କରୋନାରୁ ’ଜୱାଦ୍’, କେମିତି ସଫଳ ମୁକାବିଲା କରିଥିଲା ଓଡ଼ିଶା ?

1 min read
How Odisha Successfully Handled Corona And Cyclone In 2021

ମହାମାରୀ ସହ ଯୁଝୁଥିଲା ବିଶ୍ୱ । ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରୁଥିଲା ଭାରତ । ଦେଶର ଏହି ଘଡ଼ିସନ୍ଧି ମୁହୂର୍ତ୍ତରେ ସଞ୍ଜିବନୀ ଯୋଗାଇଥିଲା ଓଡ଼ିଶା । ବିଦାୟ ବର୍ଷ ୨୦୨୧ରେ ଓଡ଼ିଶା ଦେଶ ପାଇଁ ପାଲଟିଥିଲା ରାହା । ସାମୁଦ୍ରିକ ଝଡ଼ ‘ୟାସ୍’ ଓଡ଼ିଶା ଉପକୂଳ ମୁହାଁଉଥିବା ବେଳେ ଅନ୍ୟ ରାଜ୍ୟକୁ ଟନ୍ ଟନ୍ ଅମ୍ଲଜାନ ପଠାଇ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା ରାଜ୍ୟ । ଝଡ଼ର ମାଡ଼ ଭିତରେ ଅନ୍ୟ ରାଜ୍ୟରେ ଓଡ଼ିଶା ପହଞ୍ଚାଇଥିଲା ନିଶ୍ୱାସ । ଯାହାକୁ ନେଇ ଅନ୍ତର୍ଜାତୀୟ ମେଡିକାଲ୍ ଜର୍ଣ୍ଣାଲ ଦ ଲାନସେଟ୍ ମଧ୍ୟ ଓଡ଼ିଶାକୁ ପ୍ରଂଶସା କରିଥିଲା ।

ଓଡ଼ିଶା ବାଣ୍ଟିଥିଲା ସଞ୍ଜିବନୀ

କରୋନାର ପ୍ରଥମ ପ୍ରବାହ ଭଳି ଦ୍ୱିତୀୟ ପ୍ରବାହରେ ଆଗୁଆ ସତର୍କ ହୋଇଥିଲା ଓଡ଼ିଶା । ସଂକ୍ରମଣର ଚେନରେ ବ୍ରେକ୍ ଦେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଇଥିଲେ ୬ ସୂତ୍ରୀ ମନ୍ତ୍ର । ବଢ଼ାଇଥିଲେ କରୋନା ଯୋଦ୍ଧାଙ୍କ ମନୋବଳ । କେନ୍ଦ୍ରର ଘୋଷଣା ପୂର୍ବରୁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କ ପାଇଁ ମାଗଣା କୋଭିଡ୍ ଟିକା ଘୋଷଣା କରିବା ସହ ଆଗୁଆ ଅର୍ଡର ମଧ୍ୟ ଦେଇଥିଲେ । ଏତିକିରେ ଅଟକି ନଥିଲେ ମୁଖ୍ୟମନ୍ତ୍ରୀ । କୋଭିଡ୍ ଟିକା ପାଇଁ ଦେଶରେ ପ୍ରଥମ ରାଜ୍ୟ ଭାବେ ଓଡ଼ିଶା ବିଶ୍ୱସ୍ତରରେ ଡାକିଥିଲା ଟେଣ୍ଡର । ଅନଲାଇନରେ କୋଭିଡ୍ ପରୀକ୍ଷା ରିପୋର୍ଟ ପାଇଁ ସରକାର ଆରମ୍ଭ କରିଥିଲେ ୱେବସାଇଟ୍ ।

ମହାମାରୀ ସହ ଓଡ଼ିଶା ଲଢ଼ୁଥିବା ବେଳେ ମାଡ଼ି ଆସିଥିଲା ବିପର୍ଯ୍ୟୟ । ଉତ୍ତର ଓଡ଼ିଶାରେ ତାଣ୍ଡବ ରଚିଥିଲା ବାତ୍ୟା ‘ୟାସ୍’ । ପ୍ରବଳ ବର୍ଷା, ପବନ ଭିତରେ ଓଡ଼ିଶା ବିଭିନ୍ନ ରାଜ୍ୟକୁ ବାଣ୍ଟି ଚାଲିଥିଲା ସଞ୍ଜିବନୀ । ଟନ୍ ଟନ୍ ଅମ୍ଲଜାନ ଓଡ଼ିଶା ଅନ୍ୟ ରାଜ୍ୟକୁ ପଠାଇ କରୋନା ଆକ୍ରାନ୍ତଙ୍କୁ ନୂଆ ପ୍ରାଣ ଦେଇଥିଲା । ଯେଉଁଥିପାଇଁ ଜାତୀୟ ସହ ଅନ୍ତର୍ଜାତୀୟ ସ୍ତରରେ ଉଚ୍ଚ ପ୍ରଂଶସିତ ହୋଇଥିଲା ଓଡ଼ିଶା । ଅନ୍ତର୍ଜାତୀୟ ମେଡିକାଲ ଜର୍ଣ୍ଣାଲ ଦ ଲାନସେଟ୍ ମଧ୍ୟ ଓଡ଼ିଶାକୁ ପ୍ରଂଶସା କରିଥିଲା । ଉଚ୍ଚକୋଟୀର କୋଭିଡ୍ ଡ୍ୟାସବୋର୍ଡ ପାଇଁ ଓଡ଼ିଶାକୁ ମିଳିଥିଲା ଟେକ୍ ସଭା ଆୱାର୍ଡ ।

https://twitter.com/i/status/1397449000941326337

କୋଭିଡର ଦ୍ୱିତୀୟ ପ୍ରବାହର ସଫଳ ମୁକାବିଲା କରିଥିବା ଓଡ଼ିଶା ଏବେ ତୃତୀୟ ପ୍ରବାହକୁ ସାମ୍ନା କରିବାକୁ ପ୍ରସ୍ତୁତ । କୋଭିଡ୍ ଯୋଗୁଁ ଲୋକଙ୍କ ଆର୍ଥିକ ଅବସ୍ଥା ଖରାପ ହୋଇ ଯାଇଥିବା ବେଳେ ସରକାର ରାସନ କାର୍ଡ ହିତାଧିକାରୀଙ୍କୁ ୧ ହଜାର ଟଙ୍କା ଲେଖାଏ ଯୋଗାଇ ଦେଇଛନ୍ତି । ତା ସହ ୨୦୨୨ ମାର୍ଚ୍ଚ ଯାଏ ଅତିରିକ୍ତ ୫ କେଜି ମାଗଣା ଚାଉଳ ଯୋଗାଇ ଦେବେ ସରକାର ।

ଭାର ନୁହେଁ ଓଡ଼ିଶା

କରୋନା ବେଳେ ବାତ୍ୟା ମାଡ଼ ହୋଇଥିଲେ ବି କେନ୍ଦ୍ର ଉପରେ ଅନୁଦାନ ପାଇଁ ଚାପ ପକାଇ ନଥିଲେ ସରକାର । ନିଜସ୍ୱ ପାଣ୍ଠିରେ ବାତ୍ୟା ପରବର୍ତ୍ତୀ ପୁନରୁଦ୍ଧାର ଓ ଥଇଥାନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଷ୍ପତ୍ତି ନେଇଥିଲେ । ଯେଉଁଥିପାଇଁ ସମଗ୍ର ଦେଶରେ ଓଡ଼ିଶା ଚର୍ଚ୍ଚାକୁ ଆସିଥିଲା । ବାତ୍ୟା ପ୍ରଭାବିତ ଲୋକଙ୍କ ପାଇଁ ୭ ଦିନିଆ ରିଲିଫ୍ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ । ୧୨୮ ଜଳବନ୍ଦୀ ଗାଁର ଲୋକଙ୍କୁ ରନ୍ଧା ସହ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଥିଲା । ବାତ୍ୟାର ୨୪ ଘଣ୍ଟା ମଧ୍ୟରେ ସ୍ୱଭାବିକ ହୋଇଥିଲା ୮୦ ପ୍ରତିଶତ ବିଦ୍ୟୁତ୍ ସେବା ।

How Odisha Successfully Handled Corona And Cyclone In 2021

ବର୍ଷ ଶେଷକୁ ଆଉ ଏକ ସାମୁଦ୍ରିକ ଝଡ଼ ‘ଜୱାଦ୍’ ଓଡ଼ିଶା ମୁହାଁ ହୋଇଥିଲା । ‘ଜୱାଦ୍’ ମୁକାବିଲା ପାଇଁ ସରକାର ବ୍ୟାପକ ପଦକ୍ଷେପ ନେବା ସହ ତଳିଆ ଅଞ୍ଚଳରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନାନ୍ତରଣ ଆରମ୍ଭ କରିଥିଲା । ଆଶ୍ୱସ୍ତିର କଥା ‘ଜୱାଦ୍’ ସମୁଦ୍ରରେ ହିଁ ଦୁର୍ବଳ ହୋଇ ଯାଇଥିଲା । ଏବେ ବର୍ଷ ୨୦୨୧ ସରୁଥିବା ବେଳେ ଥମିନି ମହାମାରୀ କରୋନା । ପ୍ରତିବର୍ଷ ବାତ୍ୟା, ବନ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟର ସାମ୍ନା କରୁଥିବା ଓଡ଼ିଶା ଦୀର୍ଘ ମିଆଦୀ ଯୋଜନା ପାଇଁ କେନ୍ଦ୍ର ନିକଟରେ ଦାବି ରଖିଛି ।

Leave a Reply