ଲୁଡୁ ଖେଳରେ ଜିତିବା ପାଇଁ ଭାଗ୍ୟ ନା କୌଶଳ ଅଧିକ ସହାୟକ

ମୁମ୍ୱାଇ: ଆପଣ ଅନ୍‌ଲାଇନ୍‌ରେ ଲୁଡୁ ଖେଳିଛନ୍ତି କି? ଯଦି ଖେଳିଛନ୍ତି ତେବେ ଆପଣ ହାରିଥିବେ କିମ୍ୱା ଜିତିଥିବେ । ଆପଣ ଯଦି ଲୁଡୁ ଖେଳରେ ଜିତିଛନ୍ତି ତେବେ ଜିତବାର କାରଣ କ’ଣ? ବାଇ ଲକ୍ ନା ବାଇ ସ୍କିଲ୍ । ଲୁଡୁ ଖେଳରେ ଜିତିବା ପାଇଁ ଭାଗ୍ୟ ଅଧିକ ସହାୟକ ନା କୌଶଳ । ଏ ସମ୍ପର୍କିତ ଦାୟର ଏକ ପିଟିସନର ଶୁଣାଣି କରିବେ ବମ୍ୱେ ହାଇକୋର୍ଟ ।

ଗତ କିଛି ଦିନ ତଳେ ମହାରାଷ୍ଟ୍ର ନବ ନିର୍ମାଣ ସେନାର କେଶବ ମୁଲେ କିଛି ପିଲାଙ୍କୁ ମୋଇବାଲରେ ଖେଳୁଥିବା ଦେଖିବାକୁ ପାଇଥିଲେ । ସେ ପାଖକୁ ଯାଇ ସେମାନଙ୍କ ସହ କଥା ହୋଇଥିଲେ । ଏବଂ ସେ ଜାଣିବାକୁ ପାଇଥିଲେ ଯେ, ସେମାନେ ଏକ ଅନ୍‌ଲାଇନ୍‌ ଆପ୍ ମାଧ୍ୟମରେ ଲୁଡୁ ଖେଳୁଛନ୍ତି । ତେବେ ଆଶ୍ଚର୍ଯ୍ୟ କଥା ଯେ, ଅନ୍‌ଲାଇନ୍‌ରେ ଲୁଡୁ ଖେଳୁଥିବା ଛୋଟ ପିଲାମାନେ ଏଥିରେ  ଟଙ୍କା ମଧ୍ୟ ଲଗାଇଥିଲେ । ଅର୍ଥାତ ସେମାନେ ଲୁଡୁ ଖେଳିବା ପାଇଁ ବ୍ୟବହାର କରୁଥିବା ଆପ୍‌ରେ ଏକ ଏଣ୍ଟ୍ରି ଫି’ ଦେଇଥିଲେ । ଏବଂ ଯିଏ ବିଜେତା ହେଉଥିଲା ସେ ସମସ୍ତ ଅଂଶଦାରୀ ଦାଖଲ କରିଥିବା ଟଙ୍କା ପାଉଥିଲା । ଆବଶ୍ୟ ଏଥିରୁ କିଛି ଟଙ୍କା ଆପ୍ ପକ୍ଷରୁ କମିଶନ ବାବଦରେ ମଧ୍ୟ କଟାଯାଉଥିଲା । କିନ୍ତୁ ଏହା ମହାରାଷ୍ଟ୍ର ପ୍ରିଭେନ୍ସନ୍ ଅଫ୍ ଗେମ୍ୱଲିଂ ଆକ୍ଟ ୧୮୮୭ ଉଲ୍ଲଂଘନ । ଏଣୁ କେଶବ ଏ ନେଇ ନିକଟସ୍ଥ ଥାନାରେ ଏତଲା ଦେଇଥିଲେ । କିନ୍ତୁ ଥାନା କର୍ତ୍ତୃପକ୍ଷ ଏହାକୁ ଗ୍ରହଣ ନ କରିବାରୁ ପରେ ମେଟ୍ରୋ ପଲିଟାନ୍ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଯେଉଁଥିରେ ଆବେଦନକାରୀ କେବଶ ମୁଲେ ଏହାକୁ ଗେମ୍ ଅଫ୍ ଚାନ୍ସ ବା ଭାଗ୍ୟର ଖେଳ ବୋଲି ବିବେଚିତ କରିବାକୁ ଉଲ୍ଲେଖ କରିଛନ୍ତି । କିନ୍ତ ମାନ୍ୟବର କୋର୍ଟ ଏହାକୁ ଗେମ୍ ଅଫ୍ ସ୍କିଲ୍ ବା ଏହାକୁ କୌଶଳର ଖେଳ ବୋଲି କହିବା ସହ ଆବେଦନକୁ ଖାରଜ କରିଦେଇଥିଲେ । ଏଥିରେ କିନ୍ତୁ ଆବେଦନକାରୀ ସନ୍ତୁଷ୍ଟ ହୋଇନଥିଲେ ଏବଂ ବମ୍ୱେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ।

ଆବେଦନକାରୀ କେଶବଙ୍କ ଯୁକ୍ତି ହେଉଛି ଯେ, ଲୁଡୁରେ କୌଶଳ ଅପେକ୍ଷା ଭାଗ୍ୟର ଅଧିକ ଆବଶ୍ୟକତା ପଡ଼ିଥାଏ । ଗୋଟି ଚଳାଇବା ବେଳେ ଏଥିରେ କେଉଁ ସଂଖ୍ୟା ଆସିବ ଏହା ଭାଗ୍ୟ ଉପରେ ନିର୍ଭର କରେ । ଏହାକୁ ୩ ବର୍ଷ ଛୁଆ ମଧ୍ୟ ଭାଗ୍ୟ ବଳରେ ଜିତିପାରିବ । ଏଣୁ ଏହାକୁ ଗେମ୍ ଅଫ୍ ଲକ୍ ଭାବେ ଘୋଷିତ କରିବା ସହ ଏଭଳି ଆପ୍‌କୁ ବେଆଇନ୍ ଘୋଷଣା କରିବାକୁ ପ୍ରାର୍ଥନା କରିଛନ୍ତି । ତେବେ ବମ୍ୱେ ହାଇକୋର୍ଟ ଏହି ମାମଲାକୁ ଗ୍ରହଣ କରିବା ସହ ଶୁଣାଣି ନେଇ ଦିନ ଧାର୍ଯ୍ୟ କରିଛନ୍ତି ।

ତେବେ ଏହାକୁ ନେଇ ସୋସିଆଲ୍ ମିଡିଆରେ ମଧ୍ୟ ପ୍ରତିକ୍ରିୟା ପ୍ରକାଶ ପାଇଛି । ୪.୬୪ ଲକ୍ଷ ମାମଲା ହାଇକୋର୍ଟରେ ଲମ୍ୱିତ ଥିବା ବେଳେ ଏଭଳି ମାମଲାର ଶୁଣାଣିକୁ କଟାକ୍ଷ କରିଛନ୍ତି ନେଟିଜନ୍ ।

Leave a Reply