ରାଜ୍ୟର ଅଣ୍ଡାଦିଆ କୁକୁଡ଼ା ଚାଷୀଙ୍କୁ ପ୍ରାଣୀ ସମ୍ପଦ ବିଭାଗର ଅଣଦେଖା: ଚାଷୀଙ୍କୁ ମିଳିନି ସ୍ୱତନ୍ତ୍ର ସହାୟତା

ଭୁବନେଶ୍ୱର: ରାଜ୍ୟର ଅଣ୍ଡାଦିଆ କୁକୁଡ଼ା ଚାଷୀଙ୍କୁ ରାଜ୍ୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିଭାଗର ଅଣଦେଖା । କରୋନା ମାଡ଼ରେ କୁକୁଡ଼ା ଚାଷୀ ପ୍ରଭାବିତ ହୋଇଛନ୍ତି । ସ୍ୱତନ୍ତ୍ର ସହାୟତା ମିଳିନି । ରାଜ୍ୟର ଅଣ୍ଡା ଆବଶ୍ୟକତା ପୂରଣ ପାଇଁ କୁକୁଡ଼ା ଚାଷୀଙ୍କ କ୍ଷମତା ଥିବା ସତ୍ତ୍ୱେ ଅନ୍ୟ ରାଜ୍ୟର କୁକୁଡା ଚାଷୀଙ୍କୁ ଆମନ୍ତ୍ରଣ ନେଇ ମଧ୍ୟ ପ୍ରଶ୍ନ ଉଠିଛି । ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗର ଏଭଳି କାର୍ଯ୍ୟରେ ଅଲ ଓଡ଼ିଶା ଲେୟର୍ସ ଫାର୍ମର୍ସ ଆସୋସିଏସନସ ଅସନ୍ତୋଷ ପ୍ରକାଶ କରିଛି । ସେପଟେ ବିଭାଗୀୟ ମନ୍ତ୍ରୀ କହୁଛନ୍ତି, ଏ ନେଇ ସେ କିଛି ଜାଣିନାହାନ୍ତି । ଆଉ ବିଭାଗୀୟ ସଚିବ ଫୋନରେ ସବୁ ଶୁଣି ଏଡ଼ାଇ ଯାଉଛନ୍ତି ।

ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିଭାଗର ଅନ୍ୟ ରାଜ୍ୟ ପ୍ରୀତି । ରାଜ୍ୟର ୧୫୦ରୁ ଅଧିକ ଅଣ୍ଡାଦିଆ କୁକୁଡ଼ା ଚାଷୀ ଅବହେଳିତ । ଅନ୍ୟ ରାଜ୍ୟର ଚାଷୀଙ୍କୁ କାହିଁକି ଆମନ୍ତ୍ରଣ ? ୨ ବର୍ଷ ହେଲା ମହାମାରୀ ମାଡ଼ରେ କୁକୁଡ଼ା ଚାଷୀମାନେ ବିପୁଳ କ୍ଷତିଗ୍ରସ୍ତ ହେଲେଣି । ସ୍ୱତନ୍ତ୍ର ସହାୟତା ମାଗିଲେ ବି ମିଳୁନି । ଅନ୍ୟପଟେ ଅନ୍ୟ ରାଜ୍ୟର ଲୋକଙ୍କୁ ଓଡ଼ିଶାରେ କୁକୁଡ଼ା ଫାର୍ମ ପ୍ରତିଷ୍ଠା କରିବାକୁ ବିଭାଗ ଆମନ୍ତ୍ରଣ କରୁଛି । ଏନେଇ ଅଲ ଓଡ଼ିଶା ଲେୟର୍ସ ଫାର୍ମର୍ସ ଆସୋସିଏସନସ ତୀବ୍ର ଅସନ୍ତୋଷ ପ୍ରକାଶ କରିଛି । ଅଣ୍ଡା ଓ କୁକୁଡ଼ା ଉତ୍ପାଦନରେ ସ୍ବାବଲମ୍ବୀ ହେବା ପାଇଁ ରାଜ୍ୟରେ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା କାର୍ଯ୍ୟକାରୀ ହେଉଛି । ହେଲେ ମୁଖ୍ୟମନ୍ତ୍ରୀଙ୍କ ଯୋଜନାର ଲାଭ ରାଜ୍ୟର କୁକୁଡ଼ା ଚାଷୀଙ୍କୁ ମିଳିବା ତ ଦୂର କଥା, ଅଣ୍ଡା ଉତ୍ପାଦନ କରୁଥିବା ଫାର୍ମ ମାଲିକଙ୍କ ଜୀବିକା ବନ୍ଦ କରିବା ପାଇଁ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିଭାଗ ବାଟ ବାହାର କରିଛି ।

ରାଜ୍ୟରେ କୁକୁଡ଼ା ଅଣ୍ଡା ଉତ୍ପାଦନ ବୃଦ୍ଧି ପାଇଁ ଅଣ୍ଡାଦିଆ କୁକୁଡା ଚାଷୀ ସଂଘ ପୂର୍ବରୁ ଏକାଧିକ ଥର ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ସାକ୍ଷାତ କରି ଦାବି ଜଣାଇଛି । ସ୍କୁଲ ପିଲାମାନଙ୍କ ମଧ୍ୟାହ୍ନ ଭୋଜନରେ ୨ଟି ଅଣ୍ଡା ବଦଳରେ ୫ଟି ଅଣ୍ଡା , କୁକୁଡ଼ାଙ୍କ ରକ୍ତ ନମୁନା ଓ ଖାଦ୍ୟ ପରୀକ୍ଷା ପାଇଁ ଅତ୍ୟାଧୁନିକ ଲାବ୍‌ ପ୍ରତିଷ୍ଠା, ଆନ୍ଧ୍ର ଭଳି କୁକୁଡ଼ା ବିଶେଷଜ୍ଞଙ୍କୁ ନିଯୁକ୍ତି ଦେବା ପାଇଁ ୬ ଦଫା ଦାବି କରିଛି ସଂଘ। କିନ୍ତୁ ଦାବି ପୂରଣ ହେଉନି । କୁକୁଡ଼ା ଫାର୍ମ ପ୍ରତିଷ୍ଠା ପାଇଁ ପ୍ରାରମ୍ଭିକ ପର୍ଯ୍ୟାୟରେ ସରକାରୀ ସବସିଡି ମିଳୁଥିଲେ ବି ସଂପ୍ରସାରଣ ପାଇଁ ଆଉ ବିଭାଗ ଶୁଣୁନି । ରାଜ୍ୟରେ ଏବେ ଦୈନିକ ୧ କୋଟି ଅଣ୍ଡା ଆବଶ୍ୟକ ପଡ଼ୁଛି । ରାଜ୍ୟର ୧୫୬ ଅଣ୍ଡା ଉତ୍ପାଦନକାରୀ ଫାର୍ମ ଦୈନିକ ୯୨ ଲକ୍ଷ ଅଣ୍ଡା ଉତ୍ପାଦନ କରୁଛନ୍ତି । ହେଲେ କୁକୁଡ଼ା ଚାଷୀଙ୍କ ପ୍ରତି ବିଭାଗୀୟ ମନ୍ତ୍ରୀ ଓ ଅଧିକାରୀଙ୍କର ତିଳେ ମାତ୍ର ଦରଦ ନାହିଁ । ଓଡ଼ିଶାରେ ଅଣ୍ଡାଦିଆ କୁକୁଡ଼ା ଫାର୍ମ ପ୍ରତିଷ୍ଠା ପାଇଁ ଅନ୍ୟ ରାଜ୍ୟର ଉଦ୍ୟୋଗୀଙ୍କୁ ଆମନ୍ତ୍ରଣ କରିବାକୁ ଗତ ୩ ତାରିଖରେ ପ୍ରାଣୀସମ୍ପଦ ନିର୍ଦ୍ଦେଶକଙ୍କୁ ବିଭାଗୀୟ ସ୍ବତନ୍ତ୍ର ଶାସନ ସଚିବ ଚିଠି ଲେଖିଥିଲେ । ଏହାପରେ ପ୍ରାଣୀସମ୍ପଦ ନିର୍ଦ୍ଦେଶକ ଗତ ୧୬ ତାରିଖରେ ପଶ୍ଚିମବଙ୍ଗ କୁକ୍କୁଟ ଫେଡେରେସନ୍‌ ସଭାପତିଙ୍କୁ ଆସନ୍ତା ୨୮ ତାରିଖ କର୍ମଶାଳାରେ ଯୋଗଦେବାକୁ ଆମନ୍ତ୍ରଣ କରିଛନ୍ତି । ଯାହାକୁ ନେଇ ଅଲ ଓଡ଼ିଶା ଲେୟର୍ସ ଫାର୍ମର୍ସ ଆସୋସିଏସନସ ତୀବ୍ର ଅସନ୍ତୋଷ ପ୍ରକାଶ କରିଛି ।

ଅନ୍ୟ ରାଜ୍ୟର ଫାର୍ମମାନଙ୍କୁ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ ଆମନ୍ତ୍ରଣ କରୁଛି । ଅଥଚ ରାଜ୍ୟର କୁକୁଡ଼ା ଚାଷୀଙ୍କୁ ଅବଗତ କରାଯାଇନାହିଁ । ପଡ଼ୋଶୀ ରାଜ୍ୟର କୁକୁଡ଼ା ଚାଷୀ ସଂଘ ଓଡ଼ିଶାର ଚାଷୀଙ୍କୁ ଚିଠି ସମ୍ପର୍କରେ ବିସ୍ତୃତ ତଥ୍ୟ ଦେଇଛନ୍ତି । ଏନେଇ ଓଡ଼ିଶାର ଫାର୍ମ ମାଲିକ କ୍ଷୋଭ ପ୍ରକାଶ କରିଛନ୍ତି । ରାଜ୍ୟ ସରକାରଙ୍କ ମତ୍ସ୍ୟ ଓ ଅଣ୍ଡା ଉତ୍ପାଦନ ନୀତି ୨୦୧୫ ଅନୁଯାୟୀ ରାଜ୍ୟରେ ୨୦୨୦ ସୁଦ୍ଧା ଦୈନିକ ୧ କୋଟି ଅଣ୍ଡା ଉତ୍ପାଦନ ପାଇଁ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା । ୨୦୨୧ ଶେଷସୁଦ୍ଧା ରାଜ୍ୟର ଚାଷୀମାନେ ୧ କୋଟିରୁ ଅଧିକ ଅଣ୍ଡା ଉତ୍ପାଦନ କରିବା ପାଇଁ ସମର୍ଥ ହେବେ । ଏବେ ଅନ୍ୟ ରାଜ୍ୟର ଉଦ୍ୟୋଗୀମାନଙ୍କୁ ଡାକିବା ଯୋଜନା ବନ୍ଦ କରିବାକୁ ସରକାରଙ୍କୁ ଅଲ ଓଡ଼ିଶା ଲେୟର୍ସ ଫାର୍ମର୍ସ ଆସୋସିଏସନସ ଅନୁରୋଧ କରିଛି । ରାଜ୍ୟ କୁକୁଡ଼ା ଚାଷୀଙ୍କ ଅଭିଯୋଗ ନେଇ ବିଭାଗୀୟ ମନ୍ତ୍ରୀଙ୍କ ସହ ଯୋଗାଯୋଗ କରାଯାଇଥିଲା । କିନ୍ତୁ ସେ ଏ ସମ୍ପର୍କରେ କିଛି ଜାଣିନଥିବା କହିଛନ୍ତି । ସେପଟେ ବିଭାଗୀୟ ସଚିବ ଫୋନରେ ସବୁ କଥା ଶୁଣିବା ପରେ ଅଚାନକ ଫୋନକୁ ବିଜି କରିଦେଇଥିଲେ ।

Leave a Reply