GST ସଂଗ୍ରହରେ ଓଡ଼ିଶାର ଆଉ ଏକ ରେକର୍ଡ, ଗତବର୍ଷ ଅପେକ୍ଷା ୪୦% ଅଧିକ

1 min read
Odisha Collects Rs 3326 Crore GST Till September 2021

ଭୁବନେଶ୍ୱର: ଓଡ଼ିଶାର ଆଉ ଏକ ରେକର୍ଡ । କୋଭିଡ୍‌ ସ୍ଥିତି ସତ୍ତ୍ୱେ ଚଳିତ ଆର୍ଥିକବର୍ଷର ଦ୍ୱିତୀୟ ତ୍ରୟମାସିକ ଶେଷସୁଦ୍ଧା ୩ ହଜାର ୩୨୬ କୋଟି ଟଙ୍କା ଜିଏସ୍‌ଟି ସଂଗ୍ରହ ହୋଇଛି । ଯାହା ଗତବର୍ଷ ତୁଳନାରେ ୪୦ ପ୍ରତିଶତ ଅଧିକ । ସର୍ବଭାରତୀୟ ସ୍ତରରେ ଓଡ଼ିଶାର ରାଜସ୍ୱ ସଂଗ୍ରହ ୨୩ ପ୍ରତିଶତ ଅଭିବୃଦ୍ଧି ପାଇଛି । ବିଶେଷଜ୍ଞ କହିଛନ୍ତି, ଅନଲକ୍‌ ପରେ ବଜାର ଅବସ୍ଥା ସୁଧୁରିଛି। ଆଉ ଲକଡାଉନ୍‌ ସ୍ଥିତି ନଆସିଲେ, ଆଗକୁ ଲୋକଙ୍କ କ୍ରୟ ଶକ୍ତି ବଢ଼ିବ ଓ ଅଧିକ ରାଜସ୍ୱ ସଂଗ୍ରହ ହେବ ।

କୋଭିଡରେ ପ୍ରଭାବିତ ହୋଇଛି ଜୀବନଜୀବିକା । କିନ୍ତୁ ପ୍ରଭାବିତ ହୋଇନି ରାଜ୍ୟ ଅର୍ଥନୀତି । ଗତବର୍ଷ ଅପେକ୍ଷା ଚଳିତବର୍ଷ ଜିଏସଟି ସଂଗ୍ରହରେ ରେକର୍ଡ କରିଛି ଓଡ଼ିଶା । ୨୦୨୦ ସେପ୍ଟେମ୍ବର ଶେଷରେ ଜିଏସଟି ଆଦାୟ ପରିମାଣ ଥିଲା ୨ ହଜାର ୩୮୪ କୋଟି ଟଙ୍କା । ଏବର୍ଷ ସେପ୍ଟେମ୍ବର ଶେଷ ସୁଦ୍ଧା ଆଦାୟ ହୋଇଛି ୩ ହଜାର ୩୨୬ କୋଟି । ଯାହାକି ଗତବର୍ଷ ଅପେକ୍ଷା ୪୦ ପ୍ରତିଶତ ଅଧିକ । ସର୍ବଭାରତୀୟ ସ୍ତରରେ ଓଡ଼ିଶାର ରାଜସ୍ୱ ସଂଗ୍ରହ ୨୩ ପ୍ରତିଶତ ବଢ଼ିଛି । ଗତ ସେପ୍ଟେମ୍ବର ଶେଷସୁଦ୍ଧା ଦେଶରେ ୧ ଲକ୍ଷ ୧୭ ହଜାର ୧୦ କୋଟି ଟଙ୍କାର ଜିଏସଟି ସଂଗ୍ରହ ହୋଇଛି । ମହାମାରୀ ସତ୍ତ୍ୱେ ରାଜ୍ୟରେ ଖଣିଜ କାରବାର ଜାରି ଥିବାରୁ ରାଜସ୍ୱ ସଂଗ୍ରହ ବଢ଼ିଛି ।

Odisha Collects Rs 3326 Crore GST Till September 2021

୨୦୨୦-୨୧ ଆର୍ଥିକ ବର୍ଷର ପ୍ରଥମ ଓ ଦ୍ୱିତୀୟ ତ୍ରୟମାସିକରେ ଲକ୍‌ଡାଉନ୍‌ ଯୋଗୁ ଜିଏସ୍‌ଟି ସଂଗ୍ରହ କମିଥିଲା । କିନ୍ତୁ ଏବର୍ଷ ସରକାର ଜୀବନ ସହିତ ଜୀବିକାକୁ ଗୁରୁତ୍ୱ ଦେଇ ଆଂଶିକ ଲକ୍‌ଡାଉନ୍‌ କରିଥିଲେ । ଏବେ ସବୁ ଖୋଲିଲାଣି । ଯେଉଁଥି ପାଇଁ ୨୦୨୧-୨୨ ଆର୍ଥିକ ବର୍ଷର ଦୁଇଟିଯାକ ତ୍ରୟମାସିକରେ ଜିଏସଟି ସଂଗ୍ରହ ଯଥେଷ୍ଟ ବଢ଼ିଛି ।

ଏହାଛଡ଼ା ସରକାର ବିଭିନ୍ନ ପ୍ୟାକେଜ ଦେବା ଦ୍ୱାରା ବଜାରରେ ବଢ଼ିଛି ନଗଦ କାରବାର । ଏଭଳି ସ୍ଥିତି ରହିଲେ ଜିଏସଟି ସଂଗ୍ରହ ଆହୁରି ବଢ଼ିବ ବୋଲି ବଜାର ବିଶେଷଜ୍ଞ ମତ ଦେଇଛନ୍ତି । ଓଡ଼ିଶା ସମେତ ସିକ୍କିମ୍‌, ଝାଡଖଣ୍ଡ ଓ କେନ୍ଦ୍ରଶାସିତ ଅଞ୍ଚଳ ଲଦାଖରୁ କେନ୍ଦ୍ର ସରକାର ଉଲ୍ଲେଖନୀୟ ଜିଏସ୍‌ଟି ସଂଗ୍ରହ କରିଛନ୍ତି ।

Leave a Reply