spot_img
Home Blog Page 5340

ସୋମବାର ଠାରୁ ଖୋଲିବ ବୈଷୟିକ ଶିକ୍ଷାନୁଷ୍ଠାନ, ଅନଲାଇନ ନୁହେଁ ଶ୍ରେଣୀ ଗୃହରେ କ୍ଲାସ

ଭୁବନେଶ୍ୱର: ସୋମବାର ଠାରୁ ରାଜ୍ୟର ସମସ୍ତ ଆଇଟିଆଇ ପଲିଟେକନିକ ଏବଂ ବୈଷୟିକ ଶିକ୍ଷାନୁଷ୍ଠାନ ଖୋଲିବ। କେବଳ ଶେଷବର୍ଷ ଛାତ୍ରଛାତ୍ରୀଙ୍କ ପାଇଁ କଲେଜ ଖୋଲିବ। କୋଭିଡ ପରେ ପ୍ରଥମଥର ପାଇଁ ଶ୍ରେଣୀ ଗୃହରେ ବସି ପାଠ ପଢିବେ ଛାତ୍ରଛାତ୍ରୀ। କୋଭିଡ ଗାଇଡ଼ ଲାଇନ ଅନୁସାରେ କେବଳ ଫାଇନାଲ ବର୍ଷର ଛାତ୍ର ଛାତ୍ରୀ ମାନେ କ୍ଲାସ କରିବେ ବୋଲି କହିଛନ୍ତି ଦକ୍ଷତା ବିକାଶ ମନ୍ତ୍ରୀ ପ୍ରେମାନନ୍ଦ ନାୟକ  ।

କଲେଜରେ ମାସ୍କ, ସାନିଟାଇଜର ବ୍ୟବହାର କରିବା ବାଧ୍ୟତାମୂଳକ। ଯଦି କୌଣସି ଶିକ୍ଷାନୁଷ୍ଠାନ କୋଭିଡ ଗାଇଡ଼ ଉଲଘଂନ କରନ୍ତି ତେବେ ତାଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ପ୍ରାଥମିକ ସ୍ତରରେ କେବଳ ଶେଷବର୍ଷ ଖୋଲିବା ପାଇଁ ନିଷ୍ପତ୍ତି ହୋଇଛି । ବାକି କ୍ଳାସ ପାଇଁ କୋଭିଡ ସ୍ଥିତି ଦେଖି ପରବର୍ତ୍ତୀ ସମୟରେ ନିଷ୍ପତ୍ତି ନିଆଯିବ। ସୂଚନା ଦେଲେ ବିଭାଗୀୟ ମନ୍ତ୍ରୀ ପ୍ରେମାନନ୍ଦ ନାୟକ।

କଟକ ଏସସିବିରେ ଜନ୍ମ ନେଲେ ୪ ଯାଆଁଳା ଭଉଣୀ

କଟକ: ଏକକାଳୀନ ୪ କନ୍ୟା ସନ୍ତାନଙ୍କୁ ଜନ୍ମଦେଲେ ଜଣେ ମହିଳା  । ଏସସିବି ମେଡିକାଲରେ ଘଟିଛି ଏହି ବିରଳ ଘଟଣା  । ନୟାଗଡ଼ ଶରଣକୁଳର ଜଣେ ମହିଳାଙ୍କ ଗର୍ଭରେ ୪ଟି ଶିଶୁ ସନ୍ତାନ ଥିବା ଚିକିତ୍ସା ପରେ ଜଣାପଡିଥିଲା  । ଏବଂ ସମସ୍ତ ଶିଶୁଙ୍କୁ ସୁରକ୍ଷିତ ଭାବେ ପ୍ରସବ କରାଇବା ନେଇ ଏକ ଡାକ୍ତରୀ କମିଟି ମଧ୍ୟ ଏସସିବିରେ ଗଠନ ହୋଇଥିଲା  । ଶେଷରେ ଆଜି ଅପରାହ୍ନରେ ମହିଳା ଜଣଙ୍କ ୪ଟି କନ୍ୟା ସନ୍ତାନଙ୍କୁ ଜନ୍ମ ଦେଇଛନ୍ତି  ।

ମହିଳା ଜଣଙ୍କ ପେଟରେ ଯେହେତୁ ୪ଟି ଶିଶୁ ରହିଥିଲେ, ତେଣୁ ପ୍ରସବ କରାଇବା ସହଜ ନଥିଲା  । ତେଣୁ କଟକ ବଡ଼ ମେଡିକାଲରେ ମହିଳା ଜଣଙ୍କ ଭର୍ତ୍ତି ହୋଇଥିଲେ  । ଏଥିପାଇଁ ସ୍ତ୍ରୀ ରୋଗ ଓ ପ୍ରସୂତି ବିଭାଗର ମୁଖ୍ୟ ଡାକ୍ତର ତୁଷାର କରଙ୍କ ନେତୃତ୍ୱରେ ଏକ କମିଟି ଗଠନ ହୋଇଥିଲା  ।  ଫଳରେ ସୁରକ୍ଷିତ ପ୍ରସବ କରାଇଥିଲେ ଡାକ୍ତରୀ ଟିମ  । ଏବଂ ବର୍ତ୍ତମାନ ଉଭୟ ଶିଶୁ ଏବଂ ମାଆଙ୍କ ସ୍ୱାସ୍ଥ୍ୟବସ୍ଥା ମଧ୍ୟ ଭଲ ରହିଥିବା ଜଣା ପଡିଛି  ।

 

‘ରୁଟି’ ଥିଲା କୋଡ୍, ୧୮୫୭ରେ ଭାରତ ଏମିତି କରିଥିଲା ବିଦ୍ରୋହ

ପଲାସୀ ଯୁଦ୍ଧ ପରେ ଭାରତରେ ଇଷ୍ଟ ଇଣ୍ଡିଆ କମ୍ପାନୀର ମୁଳଦୁଆ ଶକ୍ତ ହୋଇଥିଲା । ଏହା ସହ ଭାରତରେ କମ୍ପାନୀର ସାମ୍ରାଜ୍ୟ ବିସ୍ତାର ଆରମ୍ଭ ହୋଇଥିଲା । କମ୍ପାନୀର କ୍ଷେତ୍ରଫଳ ଓ ଲାଭ ବଢିବା ସହିତ ଲୋଭ ବଢିଥିଲା । କମ୍ପାନୀର ଲୋଭ ଭାରତୀୟଙ୍କ ପାଇଁ କାଳ ହୋଇଥିଲା । ଶେଷରେ ଅତ୍ୟାଚାର ଓ ଧର୍ମ ବିଶ୍ୱାସକୁ ନେଇ ଭାରତୀୟ ସିପାହୀ କମ୍ପାନୀ ବିରୋଧରେ ଫୁଙ୍କିଥିଲେ ବିଦ୍ରୋହର ବିଗୁଲ । ଯାହା ୧୮୫୭ ସିପାହୀ ବିଦ୍ରୋହ ନାଁରେ ପରିଚିତ । ତେବେ ୧୮୫୭ ବିଦ୍ରୋହ କେମିତି ହୋଇଥିଲା ଓ କେମିତି ଏଥିପାଇଁ କ୍ଷେତ୍ର ପ୍ରସ୍ତୁତ ହୋଇଥିଲା ଆସନ୍ତୁ ଜାଣିବା।

ଗୋଲମରିଚ ନେବାକୁ ଭାରତ ଆସିଥିବା କମ୍ପାନୀ ଦେଶର ମାହୋଲ ଦେଖି ଶାସନ କରିବାର ସ୍ୱପ୍ନ ଦେଖିବା ଆରମ୍ଭ କରିଥିଲା । ନିଜ ଫ୍ୟାକ୍ଟ୍ରିର ସୁରକ୍ଷା ପାଇଁ ଯେଉଁ ପ୍ରାଇଭେଟ୍ ଆର୍ମି ରଖିଥିଲା ସେଥିରେ ଦେଶୀୟ ସୈନିକଙ୍କୁ ସାମିଲ କରିଥିଲା । ଆଉ ସେଇ ସୈନିକଙ୍କୁ ନେଇ କମ୍ପାନୀ ବଙ୍ଗଳାରେ ନିଜ ପସନ୍ଦର ନବାବଙ୍କୁ ଗାଦିରେ ବସାଇଥିଲା । ପଲାସୀ ଯୁଦ୍ଧ ପରେ କମ୍ପାନୀ କିଛିଦିନ ମିର ଜାଫରଙ୍କୁ ନବାବ ଭାବେ ଗାଦିରେ ବସାଇଥିଲା । କିନ୍ତୁ ମିର ଜାଫର ଧିରେ ଧିରେ କରଛଡା ଦେବା ଆରମ୍ଭ କଲେ । ଏହାପରେ କମ୍ପାନୀ ଭାବିଲା ନବାବଙ୍କ ଆଢୁଆଳରେ ଶାସନ କରିବା ଅପେକ୍ଷା ପ୍ରତ୍ୟକ୍ଷ ଭାବେ କାହିଁକି ଶାସନ କରାଯିବା ନାହିଁ ? ଆଉ ତା’ପରେ କମ୍ପାନୀ ମିର ଜାଫରଙ୍କୁ ବିଦା କରି ଶାସନ ଡୋର ନିଜ ହାତକୁ ନେଇଥିଲା । ବଙ୍ଗଳା ଶାସନ ଡୋର କମ୍ପାନୀ ହାତକୁ ୧୭୬୫ରେ ଯାଇଥିଲା । ସେହିବର୍ଷ ମୋଗଲ ଶାସକ ଶାହ ଆଲମ, ରବର୍ଟ କ୍ଲାଇବଙ୍କ ସହ ଏକ ଚୁକ୍ତି କରିଥିଲେ । ଏହାଦ୍ୱାରା ପଶ୍ଚିମବଙ୍ଗ, ବିହାର ଓ ଓଡ଼ିଶାରୁ ଟିକସ ଆଦାୟ କ୍ଷମତା ପାଇଥିଲା ଇଷ୍ଟ ଇଣ୍ଡିଆ କମ୍ପାନୀ ।

 

ବଙ୍ଗଳରା କମ୍ପାନୀ ରାଜ୍ ଆରମ୍ଭ ହୋଇସାରିଥିଲା । କିନ୍ତୁ ପୁରା ଦେଶ କମ୍ପାନୀ ହାତକୁ ଯିବାକୁ ଆଉ କିଛିଦିନ ବାକି ଥିଲା । ଦକ୍ଷୀଣରେ ଟିପୁ ଓ ମରାଠା ସାମ୍ରାଜ୍ୟ ଥିଲେ କମ୍ପାନୀର ମୁଖ୍ୟ ପ୍ରତିବନ୍ଧକ । କମ୍ପାନୀ ଏଇଠି ଡିଭାଇଡ୍ ଆଣ୍ଡ୍ ରୁଲ ନୀତି ସହ ଆଗକୁ ବଢିଥିଲା । ଟିପୁ ଫ୍ରାନ୍ସ ସହିତ ସାମରିକ ସମ୍ପର୍କ ସ୍ଥାପନ ପାଇଁ ଉଦ୍ୟମ କରୁଥିବା ବେଳେ ମରାଠା ଶକ୍ତି ଓ ହାଇଦ୍ରାବାଦର ନିଜାମଙ୍କ ସହିତ ମେଣ୍ଟ କରିଥିଲା କମ୍ପାନୀ । ଟିପୁଙ୍କ ବିସ୍ତାରବାଦୀ ନୀତି ଓ ମାଲାବାର ଅଂଚଳରେ ହିନ୍ଦୁଙ୍କ ଉପରେ ଅତ୍ୟାଚାରକୁ ନେଇ କ୍ଷୁବ୍ଧ ଥିବା ମରାଠା ଇଂରେଜଙ୍କ ସହିତ ହାତ ମିଳାଇଥିଲେ ।

ଇଷ୍ଟ ଇଣ୍ଡିଆ କମ୍ପାନୀ, ଟିପୁ ଓ ତାଙ୍କ ପିତାଙ୍କ ହାଇଦର ଅଲ୍ଲୀଙ୍କ ସହ ୪ ଗୋଟି ଯୁଦ୍ଧ ଲଢ଼ିଥିଲା । ୧୭୯୯ ଯୁଦ୍ଧରେ ଶ୍ରୀରଙ୍ଗପଟ୍ଟନମରେ ଟିପୁ ପ୍ରାଣ ହରାଇଥିଲେ । ଅନ୍ୟପକ୍ଷରେ ପାନିପତର ତୃତୀୟ ଯୁଦ୍ଧ ହାରିବା ପରେ ମରାଠା ସାମ୍ରାଜ୍ୟ ଭାଗ ଭାଗ ହୋଇ ଯାଇଥିଲା । ୧୮୧୯ରେ ଇଂରେଜ ପେଶୱାଙ୍କୁ ପୁନେରୁ ନେଇ କାନପୁର ନିକଟସ୍ଥ ବିଠୁର ରଖାଇଥିଲେ ।

୧୮୧୯ ପରେ କମ୍ପାନୀ ପାଇଁ ଗୋଟିଏ ହିଁ ଚ୍ୟାଲେଂଜ୍ ଥିଲା… ପଞ୍ଜାବ । ମହାରାଜା ରଣଜିତ ସିଂହ ଜୀବିତ ଥିବା ପର୍ଯ୍ୟନ୍ତ ଇଂରେଜଙ୍କୁ ପଞ୍ଜାବରେ ପଶିବାକୁ ଦେଇ ନଥିଲେ । ୧୮୩୯ରେ ତାଙ୍କର ମୃତ୍ୟୁ ପରେ ଚିତ୍ର ବଦଳି ଯାଇଥିଲା । ଆଉ ଦୁଇଟି ଯୁଦ୍ଧ ହୋଇଥିଲା ଯାହାର ୧୦ ବର୍ଷ ପରେ ପଞ୍ଜାବକୁ କରାୟତ୍ତ କରି ନେଇଥିଲା ଇଷ୍ଟ ଇଣ୍ଡିଆ କମ୍ପାନୀ ।

ଏହାପରେ ୧୮୪୮ରେ ଆସିଥିଲା ଆଉ ଏକ ବଡ଼ ବିପଦ । ବିଲୟ ନୀତି ଆଣିଥିଲେ ଲର୍ଡ ଡେଲହାଉସି । ନୀତି ଅନୁସାରେ, ଯେଉଁ ଶାସକଙ୍କ କୌଣସି ପୁରୁଷ ଉତ୍ତରାଧିକାରୀ ନଥିବେ ଉକ୍ତ ରାଜ୍ୟର କ୍ଷମତା କମ୍ପାନୀ ହାତକୁ ନେଉଥିଲା । ଏହି ଆଧାରରେ ସତାରା, ସମ୍ବଲପୁର, ଉଦୟପୁର, ନାଗପୁର ଓ ଝାନ୍ସି ଇଂରେଜଙ୍କ କବଜାକୁ ଚାଲି ଯାଇଥିଲା ।

୧୮୫୭ରେ ମୀରଟ ସିପାହୀ ବିଦ୍ରୋହରେ ମଙ୍ଗଳ ପାଣ୍ଡେଙ୍କୁ ଫାଶୀ ଖୁଣ୍ଟରେ ଚଢ଼ା ଯାଇଥିଲା । ସେଇଠୁ ଉଠିଥିଲା କ୍ରାନ୍ତିର ନାରା ପରେ ଝାନ୍ସି, ଅବଧ, ଦିଲ୍ଲୀ, ବିହାରକୁ ବ୍ୟାପିଥିଲା । ରାଣୀ ଲକ୍ଷ୍ମୀବାଇ, ବହାଦୂର ଶାହ ଜଫର, ନାନା ସାହେବ ଆଦି ମିଳିତ ଭାବେ ଇଂରେଜଙ୍କ ବିରୋଧରେ ଏକାଠି ହୋଇ ଲଢ଼ିଥିଲେ । ବିଦ୍ରୋହର ବାର୍ତ୍ତା ପ୍ରେରଣ ପାଇଁ ବିଦ୍ରୋହୀ ରୁଟିକୁ କୋଡ୍ ଭାବେ ବ୍ୟବହାର କରୁଥିଲେ । ଗୋଟିଏ ସେନା କ୍ୟାମ୍ପରୁ ଆଉ ଗୋଟିଏ ସେନା କ୍ୟାମ୍ପକୁ ରୁଟି ଯାଉଥିଲା । ଯାହା ଥିଲା ବିଦ୍ରୋହ ପାଇଁ ପ୍ରସ୍ତୁତ ହେବା ଲାଗି କୋଡ୍ ୱାର୍ଡ୍ ।

୧୮୫୭ ଭାରତୀୟ ରାଜା ଓ ସିପାହୀଙ୍କର ଥିଲା କମ୍ପାନୀ ବିରୋଧରେ ପ୍ରଥମ ମିଳିତ ବିଦ୍ରୋହ । ଅବଶ୍ୟ ଏହା ନିଜ ରାଜ୍ୟ ଓ କ୍ଷମତା ବଂଚାଇବା ପାଇଁ କିଛି ରାଜା ଓ ରାଣୀଙ୍କର ଥିଲା କମ୍ପାନୀ ବିରୋଧରେ ବିଦ୍ରୋହ କିନ୍ତୁ ଏହାକୁ କେବଳ ସିପାହୀ ବିଦ୍ରୋହ କହି ଏହାର ଗୁରୁତ୍ୱ କମ କରାଯାଇ ପାରିବ ନାହିଁ । କାରଣ ଏହା ଥିଲା ଗୋଟିଏ ବିଦେଶୀ କମ୍ପାନୀ ବିରୋଧରେ ଭାରତର ଦୁଇ ପ୍ରମ୍ମୁଖ ଧର୍ମର ସିପାହୀଙ୍କ ବିଦ୍ରୋହ । ପ୍ରଥମ ଥର ପାଇଁ କମ୍ପାନୀର ଡିଭାଇଡ୍ ଆଣ୍ଡ୍ ରୁଲ ଫର୍ମୁଲ ଫେଲ ମାରିଥିଲା। ବିଦ୍ରୋହ ଯଦିଓ ବିଫଳ ହୋଇଥିଲା କିନ୍ତୁ ଲଣ୍ଡନରେ ବସିଥିବା ବ୍ରିଟିଶ ସରକାର କମ୍ପାନୀ ହାତରୁ ଶାସନ ଡୋର ଛଡାଇ ନେବାକୁ ବାଧ୍ୟ ହୋଇଥିଲେ। ଏହି ବିଦ୍ରୋହର ୯୦ ବର୍ଷ ପରେ ଭାରତରେ ବ୍ରିଟିଶ ଶାସନର ଅନ୍ତ ହୋଇଥିଲା…

ଗିରଫ ହେଲେ କୋଟିପତି କିରାଣୀ, ଆୟଠାରୁ ୮୦ପ୍ରତିଶତ ଅଧିକ ସମ୍ପତ୍ତି

ବଲାଙ୍ଗୀର: ଭିଜିଲାନ୍ସ ଜାଲରେ କୋଟିପତି କିରାଣୀ । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ମାମଲାରେ ଅଟକ କୋଟିପତି କିରାଣିଙ୍କୁ ଗିରଫ କରିଛି ଭିଜିଲାନ୍ସ ଟିମ। ବଲାଙ୍ଗୀର ଜିଲ୍ଲା ପୁଇଁତଳା ବ୍ଲକର ବରିଷ୍ଠ କିରାଣି ରବୀନ୍ଦ୍ର କୁମାର ମହାନ୍ତିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଭିଜିଲାନ୍ସ । ଏ ନେଇ ସୂଚନା ଦେଇଛନ୍ତି ବଲାଙ୍ଗୀର ଭିଜିଲାନ୍ସ ଡିଏସ୍‌ପି ସଦାନନ୍ଦ ପାଣି । ଆୟଠାରୁ ୮୦ପ୍ରତିଶତ ଅଧିକ ସମ୍ପତ୍ତି ଠୁଳ ମାମଲାରେ ଭିଜିଲାନ୍ସ ତାଙ୍କୁ ଗିରଫ କରିଛି ।

ଗତକାଲି ଆୟବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ରବୀନ୍ଦ୍ରଙ୍କ ଘର ସମେତ ୫ଟି ସ୍ଥାନରେ ଭିଜିଲାନ୍ସ ଟିମ୍ ଚଢ଼ାଉ କରିଥିଲା । ଗୁଡଭେଲା ବ୍ଲକ ଅନ୍ତର୍ଗତ ଡାହିମାଲ ନିକଟ ଡୁଙ୍ଗୁରିପାଲି ଗାଁରେ ଥିବା ରବୀନ୍ଦ୍ରଙ୍କ ପୈତୃକ ଘର, ତୁଷୁରାରେ ଥିବା ଘର, ବଲାଙ୍ଗୀର ସାଗରପଡାରେ ଥିବା ଦୁଇ ମହଲା କୋଠା ସମେତ ପୁଇଁତଳା ବ୍ଲକ କାର୍ଯ୍ୟାଳୟ ଓ ସ୍ତ୍ରୀ ମେଘମାଳା ପଟ୍ଟନାୟକଙ୍କ ସ୍କୁଲ କାର୍ଯ୍ୟାଳୟରେ ଚଢାଉ କରାଯାଇଥିଲା। ଚଢାଉ ବେଳେ ୧ କୋଟି ୬୮ଲକ୍ଷ, ୬୯ହଜାର, ୯୯୩ ଟଙ୍କାର ସମ୍ପତ୍ତି ଠାବ କରାଯାଇଛି । ଏଥିମଧ୍ୟରୁ ପ୍ରାୟ ୯୯ ଲକ୍ଷ ଟଙ୍କା ଆୟ ବର୍ହିଭୂତ ସମ୍ପତ୍ତି ରହିଥିବା ଜଣାପଡ଼ିଛି ।

ଜଗତସିଂହପୁରରେ BJD କାର୍ଯ୍ୟକାରିଣୀ ବୈଠକ, ଦଳକୁ ସଶକ୍ତ ପାଇଁ ଆହ୍ୱାନ

ଜଗତସିଂହପୁର: ବିଜୁ ଜନତା ଦଳର ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି  । ଜଗତସିଂହପୁରରେ ଅନୁଷ୍ଠିତ ହୋଇଯାଇଛି ପରିବର୍ଦ୍ଧିତ ଜିଲ୍ଲା ବୈଠକ  । ବିଜେଡି ସଭାପତି ତଥା ବିଧାୟକ ପ୍ରଶାନ୍ତ ମୁଦୁଲିଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଛି ଆଜିର କାର୍ଯ୍ୟକ୍ରମ । ବୈଠକରେ ବରିଷ୍ଠ ପର୍ଯ୍ୟବେକ୍ଷକ ପ୍ରସନ୍ନ ଆଚାର୍ଯ୍ୟ, ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ, ଜଳ ସମ୍ପଦ ଓ ସୂଚନା ଓ ଲୋକସମ୍ପର୍କ ବିଭାଗ ମନ୍ତ୍ରୀ ରଘୁନନ୍ଦନ ଦାସ ସାମିଲ ହୋଇଥିଲେ ।

ଜଗତସିଂହପୁର ଜିଲ୍ଲାର ସାମ୍ପ୍ରତିକ ରାଜନୈତିକ ବ୍ୟବସ୍ଥା ଓ ପୌର ନିର୍ବାଚନ ପ୍ରସଙ୍ଗରରେ ବୈଠକରେ ଆଲୋଚନା ହୋଇଥିଲା । ଏହାସହ ତୃଣମୂଳ ସ୍ତରରେ ଆଗ ଅପେକ୍ଷା ଦଳ କିପରି ଭଲ ପ୍ରଦର୍ଶନ କରିବ ସେ ବିଷୟରେ ଆଲୋଚନା ହୋଇଥିଲା । ଜିଲ୍ଲାରେ ବିଜୁ ଜନତା ଦଳର ଲକ୍ଷ୍ୟ ଓ ଉଦେଶ୍ୟ ଯେପରି ପ୍ରତିଟି ଲୋକଙ୍କ ପାଖରେ ପହଁଚାପାରିବେ ସେନେଇ ମଧ୍ୟ ଆଲୋକପାତ କରିଥିଲେ ଦଳର ଅନେକ ବରିଷ୍ଠ ନେତା  ।

ଯାଜପୁରରେ BCJDର କାର୍ଯ୍ୟକାରିଣୀ ବୈଠକ, ଯୁବକଙ୍କୁ କ୍ରିୟାଶୀଳ ପାଇଁ ପ୍ରଣବ ପ୍ରକାଶଙ୍କ କସରତ

ଯାଜପୁର:  ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ବିଜୁ ଛାତ୍ର ଜନତା ଦଳର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକାରିଣୀରେ ଯାଜପୁର ବିଧାୟକ  ପ୍ରଣବ ପ୍ରକାଶ ଦାସ, ପୂର୍ବତନ ପୋରାଧ୍ୟକ୍ଷ ଭବ ପ୍ରସାଦ ଦାସ ଏବଂ ରାଜ୍ୟ ଛାତ୍ର ସଙ୍ଗଠନର ସଭାପତି ଯୋଗ ଦେଇଥିଲେ । ସଙ୍ଗଠନକୁ କିପରି କ୍ରିୟାଶୀଳ କରାଯିବ ସେନେଇ ଆଲୋଚନା ହୋଇଛି ।

ଦଳକୁ ସଶକ୍ତ କରାଇବା ସହ ଆଗାମୀ ଦିନରେ କିପରି ଦଳ ଯାଜପୁରରେ ଆହୁରି କ୍ରିୟାଶୀଳ ହେବ ସେନେଇ ବୈଠକରେ ଆଲୋଚନା ହୋଇଛି  । ସାମାଜିକ ସଙ୍ଗଠନରେ ସାମିଲ ହେବା ସହ ଲୋକଙ୍କ ସୁଖ ଦୁଃଖରେ ସାମିଲ ହେବାକୁ ଗୁରୁମନ୍ତ୍ର ଦେଇଥିଲେ ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ।

ଭିକାରୀ ବେଶରେ ଆସିଲେ, ମୋବାଇଲ-ପର୍ସ ଧରି ଫେରାର ହେଲେ

ଭୁବନେଶ୍ୱର: ଭିକାରୀ ବେଶରେ ଲୁଟ । ଭୁବନେଶ୍ୱରରେ ଚକେଇସିଆଣିରେ ଅଞ୍ଚଳରେ ଥିବା ଜଣକ ଘରୁ ଚାରିଟି ମୋବାଇଲ ନେଇ ଛୁ ମାରିଲେ ଲୁଟେରା ।  ଜରି ଗୋଟାଳି ହୋଇଆସିଲେ, ମୋବାଇଲ ଲୁଟି ଚାଲିଲେ । ସେପଟେ ଲୁଟରେ ସଂଶ୍ଲିଷ୍ଟ ଥିବା ବ୍ୟକ୍ତି ସମସ୍ତେ ମହିଳା ବୋଲି ଜଣାପଡିଛି  । ଲୁଟ ବେଳର ଦୃଶ୍ୟ ସିସିଟିଭିରେ କୟଦ ମଧ୍ୟ ହୋଇଛି ।

ଲୁଟେରାଙ୍କ ସହ ଗୋଟିଏ ଛୋଟ ଶିଶୁ ଏବଂ ଆଉ ଜଣେ ପାଞ୍ଚ ବର୍ଷର ଶିଶୁ ଥିବା ସିସିଟିଭି ଫୁଟେଜରୁ ଜଣା ପଡିଛି । ତେବେ ଲୁଟର ଶିକାର ହୋଇଥିବା ଯୁବତୀ ହେଲେ ତାଳଚେର ଅଂଚଳର ଶାନ୍ତି ସ୍ୱରୂପା ସାହୁ । ସେ ଚକେଇ ସିଆଣିରେ ଥିବା ନିଜ ସାଙ୍ଗ ଘରକୁ ବୁଲିବା ପାଇଁ ଆସିଥିଲେ । ରାତିରେ ସୋଇଥିବା ବେଳେ କିଛି ଜରି ଗୋଟାଳି ପଶି ମୋବାଇଲ ଓ ପର୍ସ ଚୋରି କରି ନେଇଥିବା ସେ ଅଭିଯୋଗ କରିଛନ୍ତି  ।

ଲୁଟ  ଘଟିବାପରେ ଅଭିଯୋଗକାରୀ ମଞ୍ଚେଶ୍ୱର ଥାନାକୁ ଆସି ଅଭିଯୋଗ କରିଛନ୍ତି । ଅଭିଯୋଗ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ, କିଛି ମହିଳା ଓ ସେମାନଙ୍କ ସାଥିରେ ଦୁଇ ଜଣ ଶିଶୁ ରହିଥିଲେ  । ସମସ୍ତ ମହିଳା ଭିକାରୀ ବେଶରେ ଆସିଥିଲେ ଅର୍ଥାତ ରାସ୍ତାରେ ଜରି ଗୋଟାଉଥିବା ବେଷ ପୋଷାକରୁ ଜଣା ପଡୁଥିଲା   । ସେପଟେ ଉକ୍ତ ବ୍ୟକ୍ତି ମାନେହିଁ ତାଙ୍କ ବନ୍ଧୁଙ୍କ ଘରେ ପସି ମୋବାଇଲ ଏବଂ ପର୍ସ ଚୋରି କରିଥିବା ଅଭିଯୋଗ ହୋଇଛି  ।

ଏଣକି ଟାଟା କମ୍ପାନୀ ବିକ୍ରି କରିିବ କୋରାପୁଟ କଫି: ବଜାୟ ରହିବ ସ୍ୱତନ୍ତ୍ରତା,ବଢ଼ିବ ଚାହିଦା

ଭୁବନେଶ୍ୱର: ଆଦିବାସୀ ଚାଷୀଙ୍କ ଆର୍ଥିକ ଓ ସାମାଜିକ ସ୍ଥିତିକୁ ସୁଦୃଢ଼ କରିବାରେ ବେଶ ସହାୟକ ହୋଇଛି ‘କୋରାପୁଟ କଫି’ । ନିଜ ସ୍ୱତନ୍ତ୍ରତା ଯୋଗୁଁ ଏହାର ଚାହିଦା ବଢ଼ିବାରେ ଲାଗିଥିବା ବେଳେ ଏହାକୁ ଚାଷ କରି ଆଦିବାସୀ ସମ୍ପ୍ରଦାୟ ଚାଷୀମାନେ ରୋଜଗାରକ୍ଷମ ହୋଇପାରିଛନ୍ତି । ଯାହାର ଏକ ଉଦାହରଣ ହେଉଛନ୍ତି କସମପଦର ଗାଁର ସୁଲୋଚନା ଖର । ସେ ଟିଡିସିସିଓଏଲକୁ କମ୍ପାନୀକୁ ୨୦୦ କେ.ଜି କଫି ଫଳ ବିକ୍ରି କରି ସଫଳ ଚାଷୀ ହୋଇପାରିଛନ୍ତି । ଯାହାଙ୍କ ବିଷୟରେ ଟ୍ୱିଟ୍ କରି ପ୍ରଶଂସା କରିଛନ୍ତି ଖୋଦ୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ମୁଖ୍ୟମନ୍ତ୍ରୀ ଲେଖିଛନ୍ତି ଯେ, କୋରାପୁଟ କଫି’ର ଲୋକପ୍ରିୟତା ବଜାୟ ରଖିବାରେ କସମପଦର ଗାଁର ସୁଲୋଚନା ଖରଙ୍କ ପରି ଚାଷୀଙ୍କ ନିଷ୍ଠା ଓ ପ୍ରତିବଦ୍ଧତା ଅତ୍ୟନ୍ତ ପ୍ରଶଂସନୀୟ। ସେ ଟିଡକଲ୍‌କୁ ୨୦୦ରୁ ଊର୍ଦ୍ଧ୍ଵ କେଜି କଫି ଫଳ ବିକ୍ରି କରି ​ସଫଳ ଚାଷୀ ହୋଇପାରିଛନ୍ତି। ‘କୋରାପୁଟ କଫି’ର ଆଦୃତି ଆଦିବାସୀ ଚାଷୀଙ୍କ ଆର୍ଥିକ-ସାମାଜିକ ସ୍ଥିତିକୁ ଆହୁରି ସୁଦୃଢ କରିଥିବା ମୁଖ୍ୟମନ୍ତ୍ରୀ ଲେଖିଛନ୍ତି । ଏଥିସହିତ ‘କୋରାପୁଟ କଫି’ର ସ୍ୱତନ୍ତ୍ରତାକୁ ବଜାୟ ରଖି ଟାଟା କମ୍ପାନୀ ଏହାର ବିକ୍ରି କରିବ ବୋଲି ମୁଖ୍ୟମନ୍ତ୍ରୀ ନିଜ ଟ୍ୱିଟ୍‌ରେ ସୂଚିତ କରିଛନ୍ତି । କୋଭିଡ ସମୟରେ ଆଦିବାସୀଙ୍କ ଜୀବନଜୀବିକା ସୁରକ୍ଷିତ କରିବାରେ ଏହା ବଡ଼ ଗୁରୁତ୍ୱ ବହନ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ସୂଚନା ଯୋଗ୍ୟ ଯେ, କୋରାପୁଟର ଥଣ୍ଡା ଜଳବାୟୁ ପାଇଁ ଏଠାରେ କଫି ଚାଷ ଭଲ ହୋଇଥାଏ। କଫି ଚାଷ ପାଇଁ କୋରାପୁଟର ଏକ ସ୍ୱତନ୍ତ୍ର ପରିଚୟ ରହିଥିଲେ ମଧ୍ୟ ଏଠାରେ ପ୍ରକ୍ରିୟାକରଣ ୟୁନିଟ ନ ଥିବାରୁ କଫି ଚାଷୀମାନେ ଅସୁବିଧାରେ ପଡୁଥିଲେ। ଜିଲ୍ଲାରେ ପାଖାପାଖି ୩ ହଜାର ହେକ୍ଟର ଜମିରେ କଫି ଚାଷ କରାଯାଉଥିଲାବେଳେ କୋରାପୁଟରୁ ବର୍ଷକୁ ପ୍ରାୟ ୫୫୦ ମେଟ୍ରିକ ଟନ କଫି ମଞ୍ଜି ମିଳୁଛି। ଆଗରୁ ଚାଷୀମାନେ ଏହା ବାହାରକୁ ରପ୍ତାନୀ କରୁଥିଲେ। ଏଠାରୁ ମୁଖ୍ୟତଃ ଆନ୍ଧ୍ର ଓ କର୍ଣ୍ଣାଟକକୁ କଫି ବିକ୍ରି କରା ଯାଉଥିଲାବେଳେ ସେମାନେ ନିଜ ନାମରେ ବ୍ରାଣ୍ଡିଂ କରି କଫି ବିକ୍ରି କରୁଥିଲେ। ଫଳରେ କୋରାପୁଟ କଫି ଏହାର ଅସ୍ତିତ୍ୱ ହରାଉଥିଲା। ଚାଷୀଙ୍କ ସମସ୍ୟା ଦୂର କରିବା ସହ ନିଜ ପାଇଁ ପରିଚୟ ତିଆରି କରିବା ଲକ୍ଷ୍ୟ ନେଇ ରାଜ୍ୟର ପ୍ରଥମ କଫି ପ୍ରକିୟାକରଣ ୟୁନିଟ୍‌ ଉଦ୍‌ଘାଟନ କରିଥିଲେ । ଜୁନ ୨୦୨୧ ସୁଦ୍ଧା ୩୦,୦୦୦ ପରିବାରକୁ ୪୬,୦୦୦ ଏକରର ଜଙ୍ଗଲ ଜମି ଅଧିକାର ପ୍ରଦାନ କରାଯାଇଛି। ୨୦୨୦-୨୧ରେ କୋରାପୁଟ ଜିଲ୍ଲାର ‘ଲକ୍ଷ୍ମୀପୁର’, ‘କାଶିପୁର’, ‘ଦସମନ୍ତପୁର’, ‘ନନ୍ଦପୁର’, ‘ଲମଟାପୁଟ’, ‘କୋରାପୁଟ’ ଓ ‘ପଟ୍ଟାଙ୍ଗି’ ବ୍ଲକର ୧୯୩ ଜଣ ଆଦିବାସୀ କଫି ଚାଷୀଙ୍କଠାରୁ ଟିଡିସିସିଓଏଲ ୨୮,୭୯୦ କେଜି କଫି ଚେରୀ ସଂଗ୍ରହ କରିଛି। ୨୧-୨୨ ବର୍ଷରେ ଅଧିକ ୮୦ ହେକ୍ଟର ଜମିରେ କଫି ଉତ୍ପାଦନ ପାଇଁ ଲକ୍ଷ୍ୟ ରହିଛି। ଚଳିତ ବର୍ଷ କଫି ଉତ୍ପାଦନକାରୀଙ୍କୁ ଦକ୍ଷତା ବୃଦ୍ଧି ତାଲିମ ଦିଆଯାଇଥିବାରୁ ଗତ ବର୍ଷ ଅପେକ୍ଷା ଅଧିକ କଫି ଉତ୍ପାଦନ ହେବ ବୋଲି ଆଶା ରଖାଯାଇଛି।

ନିର୍ଦ୍ଧିଷ୍ଟ ଟିକା ଅପେକ୍ଷା ମିକ୍ସ ଭ୍ୟାକ୍ସିନ ନେଇଥିବା ବ୍ୟକ୍ତିଙ୍କ ଅଧିକ ଆଣ୍ଟିବଡ଼ି

ଭୁବନେଶ୍ୱର: ଭ୍ୟାକ୍ସିନକୁ ନେଇ ଦ୍ୱନ୍ଦ ଏବେ ବି ଦୂର ହୋଇପାରୁନି  । ଗୋଟେପଟେ ସ୍ୱାସ୍ଥ୍ୟ ବିଭାଗର ପରାମର୍ଶ ବି ଫେଲ ହୋଇଥିବା ପ୍ରମାଣିତ ହୋଇଛି  । କେନ୍ଦ୍ର ସରକାରଙ୍କ ନିର୍ଦେଶ ମୁତାବକ ଯେଉଁବ୍ୟକ୍ତି ପ୍ରଥମ ଡୋଜରେ ନିର୍ଦ୍ଧିଷ୍ଟ କମ୍ପାନୀର ଭ୍ୟାକ୍ସିନ ନେଇଥିବା, ଦ୍ୱିତୀୟ ଡୋଜରେ ସେହି କମ୍ପାନୀର ଭ୍ୟାକ୍କସିନ ନେବା ବାଧ୍ୟତାମୂଳକ  । କାରଣ ପ୍ରଥମ ଡୋଜ ଏବଂ ଦ୍ୱିତୀୟ ଡୋଜ ଭିତରେ ବ୍ୟତିକ୍ରମ ହେଲେ ଜୀବନ ପ୍ରତି ବିପଦ ଥିବା ଦର୍ଶାଇଥିଲେ କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗ  । କିନ୍ତୁ ଏହି ନିର୍ଦେଶକୁ ଭୁଲ ପ୍ରମାଣିତ କରିଛି ତ୍ରୁଟି ସମ୍ପନ୍ନ ଟିକା  ।

ପ୍ରଥମ ଏବି ଦ୍ୱିତୀୟ ଡୋଜରେ ନିର୍ଦ୍ଧିଷ୍ଟ ଭ୍ୟାକ୍ସିନ ନେଇଥିବା ବ୍ୟକ୍ତିଙ୍କ ଅପେକ୍ଷା, ଉଭୟ କୋଭାକ୍ସିନ ଓ କୋଭିସିଲ୍ଡ ନେଇଥିବା ବ୍ୟକ୍ତିଙ୍କ କ୍ଷେତ୍ରରେ ସୃଷ୍ଟି ହେଉଛି ଅଧିକ ରୋଗ ପ୍ରତିରୋଧକ ଶକ୍ତି । କେବଳ କୋଭାକ୍ସିନ ବା କୋଭିସିଲ୍ଡ ନେଇଥିବା ବ୍ୟକ୍ତିଙ୍କ ତୁଳନାରେ ସେମାନଙ୍କ ଶରୀରରେ ଅଧିକ ପ୍ରତିରୋଧକ ଶକ୍ତି ଜାତ ହୋଇଥାଏ ବୋଲି ପୁଣେ ସ୍ଥିତ ଜାତୀୟ ଭୂତାଣୁ ଗବେଷଣା ପ୍ରତିଷ୍ଠାନ ବା ଏନଆଇଭି କହିଛି ।

ଉତ୍ତରପ୍ରଦେଶର ସିଦ୍ଧାନ୍ତ ନଗରରେ ଉଭୟ କୋଭାକ୍ସିନ ଓ କୋଭିସିଲଡ ନେଇଥିବା ୧୮ ଜଣ ବ୍ୟକ୍ତିଙ୍କୁ ପରୀକ୍ଷା କରିବା ପରେ ଏନଆଇଭି ତଥ୍ୟ ପ୍ରଦାନ କରିଛି । ଏହି ଗବେଷଣା ଆଇସିଏମଆର ଓ ଏନଆଇଭି ପକ୍ଷରୁ ମିଳିତ ଭାବେ କରାଯାଇଥିଲା । କୋଭିଡ ମହାମାରୀ ବିରୋଧରେ ଦେଶରେ ଗତ ଜାନୁଆରୀରୁ ଟିକାକରଣ ଆରମ୍ଭ କରାଯାଇଥିବା ବେଳେ କକଟେଲ ଟିକାକୁ ନେଇ ବିଶ୍ବରେ ବିଭିନ୍ନ ଚର୍ଚ୍ଚା ଜାରି ରହିଛି ।

ଆମେରିକାର ଏୟାର ଷ୍ଟ୍ରାଇକ୍‌ରେ ପ୍ରାଣ ହରାଇଛନ୍ତି ୨୦୦ରୁ ଅଧିକ ତାଲିବାନ ଆତଙ୍କବାଦୀ

ନୂଆଦିଲ୍ଲୀ: ଆଫଗାନିସ୍ତାନରେ ତାଲିବାନକୁ ଲାଗିଛି ଶକ୍ତ ଧକ୍କା । ଆମେରିକା ପକ୍ଷରୁ ହୋଇଥିବା ଏୟାର ଷ୍ଟ୍ରାଇକରେ ପ୍ରାଣ ହରାଇଛନ୍ତି ୨୦୦ରୁ ଅଧିକ ତାଲିବାନୀ ଆତଙ୍କୀ । ଆଜି ସକାଳେ ସେବରଗାନଠାରେ କିଛି ଆଡ୍ଡାସ୍ଥଳୀରେ ଏୟାରଷ୍ଟ୍ରାଇକ ହେବା ପରେ ତାଲିବାନର ୨୦୦ରୁ ଅଧିକ ଆତଙ୍କୀ ପ୍ରାଣ ହରାଇଛନ୍ତି ବୋଲି କହିଛି ଆଫଗାନ ପ୍ରତିରକ୍ଷା ମନ୍ତ୍ରାଳୟ । ଏହା ସହ ସେମାନଙ୍କର ୧୦୦ରୁ ଅଧିକ ଗାଡ଼ି ଓ ବିପୁଳ ଅସ୍ତ୍ରଶସ୍ତ୍ର ମଧ୍ୟ ନଷ୍ଟ ହୋଇଛି । ତାଲିବାନ ବାହିନୀର ଆଡ୍ଡାସ୍ଥଳୀ ଉପରେ ବି-୫୨ ବମ୍ପର ଜରିଆରେ ହମଲା ପରେ ସେମାନେ ପ୍ରାଣ ହରାଇଥିଲେ । ପୂର୍ବରୁ ଘଜନି ସହରରେ ଆଫଗାନ କମାଣ୍ଡୋ ବାହିନୀ ହାତରେ ଗିରଫ ହୋଇଥିଲା ଜଣେ ପାକିସ୍ତାନୀ ଆତଙ୍କବାଦୀ । ସେପଟେ ଉତ୍ତରାଞ୍ଚଳ ଆଫଗାନିସ୍ତାନର ଜଓ୍ୱାଜାନ ପ୍ରଜାତନ୍ତ୍ରର ରାଜଧାନୀ ସେବର୍ଜଗାନକୁ କବଳିତ କରିଛନ୍ତି ତାଲିବାନ ବାହିନୀ । ବର୍ତ୍ତମାନ ସୁଦ୍ଧା ବିଭିନ୍ନ ଆକ୍ରମଣରେ ୩୮୫ରୁ ଅଧିକ ତାଲିବାନ ପ୍ରାଣ ହରାଇଲେଣି ।

ଏଥିସହିତ ପଢ଼ନ୍ତୁ: ନୀରଜ ବର୍ଛା ଫୋପାଡି ଭାରତକୁ ଦେଲେ ସ୍ୱର୍ଣ୍ଣ,ଏବେ ଦେଶ ଦେଉଛି ସୁନାପୁଅକୁ ଉପହାର