ସେଣ୍ଟ ଜୋସଫ୍ ଛାତ୍ରୀ ଶ୍ରୁତି କରଙ୍କୁ ରାଜ୍ୟସ୍ତରୀୟ ଶ୍ରୀସେବା ସମ୍ମାନ

1 min read

ଭୁବନେଶ୍ୱର: ଦୀର୍ଘଦିନ ଧରି ନିଷ୍ପେସିତ ଜୀବଜନ୍ତୁ ଓ ବୁଲା କୁକୁରଙ୍କ ସେବାଯତ୍ନ ସହ ସେମାନଙ୍କ ଉପରେ ହେଉଥିବା ମାନବୀୟ ଅତ୍ୟାଚାର ବିରୁଦ୍ଧରେ ସ୍ୱର ଉଠାଇଥିବା ଭୁବନେଶ୍ୱରସ୍ଥିତ ସେଣ୍ଟ ଜୋସଫ୍ ହାଇସ୍କୁଲର ଛାତ୍ରୀ ଶ୍ରୁତି କରଙ୍କୁ ଚଳିତବର୍ଷର ‘ରାଜ୍ୟସ୍ତରୀୟ ଶ୍ରୀସେବା ସମ୍ମାନ’ ସମ୍ମାନିତ କରାଯାଇଛି। ସାମାଜିକ ଅନୁଷ୍ଠାନ ‘ହେଲପମେଟ୍‌’ ପକ୍ଷରୁ ଆଜି ଏହି ସମ୍ମାନ ସହ ମାନପତ୍ର ଓ ଉପଢୌକନ ପ୍ରଦାନ କରାଯାଇଛି । କରୋନା ମହାମାରୀ ସମୟରେ ଅନେକ ବୁଲା ଜୀବଜନ୍ତୁଙ୍କ ସେବା ଯତ୍ନ ନେବା ସହ ଗତ ୨ବର୍ଷରୁ ଅଧିକ ସମୟ ଧରି ବୁଲା କୁକୁରକୁ ନିଜର ପୋଷା ଜନ୍ତୁଙ୍କ ଭଳି ରଖିଥିବା ନବମ ଶ୍ରେଣୀ ଛାତ୍ରୀ ଶ୍ରୁତି ଗତ ମାସରେ ଅନଲାଇନରେ ବୁଲା କୁକୁରଙ୍କ ପ୍ରତି ହେଉଥିବା ଆକ୍ରମଣ ବିରୁଦ୍ଧରେ ଏକ ଅଭିଯାନ ଚଳାଇ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।

ଅନଲାଇନରେ ତାଙ୍କର ଏହି ଅଭିଯାନକୁ ସମସ୍ତେ ପ୍ରଶଂସା କରିବା ସହ ସ୍ଥାନୀୟ ପୁଲିସ ମଧ୍ୟ ତାଙ୍କୁ ଏ ଦିଗରେ ସହଯୋଗର ହାତ ବଢ଼ାଇଥିଲା। ଏପରିକି ନିକଟରେ ସେ ଦୁର୍ଘଟଣାଗ୍ରସ୍ତ ଗୋଟିଏ ବୁଲା କୁକୁରକୁ ନିଜ ଘରେ ରଖି ତା’ର ସମସ୍ତ ଚିକିତ୍ସା ମଧ୍ୟ କରୁଛନ୍ତି।  ଏତେ କମ୍ ବୟସରେ ବୁଲା କୁକୁର ଓ ନିଷ୍ପେସିତ ଜୀବଜନ୍ତୁଙ୍କ ପ୍ରତି ତାଙ୍କର ଦୁର୍ବଳତା ଓ ଭଲପାଇବାକୁ ସମ୍ମାନ ଜଣାଇ ତଥା ଏହା ଅନ୍ୟ ପିଲାମାନଙ୍କୁ ପ୍ରେରଣା ଯୋଗାଇବ ବୋଲି ଦର୍ଶାଇ ‘ହେଲପମେଟ୍‌’ ଅନୁଷ୍ଠାନ ପକ୍ଷରୁ ଏହି ସମ୍ମାନ ପ୍ରଦାନ କରାଯାଇଥିବା ଅନୁଷ୍ଠାନର ସମ୍ପାଦିକା ନିବେଦିତା ଭଞ୍ଜ କହିଛନ୍ତି।

ନବମ ଶ୍ରେଣୀରେ ପଢ଼ୁଥିବା ଶ୍ରୁତି ଭୁବନେଶ୍ୱରର ଜଣେ ଆଗଧାଡ଼ିର ୟୁ-ଟ୍ୟୁବର ଭାବେ ମଧ୍ୟ ପରିଚିତ। ଏହି ଅବସରରେ ନୟାପଲ୍ଲୀ ଥାନା ଆଇଆଇସି ଶରତ କୁମାର ସାହୁଙ୍କୁ ମଧ୍ୟ ଅନୁଷ୍ଠାନ ପକ୍ଷରୁ ‘ରାଜ୍ୟସ୍ତରୀୟ କରୋନା ଯୋଦ୍ଧା’ ସମ୍ମାନରେ ସମ୍ମାନିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ଉପସଭାପତି ନିହାରିକା ପଟ୍ଟନାୟକ ଏବଂ ସମସ୍ତ କର୍ମକର୍ତ୍ତାଙ୍କ ସମେତ ବିଶିଷ୍ଟ ବ୍ୟକ୍ତିମାନେ ଉପସ୍ଥିତ ଥିଲେ।

Leave a Reply