ସ୍ୱପ୍ନ ଓ ସମ୍ଭାବନା ହେଉଛି ଛାତ୍ର ଜୀବନର ପରିଚୟ, ତୃତୀୟ ପର୍ଯ୍ୟାୟରେ ଆଉ ୧୦ଟି ସ୍କୁଲକୁ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ

1 min read

ଭୁବନେଶ୍ୱର: ରୂପାନ୍ତର ହେଉଛି ସ୍କୁଲ। ଆଜି ତୃତୀୟ ପର୍ଯ୍ୟାୟରେ ୧୦ଟି ବିଦ୍ୟାଳୟର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ୫-ଟି ସଚିବ ଭିକେ ପାଣ୍ଡିଆନ୍ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଭିଡିଓ କନଫରେନ୍ସିଂ ଜରିଆରେ ମୁଖ୍ୟମନ୍ତ୍ରୀ ଏହି ସ୍କୁଲର ଉଦଘାଟନ କରିଛନ୍ତି। କାର୍ଯ୍ୟକ୍ରମରେ ବହୁ ମନ୍ତ୍ରୀ ଓ ବିଧାୟକ ସାମିଲ ହୋଇଛନ୍ତି। ହିଞ୍ଜିଳିକାଟୁ ଓ ଶେରଗଡ ବ୍ଲକ ଅଞ୍ଚଳର ୫୦ଟି ବିଦ୍ୟାଳୟର ହୋଇଛି ରୂପାନ୍ତର। ଶ୍ରେଣୀ ଗୃହ ସାଙ୍ଗକୁ ଇ-ଲାଇବ୍ରେରୀ ନିର୍ମାଣ ହୋଇଛି। ଯେଉଁଥିରେ ଛାତ୍ର ଛାତ୍ରୀମାନେ ଅନଲାଇନରେ ପାଠ ପଢିବାର ସୁଯୋଗ ପାଇବେ।

ସ୍ୱପ୍ନ ଓ ସମ୍ଭାବନା ହେଉଛି ଛାତ୍ର ଜୀବନର ପରିଚୟ। ତୁମେମାନେ ବଡ ବଡ ସ୍ୱପ୍ନ ଦେଖ। ନିଜ ଭିତରେ ଥିବା ବିପୁଳ ପ୍ରତିଭାକୁ ଉପଯୋଗ କରି ସ୍ୱପ୍ନକୁ ସାକାର କର ଏବଂ ଜୀବନର ଲକ୍ଷ୍ୟ ପୂରଣ ହେବା ପର୍ଯ୍ୟନ୍ତ ପରିଶ୍ରମ ଜାରି ରଖ ବୋଲି ସ୍କୁଲକୁ ଲୋକାର୍ପିତ କରିବା ଅବସରରେ ଛାତ୍ରଛାତ୍ରୀ ମାନଙ୍କୁ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ ଏହା କହିଛନ୍ତି।

ସମସ୍ତ ବିଦ୍ୟାଳୟକୁ ଏବେ ପର୍ଯ୍ୟାୟକ୍ରମେ ଉଦଘାଟନ କରାଯାଉଥିବା ବେଳେ, ଆଜି ଆଉ ୧୦ଟି ବିଦ୍ୟାଳୟକୁ ମୁଖ୍ୟମନ୍ତ୍ରୀ ଭିଡ଼ିଓ କନଫରେନ୍ସିଂ ଜରିଆରେ ଉଦଘାଟନ କରିଛନ୍ତି। ସମସ୍ତ ସ୍କୁଲ ଛାତ୍ରଛାତ୍ରୀ ମାନଙ୍କ ସହ ଭିଡିଓ କନଫରେନ୍ସିଂ ମାଧ୍ୟମରେ କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ। ତେବେ ଛାତ୍ରଛାତ୍ରୀ ମାନେ ସେମାନଙ୍କ ସ୍କୁଲର ଏଭଳି ରୂପାନ୍ତର ପାଇଁ ବହୁତ ଖୁସି ଥିବା କହିଛନ୍ତି। ପ୍ରାଇଭେଟ ସ୍କୁଲ ଠାରୁ ବହୁ ଉନ୍ନତ ଧରଣର ସ୍କୁଲରେ ପଢ଼ିବାର ସୁଯୋଗ ପାଇଁ ସେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ଛାତ୍ରଛାତ୍ରୀ ମାନେ କହିଛନ୍ତି ଯେ ଇ-ଲାଇବ୍ରେରୀ, ଉନ୍ନତମାନର ଶ୍ରେଣୀଗୃହ, ଭଲ ଖେଳପଡ଼ିଆ ଆଗରୁ ନଥିଲା। କିନ୍ତୁ ସ୍କୁଲର ରୂପାନ୍ତର ହେବା ପରେ ଏସବୁ ଆମକୁ ମିଳିପାରିଛି। ଏହା ଦ୍ୱାରା ଆଗକରୁ ଯାହା ପଢ଼ିବାକୁ କଷ୍ଟ ହେଉଥିଲା ଏବେ ତାହା ପଢ଼ିବାକୁ ସହଜ ଲାଗୁଛି ଏବଂ ଆମେ ଭଲରେ ବୁଝି ପଢ଼ିପାରୁଛୁ ବୋଲି ଛାତ୍ରଛାତ୍ରୀମାନେ କହିଛନ୍ତି। ସେହିଭଳି ସେରଗଡ଼ ଅନ୍ତର୍ଗତ ଗୋବିନ୍ଦପୁର ହାଇସ୍କୁଲର ୧୦ମ ଶ୍ରେଣୀର ଛାତ୍ରୀ ନିକିତା ଜେନା ମୁଖ୍ୟମନ୍ତ୍ରୀଙ୍କ ସହ କଥା ହୋଇଛନ୍ତି।

ପୂର୍ବରୁ ବିଦ୍ୟାଳରେ ବସିବା ପାଇଁ ବେଞ୍ଚର ସୁବିଧା ନଥିଲା ପଢ଼ିବା ପାଇଁ ଉପଯୁକ୍ତ ଆଲୋକର ବ୍ୟବସ୍ଥା ନଥିଲା। ଲାଇବ୍ରେରୀ ଠାରୁ ଆରମ୍ଭ କରି ଲାବ୍ରୋଟାରୀ ଏବଂ ପିଇବା ପାଣି କି ଉନ୍ନତମାନର ଖେଳ ପଡ଼ିଆର ସୁବିଧା ନଥିଲା। କିନ୍ତୁ ବର୍ତ୍ତମାନ ୫-ଟି ଅନ୍ତର୍ଗତ କରାଯାଇଥିବା ସ୍କୁଲର ନବିକରଣ ହୋଇଛି। ଯେଉଁଥିପାଇଁ ଏବେ ସ୍କୁଲ ଆମର ସ୍ମାର୍ଟ ହୋଇଛି। ଇ- ଲାଇବ୍ରେରୀ, ଅତ୍ୟାଧୁନିକ ଲାବ୍ରୋଟାରୀ, ଉନ୍ନତମାନର ଶ୍ରେଣୀଗୃହ, ୬୫ ଇଞ୍ଚର ସ୍ମାର୍ଟ ଟିଭି, ଇଣ୍ଟର ନେଟ୍‌, ଉନ୍ନତମାନର ଖେଳପଡ଼ିଆ, ସ୍ୱଚ୍ଛ ଶୌଚାଳୟ ଆଜି ଆମ ସ୍କୁଲରେ ରହିଛି। ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ନିକିତା। ଏହାପରେ ମୁଖ୍ୟମନ୍ତ୍ରୀ ନିକିତାଙ୍କୁ ତାଙ୍କ ଜୀବନରେ କଣ କରିବାକୁ ଇଚ୍ଛା ବୋଲି ପଚାରିଥିଲେ। ନିକିତା ଜଣେ ଭଲ ଡାକ୍ତର ହେବେ ବୋଲି କହିଥିଲେ। ଏମିତି ୧୦ ଟି ସ୍କୁଲର ପିଲା ମାନଙ୍କ ସହ ଜଣ ଜଣ କରି କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଆଜି ଲୋକାର୍ପିତ ହୋଇଥିବା ବିଦ୍ୟାଳୟ ଗୁଡିକ ହେଉଛି ଗଣ୍ଡୋଳ ପଞ୍ଚାୟତ ଗଣେଷ ବିଦ୍ୟାପୀଠ, କୃଷ୍ଣଛାଇ ପଞ୍ଚାୟତର କୃଷ୍ଣଛାଇ ହାଇସ୍କୁଲ, ରଲବା ପଞ୍ଚାୟତର ଅଲପୁର ହାଇସ୍କୁଲ, ଅଲାରିଗଡା ପଞ୍ଚାୟତର ପଞ୍ଚାୟତ ହାଇସ୍କୁଲ, କଞ୍ଚୁରେ ପଞ୍ଚାୟତର ସରକାରୀ ହାଇସ୍କୁଲ, ଧବଳପୁର ପଞ୍ଚାୟତର ଧବଳପୁର ହାଇସ୍କୁଲ, ବୁରୁପଡା ପଞ୍ଚାୟତର ସମଲାଇ ବିଦ୍ୟାପୀଠ, ଗୋବିନ୍ଦପୁର ପଞ୍ଚାୟତର ଗୋବିନ୍ଦପୁର ହାଇସ୍କୁଲ,  କୁରୁଲା ପଞ୍ଚାୟତର କୁରୁଲା ସରକାରୀ ହାଇସ୍କୁଲ ଏବଂ  ସାରୁ ପଞ୍ଚାୟତର ସାରୁ ହାଇସ୍କୁଲ।

ଏହି ଅବସରରେ ମନ୍ତ୍ରୀଶ୍ରୀ ବିକ୍ରମ କେଶରୀ ଆରୁଖ, ମନ୍ତ୍ରୀ ଅରୁଣ ସାହୁ , ମନ୍ତ୍ରୀ ତୁଷାର କାନ୍ତି ବେହେରା ସରକାରୀ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ। ଏମ୍ ପି ପ୍ରମିଳା ବିଶୋଇ, ବିଧାୟକଗଣ, ସରପଞ୍ଚ, ପଞ୍ଚାୟତ ସଦସ୍ୟ, ସ୍କୁଲର ପୁରାତନ ଛାତ୍ରଛାତ୍ରୀ, ବର୍ତ୍ତମାନର ଛାତ୍ରଛାତ୍ରୀ, ଅଭିଭାବକ ଓ ସ୍ଥାନୀୟ ଜନସାଧାରଣ ଯୋଗ ଦେଇଥିଲେ ।

Leave a Reply