କେନ୍ଦ୍ରମନ୍ତ୍ରୀ ସାଧ୍ୱୀ ନିରଞ୍ଜନ ଜ୍ୟୋତିଙ୍କ ଉତ୍ତରରେ ଅସନ୍ତୁଷ୍ଟ ବିଜେଡି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସମ୍ପର୍କରେ ସଂସଦରେ ଉତ୍ତର ରଖିଥିବା ବିଭାଗୀୟ ମନ୍ତ୍ରୀ ସାଧ୍ୱୀ ନିରଞ୍ଜନ ଜ୍ୟୋତିଙ୍କ ଉତ୍ତରକୁ ନେଇ ପ୍ରତିକ୍ରିୟା ରଖିଛି ବିଜେଡି । ମନ୍ତ୍ରୀଙ୍କ ଉତ୍ତର ଭୁଲ୍ ଓ ବିଭ୍ରାନ୍ତିକର ବୋଲି ବିଜେଡି ସାଂସଦ ସସ୍ମିତ ପାତ୍ର କହିଛନ୍ତି । ଗ୍ରାମ୍ୟ ପକ୍କାଘର ନିର୍ମାଣରେ ଓଡ଼ିଶା ସାରା ଦେଶରେ ଏକ ଅଗ୍ରଣୀ ରାଜ୍ୟ ହୋଇଥିବା ବେଳେ ରାଜ୍ୟ ସରକାରଙ୍କୁ ବଦନାମ କରିବା ଏବଂ ଗରିବ ଲୋକଙ୍କୁ ଘର ପାଇବାରୁ ବଞ୍ଚିତ କରିବା ପାଇଁ ବିଜେପିର ଏହା ଏକ ଷଡ଼ଯନ୍ତ୍ର ।

ମନ୍ତ୍ରୀ ତାଙ୍କ ଉତ୍ତରରେ ବିଜେପି ସାଂସଦମାନଙ୍କ ଅଭିଯୋଗ ଦର୍ଶାଇବା ନିନ୍ଦନୀୟ । କୌଣସି ରାଜେନୖତିକ ଦଳର ଅଭିଯୋଗ ବାବଦରେ ଉତ୍ତରରେ କେବେ ଦିଆଯାଏ ନାହିଁ । ଏହା କେବଳ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ । ସଂସଦକୁ ରାଜନୈତିକ ଡ୍ରାମାର ମଞ୍ଚ କରିବା ଏବଂ ଆବାସ ଯୋଜନା ବାବଦରେ ରାଜ୍ୟ ସରକାର ସମସ୍ତ ତଥ୍ୟ ଦେଇସାରିଥିବା ବେଳେ ବିଜେପିକୁ ସୁହାଇବା ଭଳି ମନ୍ତ୍ରୀଙ୍କ ଉତ୍ତର ଦୁଭାର୍ଗ୍ୟଜନକ ।

ଏଭଳି କରିବା ଦ୍ୱାରା ମନ୍ତ୍ରୀ ତାଙ୍କ ମର୍ଯ୍ୟାଦା ହାନି କରିଛନ୍ତି । ବିଜେଡି ଏହାକୁ ଦୃଢ଼ ଭାବେ ନିନ୍ଦା କରିବା ସହ ପ୍ରଶ୍ନ ନମ୍ବର ୨ ହଜାର ୫୦୫ର ଉତ୍ତର ସଂଶୋଧନ କରିବାକୁ ଦାବି କରିଛି । ପୂର୍ବରୁ ଗ୍ରାମ୍ୟ ଗୃହ ନିର୍ମାଣ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ପ୍ରଶଂସା କରିବା ସହ ପୁରସ୍କୃତ ମଧ୍ୟ କରିଛି । ଏବେ ରାଜ୍ୟ ସରକାରଙ୍କ ଭଲ କାମକୁ ରାଜନୈତିକ ଉଦ୍ଦେଶ୍ୟ ରଖି ଭୁଲ ବୋଲି ଦର୍ଶାଇବା କେବେ ଗ୍ରହଣୀୟ ନୁହେଁ ବୋଲି ସସ୍ମିତ ପାତ୍ର କହିଛନ୍ତି ।

Leave a Reply