spot_img
Home Blog Page 5431

ଗୁଣ୍ଡିଚା ମନ୍ଦିରରେ ୩ ରଥ ପହଞ୍ଚିବା ପରେ ଆଜି ଚତୁର୍ଦ୍ଧାମୂର୍ତ୍ତିଙ୍କ ହେବ ଆଡ଼ପ ମଣ୍ଡପ ବିଜେ

ପୁରୀ: ଶରଧାବାଲିରେ ତିନି ରଥ। ରଥ ଉପରେ ରଥାରୂଢ ହୋଇ ଦର୍ଶନ ଦେଉଛନ୍ତି ମହାବାହୁ। ଆଜି ରଥା ରୂଢ ଚତୁର୍ଦ୍ଧା ମୁରତିଙ୍କ ହେବ ଆଡପ ମଣ୍ଡପ ବିଜେ ନୀତି। ଗୋଟି ପହଣ୍ଡିରେ ଆଡ଼ପ ମଣ୍ଡପକୁ ବିଜେ କରିବେ ଚତୁର୍ଦ୍ଧା ମୂରତି। ରଥ ଉପରେ ମହାପ୍ରଭୁଙ୍କ ଦୈନନ୍ଦିନ ନୀତି କାନ୍ତି ଅନୁଷ୍ଠିତ ହୋଇ ସନ୍ଧ୍ୟା ଧୂପ ନୀତି ଶେଷ ପରେ ଆଡପ ମଣ୍ଡପ ବିଜେ ନୀତି ସମ୍ପାଦନ କରିବେ ସେବାୟତ। ସକାଳୁ ମହାପ୍ରଭୁଙ୍କର ସରିଛି ମଙ୍ଗଳ ଆଳତି। ଆଡ଼ପମଣ୍ଡପ ବିଜେ କରି ଜନ୍ମବେଦୀରେ ଲୀଳାଖେଳା କରିବେ ତିନି ଠାକୁର। ଗତକାଲି ଶାନ୍ତିଶୃଙ୍ଖଳା ସହ ଶେଷ ହୋଇଛି ମହାପ୍ରଭୁଙ୍କ ରଥଯାତ୍ରା।

ରଥ ଗୁଣ୍ଡିଚା ମନ୍ଦିରରେ ଲାଗିସାରିବା ପରେ ପୁରୀରେ ସାମାନ୍ୟ କୋହଳ ହେଲା କର୍ଫ୍ୟୁ

ପୁରୀ: ପୁରୀରେ ପ୍ରଶାସନ ପକ୍ଷରୁ ରଥଯାତ୍ରା ନିମନ୍ତେ କରାଯାଇଥିବା କର୍ଫ୍ୟୁ ରେ କୋହଳ। ଆଜି ସନ୍ଧ୍ୟା ୮ ଘଟିକା ପର୍ଯ୍ୟନ୍ତ ପୂର୍ବରୁ ଜାରି ଥିବା କର୍ଫ୍ୟୁ କଟକଣାକୁ ପ୍ରତ୍ୟାହାର।ତେବେ କୁମ୍ଭାରପଡା ସାହିର ମିଶ୍ର ଲେନ ଦେଇ ବଡଶଙ୍ଖରୁ ବାନାମ୍ବର ଛକ, ପୁରୁଣା ନବକଳେବର ରୋଡ ଦେଇ ବାନାମ୍ବର ଛକ ଠାରୁ ମାଟିଆପଡା ଛକ, ମାଟିଆପଡା ଛକ ଠାରୁ ଆଶୁତୋଷ ମଠ ଛକ, ଆଶୁତୋଷ ମଠ ଛକ ଠାରୁ ନୀଳକଣ୍ଠ ମନ୍ଦିର ଛକ, ନୀଳକଣ୍ଠ ମନ୍ଦିର ଛକ ଠାରୁ ବଡଶଙ୍ଖ ପର୍ଯ୍ୟନ୍ତ କର୍ଫ୍ୟୁ କଟକଣା ରହିବ।

ଆସନ୍ତା କାଲି ବୁଧବାର ସକାଳ ୬ ଘଟିକା ପର୍ଯ୍ୟନ୍ତ ବଳବତ୍ତର ରହିବ। ଶ୍ରୀ ଜୀଉ ମାନଙ୍କ ଆଡପ ମଣ୍ତପ ବିଜେ ପହଣ୍ତି ନିମନ୍ତେ ପ୍ରଶାସନ ପକ୍ଷରୁ ଏପରି ନିଷ୍ପତ୍ତି ନିଆଯାଇଛି। ଏହି ସମୟ ମଧ୍ୟରେ ଉକ୍ତ ଅଞ୍ଚଳରେ ସମସ୍ତ ଦୋକାନ ଓ ବଜାର, ଔଷଧ ଦୋକାନ, ବାଣିଜ୍ୟିକ ପ୍ରତିଷ୍ଠାନ, କାର୍ଯ୍ୟାଳୟ ବନ୍ଦ ରହିବ। ସାଧାରଣ ଲୋକଙ୍କ ଚଳପ୍ରଚଳ ଉପରେ କଟକଣା ଜାରି କରାଯାଇଛି। କେବଳ ସ୍ୱୀକୃତିପ୍ରାପ୍ତ ଏବଂ ଅତ୍ୟାବଶ୍ୟକୀୟ ସାମଗ୍ରୀ ବହନ କରିଥିବା ଗାଡିକୁ ଛାଡିଦେଲେ ଅନ୍ୟଗାଡି ଗୁଡିକ ଯିବା ଆସିବା ଉପରେ ମଧ୍ୟ ଏହି କଟକଣା ବଳବତ୍ତର ରହିବ। ଏଥିନିମନ୍ତେ ସହଯୋଗ କରିବାକୁ ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି।

ଜମି ପାଇଁ ଭାଇ ହେଲା ବଇରୀ, ସାନର ଠେଙ୍ଗା ମାଡ଼ରେ ବଡ଼ ମୃତ

କୋଣାର୍କ: ପୁରୀ ଜିଲ୍ଲା ନିମାପଡ଼ା ଥାନା ଅନ୍ତର୍ଗତ ଅଳନ୍ଧା ଗ୍ରାମରେ ହତ୍ୟାକାଣ୍ଡ ଘଟିଛି । ଜମିବାଡ଼ି ବିବାଦକୁ କେନ୍ଦ୍ର କରି ବଡ଼ ଭାଇକୁ ହତ୍ୟା କରିଛି ସାନ ଭାଇ । ସାନ ଭାଇର ଠେଙ୍ଗା ମାଡ଼ରେ ବଡ଼ ଭାଇର ମୃତ୍ୟୁ ହୋଇଛି । ଦୀର୍ଘ ଦିନ ହେଲା ଗାଁର ଜିତେନ୍ଦ୍ର ପ୍ରଧାନ ଓ ସାନଭାଇ ରବୀନ୍ଦ୍ର ପ୍ରଧାନଙ୍କ ମଧ୍ୟରେ ଜମିଜମା ବିବାଦ ଲାଗିରହିଥିଲା । ଏହାକୁ ନେଇ ଆଜି ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା ।

ଏଥିରେ ଉତକ୍ଷିପ୍ତ ହୋଇ ରବୀନ୍ଦ୍ର ବଡ଼ଭାଇକୁ ଏକ ଠେଙ୍ଗାରେ ମାଡ଼ ମାରିଥିଲେ । ଜିତେନ୍ଦ୍ର ଅଚେତ ହେବାପରେ ତାଙ୍କୁ ନିମାପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା । ତେବେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି । ଜିତେନ୍ଦ୍ରଙ୍କ ପତ୍ନୀଙ୍କ ଅଭିଯୋଗ କ୍ରମେ ନିମାପଡ଼ା ପୋଲିସ ଅଭିଯୁକ୍ତ ରବୀନ୍ଦ୍ରକୁ ଗିରଫ କରିଛି । ଜିତେନ୍ଦ୍ରଙ୍କ ମୃତଦେହ ବ୍ୟବଚ୍ଛେଦ ପାଇଁ ଚାରିଛକ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଯାଇଛି ।

ଉତ୍ତର-ପୂର୍ବ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: କରୋନା ସ୍ଥିତି ନେଇ ଆସନ୍ତାକାଲି ମଙ୍ଗଳବାର ଉତ୍ତର-ପୂର୍ବ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆସାମ, ନାଗାଲାଣ୍ଡ, ତ୍ରିପୁରା, ସିକ୍କିମ, ମଣିପୁର, ମେଘାଳୟ, ଅରୁଣାଚଳ ପ୍ରଦେଶ ଓ ମିଜୋରାମ ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀ ଆଲୋଚନା କରିବେ । ଏସବୁ ରାଜ୍ୟରେ କରୋନା ସ୍ଥିତିରେ ସୁଧାର ଆସୁଥିବା ବେଳେ ଦିନ ୧୧ଟାରେ ମୁଖ୍ୟମନ୍ତ୍ରୀମାନଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ ।

ସଂକ୍ରମିତଙ୍କ ସଂଖ୍ୟା କମୁଥିବା ବେଳେ ମୃତ୍ୟୁ ସଂଖ୍ୟା ବି କମିବାରେ ଲାଗିଛି । ଆଗାମୀ ଦିନରେ କଣ ରହିବ ରଣନୀତି ସେ ନେଇ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ ମୋଦି । ଏଥିସହ ସମ୍ଭାବ୍ୟ ତୃତୀୟ ଲହର ନେଇ ମଧ୍ୟ ଆଲୋଚନା ହୋଇପାରେ । ଦେଶରେ କରୋନା ସ୍ଥିତି ନେଇ ଏହା ପୂର୍ବରୁ ଅନେକ ଥର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିସାରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ମଙ୍ଗଳବାର ମାତ୍ର ୯୭ଟି କେନ୍ଦ୍ରରେ ଦିଆଯିବ କୋଭିଡ୍ ଟିକା

ଭୁବନେଶ୍ୱର: ଟିକା ସଂକଟ ଭିତରେ ଗତି କରୁଛି ଓଡ଼ିଶା । ରାଜ୍ୟରେ ହଜାରେରୁ ଅଧିକ ଟିକା କେନ୍ଦ୍ର ରହିଥିବା ବେଳେ ଆସନ୍ତାକାଲି ମଙ୍ଗଳବାର ରାଜ୍ୟର ମାତ୍ର ୯୭ଟି କେନ୍ଦ୍ରରେ ଦିଆଯିବ କୋଭିଡ୍ ଟିକା । ଅନ୍ୟ ସମସ୍ତ କେନ୍ଦ୍ରରେ କୋଭିଡ୍ ଟିକାକରଣ ବନ୍ଦ ରହିବ ।

Only 97 Covid Vaccination Centre Will Vacinate People Tomorrow

୧୫ଟି ଜିଲ୍ଲାର କୌଣସି କେନ୍ଦ୍ରରେ କୋଭିଡ୍ ଟିକା ଦିଆଯିବ ନାହିଁ । ଅନୁଗୁଳ, ବାଲେଶ୍ୱର, ଦେବଗଡ଼, ଢେଙ୍କାନାଳ, ଗଜପତି, ଝାରସୁଗୁଡ଼ା, କଳାହାଣ୍ଡି, କନ୍ଧମାଳ, କେନ୍ଦ୍ରାପଡ଼ା, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ନୟାଗଡ଼, ନୂଆପଡ଼ା ଓ ସମ୍ବଲପୁର ଜିଲ୍ଲାର କୌଣସି ସ୍ଥାନରେ ଟିକାକରଣ ହେବ ନାହିଁ ।

୧୨ ତାରିଖ ସନ୍ଧ୍ୟା ସୁଦ୍ଧା ରାଜ୍ୟରେ କୋଭିସିଲ୍ଡ ଟିକାର ୩ ଲକ୍ଷ ୪୯ ହଜାର ୯୩୦ ଡୋଜ୍ ମହଜୁଦ୍ ଥିବାବେଳେ କୋଭାକ୍ସିନ୍ ଟିକାର ୩ ଲକ୍ଷ ୯ ହଜାର ୫୩୦ ଡୋଜ୍ ରହିଛି ।

ମହାକାଶରୁ ଫେରିଲେ ରିଚାର୍ଡ ବ୍ରାନସନ୍ ଓ ଭାରତୀୟ ମହିଳା ସିରିସା

ନୂଆଦିଲ୍ଲୀ: ମହାକାଶରେ ମଜା ନେଇ ଫେରିଛନ୍ତି ବ୍ରିଟେନ ଉଦ୍ୟୋଗପତି ରିଚାର୍ଡ ବ୍ରାନସନ୍ । ଭର୍ଜିନ ଗାଲାକଟିକ୍‌ସର ମୁଖ୍ୟ ରିଚାର୍ଡ ବ୍ରାନସନ୍ ଓ ଅନ୍ୟ ୫ ଜଣ ରବିବାର ଅନ୍ତରୀକ୍ଷ ଅଭି‌ମୁଖେ ରୋମାଞ୍ଚକର ଯାତ୍ରା କରିଥିଲେ । ଏହି ଯାତ୍ରାର ସ୍ୱପ୍ନ ସତ ହୋଇଛି । ହେଲେ ଏହା ଭାରତ ପାଇଁ ଏକ ବଡ ଗର୍ବ । କାରଣ ଏମାନଙ୍କ ଭିତରେ ଥିଲେ ଭାରତୀୟ ମହିଳା ସିରିସା ବନ୍ଦଲା । କଳ୍ପନା ଚାୱଲା ଏବଂ ସୁନିତା ୱିଲିୟମ୍‌ସଙ୍କ ପରେ ତୃତୀୟ ଭାରତୀୟ ବଂଶୋଦ୍ଭବ ମହିଳାଭାବେ ମହାକାଶ ଯାତ୍ରା କରିଛନ୍ତି ସିରିସା ।

ଭର୍ଜିନ ଗାଲାକଟିକର ଯାତ୍ରୀବାହୀ ରକେଟ୍ ଭିଏସଏସ ୟୁନିଟ 22 ରବିବାର ସଂଧ୍ୟାରେ ନ୍ୟୁ ମେକ୍ସିକୋରୁ ଉଡାଣ ଆରମ୍ଭ କରିଥିଲା । ଏଥିରେ ସିରିସାଙ୍କ ସମେତ ମୋଟ ୫ ଜଣ ମହାକାଶଚାରୀ ମହାକାଶକୁ ଯାତ୍ରା କରିଥିଲେ । ଏଥିରେ ଦୁଇ ପାଇଲଟ୍ ଏବଂ ଚାରି ଜଣ ଯାତ୍ରୀ ଥିଲେ । ଭର୍ଜିନ୍ ଗାଲାକ୍ଟିକର ଏହି ମହାକାଶଯାନ ରାତି ପ୍ରାୟ ୯ ଟା ୨୦ରେ ସ୍ପେସପୋର୍ଟ ଆମେରିକାରେ ନିରାପଦରେ ଅବତରଣ କରିଥିଲା । ଏଥିରେ ସମସ୍ତ ଯାତ୍ରୀ ସୁରକ୍ଷିତ ଏବଂ ଖୁସି ଥିଲେ । ଲଞ୍ଚ ଠାରୁ ଆରମ୍ଭ କରି ଅବତରଣ ପର୍ଯ୍ୟନ୍ତ ସମୁଦାୟ ସମୟ ପ୍ରାୟ ୯୦ ମିନିଟ୍ ରହିଥିଲା ।

ଭିଏସଏସ ୟୁନିଟି ପ୍ରାୟ ଚାରି ମିନିଟ୍ ଯାଏ କକ୍ଷ୍ୟପଥରେ ରହିଥିଲା । ଏହି ସମୟରେ, ମହାକାଶଚାରୀମାନେ ଶୂନ୍ୟ ମାଧ୍ୟାକର୍ଷଣ ଶକ୍ତି ଅନୁଭବ କରିଥିଲେ | ମହାକାଶରେ ଥିବା ବେଳେ ୧୭ଟି ଝରକାରୁ ପୃଥିବୀର ଆକୃତି ମଧ୍ୟ ଦେଖିଥିଲେ । ତେବେ ମହାକାଶକୁ ଯିବାର ଲକ୍ଷ ହେଉଛି ମହାକାଶ ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବା। ଯେଉଁଥିପାଇଁ ୬୦୦ରୁ ଅଧିକ ଲୋକ ଅପେକ୍ଷା କରିଛନ୍ତି । ଭିର୍ଜିନ୍ ଗାଲାକଟିକ୍ ପ୍ରଥମେ ୨୦୧୮ରେ ମହାକାଶକୁ ଉତକ୍ଷେପଣ ହୋଇଥିଲା । ୨୦୦୪ରେ ବ୍ରାନସନ ଏହି ଭିର୍ଜିନ କମ୍ପାନୀକୁ ପ୍ରତିଷ୍ଠା କରିଥିଲେ।

ଏବେ ଆସନ୍ତୁ ଜାଣିବା ଏଥିରେ ସାମିଲ ହୋଇଥିବା ତୃତୀୟ ଭାରତୀୟ ବଂଶଦ୍ଭବ ମହିଳା ସିରିସା ବନ୍ଦଲାଙ୍କ ବିଷୟରେ । ଆନ୍ଧ୍ରପ୍ରଦେଶର ଗୁଣ୍ଠୁର ଜିଲ୍ଲାରେ ଜନ୍ମ ଗ୍ରହଣ କରିଥିଲେ ସିରିସା । 4 ବର୍ଷ ବୟସରେ ଆମେରିକା ଯାଇଥିଲେ . ପରେ ସେଠାରେ ପଢାପଡ଼ି କରିବା ପରେ 2011ରେ ପର୍ଡୁ ୟୁନିଭରସିଟି ଅଫ୍ ଏରୋନେଟିକ୍ସ ଏବଂ ଜ୍ୟୋତିର୍ବିଜ୍ଞାନରୁ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିଲେ। 2015ରେ ଜର୍ଜ ୱାଶିଂଟନ୍ ବିଶ୍ବ ବିଦ୍ୟାଳୟରୁ ମାଷ୍ଟର ଅଫ୍ ବିଜିନେସ୍ ଆଡମିନିଷ୍ଟ୍ରେସନ୍ ଡିଗ୍ରୀ ସମାପ୍ତ କରିଥିଲେ ସିରିସା। ଏବେ ବ୍ରାନସନ୍ ଭର୍ଜିନ୍ ଗାଲାକ୍ଟିକରେ ସରକାରୀ ବ୍ୟାପାର ଏବଂ ଅନୁସନ୍ଧାନ କାର୍ଯ୍ୟର ଉପାଧ୍ୟକ୍ଷ ଅଛନ୍ତି ସିରିସା ବନ୍ଦଲା ।

ଆମେରିକାର ହୁଷ୍ଟନରେ ନାସାର ଜନସନ୍ ସ୍ପେସ୍ ସେଣ୍ଟର ନିକଟରେ ତାଙ୍କର ପିଲାଦିନ କଟିଥିଲା . ସିରିସା ସର୍ବଦା ଏକ ମହାକାଶଚାରୀ ହେବାକୁ ଚାହୁଁଥିଲେ । କିନ୍ତୁ ଦୃଷ୍ଟିଶକ୍ତି କମ ଥିବାରୁ ତାଙ୍କର ପାଇଲଟ୍ କିମ୍ବା ମହାକାଶଚାରୀ ହେବା ସ୍ବପ୍ନ ପୂରା ହୋଇପାରୁନଥିଲା । ହେଲେ ରିଚାର୍ଡ ବ୍ରାନସନଙ୍କ ଭର୍ଜିନ ଗାଲାକ୍‌ଟିକରେ ସେ ଯାତ୍ରା କରିପାରିଛନ୍ତି . ତେବେ ଏହି ଯାତ୍ରାରେ ସିରିଶା ରିସର୍ଚ୍ଚର ଭାବେ ଯୋଡ଼ି ହୋଇଥିଲେ । ଯାତ୍ରା ସମୟରେ ମାନବୀୟ ଅନୁଭବ ସହିତ ଜଡ଼ିତ ବିଭିନ୍ନ ଦିଗକୁ ନେଇ ରିସର୍ଚ୍ଚ କରିବେ ସିରିସା।

ରାଷ୍ଟ୍ରପତି ଜୋବେନଲ ମୋସେଙ୍କୁ ହତ୍ୟା; ଜାଣନ୍ତୁ କ’ଣ ରହିଛି ଘଟଣା

କୈରେବିଆଇ ଦେଶ ହୈତିର ରାଷ୍ଟ୍ରପତି ଜୋବେନଲ ମୋସେଙ୍କୁ ହତ୍ୟା । ରାଷ୍ଟ୍ରପତି ଘରେ ଥିବାବେଲେ କିଛି ସନ୍ଦିଗ୍ଧ ବୁଧବାର ତାଙ୍କ ବାସ ଭବନରେ ପଶି ହତ୍ୟା କରିଛନ୍ତି । ସେପଟେ ରାଷ୍ଚ୍ରପତି ଜୋବେନଲ ମୋସେଙ୍କ ପତ୍ନୀ ମଧ୍ୟ ଅପରାଧିଙ୍କ ଆକ୍ରମଣରେ ଆହତ ହୋଇଛନ୍ତି । ପୋଲିସ ଏହି ଘଟଣାର ତଦନ୍ତ ଚଳାଇଥିବା ବେଳେ ବିବୃତ୍ତି ପ୍ରକାଶ କରି କହିଛି, ହତ୍ୟା ଘଟଣାରେ ସମୁଦାୟ ୪ ଜଣ ସନ୍ଦିଗ୍ଧଙ୍କୁ ପୋଲିସ ଗୁଳି କରି ମାରିଥିବାବେଳେ ଆଉ ଦୁଇ ଜଣ ଜୀବୀତ ଅବସ୍ଥାରେ ଧରାପଡିଛନ୍ତି । ହୈତିର ପୋଲିସ ମୁଖ୍ୟ ଲିୟାନ ଚାଲ୍ରସ କହିଛନ୍ତି ଖୁବ ଶୀଘ୍ର ଏହି ଦୁଇ ଅପରାଧିଙ୍କୁ ଗିରଫ କରାଯିବ ।

ରାଷ୍ଟ୍ରପତି ମୋସେଙ୍କୁ ୫୩ ବର୍ଷ ହୋଇଥିବା ବେଳେ ତାଙ୍କର ମୃତ୍ୟୁ ଘଟିଛି । ବିବିସିର ରିପୋର୍ଟ ମୁତାବକ ହୈତିର ରାଜଧାନୀ ପୋର୍ଟ ଅଉ ପ୍ରିନ୍ସରେ ଥିବା ନିଜ ଭବନରେ ରହିଥିଲେ ରାଷ୍ଟ୍ରପତି ମୋସେ । ସ୍ଥାନୀୟ ସମୟ ୧ ଟା ପାଖାପାଖି କିଛି ଅଜ୍ଞାତ ବନ୍ଧୁକଧାରୀ ବ୍ୟକ୍ତି ରାଷ୍ଟ୍ରପତିଙ୍କୁ ଗୁଳି କରି ହତ୍ୟା କରିଛନ୍ତି । ଏବଂ ତାଙ୍କ ପତ୍ନୀ ମାର୍ଟିନ ମୋସେ ଏଥିରେ ଆହାତ ହୋଇଥିବା ଜଣାପଡିଛି । ସେପଟେ ଦେଶର ପ୍ରଥମ ମହିଳାଙ୍କୁ ଅଧିକ ଚିକିତ୍ସା ପାଇଁ ପ୍ଲୋରେଡ଼ା ନିଆଯାଇଛି । ବର୍ତ୍ତମାନ ତାଙ୍କର ଚିକିତ୍ସା ଜାରି ରହିଥିବାବେଳେ ସେ ସୁସ୍ଥ ରହିଛନ୍ତି ।

ପୋଲିସ ମୁଖ୍ୟ ଏକଥା ମଧ୍ୟ ଟେଲିଭିଜନରେ ବିବୃତ୍ତି ରଖି କହିଛନ୍ତି, ରାଷ୍ଟ୍ରପତିଙ୍କ ହତ୍ୟା ଘଟଣାରେ ସାମିଲ ଥିବା ୪ ଜଣଙ୍କୁ ପୋଲିସ ଘଟଣାସ୍ଥଳରେ ହତ୍ୟା କରିଥିବାବେଳେ ତିନି ଜଣ ପୋଲିସ କର୍ମଚାରୀଙ୍କୁ କିଛି ସନ୍ଦିଗ୍ଧ ବନ୍ଧକ ରଖିଥିଲେ । ସେପଟେ ପୋଲିସର ସଫଳ ଅପରେସନ ଫଳରେ ୩ ପୋଲିସ କର୍ମଚାରୀ ସୁରକ୍ଷିତ ଉଦ୍ଧାର ହୋଇଛନ୍ତି ଏବଂ ଦୁଇ ଜଣ ସନ୍ଦିଗ୍ଧ ଧରା ପଡିଛନ୍ତି ।

ରାଷ୍ଟ୍ରପତି ଭାବେ ମୋସେ ୨୦୧୭ ରେ ଦାୟିତ୍ୱ ନେଇଥିଲେ । ଦେଶରେ ରାଜନୈତିକ ଅସ୍ଥିରତା ଜାରି ରହିଥିବାବଳେ ଇସ୍ତଫା ନେଇ ମଧ୍ୟ ଜୋରଦାର ହଙ୍ଗାମା ଲାଗି ରହିଥିଲା । ପ୍ରାକୃତିକ ଦୁର୍ବିପାକ ଲାଗି ରହିଥିବା ଏହି ଦେଶରେ ରାଷ୍ରପତି ମୋସେଙ୍କ ଉଦ୍ୟମରେ ଏହାକୁ ରୋକା ଯାଇପାରିଛି । ଅନ୍ୟପଟେ ବର୍ତ୍ତମାନ ଅନ୍ତରୀଣ ରାଷ୍ଟ୍ରପତି ଭାବେ ଦାୟିତ୍ୱ ନିର୍ବାହ କରିଥିବା ବ୍ଲାର୍ଡେ ଜୋସେଫ କହିଛନ୍ତି ଏହି ହତ୍ୟାକାଣ୍ଡ ପଛରେ କାହାର ହାତ ରହିଛ, ତାହା ସ୍ପଷ୍ଟ ହୋଇନାହିଁ । ବର୍ତ୍ତମାନ ଦେଶର ସ୍ଥିତିକୁ ଦେଖି ଜରୁରୀକାଳୀନ ସ୍ଥିତି ଘୋଷଣା କରାଯାଇଛି । କିନ୍ତୁ ଏହି ହତ୍ୟାକାଣ୍ଡ ଘଟାଇଥିବା ନାଗରିକ ମାନେ ବିଦେଶୀ ଥିଲେ । ଏମାନେ ଇଂରାଜୀ ଏବଂ ସ୍ପେନିସ ଭାଷା ଜାଣିଥିବା ମଧ୍ୟ ଉଲ୍ଲେଖ କରିଛନ୍ତି । କିଛି ରିପୋର୍ଟରୁ ଜଣା ପଡିଛି ଏମାନେ କଳା ରଙ୍ଗର କପଡ଼ା ପରିଧାନ କରିୋଥିବା ବେଳେ ଆମେରିକାର ଦ୍ରଗ୍ସ ଏନଫୋର୍ସ ମେଣ୍ଟ ଏଜେନ୍ସିରୁ ଆସିଥିବା ନେଇ ନାଟକ ରଚିଥିଲେ । ସେପଟେ ଏନେଇ ହୈତି ପକ୍ଷରୁ ଆମେରିକାକୁ ସୁରକ୍ଷା ମଗାଯାଇଥିବା ବେଳେ, ଆମେରିକା କୌଣସି ସୁରକ୍ଷା ବ୍ୟବସ୍ଥା ଯୋଗାଇ ପାରିବ ନାହିଁ ବୋଲି ସ୍ପଷ୍ଟ ମନା କରିଦେଇଛି ।

ମୁଁ ପଢିବାକୁ ଚାହେଁ କହି କାନ୍ଦିଲେ ଯୁବତୀ, ମୁଖ୍ୟମନ୍ତ୍ରୀ ଦେଲେ ଆଶ୍ୱାସନା

ପାଟନା: ପାଞ୍ଚ ବର୍ଷ ପରେ ବିହାର ମୁଖିଆ ନୀତୀଶ କୁମାର ସୋମବାର ଦିନ ପୁଣି ଥରେ ଜନତା ଦରବାର କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି। କରୋନା କାଳରେ ଆୟୋଜିତ ଜନତା ଦରବାରରେ ଶତାଧିକ ଲୋକ ମୁଖ୍ୟମନ୍ତ୍ରୀଙ୍କ ସହ ସେମାନଙ୍କର ଗୁହାରୀ ଜଣାଇଥିଲେ । ଖାଲି ଏତିକି ନୁହେଁ ଲାେକଙ୍କ ସମସ୍ୟା ଶୁଣି ମୁଖ୍ୟମନ୍ତ୍ରୀ ମଧ୍ୟ ସମାଧାନ ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏହି ସମୟରେ ଜଣେ ଝିଅ ପଢିବାକୁ ଚାହେଁ ବୋଲି କହି ଭୋ ଭୋ ହୋଇ କାନ୍ଦି ପକାଇଥିଲେ । ଯାହା ଚର୍ଚ୍ଚାର ବିଷୟ ପାଲଟିଛି ।

ସୂଚନା ଅନୁଯାୟୀ, ଗୟାରୁ ଆସିଥିବା ଝିଅଟି ନିକଟରେ ଗୟା ବୁଦ୍ଧ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜିରେ ପଲିଟେକ୍ନିକରେ ନାମ ଲେଖାଇଛନ୍ତି। ଘରର ଆର୍ଥିକ ସ୍ଥିତି ଭଲ ନଥିବାରୁ ସେ ଛାତ୍ର କ୍ରେଡିଟ କାର୍ଡ ପାଇଁ ଆବେଦନ କରିଥିଲେ। ହେଲେ ମିଳିପାରିନଥିଲା । ମୁଖ୍ୟମନ୍ତ୍ରୀ ଏବିଷୟରେ ପଚରାଉଚରା କରି ଜାଣିବାକୁ ପାଇଥିଲେ ଯେ ସେ ପାଠପଢା ଅଧାରୁ ବ୍ରେକ୍ ନେଇଥିବା ସହ ବେରୋଜଗାରୀମାନଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ମିଳିଥିବା ଭତ୍ତାର ମଧ୍ୟ ଲାଭ ଉଠାଇଥିଲେ ।

ଏଭଳି ପରିସ୍ଥିତିରେ ମୁଖ୍ୟମନ୍ତ୍ରୀ ଝିଅକୁ ଏ ବାବଦରେ ପ୍ରଶ୍ନ କରିଥିଲେ ।  ଯାହା ପରେ ସେ କହିଥିଲେ ଯେ ବେରୋଜଗାର ଭତ୍ତା ନେବା ପରେ ସେ ପୁଣି ପାଠପଢା ପାଇଁ ସରକାରୀ ଯୋଜନାର ଲାଭ ଉଠାଇପାରିବେ ନାହିଁ ବୋଲି ଜାଣିନଥିଲେ । ସେ କେବଳ ଦୁଇମାସ ପାଇଁ ବେକାରୀ ଭତ୍ତା ନେଇଥିବା କହି କାନ୍ଦିବାକୁ ଲାଗିଥିଲେ। ଯାହା ପରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଶିକ୍ଷା ବିଭାଗର ଅଧିକାରୀଙ୍କୁ ଡାକି ଏହି ଯୋଜନାରେ ଝିଅକୁ ସାମିଲ କରାଇବାକୁ ନିର୍ଦ୍ଦେଶ ଦେଇଥିଲେ।

ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ହେବାକୁ ଥିବା ଦିନିକିଆ ଓ ଟି-ଟ୍ୱେଣ୍ଟି ମ୍ୟାଚ ସମୟରେ ପରିବର୍ତ୍ତନ

ମୁମ୍ବାଇ: ଜୁଲାଇ ୧୮ରୁ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯିବାକୁ ଥିବା ଦିନିକିଆ ସିରିଜ ପାଇଁ ଗ୍ରୀନ୍ ସିଗନାଲ୍ ଦେଇଛି ଶ୍ରୀଲଙ୍କା କ୍ରିକେଟ ବୋର୍ଡ । ଉଭୟ ଟିମ୍ ଆଗାମୀ ସିରିଜ୍ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ବିସିସିଆଇ ଟିମ୍ ଇଣ୍ଡିଆର ଅଭ୍ୟାସ ନେଇ ଭିଡିଓ ସୋସିଆଲ୍ ମିଡିଆରେ ସେୟାର୍ କରିଛି । ଯେଉଁଥିରେ ଭାରତୀୟ ଦଳର ଖେଳାଳି ଅଭ୍ୟାସ କରୁଥିବା ନଜର ଆସିଛନ୍ତି । ଏହାରି ଭିତରେ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ହେବାକୁ ଥିବା ମ୍ୟାଚ୍ ସମୟରେ ସାମାନ୍ୟ ପରିବର୍ତ୍ତନ କରାଯାଇଛି ।

ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯିବାକୁ ଥିବା ଦିନିକିଆ ମ୍ୟାଚ୍ ଅପରାହ୍ଣ ୩ଟାରୁ ଏବଂ ଟି-ଟ୍ୱେଣ୍ଟି ମ୍ୟାଚ୍ ରାତି ୮ଟାରୁ ଆରମ୍ଭ ହେବ । ପୂର୍ବରୁ ଖେଳ ଅଧ ଘଣ୍ଟାଏ ପୂର୍ବରୁ ଆରମ୍ଭ ହେବାର ଥିଲା । ଭାରତ-ଶ୍ରୀଲଙ୍କା ମଧ୍ୟରେ ଦିନିକିଆ ସିରିଜ୍ ଜୁଲାଇ ୧୩ରୁ ଆରମ୍ଭ ହେବାର ଥିଲା ତାହା କରୋନା ପାଇଁ ଜୁଲାଇ ୧୮ରୁ ଆରମ୍ଭ ହେବ ।

ବିଗତ ଦିନରେ ଶ୍ରୀଲଙ୍କା ଦଳର ବ୍ୟାଟିଂ କୋଚ୍ ଓ କାର୍ଯ୍ୟଦକ୍ଷତା ବିଶ୍ଲେଷଣକାରୀ କରୋନା ସଂକ୍ରମିତ ହୋଇଥିଲେ । ଯାହା ପରେ ପୂରା ଶ୍ରୀଲଙ୍କା ଟିମ୍ ଆଇସୋଲେସନରେ ରହିଥିଲା । ଏବେ ଦଳର ସମସ୍ତ ଖେଳାଳିଙ୍କ ରିପୋର୍ଟ କରୋନା ନେଗେଟିଭ୍ ଆସିଛି । ଏବେ ଉଭୟ ଦଳର ଖେଳାଳି ଅଲଗା ଅଲଗା ହୋଟେଲରେ ରହିବେ ।

କରୋନା ସଂକ୍ରମଣ ବିପଦକୁ ଦେଖି ଶ୍ରୀଲଙ୍କା କ୍ରିକେଟ ବୋର୍ଡ ତିନୋଟି ଅଲଗା ଅଲଗା ଟିମ୍ ପ୍ରସ୍ତୁତ ରଖିଛି । ଫଳରେ ଭାରତ ବିପକ୍ଷ ସିରିଜ୍ ପ୍ରଭାବିତ ହେବ ନାହିଁ । ମଙ୍ଗଳବାର ଠାରୁ ଶ୍ରୀଲଙ୍କା ଦଳ ଅଭ୍ୟାସ ଆରମ୍ଭ କରିପାରେ ।

ବୈଜ୍ଞାନିକଙ୍କ ଦାବି, ଜୁଲାଇ ୪ ତାରିଖରୁ ଆସି ସାରିଛି କରୋନାର ତୃତୀୟ ପ୍ରବାହ

ହାଇଦ୍ରାବାଦ: ଦେଶରେ କରୋନାର ତୃତୀୟ ପ୍ରବାହ ଆସିସାରିଛି ବୋଲି ଦାବି କରିଛନ୍ତି ହାଇଦ୍ରାବାଦର ଜଣେ ବିଶିଷ୍ଟ ବୖେଜ୍ଞାନିକ । ଜୁଲାଇ ୪ ତାରିଖ ବେଳକୁ ଦେଶରେ କରୋନାର ତୃତୀୟ ପ୍ରବାହ ଆସିସାରିଥିଲା । ଜଣାଶୁଣା ଭୗେତିକ ବିଜ୍ଞାନୀ ଡ. ବିପିନ ଶ୍ରୀବାସ୍ତବ ଗତ ୧୫ ମାସର ସଂକ୍ରମଣ ସଂଖ୍ୟା ଓ ମୃତ୍ୟୁ ହାରକୁ ଦେଖି ଏଭଳି ଆକଳନ କରିଛନ୍ତି ।

ଶ୍ରୀବାସ୍ତବ କହିଛନ୍ତି ଯେ ଜୁଲାଇ ୪ ତାରିଖରୁ କରୋନା ସଂକ୍ରମଣର ନୂଆ ମାମଲା ଏବଂ ମୃତ୍ୟୁ ହାର ସୂଚାଇ ଦେଉଛି ଯେ ଦେଶରେ ତୃତୀୟ ପ୍ରବାହ ଆସିସାରିଛି। ଏହି ରେଟ୍ ଫେବୃଆରୀ ୨୦୨୧ର ପ୍ରଥମ ସପ୍ତାହ ଭଳି ରହିଛି । ସେ ସମୟରେ କରୋନାର ଦ୍ୱିତୀୟ ପ୍ରବାହ ଦେଶରେ ପଶିଥିଲା । ଯାହା ଏପ୍ରିଲରେ ଶିଖରରେ ପହଞ୍ଚିଥିଲା।

ଶ୍ରୀବାସ୍ତବ ଆହୁରି ମଧ୍ୟ ଚେତାବନୀ ଦେଇଛନ୍ତି ଯେ ଯଦି ଲୋକମାନେ କରୋନା ପ୍ରୋଟୋକଲ୍ ଠିକ୍ ଭାବେ ଅନୁସରଣ ନକରନ୍ତି,  ତେବେ ତୃତୀୟ ଲହର ପିକ୍ ଧରିପାରେ । ଏହାକୁ ନିୟନ୍ତ୍ରଣରେ ରଖିବା ପାଇଁ ଲୋକଙ୍କୁ ସାମାଜିକ ଦୂରତା, ପରିମଳ, ମାସ୍କ ପିନ୍ଧିବା ଏବଂ ଟୀକାକରଣ ଭଳି ପ୍ରୋଟୋକଲକୁ କଡାକଡି ଭାବେ ଅନୁସରଣ କରିବାକୁ ପଡିବ ।

କରୋନାର ପ୍ରାୟ ୪୬୧ ଦିନର ଡେଥ୍ ରେଟର ବିଶ୍ଳେଷଣକୁ ଆଧାର କରି ଡକ୍ଟର ଶ୍ରୀବାସ୍ତବ ତିନୋଟି ମେଟ୍ରିକ୍ସ ପ୍ରସ୍ତୁତ କରିଛନ୍ତି। ଏଥିମଧ୍ୟରୁ ଗୋଟିଏ ମେଟ୍ରିକ୍ସ ସୂଚିତ କରେ ଯେ କରୋନାର ତୃତୀୟ ପ୍ରବାହ ଜୁଲାଇ ୪ରେ ପହଞ୍ଚିଛି । ସେ ଏହି ମେଟ୍ରିକର ନାମ କୋଭିଡ-୧୯ ‘ଡେଲି ଡେଥ୍ ଲୋଡ୍(ଡିଡିଏଲ୍) ନାମ ରଖାଯାଇଛି । ସେ ପ୍ରତି ୨୪ ଘଣ୍ଟାରେ ଡିଡିଏଲକୁ କାଲକୁଲେଟ୍ କରିଥିଲେ ।

ଏହି ଅଧ୍ୟୟନ ଏଭଳି ଏକ ସମୟରେ ଆସିଛି ଯେତେବେଳେ ସରକାର କ୍ରମାଗତ ଭାବରେ ଲୋକଙ୍କୁ କୋଭିଡ ନିୟମାବଳୀ ମାନିବାକୁ ନିବେଦନ କରୁଛନ୍ତି। ଏମିତିକି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ବାରମ୍ବାର କୁହାଯାଇଛି ଯେ ଲୋକମାନେ ବର୍ତ୍ତମାନ ସତର୍କ ରହିବା ନିହାତି ଆବଶ୍ୟକ। କାରଣ କରୋନା ସରିନାହିଁ । ହେଲେ ମାର୍କେଟ୍ ଓ ହିଲ୍ ଷ୍ଟେସନ ଗୁଡିକରେ ଯେପରି ଜନସମାଗମ ହେଉଛି ତାହାକୁ ଦେଖିଲେ ଲାଗୁଛି ଯେପରି ଲୋକମାନେ ଭାବୁଛନ୍ତି କରୋନା ସରିଯାଇଛି ବୋଲି ।

ତେବେ ଯଦି ଲୋକମାନେ ଏଭଳି ମନୋଭାବ ପରିବର୍ତ୍ତନ ନକରନ୍ତି ତାହେଲେ କୋହଳ ହୋଇଥିବା କଟକଣା ଗୁଡିକୁ ପୁଣି ପ୍ରତ୍ୟାହାର କରାଯାଇପାରେ ।