spot_img
Home Blog Page 5488

ଗୁରୁତର ରୋଗୀଙ୍କୁ ଖଟରେ ବୋହି ନଦୀ ପାର୍ କରି ଆଣିଲେ ଆମ୍ବୁଲାନ୍ସ କର୍ମଚାରୀ

ରାଉରକେଲା: ନଦୀରେ ବର୍ଷା ଜଳର ତ୍ସୋତ । ରୋଗୀଙ୍କ ପାଖରେ ପହଞ୍ଚି ପାରିଲାନି ଆମ୍ବୁଲାନ୍ସ । ବର୍ଷା ଜଳକୁ ଖାତିର୍ କଲେନି ଆମ୍ବୁଲାନ୍ସ କର୍ମଚାରୀ । ଗୁରୁତର ଥିବା ଜଣେ ରୋଗୀଙ୍କୁ ଖଟରେ ବୋହି ଆମ୍ବୁଲାନ୍ସ ପର୍ଯ୍ୟନ୍ତ ଆଣିଲେ । ଆମ୍ବୁଲାନ୍ସ କର୍ମଚାରୀଙ୍କ ଏଭଳି ଉଦ୍ୟମ ପାଇଁ ତାଙ୍କୁ ସବୁଆଡ଼ୁ ପ୍ରଶଂସା କରାଯାଉଛି । ଏଭଳିଘଟଣା ଦେଖିବାକୁ ମିଳିଛି ସୁନ୍ଦରଗଡ଼ ଜିଲ୍ଲା ବାଲିଶଙ୍କରା ବ୍ଲକ ତଳସରା ପଞ୍ଚାୟତର କୁମଡ଼ାଫାଲ ଗାଁରେ ।

108 Ambulance Employee Brought Severe Patient In Bed Passing Flowing River In Sundargarh

ରୋଗୀଙ୍କ ସମ୍ପର୍କୀୟଙ୍କ ସହ ମିଶି ଆମ୍ବୁଲାନ୍ସ କର୍ମଚାରୀ ରୋଗୀକୁ ଖଟିଆରେ ଵୋହି ଆଣିଛନ୍ତି । କୁମଡ଼ାଫାଲ ସମେତ ଆଖପାଖ ଅଞ୍ଚଳର ଗାଁ ଲୋକ ନଦୀ ପାର୍ ହୋଇ ବ୍ଲକ ମୁଖ୍ୟାଳୟ, ଡାକ୍ତରଖାନା ସମେତ ବିଭିନ୍ନ କାମରେ ଆସନ୍ତି । ରାସ୍ତା ନଥିବା ଓ ନଦୀ ପାର୍ ହୋଇ ଯିବାକୁ ପଡ଼ୁଥିବାରୁ ଗାଁକୁ ଆମ୍ବୁଲାନ୍ସ କି ଅନ୍ୟ ଗାଡ଼ି ପହଞ୍ଚି ପାରେ ନାହିଁ । ଫଳରେ କାହାର ଦେହ ଖରାପ ହେଲେ ଖଟିଆରେ ୨ କିଲୋମିଟର ଯାଏ ବୋହି ଆଣିବାକୁ ପଡ଼ିଥାଏ ।

କୁମଡ଼ଫାଲ ଗାଁର ଜଣେ ଯୁବକ ବିଷ ପିଇ ଗୁରୁତର ହୋଇ ପଡ଼ିଥିଲେ । ୧୦୮କୁ ଫୋନ୍ କରି ଡାକିଥିଲେ ଘର ଲୋକେ । ନାଳରେ ବର୍ଷା ପାଣି ଚାଲୁଥିବାକୁ ଗାଁକୁ ଆମ୍ବୁଲାନ୍ସ ଯାଇପାରି ନଥିଲା । ଫଳରେ ଗାଁ ଲୋକ ଓ ଆମ୍ବୁଲାନ୍ସ କର୍ମଚାରୀ ଗୁରୁଚତରଙ୍କୁ ଖଟିଆରେ ଆମ୍ବୁଲାନ୍ସ ପର୍ଯ୍ୟନ୍ତ ଆଣି ମେଡିକାଲ୍ ନେଇଥିଲେ । ଆମ୍ବୁଲାନ୍ସ କର୍ମଚାରୀଙ୍କ ମାନବିକତା ଯୋଗୁଁ ଯୁବକ ଜଣଙ୍କ ଜୀବନ ବଞ୍ଚି ଯାଇଛି ।

ହୁ ହୁ ହୋଇ ବଢ଼ୁଛି ତୈଳଦର, ୯ ରାଜ୍ୟରେ ଶହେ ଟଙ୍କା ଡେଇଁଲା ପେଟ୍ରୋଲ

ନୂଆଦିଲ୍ଲୀ: ଗୋଟିଏ ଦିନ ସ୍ଥିର ପରେ ପୁଣି ବଢ଼ିଲା ଡିଜେଲ୍ ଓ ପେଟ୍ରୋଲ ଦର । ଆଜି ଦେଶର ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ୍ ଓ ଡିଜେଲ୍ ଦର ଲିଟର ପିଛା ୩୫ ପଇସା ଲେଖାଏଁ ବୃଦ୍ଧି ପାଇଛି । ଫଳରେ ଦିଲ୍ଲୀରେ ପେଟ୍ରୋଲ ଦର ୯୮ ଟଙ୍କା ୧୧ ପଇସାରେ ପହଞ୍ଚିଥିବା ବେଳେ ଡିଜେଲ୍ ଦର ୮୮ ଟଙ୍କା ୬୫ ପଇସାରେ ପହଞ୍ଚିଛି । ସେହିଭଳି ମୁମ୍ବାଇରେ ପେଟ୍ରୋଲ ଦର ୧୦୪ ଟଙ୍କା ୨୨ ପଇସାରେ ପହଞ୍ଚିଛି । ଡିଜେଲ୍ ଦର ୯୬ ଟଙ୍କା ୧୬ ପଇସା ରହିଛି ।

Petrol Crossed Rs 100 Per Liter In Nine States Of India

ଚେନ୍ନାଇରେ ପେଟ୍ରୋଲ ଦର ୯୯ ଟଙ୍କା ୧୮ ପଇସା ରହିଛି, ଡିଜେଲ୍ ଦର ହେଉଛି ୯୩ ଟଙ୍କା ୨୨ ପଇସା । କୋଲକାତାରେ ପେଟ୍ରୋଲ ଦର ୯୭ ଟଙ୍କା ୯୯ ପଇସା ଥିବା ବେଳେ ଡିଜେଲ୍ ଦର ୯୧ ଟଙ୍କା ୪୯ ପଇସାରେ ପହଞ୍ଚିଛି ।

Petrol Crossed Rs 100 Per Liter In Nine States Of India

ଗତ ଏକ ମାସ ମଧ୍ୟରେ ପେଟ୍ରୋଲ ଦର ୭ ଟଙ୍କା ୭୧ ପଇସା ବୃଦ୍ଧି ପାଇଛି । ରାଜସ୍ଥାନ, ମଧ୍ୟପ୍ରଦେଶ, ଆନ୍ଧ୍ରପ୍ରଦେଶ, ତେଲଙ୍ଗାନା, କର୍ଣ୍ଣାଟକ, ଜମ୍ମୁ-କାଶ୍ମୀର, ଓଡ଼ିଶାରେ ପେଟ୍ରୋଲ୍ ଦର ୧୦୦ ଟପିଛି । ବଢୁଥିବା ତୈଳ ଦରକୁ ନେଇ ଗ୍ରାହକଙ୍କ ମଧ୍ୟରେ ଅସନ୍ତୋଷ ବଢିବାରେ ଲାଗିଛି ।

‘କ୍ଷତିପୂରଣ ନମିଳିଲେ ଜମି ଛାଡ଼ିବୁନି’

ପାରଳାଖେମୁଣ୍ଡି: ଗଜପତି ଜିଲ୍ଲାପାଳଙ୍କୁ ସାକ୍ଷାତ କଲେ ନେରେଡି ବ୍ୟାରେଜ ବିସ୍ଥାପିତ । ବଂଶଧାରା ନଦୀରେ ନେରେଡି ବ୍ୟାରେଜ ନିର୍ମାଣ ନେଇ ବିସ୍ଥାପିତ ମାନେ ଜିଲ୍ଲାପାଳଙ୍କୁ ଭେଟିଛନ୍ତି । ଟ୍ରିବୁନାଲ ଆନ୍ଧ୍ରକୁ ଅନୁମତି ଦେବା ପରେ କ୍ଷତିଗ୍ରସ୍ତ ହେଉଥିବା ଓଡ଼ିଶାର ୧୦୬ ଏକରୁ ଊର୍ଦ୍ଧ୍ୱ ଜମିର ଚାଷୀ ଏବେ ଚିନ୍ତାରେ ରହିଛନ୍ତି । ଏନେଇ ଆଜି ଏକ ପ୍ରତିନିଧି ଦଳ ଜିଲ୍ଲାପାଳଙ୍କୁ ସାକ୍ଷାତ କରିବା ସହ ଆଲୋଚନା କରିଛନ୍ତି ।

Neradi Barrage Displaced Met Gajpati Collector

ସରକାରଙ୍କୁ ସହଯୋଗ କରିବାକୁ ବିସ୍ଥାପିତ ସହମତି ପ୍ରକାଶ କରିଥିବା ବେଳେ ଉପଯୁକ୍ତ କ୍ଷତିପୂରଣ ନମିଳିଲେ ଜମି ଛାଡ଼ିବେ ନାହିଁ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି । ତେବେ ବିସ୍ଥାପିତ ପରିବାରକୁ ପଲ୍ଲୀସଭା ମାଧ୍ୟମରେ ଆଲୋଚନା କରି କ୍ଷତିପୂରଣ ମୂଲ୍ୟ ଧାର୍ଯ୍ୟ କରାଯାଉ ଏବଂ ଏଥିସହିତ କ୍ଷତିଗ୍ରସ୍ତ ପରିବାରର ଜଣେ ସଦସ୍ୟଙ୍କୁ ଚାକିରି ଦେବା ପାଇଁ ଦାବି ଜଣାଇଛନ୍ତି ।

ଭାରତରେ ଟୀକାକରଣ ଭାଙ୍ଗିଲା ସବୁ ରେକର୍ଡ, ସପ୍ତାହକରେ ଦିଆଗଲା ୪କୋଟି ଟିକା

ନୂଆଦିଲ୍ଲୀ: ଚଳିତ ସପ୍ତାହରେ ଭାରତରେ ପ୍ରାୟ ୪କୋଟି ଲୋକଙ୍କୁ ଟିକା ଦିଆଯାଇଛି। ସରକାରଙ୍କ କୋବିନ ପୋର୍ଟାଲରେ ପ୍ରକାଶିତ ତଥ୍ୟ ଅନୁଯାୟୀ, ଏପ୍ରିଲରେ ରେକର୍ଡ କରାଯାଇଥିବା ଟିକାକରଣ ରେକର୍ଡ ଭାଙ୍ଗି ଏକ ନୂଆ ରେକର୍ଡ ହୋଇଛି । ଜୁନ୍ ୨୧ରୁ ନୂତନ ନିର୍ଦ୍ଦେଶାବଳୀ ସହିତ ଆରମ୍ଭ ହୋଇଥିବା ଏହି ଟୀକାକରଣ ମହତ୍ୱପୂର୍ଣ୍ଣ ପ୍ରଭାବ ପକାଇଛି । ତେଣୁ ଜୁଲାଇରୁ ଟିକା କାର୍ଯ୍ୟକ୍ରମର ଗତି ତ୍ୱରାନ୍ୱିତ ହୋଇପାରେ ବୋଲି ଆଶା କରାଯାଉଛି। ଏଥିସହିତ ଅଧିକାରୀମାନେ ସୂଚନା ଦେଇଛନ୍ତି ଯେ ସରକାର ଜୁଲାଇରେ ୨୦ କୋଟି ଏବଂ ଅଗଷ୍ଟରେ ୩୦ କୋଟି ଡୋଜ ଦେବାକୁ ପ୍ରସ୍ତୁତ ହେଉଛନ୍ତି।

ଗୋଟିଏ ସପ୍ତାହରେ କେତେ ଡୋଜ ଦିଆଯାଇଛି

ଜୁନ୍ ୧୨-୧୮ ରେ ୨.୧୨ କୋଟି ଟିକା ଦିଆଯାଇଛି। ଏହି ଟିକାକରଣରେ ବୃଦ୍ଧି ହୋଇ ଜୁନ୍  ୧୯-୨୫  ମଧ୍ୟରେ ୩.୯୮ କୋଟି ଡୋଜ ଦିଆଯାଇଥିଲା  । ଏହାପୂର୍ବରୁ, ଏପ୍ରିଲ ୩-୯ ମଧ୍ୟରେ ସର୍ବାଧିକ ୨.୪୭ ଟିକା ଦିଆଯାଇଥିଲା। କେନ୍ଦ୍ର ତରଫରୁ ରାଜ୍ୟରେ ୧୮-୪୪ ବୟସ ବର୍ଗଙ୍କ ପାଇଁ ଟିକା କିଣିବା କାର୍ଯ୍ୟ ପ୍ରତ୍ୟାହାର କରିବା ପୂର୍ବରୁ ମେ ୧୫-୨୧ ମଧ୍ୟରେ ଟୀକାକରଣ ସର୍ବନିମ୍ନ ପର୍ଯ୍ୟାୟରେ ଥିଲା। ସେହି ସମୟ ମଧ୍ୟରେ କେବଳ ୯୨ ଲକ୍ଷ ଡୋଜ ଦିଆଯାଇଥିଲା ।

ତେବ ଏହାକୁ ନେଇ ଜଣେ ବରିଷ୍ଠ ସରକାରୀ ଅଧିକାରୀ କହିଛନ୍ତି ଯେ, ଚଳିତ ବର୍ଷ ଡିସେମ୍ବର ସୁଦ୍ଧା ଦେଶର ୯୪ କୋଟି ସବୁ ବୟସ ବର୍ଗର ଲୋକ ଉଭୟ ଟିକା ପାଇବେ। ସେ କହିଛନ୍ତି, ‘ଜୁନ୍ ମାସରେ ଗୋଟିଏ ସପ୍ତାହରେ ପ୍ରାୟ ୪କୋଟି ଲୋକଙ୍କୁ ଟିକାକରଣ କରାଯାଇଛି ଯେଉଁଥିପାଇଁ ଆଗକୁ ଏମିତି ଟିକାକରଣ ବଢିବାକୁ ପ୍ରୋତ୍ସାହିତ କରୁଛି । ତେଣୁ ସରକାର ଜୁଲାଇ ମାସରେ ୨୦ କୋଟି ଏବଂ ଅଗଷ୍ଟ ମାସରେ ୩୦ କୋଟି ଲୋକଙ୍କୁ ଟୀକାକରଣ ପାଇଁ ପ୍ରସ୍ତୁତ ହେଉଛନ୍ତି । ସେହିପରି

ଚଳିତ ସପ୍ତାହରେ ଦିଆଯାଇଥିବା ୩.୯୮ କୋଟି ଡୋଜ ମଧ୍ୟରୁ ପ୍ରାୟ ୭୦ ପ୍ରତିଶତ ୧୮-୪୪ ବୟସ ଶ୍ରେଣୀରେ ଦିଆଯାଇଛି। ସେଥିମଧ୍ୟରୁ ୮୯ ପ୍ରତିଶତ ଟିକା ପ୍ରଥମ ଡୋଜ ଭାବରେ ଲୋକଙ୍କୁ ଦିଆଯାଇଛି । ଦ୍ୱିତୀୟ ଡୋଜ ସହିତ ୪୫ ବର୍ଷରୁ ଅଧିକ ବୟସ ବର୍ଗଙ୍କ ପାଇଁ ଟୀକାକରଣ ଉପରେ ସରକାର ଗୁରୁତ୍ୱାରୋପ କରୁଛନ୍ତି। କିନ୍ତୁ ଏହି ସମୟ ମଧ୍ୟରେ ୧୮-୪୪ବର୍ଷ ବୟସ ଲୋକଙ୍କ ପାଇଁ ପ୍ରଥମ ଡୋଜ ଚାହିଦା ବଢିଛି ।

ଚଳିତ ସପ୍ତାହରେ କେଉଁ ରାଜ୍ୟରେ କେତେ ଟୀକାକରଣ

ଜୁଲାଇରେ ଟୀକାକରଣ ସଂଖ୍ୟା ବୃଦ୍ଧି ପାଇବର ଆଶା ରହିଛି ଏବଂ ସେହି ସମୟ ମଧ୍ୟରେ ଟୀକାକରଣ ସଂଖ୍ୟା ସପ୍ତାହରେ ୫କୋଟି ପହଞ୍ଚିପାରେ ବୋଲି ଆଶା କରାଯାଉଛି । ଉତ୍ତରପ୍ରଦେଶରେ ପ୍ରତିଦିନ ୧୦ ଲକ୍ଷ ଟିକା ଦେବା ପାଇଁ ପ୍ରସ୍ତୁତି ଚାଲିଛି। ୟୁପିର ନାମ ଚଳିତ ସପ୍ତାହରେ ଟୀକାକରଣ ଲିଷ୍ଟର ଶୀର୍ଷରେ ପହଞ୍ଚିଛି । ରାଜ୍ୟରେ ୪୫ ଲକ୍ଷ ଡୋଜ ଦିଆଯାଇଥିଲା। ଯେତେବେଳେ କି, ଏହି ସଂଖ୍ୟା ମଧ୍ୟପ୍ରଦେଶରେ ୩୭ ଲକ୍ଷ, କର୍ଣ୍ଣାଟକରେ ୩୧ ଲକ୍ଷ, ମହାରାଷ୍ଟ୍ରରେ ୩୦ ଲକ୍ଷ, ରାଜସ୍ଥାନରେ ୨୮ ଲକ୍ଷ ଏବଂ ଗୁଜରାଟରେ ୨୬ ଲକ୍ଷ ଟୀକାକରଣ କରାଯାଇଛି ।

ଆସନ୍ତା ସପ୍ତାହ ସୁଦ୍ଧା ଉତ୍ତରପ୍ରଦେଶ ମହାରାଷ୍ଟ୍ରକୁ ଅତିକ୍ରମ କରିପାରେ, ଯାହା ଦେଶରେ ସର୍ବାଧିକ ସଂଖ୍ୟକ ଟିକା ପ୍ରୟୋଗ କରିବାରେ ଶୀର୍ଷରେ ରହିଛି । ୟୁପିରେ ଏପର୍ଯ୍ୟନ୍ତ ୨.୯୯ କୋଟି ଏବଂ ମହାରାଷ୍ଟ୍ରରେ ୩.୦୩ କୋଟି ଡୋଜ ଦିଆଯାଇଛି । ୟୁପିରେ ପ୍ରତିଦିନ ୭-୮ ଲକ୍ଷ ଲୋକଙ୍କୁ ଟିକା ଦିଆଯାଉଛି। ଯେତେବେଳେ କି, ମହାରାଷ୍ଟ୍ରରେ ଏହି ସଂଖ୍ୟା ପ୍ରତିଦିନ ୫ ଲକ୍ଷ ରହିଛି । ରାଜସ୍ଥାନ ସରକାର କହିଛି ଯେ, ଯଦି ପର୍ଯ୍ୟାପ୍ତ ଟିକା ଯୋଗାଯାଏ ତେବେ ସେମାନେ ପ୍ରତିଦିନ ୧୫ ଲକ୍ଷ ଲୋକଙ୍କୁ ଟିକା ଦେଇପାରିବେ।

ଅଫ୍‌ଲାଇନ୍‌ରେ ଟିକା ପାଇବା ଆଶାରେ ଟିକାକରଣ କେନ୍ଦ୍ରରେ ପ୍ରବଳ ଭିଡ଼: ପହଞ୍ଚିଲା ପୋଲିସ..

ଆରଡି: କରୋନା ଟିକାକରଣ କେନ୍ଦ୍ରରେ ବିଶୃଙ୍ଖଳା । ସ୍ୱାସ୍ଥ୍ୟକେନ୍ଦ୍ରରେ କୋଭିଡ ଟିକାକରଣ ଆରମ୍ଭରୁ ଦେଖାଦେଇଛି ବିଶୃଙ୍ଖଳା । ୧୮-୪୪ ବର୍ଗ ଲୋକଙ୍କ ଟିକାକରଣ ନେଇ ଗତକାଲି ସନ୍ଧ୍ୟାରେ ଜିଲା ପ୍ରଶାସନ ପକ୍ଷରୁ ଟ୍ୱିଟ୍ ମାଧ୍ୟମରେ ଜଣାଯାଇଥିଲା। ଏପରିକି ସ୍ଳଟ୍ ବୁକିଂ କରିଥିବା ଲୋକଙ୍କୁ ଟିକା ଦେବା ପାଇଁ ମେଡିକାଲ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ହେଲେ କିଛିଦିନ ତଳେ କେତେକ ଲୋକଙ୍କୁ ଅଫଲାଇନରେ ଟିକା ଦିଆଯାଇଥିବାରୁ ଏପରି ଆଶା ନେଇ ଶତାଧିକ ଲୋକ କୋଭିଡ କଟକଣା ଉଲଂଘନ କରି ମେଡିକାଲ ମଧ୍ୟକୁ ଠେଲାପେଲା ହୋଇ ପଶିଥିଲେ । ଏପରି ଲୋକମାନଙ୍କର ହୋହଲ୍ଲା ଓ ବିଶୃଙ୍ଖଳ ଆଚରଣ ପାଇଁ ଦୀର୍ଘସମୟ ଧରି ଟିକାକରଣ କାର୍ଯ୍ୟକୁ ବନ୍ଦ ରଖିଥିଲେ ମେଡିକାଲ କର୍ତ୍ତୃପକ୍ଷ । ପୋଲିସର ହସ୍ତକ୍ଷପ ପରେ ପୁନର୍ବାର ଟିକାକରଣ କାର୍ଯ୍ୟ ଚାଲିଥିଲା। ତେବେ କିଛି ଗରୀବ ଶ୍ରେଣୀର ଲୋକଙ୍କ ପାଖରେ ସ୍ମାର୍ଟ ଫୋନ୍ ସୁବିଧା ନଥିବାରୁ ସେମାନେ ଅନ୍‌ଲାଇନ୍ ମାଧ୍ୟରେ ସ୍ଳଟ୍ ବୁକ୍ କରିବା ସମ୍ଭବପର ନୁହେଁ । ଏଣୁ ସେମାନଙ୍କ ପାଇଁ ଅଫ୍ ଲାଇନ୍‌ରେ ଆଧାରକାର୍ଡ ପ୍ରମାଣ ଭାବେ ଭିତ୍ତିକରି ଟିକା ପ୍ରଦାନ ନେଇ ଦାବି ହୋଇଛି ।

ଏଥିସହିତ ପଢ଼ନ୍ତୁ: ଡେଲ୍ଟା ପ୍ଳସ୍ ଭ୍ୟାରିଆଣ୍ଟକୁ ନେଇ ବିଶେଷଜ୍ଞଙ୍କ ଆଶ୍ୱସ୍ତିକର ମତ: ଜାଣନ୍ତୁ କ’ଣ କହିଲେ..

ଦ୍ୱିତୀୟ ଲହର ଭଳି ଭୟଙ୍କର ହେବ ନାହିଁ ତୃତୀୟ ଲହର : ICMR ଅଧ୍ୟୟନ

ନୂଆଦିଲ୍ଲୀ: ଦେଶରେ କରୋନାର ଦ୍ୱିତୀୟ ଲହର ଥମିବାର କିଛି ସମୟ ପରେ ଏବେ ତୃତୀୟ ଲହରକୁ ନେଇ ଆଶଙ୍କା କରଯାଉଛି । ନିକଟରେ ପ୍ରକାଶିତ କରୋନାର ଡେଲଟା ପ୍ଲସ୍ ଭାରିଆଣ୍ଟ ଚିନ୍ତା ବଢାଇଛି । ବିଶେଷଜ୍ଞମାନେ କହିଛନ୍ତି ଯେ ଯଦି ତୃତୀୟ ଲହର ଆସେ ତେବେ ଏହାର ମୁଖ୍ୟକାରକ ଭାବେ ଡେଲଟା ପ୍ଲସ୍ ଭାରିଆଣ୍ଟ କାର୍ଯ୍ୟ କରିପାରେ । ଏଭଳି ପରିସ୍ଥିତିରେ, ICMR ଭାରତରେ COVID-19 ର ତୃତୀୟ ଲହରର ସମ୍ଭାବନା ଉପରେ ଏକ ଅଧ୍ୟୟନ ପ୍ରକାଶ କରିଛି ।

ଅଧ୍ୟୟନରେ କୁହାଯାଇଛି ଯେ, ଯଦି କରୋନାର ତୃତୀୟ ଲହର ଦେଶକୁ ଆସେ, ତେବେ ଏହା ଦ୍ୱିତୀୟ ଲହର ଭଳି ଭୟଙ୍କର ହେବ ନାହିଁ। ତଥାପି, ଟୀକାକରଣର ଦ୍ରୁତ ବୃଦ୍ଧି କେବଳ କରୋନା ନୁହେଁ ଭବିଷ୍ୟତରେ ଅନ୍ୟ ଲହରକୁ ହ୍ରାସ କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ । ଅଧ୍ୟୟନରେ ତୃତୀୟ ଲହରର ସମ୍ଭାବନା ବିଷୟରେ ଆଲୋଚନା କରି କୁହାଯାଇଛି ଯେ ଏହି ତୃତୀୟ ଲହର ସମୟରେ ରୋଗ ପ୍ରତିରୋଧକ ଶକ୍ତି ସମୟ ସହିତ ହ୍ରାସ ହୋଇପାରେ। ଏପରି ପରିସ୍ଥିତିରେ, ଯେଉଁମାନେ ସଂକ୍ରମିତ ହୋଇସାରିଛନ୍ତି, ସେମାନେ ହିଁ ପୁଣି ଥରେ ସଂକ୍ରମିତ ହୋଇପାରନ୍ତି ।

ଏହାସହ, ଆଇସିଏମଆର ଦ୍ୱାରା କରାଯାଇଥିବା ଅନ୍ୟ ଏକ ଅଧ୍ୟୟନରୁ ଜଣାପଡିଛି ଯେ ଭାରତରେ କୋଭିଡ -19 ଦ୍ୱିତୀୟ ଲହର ସମୟରେ ଗର୍ଭବତୀ ମହିଳାମାନେ ଅଧିକ ପ୍ରଭାବିତ ହୋଇଥିଲେ। ଚଳିତ ବର୍ଷ ମୃତ୍ୟୁ ହାର ଏବଂ ସଂକ୍ରମିତ ରୋଗୀଙ୍କ ସଂଖ୍ୟା ମଧ୍ୟ ଯଥେଷ୍ଟ ବୃଦ୍ଧି ପାଇଛି। ଏଭଳି ପରିସ୍ଥିତିରେ ଆଇସିଏମଆରର ମହାନିର୍ଦ୍ଦେଶକ (ଡିଜି) ଡକ୍ଟର ବଳରାମ ଭାର୍ଗବ କହିଛନ୍ତି ଯେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ନିର୍ଦ୍ଦେଶାବଳୀ ଅନୁସାରେ ଗର୍ଭବତୀ ମହିଳାଙ୍କୁ ଟୀକାକରଣ କରାଯାଇପାରିବ। ତେଣୁ ଗର୍ଭବତୀ ମହିଳାମାନଙ୍କ ପାଇଁ ଟୀକାକରଣ ଉପଯୋଗୀ ଏବଂ ଏହାକୁ ଦିଆଯିବା ଉଚିତ୍ |

ସୂଚନା ଯୋଗ୍ୟ ଯେ, ଏପ୍ରିଲ-ମେ ମାସରେ, କରୋନାର ଦ୍ୱିତୀୟ ଲହର ଦେଶରେ ଭୟଙ୍କର ପରିସ୍ଥିତି ସୃଷ୍ଟି କରିଛି । ଏହି ସମୟରେ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ସବୁ ରେକର୍ଡ ଭାଙ୍ଗିଛି। ଯଦିଓ ବର୍ତ୍ତମାନ ଦୈନନ୍ଦିନ ମାମଲା ହ୍ରାସ ପାଇବା ପରେ ସରକାର ତୃତୀୟ ଲହର ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ସରକାର ଯଥାଶୀଘ୍ର ଅଧିକରୁ ଅଧିକ ଲୋକଙ୍କୁ ଟୀକାକରଣ କରିବାକୁ ଚେଷ୍ଟା କରୁଛନ୍ତି।

 

ସହକାରୀ ନିର୍ବାହ ଯନ୍ତ୍ରୀ କାର୍ଯ୍ୟାଳୟ କର୍ମଚାରୀଙ୍କ କିରୋସିନି ଢାଳି ଆତ୍ମହତ୍ୟା ଉଦ୍ୟମ

ବାସୁଦେବପୁର: ଜଳସମ୍ପଦ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ଏନ୍‌ଏମ୍‌ଆର ଦିବାକର ଦାସଙ୍କ ଆତ୍ମହତ୍ୟା ଉଦ୍ୟମ । କିରୋସିନି ଢାଳି ଆତ୍ମହତ୍ୟା ଉଦ୍ୟମ କରିଥିଲେ ଦିବାକର । ପୋଲିସ ପହଞ୍ଚି ତାଙ୍କୁ ଉଦ୍ଧାର କରିଛି । ଶନିବାର ଜଳସମ୍ପଦ ବିଭାଗର ବାଲେଶ୍ୱର ନିର୍ବାହୀ ଯନ୍ତ୍ରୀ କାମ ଦେଖିବାକୁ ବାସୁଦେବପୁର କାର୍ଯ୍ୟାଳୟରେ ପହଞ୍ଚି ସାଇଡ୍ କାମ ସମ୍ପର୍କରେ ଅଲୋଚନା କରୁଥିବା ବେଳେ ପୂର୍ବରୁ ପ୍ରସ୍ତୁତ ଥିବା ଏନ୍‌ଏମ୍‌ଆର ଆତ୍ମହତ୍ୟା ଉଦ୍ୟମ କରିଥିଲେ । ଏନ୍‌ଏମ୍‌ଆର ଦିବାକର ଦାସ ପାଞ୍ଚ ବର୍ଷ ଦରମା ପାଇନଥିବାରୁ ସେ ଆତ୍ମହତ୍ୟା ଉଦ୍ୟମ କରିଥିବା କହିଛନ୍ତି । ସେ ଆହୁରି କହିଛନ୍ତି ବହୁ ଆଗରୁ ଆମରଣଅନଶନ କରି ଉଚ୍ଚ ପଦସ୍ଥ ଅଧିକାରୀଙ୍କ ଠାରୁ ପ୍ରତିଶ୍ରୁତି ପାଇ ଓହରି ଯାଇଥିଲେ । ତାଙ୍କ ସହିତ ଅନ୍ୟ ଦୁଇ କର୍ମଚାରୀ ଅବସର ନେଲେଣି । ଚାକିରିର ସ୍ଥାୟୀତ୍ୱ ଓ ୫ ବର୍ଷର ଦରମା ପ୍ରଦାନ କରିବାକୁ ଦୃଷ୍ଟି ଆକର୍ଷଣ କରିଥିଲେ । ଅଧିକାରୀ କୌଣସି କଥା ନଶୁଣିବାରୁ ବାଧ୍ୟ ହୋଇ ଆତ୍ମହତ୍ୟାର ଧମକ ଦେଇଥିଲେ । ଆଜି ଠିକ ୧୦ ବେଳେ ଏନ୍ଏମ୍‌ଆର ଦିବାକର ଦାସ ଏକ କିରୋସିନି ଜାର୍‌ ଆଣି ଢାଳିବାକୁ ଲାଗିଥିଲେ । ଏହି ସମୟରେ ସେଠାରେ ଉପସ୍ଥିତ ପୋଲିସ ଜାର୍‌ ସହ ଦିବାକରଙ୍କୁ କାବୁ କରି ଥାନାକୁ ନେଇଯାଇଥିଲେ । ଅପରପକ୍ଷରେ ନିର୍ବାହୀ ଯନ୍ତ୍ରୀ ଜଣଙ୍କ ତାଙ୍କ ଫାଇଲ୍ ପଠାଯାଇଥିବା କହିଛନ୍ତି ।

ବାସ୍ତୁ ଟିପ୍ସ: ଜାଣନ୍ତୁ ଘର କାନ୍ଥରେ ଘଡ଼ି ଲଗାଇବାର ସଠିକ୍ ବିଧି

ବାସ୍ତୁ ଅନୁସାରେ ଘରେ ରହୁଥିବା ପ୍ରତ୍ୟେକ ଜିନିଷ ଭିତରେ କିଛି ସକାରାତ୍ମକ ଓ ନକାରାତ୍ମକ ଉର୍ଜ୍ଜା ରହିଥାଏ | ଯଦି ଏହି ସବୁ ଜିନିଷକୁ ସଠିକ ସ୍ଥାନ ବା ସଠିକ ଦିଗରେ ରଖାନଯାଏ, ତେବେ ଏହାର ନକରାତ୍ମକ ଊର୍ଜାର ପ୍ରଭାବ ଆମ ଜୀବନରେ ପଡିଥାଏ | ସେଭଳି କି ହିଁଁ ଏକ ଜିନିଷ ହେଉଛି ଘଡ଼ି। ଘଡ଼ି, ଯାହାକୁ ଆମେ ପ୍ରତିଦିନ ଦେଖିଥାଉ | କିନ୍ତୁ କେବେ ଆମେ ଭାବିନୁ ଯେ ଏହି ଘଡି ଆମର ଖରାପ ସମୟକୁ ପରିବର୍ତନ କରି ଭଲ ସମୟ ଆଣି ଦେବାରେ ଆମକୁ ସାହାଯ୍ୟ କରିପାରିବ |

ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ଯେ , କେମିତି ଘଡିକୁ ସଠିକ ଦିଗରେ ଲଗେଇଲେ , ଆପଣଙ୍କ ଜୀବନକୁ ସଠିକ ମାର୍ଗ ପ୍ରଦାନ କରିବାରେ ଏହା ସହାୟକ ହୋଇଥାଏ | ବାସ୍ତୁଶାସ୍ତ୍ର ଅନୁଯାୟୀ ଘଡି ଗୋଲ କିମ୍ବା ଅଣ୍ଡା ଆକୃତିର ହେଲେ ଏହାକୁ ଶୁଭ ବୋଲି କୁହାଯାଏ | ଆଜିକାଲି ଦେଖାଯାଉଛି , ବଜାରରେ ବିଭିନ୍ନ ଡିଜାଇନ୍ ର ଘଡି ବିକ୍ରି ହେଇଥାଏ | ଯେଉଥିରେ ଘରର ସଦଶ୍ୟ ଓ ଭଗବାନ ର ଫୋଟୋ ମଧ୍ୟ ଲଗା ଯାଇଥାଏ | କିନ୍ତୁ ଘଡିରେ ସଦସ୍ୟଙ୍କ ଫଟୋ କିମ୍ବା ଭଗବାନ ଙ୍କ ଫଟୋ ଲଗେଇବା ଉଚିତ ନୁହେଁ | ଏହା ଲଗାଇବା ଦ୍ଵାରା ଘରେ ଥିବା ସଦସ୍ୟମାନଙ୍କ ଜୀବନ ଉପରେ ସମୟର ଖରାପ ପ୍ରଭାବ ପଡିଥାଏ | ଭଗବାନଙ୍କ ଫଟୋକୁ ଭୁଲରେ ବି ଘଡିରେ ଲଗାନ୍ତୁ ନାହିଁ | କାହିଁକି ନା ଭଗବାନଙ୍କ ଫୋଟୋରେ ଦୀପ, ଧୂପ , ଧୂପକାଠି ଦେଇ ପୂଜାର ଆବଶ୍ୟକତା ପଡିଥାଏ | କିନ୍ତୁ ଘଡ଼ି ବହୁ ଦିନ ପର୍ଯ୍ୟନ୍ତ ସଫା ହେଉ ନ ଥାଏ | ଯାହାଦ୍ୱାରା ଭଗବାନଙ୍କୁ ଅପମାନ ହୋଇଥାଏ | ସେଥିପାଇଁ ବାସ୍ତୁଶାସ୍ତ୍ର ଆନୁଯାୟୀ ଏହିଭଳି ଘଡିକୁ ଅଶୁଭ ମନାଯାଏ | ତେଣୁ ଘଡିକୁ ସର୍ବଦା ସଫା ରଖିବା ଦରକାର | ଯାହା ଦ୍ଵାରା ଆପଣଙ୍କ ଜୀବନ ବି ଘଡି ପରି ଉଜ୍ଜଳମାନ ହୋଇଥାଏ |
ସେହିପରି ପୁରୁଣା ଘଡି, ବନ୍ଦ ରହିଥିବା ଘଡି, ଧୁଳି ଲାଗିଥିବା ଘଡି କୁ ଘରେ ରଖିବା ଉଚିତ ନୁହେଁ | ଏହା ରଖିବା ଦ୍ଵାରା ଆପଣଙ୍କ ଜୀବନରେ ଦାରିଦ୍ରତା ଗ୍ରାସ କରିଥାଏ | ଆଉ ମଧ୍ୟ ଘଡିକୁ କେବେ ଯିବାଆସିବା ବାଟରେ ଲଗେଇବା ଉଚିତ ନୁହେଁ | ଏହା ଲଗେଇବା ଦ୍ଵାରା ଆପଣଙ୍କ ଯାତ୍ରା ରେ ଅଶୁଭ ଘଟିଥାଏ |
ଘଡିର ସମୟକୁ କେବେ ପଛକୁ ରଖିବା କଥା ନୁହେଁ | ସର୍ବଦା ୫ , ୧୦ ମିନିଟ ଆଗକୁ ରଖିବା କଥା , ଏହା କରିବା ଦ୍ଵାରା ଆପଣଙ୍କ ଭାଗ୍ୟରେ କାଳ ଚକ୍ରର ଖରାପ ପ୍ରଭାବ ପଡି ନ ଥାଏ | ଆହୁରି ମଧ୍ୟ ଘଡିକୁ ଦକ୍ଷିଣ ଦିଗରେ ଲଗେଇବା ଉଚିତ ନୁହେଁ | ଦକ୍ଷିଣ ଦିଗ ଅର୍ଥାତ କାଳ ବା ଯମର ଦିଗ ବୋଲି କୁହାଯାଏ | ତେଣୁ ଘଡିକୁ ମୁଖ୍ୟ ଦ୍ଵାର ଅର୍ଥାତ ପୂର୍ବ , ଉତ୍ତର ଦିଗରେ ଲଗେଇବା ଉଚିତ | ଏ ଥିଲା ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ ଘଡ଼ି ଲଗାଇବାର ବିଧି ।

ଏଥିସହିତ ପଢ଼ନ୍ତୁ: କରୋନା ଟିକା ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ନିଆରା ସଚେତନତା

ବିବାହ ଅଧାରୁ ବେଦୀରୁ ଉଠିଗଲା କନ୍ୟା ! ଆଉ ତାପରେ…

ମହୋବା: ୟୁପିରେ ମହୋବାରେ ବିବାହ ଭାଙ୍ଗିବାକୁ ନେଇ ଏକ ସମ୍ବେଦନଶୀଳ ଘଟଣା ସାମ୍ନାକୁ ଆସିଛି । ଆଶ୍ଚର୍ଯ୍ୟର କଥା ହେଉଛି, ବର ବାଟବରଣୀ, ବରଣ ମାଳା ଏବଂ ବୈଦ୍ୟ ରୀତିନୀତି ପରେ ସାତ ଘେରା  ମାରିବା ସମୟରେ ବିବାହ କରିବାକୁ ମନା କରିଦେଇଥିଲା କନ୍ୟା । ସୂଚନା ଅନୁସାରେ ୬ ଘେରା ନେବା ପରେ କନ୍ୟା ବିବାହ କରିବାକୁ ମନା କରିଦେଇଥିଲା । ଏହାପରେ ଉତ୍ତେଜନା ଆରମ୍ଭ ହୋଇଥିଲା । ଏବଂ ରାତିରେ ପଞ୍ଚାୟତ ଡକାଯାଇଥିଲା, କିନ୍ତୁ ସମସ୍ତ ଉଦ୍ୟମ ପରେ ମଧ୍ୟ ବରଯାତ୍ରୀଙ୍କୁ ଫେରିବାକୁ ପଡିଥିଲା। ଘଟଣାଟି ଏବେ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।

ସୂଚନା ଅନୁସାରେ, ଗୁରୁବାର ଦିନ ଉତ୍ତରପ୍ରଦେଶର ମହୋବା ସ୍ଥିତ ଗୋଟିଏ ଗାଁରୁ ବରଯାତ୍ରୀ ଆସିଥିଲା। ଏହି ସମୟ ମଧ୍ୟରେ, କନ୍ୟା ପକ୍ଷ ଏହି ବରଯାତ୍ରୀଙ୍କର ଉତ୍ସାହଜନକ ସ୍ୱାଗତ କରିବା ପରେ ବରଯାତ୍ରୀ ଖାଇଥିଲେ । ଏହି ସମୟରେ, ବାଟବରଣୀ ଏବଂ ଜୟମାଳା ରୀତିନୀତି ଆରମ୍ଭ କରାଯାଇଥିଲା । ସବୁ ରୀତିନୀତି ସୁରୁଖୁରୁରେ ସରିବା ପରେ ବେଦୀ ଚାରିପଟେ ସାତ ଘେରା କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା, କିନ୍ତୁ କନ୍ୟା ୬ ଘେରା ମାରିବା ପରେ ବିବାହ କରିବାକୁ ମନା କରିଦେଇଥିଲା । ଏହି ସମୟରେ ଯେତେବେଳେ ପରିବାର ସଦସ୍ୟ କନ୍ୟାକୁ ଏହାର କାରଣ ପଚାରିଥିଲେ, ସେ କହିଥିଲେ, ‘ମୋତେ ବର ପସନ୍ଦ ଆସୁନାହିଁ ।

ରାତି ଅଧରେ ପଞ୍ଚାୟତ ବସିଥିଲା

ତେବେ ବରର ମା ଏବଂ ବାପା ତାଙ୍କୁ ସପ୍ତମ ରାଉଣ୍ଡ ମନା କରିବାର କାରଣ ପଚାରିଥିଲେ, ସେ କହିଥିଲେ ଯେ ମୁଁ ବରକୁ ପସନ୍ଦ କରେ ନାହିଁ, ତେଣୁ ମୁଁ ବିବାହ କରିବି ନାହିଁ। ଯଦିଓ ଏହା ପରେ ଉଭୟ ପକ୍ଷର ଲୋକମାନେ କନ୍ଯାକୁ ଅନେକ ଘଣ୍ଟା ଧରି ବୁଝାଉଥିଲେ, କିନ୍ତୁ ସେ କାହା କଥା ଶୁଣି ନଥିଲେ । ଏହା ପରେ ମଧ୍ୟରାତ୍ରିରେ ସମସ୍ତଙ୍କ ଉପସ୍ଥିତିରେ ପଞ୍ଚାୟତ ବସିଥିଲା । ତଥାପି କନ୍ୟା ତା ଜିଦରେ ଅଟଳ ରହିଥିଲେ। ଏହି ସମୟରେ ବିବାଦକୁ ନେଇ ବରର ବାପା କହିଥିଲେ ଯେ ଯେତେବେଳେ ବିବାହକୁ ନକରିବ ତେବେ ଜୟମଲଙ୍କ ଏବଂ ଅନ୍ୟ ବୈଦ୍ୟ ରୀତିନୀତି କାହିଁକି କରାଯାଇଥିଲା? ତେବେ କିଛି ସମୟ ପରେ ଉଭୟ ପକ୍ଷ ମଧ୍ୟରେ ପାରସ୍ପରିକ ଚୁକ୍ତି ହୋଇଥିଲା ଏବଂ ବରଯାତ୍ରୀ ଖାଲି ହାତରେ ଫେରି ଆସିଥିଲା। ଯଦିଓ ଏନେଇ ବର ଓ ବରର ପକ୍ଷ ପୋଲିସ ଷ୍ଟେସନରେ କୌଣସି ରିପୋର୍ଟ ଲେଖି ନାହାଁନ୍ତି।

ଡେଲ୍ଟା ପ୍ଳସ୍ ଭ୍ୟାରିଆଣ୍ଟକୁ ନେଇ ବିଶେଷଜ୍ଞଙ୍କ ଆଶ୍ୱସ୍ତିକର ମତ: ଜାଣନ୍ତୁ କ’ଣ କହିଲେ..

ଭୁବନେଶ୍ୱର: ଡେଲଟା ପ୍ଲସ୍ ଭ୍ୟାରିଆଣ୍ଟ ଵିଶେଷ ଘାତକ ନୁହେଁ । ଯଦି ଘାତକ ହୋଇଥାନ୍ତା ତେବେ ଏହା ଦେବଗଡ଼ ଜିଲ୍ଲାରେ ବ୍ୟାପୀ ସାରିଥାନ୍ତା । ମାତ୍ର ଆମକୁ ସତର୍କ ରହିବାକୁ ପଡ଼ିବ । ଯେହେତୁ ସେ ସୁସ୍ଥ ହୋଇ ସାରିଛନ୍ତି ବର୍ତ୍ତମାନ କୌଣସି କଣ୍ଟାକଟ ଟ୍ରେସିଂର ଆବଶ୍ୟକତା ନାହିଁ । ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍ ଲାଇଫ୍ ସାଇନ୍ସ (ଆଇଏଲ୍‌ଏସ୍‌)ରେ ଜାନୁଆରୀରୁ ଜେନମ ସିକ୍ୟୁଏନିସିଂ କରଯାଇଥିଲା । ଓଡ଼ିଶା, ବିହାର, ଛତିଶଗଡ଼, ଝାଡ଼ଖଣ୍ଡ ଭଳି ୪ ରାଜ୍ୟରୁ ୩୮୦୦ ସାମ୍ପୁଲ ଜେନମ ସିକ୍ୟୁଏନିସିଂ ପାଇଁ ସଂଗ୍ରହ କରାଯାଇ ଥିଲା । ସେ ମଧ୍ୟରୁ ଓଡ଼ିଶାରୁ ୧୧୦୦ ସାମ୍ପୁଲ ସଂଗ୍ରହ ହୋଇଥିଲା । ଯେଉଁଥିରୁ ମାତ୍ର ଗୋଟିଏ ଡେଲଟା ପ୍ଲସ୍ ସଂକ୍ରମିତ ଚିହ୍ନଟ ହୋଇଥିଲେ । ସମଗ୍ର ଦେଶରୁ ୪୬ ହଜାର ସାମ୍ପୁଲ ସଂଗ୍ରହ କରାଯାଇ ଥିଲା ସେଥି ମଧ୍ୟରୁ ୪୮ ଟି କେସ ସାମ୍ନାକୁ ଆସିଛି ଯାହା ମାତ୍ର ୦.୦୧ ପ୍ରତିଶତ । ଆଗାମୀ ଦିନରେ ଏହା କେତେ ପ୍ରଭାବ ରଖିବ ତାହା ଉପରେ ରିସର୍ଚ୍ଚ ଚାଲିଛି । ମାତ୍ର ଆମକୁ ସତର୍କ ହୋଇ ରହିବାକୁ ପଡ଼ିବ । ଯଦି ଆମେ ସତର୍କ ନ ରହିବା ତେବେ ଭାଇରକୁ ଆମେ ଆମନ୍ତ୍ରଣ କରିବା ଭଳି ହେବ । ଅନଲକ ହେବା ପରେ ସମସ୍ତେ ନିୟମ ମାନନ୍ତୁ । ଅମାନିଆ ହେବା ଆମ ପାଇଁ ବିପଦ ସୃଷ୍ଟି କରି ପାରେ ବୋଲି ଆଇଏଲ୍‌ଏସ୍ ନିର୍ଦ୍ଦେଶକ ଅଜୟ ପରିଡ଼ା କହିଛନ୍ତି ।

ଭ୍ୟାକ୍ସିନ ନେବା ପରେ କେତେ ଲୋକ ସଂକ୍ରମିତ ହେଇଛନ୍ତି ତାହାର ତର୍ଜମା ଚାଲିଛି । ରାଜ୍ୟ ସରକାର ଗଠନ କରିଥିବା କମିଟିର ପ୍ରଥମ ବୈଠକ ଶେଷ ହୋଇଛି । ସେଥିରେ ସମସ୍ତ ଜିଲ୍ଲାମାନଙ୍କୁ ରିପୋର୍ଟ ମଗାଯାଇଛି । ଆସନ୍ତା ସପ୍ତାହରେ ଦ୍ୱିତୀୟ ବୈଠକ ବସିବ । ସମସ୍ତ ଡାଟାକୁ ବିଶ୍ଳେଷଣ କରିବା ପରେ ସେ ଦିଗରେ ଅଧିକ ଆଲୋଚନା କରାଯିବ ବୋଲି ଶ୍ରୀ ପରିଡ଼ା ସୂଚିତ କରିଛନ୍ତି ।

ଏଥିସହିତ ପଢ଼ନ୍ତୁ: କରୋନା ଟିକା ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ନିଆରା ସଚେତନତା