ଧାନର ଏମ୍ଏସ୍‌ପି ବୃଦ୍ଧି ନେଇ ନାହିଁ ଆନ୍ତରିକତା: ପୁଣି ଥରେ କେନ୍ଦ୍ରକୁ ଚିଠି ଲେଖିଲେ କୃଷି ମନ୍ତ୍ରୀ

1 min read

ଭୁବନେଶ୍ୱର: କେନ୍ଦ୍ର ନିଷ୍ପତ୍ତିରେ ରାଜ୍ୟ ଖପ୍ପା । ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୭୨ ଟଙ୍କା ବୃଦ୍ଧିକୁ ତୀବ୍ର ସମାଲୋଚନା କରିଛନ୍ତି କୃଷିମନ୍ତ୍ରୀ ଅରୁଣ ସାହୁ । ଉତ୍ପାଦନ ଖର୍ଚ୍ଚ ବୃଦ୍ଧି ସାଙ୍ଗକୁ ଅନ୍ୟ କ୍ଷେତ୍ରରେ ରୋଜଗାରକୁ ତୁଳନା କଲେ ଚାଷୀ ହତାଶ ହେଉଛନ୍ତି । ବାରମ୍ବାର କେନ୍ଦ୍ରକୁ ଚିଠି ଲେଖାଯିବା ପରେ ବି ସୁଫଳ ମିଳୁନି । ଏଭଳି ଚାଲିଲେ ୨୦୨୨ ସୁଦ୍ଧା ଚାଷୀଙ୍କ ଆୟ ଦୁଇଗୁଣା ଲକ୍ଷ୍ୟ କିପରି ପୂରଣ ହୋଇପାରିବ ବୋଲି ମନ୍ତ୍ରୀ ପ୍ରଶ୍ନ କରିଛନ୍ତି । ଧାନର ଏମ୍‌ଏସ୍‌ପି ୨୯ ଶହ ୩୦ଟଙ୍କା କରିବାକୁ ପୁଣି ଥରେ କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାରଙ୍କୁ ଚିଠି ଲେଖିଛନ୍ତି ରାଜ୍ୟ କୃଷିମନ୍ତ୍ରୀ  ।

ରାଜ୍ୟର କୃଷକ ମାନଙ୍କ ମଧ୍ୟରୁ ଏକ ବୃହତ ସଂଖ୍ୟା କ୍ଷୁଦ୍ର ଓ ନାମମାତ୍ର ଚାଷୀ । ଫି ବର୍ଷ ବାତ୍ୟା ବନ୍ୟା ଯୋଗୁଁ କ୍ଷତି ମଧ୍ୟ ସହୁଛନ୍ତି । ଗତ କୋଡିଏ ବର୍ଷ ମଧ୍ୟରେ ସାତଥର ବାତ୍ୟା, ଅନେକଥର ବନ୍ୟା, ମରୁଡି ଓ ରୋଗପୋକ ସମସ୍ୟାର ସାମ୍‌ନା କରିଛନ୍ତି ଚାଷୀ । ଏହାଦ୍ୱାରା ଧାନର ଉତ୍ପାଦନ ଖର୍ଚ୍ଚ ବଢିଛି । ଏବେ କ୍ୱିଣ୍ଟାଲ ପିଛା ୨୩୪୪ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ରାଜ୍ୟ ସରକାର ଏମ୍‌ଏସ୍‌ପି ୨୯୩୦ଟଙ୍କା କରିବାକୁ ଦାବି କରିଛନ୍ତି । ବିଧାନସଭାରେ ଦୁଇ ଦୁଇ ଥର ସର୍ବସମ୍ମତ ପ୍ରସ୍ତାବ ପାରିତ ପରେ ଏନେଇ ବାରମ୍ବାର ଚିଠି ଲେଖାଗଲାଣି । ହେଲେ କେନ୍ଦ୍ର ସରକାର ଶୁଣୁନାହାନ୍ତି । ଏମ୍‌ଏସ୍‌ପି ନ ବଢିଲେ, ୨୦୨୨ ସୁଦ୍ଧା ଚାଷୀଙ୍କ ଆୟ ଦୁଇଗୁଣା କରିବାକୁ କେନ୍ଦ୍ର ସରକାରଙ୍କ ଟାର୍ଗେଟ କେମିତି ପୂରଣ ହେବ ବୋଲି କୃଷି ମନ୍ତ୍ରୀ ଅରୁଣ ସାହୁ ପ୍ରଶ୍ନ ଉଠାଇଛନ୍ତି ।

ପ୍ରତିବର୍ଷ ବଢିଚାଲିଛି ଧାନ ସଂଗ୍ରହର ଆକାର । ୨୦୧୯-୨୦ରେ ୧୨ ହଜାର ୮୭ କୋଟି ଟଙ୍କାର ୭୦ଲକ୍ଷ ୫୬ହଜାର ମେଟ୍ରିକ ଟନ ଧାନ ସଂଗ୍ରହ ହୋଇଥିଲା । ସେହିଭଳି ୨୦୨୦-୨୧ରେ ୧୩ହଜାର ୫୧୪କୋଟି ଟଙ୍କାର ୭୨ଲକ୍ଷ ୩୫ହଜାର ମେଟ୍ରିକ ଟନ ଧାନ ସଂଗ୍ରହ କରାଯାଇଛି । ଏବେ ରବି ଧାନ ସଂଗ୍ରହ ଚାଲିଛି । ଏବେ ଧାନର ଏମ୍‌ଏସ୍‌ପି ମାତ୍ର ୭୨ଟଙ୍କା ବୃଦ୍ଧି ଚାଷୀଙ୍କୁ କିଛି ସାହଯ୍ୟ କରିବ ନାହିଁ ବୋଲି କୃଷି ମନ୍ତ୍ରୀ କହିଛନ୍ତି । ତେଣୁ ଧାନର ଏମ୍‌ଏସ୍‌ପି ବୃଦ୍ଧିର ଆବଶ୍ୟକତା ଉଲ୍ଲେଖ କରି ପୁଣି କେନ୍ଦ୍ର କୃଷି ମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ବିଭାଗୀୟ ମନ୍ତ୍ରୀ । ଗତ ୯ ତାରିଖରେ କେନ୍ଦ୍ର ସରକାର ଧାନ ସମେତ ଅନ୍ୟ ଶସ୍ୟର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କରିଛନ୍ତି । ଧାନର ଏମ୍‌ଏସ୍‌ପି ୧୮୬୮ରୁ ୧୯୪୦ ଟଙ୍କା ହୋଇଥିବା ବେଳେ ଗ୍ରେଡ-ଏ ଧାନର ଏମ୍‌ଏସ୍‌ପି ୧୯୬୦କୁ ବୃଦ୍ଧି ହୋଇଛି । ଏହାକୁ ନେଇ ରାଜନୀତି ସରଗରମ ହୋଇଛି ।

Leave a Reply