spot_img
Home Blog Page 5290

ପଇଡ଼ ବୋଝେଇ ଟ୍ରକ୍‌ରୁ ଜବତ ହେଲା ୭୦ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାର ଗଞ୍ଜେଇ

ଲମତାପୁଟ: ରାଜ୍ୟରେ ବଦଳୁଛି ଗଞ୍ଜେଇ ଚାଲାଣର ତରିକା। ଚାଲାଣକାରୀ ମାନେ ଆପଣାଉଛନ୍ତି ଗଞ୍ଜେଇ ଚାଲାଣର ନୂଆ ନୂଆ ଶୈଳି। କେତେବେଳେ ଚାଉଳ ବୋଝେଇ ଟ୍ରାକ୍ଟର ତ ପୁଣି କେତେବେଳେ ପଇଡ ବୋଝେଇ ଟ୍ରକରୁ ଜବତ ହେଉଛି ଗଞ୍ଜେଇ। ଆଜି ଏକ ପଇଡ଼ ବୋଝେଇ ଟ୍ରକ୍‌ରୁ ୭୦ଲକ୍ଷ ଟଙ୍କାର ଗଞ୍ଜେଇ ଜବତ ହୋଇଛି। କୋରାପୁଟ ଜିଲ୍ଲା ଲମତାପୁଟ ଅଞ୍ଚଳରୁ ସାତ କୁଇଣ୍ଟାଲରୁ ଅଧିକ ଗଞ୍ଜେଇ ମାଛକୁଣ୍ଡ ପୋଲିସ ଜବତ କରିଥିବା ବେଳେ, ୨ଜଣ ଚାଲାଣକାରୀଙ୍କୁ ଗିରଫ କରିଛି।

ସୂଚନା ଅନୁଯାୟୀ, ଏକ ପଇଡ ବୋଝେଇ ଟ୍ରକ୍‌ରେ ଲମତାପୁଟ ଓ ଜୟପୁର ରାସ୍ତା ଦେଇ ଗଞ୍ଜେଇ ବିହାରକୁ ଚାଲାଣ କରାଯାଉଥିଲା। ଏନେଇ ବିଶେଷ ସୂତ୍ରରୁ ଖବର ପାଇଥିଲେ କୋରାପୁଟ ଏସପି। ପରେ ଏସ୍‌ପିଙ୍କ ନିର୍ଦ୍ଦେଶ କ୍ରମେ କଞ୍ଚଣା ଗାଁ ଛକ ନିକଟରେ ଗାଡି ମୋଟର ଯାଞ୍ଚ କରିଥିଲା ପୋଲିସ।

ଯାଞ୍ଚ ସମୟରେ ଟ୍ରକରୁ ୭୦୧କେଜି ୭୦୦ଗ୍ରାମ ଗଞ୍ଜେଇ ଜବତ କରାଯାଇଥିଲା। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୭୦ଲକ୍ଷ ଟଙ୍କା ହେବ ବୋଲି ନନ୍ଦପୁର SDPO କହିଛନ୍ତି। ତେବେ ଘଟଣାରେ ସମ୍ପୃକ୍ତ ଜଗେନ୍ଦ୍ର ତିଓ୍ୱାରି ଓ ଶିବ ଶଙ୍କର ଚୌଧରିଙ୍କୁ ଗିରଫ କରିଛି ପୋଲିସ। ସେମାନଙ୍କ ଘର ବିହାରରେ ବୋଲି ଜଣାପଡ଼ିଛି।

‘ଲେଡି ତାଲିବାନ ଦେଖିବାର ଅଛି ତ କାଲିଘାଟ ଯାଅ’, ମମତା ବାନାର୍ଜୀଙ୍କୁ ଚିଡ଼ାଇଲେ ବିଜେପି ନେତା

କୋଲକାତା: ଆଫଗାନିସ୍ତାନରେ ତାଲିବାନ ରାଜ ଆରମ୍ଭ ହୋଇଛି। ଏହାରି ଭିତରେ ଏହି ତାଲିବାନୀ ଶବ୍ଦକୁ ବ୍ୟବହାର କରି ଭାରତରେ ମଧ୍ୟ ବିଭିନ୍ନ ପ୍ରକାର ରାଜନୀତିକ ବୟାନବାଜି ଆରମ୍ଭ ହୋଇଯାଇଛି। ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ପରେ ଯେପରି ରାଜନୀତିକ ହିଂସା ଘଟିଛି ତାକୁ ନେଇ ବିଜେପି ଶାସକ ଟିଏମସିକୁ ବାରମ୍ବାର ସମାଲୋଚନା କରୁଛି। ଏହାରି ଭିତରେ ପଶ୍ଚିମବଙ୍ଗର ଦାନ୍ତୁନରେ ଜଣେ ବିଜେପି ନେତା ହତ୍ୟାର ଶିକାର ହୋଇଛନ୍ତି। ଏହାପରେ ବିଜେପି ନେତା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଲେଡି ତାଲିବାନ କହି ଚିଡେଇଛନ୍ତି। ନିକଟରେ ନିର୍ବାଚନ ପରବର୍ତ୍ତୀ ହିଂସା ମାମଲାରେ ହାଇକୋର୍ଟ ଦ୍ୱାରା ଗୋଟିଏ ପରେ ଗୋଟିଏ ଝଟକା ଖାଇଥିବା ମମତା ସରକାରଙ୍କୁ ବିଜେପି ନେତା ଲେଡି ତାଲିବାନ ବୋଲି କହିବା ପରେ ଟିଏମସି ମଧ୍ୟ କହିଛି ଠିକଣା ସମୟରେ ଜବାବ ଦେବ। ମମତାଙ୍କ ପ୍ରତି ଏପରି ଶବ୍ଦ କହିବା ଠିକ୍ ନୁହେଁ ବୋଲି ଟିଏମସି କହିଛି।

ଦାନ୍ତୁନରେ ଜଣେ ବିଜେପି କର୍ମୀଙ୍କ ହତ୍ୟାକୁ ନେଇ ଏକ ପ୍ରଶ୍ନର ଉତ୍ତରରେ ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ସ୍ୟାନତନ ବସୁ କହିଛନ୍ତି ସାରା ରାଜ୍ୟରେ ଏଭଳି ହିଂସା ଓ ଅତ୍ୟାଚାର ଘଟୁଛି। ବିରୋଧୀଙ୍କ ସମସ୍ତ ଅଧିକାରକୁ ଖଣ୍ଡନ କରାଯାଇଛି। ବେଙ୍ଗଲରେ ତାଲିବାନ ଶାସନ ଚାଲିଛି। ଏହା ପରେ ସେ କହିଛନ୍ତି ଯେ ଯଦି କୌଣସି ମହିଳା ତାଲିବାନକୁ ଦେଖିବାକୁ ଚାହାଁନ୍ତି ତେବେ ସେ ବେଙ୍ଗଲକୁ ଆସିବା ଉଚିତ୍। ଟିକେଟ୍ କିଣି କାବୁଲ ଯିବାର କୌଣସି ଆବଶ୍ୟକତା ନାହିଁ। ଲେଡି ତାଲିବାନ ନିଜେ କାଲିଘାଟରେ ରହୁଛନ୍ତି। ବସୁ ଏଭଳି କହି ପରୋକ୍ଷରେ ମମତାଙ୍କୁ ଛିଗୁଲେଇଛନ୍ତି। କାରଣ କାଲିଘାଟରେ ରହିଛି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବାସଭବନ।

କେନ୍ଦ୍ର ସରକାରଙ୍କ ବଡ ଘୋଷଣା: କରୋନୀ ମହାମାରୀ ଯୋଗୁଁ ଚାକିରି ହରାଇଥିବା ବ୍ୟକ୍ତିଙ୍କୁ ୨୦୨୨ ଯାଏଁ ମିଳିବ PF

ନୂଆଦିଲ୍ଲୀ: କରୋନା ମହାମାରୀ କାରଣରୁ ଚାକିରି ହରାଇଥିବା ବ୍ୟକ୍ତିଙ୍କୁ ଆଶ୍ବସ୍ତିକର ଖବର । କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ, ଯେଉଁମାନେ ମହାମାରୀରେ ଚାକିରି ହରାଇଛନ୍ତି ସେ ସମସ୍ତଙ୍କ EPFO ଆକାଉଣ୍ଟକୁ କେନ୍ଦ୍ର ସରକାର ୨୦୨୨ ଯାଏଁ PF ଅଂଶଧନ ଜମା କରିବେ । ଅର୍ଥ ମନ୍ତ୍ରାଳୟ ପକ୍ଷରୁ ସ୍ପଷ୍ଟ କରିଛି ଯେ, ଯେଉଁମାନଙ୍କର ଇପିଏଫ୍‌ଓ ଆକାଉଣ୍ଟ ପଞ୍ଜିକରଣ ଥିବ କେବଳ ସେହିମାନଙ୍କୁ ଏହି ସୁବିଧାର ଲାଭ ମିଳିବ । ଅର୍ଥମନ୍ତ୍ରୀ କହିଛନ୍ତି ଯେ ଚାକିରି ହରାଇଥିବା ବ୍ୟକ୍ତିଙ୍କ ପାଇଁ କେନ୍ଦ୍ର ସରକାର ୨୦୨୨ ଯାଏଁ ନିଯୁକ୍ତିଦାତା ତଥା କର୍ମଚାରୀଙ୍କ PF ଅଂଶ ପ୍ରଦାନ କରିବେ କିନ୍ତୁ ଆନୁଷ୍ଠାନିକ କ୍ଷେତ୍ରରେ ଛୋଟ ଛୋଟ ଚାକିରିରେ କାମ କରିବାକୁ ସେମାନଙ୍କୁ ଡକାଯାଇଥିଲା। ଏହି ୟୁନିଟ୍ ଗୁଡିକ EPFO ​​ରେ ପଞ୍ଜୀକୃତ ହେବା ପରେ ହିଁ ଦିଆଯିବ ।

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି, କରୋନା ମହାମାରୀ ସମୟରେ ରୋଜଗାର ସମସ୍ୟାକୁ ଦୃଷ୍ଟିରେ ରଖି ଚଳିତ ବର୍ଷର ମନରେଗା ବଜେଟ୍‌ ୬୦ ହଜାର କୋଟି ଟଙ୍କାରୁ ବଢାଯାଇ ଏକ ଲକ୍ଷ କୋଟି ଟଙ୍କା କରିଦିଆଯାଇଛି । ଅର୍ଥ ବ୍ୟବସ୍ଥାର ଗୁରୁତ୍ବପୂର୍ଣ୍ଣ ଅଙ୍ଗ କୁହାଯାଉଥିବା କ୍ଷୁଦ୍ର, ଲଘୁ ଏବଂ ମଧ୍ୟମ ଉଦ୍ୟୋଗ ବା MSME କ୍ଷେତ୍ରକୁ ଯେଉଁଠି ବର୍ଷ ବର୍ଷ ଧରି ପ୍ରୋତ୍ସାହନ ମିଳୁନଥିଲା ତାହାକୁ କେନ୍ଦ୍ରର ନରେନ୍ଦ୍ର ମୋଦି ସରକାର ଦେଇଛନ୍ତି ।

MSME କ୍ଷେତ୍ରକୁ ବାଣିଜ୍ୟ କାରବାରର ପ୍ରମୁଖ ମାଧ୍ୟମ ଭାବେ ଗଢି ତୋଳିଛନ୍ତି କେନ୍ଦ୍ର ସରକାର । ଗତ ୨ ବର୍ଷ ହେଲା କେନ୍ଦ୍ର ସରକାରଙ୍କ ପକ୍ଷରୁ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ହାତକୁ ନିଆଯାଇଛି ବୋଲି କହିଛନ୍ତି ଅର୍ଥମନ୍ତ୍ରୀ । ସରକାର ଏମ୍‌ଏସ୍‌ଏମ୍‌ଇର ସଂଜ୍ଞାକୁ ବ୍ୟବସ୍ଥିତ ଢଙ୍ଗରେ ପରିବର୍ତ୍ତନ କରିଛନ୍ତି। ସଂସଦରେ ନିକଟରେ ଏକ ବିଲ୍ ଅଣାଯାଇଛି ଯାହା ସିଧାସଳଖ ଏମ୍ଏସ୍ଏମ୍ଇ କ୍ଷେତ୍ର ପାଇଁ ଲାଭଦାୟକ ହେବ।

ରାଜ୍ୟରେ ଆକଳନ ଅନୁଯାୟୀ ସେପ୍ଟେମ୍ବରରେ ଆସିବ ତୃତୀୟ ଲହର ଅକ୍ଟୋବରରେ ପିକ୍‌ କରିବ

ଭୁବନେଶ୍ୱର: ରାଜ୍ୟରେ ଧିରେ ଧିରେ କମିବାରେ ଲାଗିଛି କରୋନା ସଂକ୍ରମଣ। ୪ ଦିନ ହେବ ଲଗାତାର ହଜାର ତଳେ ରହୁଛି କରୋନା ସଂକ୍ରମଣ। ତେବେ ସେପ୍ଟେମ୍ବରରେ ତୃତୀୟ ଲହର ଆସିବ ବୋଲି ଆକଳନ କରାଯାଇଛି। ଯଦି ସେପ୍ଟେମ୍ବରରେ ତୃତୀୟ ଲହର ଆରମ୍ଭ ହୁଏ ତେବେ ଏହା ଅକ୍ଟୋବରରେ ପିକ୍‌ କରିବ। ପିକ ପିରିୟଡ଼ରେ ଶିଶୁ ମାନଙ୍କ ହସ୍ପିଟାଲାଇଯେସନ ପ୍ରତିଶତ ୧୦୦ ଜଣଙ୍କ ମଧ୍ୟରେ ୨୩ ରହିବେ ବୋଲି ଆକଳନ କରାଯାଇଛି। ମାତ୍ର ବର୍ତ୍ତମାନ ଆମର ହସ୍ପିଟାଲାଇଯେସନ ଅଧିକ ନାହିଁ।

ବର୍ତ୍ତମାନ ରାଜ୍ୟରେ ୧୨ରୁ ୧୩ ପ୍ରତିଶତ ରହିଛି ଶିଶୁ ମାନଙ୍କର ସଂକ୍ରମଣ ହାର ରହିଛି ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦେଶକ ବିଜୟ ମହାପାତ୍ର। ସେ ଆହୁରି ମଧ୍ୟ କହିଛନ୍ତି ଯଦି ଦେଖିବା ଦ୍ୱିତୀୟ ଲହର ୬୪ ଦିନରେ ପିକ ନେଇଥିଲା। ତେବେ ତୃତୀୟ ଲହର ଆସିଲେ ତାହାର ପିକ ପିରିୟଡ଼ ପାଇଁ ଆମକୁ ଅପେକ୍ଷା କରିବାକୁ ପଡ଼ିବ। ମାତ୍ର ଆମେ ଏବେ ବି ଦ୍ୱିତୀୟ ଲହରରେ ରହିଛେ। ଶିଶୁ ମାନଙ୍କ ପାଇଁ ରାଜ୍ୟରେ ସମସ୍ତ ପ୍ରକାରର ବ୍ୟବସ୍ଥା କରାଯାଇଛି।

ସବୁ କୋଭିଡ ହସ୍ପିଟାଲରେ ଶିଶୁ ମାନଙ୍କ ପାଇଁ ସ୍ୱତନ୍ତ୍ର ପ୍ରସ୍ତୁତି ଉପରେ ଖାସ୍‌ ନଜର ରଖାଯାଇଛି। ଶିଶୁ ଭବନରେ ସେଣ୍ଟ୍ରାଲ ଅଫ ଏକ୍ସିଲେନ୍ସି କରାଯାଉଛି। ଶିଶୁ ମାନଙ୍କର ଏବେ ସିଭିୟରିଟି ବେଶି ନାହିଁ। ମାତ୍ର ଆମେ ୟାକୁ କୋହଳ ଭାବେ ନେବା ନାହିଁ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦେଶକ ବିଜୟ ମହାପାତ୍ର। ଏବେ ସ୍କ୍ରିନିଂକୁ ରାଜ୍ୟରେ ଚାଲୁ ରଖାଯିବ। ଶିଶୁ ମାନଙ୍କର ଦୈନିକ ସଂକ୍ରମଣ ହାରକୁ ଆନାଲିସ୍ କରାଯାଉଛି ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦେଶକ। ଗତ ତିନି ଦିନ ଭିତରେ କେହି ଭେଣ୍ଟିଲେଟର କୁ ଯାଇନାହାନ୍ତି। ବହୁତ କମ ଶିଶୁଙ୍କୁ ଅକ୍ସିଜେନ ଦରକାର ଥିଲା।

ଭିତର କନିକାରେ ଆରମ୍ଭ ହେଲା ଦେଶୀୟ ପକ୍ଷୀ ଗଣନା

ପଟାମୁଣ୍ଡାଇ: ଭିତର କନିକାରେ ଦେଶୀୟ ପକ୍ଷୀ ଗଣନା ଆରମ୍ଭ। ଆଜିଠୁ ଭିତର କନିକାରେ ପକ୍ଷୀ ଗଣନା ଆରମ୍ଭ ହୋଇଥିବା ବେଳେ, ଏହି ଗଣନା କାର୍ଯ୍ୟ ୭ ଦିନ ଯାଏ ଚାଲୁ ରହିବ। ତେବେ ପକ୍ଷୀ ଗଣନା ପାଇଁ ଦୁଇଟି ଟିମ ଗଠନ କରାଯାଇଛି। ପ୍ରତ୍ୟେକ ଟିମରେ ରହିଛନ୍ତି ୭ଜଣ ଲେଖାଏଁ ସଦସ୍ୟ। ବର୍ଷା ଋତୁର ଆଗମନରେ ଦେଶର କୋଣ ଅନୁକୋଣରୁ ନିଜର ବଂଶ ବିସ୍ତାର ପାଇଁ ଭିତର କନିକାକୁ ଆସିଥିାନ୍ତି ଅନେକ ପକ୍ଷୀ। ଗେଣ୍ଡାଳିଆ, ରାଣୀ ବଗ, ମଝିଆ ବଗ, ଛୋଟ ବଗ, ଖଇରା ବଗ, ଅଞ୍ଜନା ବା ମାଟିଆ ବଗ, ପାଣି କୁଆ, ଅନ୍ଧାରିଆ ବଗ, ଦାଆଁବେଟିଆ, କାପରଖାଇ ଆଦି ବିଭିନ୍ନ ପ୍ରଜାତିର ପକ୍ଷୀ ଭିତର କନିକାକୁ ଆସିବା ସହ ଗଛ ମାନଙ୍କରେ ବସା ବାନ୍ଧିଥାନ୍ତି।

ନିରାସ କଲା ଶ୍ରାବଣ ଭିଜିଲାନି ଧରା, ଦୁର୍ବଳ ମୌସୁମୀ ଟ୍ରଫ୍ ଲାଇନ୍ ଆଣିପାରେ ବର୍ଷା

ଭୁବନେଶ୍ୱର: ସରିଗଲା ଶ୍ରାବଣ ହେଲେ ଭିଜିଲାନି ଧରା। ନିରାଶ କଲା ମୌସୁମୀ। ଧୋକା ଦେଲା ଲଘୁଚାପ। ଅଗଷ୍ଟରେ ଦୁଇ ଦୁଇଟି ଲଘୁଚାପ ସତ୍ତ୍ୱେ ହେଲାନି ଆବଶ୍ୟକୀୟ ବର୍ଷା। ଶୁଖିଲା ପଡିଲା ଶ୍ରାବଣ ମାସ। ତେବେ ଆଗକୁ ବର୍ଷାର ସମ୍ଭାବନା ଆଣୁଛି ଦୁର୍ବଳ ଥିବା ଦକ୍ଷିଣ- ପଶ୍ଚିମ ମୌସୁମୀ ଟ୍ରଫ୍ ଲାଇନ୍। ଆସନ୍ତା ଦୁଇ ଦିନ ମଧ୍ୟରେ ଏହା ସକ୍ରିୟ ହୋଇ ୨୫ ତାରିଖ ସୁଦ୍ଧା ଉପକୂଳ ଓଡ଼ିଶା ମଧ୍ୟ ଦେଇ ଗତି କରିବ। ଏହାର ପ୍ରଭାବରେ ମୌସୁମୀ ଟ୍ରଫଲାଇନ୍ ଦକ୍ଷିଣାୟନ ଗତି କରି ସ୍ୱାଭାବିକ ସ୍ଥିତିକୁ ଫେରିବ।

ଫଳରେ ଆଭ୍ୟନ୍ତରୀଣ ଓଡ଼ିଶା ସମେତ ଉପକୂଳ ଓଡ଼ିଶାରେ ବର୍ଷାର ପରିମାଣ ବଢିବ ବୋଲି ଭୁବନେଶ୍ୱର ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ଚଳିତ ମୌସୁମୀ ଋତୁରେ ଜୁନ୍ ୧ରୁ ଅଗଷ୍ଟ ୨୨ ତାରିଖ ସୁଦ୍ଧା ରାଜ୍ୟରେ ୮୩୬ ଦଶମିକ ୨ ମିଲିମିଟର ବର୍ଷା ହେବା କଥା। କିନ୍ତୁ ୫୮୩ ଦଶମିକ ୭ ମିଲିମିଟର ବର୍ଷା ହୋଇଛି। ଏହା ସ୍ୱାଭାବିକ ବର୍ଷାଠାରୁ ୩୦ ପ୍ରତିଶତ କମ୍। ଏବେ ସୁଦ୍ଧା ରାଜ୍ୟର ୨୭ଟି ଜିଲ୍ଲାରେ ନିଅଣ୍ଟିଆ ବର୍ଷା ହୋଇଥିବା ବେଳେ ୩ଟି ଜିଲ୍ଲାରେ ସ୍ୱାଭାବିକ ବର୍ଷା ରେକର୍ଡ କରାଯାଇଛି।

କମ୍ ବର୍ଷା ପାଇଁ ୪ଟି ଜିଲ୍ଲା ଅଧିକ ପ୍ରଭାବିତ ହୋଇଛି। ଯାଜପୁରରେ ସର୍ବନିମ୍ନ ୫୪ ପ୍ରତିଶତ ବର୍ଷା ରେକର୍ଡ ହୋଇଥିବା ବେଳେ ଭଦ୍ରକରେ ୫୦, ବଲାଙ୍ଗିରରେ ୪୩, କେନ୍ଦୁଝରରେ ୪୨ଏବଂ ଅନୁଗୁଳରେ ୪୦ ପ୍ରତିଶତ କମ୍ ବର୍ଷା ହୋଇଛି। ୨୦ଟି ଜିଲ୍ଲାରେ ସ୍ୱାଭାବିକ ଠାରୁ ୧୯ ରୁ ୩୯ ପ୍ରତିଶତ କମ୍ ବର୍ଷା ହୋଇଛି। ୫ଟି ଜିଲ୍ଲାରେ ୩୯ରୁ ୫୯ ପ୍ରତିଶତ କମ୍ ବର୍ଷା ପାଇଁ ସ୍ଥିତି ସଂଗୀନ ହୋଇଛି।

ଆସନ୍ତାକାଲିଠୁ ଟୋକିଓରେ ଆୟୋଜନ ହେବ ୨୦୨୦ ପାରାଅଲିମ୍ପିକ୍ସ

ଟୋକିଓ: ଆସନ୍ତାକାଲିଠୁ ଟୋକିଓରେ ଆୟୋଜନ ହେବ ୨୦୨୦ ପାରାଅଲିମ୍ପିକ୍ସ । ୯ଟି ପ୍ରତିଯୋଗିତାରେ ୫୪ ଜଣ ପାରା ଆଥଲେଟ ଭାରତକୁ ପ୍ରତିନିଧିତ୍ୱ କରିବା ପାଇଁ ଟୋକିଓ ଯାଇଛନ୍ତି । ପାରାଲିମ୍ପିକ ଖେଳରେ ଅଂଶଗ୍ରହଣ କରୁଥିବା ଏହା ସବୁଠାରୁ ବଡ ଭାରତୀୟ ଦଳ । ୨୨ ଟି କ୍ରୀଡାରେ ୫୯୩ଟି ଇଭେଣ୍ଟ ଆୟୋଜନ କରାଯିବ । ୨୦୧୬ ରିଓ ପାରାଲିମ୍ପିକ୍ସ ସ୍ୱର୍ଣ୍ଣ ପଦକ ବିଜେତା ପୁରୁଷ ହାଇ ଜମ୍ପ ମାରିଆପାନ୍ ଥାଙ୍ଗାଭେଲୁ ଉଦଘାଟନୀ ସମାରୋହରେ ଭାରତର ପତାକା ଧରିବେ ।

ପାରାଲିମ୍ପିକ୍ସ ପାଇଁ ଭାରତର ପୂର୍ବ ସର୍ବବୃହତ କଣ୍ଟିଜେଣ୍ଟ ରିଓ ୨୦୧୬ରେ ଥିଲା । ସେଠାରେ ୧୯ ଜଣ ଆଥଲେଟ୍ସ ଦେଶକୁ ପାଞ୍ଚଟି କ୍ରୀଡ଼ାରେ ପ୍ରତିନିଧିତ୍ବ କରିଥିଲେ । ଭାରତର ସର୍ବଶ୍ରେଷ୍ଠ ପ୍ରଦର୍ଶନ ଭାବରେ ମୋଟ ଚାରିଟି ପଦକ ଦୁଇଟି  ସ୍ୱର୍ଣ୍ଣ, ଗୋଟିଏ ରୌପ୍ୟ ଏବଂ ଗୋଟିଏ ବ୍ରୋଞ୍ଜ ଜିତିଥିଲା । ଏଥର ମଧ୍ୟ ଅଧିକ ପଦକ ଜିତିବା ଆଶାରେ ଅଛି ଭାରତ ।

ତାଲିବାନୀଙ୍କ ବିରୋଧରେ ପଞ୍ଜଶୀରରେ ଉଠିଲା ଅସ୍ତ୍ର, ୩୦୦ ତାଲିବାନୀଙ୍କ ମୃତ୍ୟୁ !

କାବୁଲ: ତାଲିବାନ ଯଦିଓ କାବୁଲକୁ ନିଜ ଅଧିନରେ ସାମିଲ କରିପାରିଛି । କିନ୍ତୁ ଆଫଗାନିସ୍ତାନର ଏକ ଏଭଳି ଅଂଚଳ ରହିଛି, ଯାହାକୁ ନିଜ ଅଧିନରେ ଆଣିବା ପାଇଁ ସ୍ୱପ୍ନ ପୂରା କରିପାରି ନାହିଁ । ୨୦ ବର୍ଷରେ ନୁହେଁ କି ଏବେ ବି ନାହିଁ । ତାଲିବାନର ଯୋଦ୍ଧାମାନେ ଏବେ ବିଦ୍ରୋହୀଙ୍କ ଗଡ଼ ପଞ୍ଜଶୀର ଘାଟୀ ଆଡ଼କୁ ଅଗ୍ରସର ହୋଇଛନ୍ତି ।

ହେଲେ ସେଠାରେ ଆଫଗାନିସ୍ତାନର ପୂର୍ବତନ ଉପରାଷ୍ଟ୍ରପତି ଅହମ୍ମଦ ଶାହା ମସୁଦଙ୍କ ଯୋଦ୍ଧାମାନେ ଘାଟିକୁ ତାଲିବାନ ହାତକୁ ନଦେବାକୁ ନିଷ୍ପତ୍ତି କରି ଜଗି ବସିଛନ୍ତି । ଫଳରେ ତାଲିବାନୀ ସହ ସେମାନଙ୍କ ମୁହାଁମୁହିଁ ସ୍ଥିତି ଉପୁଜିଛି । ତାଲିବାନ କରୀ ଫସୀହୁଦ ଦୀନହାଫିଜୁଲ୍ଲାହଙ୍କ ନେତୃତ୍ୱରେ ପଂଜଶୀର ଉପରେ ଆକ୍ରମଣ କରିବାକୁ ଶତାଧିକ ଲଢୁଆଙ୍କୁ ପଠାଇଥିଲା ।

କିନ୍ତୁ ବଗଲାନ ରାଜ୍ୟର ଅନ୍ଦରାବ ଘାଟୀରେ ଅଙ୍କୁଶ ଲଗାଇ ବସିଥିବା ପଂଜଶୀରର ବିଦ୍ରୋହୀମାନେ ଆକ୍ରମଣ କରିଦେଇଛନ୍ତି । ଏହି ଆକ୍ରମଣରେ ପ୍ରାୟ ୩୦୦ ତାଲିବାନୀଙ୍କ ମୃତ୍ୟୁ ହୋଇଛି । ଏହା ଦ୍ୱାରା ତାଲିବାନର ଯୋଗାଣ ମାର୍ଗ ମଧ୍ୟ ବ୍ଲକ ହୋଇଯାଇଛି । ଜେନେରାଲ ବିସ୍ମିଲ୍ଲାହ ମହମ୍ମଦଙ୍କ ଘୋଷଣା ତାଲିବାନ ପାଇଁ ବଡ଼ ଚ୍ୟାଲେଞ୍ଜ ବୋଲି କୁହାଯାଉଛି । ପଂଜଶୀରରେ ସେନା ତାଲିବାନକୁ ମୁକାବିଲା କରିବା ପାଇଁ ପ୍ରସ୍ତୁତ ।

ତାଲିବାନୀମାନେ ପଂଜୀଶରକୁ ନିଜ ଅକ୍ତିଆର କରିବା ସହଜ ନୁହେଁ । ତାଲିବାନୀ ସେନା ଅଳ୍ପ ଦିନ ଭିତରେ ଆଫଗାନିସ୍ତାନର ପଂଜୀଶରକୁ ଛାଡ଼ି ଅନ୍ୟ ୩୩ଟି ରାଜ୍ୟକୁ ନିଜର ଅଧିନକୁ ନେଇଯାଇଛନ୍ତି । କିନ୍ତୁ ଏପର୍ଯ୍ୟନ୍ତ ପଞ୍ଜଶୀରରେ ପ୍ରବେଶ କରିପାରି ନାହାନ୍ତି । କାରଣ  ତାଲିବାନୀଙ୍କୁ ମୁକାବିଲା କରିବା ପାଇଁ ପଞ୍ଜଶୀରରେ ୧୦ ହଜାର ସୈନିକ ମୁତୟନ ଅଛନ୍ତି । ବଗଲାନ ଅଞ୍ଚଳରେ ୩ ଟି ଜିଲ୍ଲାକୁ ଦଖଲ ନକରିପାରି ଫେରିଥିବା ତାଲିବାନୀମାନେ ପୁଣିଥିରେ ସେହି ଅଞ୍ଚଳକୁ ଦଖଲ କରିବାକୁ ପ୍ରୟାସ ଆରମ୍ଭ କରିଛନ୍ତି । ମାସୁଦଙ୍କୁ ସରେଣ୍ଡର ପାଇଁ ତାଲିବାନୀ ଚେତାବନୀ ଦେଇଛନ୍ତି ।

କିନ୍ତୁ ସେ ବାପାଙ୍କ ପଦ ଅନୁସରଣ କରିବେ ଏବଂ ତାଲିବାନଙ୍କ ନିକଟରେ ଆତ୍ମସମର୍ପଣ କରିବେ ନାହିଁ ବୋଲି କହିବା ସହ ନିହତ ତାଲିବାନ-ବିରୋଧୀ ସଂଗ୍ରାମୀଙ୍କ ପୁତ୍ର ତଥା ‘ନ୍ୟାସନାଲ୍ ରେଜିଷ୍ଟାନ୍ସ୍ ଫ୍ରଣ୍ଟ୍ ଅଫ୍ ଆଫଗାନିସ୍ତାନ’ର ନେତା ଅହମଦ୍ ମାସୁଦ୍ । ସେ ଫ୍ରାନ୍ସ୍ , ୟୁରୋପ୍, ଆମେରିକା ଏବଂ ଆରବ ଦେଶମାନଙ୍କୁ ଏ ସଂଗ୍ରାମରେ ତାଙ୍କୁ ସହଯୋଗ କରିବା ପାଇଁ ଅନୁରୋଧ କରିଛନ୍ତି।

ନିଅଣ୍ଟିଆ ବର୍ଷା ଏବଂ ଚାଷ କାର୍ଯ୍ୟରେ ପ୍ରଭାବକୁ ନେଇ ଗରୁତ୍ୱପୂର୍ଣ୍ଣ ବୈଠକ

ଭୁବନେଶ୍ୱର: ରାଜ୍ୟର ପ୍ରାୟ ସମସ୍ତ ଜିଲ୍ଲାରେ ନିଅଣ୍ଟିଆ ବର୍ଷା। ନିଅଣ୍ଟିଆ ବର୍ଷା ଯୋଗୁ ପ୍ରଭାବିତ ହୋଇଛି ଚାଷ କାର୍ଯ୍ୟ। ଏଥିପାଇଁ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ସମସ୍ତ ବିଭାଗ ଓ ଜିଲ୍ଲାପାଳମାନଙ୍କ ବୈଠକ ଡକାଇଛନ୍ତି। ବୈଠକରେ SRC ବି ଯୋଗ ଦେବେ। ସ୍ୱଳ୍ପ ବର୍ଷା ଯୋଗୁଁ ଯାଜପୁର, ଭଦ୍ରକ, କେନ୍ଦୁଝର ଓ ବଲାଙ୍ଗୀର ସର୍ବାଧିକ ପ୍ରଭାବିତ ହୋଇଛି। ସେହିପରି ଆହୁରି ୨୦ ଜିଲ୍ଲାରେ ମଧ୍ୟ ଉତ୍କଟ ମରୁଡ଼ି ପରିସ୍ଥିତି ଦେଖାଦେଲାଣି। ଅଗଷ୍ଟ ୩୧ ସୁଦ୍ଧା ପ୍ରତି ବ୍ଲକ ପାଇଁ ସ୍ୱତନ୍ତ୍ର କଣ୍ଟିଜେନ୍ସି ପ୍ଲାନ କରିବାକୁ OUATକୁ କୃଷି ବିଭାଗ ନିର୍ଦ୍ଦେଶ ଦେଇଛି। ପାଣି ଅଭାବ ଯୋଗୁ ବିଲକୁ କିପରି ବିକଳ୍ପ ଉପାୟରେ ପାଣି ମିଳି ପାରିବ, ସେ ଦିଗରେ ଆଲୋଚନା ହେବ।

ଲଗାତାର ଚତୁର୍ଥ ଥର ପାଇଁ ହଜାର ତଳେ ରହିଛି ସଂକ୍ରମଣ, ଚିହ୍ନଟ ହେଲେ ୭୬୧ ପଜିଟିଭ୍‌

ଭୁବନେଶ୍ୱର: ରାଜ୍ୟରେ ଲଗାତାର ଚତୁର୍ଥ ଥର ପାଇଁ ହଜାରେ ତଳେ ରହିଛି କରୋନା ସଂକ୍ରମଣ। ଧିରେ ଧିରେ ସଂକ୍ରମଣରେ ଆସୁଛି ସୁଧାର। ଗୋଟିଏ ଦିନରେ ଚିହ୍ନଟ ହୋଇଛନ୍ତି ମାତ୍ର ୭୬୧ ପଜିଟିଭ୍। କ୍ୱାରେରେଣ୍ଟାଇନ ସେଣ୍ଟରରୁ ୪୪୩ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ, ଲୋକାଲ କେସ୍ ରହିଛି ୩୧୮। ସେହିପରି ଜନ୍ମରୁ ୧୮ ବର୍ଷ ମଧ୍ୟରେ ଚିହ୍ନଟ ହୋଇଛନ୍ତି ୧୦୧ ଆକ୍ରାନ୍ତ। ଏହାସହ ଆଉ ୬୮ ଜଣଙ୍କ ଜୀବନ ନେଇଛି କିଲର ଭାଇରସ। ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୨୮୯ ଜଣ ଥିବା କେଳେ, କଟକରୁ ୧୧୭ ଓ ଷ୍ଟେଟ ପୁଲରୁ ୬୪ ଜଣ ଆକ୍ରାନ୍ତ ଅଛନ୍ତି।

ସେହିପରି ବାଲେଶ୍ୱରରୁ ୫୨ ଜଣ ଥିବା ବେଳେ, ଯାଜପୁରରୁ ୩୫, ମୟୂରଭଞ୍ଜରୁ ୨୪, ସମ୍ବଲପୁରରୁ ୨୦, ବରଗଡ଼ ଓ ଜଗତସିଂହପୁରରୁ ୧୮ ଜଣ ଲେଖାଏଁ, ଅନୁଗୁଳରୁ ୧୬, କେନ୍ଦ୍ରାପଡ଼ାରୁ ୧୫, ପୁରୀରୁ ୧୩, ଦେବଗଡ଼, ଢେଙ୍କାନାଳ ଓ ନୟାଗଡ଼ରୁ ୧୨ ଜଣ ଲେଖାଏଁ, ସୁନ୍ଦରଗଡ଼ରୁ ୧୦, ଭଦ୍ରକରୁ ୮ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। କେନ୍ଦୁଝର, ରାୟଗଡ଼ାରୁ ୫ ଜଣ ଲେଖାଏଁ, କନ୍ଧମାଳ, ଗଞ୍ଜାମରୁ ୩ ଜଣ ଲେଖାଏଁ, ଗଜପତି, ବଲାଙ୍ଗୀର, ମାଲକାନଗିରିରୁ ୨ ଜଣ ଲେଖାଏଁ, ବୌଦ୍ଧ, ଝାରସୁଗୁଡ଼ା, ନବରଙ୍ଗପୁର ଓ ସୋନପୁରରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତ ୨୪ ଘଣ୍ଟାରେ ରାଜ୍ୟରୁ ୧୦୭୮ ଜଣ ସୁସ୍ଥ ହୋଇଥିବା ବେଳେ, ମୋଟ ଆରୋଗ୍ୟ ହେଲେଣି ୯ ଲକ୍ଷ ୮୫ ହଜାରରୁ ଅଧିକ। ସେହିପରି ଆକ୍ଟିଭ୍ କେସ୍ ରହିଛି ୮ ହଜାର ୯୧୭।