ପୋଡ଼ା ଟ୍ରାନ୍ସଫର୍ମର ବଦଳାଇ ପାରୁନି ବିଦ୍ୟୁତ୍ ବିଭାଗ, ବିତିଲାଣି ୧୧ ବର୍ଷ

ବାଲିଗୁଡ଼ା: ଟ୍ରାନ୍ସଫର୍ମର ଲଗାଇପାରୁନି ବିଦ୍ୟୁତ୍ ବିଭାଗ, ବିତିଲାଣି ୧୧ ବର୍ଷ । ବିଦ୍ୟୁତ୍ ସଂଯୋଗ ଥାଇ ମଧ୍ୟ ଅନ୍ଧାରରେ ରହୁଛନ୍ତି ଲୋକେ । ୨୦୧୦ ମସିହାରେ କନ୍ଧମାଳ ଜିଲ୍ଲା ପାଡ଼ିବାଡ଼ା ଗାଁରେ ଟ୍ରାନ୍ସଫର୍ମରଟି ପୋଡ଼ି ଯାଇଥିଲା । ଆଉ ଆଜି ପର୍ଯ୍ୟନ୍ତ ତାହାକୁ ଠିକ୍ କରିପାରିନି ବିଦ୍ୟୁତ୍ ବିଭାଗ । ନୂତନ ଟ୍ରାନ୍ସଫର୍ମର ଲଗାଇବା ପାଇଁ ଗ୍ରାମବାସୀ ବାରମ୍ବାର ବିଦ୍ୟୁତ୍ ବିଭାଗକୁ ଜଣାଇଥିଲେ ବି କର୍ମଚାରୀ ସାଜିଛନ୍ତି ନିଦା ବିଷ୍ଣୁ । ଲୋକେ ଅନ୍ଧାରରେ ହନ୍ତସନ୍ତ ହେଉଛନ୍ତି ।

No Power In Tribal Village Since 11 Year Kandhamal

ବିଦ୍ୟୁତ୍ ସଂଯୋଗ ଅଛି, ଘରେ ଘରେ ମିଟର ଲାଗିଛି । ହେଲେ ନା ଆଲୁଅ ଜଳୁଛି, ନା ପଙ୍ଖା ବୁଲୁଛି । ୧୧ବର୍ଷ ହେଲା ଏମିତି ଅନ୍ଧାରରେ ରହୁଛନ୍ତି କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ୍ ପାଡ଼ିବାଡ଼ା ଗାଁ ଲୋକେ । ୨୦୦୮ ମସିହାରେ ବିଜୁ ଗ୍ରାମ୍ୟ ଜ୍ୟୋତି ଯୋଜନାରେ ପାଡ଼ିବାଡ଼ାକୁ ବିଜୁଳି ସଂଯୋଗ କରାଯାଇଥିଲା । ମାତ୍ର ୨ ବର୍ଷ ପରେ ଟ୍ରାନ୍ସଫର୍ମର ପୋଡ଼ିଯିବା ପରେ ଅନ୍ଧାରରେ ରହିଛି ଏହି ଆଦିବାସୀ ଗାଁ । ବିଦ୍ୟୁତ୍ ବିଭାଗର ଅବହେଳା ପାଇଁ ବିଜୁଳି ଆଲୋକରୁ ବଞ୍ଚିତ ହୋଇଛନ୍ତି ଲୋକେ ।

No Power In Tribal Village Since 11 Year Kandhamal

ବିଜୁଳି ସେବାକୁ ପୁନଃ କାର୍ଯ୍ୟକ୍ଷମ କରିବାକୁ ଗ୍ରାମବାସୀ ୧୧ ବର୍ଷ ହେଲା ଦାବି କରି ଆସୁଛନ୍ତି । ହେଲେ ଲୋକଙ୍କର ସମସ୍ୟା ସମାଧାନ କରିବା ବଦଳରେ ବିଦ୍ୟୁତ୍ ବିଭାଗ ଆଖି ବୁଜି ଦେଇଥିବା ଲୋକେ କହିଛନ୍ତି । ସେପଟେ ଏସମ୍ପର୍କରେ କୌଣସି ଅଭିଯୋଗ ଆସିନାହିଁ, ଅଭିଯୋଗ ଆସିଲେ ତୁରନ୍ତ ସମସ୍ୟା ସମାଧାନ କରାଯିବ ବୋଲି କହିଛନ୍ତି ବାଲିଗୁଡ଼ା ବିଦ୍ୟୁତ୍ ବିଭାଗର ଉପଖଣ୍ଡ ସହକାରୀ ଯନ୍ତ୍ରୀ ।

No Power In Tribal Village Since 11 Year Kandhamal

୧୧ ବର୍ଷ ଅନ୍ଧାରରେ ରହି ଆସୁଛନ୍ତି ପାଡ଼ିବାଡ଼ା ଗ୍ରାମବାସୀ । ଆଗାମୀ ଦିନରେ ବିଦ୍ୟୁତ୍ ସେବା ନ ମିଳିଲେ ଆନ୍ଦୋଳନକୁ ଓହ୍ଲାଇବାକୁ ଚେତାବନୀ ଦେଇଛନ୍ତି ଗ୍ରାମବାସୀ ।

Leave a Reply