ଓମିକ୍ରନ୍ ଆତଙ୍କ: ଆନ୍ଧ୍ର ଓ ଚଣ୍ଡିଗଡରେ ଚିହ୍ନଟ ହେଲା ଓମିକ୍ରନ୍

1 min read

ହାଇଦ୍ରାବାଦ: ଦକ୍ଷିଣ ଆଫ୍ରିକାରେ ନଭେମ୍ବର ୨୪ରେ ଚିହ୍ନଟ ହୋଇଥିବା ଓମିକ୍ରନର ନୂଆ ଭାରିଆଣ୍ଟ ସାରା ବିଶ୍ୱରେ ଆତଙ୍କ ଖେଳାଇଛି । ଭାରତରେ ମଧ୍ୟ କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ୍ ଦିନକୁ ଦିନ ବଢ଼ିବାରେ ଲାଗିଛି । ରବିବାର ଆନ୍ଧ୍ରପ୍ରଦେଶ ଓ ଚଣ୍ଡିଗଡରେ ଗୋଟିଏ ଲେଖାଏଁ ଓମିକ୍ରନ ମାମଲା ସାମ୍ନାକୁ ଆସିଛି । ଏହି ଦୁଇଟି ମାମଲା ସହ ଭାରତରେ ଏପର୍ଯ୍ୟନ୍ତ ମୋଟ ୩୫ଟି ଓମିକ୍ରନ ମାମଲା ସାମ୍ନାକୁ ଆସିଛି ।

ସୂଚନା ଅନୁସାରେ ଚଣ୍ଡିଗଡରେ ୨୦ ବର୍ଷିୟ ଜଣେ ଯୁବକ ଓମିକ୍ରନ୍ ଭାରିଆଣ୍ଟରେ ଆକ୍ରାନ୍ତ ହୋଇଛନ୍ତି । ଚଣ୍ଡିଗଡରେ ଚିହ୍ନଟ ହୋଇଥିବା ବ୍ୟକ୍ତି ଜଣଙ୍କ ୨୨ ନଭେମ୍ବରରେ ଇଟାଲୀରୁ ଫେରିଥିଲେ । ଇଟାଲୀରୁ ଫେରିବା ପରେ ସେ ହୋମ କ୍ୱାରେଣ୍ଟାଇନରେ ଥିଲେ । ତାଙ୍କର କରୋନା ରିପୋର୍ଟ ୧ ଡିସେମ୍ବରରେ ପଜିଟିଭ୍ ଆସିଥିଲା । ଯାହା ଫଳରେ ତାଙ୍କ ସାମ୍ପ୍ୟୁଲ ଜିନୋମ ସିକ୍ବେନ୍ସିଂ ପାଇଁ ପଠାଯାଇଥିଲା । ତେବେ ଏହି ଯୁବକ ଓମିକ୍ରନରେ ଆକ୍ରାନ୍ତ ହୋଇଥିବା ଶନିବାର ସ୍ପଷ୍ଟ ହୋଇଛି ।

ସେହିପରି ଭାବରେ ଆନ୍ଧ୍ରପ୍ରଦେଶରେ ମଧ୍ୟ ଚିହ୍ନଟ ହୋଇଛି ଓମିକ୍ରନର ପ୍ରଥମ ମାମଲା । ୩୪ ବର୍ଷିୟ ଏହି ବ୍ୟକ୍ତି ଆର୍ୟଲାଣ୍ଡରୁ ପ୍ରଥମେ ମୁମ୍ବାଇ ଏୟାରପୋର୍ଟ ଫେରିଥିଲେ ଏବଂ ଏହା ପରେ ୨୭ ନଭେମ୍ବରରେ ବିଶାଖାପାଟନମ ଫେରିଥିଲେ । ବିଶାଖାପାଟନମରେ ଟେଷ୍ଟ କରିବା ପରେ ପଜିଟିଭ୍ ଚିହ୍ନଟ ହୋଇଥିଲେ ସେ । କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ତାଙ୍କ ସାମ୍ପ୍ୟୁଲ ଜିନୋମ ସିକ୍ବେନ୍ସିଂ ପାଇଁ ପଠାଯାଇଥିଲା । ଜିନୋମ ସିକ୍ବେନ୍ସିଂରେ ତାଙ୍କ ରିପୋର୍ଟ ପଜିଟିଭ୍ ଆସିଥିଲା ।

ଭାରତରେ ପ୍ରଥମ ଥର ପାଇଁ ୨ ଡିସେମ୍ବରରେ ଓମିକ୍ରନର ପ୍ରଥମ କେସ୍ ଚିହ୍ନଟ ହୋଇଥିଲା । ୧୦ ଦିନ ମଧ୍ୟରେ ଭାରତରେ ୬ ରାଜ୍ୟ ଓ ଏକ କେନ୍ଦ୍ର ଶାସିତ ଅଞ୍ଚଳ ପର୍ଯ୍ୟନ୍ତ ଓମିକ୍ରନ ମାଡି ଯାଇଛି । ଏପର୍ଯ୍ୟନ୍ତ ଓମିକ୍ରନର ସବୁଠାରୁ ଅଧିକ କେସ୍ ମହାରାଷ୍ଟ୍ରରେ ଚିହ୍ନଟ ହୋଇଛନ୍ତି । ମହାରାଷ୍ଟ୍ରରେ ୧୭ଟି ଓମିକ୍ରନ ଚିହ୍ନଟ ହୋଇଥିବାବେଳେ ରାଜସ୍ଥାନରେ ୯ଟି, ଗୁଜୁରାଟରେ ୩ଟି, କର୍ଣ୍ଣାଟକ ଓ ଦିଲ୍ଲୀରେ ୨ଟି ଏବଂ ଆନ୍ଧ୍ର ପ୍ରଦେଶ ଓ ଚଣ୍ଡିଗଡରେ ଗୋଟିଏ ଲେଖାଏଁ ଓମିକ୍ରନ ମାମଲା ଚିହ୍ନଟ ହୋଇଛି ।

Leave a Reply