୍ୟେକ ଅମ୍ଳଜାନ ସିଲିଣ୍ଡରରେ ‘ଜୟ ହିନ୍ଦ’ ଲେଖି ପଠାଉଛି ଆମେରିକା

ନୂଆଦିଲ୍ଲୀ: କରୋନାର ଦ୍ୱିତୀୟ ଲହର ଭାରତରେ କରାଳ ରୂପ ଦେଖାଉଛି। ଦୈନିକ ଲକ୍ଷାଧିକ କରୋନା ସଂକ୍ରମିତ ଚିହ୍ନଟ ହେଉଥିବାବେଳେ ଡାକ୍ତରଖାନାରେ ବେଡ୍ ଓ ଅମ୍ଳଜାନ ଅଭାବରୁ ପ୍ରତ୍ୟେକ ଦିନ ହଜାର ହଜାର ରୋଗୀ ପ୍ରାଣ ହରାଉଛନ୍ତି। ଭାରତର ଏଭଳି ସଙ୍କଟ ସମୟରେ ଅନେକ ଦେଶ ସାହାଯ୍ୟର ହାତ ବଢ଼ାଇଛନ୍ତି।

ବିଶ୍ଵର ୪୦ ଟି ଦେଶ ଭାରତକୁ ସାହାଯ୍ୟ ପଠାଉଛନ୍ତି। ତେବେ ବର୍ତ୍ତମାନ କାଲିଫର୍ନିଆର ଟ୍ରାଭିସ୍ ବାୟୁସେନା ବେସରେ ଆମେରିକାର ବାୟୁସେନା କର୍ମଚାରୀମାନେ ଏକ C-5M ସୁପର ଗାଲାକ୍ସି ବିମାନରେ ଭାରତ ପାଇଁ କୋରୋନାର ଚିକିତ୍ସା ସାମଗ୍ରୀ ଲୋଡ୍ କରୁଛନ୍ତି। ଏହି ଜିନିଷଗୁଡ଼ିକରେ ୪୪୦ ଅମ୍ଳଜାନ ସିଲିଣ୍ଡର ଓ ରେଗୁଲଟର, ୧୦ ଲକ୍ଷ N-95 ମାସ୍କ ଏବଂ ୧୦ ଲକ୍ଷ ରାପିଡ୍ ଟେଷ୍ଟିଂ ପ୍ରଭୃତି ରହିଛି। ରୋଚକ କଥା ହେଉଛି ଆମେରିକାରୁ ପଠାଯାଉଥିବା ପ୍ରତ୍ୟେକ ଅମ୍ଳଜାନ ସିଲିଣ୍ଡରରେ ‘ଜୟ ହିନ୍ଦ’ ଷ୍ଟିକର।

ଆମେରିକା ଦ୍ଵାରା ଭାରତକୁ ପଠାଯାଉଥିବା ସାହାଯ୍ୟର ଏହା ହେଉଛି ପ୍ରଥମ ଫେଜ। ଏହି ବିମାନ ଆଜି ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିବ। ଏହା ପରେ, ଆଗାମୀ ଦିନରେ ମଧ୍ୟ, ଆମେରିକାରୁ ଅନ୍ୟାନ୍ୟ ସାମଗ୍ରୀ ଗୋଟିଏ ପରେ ଗୋଟିଏ ପହଞ୍ଚିଯିବ। ଏହି ଯୋଗାଣ ଭାରତର ସ୍ୱାସ୍ଥ୍ୟ ଏବଂ ଫ୍ରଣ୍ଟଲାଇନ କର୍ମଚାରୀମାନଙ୍କୁ କରୋନା ବିରୁଦ୍ଧ ଲଢେଇରେ ସାହାଯ୍ୟ କରିବ।

ହ୍ୱାଇଟ୍ ହାଉସରୁ ମିଳିଥିବା ସୂଚନା ଅନୁଯାୟୀ, ଆଗାମୀ ଦିନରେ ଆମେରିକା ୧୧ ଶହ ଅମ୍ଳଜାନ ସିଲିଣ୍ଡର, ୧୭ ଶହ କନ୍ସେଣ୍ଟ୍ରେଟର, ଅମ୍ଳଜାନ ଉତ୍ପାଦନ ୟୁନିଟ୍, ୧.୫ କୋଟି N-95 ମାସ୍କ, କୋଭିଶିଲ୍ଡ୍ ଟିକା ପାଇଁ କଞ୍ଚାମାଲ ଏବଂ ୨୦ ହଜାର ରେମେଡିସଭୀର ଇଞ୍ଜେକ୍ସନ ଭାରତକୁ ପଠାଇବ।

ତେବେ କେବଳ ଆମେରିକା ନୁହେଁ ବ୍ରିଟେନ, ଫ୍ରାନ୍ସ, ଜର୍ମାନୀ, ଚୀନ, ଅଷ୍ଟ୍ରେଲଆ ସମେତ ବିଶ୍ଵର ୪୦ଟି ଦେଶ ଭାରତକୁ ସହାୟତା ପଠାଉଛନ୍ତି। ଫଳରେ ଆଗାମୀ ଦିନରେ ପାଖାପାଖି ୫ ଶହ ଅମ୍ଳଜାନ ଉତ୍ପାଦନକାରୀ ଉଦ୍ଭିଦ, ୪ ହଜାର କନ୍ସେଣ୍ଟ୍ରେଟର, ଦଶ ହଜାର ସିଲିଣ୍ଡର ପହଞ୍ଚିବ।