୫ଦିନିଆ ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ: ବିଭିନ୍ନ କେନ୍ଦ୍ରମନ୍ତ୍ରୀଙ୍କୁ ଭେଟି ରାଜ୍ୟର ନ୍ୟାଯ୍ୟ ଦାବି ଦୋହରାଇବେ

1 min read

ନୂଆଦିଲ୍ଲୀ/ଭୁବନେଶ୍ୱର: ରାଜ୍ୟକୁ ମିଳିବ ହକ୍‌ । ୫ ଦିନିଆ ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ । ଆସନ୍ତା ୨୬ ତାରିଖରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ବସୁଥିବା ମାଓ ମୁକାବିଲା ବୈଠକରେ ଯୋଗଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବୈଠକରେ ମାଓ ମୁକାବିଲା ପାଇଁ କେନ୍ଦ୍ରୀୟ ସହାୟତା ସହ କେନ୍ଦ୍ରୀୟ ଅଂଶଧନ ବାବଦକୁ ଥିବା ବକେୟା ଟଙ୍କା ଦେବା ପାଇଁ କେନ୍ଦ୍ରର ଦୃଷ୍ଟି ଆକର୍ଷଣ କରିବେ ମୁଖ୍ୟମନ୍ତ୍ରୀ । ରାଜ୍ୟର ନ୍ୟାଯ୍ୟ ଦାବି ହାସଲ କରିବା ପାଇଁ ଏହି ଗସ୍ତ ସମୟରେ ବିଭିନ୍ନ କେନ୍ଦ୍ରମନ୍ତ୍ରୀଙ୍କୁ ଭେଟି ନବୀନ ଦାବି ଦୋହରାଇବେ । ଯାହାକୁ ନେଇ ସରଗରମ ରାଜ୍ୟ ରାଜନୀତି ।

୨୬ରେ ବସିବ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ମାଓଦମନ ରଣନୀତି ନେଇ ବୈଠକ । ଦେଶରୁ ଉଗ୍ରବାଦ ମୂଳପୋଛ ପାଇଁ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ହେଉଥିବା ଏହି ଗୁରୁତ୍ୱପୂର୍ଣ୍ଣ  ବୈଠକରେ ମୁଖ୍ୟମନ୍ତ୍ରୀ ସାମିଲ ହୋଇ ରଖିବେ ମୁକାବିଲାରେ ସଫଳତାର ମନ୍ତ୍ର । ରାଜ୍ୟର ୫ଟି ଜିଲ୍ଲାରେ ମାଓ ହିଂସା ହ୍ରାସ ହୋଇଥିବା ବେଳେ ମାଓ ଅଞ୍ଚଳର ବିକାଶ ପାଇଁ ରାଜ୍ୟ ସରକାର କି ପଦକ୍ଷେପ ନେଇଛନ୍ତି ସେ ବିଷୟରେ କେନ୍ଦ୍ରକୁ ଅବଗତ କରାଇବେ ନବୀନ । ଏହାସହ କେନ୍ଦ୍ରୀୟ ବକେୟା ଅର୍ଥ ଦେବା ପାଇଁ ଦାବି କରିବେ । ପାଖପାଖି ୨୯୦୭କୋଟି ବକେୟା ଟଙ୍କା ପ୍ରଦାନ ପାଇଁ ଦାବି କରିବେ ମୁଖ୍ୟମନ୍ତ୍ରୀ । କେବଳ ସେତିକି ନୁହେଁ, କେନ୍ଦ୍ରୀୟ ଅଂଶଧନ ବାବଦରେ ରାଜ୍ୟର ହକ୍ ବାବଦରେ ବକେୟା ରହିଥିବା ଅର୍ଥକୁ ଦେବା ପାଇଁ ଦାବି ମଧ୍ୟ କରିବେ ମୁଖ୍ୟମନ୍ତ୍ରୀ । ସଂଘୀୟ ବ୍ୟବସ୍ଥାରେ କେନ୍ଦ୍ର ସରକାର ଏହି ଦାବିକୁ ତୁରନ୍ତ ପୁରଣ କରିବା ଦରକାର ବୋଲି ଶାସକ ବିଜେଡି କହିଛି  ।

ଏଥିସହିତ ପଢ଼ନ୍ତୁ: ରିପୋର୍ଟର ଅରିନ୍ଦମ ଦାସଙ୍କ ଅକାଳ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ସମେତ ଅନ୍ୟ ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କ ଶୋକ

ସେପଟେ ୭ ବର୍ଷ ଭିତରେ ୩୩ଟି କେନ୍ଦ୍ରୀୟ ପ୍ରବର୍ତ୍ତିତ ଯୋଜନାର ଅର୍ଥକାଟ ହେବା ସହ ୮ଟି ଯୋଜନାକୁ ସମ୍ପୂର୍ଣ୍ଣ ବନ୍ଦ କରିଛନ୍ତି କେନ୍ଦ୍ର ସରକାର । ୯୦- ୧୦ ଅନୁପାତର ଅଂଶଧନ ଏବେ ୫୦ -୫୦ପ୍ରତିଶତରେ ପହଞ୍ଚିଲାଣି । ସେପଟେ କଂଗ୍ରେସ କହିଛି ରାଜ୍ୟର ବକେୟା ପଡିଥିବା ଟଙ୍କା କିପରି କେନ୍ଦ୍ର ତୁରନ୍ତ ଦେବ ସେ ନେଇ ମୁଖ୍ୟମନ୍ତ୍ରୀ କେନ୍ଦ୍ର ନିକଟରେ ଦାବି ଜୋରଦାର କରନ୍ତୁ । ଏହାସହ କେନ୍ଦ୍ର ତୁରନ୍ତ କେନ୍ଦ୍ରୀୟ ଅଂଶଧନ ଓ ବକେୟା ଅର୍ଥ ଦେବା ପାଇଁ ଦଳ ଦାବି କରିଛି । ସେପଟେ ଏହି ପ୍ରସଙ୍ଗରେ ବିଜେପି ଚିରାଚରିତ ଢଙ୍ଗରେ ପ୍ରତିକ୍ରିୟା ରଖିଛି ।  ୫ଦିନିଆ ଦିଲ୍ଲୀ ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀ କୋଇଲା ସେସ୍ ବାବଦକୁ ଅର୍ଥ, ଜିଏସଟି ବକେୟା, ସାର ବିହନ ଯୋଗାଣ, ଧାନକିଣା ସବସିଡି, ରେଳବାଇ କ୍ଷେତ୍ରରେ ଓଡିଶାର ହକ୍‌କୁ ଦୋହରାଇବେ ।

Leave a Reply