ବାଲେଶ୍ୱର ଜିଲ୍ଲା ଓକିଲ ସଂଘ ଆନ୍ଦୋଳନ ସ୍ଥଗିତ, ପୋଲିସ ବିରୁଦ୍ଧରେ ଚାଲିଥିଲା କାର୍ଯ୍ୟବନ୍ଦ ଆନ୍ଦୋଳନ

1 min read

ବାଲେଶ୍ୱର: ସ୍ଥଗିତ ହେଲା ବାଲେଶ୍ୱର ଜିଲ୍ଲା ଓକିଲ ସଂଘର ପୋଲିସ ବିରୁଦ୍ଧରେ ଚାଲିଥିବା କାର୍ଯ୍ୟବନ୍ଦ ଆନ୍ଦୋଳନ । ଅଭିଯୁକ୍ତ 2ଜଣ ପୋଲିସ ଅଫିସରଙ୍କୁ ବିଭାଗ ତରଫରୁ ନିଲମ୍ବନ କରାଯିବା ଓ ଅନ୍ୟ ଦୁଇଜଣଙ୍କୁ କାରଣ ଦର୍ଶାଅ ନୋଟିସ୍‌ ଜାରୀ କରାଯାଇ ଥିବାରୁ ଆନ୍ଦୋଳନକୁ ସ୍ଥଗିତ ରଖାଯାଇଥିବା ବାଲେଶ୍ୱର ବାର୍‌ ଏସୋସିଏସନ୍‌ ତରଫରୁ ଘୋଷଣା କରାଯାଇଛି ।

ଅଭିଯୁକ୍ତ ମାନଙ୍କ ବିରୁଦ୍ଧରେ ମାମଲା ରୁଜୁକରି ସେମାନଙ୍କୁ କୋର୍ଟକୁ ଆଣିବା ପର୍ଯ୍ୟନ୍ତ ଓକିଲ ସଂଘ ନିରବ ଆନ୍ଦୋଳନ ଚାଲୁ ରଖିବ ବୋଲି କୁହାଯାଇଛି । ଗତ ଜୁଲାଇ ମାସ 4 ତାରିଖରେ ସୋର ଥାନାରେ ଓକିଲ ଧୀରେନ୍ଦ୍ର ଦାସଙ୍କୁ ନୟାପଲ୍ଲୀ ଥାନାର ଏଏସ୍‌ଆଇ ଏ.କେ. ବଳ ମାଡ଼ ମାରିଥିଲେ । ଏହି ଘଟଣାକୁ ନେଇ ଗତ ମାସେ ଧରି ପୋଲିସ-ଓକିଲ ବିବାଦ ଚାଲିଥିଲା । ଗତ ସପ୍ତାହେ ଧରି ଓକିଲମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ କରି ଏସ୍‌ପିଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ ।

ପୋଲିସ ତଦନ୍ତକରି ନୟାପଲ୍ଲୀ ଥାନାର ଏଏସ୍‌ଆଇ ଏ.କେ.ବଳ ଓ ସୋର ଥାନାର ଏସ୍‌ଆଇ ସି.ଏସ୍‌. ମହାନ୍ତିଙ୍କୁ ନିଲମ୍ବନ କରାଯାଇଛି । ସେହିପରି ସୋର ଥାନାର ତତ୍‌କାଳୀନ ଥାନା ଅଧିକାରୀ ମଧୁମିତା ମହାନ୍ତି ଓ ଏସ୍‌ଆଇ ଏ.କେ. ମହାନ୍ତିଙ୍କୁ କାରଣ ଦର୍ଶାଅ ନୋଟିସ୍‌ ଜାରୀ କରାଯାଇଛି । ଏହି କାର୍ଯ୍ୟାନୁଷ୍ଠାନ ପରେ ଓକିଲ ସଂଘ ଆନ୍ଦୋଳନକୁ ସ୍ଥଗିତ କରିଥିବା ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରାଯାଇଛି

Leave a Reply