ପୂର୍ବତନ ରାଷ୍ଟ୍ରପତି ହାମିଦ କର୍ଜାଇଙ୍କୁ ଗୃହବନ୍ଦୀ କଲା ତାଲିବାନ

କାବୁଲ: ଆଫଗାନିସ୍ତାନରେ ଘଡିକେ ଘୋଡା ଛୁଟୁଛି । ଦେଇଥିବା ପ୍ରତିଶ୍ରୁତିର ଓହରିବାରେ ଲାଗିଛି ତାଲିବାନ । ଯାହାର ନଗଦ ଉଦାହରଣ କ୍ରମରେ ତାଲିବାନ ପୂର୍ବତନ ରାଷ୍ଟ୍ରପତି ହାମିଦ କର୍ଜାଇଙ୍କୁ ଗୃହବନ୍ଦୀ କରିଛି । ତାଲିବାନ ଆଗରୁ ସର୍ବକ୍ଷମା ଘୋଷଣା କରିଥିଲା କିନ୍ତୁ ଗୁରୁବାର ଦିନ ଅଚାନକ ତାଲିବାନ ପୂର୍ବତନ ରାଷ୍ଟ୍ରପତି କର୍ଜାଇଙ୍କ ସମେତ ଆଫଗାନିସ୍ତାନର ଜଣାଶୁଣା ୱାରଲର୍ଡ୍ ତଥା ଜାତୀୟ ବୁଝାମଣା ପରିଷଦର ଅଧ୍ୟକ୍ଷ ଅବଦୁଲ ଅବଦୁଲାଙ୍କୁ ଗୃହବନ୍ଦୀ କରିଛି ।

ଗାଡି ଜବତ, ସୁରକ୍ଷା ହଟିଲା

ତାଲିବାନ ଗୁରୁବାର ଦିନ କର୍ଜାଇଙ୍କ ବ୍ୟକ୍ତିଗତ ଗାଡିକୁ ଜବତ କରିବା ସହିତ ତାଙ୍କ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ ହଟାଇ ଦେଇଛି । ସୂଚନାଯୋଗ୍ୟ ଯେ,ତାଲିବାନ କାବୁଲରେ ପ୍ରବେଶ କରିବା ପରେ ପ୍ରଥମେ ଏହି ଦୁଇ ନେତାଙ୍କୁ ସାକ୍ଷାତ କରିଥିଲା । ଏକ ମିଳିତ ସରକାର ଗଠନ ପାଇଁ ଏହି ଦୁଇ ନେତା ତାଲିବାନ ସହିତ ଆଲୋଚନା କରୁଥିଲେ । ତାଲିବାନ ମଧ୍ୟ ନିଜ ତରଫରୁ ସର୍ବକ୍ଷମା କଥା ଘୋଷଣା କରିଥିଲା । କହିଥିଲା ଯେ, କୌଣସିର ରାଜନୈତିକ ଶତୃତା ରଖି କାହାରି ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନାହିଁ । କିନ୍ତୁ ଏହି ନୂଆ ଘଟଣାକ୍ରମରୁ ଲାଗୁଛି ତାଲିବାନ କେବଳ ଲୋକଦେଖାଣିଆ ପ୍ରତିଶ୍ରୁତି ଦେଇଥିଲା । ତାଲିବାନ ଆଫଗାନିସ୍ତାନ ଉପରେ ନିଜ ବ୍ରାଣ୍ଡର ଇସଲାମିକ ଶାସନ ଲାଗୁ କରିବାକୁ ଚାହୁଁଛି । ଯେଉଁଥିରେ କର୍ଜାଇ କିମ୍ବା ଅନ୍ୟ କୌଣସି ଗୋଷ୍ଟିର କିଛି ମଧ୍ୟ ଭୂମିକା ରହିବ ନାହିଁ ।

ସିଏନଏନ୍ ଅନୁସାରେ ଏହି ଦୁଇ ନେତା ତାଲିବାନର ଦୟା ଉପରେ ନିର୍ଭର କରୁଥିଲେ । ଏବେ ସେମାନଙ୍କ ସୁରକ୍ଷା ବ୍ୟବସ୍ଥା ପ୍ରତ୍ୟାହର ଦ୍ୱାରା ଏହି ଦୁଇ ନେତାଙ୍କ ଜୀବନ ପ୍ରତି ବିପଦ ରହିଛି । ବୁଧବାର ଦିନ ତାଲିବାନ ଅବଦୁଲା ଅବଦୁଲଙ୍କ ଘର ତଲାସୀ କରିଥିଲା ।

କ’ଣ ପାଇଁ ଗୃହବନ୍ଦୀ କଲା ତାଲିବାନ

ଏହି ଦୁଇ ନେତାଙ୍କୁ ତାଲିବାନ କ’ଣ ପାଇଁ ହଠାତ ନଜରବନ୍ଦୀ କରିଛି ତାହା ଜଣା ପଡିନାହିଁ । କାରଣ ଏହି ଦୁଇଜଣଙ୍କର ତାଲିବାନ ସହିତ ଆଗରୁ ମଧ୍ୟ ଆଲୋଚନା ଚାଲିଥିଲା । ଏପରିକି ଦୁଇ ନେତାଙ୍କୁ ସରକାରରେ ସାମିଲ କରିବାକୁ ତାଲିବାନ ଚିନ୍ତା କରୁଥିବା କଥା କୁହାଯାଉଥିଲା । କିନ୍ତୁ ଏବେ ସେମାନଙ୍କୁ ଗୃହବନ୍ଦୀ କରିବା ପଛରେ କାରଣ କ’ଣ ରହିଛି ତାହା ସାମ୍ନାକୁ ଆସିନାହିଁ ।

 

Leave a Reply