spot_img
Home Blog Page 4925

‘ସ୍କୁଲକୁ ଫେରିବା’ ପୁସ୍ତକ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ‘ମୋ ସ୍କୁଲ ଅଭିଯାନ’କୁ ପୂରିଲା ୪ ବର୍ଷ । ୪ ବର୍ଷ ମଧ୍ୟରେ ସଫଳତାର ସହ ଆଗକୁ ବଢ଼ିଛି ଅଭିଯାନ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ‘କଫି ଟେବୁଲ୍ ବୁକ’ ଓ ଏକ ସ୍ବତନ୍ତ୍ର ବୁକଲେଟ୍ ‘ସ୍କୁଲକୁ ଫେରିବା’ ଉନ୍ମୋଚନ କରିଛନ୍ତି ।

ବହୁ ପୂର୍ବତନ ଛାତ୍ରଛାତ୍ରୀଙ୍କ ସଫଳ କାହାଣୀ ରହିଛି ଏଥିରେ । ଯାହକୁ ପଢ଼ି ଛାତ୍ରଛାତ୍ରୀ ଆଗକୁ ବଢ଼ିବାକୁ ଉତ୍ସାହିତ ହେବ । ଉନ୍ମୋଚନ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ସହ ବିଭାଗୀୟ ଅଧିକାରୀ ଓ ମାନ୍ୟଗନ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ ।

୨୦୧୭ ନଭେମ୍ବର ୧୪ ତାରିଖରେ ମୁଖ୍ୟମନ୍ତ୍ରୀ ଆରମ୍ଭ କରିଥିଲେ ମୋ ସ୍କୁଲ ଅଭିଯାନ । ଗତକାଲି ଶିଶୁଦିବସରେ ଏହି ଅଭିଯାନକୁ ୪ ବର୍ଷ ପୂରଣ ହୋଇଛି ।

ଝାରସୁଗୁଡ଼ାରେ ଆରମ୍ଭ ହେଲା BSKYର ସ୍ମାର୍ଟ ସ୍ୱାସ୍ଥ୍ୟସେବା, ଉପକୃତ ହେବେ ୧ ଲକ୍ଷ ୧୫ ହଜାର ହିତାଧିକାରୀ

ଝାରସୁଗୁଡ଼ା: ଝାରସୁଗୁଡ଼ାରେ ସ୍ମାର୍ଟ ହେଲ୍ଥ କାର୍ଡର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଓଡ଼ିଶାରେ ସ୍ୱାସ୍ଥ୍ୟସେବାର ‘ସ୍ମାର୍ଟ’ ଯୁଗର ମହାବିପ୍ଲବ ଝାରସୁଗୁଡାରେ ମଧ୍ୟ ଆରମ୍ଭ ହୋଇଛି। ଝାରସୁଗୁଡ଼ାରେ BSKYର ସ୍ମାର୍ଟ କାର୍ଡକୁ ନିଜ ହାତରେ ବଣ୍ଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସୂଚନାଯୋଗ୍ୟ ୟେ, ସ୍ମାର୍ଟ ସ୍ୱାସ୍ଥ୍ୟ କାର୍ଡ଼ ଦେବାରେ ଦେଶରେ ପ୍ରଥମ ରାଜ୍ୟ ହେଉଛି ଓଡ଼ିଶା। ଖାଲି କାର୍ଡ ବଣ୍ଟା ଯାଇନାହିଁ, ସ୍ମାର୍ଟ କାର୍ଡ ବାଣ୍ଟନ ସହ ଝାରସୁଗୁଡ଼ାରେ ବିଭିନ୍ନ ପ୍ରକଳ୍ପର ଉଦଘାଟନ କରିବା ସହ ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ।

ନିଜ ଉଦବୋଧନରେ ନବୀନ କହିଛନ୍ତି, ଝାରସୁଗୁଡ଼ା କଥା ମନକୁ ଆସିଲେ ବୀର ସୁରେନ୍ଦ୍ର ସାଏଙ୍କ କଥା ମନକୁ ଆସେ। ତାଙ୍କର ସାହସ ସଂଗ୍ରାମ ଓ ଦେଶପ୍ରେମର କାହାଣୀ ଆମକୁ ସବୁବେଳେ ପ୍ରେରଣା ଦେଉଥିବ। ତାଙ୍କ ସ୍ମୃତିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ। ସେ ଆହୁରି ମଧ୍ୟ କହିଛନ୍ତି, ବିକାଶର ଧାରାରେ ଝାରସୁଗୁଡ଼ା ଆଗକୁ ବଢ଼ିଚାଲିଛି। ଶିଳ୍ପ କ୍ଷେତ୍ରରେ ନୂଆ ପରିଚୟ ଆଣିଛି ଝାରସୁଗୁଡ଼ା।

ଆଜି ଝାରସୁଗୁଡ଼ାରେ ୧୪୬ କୋଟିର ପ୍ରକଳ୍ପ ଉଦଘାଟନ ହେବା ସହ୧୫୩ କୋଟିର ପ୍ରକଳ୍ପକୁ ଶିଳାନ୍ୟାସ କରାଯାଇଛି। ସେପଟେ ଝାରସୁଗୁଡ଼ା ଓ ବ୍ରଜରାଜନଗର ପାଇଁ ୨ଟି ଓ୍ୱାଟର ଟ୍ରିଟମେଣ୍ଟ ପ୍ଲାଣ୍ଟ କାମ ଆରମ୍ଭ ହୋଇଛି। ଏହା ସହିତ ସବୁ ଗାଁକୁ ବିଶୁଦ୍ଧ ପାଣି ଯୋଗାଣ ଯୋଜନା ମଧ୍ୟ ଆରମ୍ଭ ହୋଇଛି। ରସୁଗୁଡ଼ାର ସବୁ ଜିଲ୍ଲା ଓ ସହର ପାଇଁ ୬୧୮ କୋଟି ଟଙ୍କାର ଡ୍ରିଙ୍କିଙ୍ଗ ଓ୍ୱାଟର ପ୍ରକଳ୍ପରେ କାମ ଆରମ୍ଭ ହୋଇଛି। ଜୁନ ୨୦୨୨ ସୁଦ୍ଧା ଝାରସୁଗୁଡ଼ା ଜିଲ୍ଲାର ଗାଁ ଠାରୁ ସହର ସବୁ ସ୍ଥାନକୁ ପାଣି ଯୋଗାଇ ଦିଆଯିବ। ଏକଲକ୍ଷ ୨୨ହଜାର ଲୋକଙ୍କ ଘରକୁ ଟ୍ୟାପ୍ ଯୋଗେ ଜଳ ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଝାରସୁଗୁଡା ଜିଲ୍ଲାରେ କୃଷିର ବିକାଶ ପାଇଁ ୧୮୬ କୋଟି ଟଙ୍କାର ମେଗା ଲିଫ୍ଟ ଇରିଗେସନ କାମ ଚାଲିଛି। ସେପଟେ ପାର୍ବତି ଇରିଗେସନ ଯୋଜନାରେ ଏକ ହଜାର ହେକ୍ଟ ଜମିକୁ ଜଳ ସେଚନ ସୁବିଧା କରାଯାଇଛି।

ଝାରସୁଗୁଡ଼ା ଜିଲ୍ଲାରେ ୧୦୦ ବେଡ଼ ବିଶିଷ୍ଟ କାର୍ଡିଓ ଚିକିତ୍ସା ପାଇଁ ହସ୍ପିଟାଲ ନିର୍ମାଣ ଚାଲଥିବା ନେଇ ମଧ୍ୟ ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି । ଏଥିପାଇଁ ଏକ ହଜାର କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହେଉଛି। ଏହାଦ୍ୱାରା ଜିଲ୍ଲାର ଲୋକମାନେ ଜିଲ୍ଲା ଭିତରେ ଉନ୍ନତ ମାନର ଚିକିତ୍ସା ପାଇପାରିବେ। ସେହିଭଳି ହିରାକୁଦ ପାଇଁ ବିସ୍ଥାପିତ ହୋଇଥିବା ପରିବାରଙ୍କୁ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ପଟୁ ବଡ଼ ଆଶ୍ୱାସନା ମିଳିଛି । ହିରାକୁଦ ପାଇଁ ବିସ୍ଥାପିତ ହୋଇଥିବା ୨ହଜାର ପରିବାରରକୁ ରାଜ୍ୟ ସରକାର ଘରଡିହ ଜମି ଯୋଗାଇଦେବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଝାରସୁଗୁଡାରେ ବିଏସକେୱାଇ ସ୍ମାର୍ଟ କାର୍ଡର ଶୁଭାରମ୍ଭ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଝାରସୁଗୁଡ଼ା ଜିଲ୍ଲା BSKY ସ୍ମାର୍ଟ ହେଲ୍ଥ କାର୍ଡ ଯୋଜନାରେ ସାମିଲ ହୋଇଥିବାରୁ ମୁଁ ବହୁତ ଖୁସୀ। ଜିଲ୍ଲାର ଏକ ଲକ୍ଷ ୧୫ ହଜାର ଲୋକ ଏହି ସୁବିଧା ପାଇବେ।

ମୁଖ୍ୟମନ୍ତ୍ରୀ କହିଛନ୍ତି, ସ୍ୱାସ୍ଥ୍ୟ ହିଁ ସମ୍ପଦ। ପ୍ରତିଟି ଜୀବନ ମୂଲ୍ୟବାନ । ପରିବାରର କେହି ଅସୁସ୍ଥ ହୋଇ ରୋଗରେ ପଡ଼ିଗଲେ ଚିନ୍ତା ବଢିଯାଏ । ଜମି ବିକ୍ରି କରି, ସୁନା ଗହଣା ବିକି ଖର୍ଚ୍ଚ ତୁଲାଇବା କଥା ବେଶ ଦୁଃଖଦାୟକ । ଏପରିକି ପିଲାଙ୍କର ପାଠପଢାରେ ମଧ୍ୟ ଡୋରି ବନ୍ଧା ହୋଇଥାଏ । ଏସବୁ ସମସ୍ୟାରୁ ଲୋକଙ୍କୁ ମୁକୁଳାଇବା ପାଇଁ ହେଲଥ୍ କାର୍ଡ ସଞ୍ଜିବନୀ ସଦୃଶ ।

ପଞ୍ଚାୟତ ନିର୍ବାଚନ ପୂର୍ବରୁ କଂଗ୍ରେସ ଛାଡ଼ି ବିଜେଡିରେ ମିଶିଲେ ବେଗୁନିଆର ବିଧାୟକ ପ୍ରାର୍ଥୀ ପ୍ରଦୀପ ସାହୁ

ଖୋର୍ଦ୍ଧା: ପଞ୍ଚାୟତ ନିର୍ବାଚନ ପୂର୍ବରୁ ବଢୁଛି ବିଜେଡିର ବଳ, ଦୁର୍ବଳ ହେଉଛନ୍ତି ବିରୋଧୀ। ଗତ ନିର୍ବାଚନରେ ବେଗୁନିଆରୁ କଂଗ୍ରେସର ବିଧାୟକ ପ୍ରାର୍ଥୀ ହୋଇଥିବା ପ୍ରଦୀପ ସାହୁ ଆଜି ବିଜେଡିରେ ଯୋଗଦେଇଛନ୍ତି। ନିଜ ସମର୍ଥକଙ୍କ ସହ ବିଜେଡିର ମିଶିଛନ୍ତି ପ୍ରଦୀପ। ୨୦୧୯ ବିଧାନସଭା ନିର୍ବାଚନରେ ବେଗୁନିଆରେ କଂଗ୍ରେସ ପ୍ରାର୍ଥୀ ଭାବେ ସେ ୫୪ ହଜାରରୁ ଅଧିକ ଭୋଟ ପାଇଥିଲେ। ୨୦୧୪ ନିର୍ବାଚନରେ ଆମ ଓଡ଼ିଶା ପାର୍ଟିରୁ ପ୍ରାର୍ଥୀ ହୋଇ ୩୦ ହଜାରରୁ ଅଧିକ ଭୋଟ ପାଇଥିଲେ। ଗତକାଲି କଂଗ୍ରେସର ପ୍ରାଥମିକ ସଭ୍ୟ ଓ ଖୋର୍ଦ୍ଧା ଜିଲ୍ଲା କଂଗ୍ରେସ ଉପସଭାପତି ପଦରୁ ଇସ୍ତଫା ଦେଇଥିଲେ ପ୍ରଦୀପ।

ଆଜି ବିଧିବଦ୍ଧ ଭାବେ ବିଜେଡିରେ ମିଶିଛନ୍ତି। ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ପ୍ରଦୀପ ଓ ତାଙ୍କ ସମର୍ଥକଙ୍କୁ ସ୍ୱାଗତ କରିଛନ୍ତି। ପ୍ରଦୀପଙ୍କ ସମ୍ମାନ ଓ ଆଦର ବଢିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ପ୍ରଣବ ପ୍ରକାଶ ଦାସ। ମୁଖ୍ୟମନ୍ତ୍ରୀଙ୍କ ଆଦର୍ଶକୁ ତୃଣମୂଳ ସ୍ତରରେ ପହଞ୍ଚାଇବା ସହ ବୋଲଗଡ଼ ବେଗୁନିଆ ଅଞ୍ଚଳକୁ ପ୍ରଦୀପ ଏକ ନମ୍ବର କରନ୍ତୁ ବୋଲି ପ୍ରଣବ ପ୍ରକାଶ ଦାସ କହିଛନ୍ତି।

ଏହି ମିଶ୍ରଣ ପର୍ବରେ ବିଜେଡି ଗଣମାଧ୍ୟମ ବ୍ୟାପାର ସାଧାରଣ ସମ୍ପାଦକ ମାନସ ମଙ୍ଗରାଜ ଓ ଅନ୍ୟ ବରିଷ୍ଠ ନେତାଙ୍କ ଉପସ୍ଥିତ ଥିଲେ। ଏକଦା ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀବଲ୍ଲଭ ପଟ୍ଟନାୟକଙ୍କ ଅନୁଗତ ଥିବା ପ୍ରଦୀପ ସାହୁ ନବେ ଦଶକରେ ସରପଞ୍ଚ ଭାବେ ରାଜନୀତିରେ ପାଦ ଥାପି ଥିଲେ। ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେଡିରେ ମିଶିଥିବା ପ୍ରଦୀପ ସାହୁ କହିଛନ୍ତି।

କେନ୍ଦ୍ର ସରକାରଙ୍କ ପ୍ରକଳ୍ପକୁ ବିରୋଧ, ଭୂମିପୂଜନ ପୂର୍ବରୁ ଫଳକ ଭାଙ୍ଗିଲେ ଗ୍ରାମବାସୀ

ମୟୂରଭଞ୍ଜ: କେନ୍ଦ୍ର ସରକାରଙ୍କ ପ୍ରକଳ୍ପକୁ ବିରୋଧ, ଭୂମିପୂଜନ ପୂର୍ବରୁ ଫଳକ ଭାଙ୍ଗିଲେ ଗ୍ରାମବାସୀ। ମୟୂରଭଞ୍ଜ ଜିଲ୍ଲା ଶ୍ୟାମାଖୁଣ୍ଟା ବ୍ଲକ ଟିକରପଡ଼ାର ଏ ଘଟଣା। ଗାଁରେ କେନ୍ଦ୍ରସରକାରଙ୍କ ଆଦିବାସୀ ଉନ୍ନୟନ ବିଭାଗ ପକ୍ଷରୁ ନୂତନ ଭାବେ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ନିର୍ମାଣ ନେଇ ଜାଗା ଚିହ୍ନଟ କରି ଫଳକ ଲଗାଇଯାଇଥିଲା। ମାତ୍ର ଏ ସଂକ୍ରାନ୍ତରେ ଗ୍ରାମବାସୀଙ୍କୁ କୌଣସି ସୂଚନା ଦିଆଯାଇନଥିଲା।

ଆଜି ପ୍ରଧାନମନ୍ତ୍ରୀ ଭିଡିଓ କନଫରେସିଂରେ ଭିତ୍ତିପ୍ରସ୍ତର ସ୍ଥାପନ କରିବାର କାର୍ଯ୍ୟକ୍ରମ ଥିବା ବେଳେ, ଏହା ପୂର୍ବରୁ  ଫଳକ ଭାଙ୍ଗିବା ସହ ପ୍ରତିବାଦରେ ରାସ୍ତାରୋକ କରିଛନ୍ତି ସ୍ଥାନୀୟ ଲୋକ। ଲୋକଙ୍କ କହିବା କଥା ହେଲା, ଗାଁର ଏହା ଏକମାତ୍ରା ଗୋଚର ଜାଗା ହୋଇଥିବା ବେଳେ, ଶବଦାହ, ଜୀବଜନ୍ତୁଙ୍କ ଚାରଣ ଭୂଇଁ ଭାବେ ବ୍ୟବହୃତ ହୋଇଥାଏ। ସେହିପରି ପ୍ରାତଃ ଭ୍ରମଣ ଓ ଖେଳକୁଦ ପାଇଁ ଏହାକୁ ବ୍ୟବହାର କରିଥାନ୍ତି ଲୋକେ। ଏଣୁ ଗ୍ରାମସଭାର ବିନା ନିଷ୍ପତ୍ତିରେ ପ୍ରକଳ୍ପ ନିର୍ମାଣକୁ ତୀବ୍ର ବିରୋଧ କରିଛନ୍ତି ଲୋକ।

ଦିଲ୍ଲୀରେ ବଢ଼ିଚାଲିଛି ବାୟୂ ପ୍ରଦୂଷଣର ମାତ୍ରା, ହୋଇପାରେ ଲକ୍‌ଡାଉନ୍‌

ନୂଆଦିଲ୍ଲୀ: ଦିଲ୍ଲୀ ବାୟୁରେ ବିଷ। ନିଶ୍ୱାସ ନେଲେ ନାକ ପୋଡୁଛି। ପ୍ରଦୂଷଣ ରୋକିବା ଲାଗି ଦିଲ୍ଲୀରେ କରାଯାଇପାରେ ଲକଡାଉନ। ଏନେଇ ସମସ୍ତ ଯୋଜନା ଚୂଡାନ୍ତ ହୋଇଛି। ଆଜି  ସୁପ୍ରିମକୋର୍ଟରେ ରିପୋର୍ଟ ଦାଖଲ କରିବେ ଦିଲ୍ଲୀ ସରକାର। ପରିବେଶ ମନ୍ତ୍ରୀ ଗୋପାଳ ରାଜ କହିଛନ୍ତି ପ୍ରଦୂଷଣ ରୋକିବା ଲାଗି ଦିଲ୍ଲୀ ସରକାର ଏକ ରିପୋର୍ଟ ଆଜି ସର୍ବୋଚ୍ଚ ଅଦାଲତରେ ଦାଖଲ କରିବେ। ଦିଲ୍ଲୀରେ ପ୍ରଦୂଷଣ ଥମିବାର ନାଁ ନେଉ ନଥିବାରୁ ସରକାର ଏହି ପଦକ୍ଷେପ ଗ୍ରହଣ କରିବେ। ସେପଟେ ପୁରୁଣା ଗାଡିର ବ୍ୟବହାର ରୋକିବା ଲାଗି ଅଣ୍ଟାଭିଡିଛି ଦିଲ୍ଲୀ ଟ୍ରାଫିକ ପୋଲିସ।

ସହରରେ ଏହି ଗାଡିଗୁଡିକୁ ଧରିବା ଲାଗି ୧୭୦ ସ୍ଥାନରେ ନିୟୋଜିତ ହୋଇଛନ୍ତି ପୋଲିସ। ସହରର ୧୩ଟି ସର୍ବାଧିକ ପ୍ରଦୂଷଣଜନିତ ହଟସ୍ପଟରେ ଟ୍ରାଫିକ ପୋଲିସ ମୁତୟନ କରାଯାଇଛି। ଆଜିଠାରୁ ସମସ୍ତ ନିର୍ମାଣ କାର୍ଯ୍ୟ ଓ ସ୍କୁଲ ଓ କଲେଜ ଆସନ୍ତା ୧୭ ତାରିଖ ଯାଏଁ ବନ୍ଦ ରହିବ। ସମସ୍ତ ନିର୍ମାଣ କାର୍ଯ୍ୟ ମଧ୍ୟ ବନ୍ଦ କରାଯାଇଛି। ସରକାରୀ ଅଫିସଦପ୍ତରରେ ଓ୍ୱାର୍କ ଫ୍ରମ ହୋମ୍ ନୀତି ଲାଗୁ କରାଯାଇଛି। ତେଣେ ​ଶ୍ୱାସକ୍ରିୟାରେ ଅଧିକ ଲୋକ ସଙ୍କଟର ସମ୍ମୁଖୀନ ହେବା ପରିଲକ୍ଷତ ହୋଇଛି। ବିଶେଷ କରି  ଅଧିକ ସଂଖ୍ୟକ ପିଲାଙ୍କ କ୍ଷେତ୍ରରେ ଏହା ପରିଲକ୍ଷିତ ହେବାରୁ ହସ୍ପିଟାଲରେ ଭିଡ ଜମୁଛି।

ଅଧିକାଂଶ ଲୋକଙ୍କ ଗଳା ପୋଡିବା ବି ପରିଲକ୍ଷିତ ହୋଇଛି। ଏହି ଧରଣର ରୋଗୀଙ୍କ ସଂଖ୍ୟା ୪୦ପ୍ରତିଶତ ବୃଦ୍ଧି ପାଇଛି। ସେପଟେ ହରିୟାଣା ସରକାର ବି ନେଇଛନ୍ତି କଟକଣାମୂଳକ ପଦକ୍ଷେପ। ରାଜ୍ୟର ସମସ୍ତ ସ୍କୁଲକୁ ଆସନ୍ତା ୧୭ ତାରିଖ ଯାଏଁ ବନ୍ଦ ରଖାଯାଇଛି। ସେହିପରି ଗୁରୁଗ୍ରାମ, ଫରିଦାବାଦ, ସୋନିପତ ଓ ଝାଜରରେ ୧୭ ତାରିଖ ଯାଏଁ ସମସ୍ତ ନିର୍ମାଣ କାର୍ଯ୍ୟ ବନ୍ଦ ନିର୍ଦ୍ଦେଶ ଦିଆଯାଇଛି। ରାଜ୍ୟରେ ବି ଶ୍ୱାସ୍ଥ୍ୟ  ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇଛି।

ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଲେ ୧୦୪ ବର୍ଷର ବୃଦ୍ଧା

କେରଳ: ବୟସର ଅପରାହ୍ନରେ ପରୀକ୍ଷାରେ ଉତୀର୍ଣ୍ଣ। ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଲେ ୧୦୪ ବର୍ଷର ବୃଦ୍ଧା। କେରଳରେ ହୋଇଥିବା ରାଜ୍ୟ ସାକ୍ଷରତା ଅଭିଯାନ ପରୀକ୍ଷାରେ ଏହି ସଫଳତା ହାସଲ କରିଛନ୍ତି କୋଟାୟାମ ଅଞ୍ଚଳର ଶତାୟୁ ପରୀକ୍ଷାର୍ଥୀ କୁଟ୍ଟିଭାମ୍ମା। ଉକ୍ତ ପରୀକ୍ଷାରେ କୁଟ୍ଟିଭାମ୍ମା ମୋଟ ୧୦୦ ମାର୍କରୁ ୮୯ ମାର୍କ ରଖିବାରେ ସଫଳ ହୋଇଥିଲେ। ବୃଦ୍ଧାଙ୍କ ସଫଳତାରେ ଖୁସି ବ୍ୟକ୍ତ କରିଛନ୍ତି ରାଜ୍ୟ ଶିକ୍ଷାମନ୍ତ୍ରୀ ବାସୁଦେବନ ଶିବାନକୁଟ୍ଟି।

ସୋସିଆଲ ମିଡିଆରେ କୁଟ୍ଟିଭାମ୍ମାଙ୍କ ସଫଳତା ଲାଗି ଧନ୍ୟବାଦ ଜଣାଇଛନ୍ତି। ଏହା ସହ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ଅନ୍ୟ ପରୀକ୍ଷାର୍ଥୀଙ୍କୁ ମଧ୍ୟ ଅଭିନନ୍ଦନ ଜଣାଇଛନ୍ତି। କେରଳରେ ଶିକ୍ଷାକୁ ତୃଣମୂଳ ସ୍ତରରେ ପହଞ୍ଚାଇବା ଲାଗି ରାଜ୍ୟ ସରକାର ଅଭିଯାନ ଜାରି ରଖିଛନ୍ତି। ଏଥିଲାଗି ସମସ୍ତ ବୟସର ଲୋକଙ୍କୁ ସୁଯୋଗ ପ୍ରଦାନ କରାଯାଇଛି। ଚତୁର୍ଥ, ସପ୍ତମ, ଦଶମ, ଏକାଦଶ ଓ ଦ୍ୱାଦଶ ଷ୍ଟାଣ୍ଡାର୍ଡ ଲାଗି ପରୀକ୍ଷା କରାଯାଉଛି।

ପ୍ରତିରକ୍ଷା ଇତିହାସରେ ନୂଆ ଅଧ୍ୟାୟ, ଭାରତ ହାସଲ କଲା ଏୟାର ଡିଫେନ୍ସ ମିସାଇଲ ସିଷ୍ଟମ

ନୂଆଦିଲ୍ଲୀ: ପ୍ରତିରକ୍ଷା ଇତିହାସରେ ନୂଆ ଅଧ୍ୟାୟ। ଭାରତ ହାସଲ କଲା ଏୟାର ଡିଫେନ୍ସ ମିସାଇଲ ସିଷ୍ଟମ। ଏଣିକି ୬୦୦ କିଲୋମିଟର ଦୂରରୁ ଆସୁଥିବା ବିମାନ, କ୍ଷେପଣାସ୍ତ୍ର, ଡ୍ରୋନକୁ ଧ୍ୱଂସ କରିବାକୁ ସକ୍ଷମ ହେବ ଭାରତ। ଏହାଦ୍ୱାରା ମଜଭୁତ ହେବ ଭାରତୀୟ ପ୍ରତିରକ୍ଷା। ଶତ୍ରୁ ପକ୍ଷର ଜବରଦସ୍ତ ମୁକାବିଲା ଲାଗି ସକ୍ଷମ ହେବ ଋଷ ନିର୍ମିତ ଏସ-୪୦୦ ଟ୍ରିଉମ୍ଫ ଏୟାର ଡିଫେନ୍ସ ମିସାଇଲ ସିଷ୍ଟମ। ଏହାର ଯୋଗାଣ ଆରମ୍ଭ କରିଛି ଋଷ। ଋଷର ସବୁଠାରୁ ଅଧିକ ଉନ୍ନତ ଓ ଅତ୍ୟାଧୁନିକ ସିଷ୍ଟମ ହାତେଇବା ପରେ ଭାରତର ପ୍ରତିରକ୍ଷା ଇତିହାସରେ ନୂଆ ଅଧ୍ୟାୟ ଯୋଡ଼ି ହୋଇଛି।

ସିଷ୍ଟମ ଯୋଗାଣ ନେଇ ସୂଚନା ଦେଇଛନ୍ତି ଋଷୀୟ ସାମରିକ ବୈଷୟିକ ସହଯୋଗ ସଂଗଠନର ନିର୍ଦ୍ଦେଶକ ଦିମିତ୍ରି ସୁଗାୟେଭ। ଆସନ୍ତା ମାସରେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଭାରତ ଗସ୍ତରେ ଆସିବା ପୂର୍ବରୁ ଏହି ଅସ୍ତ୍ର ଯୋଗାଣ ପ୍ରକ୍ରିୟା ଆରମ୍ଭ ହୋଇଛି। ଏସ-୪୦୦ ଏୟାର ଡିଫେନ୍ସ ମିସାଇଲ ସିଷ୍ଟମ ଲାଗି ୨୦୧୮ରେ ଦୁଇ ଦେଶ ମଧ୍ୟରେ ହୋଇଥିଲା ୫ ବିଲିଅନ ଡଲାରର ପ୍ରତିରକ୍ଷା ଚୁକ୍ତି। ସେତେବେଳେ ଆମେରିକାର ଡୋନାଲଡ ଟ୍ରମ୍ପ ପ୍ରଶାସନର ବିରୋଧ ସତ୍ତ୍ୱେ ଦୁଇ ଦେଶ ମଧ୍ୟରେ ଏହି ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା।

୨୦୧୯ରେ ଏନେଇ ଭାରତ ଋଷକୁ ପ୍ରଦାନ କରିଥିଲା ୮୦୦ ନିୟୁତ ଡଲାର। ଏହି ସିଷ୍ଟମର ମରାମତି ଓ ମୁତୟନ ଲାଗି ଦୁଇ ଦେଶର ସାମରିକସ୍ତରୀୟ କଥାବାର୍ତ୍ତା ଚାଲିବ। ତେବେ ଏହି ସିଷ୍ଟମ ଯୋଗାଣ ହେତୁ ଭାରତ ବିରୋଧରେ କଟକଣା ଜାରି କରିପାରେ ଆମେରିକା। ପୂର୍ବରୁ ଏହି ସିଷ୍ଟମ ହାସଲ କରିଥିବା ହେତୁ ତୁର୍କୀ ବିରୋଧରେ ଆମେରିକା କଟକଣା ଜାରି କରିଥିଲା। ଏହି ସିଷ୍ଟମରେ ଏକ ବ୍ୟାଟେରୀ, ଲଙ୍ଗ ରେଞ୍ଜ ରାଡାର, ଟାର୍ଗେଟ ଆକ୍ୟୁଜିସନ ରାଡାର, କମାଣ୍ଡ ପୋଷ୍ଟ ଭେଇକଲ ଆଦି ରହିଛି।

ଆଜିଠୁ ଆରମ୍ଭ ପବିତ୍ର ପଞ୍ଚୁକ ବ୍ରତ, ଏକାଦଶୀରେ ଶ୍ରୀଜିଉଙ୍କ ଲକ୍ଷ୍ମୀନାରାୟଣ ବେଶ

ପୁରୀ: ଆଜିଠୁ ଆରମ୍ଭ ହେଉଛି ପବିତ୍ର ପଞ୍ଚୁକ ବ୍ରତ। ଏହି ଅବସରରେ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି ସହିତ ମହାପ୍ରଭୁଙ୍କର ବିଭିନ୍ନ ବେଶ ଅନୁଷ୍ଠିତ ହେଉଛି। ଆଜି ହେଉଛି ପଞ୍ଚୁକର ପ୍ରଥମ ଦିନ ବା ହରି ଉତ୍ଥାପନ ଏକାଦଶୀ। ଏହି ଅବସରରେ ଆଜି ମହାପ୍ରଭୁଙ୍କର ଲକ୍ଷ୍ମୀନାରାୟଣ ବେଶ ଅନୁଷ୍ଠିତ ହେବ। ମାତ୍ର ଦର୍ଶନରୁ ବଞ୍ଚିତ ରହିବେ ଭକ୍ତ। ଭିଡ଼କୁ ଦୃଷ୍ଠିରେ ରଖି ଆଜି ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ ରହିଛି। ସେପଟେ ଆସନ୍ତାକାଲି ଦ୍ୱାଦଶୀରେ ବାଙ୍କଚୁଡ଼ ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ ଶ୍ରୀଜିଉ ଏହା ସହିତ ତ୍ରୟୋଦଶୀରେ ତ୍ରିବିକ୍ରମ ବେଶ, ଚତୁର୍ଦ୍ଧଶୀରେ ଲକ୍ଷ୍ମୀନୃସିଂହ ବେଶରେ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ ଭକ୍ତ।

କିନ୍ତୁ ପଞ୍ଚୁକର ଶେଷ ଦିନରେ ସୁନାବେଶ ଅନୁଷ୍ଠିତ ହେବାକୁ ଥିବାବେଳେ ସେହିଦିନ ସାଧାରଣ ଦର୍ଶନକୁ ବାରଣ କରାଯାଇଛି। ପଞ୍ଚୁକ ପାଇଁ ହଜାର ହଜାର ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଶୃଙ୍ଖଳିତ ଦର୍ଶନ ଓ ସୁରକ୍ଷା ବ୍ୟବସ୍ଥାକ କଡ଼ାକଡି କରାଯାଇଛି। ସୁରକ୍ଷା ବ୍ୟବସ୍ଥାକୁ ନଜରରେ ରଖି ୨୦ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି।

ଲଘୁଚାପ ବର୍ଷା ଏବଂ ଘନ କୁହୁଡ଼ି ପାଇଁ ଦିନିକିଆ ବନ୍ଦ ରହିବ ଶିମିଳିପାଳ

ବାରିପଦା: ଆଜି ପାଇଁ ବନ୍ଦ ରହିଛି ଶିମିଳିପାଳ ଜାତୀୟ ଉଦ୍ୟାନ। କେହି ପର୍ଯ୍ୟଟକ ଆଜି ଶିମିଳିପାଳ ବୁଲିବାକୁ ଯାଇପାରିବେ ନାହିଁ। ବାରିପଦାର ପିଠାବଟା ଓ ଜଶିପୁରର କାଳିଆଣି ଫାଟକକୁ ସାମୟିକ ଭାବେ ପର୍ଯ୍ୟଟକ ମାନଙ୍କ ଭ୍ରମଣକୁ ସ୍ଥଗିତ ରଖାଯାଇଛି। ଦୁଇଦିନ ହେବ ରାଜ୍ୟରେ ଲଗାତାର ବର୍ଷା ଏବଂ କୁହୁଡ଼ି ପାଣିପାଗ କାରଣରୁ ଶିମିଳିପାଳ ଟାଇଗର ରିଜର୍ଭ ଭିତରେ ଆଜି ଦିନିକିଆ ପର୍ଯ୍ୟଟନ ଭ୍ରମଣକୁ ସ୍ଥଗିତ ରଖାଯାଇଛି। ଏମିତି ପାଗ ଜଙ୍ଗଲ ମଧ୍ୟରେ ବୁଲିବା ଠିକ ନୁହେଁ। ଏଭଳି ପାଗରେ ବୁଲିଲେ ପର୍ଯ୍ୟଟକଙ୍କ ପ୍ରତି ବିପଦ ରହିଛି ବୋଲି ଶିମିଳିପାଳକୁ ଦିନିକିଆ ବନ୍ଦ କରାଯାଇଛି।

ବର୍ତ୍ତମାନର ପାଣିପାଗ ପରିସ୍ଥିତି ଅନୁଯାୟୀ ଭ୍ରମଣକାରୀଙ୍କୁ ସେମାନଙ୍କର ଯାତ୍ରା ଯୋଜନା କରିବାକୁ ଅନୁରୋଧ କରାଯାଇଛି। ଏହା ଦ୍ୱାରା ସୃଷ୍ଟି ହୋଇଥିବା ଅସୁବିଧା ପାଇଁ ଶିମିଳିପାଳ ବ୍ରାଘ୍ୟ ସଂରକ୍ଷଣ ବିଭାଗ ପକ୍ଷରୁ ଗଭୀର ଦୁଃଖ ପ୍ରକାଶ କରାଯାଇଥିବା ଟ୍ୱିଟ କରି ସୂଚନା ଦେଇଛନ୍ତି ଉଭୟ ଉତ୍ତର ଓ ଦକ୍ଷିଣ ଶିମିଳିପାଳ ବ୍ରାଘ୍ୟ ସଂରକ୍ଷଣର ଉପନିର୍ଦେଶକ। ତେବେ ଯଦି ପାଗରେ କୌଣସି ସୁଧାର ନଆସେ ତେବେ ଏହି ନିୟମ ଆଗକୁ ମଧ୍ୟ ବଳବତର ରହିପାରେ ବୋଲି ସୂଚନା ମିଳିଛି।

ପ୍ରଭୁ ବିର୍ସା ମୁଣ୍ଡା : ସେଇ ଆଦିବାସୀ ବିଦ୍ରୋହୀଙ୍କ କାହାଣୀ ଯିଏ ଧନୁତୀର ଦ୍ୱାରା ବ୍ରିଟିଶ ଶାସନକୁ ଦୋହଲାଇ ଦେଇଥିଲେ

ଭୁବନେଶ୍ୱର: ଆଦିବାସୀ ଜୀବନ, ​​ସଂସ୍କୃତି ଏବଂ ସଫଳତାର ଗୌରବମୟ ଇତିହାସକୁ ସାଧାରଣ ଲୋକଙ୍କ ନିକଟରେ ପହଞ୍ଚାଇବା ଲକ୍ଷ୍ୟରେ ଦେଶ ନଭେମ୍ବର ୧୫ ରେ ଜନଜାତୀର ଗୌରବ ଦିବସ ଭାବରେ ବିର୍ସା ମୁଣ୍ଡାଙ୍କ ଜନ୍ମ ବାର୍ଷିକୀ ପାଳନ କରୁଛି। ଆଜି ହେଉଛି ଇଂରେଜ ମାନଙ୍କ ବିରୁଦ୍ଧରେ ସ୍ୱାଧୀନତାର ଲଢ଼େଇ ଆରମ୍ଭ କରିଥିବା ବିର୍ସାମୁଣ୍ଡାଙ୍କ ଜୟନ୍ତୀ।

ବିର୍ସା ମୁଣ୍ଡା ଭାରତର ଜଣେ ଦେଶପ୍ରେମୀ ସଂଗ୍ରାମୀ ଭାବରେ ଇତିହାସରେ ବିଖ୍ୟାତ। ଊନବିଂଶ ଶତାବ୍ଦୀରେ ଭାରତରେ ଇଂରେଜ ଶାସନ କାଳରେ ବିର୍ସା ବିହାର ଓ ଝାଡ଼ଖଣ୍ଡ ଅଞ୍ଚଳର ସ୍ୱାଧୀନତା ସଂଗ୍ରାମୀ ମାନଙ୍କୁ ଏକାଠି କରି ଏକ ବଡ ଧରଣର ବିପ୍ଲବ ଆରମ୍ଭ କରିଥିଲେ। ୨୫ ବର୍ଷ ବୟସର ହେବା ବେଳକୁ ଭାରତର ସ୍ୱାଧୀନତା ସଂଗ୍ରାମର ଇତିହାସରେ ସେ ଏକ ନୂତନ ଫର୍ଦ୍ଦ ଯୋଡ଼ିସାରିଥିଲେ । ସେ ନିଜ ଗାଁ ଏବଂ ଆଖପାଖ ଅଞ୍ଚଳର ଯୁବକ ମାନଙ୍କୁ ଇଂରେଜ ସରକାରଙ୍କ ବିରୋଧରେ ଲଢ଼ିବାକୁ ସଂଗଠିତ କରିପାରିଥିଲେ।

ଊନବିଂଶ ଶତାବ୍ଦୀର ଶେଷ ଭାଗରେ ଭାରତର ପୁର୍ବାଞ୍ଚଳର ଘଞ୍ଚ ଜଙ୍ଗଲ ମଧ୍ୟରେ ଯେଉଁ ବିପ୍ଲବର ସ୍ୱର ଝଙ୍କୁତ ହୋଇଥିଲା, ‘ଆବୁଆ ରାଜା ଇତେ ଜାନା, ମହାରାନୀ ରାଜ ଟୁଡୁ ଜାନା’ (ମହାରାଣୀଙ୍କ ସାମ୍ରାଜ୍ୟ ପତନ ହେଉ ଏବଂ ଆମ ସାମ୍ରାଜ୍ୟର ପ୍ରତିଷ୍ଠା ହେଉ)। ଯାହା ଥିଲା ବ୍ରିଟିଶ୍ ରାଜ୍ ପ୍ରତିଷ୍ଠା ବିରୁଦ୍ଧରେ ପ୍ରତିବାଦର ସ୍ୱର। ଏହି ଅନ୍ଦୋଳନର ମୁଖ୍ୟ ସୂତ୍ରଧର ଥିଲେ ମହାନ୍ ସ୍ୱତନ୍ତ୍ରତା ସେନାନୀ ବିର୍ସା ମୁଣ୍ଡା। ଯାହାଙ୍କୁ ଅନେକ ଭଗବାନ ବିର୍ସା ମୁଣ୍ଡା ବୋଲି କୁହନ୍ତି। ବିର୍ସା ମୁଣ୍ଡା ଜଣେ ମହାନ୍ ସ୍ୱତନ୍ତ୍ରତା ସେନାନୀ ଭାବରେ ଇତିହାସରେ ବିଖ୍ୟାତ। ଊନବିଂଶ ଶତାବ୍ଦୀରେ ଭାରତରେ ଇଂରେଜ ଶାସନ କାଳରେ ବିର୍ସା ବିହାର ଓ ଝାଡ଼ଖଣ୍ଡ ଅଞ୍ଚଳର ସ୍ୱାଧୀନତା ସଂଗ୍ରାମୀ ମାନଙ୍କୁ ଏକାଠି କରି ଏକ ବଡ଼ ଧରଣର ବିପ୍ଲବ ଆରମ୍ଭ କରିଥିଲେ।

ବିର୍ସା ମୁଣ୍ଡା ୧୮୫୭ ମସିହା ନଭେମ୍ବର ୧୫ ତାରିଖ ରେ ଝାରଖଣ୍ଡର ରାଞ୍ଚି ଜିଲ୍ଲାର ଉଲିହାଟୁ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ମୁଣ୍ଡା ଜନଜାତିରେ ଜନ୍ମ ହୋଇଥିଲେ, ବିର୍ସା ମୁଣ୍ଡା ଚାଇବାସାର ଇଂରାଜୀ ମଧ୍ୟମ ବିଦ୍ୟାଳୟରେ ଅଧ୍ୟୟନ କରିଥିଲେ। ୦୧ ଅକ୍ଟୋବର ୧୮୯୪ ରେ ସମସ୍ତ ମୁଣ୍ଡା ଜନଜାତିର ଲୋକଙ୍କୁ ସଂଗ୍ରହ କରି ବିର୍ସା ମୁଣ୍ଡା ଦୁର୍ଭିକ୍ଷ ଏବଂ ମହାମାରୀ ବିନାଶ ହେତୁ ବ୍ରିଟିଶମାନଙ୍କଠାରୁ କର ଛାଡ କରିବାକୁ ଆନ୍ଦୋଳନ କରିଥିଲେ।  ଦୁର୍ଭିକ୍ଷର ଶିକାର ହେଇଥିବା ଲୋକଙ୍କୁ ସାହାଯ୍ୟ କରୁଥିବା  ବିର୍ସା ମୁଣ୍ଡାଙ୍କ ଖ୍ୟାତି ଏବଂ ଲୋକପ୍ରିୟତା ବଢି ବାକୁ ଲାଗିଥିଲା। ଲୋକମାନେ ତାଙ୍କୁ “ଧର୍ମ ବାବା” ବୋଲି କହିବା ଆରମ୍ଭ କରିଦେଇଥିଲେ ।

ବ୍ରିଟିଶ ଶାସନ ବିରୋଧରେ କୁହୁଳୁଥିବା ଅସନ୍ତୋଷର ନିଆଁକୁ ବିର୍ସା ଅଧିକ ଉଜ୍ଜିବିତ କରିଥିଲେ ।  ଏହା ପରେ ବିର୍ସା ସ୍ୱାଧୀନତା ପାଇଁ ଆନ୍ଦୋଳନର ରାସ୍ତା ବାଛିଥିଲେ। ୧୮୯୭ ରୁ ୧୯୦୦ ମଧ୍ୟରେ ବିର୍ସା ମୁଣ୍ଡା ଏବଂ ତାଙ୍କ ଦଳ ବ୍ରିଟିଶ ସମର୍ଥକ, ପୋଲିସ ଏବଂ ଇଂରାଜୀ ସୈନ୍ୟ ଙ୍କ ସହିତ ଲଢ଼ି ଥିଲେ। ଅଗଷ୍ଟ ୧୮୯୭ ରେ ବିର୍ସା ମୁଣ୍ଡା, ତାଙ୍କର ୪୦୦ ଜଣ ସାଥୀ ବାଣରେ ସଜ୍ଜିତ ହୋଇ ଖୁଣ୍ଟି ପୋଲିସ ଷ୍ଟେସନ ଉପରେ ଆକ୍ରମଣ କରିଥିଲେ। ଏହା ପରେ ୧୮୯୮ ମସିହାରେ ଟାଙ୍ଗା ନଦୀ ଉପକୂଳ କୂଳରେ ବ୍ରିଟିଶ ସୈନ୍ୟ ଙ୍କ ସହିତ ସେମାନେ ମୁହାଁମୁହିଁ ହୋଇଥିଲେ। ଜାନୁଆରୀ ୧୯୦୦ ରେ ସେମାନେ ପୁନର୍ବାର ଡୋମ୍ବାଡି ପାହାଡ ଉପରେ ଲଢ଼ି ଥିଲେ। ବ୍ରିଟିଶ ରାଜକୁ ଅସୁବିଧାରେ ପକାଉଥିବା ବିର୍ସା ମୁଣ୍ଡା ବ୍ରିଟିଶମାନଙ୍କ ପାଇଁ ଏକ ଅବରୋଧ ଥିଲେ , ଯାହାଙ୍କ ଦମନ ଥିଲା ସେତେବେଳେ ବ୍ରିଟିଶ ଶାସନର ପ୍ରମ୍ମୁଖ ଲକ୍ଷ୍ୟ ।

 

ବିର୍ସା ମୁଣ୍ଡାଙ୍କୁ ୦୩ ମାର୍ଚ୍ଚ ୧୯୦୦ ରେ ଗିରଫ କରାଯାଇଥିଲା ଏବଂ ତାଙ୍କୁ ରାଞ୍ଚି ଜେଲରେ ରଖାଯାଇଥିଲା। ଜେଲରେ କଲେରା ରୋଗର ଶିକାର ହୋଇଥିବା ବିର୍ସା ମୁଣ୍ଡା ୦୯ ଜୁନ୍ ୧୯୦୦ ରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ତାଙ୍କର ଅଦ୍ଭୁତ ସଂଗଠନ ଶକ୍ତି, ଅଦୃଶ୍ୟ ମାର୍କମ୍ୟାନ୍ସିପ୍, ଚମତ୍କାର ବ୍ୟକ୍ତିତ୍ୱ, ମାତ୍ର ୨୫ ବର୍ଷ ବୟସରେ ଇଂରାଜୀ ଶାସନରୁ ମୁକ୍ତ ହେବାକୁ ଇଚ୍ଛା କରି ବିର୍ସା ମୁଣ୍ଡା ଆଜି ସମଗ୍ର ଆଦିବାସୀ ଅଞ୍ଚଳରେ ପ୍ରଭୁ ବିର୍ସା ମୁଣ୍ଡା ଭାବରେ ସମ୍ମାନିତ।

ବିର୍ସା ମୁଣ୍ଡା ଦ୍ୱାରା ସଂଗଠିତ ରୂପରେ ଧନୁ ତୀର ଯୁଦ୍ଧ ବ୍ରିଟିଶ ରାଜକୁ ଭାରି ପଡିଥିଲା। ଆଦିବାସୀ ସମାଜ ବ୍ରିଟିଶ ତୋପ ଏବଂ ବନ୍ଧୁକକୁ ଖାତିର କରୁନଥିଲେ ଏବଂ ଆଦିବାସୀ ମୁଣ୍ଡା ସମାଜ କୁ ଦମନ କରିପାରୁନଥିଲେ କାରଣ ଥିଲା ବିର୍ସା ମୁଣ୍ଡାଙ୍କ ନେତୃତ୍ୱ। ଯେତେବେଳେ ବ୍ରିଟିଶମାନେ ବିର୍ସା ମୁଣ୍ଡାକୁ ଧରିବା କିମ୍ବା ହତ୍ୟା କରିବାରେ ଅସମର୍ଥ ହେଲେ, ସେତେବେଳେ ବିର୍ସା ମୁଣ୍ଡାଙ୍କ ଉପରେ ୫୦୦ ଟଙ୍କା ପୁରସ୍କାର ଘୋଷଣା କରିଥିଲେ। ଏହି ୫୦୦ ଟଙ୍କା ତୋପ ବନ୍ଧୁକକୁ ପିଟିବା ଭଳି କାମ କରିଥିଲା ଏବଂ କିଛି ଆଦିବାସୀଙ୍କ ଲୋଭ ରେ ବିର୍ସା ମୁଣ୍ଡା ଙ୍କ ସୂଚନା ଦେଇ ତାଙ୍କୁ ଧରାଇ ଦେଇଥିଲେ। ବିର୍ସା ମୁଣ୍ଡା ରାଞ୍ଚି ଜେଲରେ କାରାଗାରରେ ଥିଲେ ଯେଉଁଠାରେ ବାଡିଣ୍ଟଜାମି ତାଙ୍କ ଜୀବନ ନେଇଥିଲେ। ଆଦିବାସୀ ସମାଜ ସେମାନଙ୍କ ଅଧିକାର ଓ ସମାଜ ପାଇଁ ସଂଗ୍ରାମ କରି ଶହୀଦ ହୋଇଥିଲେ, ବ୍ରିଟିଶ ରାଜ ଏବଂ ଆଜି ମଧ୍ୟ ନକ୍ସଲମାନେ ଜଳ-ଜଙ୍ଗଲ ଜମି ଉପରେ ସେମାନଙ୍କର ଅଧିକାରକୁ ନେଇ ଯୁଦ୍ଧ କରୁଛନ୍ତି।