spot_img
Home Blog Page 5289

ତାଲିବାନ ବିପକ୍ଷରେ କ’ଣ ରହିଛି ରଣନୀତି? ୨୬ରେ ସର୍ବଦଳୀୟ ବୈଠକ ଡାକିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଆଫଗାନିସ୍ତାନ ସ୍ଥିତିକୁ ନେଇ ତାଲିବାନ ବିପକ୍ଷରେ କ’ଣ ରହିଛି ଭାରତର ରଣନୀତି। ଏହା ଉପରେ ସାରା ବିଶ୍ୱର ନଜର ଥିବାବେଳେ ଆସନ୍ତା ୨୬ ତାରିଖରେ ସର୍ବଦଳୀୟ ବୈଠକ ଡାକିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ଏହି ବୈଠକରେ ଆଫଗାନିସ୍ତାନ ସ୍ଥିତି ନେଇ ଆଲୋଚନା ହେବ ବୋଲି ସୂଚନା ମିଳିଛି।

ସୂଚନା ଅନୁଯାୟୀ, ୨୬ ତାରିଖ ସକାଳ ୧୧ଟାରେ ଏହି ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ। ସେପଟେ ବିଭିନ୍ନ ରାଜନୈତିକ ଦଳକୁ ତାଜା ସୂଚନା ପ୍ରଦାନ କରିବା ଲାଗି ବୈଦେଶିକ ମନ୍ତ୍ରାଳୟକୁ ନିର୍ଦ୍ଦେଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ । ଆଫଗାନିସ୍ତାନରୁ ଭାରତୀୟ ନାଗରିକଙ୍କୁ ଉଦ୍ଧାର ପ୍ରକ୍ରିୟା ଜାରି ରହିଥିବାବେଳେ ପ୍ରତିଦିନ ସେଠାକାର ଅବସ୍ଥା ବଦଳୁଥିବାରୁ ଦେଶର ରାଜନୈତିକ ଦଳକୁ ଏ ସମ୍ପର୍କରେ ସୂଚନା ପ୍ରଦାନ ଲାଗି ନିର୍ଦ୍ଦେଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ ।

ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ବିଭିନ୍ନ ରାଜନୈତିକ ଦଳକୁ ଆଫଗାନ ସମସ୍ୟା ନେଇ ସୂଚନା ଦେବେ । ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର କହିଛନ୍ତି ଆଫଗାନିସ୍ତାନରେ ଫସିଥିବା ଲୋକଙ୍କୁ ଉଦ୍ଧାର କରିବା ଲାଗି ସରକାର ସମସ୍ତ ପଦକ୍ଷେପ ନେଇଛନ୍ତି । ହିନ୍ଦୁ, ଶିଖ ତଥା ଭାରତଠାରୁ ସାହାର୍ଯ୍ୟ ଚାହୁଁଥିବା ଲୋକଙ୍କୁ ସହାୟତା ଦିଆଯିବ ।

ରୂପାନ୍ତରିତ ହେଉଛି ସ୍କୁଲ; ଦ୍ୱିତୀୟ ପର୍ଯ୍ୟାୟରେ ଆଉ ୧୦ ସ୍କୁଲକୁ ଲୋକାର୍ପିତ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରୂପାନ୍ତରିତ ହେଉଛି ସ୍କୁଲ। ଆଜି ଦ୍ୱିତୀୟ ପର୍ଯ୍ୟାୟରେ ଆଉ ୧୦ଟି ସ୍କୁଲକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକାର୍ପିତ କରିବାର କାର୍ଯ୍ୟକ୍ରମ ରହିଛି। ଏଥିପାଇଁ ଗଞ୍ଜାମ ଜିଲ୍ଲା ଗସ୍ତ କରିଛନ୍ତି ୨୩ ଜଣ ବିଧାୟକ। ଲୋକାର୍ପଣ ହେବା ପୂର୍ବରୁ ଆଗୁଆ ଯାଇ ଅତ୍ୟାଧୁନିକ ବ୍ୟବସ୍ଥାର ସମୀକ୍ଷା କରିବେ ବିଧାୟକ ।

ସୂଚନା ଅନୁଯାୟୀ, ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିକାଟୁ ଓ ଶେରଗଡ ବ୍ଲକ ଅଂଚଳର ୫୦ଟି ବିଦ୍ୟାଳୟର ହୋଇଛି ରୂପାନ୍ତର। ଶ୍ରେଣୀଗୃହ ସାଙ୍ଗକୁ ଇ-ଲାଇବ୍ରେରୀ ନିର୍ମାଣ ହୋଇଛି । ଯେଉଁଥିରେ ଛାତ୍ର ଛାତ୍ରୀମାନେ ଅନଲାଇନରେ ପାଠ ପଢିବାର ସୁଯୋଗ ପାଇବେ ।

ତେବେ ସମସ୍ତ ବିଦ୍ୟାଳୟକୁ ଏବେ ପର୍ଯ୍ୟାୟକ୍ରମେ ଉଦଘାଟନ କରାଯାଉଥିବା ବେଳେ ଆଜି ଆଉ ୧୦ଟି ବିଦ୍ୟାଳୟକୁ ମୁଖ୍ୟମନ୍ତ୍ରୀ ଭିଡ଼ିଓ କନଫରେନ୍ସ ଜରିଆରେ ଉଦଘାଟନ କରିବେ । ଗତ ଶନିବାର ଦିନ ପ୍ରଥମ ପର୍ଯ୍ୟାୟରେ ମୁଖ୍ୟମନ୍ତ୍ରୀ ୧୦ଟି ଅତ୍ୟାଧନିକ ସ୍କୁଲର ଲୋକାର୍ପଣ କରିଥିଲେ ।

ପଞ୍ଚତତ୍ତ୍ୱରେ ବିଲୀନ କଲ୍ୟାଣ ସିଂହ, ପୁଅ ରାଜବୀର ଦେଲେ ମୁଖାଗ୍ନୀ

ଲକ୍ଷ୍ନୗେ: ପଞ୍ଚତତ୍ତ୍ୱରେ ବିଲୀନ ହୋଇଛି ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂହଙ୍କ ପାର୍ଥୀବ ଶରୀର । ସୋମବାର ଅପରାହ୍ନରେ ତାଙ୍କ ମରଶରୀରକୁ ମୁଖାଗ୍ନୀ ଦେଇଛନ୍ତି ତାଙ୍କ ପୁଅ ରାଜବୀର ସିଂହ । ତାଙ୍କର ଅନ୍ତିମ ସଂସ୍କାର ବୁଲନ୍ଦସହର ଜିଲ୍ଲାର ନରୋରା ରାଜଘାଟରେ ରାଷ୍ଟ୍ରୀୟ ସମ୍ମାନ ସହ ସମାପ୍ତ ହୋଇଛି ।

ସ୍ୱର୍ଗତଃ କଲ୍ୟାଣ ସିଂହଙ୍କ ଅନ୍ତିମ ଦର୍ଶନ ପାଇଁ ବହୁ ସଂଖ୍ୟାରେ ଜନ ସମାଗମ ହୋଇଥିଲା । ଏପରିକି ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ, କେନ୍ଦ୍ରୀୟ ମନ୍ତ୍ରୀ ସ୍ମୃତି ଇରାନୀ ସମେତ ବହୁ ବଡ଼ବଡ଼ ନେତା ଉପସ୍ଥିତ ଥିଲେ। ସେହିପରି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ଅନ୍ତିମ ଦର୍ଶନ କରିଥିଲେ ।

ସୂଚନାଯୋଗ୍ୟ, ଶନିବାର ରାତିରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ ଜନପ୍ରିୟ ନେତା କଲ୍ୟାଣ ସିଂହ  । ୮୯ ବର୍ଷ ବୟସରେ ଚିକିତ୍ସିତ ଅବସ୍ଥାରେ ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂଙ୍କ ପରଲୋକ ହୋଇଥିଲା । ଅସୁସ୍ଥତା କାରଣରୁ ଦୀର୍ଘଦିନ ଧରି ଚିକିତ୍ସିତ ହେଉଥିବା ଏହି ଜନନେତାଙ୍କର ଏସଜିପିଜିଆଇ ହସ୍ପିଟାଲରେ ଦେହାନ୍ତ ଘଟିଥିଲା।  ଜୁଲାଇ ୪ ତାରିଖରେ ତାଙ୍କର ସ୍ୱାସ୍ଥ୍ୟରେ ଅବନତି ଘଟିବାରୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା  । ପରବର୍ତ୍ତୀ ସମୟରେ ସୁଧାର ଆସୁଥିବା ନେଇ ପ୍ରକାଶ କରିଥିଲେ ଚିକିତ୍ସା କରୁଥିବା ସ୍ୱତନ୍ତ୍ର ଡାକ୍ତରୀ ଦଳ  । କିନ୍ତୁ ଶେଷରେ ଆଖି ବୁଜିଥିଲେ ପ୍ରଖର ହିନ୍ଦୁ ନେତା, ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂହ  । ସେ ରାଜସ୍ଥାନ ଏବଂ ହିମାଚଳ ପ୍ରଦେଶର ରାଜ୍ୟପାଳ ଭାବେ ମଧ୍ୟ କାର୍ଯ୍ୟକରିଛନ୍ତି।

https://twitter.com/AHindinews/status/1429745035642163200?s=20

ବାବ୍ରି ମସଜିଦ୍‌ର ଢାଞ୍ଚା ଭଙ୍ଗାଯିବା ସହ ରାମ ମନ୍ଦିର ଆନ୍ଦୋଳନର ମୁଖ୍ୟ ନାୟକ ଥିଲେ ସ୍ୱର୍ଗତ କଲ୍ୟାଣ ସିଂହ। ଯେଉଁ ସମୟରେ ବାବ୍ରୀ ମସଜିଦ ଭଙ୍ଗାକୁ ନେଇ ଏକ ବଡ଼ ଧରଣର ଦୁର୍ଘଟଣା ଘଟିଥିଲା। ସେହି ସମୟର ଆନ୍ଦୋଳନର ଶୀର୍ଷ ନେତୃତ୍ୱ ତୁଲାଉଥିଲେ ତତକାଳୀନ ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂହ।

ଠିକ୍ ସମୟରେ ଦେଶ ଛାଡିବାକୁ ତାଲିବାନର ଆମେରିକାକୁ ଧମକ, କାବୁଲ ଛାଡ଼ିବା ମୁଡରେ ନାହାଁନ୍ତି ବ୍ରିଟେନ୍ ଓ ଅନ୍ୟ ମିତ୍ର ରାଷ୍ଟ୍ର

ୱାସିଂଟନ: ପୂର୍ବନିର୍ଧାରିତ ତାରିଖ ଅନୁସାରେ ଆଫଗାନିସ୍ତାନ ଛାଡି ଚାଲିଯିବାକୁ ତାଲିବାନ ଆମେରିକାକୁ ଧମକ ଦେଇଛି । ଆମେରିକା ସେନା ଅଗଷ୍ଟ ୧୧ ତାରିଖ ସୁଧା ଆଫଗାନିସ୍ତାନ ଛାଡିବ ବୋଲି ଘୋଷଣା କରିଥିଲା । ଆମେରିକାର ପ୍ରାୟ ସୈନିକ ଆଫଗାନିସ୍ତାନ ଛାଡି ସାରିଥିଲେ ମଧ୍ୟ ଅଚାନକ ତାଲିବାନର ଦେଶ ଦଖଲ ପରେ ଆମେରିକା ତାର ୫ ହଜାର ସୈନିକଙ୍କୁ କାବୁଲ ବିମାନ ବନ୍ଦରର ସୁରକ୍ଷା ପାଇଁ ପୁଣି ପଠାଇଥିଲା । କାବୁଲ ବିମାନ ବନ୍ଦର ଏବେ ମଧ୍ୟ ଆମେରିକା କବଜାରେ ଅଛି । ତେବେ ତାଲିବାନ ଚାହୁଁଛି ଯେ, ଆମେରିକା ଅଗଷ୍ଟ ୩୧ ସୁଧା ଏୟାରପୋର୍ଟରୁ ତା’ର ସୈନିକଙ୍କୁ ହଟାଉ । ନିର୍ଧାରିତ ସମୟ ମଧ୍ୟରେ ସେନା ନହଟାଇଲେ ଗମ୍ଭୀର ପରିଣାମ ଭୋଗିବାକୁ ପ୍ରସ୍ତୁତ ରହିବାକୁ ତାଲିବାନ ଆମେରିକାକୁ ଚେତାବନୀ ଦେଇଛି ।

ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ପାଇଁ ତାଲିବାନର ଏହି ଧମକ ସହିତ ବ୍ରିଟେନ୍ ଅନ୍ୟ ମିତ୍ରରାଷ୍ଟ୍ରଙ୍କ ମନୋଭାବ ଅଡୁଆ ପରିସ୍ଥିତି ସୃଷ୍ଟି କରିଛି । କୁହାଯାଉଛି ଯେ, ଜି-୭ ରାଷ୍ଟ୍ରର ପ୍ରାୟ ସବୁ ଦେଶ ଏବେ କାବୁଲକୁ ତାଲିବାନ ହାତରେ ଟେକି ଦେବା ସପକ୍ଷରେ ନାହାନ୍ତି । ବ୍ରିଟେନ୍ ଚାହୁଁଛି ଯେ, କାବୁଲରେ ଆଉ କିଛି ଦିନ ପାଇଁ ମିତ୍ରରାଷ୍ଟ୍ରର ସୈନିକ ଉପସ୍ଥିତି ରହୁ ।

ଆମେରିକା ପାଇଁ ଚିନ୍ତାର କାରଣ ହେଉଛି ଯେ, ଯଦି ଏହା ମିତ୍ର ଦେଶଙ୍କ ଅନୁରୋଧକୁ ମାନି ନିଏ ତେବେ କାବୁଲ ଏୟାରପୋର୍ଟରେ ତାକୁ ତାଲିବାନ ସହିତ ଲଢିବାକୁ ପଡିବ । ଯାହାକୁ ନେଇ ବାଇଡେନ ଅସମଞ୍ଜସ ସ୍ଥିତିରେ ଅଛନ୍ତି ।
କାବୁଲ ଛାଡିବାକୁ ବ୍ରିଟେନ୍ ରାଜି ନୁହେଁ

ବ୍ରିଟେନ୍ ବର୍ତ୍ତମାନ ପରିସ୍ଥିତିରେ କାବୁଲ ଛାଡିବାକୁ ପ୍ରସ୍ତୁତ ନାହିଁ । ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ ଜନସନ୍ କହିଛନ୍ତି ଯେ, ଆମକୁ ଲମ୍ବା ସମୟ ପାଇଁ କାବୁଲରେ ରହିବାକୁ ପଡିବ । ଏନେଇ ସେ ଆମେରିକାକୁ ଅପିଲ କରିବେ ବୋଲି କହିଛନ୍ତି । ସୂଚନାଯୋଗ୍ୟ ଯେ, ବୋରିସଙ୍କ ଆଗ୍ରହରେ ମଙ୍ଗଳବାର ଦିନ ଜି-୭ ଦେଶର ବୈଠକ ବସୁଛି । ଏହି ବୈଠକରେ ଆମେରିକାକୁ କାବୁଲ ନଛାଡିବାକୁ ପ୍ରସ୍ତାବ ଦିଆଯିବ । ଏହି ପ୍ରସ୍ତାବକୁ ବୋରିସ ରଖିବେ ।

ବାଇଡେନଙ୍କ କହିବା କ’ଣ ?
ବାଇଡେନ ପ୍ରଥମେ ସେପ୍ଟେମ୍ବର ୧୧ ସୁଧା ଆମେରିକା ସୈନିକ ଆଫଗାନିସ୍ତାନ ଛାଡିବେ ବୋଲି କହିଥିଲେ । କିନ୍ତୁ ପରେ ଏହି ଡେଡ୍ ଲାଇନକୁ ଅଗଷ୍ଟ ୩୧ କରିଥିଲେ । ଏବେ ଚାରିପଟୁ ପଡୁଥିବା ଚାପ ଭିତରେ ସେ କହିଛନ୍ତି ଯେ, ଆବଶ୍ୟକତା ପଡିଲେ ଡେଡଲାଇନକୁ ଘୁଞ୍ଚାଯିବ ।
ତେବେ ମିତ୍ର ଦେଶ ଓ ତାଲିବାନ ଧମକ ଭିତରେ ବାଇଡେନ୍ ଫସିଯାଇଛନ୍ତି ଏଥିରେ ସନ୍ଦେହ ନାହିଁ ।

ପଞ୍ଜଶୀରର ଯୋଦ୍ଧାଙ୍କ ଦ୍ୱାରା ବଡ଼ ବିସ୍ଫୋରଣ, ଖଣ୍ଡ ଖଣ୍ଡ ହୋଇ ଆକାଶରେ ଉଡ଼ିଲେ ତାଲିବାନ ଆତଙ୍କବାଦୀ

ନୂଆଦିଲ୍ଲୀ: ଆଫଗାନିସ୍ତାନରେ ଏବେ ତାଲିବାନ ଆତଙ୍କର ତାଣ୍ଡବ ଲୀଳା ରଚିଛି। ଚରମ ସୀମାରେ ପହଞ୍ଚିଛି ତାଲିବାନୀଙ୍କ ଆତଙ୍କ। ଆଉ ଏଥିପାଇଁ ଭୟରେ ଦେଶ ଛାଡ଼ି ପଳାଉଛନ୍ତି ଲୋକେ। ତାଲିବାନୀଙ୍କ ନିର୍ଯାତନା ଭୟରେ ଏବେ ଥରହର ଆଫଗାନିସ୍ତାନ। କିନ୍ତୁ କାବୁଲକୁ ଦଖଲ କରିବା ପରେ ମଧ୍ୟ ଆଫଗାନିସ୍ତାନର ପଞ୍ଜଶୀରକୁ ନିଜ ଅକ୍ତିଆରକୁ ଆଣିପାରିନି ତାଲିବାନ। ପଞ୍ଜଶୀର ଏବେ ତାଲିବାନୀଙ୍କ ନିୟନ୍ତ୍ରଣ ବାହାରେ ରହିଛି। ପଞ୍ଜଶିରରେ ଅହମ୍ମଦ ମସୁଦ ଏବଂ ତାଲିବାନ ମଧ୍ୟରେ ସଂଘର୍ଷ ଚାଲିଛି।

ସୋମବାର ଦିନ ପଞ୍ଜଶୀରକୁ ଅକ୍ତିଆର କରିବା ପାଇଁ ତାଲିବାନ ତାର ଆତଙ୍କବାଦୀ ଗୋଷ୍ଠୀକୁ ପଠାଇଥିଲା। କିନ୍ତୁ ସେଠାରେ ଅହମଦ ମସୁଦ ସେନାର ଆକ୍ରମଣରେ ଧ୍ୱଂସ ହୋଇଯାଇଥିଲା ପୁରା ତାଲିବାନୀ ଆତଙ୍କବାଦୀ ଗୋଷ୍ଠୀ। ବଡ଼ ବିସ୍ଫୋରଣରେ ଖଣ୍ଡବିଖଣ୍ଡିତ ହୋଇଯାଇଥିଲା ତାଲିବାନୀଙ୍କ ଶରୀର। ଏହା ଆମେ କହୁନୁ। ଭାଇରାଲ ହୋଇଥିବା ଏକ ଭିଡିଓରେ ଏହା ଦେଖିବାକୁ ମିଳିଛି।

ଭିଡିଓରେ ପଞ୍ଜଶୀର ଘାଟିରେ ଏକ ଧଳା କାର ଏବଂ କିଛି ଲୋକଙ୍କୁ ଦେଖିବାକୁ ମିଳିଛି। ସେହି ଭିଡିଓରେ ସବୁକିଛି ସ୍ୱାଭାବିକ ମନେହୁଏ। କିନ୍ତୁ ଠିକ୍‌ କିଛି ସମୟ ପରେ ହଠାତ୍ ଏକ ବଡ଼ ବିସ୍ଫୋରଣ ହୁଏ। ଯେଉଁ ବିସ୍ପୋରଣରେ ତାଲିବାନୀ ମାନଙ୍କ ଖଣ୍ଡବିଖଣ୍ଡିତ ଶରୀର ଆକାଶରେ ଉଡ଼ୁଥିବା ଦେଖିାବାକୁ ମିଳିଛି। ତେବେ ଏପର୍ଯ୍ୟନ୍ତ ଏହି ବିସ୍ଫୋରଣକୁ କୌଣସି ଗୋଷ୍ଠୀ ଆନୁଷ୍ଠାନିକ ଭାବେ ନିଶ୍ଚିତ କରିନାହାଁନ୍ତି। ତାଲିବାନ ପାଇଁ ପଞ୍ଜଶୀରକୁ ନିଜ ଅଧିନକୁ ନେବା ଏତେ ସହଜ ହେବ ନାହିଁ। କାରଣ ଅହମ୍ମଦ ଶାହ ମସୁଦଙ୍କ ପୁଅ ଅହମ୍ମଦ ମସୁଦ ପଞ୍ଜଶୀରରେ ବିଦ୍ରୋହୀ ମାନଙ୍କର ଏକ ବଡ଼ ଗୋଷ୍ଠୀ ସହ ତାଲିବାନକୁ ଟକ୍କର ଦେବା ପାଇଁ ପ୍ରସ୍ତୁତ ରହିଛି।

ସେପଟେ ପଞ୍ଜଶୀର ବିଦ୍ରୋହୀ ସଂଗଠନର ମୁଖ୍ୟ ମସୁଦ ଆଫଗାନୀସ୍ତାନକୁ କବଜା କରିଥିବା ତାଲିବାନୀଙ୍କ ସହ ଆଲୋଚନା ଏବଂ ଯୁଦ୍ଧ ପାଇଁ ପ୍ରସ୍ତତ ଅଛି ବୋଲି କହିଛି। ତେବେ ମସୁଦ ଏଭଳି ଏକ ସମୟରେ ଏମିତି ଆହ୍ୱାନ ଦେଇଛି ଯେଉଁ ସମୟରେ ତାଲିବାନ ହଜାର ହଜାର ସଂଖ୍ୟାରେ ପଞ୍ଜଶୀରକୁ କବଜା କରିବା ପାଇଁ ଆତଙ୍କବାଦୀଙ୍କୁ ପଠାଇଛି। ବିଦ୍ରୋହୀଙ୍କ ପକ୍ଷରୁ ଏହା ମଧ୍ୟ କୁହାଯାଇଛି କି ତାଲିବାନୀଙ୍କୁ ଚାରିପାଖରୁ ଘେରି ତାଙ୍କ ଉପରକୁ ଆକ୍ରମଣ କଯାଇଛି ୩୦୦ ତାଲିବାନୀଙ୍କୁ ହତ୍ୟା କରାଯାଇଛି।

ଖାଇବା ନେଇ ପହଞ୍ଚିଲେ ଡେଲିଭରୀ ବୟ, ଖାଲି ହାତ ଦେଖି ରାକ୍ଷୀ ବାନ୍ଧିଲେ ଯୁବତୀ

ଭୁବନେଶ୍ୱର: ଗତକାଲି ଭାରତ ଖୁବ ହର୍ଷୋଲ୍ଲାସରେ ପାଳନ କରିଛି ରାକ୍ଷୀ ପୂର୍ଣ୍ଣିମା । ଏହି ରାକ୍ଷୀ ପୂର୍ଣ୍ଣିମାର ସୌନ୍ଦର୍ଯ୍ୟକୁ ଦର୍ଶାଇ ଏକ କାହାଣୀ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ରାକ୍ଷୀ ପୂର୍ଣ୍ଣିମା ଅବସରରେ ଜଣେ ଭାଇ ତା’ ଭଉଣୀ ପାଇଁ ‘ଜୋମାଟୋ’ରୁ ଖାଇବା ଅର୍ଡର କରିଥିଲେ । ଯେତେବେଳେ ଡେଲିଭରି ବୟ ଖାଦ୍ୟ ସହିତ ପହଞ୍ଚିଲା, ଭଉଣୀ ଡେଲିଭରି ବୟଟିର ଖାଲି ହାତ ଦେଖି ତା ହାତରେ ରାକ୍ଷୀ ବାନ୍ଧିଥିଲେ । ରାକ୍ଷୀ ବାନ୍ଧିବାର ଏକ ଫଟୋ ସୋସିଆଲ ମିଡିଆରେ ସେୟାର ହେବାପରେ, ଭଉଣୀଟିର ଏହି କାମକୁ ଖୁବ ପ୍ରଶଂସା କରାଯାଉଛି  ।

ଏହି ଫଟୋଟି ପୋଷ୍ଟ କରି ଟ୍ୱିଟର ୟୁଜର ନିହାରିକା ଦାଶ ଓଡ଼ିଆ ଭାଷା ରେ ଲେଖିଛନ୍ତି ଯେ, ଆଜି ମୋଁ ଭାଇ ଯୋମାଟୋ ରୁ ଖାଇବା ଅଡର କରିଥିଲା । ଏଇ ଭାଇ ଯେତେବେଳେ ଖାଇବା ଦେବାକୁ ଆସିଲେ ତାଙ୍କ ହାତରେ ରାକ୍ଷୀ ନଥିଲା । ମୁଁ କିଛି ନ ପଚାରି ରାକ୍ଷୀ ଟେ ଆଣି ତାଙ୍କୁ ବାନ୍ଧିଦେଲି । ଖୁସି ରେ ମୋଁ ଆଖିରେ ଲୁହ ଆସିଗଲା । ଗୋଟେ ଭାଇ ମୋଁ ପାଇଁ ଖାଇବା ଅଡର କଲା ଆଉ ତା ବଦଳରେ ମୁଁ ଆଉ ଗୋଟେ ଭାଇ ପାଇଗଲି । ବହୁତ ଖୁସି ମୁଁ । ଅନେକ ୟୁଜର୍ସ ଏହି ଯୁବତୀଙ୍କ ଏହି କାମକୁ ପ୍ରସଂଶା କରୁଛନ୍ତି ।

ଫିଲ୍ମ ସୁଟିଂ ସମୟରେ ଯନ୍ତ୍ରଣାରେ ଛଟପଟ ହେଲେ ଅଭିଷେକ ବଚ୍ଚନ

ନୂଆଦିଲ୍ଲୀ: ଫିଲ୍ମ ସୁଟିଂ ସମୟରେ ଆହତ ହେଲେ ଅଭିଷେକ ବଚ୍ଚନ। ତାଙ୍କୁ ମୁମ୍ବାଇର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତାଙ୍କୁ ଦେଖିବା ଲାଗି ବାପା ଅମିତାଭ ବଚ୍ଚନ, ଭଉଣୀ ଶ୍ୱେତା ବଚ୍ଚନ ହସ୍ଟିଟାଲକୁ ଆସିଥିଲେ। ଅଭିଷେକଙ୍କ ହାତରେ ଆଘାତ ଲାଗି ଥିବା କୁହାଯାଇଛି। ତେବେ ଅଭିଷେକ ସୁସ୍ଥ ଅଛନ୍ତି। ତାମିଲ ଫିଲ୍ମ ଓଥାଥା ସେରୁପୁ ସାଇଜ ୭ ତାମିଲ ଫିଲ୍ମର ହିନ୍ଦି ରିମେକରେ ସୁଟିଂ ବେଳେ ସେ ଆହତ ହୋଇଥିଲେ। ପୁର୍ବରୁ ତାଙ୍କର ବାମ ହାତର ଗୋଟିଏ ଅଙ୍ଗୁଳି ବି ଭାଙ୍ଗିଯାଇଥିଲା।

PM ଫସଲ ବୀମା ଯୋଜନାରେ ମାଲେମାଲ ବୀମା କମ୍ପାନୀ, ଚାଷୀଙ୍କୁ ମିଳୁନି ଲାଭ

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ନେଇ କେନ୍ଦ୍ର ଉପରେ ବର୍ଷିଲା ବିଜେଡି। ଫସଲ ବୀମା ଯୋଜନାରେ କମ୍ପାନୀ ମାନେ ପ୍ରଚୁର ପରିମାଣରେ ଲାଭବାନ ହେଉଥିବା ବେଳେ, ଚାଷୀ ହଇରାଣ ହେଉଥିବା କହିଛନ୍ତି ବିଜେଡି ସାଂସଦ ସସ୍ମିତ ପାତ୍ର। ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଗୁଁ ଓଡ଼ିଶା ଚାଷୀ ହଇରାଣ ହେଉଥିବା କଥା କହିଛନ୍ତି ସସ୍ମିତ ପାତ୍ର। ଏହି ବୀମା ଯୋଜନାରେ ୧ ଲକ୍ଷ ୨୬ ହଜାର କୋଟି ଟଙ୍କା ବୀମା କମ୍ପାନୀଙ୍କୁ ଦିଆଯାଇଛି। କିନ୍ତୁ ଚାଷୀ ପାଇଛନ୍ତି ମାତ୍ର ୮୭ ହଜାର କୋଟି ଟଙ୍କା। ବାକି ୪୦ ହଜାର କୋଟି ଟଙ୍କା ବୀମା କମ୍ପାନୀ ରଖିଛନ୍ତି ଓ ଚାଷୀ ପାଇନାହାନ୍ତି। ହେଲେ ଚାଷୀଙ୍କୁ ଓଡ଼ିଶା ସରକାର ୩୫୦୦ କୋଟି ଟଙ୍କା ଦେଇଥିବା କହିଛନ୍ତି ସାଂସଦ ସସ୍ମିତ ପାତ୍ର।

ଚାଷୀଙ୍କୁ ଆଉ କଷ୍ଟ ଦିଅନ୍ତୁନି, ଚାଷୀଙ୍କୁ ନ୍ୟାର୍ଯ୍ୟ ଦାବି ମିଳୁ ବୋଲି ସାଂସଦ ସସ୍ମିତ ପାତ୍ର କହିଛନ୍ତି। ଚାଷୀଙ୍କ ହକ୍ ପାଇଁ ବିଜେଡି ଥିଲା, ରହିଛି ଓ ରହିବ। ଦେଶର ୬ଟି ରାଜ୍ୟ ଫସଲ ବୀମା ଯୋଜନାରୁ ଓହରି ଗଲେଣି ବୋଲି ପ୍ରେସମିଟରେ କହିଛନ୍ତି ବିଜେଡି ସାଂସଦ ସସ୍ମିତ ପାତ୍ର। ଆନ୍ଧ୍ର, ବିହାର, ଗୁରାରାଟ, ଝାଡ଼ଖଣ୍ଡ, ତେଲେଙ୍ଗାନା, ଛତିଶଗଡ଼ ଏହି ଫସଲ ବୀମା ଯୋଜନାରୁ ଓହରି ଗଲେଣି। ଓହରିଯିବାର କାରଣ ହେଉଛି ଏହି ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ଏହି ରାଜ୍ୟ ଗୁଡ଼ିକ ସେମାନଙ୍କ ଉପଯୁକ୍ତ ପ୍ରାପ୍ୟ ପାଇପାରିନାହାନ୍ତି।

୫ ବର୍ଷପରେ ଗିରଫ ହେଲା ଡି ବ୍ରଦର୍ସର ଦିଲୁ, ଓମ-ଦୀପୁ ହତ୍ୟାକାଣ୍ଡରେ ଥିଲା ସାମିଲ

କଟକ: ଧଲସାମନ୍ତ ଭ୍ରାତାଙ୍କ ଘନିଷ୍ଟ ସହଯୋଗୀ ଗିରଫ। ସେ ହେଉଛି ଦିଲୁ ଓରଫ ପ୍ରଦୀପ କୁମାର ସାହୁ। ଏ ନେଇ ସୂଚନା ଦେଇଛନ୍ତି ପୋଲିସ୍‌ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ। ଦିଲୁକୁ ଆଜି ଗିରଫ କରିବା ପାଇଁ କଟକ ପୋଲିସ ସଫଳ ହୋଇଛି। ଦିଲୁ ୨୦୧୬ ବହୁଚର୍ଚ୍ଚିତ ଓମ୍‌ ଓ ଦିପୁର ହତ୍ୟା କାଣ୍ଡରେ ଲିପ୍ତ ଥିଲା। ହତ୍ୟା ପରେ ଦୀର୍ଘ ୫ ବର୍ଷ ଫେରାର ରହିଥିଲା ଦିଲୁ।

ତେବେ କଟକ ଡିସିପିଙ୍କ ନେତୃତ୍ୱରେ ଏକ ସ୍ପେସାଲ ଟିମ୍‌ ରାୟଗଡ଼ାରୁ ଦିଲୁକୁ ଗିରଫ କରିଛି। ଦିଲୁ ପାଖରୁ ଗିରଫ ସମୟରେ ଗୋଟିଏ ବନ୍ଧୁକ, ୬ ରାଉଣ୍ଡ ଗୁଳି ଏବଂ ୩ ଟି ମୋବାଇଲ ଫୋନ୍‌ ଜବତ କରାଯାଇଛି। ପ୍ରାଥମିତ ତଦନ୍ତରୁ ଜଣାପଡ଼ିଛି ଯେ ଦିଲୁ ଡି ବ୍ରଦର୍ସଙ୍କର ଟେଣ୍ଡର କାମ ଦେଖୁଥିଲା। ଏହା ସହ ଦିଲୁ ଅନେକ ବଡ଼ ବଡ଼ କାମ ତଦାରଖ କରୁଥିଲା। ଦିଲୁ ନାମରେ ଚାଉଳିଆଗଞ୍ଜ ଥାନାରେ ୪ଟି କେସ ରହିଛି। ପୂର୍ବରୁ ଗିରଫ ନ ହୋଇଥିବା

ଡି ବ୍ରଦର୍ସଙ୍କର ଘନିଷ୍ଟ ସହଯୋଗୀ ମାନଙ୍କ ମଧ୍ୟରୁ ଦିଲୁ ଜଣେ। ତେବେ କମିଶନରେଟ ପୋଲିସ୍‌ର ଅପରାଧ ବିରୁଦ୍ଧରେ ଜିରୋ ଟଲେରାନ୍ସ ନୀତି ବଳବତର ରହିଛି ବୋଲି ପୋଲିସ୍‌ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି। କୌଣସିବି ପରିସ୍ଥିତିରେ ଅର୍ଗାନାଇଜଡ କ୍ରାଇମ, ଦାଦାବଟି, ଚାନ୍ଦା ଏବଂ ଟେଣ୍ଡର ପିକ୍ସିଂକୁ ଗହଣ କରାଯିବ ନାହିଁ ବୋଲି ସିପି କହିଛନ୍ତି। ଯେଉଁ ମାନେ ଏଭଳି କାର୍ଯ୍ୟରେ ପ୍ରମାଣିତ ହେବେ ସେମାନଙ୍କ ପାଇଁ କଠୋରରୁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରଣ କରାଯିବ ବୋଲି ସୂଚନା ଦେଇଛନ୍ତି ସିପି।

କମ୍‌ ବର୍ଷା ହୋଇଥିବା ଅଞ୍ଚଳରେ ଲିଫ୍ଟ ଇରିଗେସନ ଜରିଆରେ ବିଲକୁ ପାଣି ଯୋଗାଇ ଦିଆଯିବ

ଭୁବନେଶ୍ୱର: ଶ୍ରାବଣ ମାସରେ ରାଜ୍ୟରେ ହେଲାନି ଉପଯୁକ୍ତ ପରିମାଣରେ ବର୍ଷା। ମୌସୁମୀରେ ଯେତିକି ପରିମାଣରେ ବର୍ଷା ହେବା କଥା ଆବଶ୍ୟକତା ଠାରୁ କମ୍‌ ବର୍ଷା ହୋଇଛି। ନିଅଣ୍ଟିଆ ବର୍ଷା ଯୋଗୁ ପ୍ରଭାବିତ ହୋଇଛି ଚାଷ କାର୍ଯ୍ୟ। ଏଥିପାଇଁ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ସମସ୍ତ ବିଭାଗ ଓ ଜିଲ୍ଲାପାଳଙ୍କ ସହ ବୈଠକ କରିଛନ୍ତି। ୧୫ ଜିଲ୍ଲାର ୩୦ ଟି ବ୍ଲକରେ କମ ବର୍ଷା ହୋଇଛି। ଏହାକୁ ଦୃଷ୍ଟିରେ ରଖି ସ୍ୱତନ୍ତ୍ର ଆକ୍ସନ ପ୍ଲାନ ପ୍ରସ୍ତୁତ କରାଯାଇଛି ବୋଲି ସୂଚନା ଦେଇଛନ୍ତି କୃଷି ସଚିବ ସୁରେଶ ବଶିଷ୍ଟ। ଯେଉଁଠି ଜଳସେଚନର ସୁବିଧା ଅଛି ସେଠାରୁ ଲିଫ୍ଟ ଇରିଗେସନ ଜରିଆରେ ଅନ୍ୟ ବିଲକୁ ପାଣି ଯୋଗାଇ ଦିଆଯିବ। କୃଷି ଶ୍ରମିକଙ୍କୁ ମନରେଗା ଓ ଅନ୍ୟାନ୍ୟ କୃଷି ଯୋଜନାରେ କାମ ଦିଆଯିବ। ସେହିପରି ଯେଉଁଠି ଲିଫ୍ଟ ଇରିଗେସନ ପଏଣ୍ଟ ଅଛି, ସେଠାରେ ପ୍ରତି ପଞ୍ଚାୟତରେ ଆକ୍ସନ ପ୍ଲାନ କରାଯିବ। ଏହାସହ ଅନ୍ୟ ଜଳସେଚନ ସୁବିଧାକୁ ବ୍ୟବସ୍ଥିତ କରାଯିବ ବୋଲି ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ।