spot_img
Home Blog Page 5316

ଗୋଟିଏ ଦିନରେ ଚିହ୍ନଟ ହେଲେ ମାତ୍ର ୮୬୮ ପଜିଟିଭ୍, ୬୬ ଜୀବନ ନେଲା ଭାଇରସ

ଭୁବନେଶ୍ୱର: ରାଜ୍ୟରେ ଦ୍ୱିତୀୟ ଥର ପାଇଁ ହଜାରେ ତଳେ ସଂକ୍ରମଣ । ଦିନକରେ ୨୭ଜିଲ୍ଲା ଓ ଷ୍ଟେଟପୁଲରୁ ୮୬୮ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୬୬ଜଣଙ୍କ ଜୀବନ ନେଇଛି କିଲର କରୋନା । ଶୂନରୁ ୧୮ ବର୍ଷ ବୟସର ୧୦୪ ପିଲା କରୋନାରେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କୋରାପୁଟ, ନବରଙ୍ଗପୁର ଓ ସୋନପୁରରେ ଶୂନ ସଂକ୍ରମଣ ।

୨୪ ଘଣ୍ଟାରେ ସୁସ୍ଥ ହୋଇଛନ୍ତି ହଜାରେ ୪୩ ଆକ୍ରାନ୍ତ । ଖୋର୍ଦ୍ଧାରୁ ସର୍ବାଧିକ ୨୫୬ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କଟକରୁ ୧୫୪, ଷ୍ଟେଟପୁଲରୁ ୫୪, ବାଲେଶ୍ୱରରୁ ୫୨, ଯାଜପୁରରୁ ୪୫, ସମ୍ବଲପୁରରୁ ୩୯, ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ମୟୂରଭଞ୍ଜରୁ ୨୮, ଅନୁଗୁଳ ଓ କେନ୍ଦ୍ରାପଡାରୁ ୨୬ଜଣ ଲେଖାଏଁ, ଜଗତସିଂହପୁରରୁ ୨୩, ନୟାଗଡ଼ ଓ ପୁରୀରୁ ୨୧ଜଣ ଲେଖାଏଁ, ଭଦ୍ରକରୁ ୧୯, ଢେଙ୍କାନାଳରୁ ୧୫, ବରଗଡ ଓ ସୁନ୍ଦରଗଡ଼ରୁ ୧୩ଜଣ ଲେଖାଏଁ, କନ୍ଧମାଳରୁ ୧୨, କେନ୍ଦୁଝରରୁ ୧୦, ବଲାଙ୍ଗୀରରୁ ୮, ଦେବଗଡ଼, ଝାରସୁଗୁଡା, ମାଲକାନଗିରି ଓ ନୂଆପଡାରୁ ୬ଜଣ ଲେଖାଏଁ, ଗଞ୍ଜାମରୁ ୩, କଳାହାଣ୍ଡି, ରାୟଗଡ଼ାରୁ ୨ଜଣ ଲେଖାଏଁ, ବୌଦ୍ଧ, ଗଜପତିରୁ ଜଣେ ଲେଖାଏଁ ସଂକ୍ରମିତ ଚିହ୍ନଟ ।

ରାଜ୍ୟରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୯ଲକ୍ଷ ୯୫ହଜାର ୪୩୩, ମୋଟ୍ ସୁସ୍ଥ ହୋଇଛନ୍ତି ୯ଲକ୍ଷ ୭୮ହଜାର ୨୪୦ । ଆକ୍ଟିଭ କେସ୍ ୧୦ହଜାର ୧୮୭ ।

ଆଜି କୋଟିଆ ଗସ୍ତ କରିବେ ସବୁ ଦଳର ବିଧାୟକ, ଆନ୍ଧ୍ରକୁ କଡ଼ା ଜବାବ ଦେବା ପାଇଁ ଯୋଜନା

କୋଟିଆ: କୋଟିଆ ପାଇଁ ଏକ ଶାସକ ଓ ବିରୋଧୀ । ଆଜି କୋଟିଆ ଗସ୍ତ କରିବେ ବିଜେଡି, ବିଜେପି ଓ କଂଗ୍ରେସ ଦଳର ବିଧାୟକ । ଏନେଇ ସବୁ ଦଳର ନେତାଙ୍କ ସହ ଆଲୋଚନା କରାଯାଇଛି । ସମସ୍ତ ଦଳର ବିଧାୟକ କୋଟିଆ ଯିବେ ବୋଲି ସହମତି ପ୍ରକାଶ କରିଛନ୍ତି । କୋଟିଆ ଓଡ଼ିଶାର ଥିଲା, ରହିବ । ଏଥିପାଇଁ ଆନ୍ଧ୍ରକୁ କଡ଼ା ଜବାବ ଦିଆଯିବ ବୋଲି କହିଛନ୍ତି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି । କୋଟିଆକୁ ନେଇ ଆନ୍ଧ୍ର ଓ ଓଡ଼ିଶା ମଧ୍ୟରେ ବିବାଦ ଦିନକୁ ଦିନ ଉଗ୍ର ରୂପ ନେଉଛି । ମାମଲା ସୁପ୍ରିମକୋର୍ଟରେ ବିଚାରଧୀନ ଥିବା ବେଳେ କୋଟିଆକୁ ନେଇ ଦୈନିକ ନୂଆ ଷଡଯନ୍ତ୍ର କରୁଛି ଆନ୍ଧ୍ର । ସେପଟେ ଆନ୍ଧ୍ରର ସାଲୁରମଣ୍ଡଳ ବିଧାୟକ ଆଜି କୋଟିଆ ଆସିବା ନେଇ ସୂଚନା ମିଳିଛି ।

ଅନ୍ୟପଟେ ଗତକାଲି ସ୍ୱାଧିନତା ଦିବସରେ କୋଟିଆରେ ଉଡିଲା ତ୍ରିରଙ୍ଗା । ଓଡ଼ିଶା ପ୍ରଶାସନ ଦ୍ୱାରା ବିବାଦୀୟ ୨୮ଖଣ୍ଡ ଗାଁରେ ପାଳିତ ହୋଇଛି ସ୍ୱାଧୀନତା ଦିବସ । ଦଳଗତ ନିର୍ବିଶେଷରେ ବହୁ ରାଜନେତା ସମେତ ବୁଦ୍ଧିଜୀବୀ ଓ ସାହିତ୍ୟିକ ଯାଇ ପାଳନ କରିଛନ୍ତି ସ୍ୱାଧୀନତା ଦିବସ । କୋଟିଆର ଜନସାଧାରଣ ବି ସ୍ୱାଧୀନତା ଦିବସକୁ ବେଶ ଉତ୍ସାହର ସହିତ ପାଳନ କରିଛନ୍ତି ।

ଏହି ଉତ୍ସବରେ କୋଟିଆ ପଞ୍ଚାୟତାର ବିବାଦୀୟ ୨୧ ଖଣ୍ଡ ଗାଁ ସମେତ ଅନ୍ୟ ୭ଟି ଗାଁରେ ପାଳନ ହୋଇଯାଇଛି ସ୍ୱାଧୀନତା ଦିବସ । କୋରାପୁଟ ଜିଲ୍ଲା ପ୍ରଶାସନ କୋଟିଆର ସମସ୍ତ ଗାଁ ଗୁଡିକରେ ସ୍ବାଧୀନତା ଦିବସ ପାଳନ କରିବା ପାଇଁ ନିର୍ଦ୍ଦେଶ ଦେଇଥିବା ବେଳେ ପଟାଙ୍ଗି ଗୋଷ୍ଠି ଉନ୍ନୟନ ଅଧିକାରୀ ଆଇଏଏସ ବେଦ ଭୂଷଣ ଏବଂ ପଟାଙ୍ଗି ତହସିଲଦାର ହରିପ୍ରଦ ମଣ୍ଡଳଙ୍କ ତତ୍ୱାବଧାନରେ ସବୁ ଗାଁ ଗୁଡିକରେ ବିଭିନ୍ନ ଅଧିକାରୀ ଉପସ୍ଥିତ ରହି ସ୍ୱାଧୀନତା ଦିବସ ପାଳିଥିବା ଦେଖିବାକୁ ମିଳିଛି ।

ଆଜିଠୁ ଶ୍ରୀଜିଉଙ୍କ ଦର୍ଶନ କରିବେ ଶ୍ରୀକ୍ଷେତ୍ରବାସୀ, ସକାଳ ୭ରୁ ସନ୍ଧ୍ୟା ୭ଟା ଯାଏଁ ହେବ ଜଗା ଦର୍ଶନ

ପୁରୀ: ଆଜିଠୁ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ଦର୍ଶନ କରିବେ ଶ୍ରୀକ୍ଷେତ୍ରବାସୀ । ସକାଳ ୭ରୁ ସନ୍ଧ୍ୟା ୭ଟା ଯାଏଁ ତିନି ପର୍ଯ୍ୟାୟରେ କରିବେ ଦର୍ଶନ । ୩, ୬, ୧୧, ୧୨, ୧୪, ୧୫ ଓ ୧୮ ନମ୍ବର ୱାର୍ଡ ବାସିନ୍ଦା ଆଜି ଦର୍ଶନ କରିବେ । ଟୋକନ ଓ ପରିଚୟ ପତ୍ର ଦେଖାଇ ସ୍ୱତନ୍ତ୍ର ବ୍ୟାରିକେଡ୍ ଜରିଆରେ ସିଂହଦ୍ୱାର ଦେଇ ଶ୍ରୀମନ୍ଦିରକୁ ପ୍ରବେଶ କରି ପାରିବେ । ଦର୍ଶନ ସାରି ଉତ୍ତର ଦ୍ୱାର ଦେଇ ପ୍ରସ୍ଥାନ କରିବା ପାଇଁ ବ୍ୟବସ୍ଥା କରାଯାଇଛି ।

ଶୃଙ୍ଖଳିତ ଦର୍ଶନ ପାଇଁ ପୋଲିସ ପକ୍ଷରୁ ୮ ପ୍ଲାଟୁନ ପୋଲିସ ମୁତୟନ କରାଯାଇଛି । ଶ୍ରୀମନ୍ଦିର ଭିତର, ସିଂହଦ୍ୱାର ଏବଂ କିଓସ୍କ ଠାରୁ ଶ୍ରୀମନ୍ଦିର କାର୍ଯ୍ୟାଳୟ ପର୍ଯ୍ୟନ୍ତ ୩ଟି ସେକ୍ଟର କରାଯାଇଛି । ଶ୍ରୀମନ୍ଦିର ଭିତରକୁ ଭକ୍ତ ଫୁଲ, ତୁଳସୀ, ପ୍ରସାଦ କିମ୍ବା ଦୀପ ନେଇପାରିବେ ନାହିଁ । ସେହିଭଳି ମନ୍ଦିର ଭିତରେ କୌଣସି ପାର୍ଶ୍ଵ ଦେବଦେବୀ କିମ୍ବା ବିଗ୍ରହଙ୍କୁ ସ୍ପର୍ଶ କରିପାରିବେ ନାହିଁ । ସମସ୍ତେ ମାସ୍କ ବ୍ୟବହାର କରିବା ସହ ସାମାଜିକ ଦୂରତା ବାଧ୍ୟତାମୂଳକ କରାଯାଇଛି । ଗତ୧୨ ଓ ୧୩ ତାରିଖ ଦୁଇଦିନ ସେବାୟତଙ୍କ ପରିବାର ସଦସ୍ୟ ପ୍ରଥମେ ମହାପ୍ରଭୁଙ୍କ ଦର୍ଶନ କରିବାର ସୁଯୋଗ ପାଇଥିଲେ ।

ସେହିପରି ଆଜିଠୁ ପୁରୀ ସ୍ୱର୍ଗ ଦ୍ୱାରରେ ଶବ ସତ୍କାର କରିପାରିବେ ବାହାର ଜିଲ୍ଲାର ଲୋକେ । ଏ ନେଇ ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ସ୍ୱର୍ଗଦ୍ୱାରରେ ମୃତଦେହ ସହ ୧୦ଜଣ ପ୍ରବେଶ କରିପାରିବେ । ପୂର୍ବରୁ କରୋନା ଲାଗି ସବୁ ଜିଲ୍ଲା ପାଇଁ କଟକଣା ଜାରି ହୋଇଥିଲା । ହେଲେ ଆଜିଠୁ କଟକଣା ଆଉ ଲାଗିବ ନାହିଁ । ତେବେ ମୃତକଙ୍କ କୋଭିଡ ସାର୍ଟିଫିକେଟ୍ ବାଧ୍ୟତାମୂଳକ କରାଯାଇଛି ।

ବଙ୍ଗୋପସାଗରରେ ୨୪ ଘଣ୍ଟା ମଧ୍ୟରେ ଲଘୁଚାପର ରୂପ ନେବ ଘୂର୍ଣ୍ଣିବଳୟ, ଏହି ସବୁ ଜିଲ୍ଲାରେ ପ୍ରବଳ ବର୍ଷା

ଭୁବନେଶ୍ୱର: ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ଉତ୍ତର ଆନ୍ଧ୍ର ଉପକୂଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଲଘୁଚାପର ରୂପ ନେବ। ଘନିଭୁତ ହେବା ପରେ ଓଡ଼ିଶା ଉପକୂଳ ଏବଂ ପଶ୍ଚିମ କେନ୍ଦ୍ରୀୟ ସଂଲଗ୍ନ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଆଡକୁ ଗତି କରିବ। ଲଘୁଚାପ ପ୍ରଭାବରେ ୫ ଟି ଜିଲ୍ଲା ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କେନ୍ଦୁଝର ଏବଂ ମୟୁରଭଞ୍ଜରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

ଏହାସହ କନ୍ଧମାଳ, କଳାହାଣ୍ଡି, ଢେଙ୍କାନାଳ, ବଲାଙ୍ଗିର, ମୟୁରଭଞ୍ଜ, କେନ୍ଦୁଝର, ନୂଆପଡା ଏବଂ ଅନୁଗୁଳରେ ପ୍ରବଳ ବର୍ଷା ପାଇଁ ୟେଲୋ ଆଲର୍ଟ ଜାରି କରାଯାଇଛି। ସମ୍ଭାବ୍ୟ ଲଘୁଚାପର ପ୍ରଭାବ ୧୬ ଏବଂ ୧୭ ତାରିଖରେ ସର୍ବାଧିକ ରହିବ। ଆଜି ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷାର ପରିମାଣ ଅଧିକ ରହିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଲଘୁଚାପର ପ୍ରଭାବ ୧୮ ତାରିଖ ପର୍ଯ୍ୟନ୍ତ ରହିବ। ବର୍ଷା ସମୟରେ ପବନର ବେଗ ଘଣ୍ଟା ପ୍ରତି ୪୦ ରୁ ୫୦ କିଲୋମିଟର ରହିବ।

ସମୁଦ୍ର ଅଶାନ୍ତ ରହିବା କାରଣରୁ ୧୭ ଏବଂ ୧୮ ତାରିଖରେ ମତ୍ସଜୀବୀ ମାନଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି। ସେପଟେ ରାଜ୍ୟରେ ମୌସୁମୀ ଦୁର୍ବଳରହିଥିବାରୁ ଏବେ ବି ନିଅଣ୍ଟିଆ ବର୍ଷା ରେକର୍ଡ କରାଯାଇଛି। ଜୁନ୍ ୧ ତାରିଖରୁ ଅଗଷ୍ଟ ୧୫ ପର୍ଯ୍ୟନ୍ତ ରାଜ୍ୟରେ ୭୪୯.୫ ମିଲିମିଟର ବର୍ଷା ରେକର୍ଡ ହେବା କଥା।

କିନ୍ତୁ ବର୍ତ୍ତମାନ ସୁଦ୍ଧା ୫୨୪.୮ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଯାହା ସ୍ୱାଭାବିକ ବର୍ଷା ଠାରୁ ୩୦ ପ୍ରତିଶତ କମ୍। ରାଜ୍ୟର ୨୪ ଟି ଜିଲ୍ଲାରେ ନିଅଣ୍ଟିଆ ବର୍ଷା ହୋଇଥିବା ବେଳେ ୬ଟି ଜିଲ୍ଲାରେ ସ୍ୱାଭାବିକ ବର୍ଷା ହୋଇଛି। ଯାଜପୁରରେ ସର୍ବନିମ୍ନ ୫୪ ପ୍ରତିଶତ କମ୍ ବର୍ଷା ହୋଇଥିବା ବେଳେ ଭଦ୍ରକରେ ୫୧, ବଲାଙ୍ଗିରରେ ୪୪, କେନ୍ଦୁଝରରେ ସ୍ୱାଭାବିକ ଠାରୁ ୪୧ ପ୍ରତିଶତ, ଅନୁଗୁଳ, ଝାରସୁଗୁଡା ଏବଂ ଗଜପତିରେ ସ୍ୱାଭାବିକ ଠାରୁ ୪୦ ପ୍ରତିଶତ ନିଅଣ୍ଟିଆ ବର୍ଷା ହୋଇଛି ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି।

ଓଡ଼ିଶା ମୋ ପରିବାର ସହାୟତାରେ ବାହାରିନରୁ ଭୁବନେଶ୍ୱର ଫେରିଲା ସୀମାଞ୍ଚଳଙ୍କ ମୃତ ଶରୀର

ଭୁବନେଶ୍ୱର: ବାହାରିନରୁ ଭୁବନେଶ୍ୱର ଫେରିଲା ଓଡ଼ିଆ ଠିକାଦାର ସୀମାଞ୍ଚଳ ରାଉତଙ୍କ ମୃତ ଶରୀର। ଦୀର୍ଘ ୨୧ ଦିନ ଧରି ସେ ଚିକିତ୍ସାଧୀନ ଅବସ୍ଥାରେ ରହିବା ପରେ ବାହାରିନରେ ତାଙ୍କର ମୃତ୍ୟୁ ହୋଇଥିଲା। ମୃତ୍ୟୁ ପରେ ଶବ ଆଣିବା ପାଇଁ ତାଙ୍କ ପରିବାର ଲୋକ ଅସହାୟ ଥିବା ସ୍ଥଳେ ଓଡ଼ିଶା ମୋ ପରିବାର ସହାୟତାରେ ତାଙ୍କର ମୃତ ଶରୀର ଓଡ଼ିଶା ଫେରିଛି। ଭୁବନେଶ୍ୱର ବିମାନ ବନ୍ଦରରେ ତାଙ୍କ ମୃତ ଶରୀର ପହଁଚିଲା ପରେ ସେଠାରୁ ପୁରୀ ନିଆଯାଇଛି। ପୁରୀରେ ତାଙ୍କର ଶେଷକୃତ ସମ୍ପର୍ଣ୍ଣ ହେବ।

୧୯୪୭ ରେ ପେଟ୍ରୋଲ ଦର ଥିଲା ୦.୨୭ ପଇସା, ସୁନାର ମୂଲ୍ୟ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ

ନୂଆଦିଲ୍ଲୀ: ଦେଶ ୭୫ ତମ ସ୍ୱାଧୀନତା ଦିବସ ପାଳନ କରିଛି। ଦେଶ ସ୍ୱାଧୀନ ହେବାର ୭୪ ବର୍ଷ ଭିତରେ ଅନେକ କିଛି ପରିବର୍ତ୍ତନ ଘଟିଛି। ଦିଲ୍ଲୀରୁ ପଲ୍ଲୀ ପରିବର୍ତ୍ତନର ସୁଅରେ ଭାସି ଚାଲିଛି। ପରିବର୍ତ୍ତନ ସବୁ କ୍ଷେତ୍ରରେ ଦେଖିବାକୁ ମିଳିଛି। ୭୪ ବର୍ଷ ଭିତରେ ଭୌଗୋଳିକ ଠାରୁ ଆରମ୍ଭ କରି ଅର୍ଥନିତୀ ସବୁ ଅହରହ ବଦଳି ଚାଲିଛି।

ଅର୍ଥନୈତିକ କ୍ଷେତ୍ରରେ ଭାରତରେ ଅନେକ ପରିବର୍ତ୍ତନ ଆସିଛି। ଆମେ ଯଦି ୭୪ ବର୍ଷ ପଛକୁ ଯାଇ ସେତେବେଳର ମୂଲ୍ୟ ହାରକୁ ବର୍ତ୍ତମାନ ସହିତ ତୁଳନା କରିବା ତେବେ ଏହା ଏକ ବଡ଼ ଚିନ୍ତାର କାରଣ ହେବ। ସେତେବେଳ ସମୟର ଦ୍ରବ୍ୟ ମୂଲ୍ୟ ପ୍ରାୟ ଏବେକାର ସମୟରେ ୧୦୦ ପ୍ରତିଶତ ବୃଦ୍ଧି ପାଇଛି। ଲାଇଭ୍ ମେଣ୍ଟରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ଯେଉଁ ସାମଗ୍ରୀ ପୂର୍ବରୁ ମାତ୍ର କିଛି ପଇସାରେ କିଣି ହେଉଥିଲା ତାହା ଆଜି କିଣିବା ପାଇଁ କମସେକମ୍‌ ୧୦୦ ଟଙ୍କାର ଆବଶ୍ୟକତା ହେଉଛି। ସବୁଠାରୁ ବଡ଼ କଥା ହେଉଛି ଏଭଳି ବୃଦ୍ଧି କେବଳ ନତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀରେ ହିଁ ଦେଖିବାକୁ ମିଳିଛି।

୨୦୨୧ରେ ଅଧିକ ଆକର୍ଷଣ କରିଛି ପେଟ୍ରୋଲର ଦର। କାରଣ ଦେଶରେ ପ୍ରେଟ୍ରୋଲ ଦର ଆକାଶ ଛୁଆଁ ହୋଇଛି। ପେଟ୍ରୋଲ ଦର ଧିରେ ଧିରେ ବଢ଼ି ୧୦୦ ପାର ହେଲାଣି। ଯେଉଁଥି ପାଇଁ ପେଟ୍ରୋଲରେ ବୃଦ୍ଧି କାରଣରୁ ଅନ୍ୟ ସବୁ ସାମଗ୍ରୀରେ ମଧ୍ୟ ମୂଲ୍ୟ ତୁହାକୁ ତୁହା ବଢ଼ିବାରେ ଲାଗିଛି। ଯଦି ଆମେ ୧୯୪୭ ମସିହାର ପେଟ୍ରୋଲ ଦର ସହିତ ୨୦୨୧ର ପେଟ୍ରୋଲ ଦରକୁ ତୁଳନା କରିବା ତେବେ ନିଦ ହଜିଯିବ। କାରଣ ୧୯୪୭ ମସିହାରେ ପେଟ୍ରୋଲ ଲିଟର ପିଛା ଦର ଥିଲା ୦.୨୭ ପଇସା। ଯାହାର ମୂଲ୍ୟ ବର୍ତ୍ତମାନ ୧୦୦ ପାର ହୋଇଛି।

 

୧୯୪୭ ମସିହାରେ ଗୋଟିଏ ଖବର କାଗତ ୦.୧୩ ପଇସାରେ ଆସୁଥିଲା, କିନ୍ତୁ ବର୍ତ୍ତମାନ ଭାରତରେ ଖବର କାଗଜ କଥା ଛାଡ଼ନ୍ତୁ ଏତିକି ପଇସାରେ ଗୋଟିଏ ଛୋଟ ଚକୋଲେଟ ଟିଏ ବି ମିଳିବା ଅସମ୍ଭବ।

ସେହିଭଳି ସେତେବେଳେ ବିମାନରେ ଦିଲ୍ଲୀରୁ ମୁମ୍ବାଇ ଯିବା ପାଇଁ କେବଳ ୧୪୦ ଟଙ୍କା ଖର୍ଚ୍ଚ ହେଉଥିଲା। କିନ୍ତୁ ବର୍ତ୍ତମାନ ଏହାର ମୂଲ୍ୟ ୮ ରୁ  ୧୦ ହଜାର ଟଙ୍କା ହେବ ପଛେ କମିବନି।

ପୂର୍ବରୁ ସିନେମା ଟିକେଟ୍ ୦.୩୦ ପଇସା ଥିବା ବେଳେ ଏବେ ବର୍ତ୍ତମାନ ପାଖାପାଖି ୨୫୦ ଟଙ୍କା ରହିଛି।

 

କ୍ଷୀରର ମଧ୍ୟ ସମାନ ଅବସ୍ଥା। ୧୯୪୭ ମସିହାରେ କ୍ଷୀର ଲିଟର ପିଛା ୦.୧୨ ପଇସା ପଡ଼ୁଥିଲା। କିନ୍ତୁ ଆଜି ଲିଟେରେ କ୍ଷୀର ପିଇବା ପାଇଁ ୬୦ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରିବାକୁ ପଡ଼ୁଛି।

ସବୁଠାରୁ ବଢ଼ କଥା ହେଉଛି ଯେଉଁ ସୁନା ଏବେ ଗୋଟିଏ ଭରିକୁ ୪୫ ହଜାରରୁ ଅଧିକ ରିହିଛି। ସେତେବେଳେ ଏହି ସୁନାର ମୂଲ୍ୟ ଥିଲା ୧୦ ଗ୍ରାମକୁ ମାତ୍ର ୧୦୦ ଟଙ୍କାରୁ କମ୍‌।

ତେବେ ୭୫ ବର୍ଷ ପରେ ଆଜି ଭାରତର ଚିତ୍ର ବହୁତ ବଦଳିଛି। ଭାରତ ଅନେକ କ୍ଷେତ୍ରରେ ଅନେକ ବିକାଶ କରିଛି ଏବଂ ଆଜି ଭାରତ ଅନେକ କ୍ଷେତ୍ରରେ ନୂଆ ଅଧିକାରି ହୋଇଛି। ସେଥିପାଇଁ ଆଜି ଭାରତ ଅନ୍ୟ ଦେଶ ମାନଙ୍କ ମଧ୍ୟରୁ ଅନ୍ୟତମ ରହିଛି।

ଶହେ ଦିନରେ ଖେଳ ଖତମ, ଆଫଗାନ ରାଷ୍ଟ୍ରପତି ଦେଶ ଛାଡିଲେ

କାବୁଲ: ଶହେ ଦିନର ଯୁଦ୍ଧ ପରେ ଆଫଗାନିସ୍ତାନରେ ତାଲିବାନ ଯୁଗ ପୁନଃ ଆରମ୍ଭ ହୋଇଛି । ତାଲିବାନ ସାମ୍ନାରେ ଅସ୍ତ୍ରତ୍ୟାଗ କରିଛନ୍ତି ଆଫଗାନୀ ସେନା । ଗୋଟିଏ ମଧ୍ୟ ଗୁଳି ନଚଳାଇ କାବୁଲକୁ କବଜା କରିଛି ତାଲିବାନ । ଏହା ସହିତ ଆରମ୍ଭ ହୋଇଛି ଆଫଗାନିସ୍ତାନରେ ତାଲିବାନର ଶାସନ । ତାଲିବାନକୁ କ୍ଷମତା ହସ୍ତାନ୍ତର କରି ଆଫଗାନୀ ରାଷ୍ଟ୍ରପତି ଅଶରଫ ଗନି ଦେଶ ଛାଡିଛନ୍ତି । ସେ ତାଜକିସ୍ତାନକୁ ଆତ୍ମନିର୍ବାସନରେ ଯିବେ ବୋଲି ଜଣା ପଡିଛି ।

ଗନି ଛାଡିଲେ ଘର
ଆଫଗାନୀ ନ୍ୟୁଜ୍ ଚ୍ୟାନେଲ ତୋଲୋ ନ୍ୟୁଜ୍ ଅନୁସାରେ ତାଲିବାନର ନମ୍ବର ଦୁଇ ନେତା ମୁଲ୍ଲା ବରାଦରଙ୍କ ସହିତ ଆଲୋଚନା ବିଫଳ ହେବା ପରେ ଗନି ଦେଶଛାଡିବାକୁ ରାଜି ହୋଇଛନ୍ତି । ସେ କ୍ଷମତା ହସ୍ତାନ୍ତର କରି ତାଜିକସ୍ତାନ ଅଭିମୁଖେ ବାହାରି ଯାଇଛନ୍ତି । ସୂଚନାଯୋଗ୍ୟ ଯେ, ରାଷ୍ଟ୍ରପତି ତାଲିବାନକୁ ମିଳିତ ଶାସନ ପାଇଁ ପ୍ରସ୍ତାବ ଦେଇଥିଲେ । ତେବେ ତାଲିବାନ ଏହାକୁ ପ୍ରତ୍ୟାଖାନ କରି ତାଙ୍କୁ ସନ୍ଧ୍ୟା ସୁଧା କ୍ଷମତାହସ୍ତାନ୍ତର କରିବାକୁ ଚେତାବନୀ ଦେଇଥିଲା । ଗନି ଦେଶ ଛାଡିଛନ୍ତି କିମ୍ବା ଛାଡିବାକୁ ଯାଉଛନ୍ତି ଖବର ମଧ୍ୟରେ ଉପ ରାଷ୍ଟ୍ରପତି ଦେଶ ଛାଡିବେ ନାହିଁ ବୋଲି ଖବର ଆସୁଛି

ଭାରତ ଏୟାର ଲିଫ୍ଚ ପାଇଁ ପ୍ରସ୍ତୁତ
କାବୁଲରେ ରହୁଥିବା ଭାରତୀୟ ଦୂତାବାସର କର୍ମଚାରୀଙ୍କୁ ସେଠାରୁ ହଟାଯିବ କି ନାହିଁ ସେ ନେଇ ଭାରତ ସରକାର ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନିଆଯାଇ ନାହିଁ । କିନ୍ତୁ ଖବର ଅନୁସାରେ ଭାରତୀୟ ବାୟୁସେନାର ମାଲବାହୀ ଯାହଜ କୌଣସି ଜରୁରୀକାଳିନ ପରିସ୍ଥିତିରେ ଏୟାର ଲିଫ୍ଟିଂ ପାଇଁ ପ୍ରସ୍ତୁତ ଥିବା ଜଣା ପଡିଛି । ଅନ୍ୟପକ୍ଷରେ ବ୍ରିଟେନ୍ ତା’ର ଦୂତାବାସର ସବୁ କର୍ମଚାରୀଙ୍କୁ ଏୟାର ଲିଫ୍ଟ କରିବାକୁ ନିର୍ଣ୍ଣୟ ନେଇଛି ।

୧୯୯୬ର ସ୍ଥିତି ସୃଷ୍ଟି ହେବ କି ?
୧୯୯୬ରେ ତାଲିବାନ କାବୁଲକୁ ନିଜ କବଜାକୁ ନେବା ପରେ ରକ୍ତମୁହାଁ ହୋଇଥିଲା । ସେତେବେଳେ ଦେଶର ପୂର୍ବତନ ରାଷ୍ଟ୍ରପତି ନଜିବଉଲ୍ଲାଙ୍କୁ ଜାତିସଂଘ ଅଫିସରୁ ତାଲିବାନ ନିଜ କବଜାକୁ ନେଇଥିଲା । ଜାତିସଂଘ ଅଫିସ ଭିତରେ ହିଁ ତାକୁ ପିଟି ପିଟି ହତ୍ୟା କରାଯାଇଥିଲା । ତାଙ୍କ ଗୁପ୍ତାଙ୍ଗକୁ କାଟି ଦିଆଯାଇଥିଲା । ପରେ ନଜିବଉଲ୍ଲା ଓ ତାଙ୍କ ଭାଇଙ୍କ ମୃତଦେହକୁ କାବୁଲର ଏକ ଟ୍ରାଫିକ ପୋଷ୍ଟରେ ଝୁଲାଇ ଦିଆଯାଇଥିଲା । ତାଲିବାନ ୨୫ ବର୍ଷ ପରେ ସେହିଭଳି ଆତଙ୍କରାଜ ସୃଷ୍ଟି କରିପାରେ ବୋଲି ଆଶଙ୍କା କରାଯାଉଥିବା ବେଳେ ମୌଳବାଦୀ ସଂଗଠନ ସେଭଳି କିଛି ହେବନାହିଁ ବୋଲି ଆଶ୍ୱାସନା ଦେଇଛି । ସଂଗଠନ ପକ୍ଷରୁ କୁହାଯାଇଛି ଯେ, କାବୁଲର ସବୁ ନାଗରିକଙ୍କ ସୁରକ୍ଷାର ପ୍ରତିଶ୍ରୁତି ଆମେ ଦେଉଛୁ । ବେସାମରିକ ଓ ସାମରିକ ଅଧିକାରୀଙ୍କୁ କୌଣସି ଦଣ୍ଡ ଦିଆଯିବ ନାହିଁ । ତେବେ କ୍ଷମତା ଉପରେ ପୂର୍ଣ୍ଣ ଅଧିକାର ପରେ ତାଲିବାନ କ’ଣ କରୁଛି ତାହା ଉପରେ ଏବେ ବିଶ୍ୱ ସମୁଦାୟର ନଜର ରହିଛି ।

ସ୍ୱାଧୀନତା ଦିବସ ଅବସରରେ ଭିନ୍ନକ୍ଷମଙ୍କୁ ବଣ୍ଟାଗଲା କୃତ୍ରିମ ଅଙ୍ଗ

ଢ଼େଙ୍କାନାଳ: ସମାଜରେ ସମ୍ମାନର ସହ ବଞ୍ଚିବେ ଭିନ୍ନକ୍ଷମ। ଏଥିପାଇଁ ଆଜି ସ୍ୱାଧୀନତା ଦିବସ ଅବସରରେ ରାଉରକେଲା ଉଦିତନଗର ପ୍ୟାରେଡ ପଡ଼ିଆରେ କୁଷ୍ଠରୋଗରୁ ସୁସ୍ଥ ହୋଇଥିବା ଭିନ୍ନକ୍ଷମଙ୍କୁ କୃତ୍ରିମ ଅଙ୍ଗ ଵଣ୍ଟନ କରାଯାଇଛି। ସୁନ୍ଦରଗଡ଼ ଜିଲ୍ଲାର ଭିନ୍ନକ୍ଷମ ଓ ଲେପ୍ରୋସି କଲୋନିରେ ରହୁଥିବା ୩୯୨ ଜଣଙ୍କୁ କୃତ୍ରିମ ଅଙ୍ଗ ସହ ସହାୟକ ଉପକରଣ ଯୋଗାଇ ଦେବା ପାଇଁ ନିଷ୍ପତ୍ତି ହୋଇଛି। ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ଏବଂ ରାଉରକେଲା ମହାନଗର ନିଗମ ପକ୍ଷରୁ ସହରର ୬ଟି ଲେପ୍ରୋସି କଲୋନି ପାଇଁ ସ୍କ୍ରିନିଂ କ୍ୟାମ୍ପ ଅନୁଷ୍ଠିତ ହୋଇଥିଲା। ୩୯୨ ଜଣ ହିତାଧିକାରୀଙ୍କର ସ୍କ୍ରିନିଂ କରାଯାଇ ୨୭ ଜଣଙ୍କୁ କୃତ୍ରିମ ଅଙ୍ଗ, ୨ ଜଣଙ୍କୁ ହୁଇଲ୍ ଚେୟାର, ୪୧ ଜଣଙ୍କୁ ସର୍ଜିକାଲ ଜୋତା ଓ ୧୭୫ ଜଣଙ୍କୁ ଭିନ୍ନକ୍ଷମ ପରିଚୟପତ୍ର ଯୋଗାଇ ଦେବାପାଇଁ ନିଷ୍ପତ୍ତି ହୋଇଛି। ଯାହାକୁ ନେଇ ଖୁସି ପ୍ରକଟ କରିଛନ୍ତି ହିତାଧିକାରୀ।

ବୟସର ଅପରାହ୍ନରେ ନେଇଛନ୍ତି ସ୍ୱାମୀଙ୍କ ସ୍ୱପ୍ନକୁ ପୁରା କରିବାର ପଣ

ଝାରସୁଗୁଡ଼ା: ଦେହରେ ବହୁଛି ଦେଶ ପ୍ରେମର ରକ୍ତ। ନାରୀ ଶିକ୍ଷାର ପ୍ରସାର ପାଇଁ ଉତ୍ସର୍ଗୀକୃତ। ମହିଳାଙ୍କୁ ମୁଖ୍ୟସ୍ରୋତରେ ସାମିଲ କରିବା ତାଙ୍କର ମୂଳ ଲକ୍ଷ୍ୟ। ଝାରସୁଗୁଡ଼ା ଜିଲ୍ଲା ତିଲିଆ ପଞ୍ଚାୟତ ଫଟାପାଲି ଗାଁର ପ୍ରଫୁଲ୍ଲ ଗୁପ୍ତା। ସଂଗ୍ରାମୀ ସ୍ୱାମୀଙ୍କ ଦେହାନ୍ତ ପରେ, ଅଧୁରା ସ୍ୱପ୍ନକୁ ପୂରଣ କରିବାକୁ ଆଗେଇ ଆସିଥିଲେ ସେ। ଲକ୍ଷ୍ୟଥିଲା ନାରୀ ଶିକ୍ଷାର ପ୍ରଚାର ଓ ପ୍ରସାର। ମହିଳାଙ୍କୁ ଉଚ୍ଚଶିକ୍ଷିତ କରିବାକୁ ଗଢିଥିଲେ ବାଳିକା ଉଚ୍ଚ ବିଦ୍ୟାଳୟ। ଆଉ ମାଗଣାରେ ଛାତ୍ରୀଙ୍କୁ ଦେଉଥିଲେ ଶିକ୍ଷା। ମାତ୍ର ପ୍ରଫୁଲ୍ଲ ଗୁପ୍ତା ଶଯ୍ୟାଶୟୀ ହେବା ପରେ ଏବେ ଏହି ବିଦ୍ୟାଳୟ ଅନିଶ୍ଚିତତା ଭିତରେ ରହିଛି।

୨୦୦୦ ମସିହାରୁ ତିଆରି ହୋଇଥିବା ଅର୍ଜନ ଗୁପ୍ତା ବାଳିକା ଉଚ୍ଚ ବିଦ୍ୟାଳୟ ସଫଳତାର ଶୀର୍ଷରେ ପହଁଚିଛି। ମାତ୍ର ଏହି ସ୍କୁଲଟି ସରକାରୀ ଅନୁଦାନ ପାଇ ନଥିବାରୁ ଛାତ୍ରୀମାନେ ବିଭିନ୍ନ ସୁବିଧାରୁ ବଂଚିତ ହେଉଛନ୍ତି। ସେପଟେ ଜିଲ୍ଲା ଶିକ୍ଷାଧିକାରୀ କହିଛନ୍ତି, ସ୍କୁଲର ଉପସ୍ଥାନ ଉତ୍ତମ ରହିଛି, ଗ୍ରାଣ୍ଡ୍ ପାଇଁ ସମସ୍ତ ରିପୋର୍ଟ ସରକାରଙ୍କ ନିକଟକୁ ପଠାଇ ଦିଆଯାଇଛି।

ସ୍କୁଲରେ ଭଲ ପାଠ ପଢାଯାଉଥିବାରୁ ସମସ୍ତ ଛାତ୍ରୀ ୯୦ ପ୍ରତିଶତ ଉପରେ ମାର୍କ ରଖୁଛନ୍ତି। ତେବେ ଏହି ବିଦ୍ୟାଳୟକୁ ସରକାରୀ ଅନୁଦାନ ପାଇଁ ଦାବି କରିଛନ୍ତି ଗ୍ରାମବାସୀ।

ବିଶମକଟକ ଦୁର୍ଘଟଣାରେ ୪ ମୃତକଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀଙ୍କ ୨ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୁଳକ ସହାୟତା

ଭୁବନେଶ୍ୱର: ରାୟଗଡ଼ା ଜିଲ୍ଲା ବିଶମକଟକଠାରେ ଦୁର୍ଘଟଣାରେ ମୃତକଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀଙ୍କ ସହାୟତା। ୪ ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୁଳକ ସହାୟତା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୃତକଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀ ସମବେଦନା ଜଣାଇବା ସହ ସହାୟତା ରାଶି ଘୋଷଣା କରିଛନ୍ତି। ଏହାସହ ଆହତ ୨ ଜଣବ୍ୟକ୍ତିଙ୍କ ମାଗଣା ଚିକିତ୍ସା ପାଇଁ ଘୋଷଣା କରାଯାଇଛି। ଗତ ୧୩ ତାରିଖରେ ଅମ୍ବାଦଳା ଥାନା ମଞ୍ଜୁରିକୁପା ନିକଟ ମୁଖ୍ୟରାସ୍ତା ଉପରେ ଏକ ଘରୋଇ ଆମ୍ବୁଲାନ୍ସ୍ ଓ ଟ୍ୟାଙ୍କର ମଧ୍ୟରେ ଧକ୍କା ହୋଇଥିଲା। ଘଟଣାସ୍ଥଳରେ ୪ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ଜଣ ଗୁରୁତର ହୋଇଥିଲେ। ମୃତକ ମଧ୍ୟରୁ ୩ଜଣ ବଲାଙ୍ଗୀରର ଓ ଜଣେ ରାୟଗଡ଼ା ଜିଲ୍ଲାର ଥିଲେ।