spot_img
Home Blog Page 4968

ତେଲ ଟ୍ୟାଙ୍କରରେ ଭୟଙ୍କର ବିସ୍ଫୋରଣ; ୯୦ରୁ ଅଧିକ ଜୀବନ୍ତ ଦଗ୍ଧ

ନୂଆଦିଲ୍ଲୀ: ଆଫ୍ରିକା ଦେଶ ସିରା ଲିଉନର ରାଜଧାନୀ  ଫ୍ରି ଟାଉନରେ ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି । ଯାହା ଫଳରେ ଏହି ଦୁର୍ଘଟଣାରେ ୯୦ରୁ ଅଧିକ ଲୋକ ମୃତ୍ୟୁ ବରଣ କରିଛନ୍ତି । ତେବେ ଏହି ଘଟଣାରେ ୧୦୦ରୁ ଅଧିକ ଲୋକ ଆହାତ ହୋଇଛନ୍ତି । ସହରର ବ୍ୟସ୍ତବହୁଳ ଅଞ୍ଚଳରେ ଛିଡା ହୋଇଥିବା ଏକ ତେଲ ଟ୍ୟାଙ୍କର ସହିତ ଅନ୍ୟ ଏକ ଗାଡି ମୁହାଁମୁହିଁ ଧକ୍କା ହେବାରୁ ଏଭଳି ଏକ ବଡ଼ ଦୁର୍ଘଟଣା ହୋଇଥିଲା । ତେବେ ଏହି ଦୁର୍ଘଟଣା ପରେ ସ୍ଥାନୀୟ ମିଡିଆରେ ପ୍ରସାରିତ ଫୁଟେଜରେ ବିସ୍ଫୋରଣ ସ୍ଥାନରେ କଳା ଧୂଆଁ ଓ ଲୋକଙ୍କ ଶବ ଦେଖାଯାଇଥିଲା । ଏହି ଦୁର୍ଘଟଣା ପରେ ଉଦ୍ଧାର କାର୍ଯ୍ୟ ପାଇଁ ପୋଲିସ ଓ ସ୍ଥାନୀୟ ପ୍ରଶାସନର ଅନେକ ଟିମ୍ ମୁତୟନ କରାଯାଇଛି ।

ତେବେ ଘଟଣା ପରେ ସିରା ଲିଉନ ରାଷ୍ଟ୍ରପତି ଜୁଲିୟସ୍ ମାଡା ବିୟୋ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ସେ ଟୁଇଟ କରି କହିଛନ୍ତି ଦୁର୍ଘଟଣାରେ ଏତେ ଜଣ ଲୋକେ ପ୍ରାଣ ହରାଇବା ତାଙ୍କୁ ମର୍ମାହତ କରିଛି । ଏନେଇ ସେ ଏକ ଟ୍ୱିଟ୍ କରି ମୃତାହତ ଲୋକଙ୍କ ପରିବାରକୁ  ସରକାରୀ ସହାୟତା  ଯୋଗାଇ ଦିଆଯିବ ବୋଲି କହିଛନ୍ତି।  ଫ୍ରି ଟାଉନ୍ ମେୟର ୟୋଭେନେ ଆକି-ସାୟେର୍ ଘଟଣାକୁ ମର୍ମନ୍ତୁଦ କହିବା ସହ ବର୍ତ୍ତମାନ ପର୍ଯ୍ୟନ୍ତ ମୃତ କିମ୍ବା ଆହାତଙ୍କ ସଂଖ୍ୟା ବିଷୟରେ ଆମେ ସୂଚନା ପାଇ ନାହୁଁ ବୋଲି ସେ କହିଛନ୍ତି । ଅନ୍ୟପଟେ ସେ ତାଙ୍କ ଫେସବୁକରେ ପୋଷ୍ଟ କରି ୧୦୦ ରୁ ଅଧିକ ଲୋକଙ୍କ ମୃତ ହୋଇଛି ବୋଲି ଆଶଙ୍କା କରିଛନ୍ତି । କିନ୍ତୁ ଏପର୍ଯ୍ୟନ୍ତ ଆନୁଷ୍ଠାନିକ ଭାବରେ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ । ଅନ୍ୟପକ୍ଷରେ ଦେଶର ଉପ ସ୍ବାସ୍ଥ୍ୟମନ୍ତ୍ରୀ ଅମାରା ଜମ୍ବାଇ କହିଛନ୍ତି ଯେ ରାଜଧାନୀର ଡାକ୍ତରଖାନା ଏବଂ କ୍ଲିନିକରେ ୧୦୦ରୁ ଅଧିକ ଲୋକ ଭର୍ତ୍ତି ହୋଇଛନ୍ତି ।

ସୂଚନା ଅନୁଯାୟୀ ଶୁକ୍ରବାର ରାତି ୧୦ଟା ସମୟରେ ଓ୍ବେଲିଙ୍ଗଟନ ଅଞ୍ଚଳରେ ଥିବା ବ୍ୟସ୍ତବହୁଳ ଚୋଇଥ୍ରାମ ସୁପର ମାର୍କେଟ ବାହାରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି । ଏକ ରିପୋର୍ଟରେ କୁହାଯାଇଛି କି ଏହି ବିସ୍ଫୋରଣରେ ଲୋକଙ୍କ ଭର୍ତ୍ତି ବସ୍ ପୂରା ଜଳିଯାଇଥିବା ବେଳେ ଇନ୍ଧନ ହେତୁ ନିକଟସ୍ଥ ମାର୍କେଟ ଓ ଦୋକାନ ରେ ନିଆଁ ଲାଗିଯାଇଥିଲା ।

ଓଡ଼ିଶା ଆସିବେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ: ପୋଲାଭରମ୍ ଓ କୋଟିଆ ବିବାଦ ନେଇ ନବୀନଙ୍କ ସହ ହୋଇପାରେ ଆଲୋଚନା

ଭୁବନେଶ୍ୱର: ଆସନ୍ତା ୯ ତାରିଖରେ ଓଡ଼ିଶା ଆସିବେ ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଜଗନମୋହନ ସାକ୍ଷାତ କରି ବିଭିନ୍ନ ପ୍ରସଂଗରେ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି । ଦୀର୍ଘଦିନ ଧରି ଆନ୍ଧ୍ର ଏବଂ ଓଡ଼ିଶା ମଧ୍ୟରେ ଲାଗି ରହିଥିବା କୋଟିଆ, ପୋଲାଭରମ ପରି ବିବାଦ ଉପରେ ଦୁଇ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଆଲୋଚନା ହୋଇ ସମାଧାନର ବାଟ ବାହାରିବ ବୋଲି ଚର୍ଚ୍ଚା ହେଉଛି । ଏନେଇ ରାଜନୈତିକ ପ୍ରତିକ୍ରିୟା ପ୍ରକାଶ ପାଇଛି ।

ସୁପ୍ରିମ୍‌କୋର୍ଟରେ ପୋଲାଭରମ ମାମଲା । କୋଟିଆରେ ସୀମା ବିବାଦ । କେତେବେଳେ କୋଟିଆରେ ଆନ୍ଧ୍ର ଜବରଦସ୍ତ ପଶି ନିର୍ବାଚନ କରୁଛି ତ କେତେବେଳେ ଲୋକଙ୍କୁ ନିଜ ଆଡ଼କୁ ନେବାକୁ ବିଭିନ୍ନ ଫନ୍ଦି ଫିକର କରୁଛି । ପ୍ରଶାସନିକ ଅଧିକାରୀ ଓ ନେତାନେତା ମୁହାଁମୁହିଁ ହେଉଛନ୍ତି । ବର୍ଷ ବର୍ଷ ଧରି ଆନ୍ଧ୍ର ଏବଂ ଓଡ଼ିଶା ମଧ୍ୟରେ ଏପରି ବିବାଦ ଲାଗି ରହିଛି । ଏହା ଭିତରେ ଆସନ୍ତା ୯ ତାରିଖରେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀ ଓଡ଼ିଶା ଆସି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବେ । ଉଭୟଙ୍କ ମଧ୍ୟରେ କି ଆଲୋଚନା ହେବ, ତାହା ଏଯାଏ ସ୍ପଷ୍ଟ ହୋଇ ନଥିଲେ ମଧ୍ୟ କୋଟିଆ ଓ ପୋଲାଭରମ ପ୍ରସଙ୍ଗରେ ଆଲୋଚନା ହୋଇ ସମାଧାନର ବାଟ ବାହାରିବ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି ।

ସେପଟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଜଗନମୋହନ ରେଡ୍ଡୀ ଦୁଇ ରାଜ୍ୟ ମଧ୍ୟରେ ବିବାଦର ଦୂର କରିବା ଉପରେ ଗୁରୁତ୍ବ ଦେବାକୁ କଂଗ୍ରେସ ଦାବି କରିଛି । ବିଜେପି କହିଛି, ଆନ୍ଧ୍ର ସହିତ ବିବାଦର ସମାଧାନ ପାଇଁ ଜଗନମୋହନଙ୍କୁ ଦାବିପତ୍ର ଦେବ । କୋରାପୁଟରୁ ଗଜପତି ଯାଏ ଆନ୍ଧ୍ର ସହିତ ଓଡ଼ିଶାର ସୀମା ବିବାଦ ଲାଗି ରହିଛି । ପୋଲାଭରମ ଲଢ଼େଇ ବି ଚାଲିଛି । ଏହା ଭିତରେ ଜଗନମୋହନ ରେଡ୍ଡୀଙ୍କ ଓଡ଼ିଶା ଗସ୍ତ ନେଇ ଆରମ୍ଭ ହୋଇଛି ନାନା ଚର୍ଚ୍ଚା  ।

ଏଥିସହିତ ପଢ଼ନ୍ତୁ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଲେ ଦିଲ୍ଲୀପ ରାୟ: କହିଲେ, ଆଗାମୀ ଦିନରେ ସ୍ପୋର୍ଟସ ହବ୍ ହେବ ଓଡ଼ିଶା

ଦିଲ୍ଲୀରେ ଓଡ଼ିଆ ଛାତ୍ରଙ୍କ ଡେଙ୍ଗୁରେ ପରଲୋକ: ମୃତଦେହକୁ ଓଡ଼ିଶା ପଠାଇଲା ଦିଲ୍ଲୀ ସ୍ଥିତ ଓଡ଼ିଆ ସଂଗଠନ

ନୂଆଦିଲ୍ଲୀ: ଦିଲ୍ଲୀରେ ଓଡ଼ିଆ ଛାତ୍ର କୁରୁକ୍ଷେତ୍ର ନାୟକ(୨୩)ଙ୍କ ଡେଙ୍ଗୁରେ ଦେହାନ୍ତ ହୋଇଛି । ପ୍ରାୟ ଚାରିଦିନ ଧରି କୁରୁକ୍ଷେତ୍ର ଜ୍ଜରରେ ପୀଡ଼ିତ ଥିଲେ ଏବଂ ଦିଲ୍ଲୀସ୍ଥିତ କର୍ଲା ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । କୁରୁକ୍ଷେତ୍ର କଳାହାଣ୍ଡି ଜିଳ୍ଲାର ନର୍ଲାସ୍ଥିତ କେରାଣ୍ଡିଖୁଣ୍ଟି ଗାଁର ବାସିନ୍ଦା । ତାଙ୍କ ବାପା ହେଉଛନ୍ତି ନୀଳମଣି ନାୟକ ଏବଂ ମା’ ନନ୍ଦିନୀ ନାୟକ । ପୁଅ କୁରୁକ୍ଷେତ୍ର ଉଚ୍ଚଶିକ୍ଷା ପାଇଁ ଦିଲ୍ଲୀରେ ରହୁଥିଲେ । କିଛି ଦିନ ପୂର୍ବେ କୁରୁକ୍ଷେତ୍ର ଶ୍ରୀନିବାସପୁର ବାଳିକା ଉଚ୍ଚ ବିଦ୍ୟାଳୟରେ ୟୁପିଏସ୍‌ସି ପରୀକ୍ଷା ଦେଇ ଆସିବା ପରେ ଡେଙ୍ଗୁ ଜ୍ଜରରେ ପୀଡ଼ିତ ଥିବା ଜଣାପଡ଼ିଥିଲା । କୁରୁକ୍ଷେତ୍ରଙ୍କ ମୃତ୍ୟୁଖବର ଜାଣିପାରିବା ପରେ ଦିଲ୍ଲୀ ପ୍ରବାସୀ ଓଡ଼ିଆ ସମାଜ ଏବଂ ଦିଲ୍ଲୀ ଓଡ଼ିଆ ଛାତ୍ର ସଂଗଠନ (ଦୋସା)ରେ ଶୋକର ଛାୟା ଖେଳିଯାଇଛି । ତାଙ୍କ ପରିବାରର ଆର୍ଥିକ ସ୍ଥିତି ସ୍ୱଚ୍ଛଳ ନଥିବାରୁ ତାଙ୍କ ମୃତଦେହକୁ କଳାହାଣ୍ଡି ପଠାଇବା ସହ ଅନ୍ୟାନ୍ୟ ଚିକିତ୍ସା ସହାୟତା ଯୋଗାଇ ଦେଇଥିଲା ଦିଲ୍ଲୀ ସ୍ଥିତ ଓଡ଼ିଆ ସଂଗଠନ ‘ମୋ ପରିବାର’ । ଏଥିସହିତ କୁରୁକ୍ଷେତ୍ରଙ୍କ ପରିବାର ଲୋକଙ୍କୁ ଅନ୍ୟ ଆବଶ୍ୟକୀୟ ସହାୟତ ଯୋଗାଇ ଦିଆଯିବ ବୋଲି କହିଛନ୍ତି ସଂଗଠନର ଗୋବର୍ଦ୍ଦନ ଧଳ ।

ଏଥିସହିତ ପଢ଼ନ୍ତୁ: ରାଜନୀତି ନ କରିବାକୁ ମମିତାଙ୍କ ବାପାଙ୍କ ଅନୁରୋଧ: କହିଲେ, ମୋ ଝିଅ ଚରିତ୍ର ଉପରେ ଆଙ୍ଗୁଳି ଉଠାନଯାଉ

 

ପରୀକ୍ଷା ପାଇଁ ସ୍ବାମୀଙ୍କ ମୃତଦେହକୁ ଦାନ କଲେ ସ୍ତ୍ରୀ; ପ୍ରଦର୍ଶନ କରି ଟଙ୍କା ଆଦାୟ କଲା ଲ୍ୟାବ

ଓ୍ବାସିଂଟନ: ଗତମାସରେ ଡାଉନ ଟାଉନ ପୋର୍ଟଲ୍ୟାଣ୍ଡ ହୋଟେଲ ଭିତରେ କୋଭିଡ-୧୯ରେ ଜୀବନ ହରାଇଥିବା ୯୮ ବର୍ଷ ବୟସ୍କ ବ୍ୟକ୍ତିଙ୍କ ମୃତ ଦେହ ପ୍ରଦର୍ଶିତ ହୋଇଥିଲା । ବୈଜ୍ଞାନିକ ପରୀକ୍ଷଣ ପାଇଁ ମୃତକଙ୍କ ପତ୍ନୀ ତାଙ୍କ ସ୍ବାମୀଙ୍କ ମୃତଦେହକୁ ଦାନ କରିଥିଲେ । କିନ୍ତୁ ଏହି ମର ଶରୀରକୁ ଦେୟ ଦେଇଥିବା ଦର୍ଶକଙ୍କ ସାମ୍ନାରେ ପରୀକ୍ଷ କରାଯାଇଥିଲା । ମୃତ ଡେଭିଡ ସାଉଣ୍ଡର୍ସ ତାଙ୍କ ୯୨ ବର୍ଷିଆ ପତ୍ନୀଙ୍କ ସହ ଲୈସିଆନାରେ ରହୁଥିଲେ । ପୋର୍ଟଲ୍ୟାଣ୍ଡ ମ୍ୟାରିଓଟ୍ ଡାଉନ୍ ଟାଉନ୍ ଓ୍ବାଟରଫ୍ରଣ୍ଟରେ ଥିବା ଏକ ମିଟିଂ ରୁମରେ ଡେଭିଡଙ୍କ ମୃତ ଦେହକୁ ୭୦ ଜଣଙ୍କ ସମ୍ମୁଖରେ ରଖାଯାଇଥିଲା । ଲୋକମାନେ ଏହି ମୃତଦେହକୁ ଦେଖିବା ପାଇଁ ୫୦୦ ଡଲାର ପର୍ଯ୍ୟନ୍ତ ଦେୟ ଦେଇଥିଲେ । ଏହା ଏକ ଭୟଙ୍କର ଦୃଶ୍ୟ ଥିଲା ଯେଉଁଠାରେ ଲୋକମାନେ ଶବ ବ୍ୟବେଚ୍ଛଦ ପାଇଁ ଟିକେଟ କିଣୁଥିଲେ । ମଲ୍ଟନୋମା କାଉଣ୍ଟିର ମୁଖ୍ୟ ମେଡିକୋଲୋଗାଲ୍ ମୃତ୍ୟୁ ଅନୁସନ୍ଧାନକାରୀ କିମ୍ବର୍ଲି ଡିଲିଓ କହିଛନ୍ତି ଯେ ସେ ଅକ୍ଟୋବର ୧୭ ପୂର୍ବରୁ ସାମ୍ଭବ୍ୟ ଘଟଣା ବିଷୟରେ ପୋର୍ଟଲାଣ୍ଡ ପୋଲିସ ବ୍ୟୁରୋ ଏବଂ ଓରେଗନ ମେଡିକାଲ ବୋର୍ଡକୁ ସୂଚନା ଦେଇଛନ୍ତି । ବର୍ତ୍ତମାନ କର୍ତ୍ତୁପକ୍ଷଙ୍କ ଦ୍ବାରା ଅନୁସନ୍ଧାନ କରାଯାଉଛି । ଡିଲିଓ କହିଛନ୍ତି ଯେ ସାଉଣ୍ଡର୍ସଙ୍କ ଶରୀରକୁ ଯେଉଁଭଳି ଭାବରେ ବ୍ୟବହାର କରାଯାଇଥିଲା ତାହା ଶବର ଅପବ୍ୟବହାର ବୋଲି ବିବେଚନା କରାଯାଇପାରେ । ଅନ୍ୟପଟେ ପୋର୍ଟଲାଣ୍ଡ ପୋଲିସ କହିଛି ଯେ ଶବ ବ୍ୟବଚ୍ଛେଦ ବେଳେ କୌଣସି ନିୟମ ଉଲ୍ଲଂଘନ କରାଯାଇନାହିଁ । ଏହା ନାଗରିକ ଆଇନ ଉଲ୍ଲଂଘନ ମାମଲା ହୋଇପାରେ ବୋଲି ସେ କହିଛନ୍ତି ।

ଦିଲୋ କହିଛନ୍ତି ଯେ ମୃତ୍ୟୁ ଅନୁସନ୍ଧାନକାରୀ ଭାବରେ କାର୍ଯ୍ୟ କରୁଥିବାବେଳେ ୨୦ ବର୍ଷ ମଧ୍ୟରେ ସେ ଏହା କେବେ ଦେଖି ନଥିଲେ । ଗଣମାଧ୍ୟମ ସହ କଥାବାର୍ତ୍ତା ସମୟରେ ସେ ଏହାକୁ ପରିବାର ପାଇଁ ବିପର୍ଯ୍ୟସ୍ତ ବୋଲି କହିଛନ୍ତି।  ସେମାନଙ୍କ ପ୍ରିୟଜନଙ୍କ ମୃତ୍ୟୁରେ ଶୋକ କରିବା ପାଇଁ, ସେମାନଙ୍କ ପ୍ରିୟଜନଙ୍କ ମୃତଦେହ ଭଙ୍ଗାରୁଜା କରିବା ଆବଶ୍ୟକ ଏବଂ ବର୍ତ୍ତମାନ ଏହା ତାଙ୍କର ଶେଷ ସ୍ମୃତି ପାଲଟିଛି | ଅନ୍ୟପକ୍ଷରେ ଏହି ଘଟଣା ସାମ୍ନାକୁ ଆସିବା ପରେ ସାଉଣ୍ଡର୍ସଙ୍କ ପତ୍ନୀ କହିଛନ୍ତି ଯେ ଯେତେବେଳେ ସେ ତାଙ୍କ ସ୍ୱାମୀଙ୍କ ଶରୀରକୁ ମେଡ ଏଡ୍ ଲ୍ୟାବ୍ସରେ ଦାନ କରିଥିଲେ, ସେତେବେଳେ ତାଙ୍କୁ କୁହାଯାଇଥିଲା ଯେ ଲାସ୍ ଭେଗାସ୍ ଭିତ୍ତିକ କମ୍ପାନୀ ତାଙ୍କ ଶରୀରକୁ ଅନୁସନ୍ଧାନ ପାଇଁ ବ୍ୟବହାର କରିବ। ଏବଂ ଶେଷ ରୀତିନୀତି ପାଇଁ ତାଙ୍କ ଅବଶିଷ୍ଟାଂଶ ସେମାନଙ୍କ ନିକଟକୁ ଫେରାଇ ଦେବ | ସେ ଜାଣି ନଥିଲେ ଯେ ଏକ ହୋଟେଲରେ ଦର୍ଶକଙ୍କ ସାମ୍ନାରେ ତାଙ୍କ ସ୍ୱାମୀଙ୍କ ଶରୀର ପରୀକ୍ଷା କରାଯିବ। ସାଉଣ୍ଡର୍ସଙ୍କ ପତ୍ନୀ ଏଲସି ସାଉଣ୍ଡର୍ସ ଆଡଭୋକେଟ୍ ଖବରକାଗଜକୁ କହିଛନ୍ତି ଯେ ଏହା ଭୟଙ୍କର ଏବଂ ଅନୈତିକ ଅଟେ ଏବଂ ମୋର ଏହା ବିଷୟରେ କହିବାକୁ  କୌଣସି ଶବ୍ଦ ନାହିଁ।

ଦୀପାବଳିରେ ପ୍ରଭୁ ଶ୍ରୀ ରାମ ଅଯୋଧ୍ୟାକୁ ଫେରିଥିଲେ, ତେବେ ଏହିଦିନ ଲକ୍ଷ୍ମୀ-ଗଣେଶ ପୂଜା କାହିଁକି ହୁଏ?  

ଭୁବନେଶ୍ୱର: ଗତ ୪ ନଭେମ୍ବରେ ସାରା ଦେଶ ପାଳିଛି ଆଲୋକର ପର୍ବ ଦୀପାବଳୀ। ସମସ୍ତେ ଜାଣନ୍ତି ଯେ ମର୍ଯ୍ୟାଦା ପୁରୁଷ ଶ୍ରୀ ରାମ ବିଜୟା ଦଶମୀରେ ଲଙ୍କା ବିଜୟ କରି ଦୀପାବଳିରେ ଅଯୋଧ୍ୟା ପହଞ୍ଚିଥିଲେ। ୧୪ ବର୍ଷ ବନବାସ ପରେ ପ୍ରଭୁ ଶ୍ରୀରାମ, ଲକ୍ଷ୍ମଣ ଓ ମାତା ସୀତା ଅଯୋଧ୍ୟାକୁ ଫେରିଥିବାରୁ ତାଙ୍କୁ ସ୍ୱାଗତ କରିବା ପାଇଁ ପ୍ରଜାଗଣ ସମ୍ପୂର୍ଣ୍ଣ ଅଯୋଧ୍ୟାକୁ ଦୀପରେ ସଜାଇଥିଲେ। ବାସ ସେହି ଦିନରୁ ଏହି ପରମ୍ପରା ଚାଲିଆସିଛି । କିନ୍ତୁ ଆପଣ ଲକ୍ଷ କରିଥିବେ ଯେ ଦୀପାବଳୀ ଦିନ ପ୍ରାୟ ଲୋକଙ୍କ ଘରେ ଲକ୍ଷ୍ମୀ ଓ ଗଣେଶଙ୍କୁ ପୂଜା ହୋଇଥିବ। ତେବେ ଏଇଠି ପ୍ରଶ୍ନ ଉଠେ ଯେ ଯଦି ଦୀପାବଳୀ ପ୍ରଭୁ ରାମଙ୍କ ପାଇଁ ପାଳନ ହୁଏ ତେବେ ଏହିଦିନ ଲକ୍ଷ୍ମୀ ଓ ଗଣେଷଙ୍କୁ କାହିଁକି ପୂଜା କରାଯାଏ । ଆସନ୍ତି ଏହି ବିଷୟରେ ଜାଣିବା ।

ତେବେ ଆମେ ପ୍ରଥମରୁ କହି ରଖୁଛୁ ଯେ , ଦୀପାବଳିରେ ଲକ୍ଷ୍ମୀ ପୂଜା ପଛରେ ଅନେକ କାହାଣୀ ରହିଛି । ତେଣୁ ସ୍ପଷ୍ଟ ଭାବେ ଏହା କହିବା ଅସମ୍ଭବ ଯେ ଏହିଦିନ କଣପାଇଁ ଗଣେଶ ଓ ଲକ୍ଷ୍ମୀଙ୍କୁ ପୂଜା କରାଯାଏ ।

ପ୍ରଥମତଃ ଦୀପାବଳିକୁ ହେଉଛି ଆଲୋକ, ଉତ୍ସାହ ଓ ସମୃଦ୍ଧିର ପର୍ବ । କୁହାଯାଏ ଯେ ସମୁଦ୍ର ମନ୍ଥନ ବେଳେ ଏହିଦିନ ମାତା ଲକ୍ଷ୍ମୀଙ୍କର ଆଭିର୍ଭାବ ହୋଇଥିଲା । ତେଣୁ ସମସ୍ତେ ଏହିଦିନ ମାତା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ପାଇଁ ଓ ତାଙ୍କର ଆଶୀଷ ଲାଭ ପାଇଁ ପୂଜାର୍ଚ୍ଚନା କରିଥାନ୍ତି ।  ହେଲେ ଏଠି ପ୍ରଶ୍ନ ଉଠେ ଯେ ଲକ୍ଷ୍ମୀଙ୍କ ସହ ଗଣେଶଙ୍କୁ କାହିଁକି ପୂଜା କରାଯାଏ ?

ଧାର୍ମିକ ମାନ୍ୟତାନୁସାରେ ଧନ ଦେବୀ ହେଉଛନ୍ତି ମା ଲକ୍ଷ୍ମୀ । ତାଙ୍କ କୃପାରୁ ବ୍ୟକ୍ତିଙ୍କୁ ଧନ ସମ୍ପତି ପ୍ରାପ୍ତ ହୋଇଥାଏ । ଲକ୍ଷ୍ମୀଙ୍କ ଅନ୍ୟ ଏକ ନାଁ ଚଞ୍ଚଳା, ଲକ୍ଷ୍ମୀଙ୍କୁ ଗୋଟିଏ ସ୍ଥାନରେ ରଖିବା ବେଶ୍ କଷ୍ଟ କର । ଯଦି ଲକ୍ଷ୍ମୀଙ୍କୁ ନିଜ ପାଖରେ ରଖିବାର ଅଛି ତେବେ ନିଜ ବୁଦ୍ଧି ଓ ବିବେକର ପ୍ରୟୋଗ କରିବାକୁ ପଡିଥାଏ ଯାହାକି ପ୍ରଭୁ ଶ୍ରୀ ଗଣେଶଙ୍କ ଆଶୀର୍ବାଦରୁ ଲାଭ ହୋଇଥାଏ । ତେଣୁ ଲକ୍ଷ୍ମୀଙ୍କ ସହ ଗଣେଶଙ୍କୁ ପୂଜା କରାଯାଇଥାଏ। ସେଥିପାଇଁ ଲକ୍ଷ୍ମୀଙ୍କ ସହିତ ଗଣେଶ ଭଗବାନଙ୍କ ପୂଜା କରାଯାଇଥାଏ ।

ଦୀପାବଳିରେ ଲକ୍ଷ୍ମୀ ଓ ଗଣେଶଙ୍କୁ ଏକାଠି ପୂଜା କରିବା ପଛରେ ଆଉ ଏକ ପୌରାଣିକ କଥା ମଧ୍ୟ ପ୍ରଚଳିତ।  ଥରେ ମା’ ଲକ୍ଷ୍ମୀଙ୍କୁ ନିଜ ଉପରେ ଅଭିମାନ ହେଲା ଯେ ଧନ ପ୍ରାପ୍ତି ପାଇଁ ସାରା ସଂସାର ତାଙ୍କ ପୂଜା କରୁଛି ଏବଂ ତାଙ୍କୁ ପାଇବା ପାଇଁ ଲୋଭ କରୁଛି। ମାତା ଲକ୍ଷ୍ମୀଙ୍କର ଏହି ଅଭିମାନକୁ ଭଗବାନ ବିଷ୍ଣୁ ଜାଣିପାରିଲେ ଏବଂ ତାଙ୍କ ଅହଂକାରକୁ ଦୂର କରିବା ପାଇଁ ମାତା ଲକ୍ଷ୍ମୀଙ୍କୁ କହିଲେ ଯେ, ହେ ଦେବୀ ସାରା ସଂସାର ଆପଣଙ୍କ ପୂଜା କରୁଛି ଏବଂ ଆପଣଙ୍କୁ ପାଇବାକୁ ବ୍ୟାକୁଳ ହେଉଛି ସତ କିନ୍ତୁ ଆପଣ ଏପର୍ଯ୍ୟନ୍ତ ଅପୂର୍ଣ୍ଣ ।

ଭଗବାନ ବିଷ୍ଣୁଙ୍କ ଏହି କଥା ଶୁଣି ତାଙ୍କୁ ତାଙ୍କର ଅପୂର୍ଣ୍ଣତା ବିଷୟରେ ଜାଣିବା ପାଇଁ ମା ଲକ୍ଷ୍ମୀ ପଚାରିଲେ, ସେତେବେଳେ ଭଗବାନ ବିଷ୍ଣୁ କହିଲେ କି, ଯେପର୍ଯ୍ୟନ୍ତ କୌଣସି ସ୍ତ୍ରୀ ମା ହୋଇନାହିଁ ସେପର୍ଯ୍ୟନ୍ତ ସେ ଅପୂର୍ଣ୍ଣ । ଆପଣ ନିସନ୍ତାନ ହେବା ଯୋଗୁ ଅପୂର୍ଣ୍ଣ । ଏହାପରେ ମାତା ଦୁଃଖିତ ହୋଇ ତାଙ୍କର ସମସ୍ତ ପୀଡା ସଖୀ ପାର୍ବତୀଙ୍କୁ ଜଣାଇଲେ। ଏହାପରେ ମା ଲକ୍ଷ୍ମୀଙ୍କ ଦୁଃଖ ଦୂର କରିବା ଉଦ୍ଦ୍ୟେଶରେ ପାର୍ବତୀ ତାଙ୍କ ପୁତ୍ର ଗଣେଶଙ୍କୁ ମା ଲକ୍ଷ୍ମୀଙ୍କୁ ଦେଇଥିଲେ । ଗଣେଶଙ୍କୁ ପୋଷ୍ୟପୁତ୍ର ରୂପେ ପାଇ ମାତା ଲକ୍ଷ୍ମୀ ଖୁସୀ ହୋଇ ସେ ଗଣେଶଙ୍କୁ ବରଦାନ ଦେଲେ କି, ଯେଉଁ ବ୍ୟକ୍ତି ମୋ ପୂଜା ସହିତ ତୁମର ବି ପୂଜା କରିବ ମୁଁ ସର୍ବଦା ତାଙ୍କ ସହିତ ରହିବି। ସେଥିପାଇଁ ମାତା ଲକ୍ଷ୍ମୀଙ୍କ ସହିତ ତାଙ୍କ ପୋଷ୍ୟପୁତ୍ର ଗଣେଶଙ୍କୁ ପୂଜା କରାଯାଏ।

 

 

ରାଜନୀତି ନ କରିବାକୁ ମମିତାଙ୍କ ବାପାଙ୍କ ଅନୁରୋଧ: କହିଲେ, ମୋ ଝିଅ ଚରିତ୍ର ଉପରେ ଆଙ୍ଗୁଳି ଉଠାନଯାଉ

ବଲାଙ୍ଗୀର: ସନସାଇନ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ହତ୍ୟା ମାମଲା । ଘଟଣାକୁ ନେଇ ବିରୋଧୀ ଓ କିଛି ଗଣମାଧ୍ୟମ ମାଇଲେଜ ନେବା ପାଇଁ ଘଟଣାକୁ ବିଭ୍ରାନ୍ତ କରୁଛନ୍ତି । ଏ ନେଇ ମମିତାଙ୍କ ବାପା ସୁଚନ୍ଦ୍ର ମେହେର ହାତ ଯୋଡି ନିବେଦନ କରିଛନ୍ତି ମୋ ଝିଅ ମମିତା ଗୋଟେ ବହୁତ ଭଲ ଝିଅ ଥିଲା । ତା ‘ ହତ୍ୟା ପରେ ଆମ ପରିବାର ଲୋକେ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଛୁ । ମୋ ଝିଅ ହତ୍ୟାକାଣ୍ଡର ତଦନ୍ତ ବିଷୟରେ ଜାଣିବା ପାଇଁ ପୋଲିସ ପାଖକୁ ଯାଇଥିଲି ।  ପୋଲିସ ତଦନ୍ତରେ ଆମେ ସମ୍ପୂର୍ଣ୍ଣ ସନ୍ତୁଷ୍ଟ ଅଛୁ । ମୋ ଝିଅ ହତ୍ୟାକାରୀ ଗୋବିନ୍ଦ ସାହୁ ସାଙ୍ଗରେ ସେ କେବେ ରାୟପୁର ଯାଇନଥିଲା ଓ ମୁଁ ସମସ୍ତଙ୍କୁ ନିବେଦନ କରୁଛି ମୋ ଝିଅର ଚରିତ୍ର ଉପରେ ଆଙ୍ଗୁଠି ଉଠାନଯାଉ ଏ ସବୁ ବନ୍ଦ କରାଯାଉ ।

ମୁଁ ରାଜନୈତିକ ଦଳ ଓ ମିଡିଆ ମାନଙ୍କୁ ନିବେଦନ କରୁଛି  ମୋ ଝିଅ ହତ୍ୟା ଘଟଣାରେ ରାଜନୀତି କରାନଯାଉ ଏ ସବୁ ବନ୍ଦ କରାଯାଉ । ମୋର ଓ ମୋ ପରିବାରର ସମ୍ପୂର୍ଣ୍ଣ ଭରସା ଅଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆମକୁ ନ୍ୟାୟ ଦେବେ ବୋଲି ମମିତାଙ୍କ ବାପା ସୁଚନ୍ଦ୍ର ମେହେର ହାତ ଯୋଡି ନିବେଦନ କରିଛନ୍ତି । ମମିତାଙ୍କ ବଡ଼ବାପା କୌଶିକ ମେହେର ମଧ୍ୟ ମିଡ଼ିଆକୁ ନିବେଦନ କରିଛନ୍ତି ମମିତାର ହତ୍ୟା ଘଟଣା ପରଠୁ ଆମେ ବହୁ ଦୁଃଖରେ ଅଛୁ । ପୋଲିସ ତାର ତଦନ୍ତ ଜାରି ରଖିଛି ଓ ଆମେ ପୋଲିସ ତଦନ୍ତରେ ସନ୍ତୁଷ୍ଟ ଅଛୁ ।  ମମିତାର ଚରିତ୍ର ଉପରେ ସଂହାର କରୁଛନ୍ତି ଓ ଆମ ପରିବାରରକୁ ବଦନାମ କରିବାକୁ ଚେଷ୍ଟା କରୁଛନ୍ତି ଯେଉଁ ମିଡିଆ ହେଉନା କାହିଁକି ସେ ଏ ସବୁ ବନ୍ଦ କରୁ । ଆମକୁ ନ୍ୟାୟ ଦରକାର ଓ ଦୋଷୀକୁ ଫାଶି ଦଣ୍ଡରେ ଦଣ୍ଡିତ କରିବା ଦରକାର ଏହା ମୁଁ ନିଦେଦନ କରୁଛି । ଏନେଇ ସମସ୍ତଙ୍କୁ ଅନୁରୋଧ କରୁଛି ଆମକୁ କାର୍ଯ୍ୟକ୍ରମ କରି ପିଡିତା ପରିବାରକୁ ଆଉ ଦୁଃଖୀ କରନ୍ତୁ ନାହିଁ ବୋଲି ମମିତାର ବଡବାପା କୌଶିକ ମେହେର ନିବେଦନ କରିଛନ୍ତି ।

କୂଟନୀତିଜ୍ଞଙ୍କ ଶବ ଜବତ, ରୁଷ ଗୁପ୍ତଚର ସଂସ୍ଥାର ଏଜେଣ୍ଟ ସନ୍ଦେହ

ବର୍ଲିନ: ଜର୍ମାନୀ ରାଜଧାନୀ ବର୍ଲିନରେ ଥିବା ରୁଷ ଦୂତାବାସ ସମ୍ମୁଖରୁ ଜଣେ କୂଟନୀତିଜ୍ଞଙ୍କ ଶବ ମିଳିବାକୁ ନେଇ ଚର୍ଚ୍ଚା ଜୋର ଧରିଛି । ରାସ୍ତାକଡ଼ରୁ ତାଙ୍କ ଶବ ଜବତ କରାଯାଇଛି । ମୃତକ ଜଣଙ୍କ ରୁଷ ଗୁପ୍ତଚର ସଂସ୍ଥାର ଏଜେଣ୍ଟ ଭାବେ କାମ କରୁଥିଲେ ବୋଲି ଜର୍ମାନୀ ଅଧିକାରୀ କହିଛନ୍ତି । ମୃତ୍ୟୁର କାରଣ ଏଯାଏଁ ସ୍ପଷ୍ଟ ହୋଇନି । ୩୫ ବର୍ଷୀୟ କୂଟନୀତିଜ୍ଞଙ୍କ ଶବ ୧୯ ଅକ୍ଟୋବର ସକାଳେ ମିଳିଥିଲା । ରୁଷ ଦୂତାବାସ ଉପରୁ ପଡ଼ି ତାଙ୍କ ମୃତ୍ୟୁ ଘଟିଥିବା ଅନୁମାନ କରାଯାଉଛି ।

ଡେର ସ୍ପାଇଗେଲ ଏବଂ ଅନୁସନ୍ଧାନକାରୀ ସଂସ୍ଥା ବେଲିଙ୍ଗକେଟ ରିପୋର୍ଟ ଅନୁସାରେ ୨୦୧୯ରେ ରୁଷ ଦୂତାବାସର ଦ୍ବିତୀୟ ସଚିବ ଭାବେ ମୃତ କୂଟନୀତିଜ୍ଞଙ୍କୁ ନିଯୁକ୍ତି ମିଳିଥିଲା । ଜର୍ମାନୀ ସୁରକ୍ଷା କର୍ମୀ ଭାବୁଛନ୍ତି ସେ ରୁଷର ଆନ୍ତରୀଣ ସୁରକ୍ଷା ଓ କାଉଣ୍ଟର ଇଣ୍ଟେଲିଜେନ୍ସି ସର୍ଭିସ୍ (ଏଫଏସବି)ର ଅଣ୍ଡର କଭର ଏଜେଣ୍ଟ ଥିଲେ ଏବଂ ଗୁପ୍ତଚରୀ ସଂସ୍ଥାରେ ବଡ଼ ପଦବୀରେ କାମ କରୁଥିଲେ ।

ରୁଷ ଦୂତାବାସ ପକ୍ଷରୁ ମୃତ ଅଧିକାରୀଙ୍କ ନାଁ ପ୍ରକାଶ କରାଯାଇନି । ହେଲେ ଏମିତି ଘଟଣା ଦୁଃଖଦାୟକ ବୋଲି କୁହାଯାଇଛି । ରିପୋର୍ଟ ମୁତାବକ ରୁଷ ଦୂତାବାସ ପକ୍ଷରୁ ମୃତକଙ୍କ ଶବ ବ୍ୟବଚ୍ଛେଦ କରିବାକୁ ମଧ୍ୟ ମନା କରାଯାଇଥିଲା । କୂଟେନୖତିକ ସୁରକ୍ଷା କଥା କହି ଜର୍ମାନୀ ଅଧିକାରୀଙ୍କୁ ମାମଲାର ତଦନ୍ତ ନକରିବାକୁ କହିଥିଲା । ଜର୍ମାନୀ ବିଦେଶ ମନ୍ତ୍ରାଳୟ, ଅଧିକାରୀଙ୍କ ମୃତ୍ୟୁକୁ ସ୍ପଷ୍ଟ କରିଥିଲେ ବି ବିଶେଷ କିଛି ସୂଚନା ଦେଇନାହିଁ ।

ଏକ ବିବୃତ୍ତିରେ ରୁଷ ଦୂତାବାସ ତରଫରୁ କୁହାଯାଇଛି, ୨୦୨୧ ଅକ୍ଟୋବର ୧୯ ତାରିଖରେ ଏକ ଦୁଃଖଦ ଘଟଣା ଘଟିଛି । କୂଟନୀତିଜ୍ଞଙ୍କ ମୃତ୍ୟୁକୁ ନେଇ ଯେଉଁ ମିଡ଼ିଆ ରିପୋର୍ଟ ପ୍ରକାଶ ପାଉଛି ସେଥିରେ କୌଣସି ସତ୍ୟତା ନାହିଁ ।

ପ୍ରତ୍ୟେକ ଭାରତୀୟ ଶେୟାର ବଜାରରେ ନିବେଶ କରନ୍ତୁ: ରାକେଶ ଝୁନଝୁନଓ୍ବାଲା

ନୂଆଦିଲ୍ଲୀ: ପୁଞ୍ଜି ବିନିଯୋଗ ଏକ ବୃତ୍ତିଗତ କାର୍ଯ୍ୟ ଏମିତି କହିଛନ୍ତି ଶେୟାର ବଜାରର ଭେଟରାନ ରାକେଶ ଝୁନଝୁନଓ୍ବାଲା । ବଲିଉଡ ଅଭିନେତ୍ରୀ ଶ୍ରଦ୍ଧା କାପୁରଙ୍କ ସହ କଥା ହେବା ସମୟରେ ଏମିତି କିଛି କହିଥିଲେ ରାକେଶ ଝୁନଝନଓ୍ବାଲା । ସେ କହିଛନ୍ତି କି ଯଦି ସେ ଶେୟାର ମାର୍କେଟରେ ନିବେଶ କରିବାକୁ ଚାହାନ୍ତି ତେବେ ସେ ଏକ ସାଂଗଠନିକ ଭାବରେ କରନ୍ତି । ଶ୍ରଦ୍ଧା କାପୁରଙ୍କ ସହ କଥା ହେବା ବେଳେ ରାକେଶ କହିଥିଲେ କି ନବ ବର୍ଷ ତାଙ୍କ ପାଇଁ ସୁଖ ଓ ସନ୍ତୁଷ୍ଟ ଆଣିବ । ଶେୟାର ମାର୍କେଟର ଏହି ବିଗ୍ ବୁଲ କହିଛନ୍ତି କି ସମ୍ପତ୍ତି ଓ ସଫଳତା ଅସ୍ଥାୟୀ । କିନ୍ତୁ ଏହା ଲୋକମାନଙ୍କ ମନୋବଳ ବଢ଼ାଇଥାଏ । ମୋର ସ୍ବପ୍ନ ଥିଲା ମୁଁ ବଡ଼ ଇକ୍ୟୁଟି ନିବେଶକ ହେବି ବୋଲି ଯାହା ଏବେ ସତ ହେବାକୁ ଯାଉଛି ବୋଲି କହିଥିଲେ ରାକେଶ ।

ସେ ଆହୁରି କହିଥିଲେ କି ଲୋକମାନେ ନିଜର ପରାଜୟ ଗ୍ରହଣ କରିବାକୁ ସାହାସ ରଖିବା ଉଚିତ୍ । ସେ କହିଛନ୍ତି କି ପୁଞ୍ଜି ବିନିଯୋଗ କ୍ଷେତ୍ରରେ ଯଦି ଆପଣ ସଠିକ୍ ଦିଗରେ ପଦକ୍ଷପ ନିଅନ୍ତି ତେବେ ବି କ୍ଷତି ହୁଏ । ତେବେ କ୍ଷତି ହେଲେ ନିରାଶ ହେବାର ଆବଶ୍ୟକତା ନାହିଁ । ତୁମେ ନିଶ୍ବତ ହେବା କଥା ଯେ ଆପଣ ସଠିକ୍ ଦିଗରେ ଏକ ପଦକ୍ଷେପ ଗ୍ରହଣ କରିଛନ୍ତି । ରାକେଶଙ୍କ କଥା ହେବା ସମୟରେ ଶ୍ରଦ୍ଧା କାପୁର କହିଥିଲେ କି ଟଙ୍କାର କେବେ ବେପାରୁଆ ଭାବରେ ବ୍ୟବହାର କରିବା ଉଚିତ ନୁହେଁ । ତେବେ ଏହାର ଜବାବରେ ରାକେଶ କହିଥିଲେ କି ଯଦି ଆପଣ ଟଙ୍କାର ମହତ୍ତ୍ବ ବୁଝନ୍ତି ତାହାଲେ ଆପଣ ପ୍ରକୃତ ଅର୍ଥରେ ସ୍ବାଧିନତା ପାଇପାରିବେ ।

ରାକେଶ ଝୁନଝନଓ୍ବାଲା କହିଛନ୍ତି କି ଭାରତ ଏକ ବିକାଶଶୀଳ ଦେଶ ଏବଂ ଏହାର ଜିଡିପି ଅଭିବୃଦ୍ଧି ଆଗାମୀ କିଛି ବର୍ଷ ମଧ୍ୟରେ ଭାରତର ଜିଡିପି ଅଧିକ ବେଗରେ ଜାରି ରହିବ । ତେବେ ଭାରତର ଜିଡିପିର ଗ୍ରୋଥ ସହିତ ଏହାର ଫାଇଦା ପ୍ରତ୍ୟେକ ଭାରତୀୟ ଉଠାଇବା କଥା । ଏହାର ଫାଇଦା ଉଠାଇବା ପାଇଁ  ପ୍ରତ୍ୟେକ ଭାରତୀୟ ଶେୟାର ବଜାରରେ ନିବେଶ କରିବା ଦରକାର ବୋଲି କହିଥିଲେ ରାକେଶ ଝୁନଝୁନଓ୍ବାଲା । ଯଦି ଆପଣ ଠିକ୍ ଭାବରେ ଗବେଷଣା କରି ଶେୟାର ବଜାରରେ ନିବେଶ କଲେ ଆପଣ ଆଗାମୀ ୧୦-୧୫ ବର୍ଷ ମଧ୍ୟରେ କୋଟିପତି ହୋଇପାରିବେ ବୋଲି କହିଛନ୍ତି ଶେୟାର ବଜାରର ବିଗ୍ ବୁଲ୍ ରାକେଶ ଝୁନଝୁନଓ୍ବାଲା । ସେ ଆହୁରି କହିଛନ୍ତି କି କିଛି ଶେୟାରକୁ କିଣି ଏହାକୁ ଭୁଲି ଯିବା ଏକ ବୃତ୍ତିଗତ ପଦକ୍ଷେପ ନୁହେଁ । ଯଦି କିଛି କମ୍ପାନୀର କାରବାରର ବଦଳି ଥାଏ ତେବେ ସେହି ହିସାବରେ ସେହି କମ୍ପାନୀର ଶେୟାର ମଧ୍ୟ ବଦଳିଥାଏ । ତେଣୁ ଶେୟାର କିଣି ତାହା ଉପରେ ଗବେଷଣା ମଧ୍ୟ ଜରୁରୀ । ଯଦି ଆପଣ ଆଗାମୀ ୫-୭ ବର୍ଷ ପାଇଁ ଶେୟାର ବଜାରରେ ଟଙ୍କା ଲଗାଇବାକୁ  ଚାହୁଁଛନ୍ତି ତେବେ ଆପଣଙ୍କୁ ୧୫ରୁ ୨୦ ପ୍ରତିଶତ ରିଟର୍ଣ୍ଣ ମିଳିପାରେ ବୋଲି କହିଛନ୍ତି ରାକେଶ ଝୁନଝୁନଓ୍ବାଲା ।

କଂଗ୍ରେସ ଛାଡ଼ିଲେ ଲାଞ୍ଜିଗଡ଼ ପୂର୍ବତନ ବିଧାୟକ ଶିବାଜୀ ମାଝୀ

କଳାହାଣ୍ଡି: ହାତ ଛାଡ଼ିଲେ ଲାଞ୍ଜିଗଡ଼ ପୂର୍ବତନ ବିଧାୟକ ଶିବାଜୀ ମାଝୀ । ୨୦୦୭ରେ କଂଗ୍ରେସରେ ଯୋଗ ଦେଇଥିଲେ । ୨୦୦୯ରୁ ୨୦୧୪ ପର୍ଯ୍ୟନ୍ତ କଂଗ୍ରେସର ବିଧାୟକ ଥିଲେ । ଦଳର ଅଣଦେଖା ଯୋଗୁଁ ଇସ୍ତଫା ଦେଲେ ଶିବାଜୀ ମାଝୀ । ପିସିସି ସଭାପତିଙ୍କୁ ଇସ୍ତଫା ପତ୍ର ପଠାଇଲେ ଶିବାଜୀ । କଂଗ୍ରେସରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ ଶିବାଜୀ ମାଝୀ ।

ସୂଚନା ଯୋଗ୍ୟ ଯେ, ପୂର୍ବରୁ କଂଗ୍ରେସ ନେତା ତଥା ପୂର୍ବତନ ସାଂସଦ ପ୍ରଦୀପ ମାଝି ମଧ୍ୟ କଂଗ୍ରେସରୁ ଇସ୍ତଫା ଦେଇଥିବା ବେଳେ ଆଜି ବିଜୁ ଜନତା ଦଳରେ ଯୋଗଦେଇଛନ୍ତି ।  ଏକ ବିରାଟ ରାଲିରେ ସମର୍ଥକଙ୍କ ସହ ଆସିବା ସହ ବିଜେଡିରେ ମିଶିଛନ୍ତି ପ୍ରଦୀପ ମାଝୀ । ନବରଙ୍ଗପୁର ଚାଉଁରିଆଗୁଡ଼ାରେ ଆୟୋଜିତ ସ୍ୱତନ୍ତ୍ର ମିଶ୍ରଣ ପର୍ବରେ ଶଙ୍ଖ ଧରିଛନ୍ତି ପ୍ରଦୀପ । ୧୦ ହଜାର ସମର୍ଥକଙ୍କୁ ଧରି ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଉପସ୍ଥିତିରେ ବିଜେଡିରେ ପ୍ରଦୀପ ମାଝି ମିଶିଛନ୍ତି । ଗତ ୨୨ ତାରିଖରେ ପ୍ରଦୀପ କଂଗ୍ରେସ ନେତୃତ୍ୱ ପ୍ରତି ଅଙ୍ଗୁଳି ଉଠାଇ ଦଳରୁ ଇସ୍ତଫା ଦେଇଥିଲେ । କଂଗ୍ରେସ ହାଇକମାଣ୍ଡ, ପ୍ରଭାରୀ ଓ ପିସିସି ସଭାପତିଙ୍କୁ ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଉଥିବା ଉଲ୍ଲେଖ କରି ପତ୍ର ପଠାଇଥିଲେ । ଦଳରେ ଲୋକ ସେବାର ସୁଯୋଗ ନଥିବାରୁ ଦୁଃଖରେ ଦଳ ଛାଡ଼ୁଥିବା ଲେଖିଥିଲେ ପ୍ରଦୀପ ।

ଏଥିସହିତ ପଢ଼ନ୍ତୁ: ୧୦ ହଜାର ସମର୍ଥକଙ୍କ ସହ ବିଜେଡିରେ ମିଶିଲେ ପୂର୍ବତନ କଂଗ୍ରେସ ସାଂସଦ ପ୍ରଦୀପ ମାଝୀ

ପାଣି ଟାଙ୍କି ଭିତରେ ଚାଲିଗଲା ୫ ଶ୍ରମିକଙ୍କ ଜୀବନ

0

ଗୁଜୁରାଟ : ଗୁଜୁରାଟର ଗାନ୍ଧୀନଗରଠାରେ ଏକ ଅଭାବନୀୟ ଘଟଣା ଘଟିଛି  । ଗାଁରେ ଟାଙ୍କି ସଫା କରୁଥିବା ସମୟରେ ପାଞ୍ଚ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି  । ଟାଙ୍କି ପାଣି ଅସନା ହୋଇଯାଇଥିବାରୁ ଗ୍ରାମର ୫ ଜଣ ଶ୍ରମିକ ଏହାକୁ ସଫା କରିବା ପାଇଁ ଟାଙ୍କି ଭିତରକୁ ପଶିଥିଲେ । ଟାଙ୍କି ସଫା କରିବା ପରେ ୫ ଜଣଙ୍କର ମୃତ୍ୟୁ ହୋଇଯାଇଥିଲା  । ଏହି ଅସନା ପାଣି କୈାଣସି ଏକ କମ୍ପାନୀର ବୋଲି କୁହାଯାଉଛି ।

ଏହି ଘଟଣାଟି ଗାନ୍ଧୀନଗର ଜିଲ୍ଲା କଲୋଳର ଖଟରାଜ ଗାଁର ବୋଲି ଜଣାପଡ଼ିଛି  । ଖବର ପାଇ ସ୍ଥାନୀୟ ପୋଲିସ ଗାଁରେ ପହଁଞ୍ଚି ୫ ଜଣ ଯୁବକଙ୍କ ଶବକୁ ଉଦ୍ଧାର କରିବା ସହ ମାମଲାର ତଦନ୍ତ ଆରମ୍ଭ କରିଛି  । ଏହି ୫ ଜଣ ଯୁବକଙ୍କ ମୃତ୍ୟୁ ଅସନା ପାଣି ପାଇଁ ନୁହେଁ ବରଂ ଟାଙ୍କି ଭିତରେ ଅଣନିଶ୍ୱାସି ହେବା ଯୋଗୁଁ ହୋଇଛି ବୋଲି କୁହାଯାଉଛି  । ତେବେ ଘଟଣାର ଖୁବ୍ ଶୀଘ୍ର ଯାଞ୍ଚ କରାଯିବା ସହ ମୃତ୍ୟୁର ସଠିକ୍ କାରଣ ଏଯାଏ ମିଳିପାରିନାହିଁ ବୋଲି ପୋଲିସ ସ୍ପଷ୍ଟ କରିଛି  ।