ପିପିଲି ଉପନିର୍ବାଚନ; କାଲି ଆସିବ ଫଳାଫଳ

ଭୁବନେଶ୍ୱର: କିଏ ଜିତିବ ପିପିଲି ବାଜି ? ଇଭିଏମରେ ପ୍ରାର୍ଥୀଙ୍କ ଭାଗ୍ୟ ସିଲ୍ ହୋଇଥିବା ବେଳେ କାଲି ରେଜଲ୍ଟ ଆସିବ। ଏହି ନିର୍ବାଚନ ଫଳାଫଳ ପୂର୍ବରୁ ତିନି ପ୍ରମୁଖ ରାଜନୈତିକ ଦଳ ବିଜେଡି, ବିଜେପି ଓ କଂଗ୍ରେସ ଭବିଷ୍ୟବାଣୀ କରିଛନ୍ତି । ୨୦୧୪, ୨୦୧୯ ନିର୍ବାଚନ ଅପେକ୍ଷା ଏଥର ପିପିଲିରେ ରେକର୍ଡ ସଂଖ୍ୟକ ମତଦାନ ହୋଇଛି ।

 

ବିଜେଡି ସବୁ ରେକର୍ଡକୁ ଭାଙ୍ଗି ବଡ଼ ବ୍ୟବଧାନରେ ବିଜୟ ଲାଭ କରିବ ବୋଲି ଦମ୍ଭୋକ୍ତି ଦେଖାଇଛି ବିଜେଡି । ବିରୋଧୀ କଂଗ୍ରେସ କହିଛି ପିପିଲିରେ ବିଜେଡି ଏକ ନମ୍ବର, ବିଜେପି ଦ୍ବିତୀୟ ଓ କଂଗ୍ରେସ ତୃତୀୟ ସ୍ଥାନରେ ରହିବ । ସେପଟେ ବିଜେପି କହିଛି ପିପିଲିରେ ଭୋଟ ପ୍ରତିଶତ ବଢିବା ପରିବର୍ତ୍ତନର ସଂକେତ ଦେଉଛି । ପିପିଲି ଉପନିର୍ବାଚନରେ ୧୦ ଜଣ ପ୍ରାର୍ଥୀଙ୍କ ଭିତରେ ଲଢେଇ ହେଉଥିବାବେଳେ ନଜରରେ ରହିଛନ୍ତି ବିଜେଡି, ବିଜେପି ଓ କଂଗ୍ରେସ ପ୍ରାର୍ଥୀ ।

ଗତ ସେପ୍ଟେମ୍ବର ୩୦ ତାରିଖ ସକାଳ ୭ଟାରୁ ଭୋଟ ଗ୍ରହଣ ଆରମ୍ଭ ହୋଇ ସଂଧ୍ୟା ୬ଟା ଯାଏଁ ଚାଲିଥିଲା। ଏହାବ୍ୟତୀତ ୨୦୧ ସମ୍ବେଦନଶୀଳ ବୁଥ୍ ଉପରେ କଡ଼ା ନଜର ରଖାଯାଇଥିବା ବେଳେ ଦିବ୍ୟାଙ୍ଗ ଭୋଟରଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିଲା। ମାଇକ୍ରୋ ଅବଜର୍ଭର ଓ ସେଣ୍ଟ୍ରାଲ ଫୋର୍ସ ମୁତୟନ କରାଯାଇଥିଲା । ଉପନିର୍ବାଚନ ପାଇଁ ୨ହଜାର ୨୦୦ ପୋଲିଂ କର୍ମଚାରୀ ଥିବା ବେଳେ ୨ହଜାର ପୋଲିସ, ୩୨ଟି ମୋବାଇଲ ପାର୍ଟି ମଧ୍ୟ ନିୟୋଜିତ ହୋଇଥିଲେ ।

Leave a Reply