ଦିଗପହଣ୍ଡି: ନିଜ ଚେଷ୍ଟାରେ ଗାଁକୁ ପାଣି ଆଣିଲେ ଗ୍ରାମବାସୀ । ପାହାଡ଼ ଉପରୁ ପାଇପ ପକାଇ ଘର ଦୁଆରେ ପାଣି ପାଉଛନ୍ତି ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଳକ ଝରଣ ଗାଁର ଲୋକ । ପ୍ରତ୍ୟେକ ଲୋକ ଟଙ୍କା ଖର୍ଚ୍ଚ କରି ନିଆରା ପ୍ରୟାସ କରିଛନ୍ତି । ଗାଁରେ ବର୍ଷ ବର୍ଷ ଧରି ପାନୀୟଜଳ ସମସ୍ୟା ଲାଗି ରହିଥିବା ବେଳେ ନିଜ ପ୍ରଚେଷ୍ଟାରେ ଏବେ ସମସ୍ୟାର ସମାଧାନ କରିଛନ୍ତି ଗ୍ରାମବାସୀ । ନିଜେ କଲେ ନିଜ ସମସ୍ୟାର ସମାଧାନ । ଶୁଣିଲାନି ପ୍ରଶାସନ, ଅଣ୍ଟା ଭିଡିଲେ ଗ୍ରାମବାସୀ । ଦୁଆରେ ପହଞ୍ଚିଲା ଝରଣା ପାଣି । ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ଝରଣ ଗାଁରେ ପିଇବା ପାଣିର ସମସ୍ୟା ବର୍ଷବର୍ଷ ଧରି ଲାଗି ରହିଥିଲା । ପ୍ରଶାସନ ପାଖରେ ବାରମ୍ବାର ଗୁହାରି ପରେ ବି ହେଉନଥିଲା ସମାଧାନ । ଶେଷରେ ନିଜେ ପ୍ରୟାସ କଲେ ଗ୍ରାମବାସୀ । ପାହାଡ ଉପରୁ ପାଇପ ପକାଇ ଗାଁକୁ ଝରଣା ପାଣି ଆଣିଛନ୍ତି । ବିନା ପମ୍ପ ଓ ବିଦ୍ୟୁତରେ ଗାଁକୁ ପାଣି ଆସୁଛି । ଏଥିପାଇଁ ପାହାଡ ଉପରେ ନିର୍ମାଣ ହୋଇଛି ତିନିଟି କୁଣ୍ଡ । ପାହାଡ ଉପରୁ ପାଣି ଆସି ଟାଙ୍କିରେ ରହି ଲୋକଙ୍କୁ ପାଖରେ ସବୁ ସମୟରେ ଉପଲବ୍ଧ ହେଉଛି । ଉଦ୍ୟମ ବଳରେ ଏଭଳି ସଫଳତା ପାଇଛନ୍ତି ଗାଁ ଲୋକ । ଯାହାକି ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିଛି ।
ବୈତରଣୀ ନଦୀ ପଠାରୁ ହଳଦିଆ ରଙ୍ଗର କଇଁଛ ଉଦ୍ଧାର
ଭଦ୍ରକ: ବୈତରଣୀ ନଦୀପଠାରୁ ହଳଦିଆ ରଙ୍ଗର କଇଁଛ ଉଦ୍ଧାର । ଭଦ୍ରକ ଜିଲ୍ଲା ଓରାସାହି ପଞ୍ଚାୟତ କସ୍ତୁରୀକଣ ଗାଁର ବୈତରଣୀ ନଦୀ ପାଖ ରାସ୍ତାରେ କଇଁଛଟିକୁ ଉଦ୍ଧାର କରାଯାଇଛି । ସେହି ଅଞ୍ଚଳର ଜଣେ ଯୁବକ ରାତିରେ ଘରକୁ ଫେରୁଥିବା ସମୟରେ କଇଁଛଟିକୁ ଧରିଥିଲେ । କଇଁଛଟିର ଓଜନ 2 କିଲୋରୁ ଅଧିକ ହେବ ବୋଲି ଅନୁମାନ କରାଯାଉଛି । ଏହି ବିରଳ କଇଁଛ ବାତ୍ୟା ୟାସ ଯୋଗୁ ସମୁଦ୍ରରୁ ନଦୀକୁ ଚାଲିଆସିଥିବା ଅନୁମାନ କରାଯାଉଛି । ତେବେ କଇଁଛଟିକୁ ପୁଣି ନଦୀରେ ଛାଡ଼ି ଦିଆଯାଇଛି ।

ଏଥିସହିତ ପଢ଼ନ୍ତୁ: ୨୪ ଘଣ୍ଟାରେ ଆଉ ୨ହଜାର ୯୫୭ ସଂକ୍ରମିତ ଚିହ୍ନଟ
ସର୍ଚ୍ଚ ଅପରେସନ୍ ବେଳେ ୨ ଟିଫିନ୍ ବୋମା ଜବତ କଲେ ଯବାନ
ମାଲକାନଗିରି: ସ୍ୱାଭିମାନ ଅଞ୍ଚଳରେ ବିଏସଏଫ ଓ ଏସଓଜିର ସର୍ଚ୍ଚ ଅପରେସନ । ସର୍ଚ୍ଚ ଅପରେସନ ବେଳେ ୨ଟି ଟିଫିନ ବୋମା ଉଦ୍ଧାର କରିଛନ୍ତି ଯବାନ । ସ୍ୱାଭିମାନ ଅଞ୍ଚଳର କେନ୍ଦୁଗୁଡା ଗାଁରୁ ଏହି ଟଫିନ୍ ବୋମା ଉଦ୍ଧାର କରାଯାଇଥିବା ବେଳେ, ଏହାର ଓଜନ ୨.୫ କେଜି ଥିବା ଜଣାପଡ଼ିଛି । ଯବାନ ମାନେ କମ୍ବିଂ କରୁଥିବା ସମୟରେ ଯାଜପଲମ କେନ୍ଦୁଗୁଡା ରାସ୍ତାରେ ଏହି ଟିଫିନ ବୋମା ପୋତା ଯାଇଥିଲା । ଯାହାକୁ ଯବାନ ମାନେ ଉଦ୍ଧାର କରିଥିଲେ । ବୋମା ଦୁଇଟିକୁ ଉଦ୍ଧାର ପରେ ଜଙ୍ଗଲରେ ନିଷ୍କ୍ରିୟ କରିଛନ୍ତି ଯବାନ । ଏହି ବୋମା ମାଓବାଦୀଙ୍କ ଦ୍ଵାରା ଲଗାଯାଇଥିବା ଅନୁମାନ କରାଯାଉଛି । ଏବଂ ସମ୍ପୃକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି ।
ଏଥିସହିତ ପଢ଼ନ୍ତୁ:୨୪ ଘଣ୍ଟାରେ ଆଉ ୨ହଜାର ୯୫୭ ସଂକ୍ରମିତ ଚିହ୍ନଟ
ଦେଶରେ ୪୨ ହଜାର ୬୪୦ କରୋନା ପଜିଟିଭ୍ ଚିହ୍ନଟ
ନୂଆଦିଲ୍ଲୀ: ଦେଶରେ ଧୀରେ ଧୀରେ ନିୟନ୍ତ୍ରଣକୁ ଆସୁଛି କରୋନା ସଂକ୍ରମଣ । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୪୨ହଜାର ୬୪୦ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ହଜାରେ ୧୬୭ଜଣଙ୍କ ଜୀବନ ନେଇଛି ମହାମାରୀ । ଗତ ୯୧ ଦିନରେ ୫୦ହଜାରରୁ କମ୍ ମାମଲା ଆସିଥିବା ଦେଖିବାକୁ ମିଳିଛି । ସେହିପରି ଆକ୍ଟିଭ୍ କେସ୍ ରହିଛି ୬ ଲକ୍ଷ ୬୨ ହଜାର ୫୨୧ ।
ବର୍ତ୍ତମାନ ସୁଦ୍ଧା ସାରା ଦେଶରେ ୨ କୋଟି ୮୯ ଲକ୍ଷ ୨୬ ହଜାର ୩୮ଜଣ ଆକ୍ରନ୍ତ ସୁସ୍ଥ ହୋଇସାରିଥିବା ବେଳେ ଗତ ୨୪ ଘଣ୍ଟାରେ ୮୧ହଜାର ୮୪୯ ଜଣ ସୁସ୍ଥ ହୋଇଛନ୍ତି । ଦେଶରେ ଆରୋଗ୍ୟ ହାର ୯୬.୪୯% କୁ ବୃଦ୍ଧି ପାଇଛି । ଦେଶରେ ମୋଟ ଟିକାକରଣ ୨୮କୋଟି ୮୭ଲକ୍ଷ ୬୬ହଜାର ୨୦୧ ହୋଇଛି ।
ଦେଶରେ ଲଗାତାର ୪୦ ଦିନ ହେବ କରୋନା ସଂକ୍ରମଣର ନୂଆ ମାମଲା ଅପେକ୍ଷା ଅଧିକ ସୁସ୍ଥତା ହାର ବୃଦ୍ଧି ପାଇଛି । ଜୁନ୍ ୨୧ ପର୍ଯ୍ୟନ୍ତ ସାରା ଦେଶରେ ୨୮ କୋଟି ୮୭ ଲକ୍ଷ କରୋନା ଟିକା ଦିଆଯାଇଛି । ଗତ ଦିନରେ ରେକର୍ଡ ୮୬ ଲକ୍ଷ ୧୬ ହଜାର ଟିକା ଦିଆଯାଇଥିଲା । ଏଥି ସହିତ ଏପର୍ଯ୍ୟନ୍ତ ୩୯ କୋଟିରୁ ୪୦ ଲକ୍ଷ କରୋନା ପରୀକ୍ଷା କରାଯାଇଛି । ଗତ ଦିନରେ ପ୍ରାୟ ୧୬ ଲକ୍ଷ କରୋନା ନମୁନା ପରୀକ୍ଷା କରାଯାଇଥିଲା, ଯାହାର ସଂକ୍ରମଣ ହାର ୩ ପ୍ରତିଶତରୁ ଅଧିକ |
କେନ୍ଦ୍ର ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ ନେଇ ଚର୍ଚ୍ଚା ମଧ୍ୟରେ ଦିଲ୍ଲୀ ଗସ୍ତରେ ଯିବେ ନୀତୀଶ କୁମାର
ପାଟଣା: ମଙ୍ଗଳବାର ଦିଲ୍ଲୀ ଗସ୍ତରେ ଯିବେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର । କେନ୍ଦ୍ର ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ନେଇ ଆଲୋଚନା ମଧ୍ୟରେ ନୀତୀଶଙ୍କ ଏଭଳି ଗସ୍ତକୁ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ସହ ଯୋଡ଼ାଯାଉଛି । ଅପରପକ୍ଷରେ ତାଙ୍କର ଏଭଳି ଗସ୍ତକୁ ସମ୍ପୂର୍ଣ୍ଣ ବ୍ୟକ୍ତିଗତ ବୋଲି ଦଳ ପକ୍ଷରୁ କୁହାଯାଇଛି । କିନ୍ତୁ ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡାଙ୍କ ସହ ସାକ୍ଷାତକାର କାର୍ଯକ୍ରମ ଥିବା ସୂଚନା ରହିଛି । ମୁଖ୍ୟତଃ ଆଗକୁ କେନ୍ଦ୍ର ମନ୍ତ୍ରିମଣ୍ଡଳର ସମ୍ଭାବ୍ୟ ସମ୍ପ୍ରସାରଣ ଆଶା ରାଖାଯାଉଥିବା ବେଳେ ସେଥରେ ନୀତୀଶଙ୍କ ଜେଡିୟୁ ସାମିଲ ହେବା ଘଟଣା ପ୍ରମୁଖ ଆଲୋଚ୍ୟ ବିଷୟ ହୋଇଛି । ମଙ୍ଗଳବାର ନୀତୀଶ ତାଙ୍କର ଚକ୍ଷୁ ଚିକିତ୍ସା ପାଇଁ ଦିଲ୍ଲୀରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି । ମନ୍ତ୍ରିମଣ୍ଡଳରେ କିଏ ରହିବ ବା ଯିବ, ତାହା ପ୍ରଧାନମନ୍ତ୍ରୀଙ୍କ ଉପରେ ନିର୍ଭର କରେ । ସୁତରାଂ ଏଥିରେ ନୀତୀଶଙ୍କର କୌଣସି ଭୂମିକା ନାହିଁ ବୋଲି ଜେଡିୟୁ ସାଂସଦ ଲାଲନ୍ ସିଂହ ସଫେଇ ଦେଇଛନ୍ତି । ଏଠାରେ ପ୍ରଧାନମନ୍ତ୍ରୀ ମୋଦି ୨୦୧୯ରେ ତାଙ୍କର ଦ୍ୱିତୀୟ କାର୍ଯ୍ୟକାଳ ଆରମ୍ଭ ପରଠାରୁ ଏନ୍ଡିଏ ସହଯୋଗୀ ଜେଡିୟୁର ୧୬ ଜଣ ଲୋକସଭା ସାଂସଦ ଥାଇ ସୁଦ୍ଧା ନୀତୀଶଙ୍କ ଦଳ ଗତ ଦୁଇ ବର୍ଷ ହେଲା କେନ୍ଦ୍ରମନ୍ତ୍ରିମଣ୍ଡଳରୁ ଦୂରେଇ ରହିଛି । ଅପରପକ୍ଷ ନିକଟରେ ଚିରାଗ ପାଶ୍ୱାନଙ୍କ ୬ ସାଂସଦ ବିଶିଷ୍ଟ ଲୋକଜନଶକ୍ତି ପାର୍ଟି ଏଲ୍ଜେପିରେ ୫ ଜଣ ବିଦ୍ରୋହ କରି ଦଳର ମୁଖ୍ୟ ପାଲଟିଥିବା ସଂସଦ ପଶୁପତି ପାରସ ଖୁବଶୀଘ୍ର କେନ୍ଦ୍ର ମନ୍ତ୍ରିମଣ୍ଡଳରେ ସାମିଲ ହେବାକୁ ଯାଉଛନ୍ତି ବୋଲି ଚର୍ଚ୍ଚା ହେଉଛି । ସୁତରାଂ ନୀତୀଶଙ୍କ ଏହି ଗସ୍ତ ପଛରେ ତାଙ୍କ ଦଳକୁ ମନ୍ତ୍ରିମଣ୍ଡଳରେ ସାମିଲ କରିବା ଉଦ୍ଦେଶ୍ୟ ରହିଛି ବୋଲି ରାଜନୀତି ସମୀକ୍ଷକଙ୍କ ମତ ।
ସିବିଏସ୍ଇ ଓ ଆସିଏସ୍ଇ ମୂଲ୍ୟାୟନ ପଦ୍ଧତିକୁ ନେଇ ଆଜି ପୁଣି ସୁପ୍ରିମକୋର୍ଟରେ ଶୁଣାଣି
ଭୁବନେଶ୍ୱର: ସିବିଏସଇ ଓ ଆଇସିଏସଇର ଦ୍ୱାଦଶ ମୂଲ୍ୟାୟନ ପଦ୍ଧତିକୁ ନେଇ ଅସନ୍ତୋଷ ଛାତ୍ରଛାତ୍ରୀ । ଏନେଇ ସୁପ୍ରିମକୋର୍ଟରେ ପହଞ୍ଚିଛି ମାମଲା । ଗତକାଲି କୋର୍ଟ ଏହାର ଶୁଣାଣି କରିଥିବା ବେଳେ ଆଜି ପୁଣି ଏହାର ଶୁଣାଣି ହେବ । ଛାତ୍ରଛାତ୍ରୀଙ୍କ କହିବା କଥା ଏହି ମୁଲ୍ୟାୟନ ପଦ୍ଧତିକୁ ବୁଝିବା ଭାରି କଷ୍ଟକର । ଏହା ଲାଗୁହେଲେ ଆଶା ଅନୁଯାୟୀ ନମ୍ବର ମିଳିବ ନାହିଁ । ତେଣୁ ସିବିଏସଇ ଓ ଆଇସିଏସଇର ଦ୍ୱାଦଶ ମୂଲ୍ୟାୟାନ ପଦ୍ଧତିକୁ ଖାରଜ କରି ଅଫଲାଇନରେ ପରୀକ୍ଷା କରାଯାଉ । କୋର୍ଟ ଏହି ମାମଲାକୁ ଗମ୍ଭୀରତାର ସହ ନେଇ ସିବିଏସଇ ଓ ଆଇସିଏସଇକୁ ଛାତ୍ରଛାତ୍ରୀଙ୍କ ଆଶଙ୍କା ଦୁର କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । କରୋନା ସଂକ୍ରମଣକୁ ନଜରରେ ରଖି ଦଶମ ଓ ଦ୍ୱାଦଶ ପରୀକ୍ଷାକୁ ବାତିଲ କରାଯାଇଥିଲା । ଏଥିସହ କେମିତି ମୁଲ୍ୟାୟନ ହେବ, ସେନେଇ ମଧ୍ୟ ଘୋଷଣା କରାଯାଇଛି । ତେବେ କରୋନା ସ୍ଥିତି ସୁଧୁରିଲେ ମାର୍କକୁ ନେଇ ଅସନ୍ତୁଷ୍ଟ ଥିବା ଛାତ୍ରଛାତ୍ରୀ ପୁଣି ଥରେ ପରୀକ୍ଷା ଦେଇପାରିବେ ବୋଲି କୁହାଯାଇଛି । କିନ୍ତୁ ଅନେକ ଛାତ୍ରଛାତ୍ରୀ ଏହି ପ୍ରକ୍ରିୟାରେ ଅସନ୍ତୁଷ୍ଟ ଅଛନ୍ତି ।
ଏଥିସହିତ ପଢ଼ନ୍ତୁ: ଠକି ନେଲେ ପୋଷ୍ଟମାଷ୍ଟର, ଚଳୁକରି ଗଲେ ଜମାକାରୀଙ୍କ କୋଟିକୋଟି ଟଙ୍କା

