spot_img
Home Blog Page 4926

ସ୍ୱାସ୍ଥ୍ୟ ସେବାର ନୂଆ ଚିତ୍ର ଆଙ୍କିବ ଝାରସୁଗୁଡ଼ା, ଆଜି ଭର୍ଚୁଆଲରେ BSKY ସ୍ମାର୍ଟକାର୍ଡ ବଣ୍ଟନର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ

ଝାରସୁଗୁଡା: ରାଜ୍ୟରେ କେହି ଆଉ ଚିକିତ୍ସା ପାଇଁ ହଇରାଣ ହରକତ ହେବା ନାହିଁ। ଚିକିତ୍ସା ପାଇଁ କାହାରିକି ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବନାହିଁ କି କେହି ଟଙ୍କା ପାଇଁ ଜାଗା ବିକ୍ରି କରିବେ ନାହିଁ। କାରଣ ଏବେ ଘରେ ଘରେ ପହଞ୍ଚୁଛି ସ୍ମାର୍ଟ କାର୍ଡ, ସ୍ମାର୍ଟ ସହାୟତା। ଝାରସୁଗୁଡାରେ ଲେଖାହେବ ସ୍ମାର୍ଟ କାହାଣୀ। ସ୍ମାର୍ଟ ସ୍ୱାସ୍ଥ୍ୟସେବା ତାଲିକାରେ ଯୋଡିହେବ ଝାରସୁଗୁଡା। ଭର୍ଚ୍ଚୁଆଲରେ ନୂଆ ସ୍ମାର୍ଟକାର୍ଡ ବଣ୍ଟନର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହାସହ ୩ଶହ କୋଟିରୁ ଅଧିକ ବିଭିନ୍ନ ଜନକଲ୍ୟାଣକାରୀ ପ୍ରକଳ୍ପ ଉଦଘାଟନ ଓ ଭିତ୍ତିପ୍ରସ୍ଥର ସ୍ଥାପନ କାର୍ଯ୍ୟକ୍ରମ ରହିଛି।

ସାରା ଦେଶରେ ଏପରି ଯୋଜନା ପ୍ରଥମ ହୋଇଥିବାବେଳେ ଏହି ବ୍ୟବସ୍ଥା ଦ୍ୱାରା ଚିକିତ୍ସା କ୍ଷେତ୍ରରେ ବୈପ୍ଲବିକ ପରିବର୍ତ୍ତନ ଆଣିଛନ୍ତି ରାଜ୍ୟ ସରକାର। ସ୍ମାର୍ଟ ହେଲଥ କାର୍ଡ ଦ୍ୱାରା ଆର୍ଥିକ ସମସ୍ୟାରୁ ମୁକ୍ତ ହୋଇପାରିବେ ଲୋକ। ଲୋକେ ଜମିବାଡ଼ି ବିକିବେନି କି ପିଲାଙ୍କ ପାଠପଢା ବନ୍ଦ ହେବନି। କାର୍ଡ ଖଣ୍ଡିଏ ଧରି ଦେଶର ୨୦୦ ବଡ ବଡ ହସ୍‌ପିଟାଲରେ ଭଲ ଚିକିତ୍ସା ପାଇପାରିବେ।

ଏଥିପାଇଁ ଟଙ୍କାଟିଏ ବି ଖର୍ଚ୍ଚ କରିବାକୁ ପଡିବ ନାହିଁ। ପରିବାରର ସବୁ ସଦସ୍ୟଙ୍କ ପାଇଁ ବର୍ଷକୁ ୫ଲକ୍ଷ ମହିଳାଙ୍କ ପାଇଁ ବର୍ଷକୁ ୧୦ ଲକ୍ଷ ଟଙ୍କାର ଚିକିତ୍ସା ସହାୟତା ମିଳିବ। କାର୍ଯ୍ୟକ୍ରମରେ ସ୍ଥାନୀୟ ବିଧାୟକ ତଥା ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ, ମନ୍ତ୍ରୀ ସୁଶାନ୍ତ ସିଂ ଓ ବ୍ରଜରାଜନଗର ବିଧାୟକ କିଶୋର କୁମାର ମହାନ୍ତି ଯୋଗଦେବେ। ଝାରସୁଗୁଡାରେ ଆଜିଠୁ ସ୍ମାର୍ଟ ହେଲ୍ଥ କାର୍ଡ ବଣ୍ଟା ହେବ। ଏନେଇ ମୁଖ୍ୟମନ୍ତ୍ରୀ ଉତ୍ସାହିତ ଓ ଖୁସି ବୋଲି ଟ୍ୱିଟ କରି ସୂଚନା ଦେଇଛନ୍ତି।

ସ୍କୁଲରେ ଆଜିଠାରୁ ନନ୍‌ଷ୍ଟପ ଚାଲିବ ପାଠପଢ଼ା, ସ୍କୁଲକୁ ଆସିବେ ଷଷ୍ଠ ଓ ସପ୍ତମ ଶ୍ରେଣୀ ଛାତ୍ରଛାତ୍ରୀ

ଭୁବନେଶ୍ୱର: ଆଜିଠୁ ସ୍କୁଲରେ ଆହୁରି ବଢିବ କୋଳାହଳ। ନନଷ୍ଟପ୍ ଚାଲିବ ପାଠପଢା। ଆଜିଠୁ ସ୍କୁଲ୍ ଆସିବେ ଷଷ୍ଠ ଓ ସପ୍ତମ ଶ୍ରେଣୀ ଛାତ୍ରଛାତ୍ରୀ। ଦୀର୍ଘ ଦେଢ ବର୍ଷ ପରେ ସ୍କୁଲ ହତା ମାଡିବେ ଛାତ୍ରଛାତ୍ରୀ। କୋଭିଡ କଟକଣାରେ ଶ୍ରେଣୀ ଗୃହରେ ହେବ ଶିକ୍ଷାଦାନ। ଏଥିପାଇଁ ସ୍କୁଲ ପରିସରରେ ହୋଇଛି ସ୍ୱତନ୍ତ୍ର ପ୍ରସ୍ତୁତି। ସ୍କୁଲ ଓ ଗଣଶିକ୍ଷା ବିଭାଗ ଜାରି କରିଥିବା ଗାଇଡଲାଇନ୍ ଅନୁସାରେ ପାଠ ପଢାଯିବ। ଶ୍ରେଣୀ ଗୃହ ସହିତ ସ୍କୁଲ ପରିସରକୁ ସାନିଟାଇଜ୍ କରାଯିବା ସହିତ ସାମାଜିକ ଦୂରତାରେ ପାଠ ପଢାଇବା ପାଇଁ ସ୍ୱତନ୍ତ୍ର ପ୍ରସ୍ତୁତି କରାଯିବ।

ସମସ୍ତଙ୍କ ପାଇଁ ମାସ୍କ ବାଧ୍ୟତାମୂଳକ ହୋଇଥିବା ବେଳେ ସାନିଟାଇଜର ବ୍ୟବହାର ସହିତ ସାମାଜିକ ଦୂରତା ରକ୍ଷା କରିବେ ଛାତ୍ରଛାତ୍ରୀ। କରୋନା ପାଇଁ ଦେଢ ବର୍ଷରୁ ଅଧିକ ସମୟ ଧରି ସ୍କୁଲ୍ ବନ୍ଦ ରହିଥିଲା। ବିଭିନ୍ନ ପର୍ଯ୍ୟାୟରେ ପୂର୍ବରୁ ଅଷ୍ଟମରୁ ଦ୍ୱାଦଶ ପିଲାଙ୍କ ପାଠପଢା ଅପଲାଇନରେ ଚାଲୁ ରହିଛି। ଏବେ ଷଷ୍ଠ ଓ ସପ୍ତମ ଶ୍ରେଣୀ ପିଲାମାନେ ଶ୍ରେଣୀ ଗୃହରେ ବସି ପାଠ ପଢିବାର ସୁଯୋଗ ପାଇବେ। ଏଥିପାଇଁ ଉତ୍ସାହିତ ଅଛନ୍ତି ଛାତ୍ରଛାତ୍ରୀ।

ଲଘୁଚାପ ପରେ କମିଲା ଶୀତ, ହେଲେ ଉପାନ୍ତରୁ ଉପକୂଳ ଘନ କୁହୁଡ଼ିରେ ଭର୍ତ୍ତି

ଭୁବନେଶ୍ୱର: ଲଘୁଚାପ ପରେ କମିଲା ଶୀତ। ଉପାନ୍ତରୁ ଉପକୂଳ ଘନ କୁହୁଡିର ଆସ୍ତରଣ। ଶୀତ ଲହରୀରେ ବ୍ରେକ୍, ଫେରିଲା କୁହୁଡି। ରାଜଧାନୀରେ ଘନ କୁହୁଡିର ଆସ୍ତରଣ। ସକାଳ ୬ଟାରେ ମୁହଁକୁ ମୁହଁ ଦିଶୁନି। ଯାତାୟତରେ ସମସ୍ୟା ହେଉଥିବା ବେଳେ ଗାଡିଚାଳକ ଗାଡି ଲାଇଟ୍ ଦେଇ ଯାଆସ କରୁଛନ୍ତି। କୁହୁଡିର ମୋଟା ଆସ୍ତରଣ ଦେଖିବାକୁ ମିଳିଛି ରାଜଧାନୀ ଭୁବନେଶ୍ୱରରେ। ସେପଟେ ରାଜ୍ୟରେ କମିଛି ବର୍ଷା। ଅଧିକାଂଶ ଜିଲ୍ଲାରେ ଆକାଶ ମେଘାଛନ୍ନ ରହିଛି। ସୃଷ୍ଟି ହୋଇଥିବା ଲଘୁଚାପ ଆଜି ଅଧିକ ଘନୀଭୂତ ହୋଇ ଓ୍ୱେଲମାର୍କ ଲୋ-ପ୍ରେସରରେ ପରିଣତ ହେବ।

ଏହା ପ୍ରଭାବରେ ୧୭ ଏବଂ ୧୮ ତାରିଖରେ ଦକ୍ଷିଣ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ୧୭ ତାରିଖରେ ପ୍ରବଳ ବର୍ଷା ପାଇଁ ଗଞ୍ଜାମ ଏବଂ ଗଜପତି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଥିବା ବେଳେ ୧୮ ତାରିଖରେ ଦକ୍ଷିଣ ଓଡ଼ିଶାର ୫ଟି ଜିଲ୍ଲା ଯଥା ଗଞ୍ଜାମ, ଗଜପତି, ରାୟଗଡା, କୋରାପୁଟ ଏବଂ ମାଲକାନଗିରିକୁ ସତର୍କତା ଜାରି କରାଯାଇଛି। ଉପକୂଳ ଓଡ଼ିଶାର ଜିଲ୍ଲା ଗୁଡିକରେ ପାଗ କୋହଲା ରହିବା ସହ କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ସମୁଦ୍ର ଅଶାନ୍ତ ରହିବା କାରଣରୁ ମତ୍ସଜୀବୀଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି।

 

ଅଷ୍ଟ୍ରେଲିଆ ଟି-୨୦ ବିଶ୍ପକପ୍ ନୂଆ ଚାମ୍ପିଅନ

ଦୁବାଇ: ଟି-୨୦ ଫର୍ମାଟ ପାଇଛି ତାର ନୂଆ ଚାମ୍ପିଅନ । ନ୍ୟୁଜିଲାଣ୍ଡକୁ ଟି୨୦ ବିଶ୍ବକପ୍ ଫାଇନାଲରେ ୮ ଓ୍ବିକେଟରେ ହରାଇ ଅଷ୍ଟ୍ରେଲିଆ ହୋଇଛି ଚାମ୍ପିଅନ । ୧୭୩ ରନ ବିଜୟ ଲକ୍ଷ୍ୟକୁ ୭ଟି ବଲ ବାକି ଥାଇ ୨ ଓ୍ବିକେଟ ହରାଇ ଅଷ୍ଟ୍ରେଲିଆ ହାସଲ କରି ନେଇଛି । ଅଷ୍ଟ୍ରେଲିଆ ଟିମ୍ ବିଜୟରେ ମିଚେଲ ହିରୋ ସାଜିଥିଲେ । ସେ ୫୦ ବଲରେ ୬ ଚୌକା ଓ ୪ ଛକା ସହ ୭୭ ରନ୍ କରି ନଟ ଆଉଟ୍ ରହିଥିଲେ । ଓପନର ଫିଞ୍ଚ ବିଶେଷ କିଛି କରି କରିପାରି ନଥିଲେ । ହେଲେ ଅନ୍ୟତମ ଓପନର ଓ୍ବାର୍ଣ୍ଣର ୫୩ ରନର ଧୂଆଁଧାର ପାରି ଖେଳିଥିଲେ । ୩୮ ବଲର ସମ୍ମୁଖୀନ ହୋଇ ୪ ଚୌକା ଓ ୩ ଛକା ସହାୟତାରେ ସେ ଏହି ରନ୍ କରିଥିଲେ । ମାକ୍ସଓ୍ବେଲ ୨୮ ରନ୍ କରି ନଟ ଆଉଟ ରହିଥିଲେ । ନ୍ୟୁଜିଲାଣ୍ଡ ତରଫରୁ ଟ୍ରଣ୍ଟ ବୋଲ୍ଟ ୨ଟି ଓ୍ବିକେଟ ନେଇଥିଲେ । ଅନ୍ୟ କୌଣସି ବୋଲର ଅଷ୍ଟ୍ରେଲିଆ ବ୍ୟାଟ୍ସମ୍ୟାନଙ୍କ ଉପରେ ପ୍ରଭାବ ପକାଇ ପାରିନଥିଲେ ।

ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲାଣ୍ଡ ୨୦ ଓଭରରେ ୪ ଓ୍ବିକେଟ ହରାଇ ୧୭୨ ରନ୍ କରିଥିଲା । ଦଳ ତରଫରୁ ଅଧିନାୟକ ଓ୍ବିଲମସନ ୧୦ ଚୌକା ଓ ୩ ଛକା ସହାୟତାରେ ୮୫ ରନର ପାରି ଖେଳିଥିଲେ । ଓପନର ଗୁପଟିଲ ୨୮ ରନ୍ କରିଥିଲେ । ଅନ୍ୟ କୌଣସି ଖେଳାଳି ଆଖିଦୁର୍ଶିଆ ପ୍ରଦର୍ଶନ କରିପାରି ନଥିଲେ । ଅଷ୍ଟ୍ରେଲିଆ ପକ୍ଷରୁ ଜୋସ ହାଜଲେଉଡ ସର୍ବାଧିକ ୩ ଓ୍ବିକେଟ ନେଇଥିବା ବେଳେ ଆଦାମ ଜାମ୍ପା ଗୋଟିଏ ଓ୍ବିକେଟ ନେଇଥିଲେ ।

ୟୁପି ମହାସଂଗ୍ରାମ: ଜିନ୍ନାଙ୍କ ପରେ ଚନ୍ଦ୍ରଗୁପ୍ତ ମୌର୍ଯ୍ୟଙ୍କ ଏଣ୍ଟ୍ରି, ଯୋଗୀ-ଓଓ୍ବେସୀ ମୁହାଁମୁହିଁ

ଲକ୍ଷ୍ନୌ: ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ଯେତେ ପାଖେଇ ଆସୁଛି, ରାଜେନୖତିକ ଉଷ୍ଣତା ସେତେ ବଢ଼ିବାରେ ଲାଗିଛି । ଏଥର କେବଳ ବିକାଶ କି ଜାତି, ଧର୍ମ ନୁହେଁ, ଇତିହାସ ବି ଜୋରସୋରରେ ନିର୍ବାଚନୀ ଦଙ୍ଗଲରେ ଇସ୍ୟୁ ହେବାରେ ଲାଗିଛି । ଇତିହାସକୁ ନେଇ ରାଜନୈତିକ ଦଳ ସେମାନଙ୍କ ଗୋଟି ଚାଳନା ଆରମ୍ଭ କରିଦେଇଛନ୍ତି । ଆଉ ତା’ସହ ତାଳଦେଇ ଆରମ୍ଭ ହୋଇଯାଇଛି ପରସ୍ପର ଉପରକୁ କାଦୁଅ ଫିଙ୍ଗା ବୟାନବାଜି । ମହମ୍ମଦ ଅଲ୍ଲୀ ଜିହ୍ନାଙ୍କ ପରେ ଏବେ ୟୁପି ରାଜନୀତିରେ ସମ୍ରାଷ୍ଟ ଚନ୍ଦ୍ରଗୁପ୍ତ ମୌର୍ଯ୍ୟଙ୍କ ଏଣ୍ଟ୍ରି ହୋଇଛି । ଯାହାକୁ ନେଇ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ଏଆଇଏମଆଇଏମ ମୁଖ୍ୟ ଅସଦୁଦ୍ଦିନ ଓଓ୍ବେସୀ ମୁହାଁମୁହିଁ ହୋଇଛନ୍ତି ।

ରବିବାର ମୁଖ୍ୟମନ୍ତ୍ରୀ ଲକ୍ଷ୍ନୌ ବ୍ରାହ୍ମଣ ପରିବାରର ୧୬ତମ ପ୍ରତିଷ୍ଠା ଦିବସରେ ସାମିଲ ହୋଇଥିଲେ । ଏଥିରେ ସମ୍ବୋଧନ ଦେବା ବେଳେ ତାଲିବାନଠାରୁ ଆରମ୍ଭ କରି ଚନ୍ଦ୍ରଗୁପ୍ତଙ୍କ ଇତିହାସ କହିଥିଲେ । ଚନ୍ଦ୍ରଗୁପ୍ତ ମୌର୍ଯ୍ୟଙ୍କ ସମ୍ପର୍କରେ କହିବା ବେଳେ ଯୋଗୀ ଐତିହାସିକଙ୍କୁ ଆକ୍ଷେପ କରି କରିବା ସହ ଲୋକେ ଚନ୍ଦ୍ରଗୁପ୍ତଙ୍କୁ ମହାନ ରାଜା ମାନନ୍ତି ନାହିଁ ବୋଲି କହିଥିଲେ ।

ଏହି ବୟାନ ଆସିବା ପରେ ଓଓ୍ବେସୀ ଯୋଗୀଙ୍କୁ ଟାର୍ଗେଟ କରିଛନ୍ତି । ଚନ୍ଦ୍ରଗୁପ୍ତ କେତେ ମହାନ ତାକୁ ନେଇ ଯୁକ୍ତି କରିନାହାନ୍ତି ଓଓ୍ବେସୀ । ହେଲେ ଯୋଗୀଙ୍କ ଜ୍ଞାନକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ଓଓ୍ବେସୀ କହିଛନ୍ତି, ‘ସିଏମ ଯୋଗୀଙ୍କର ଇତିହାସକୁ ନେଇ କୌଣସି ଜ୍ଞାନ ନାହିଁ । ସେ ସମୟ ଦେଖି ବୟାନବାଜି କରିଥାନ୍ତି । ସେ ଶିକ୍ଷାକୁ ଗୁରୁତ୍ବ ଦିଅନ୍ତି ନାହିଁ ।’ ଏହା କହିବା ବେଳେ ଯୋଗୀଙ୍କୁ ଓଓ୍ବେସୀ ବାରମ୍ବାର ‘ବାବା’ କହି ସମ୍ବୋଧିତ କରୁଥିଲେ ।

ସୂଚନାଯୋଗ୍ୟ, ଚନ୍ଦ୍ରଗୁପ୍ତଙ୍କ ବ୍ୟତୀତ ଯୋଗୀ ବ୍ରାହ୍ମଣ ସମାଜକୁ ନେଇ ବହୁତ କିଛି କହିଥିଲେ । ଏହାସହ ତାଲିବାନକୁ ଟାର୍ଗେଟ କରିବାକୁ ଭୁଲି ନଥିଲେ । ସେ କହିଥିଲେ ‘ରାମାୟଣ ଓ ମହାଭାରତ ଯୁଗରୁ ଆମ ଦେଶ ସହ ଆଫଗାନିସ୍ତାନର ସମ୍ପର୍କ ରହିଛି । ତାଲିବାନ ଯେଉଁ ଭଳି ଭାବେ ଏହାକୁ ଦଖଲକୁ ନେଲା ଏହାକୁ ସଭ୍ୟ ସମାଜ ସମର୍ଥନ କରେନି । କେହି ସମର୍ଥନ କରିବେ ନାହିଁ, ନକରିବା ବି ଦରକାର ।’

ଏହି ଅବସରରେ ଅଖିଳେଶ ଯାଦବଙ୍କୁ ଟାର୍ଗେଟ କରିବାକୁ ମଧ୍ୟ ଯୋଗୀ ପଛାଇ ନଥିଲେ । କହିଥିଲେ, ‘ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଯଦି ରାଜ୍ୟମାନଙ୍କୁ ଏକାଠି କରିବାରେ ସାମାନ୍ୟ ଭୁଲ କରିଥାନ୍ତେ ତେବେ ଆଜି ଆମ ଦେଶର ମାନଚିତ୍ର କେମିତି ହୋଇଥାନ୍ତି । ଆଜି ଏମିତି ରାଷ୍ଟ୍ର ନାୟକଙ୍କୁ ଜିନ୍ନାଙ୍କ ସହ ତୁଳନା କରି ପୂରା ଦେଶକୁ ଅପମାନିତ ହେବାର କାମ କରାଯାଉଛି ।’

ଓଡିଶା ମୋ ପରିବାର ଦ୍ୱାରା ରକ୍ତଦାନ ଶିବିର ଓ ଅଙ୍ଗଦାନ ଶିବିର

କଟକ: ଓଡିଶା ମୋ ପରିବାର ଓ ଇନର ହୁଇଲ କ୍ଲବ କଟକ ଦ୍ୱାରା ଏକ ଅଙ୍ଗଦାନ ଓ ରକ୍ତଦାନ ଶିବିରକୁ ଉଦ୍ଘାଟନ କରିଛନ୍ତି ଓଡିଶା ମୋ ପରିବାର ଅଧକ୍ଷ ଅରୂପ ପଟ୍ଟନାୟକ।ଏହି କାର୍ଯ୍ୟକ୍ରମରେ କଟକ ଜିଲ୍ଲା ଓ ମହାନଗର ଛାତ୍ର ଜନତା ଦଳ ଓ ବିଜେଡି ଲିଗାଲ ଫ୍ରଣ୍ଟ ର କର୍ମକର୍ତ୍ତା ଙ୍କ ସହଯୋଗ ରେ ଅନେକ ଲୋକ ରକ୍ତ ଦାନ କରିବା ସହ ନିଜର ଅଙ୍ଗଦାନ କରିବାକୁ ସ୍ୱୀକୃତି ଦେଇଛନ୍ତି ।

ଓଡ଼ିଶାରେ ପ୍ରଥମ ଥର ପାଇଁ ଏଭଳି ଅଙ୍ଗଦାନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବା ବେଳେ, ବାରବାଟୀ କଟକର ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ ,ଇନର ହୁଇଲ କ୍ଲବ କଟକ ର ସଭାପତି ନମିତା କାନୁନଗୋ ଓ ଓଡିଶା ମୋ ପରିବାର ସଂଯୋଜକ ରଞ୍ଜନ ବିଶ୍ୱାଳ ପ୍ରମୁଖ ନିଜର ଅଙ୍ଗଦାନ କରିବା ପାଇଁ ନାମ ପଞ୍ଜିକରଣ କରିଥିଲେ।ଅଙ୍ଗଦାନ କରିବା ଦ୍ୱାରା ଆମେ ଅନେକ ଲୋକଙ୍କ ଜୀବନ ବଞ୍ଚାଇପାରିବା ଓ ଆଗକୁ ଏହି କାର୍ଯ୍ୟକ୍ରମ କୁ ବ୍ୟାପକ କରାଯିବ ବୋଲି କହିଛନ୍ତି ଓଡିଶା ମୋ ପରିବାର ଅଧକ୍ଷ ଅରୂପ ପଟ୍ଟନାୟକ।

ବଦଳିବ ହ୍ବାଟ୍ସଆପର ଲାଷ୍ଟ ସିନ୍ ଫିଚର୍: ନିଜ ଇଚ୍ଛାରେ ଚୁଲାଇ ପାରିବେ କଣ୍ଟେନ୍

ନୂଆଦିଲ୍ଲୀ: ହ୍ବାଟ୍ସଆପର ଲାଷ୍ଟ ସିନ୍ ଫିଚର ବେଶ ପପୁଲାର । ଏହାକୁ ହ୍ବାଟ୍ସଆପ ୟୁଜର ବହୁଳ ବ୍ୟବହାର କରିଥାନ୍ତି । ଏଥିରେ ବ୍ଲୁ ଷ୍ଟିକ ଫିଚରକୁ ଆପଣ ଚାହିଁଲେ ଅନ୍ ଓ ଅଫ୍ ବି କରିପାରିବେ । ଏହା ବ୍ୟତୀତ ଏଥିରେ ଅନ୍ୟ କୌଣସି ଫ୍ରାଇଭେଟ୍ ଅପସନ୍ ଦିଆଯାଇନାହିଁ । ଏବେ ରିପୋର୍ଟ ଆସୁଛି ହ୍ବାଟ୍ସଆପ ଏହି ଫଇଚରରେ ଅନ୍ୟ ବିକଳ୍ପ ମଧ୍ୟ ଯୋଡିବାକୁ ଯାଉଛି । ଏଥିରେ ଆପଣ କିଛି ଚାଟର ଲାଷ୍ଟ ସିନକୁ ଲୁଚାଇ ପାରିବେ ।

ଏହି ଫିଚର ଆସିବା ପରେ ୟୁଜର୍ସ ନିଜେ ଲାଷ୍ଟ ସିନ୍ ଅପସନକୁ ନିଜ ଇଚ୍ଛାରେ ଅପରେଟ କରିପାରିବେ । ଲାଷ୍ଟ ସିନକୁ ହାଇଡ କରି ରଖୁଥିବା ୟୁଜର୍ସଙ୍କ ପାଇଁ ଏହି ଫିଚର ବହୁତ ଉପଯୋଗୀ ହେବ ବୋଲି କୁହାଯାଉଛି । ଏହି ଫିଚରକୁ ଆପର ବିଟା ଭର୍ସନରେ ଦେଖିପାରିବେ ।

ଏହାକୁ ନେଇ WABetaInfoରେ ରିପୋର୍ଟ ପ୍ରକାଶ ପାଇଛି । ଏଥିରେ ସ୍କ୍ରିନସଟ ବି ମଧ୍ୟ ସେୟାର କରାଯାଇଛି । ସୂଚନାଯୋଗ୍ୟ, WABetaInfo ହ୍ବାଟ୍ସଆପର ଅପକମିଂ ଫିଚର ଉପରେ ନଜର ରଖିଥାଏ । ଏବେ ଲାଷ୍ଟ ସିନରେ ୟୁଜର୍ସଙ୍କ ପାଖରେ Everyone, My Contacts और Nobody ଅପସନ ରହିଛି ।

ଏହି ଫିଚର ଆସିବା ପରେ ଏଥିରେ ଆଉ ଏକ ନୂଆ ଅପସନ My Contacts Except ଯୋଡ଼ି ହୋଇଯିବ । ଏହାକୁ ବ୍ୟବହାର କରି ୟୁଜର୍ସ ନିର୍ଦ୍ଦିଷ୍ଟ କଣ୍ଟେଷ୍ଟକୁ ଲୁଚାଇ ପାରିବେ । ପ୍ରସ୍ତୁତି ଠିକ ରହିଲେ ବହୁତ ଶୀଘ୍ର ହ୍ବାଟ୍ସଆପରେ ଆପଣ ପାଇପାରିବେ ।

T20 World Cup: ଅଷ୍ଟ୍ରେଲିଆ ଆଗରେ ୧୭୩ ରନର ଟାର୍ଗେଟ

ଦୁବାଇ: ଟି-୨୦ ବିଶ୍ବକପ୍ ଫାଇନାଲ୍ ଜିତିବାକୁ ଅଷ୍ଟ୍ରେଲିଆକୁ କରିବାକୁ ପଡ଼ିବ ୧୭୩ ରନ୍ । ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲାଣ୍ଡ ୪ ଓ୍ବିକେଟ୍ ହରାଇ ୧୭୨ ରନ୍ କରିଛି ।

ଅଧିନାୟକ ଓ୍ବିଲିୟମସନ୍ ୪୮ ବଲରୁ ୮୫ ରନ୍ କରି ଦମଦାର ଇନିଂସ ଖେଳିଥିଲେ । ଏଥିସହ ଗୁପ୍ଟିଲ ୨୮ ଓ ମିଚେଲ୍ ୧୧ ରନ୍ କରି ଆଉଟ୍ ହୋଇଥିଲେ । ଉଭୟ ଟିମ୍ ଏ ପର୍ଯ୍ୟନ୍ତ ଟି-20 ବିଶ୍ୱକପ ଟାଇଟଲ ଜିତି ନଥିବାରୁ ଏଥର ନୂତନ ବିଜେତା ଦେଖିବାକୁ ମିଳିବ।

୧୩୮ ରୂପାନ୍ତରିତ ସ୍କୁଲ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ରାଜ୍ୟରେ ଚାଲିଛି ସ୍କୁଲ ରୂପାନ୍ତର ପର୍ବ । 5T ଅଧୀନରେ ସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମରେ ରାଜ୍ୟର ୩୦ ଜିଲ୍ଲାର ୧୦୭୫ଟି ରୂପାନ୍ତରିତ ସ୍କୁଲର  ଲୋକାର୍ପଣ ଚାଲିଛି । ୭ଦିନର ଏହି କାର୍ଯ୍ୟକ୍ରମରେ ଆଜି ଦ୍ବିତୀୟ ଦିନ ଶିଶୁଦିବସ ଅବସରରେ ବୋଦ୍ଧ, ସୋନପୁର, ଭଦ୍ରକ ଓ କେନ୍ଦୁଝର ଜିଲ୍ଲାର ୧୩୮ଟି ରୂପାନ୍ତର ସ୍କୁଲକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକାର୍ପିତ କରିଛନ୍ତି।

କେବଳ କେନ୍ଦୁଝରରେ ୧୦୦ ରୂପାନ୍ତରିତ ସ୍କୁଲ ଲୋକାର୍ପିତ ହୋଇଥିବା ବେଳେ ବୌଦ୍ଧରେ ୧୦, ସୋନପୁରରେ ୧୧ ଓ ଭଦ୍ରକରେ ୧୭ଟି ସ୍କୁଲ ଲୋକାର୍ପିତ ହୋଇଛି । ପ୍ରଥମ ଦିନରେ ୫ଟି ଜିଲ୍ଲାର ୧୪୨ଟି ରୂପାନ୍ତରିତ ସ୍କୁଲ ଲୋକାର୍ପିତ ହୋଇଥିଲା । ଆଜି ସୁଦ୍ଧା ୩୩୦ଟି ରୂପାନ୍ତରିତ ସ୍କୁଲ ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ଲୋକାର୍ପିତ ହୋଇଛି । ଏଥିରେ ହିଞ୍ଜିଳି ଓ ଶେରଗଡର ୫୦ଟି ସ୍କୁଲ ରହିଛି ।

ଏହି ଅବସରରେ ଶିଶୁଦିବସ ପାଇଁ ପିଲାମାନଙ୍କୁ ଶୁଭେଚ୍ଛା ଜଣାଇ ମୁଖ୍ୟମନ୍ତ୍ରୀ କହିଥିଲେ, ‘ଶିକ୍ଷା ବିକାଶ କ୍ଷେତ୍ରରେ ରାଜ୍ୟରେ ଏକ ନୂଆ ଯୁଗ ଆରମ୍ଭ ହୋଇଛି । ଶିକ୍ଷା ହେଉଛି ରୂପାନ୍ତରର ପ୍ରଥମ ପାହାଚ । ଶିକ୍ଷା ଭିତ୍ତିଭୂମିର ରୂପାନ୍ତର ପିଲାଙ୍କୁ ପ୍ରେରଣା ଦେବା ସହ ଉତ୍ସାହ ଭରି ଦେଇଛି । ପ୍ରଥମ ପର୍ଯ୍ୟାୟରେ ୨୪ ନଭେମ୍ବର ସୁଦ୍ଧା ରାଜ୍ୟର ୧୦୭୫ଟି ସ୍କୁଲ ଲୋକାର୍ପଣ କାର୍ଯ୍ୟକ୍ରମ ଚାଲିବ ।’ ଏହି କାର୍ଯ୍ୟକ୍ରମ ପାଇଁ ସ୍ଥାନୀୟ ଅଞ୍ଚଳର ବିଧାୟକ, ପଞ୍ଚାୟତ ପ୍ରତିନିଧି, ସ୍କୁଲ ପରିଚାଳନା କମିଟି, ଶିକ୍ଷକ ତଥା ପିତାମାତା ଏବଂ ଅଭିଭାବକଙ୍କୁ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ।

ମୁଖ୍ୟମନ୍ତ୍ରୀ କହିଥିଲେ, ‘ସ୍କୁଲରେ ତିଆରି ହୁଏ ଦେଶ ଓ ଜାତିର ଭବିଷ୍ୟତ । କଥାରେ ଅଛି, ପିଲାମାନେ ଆମ ଜନସଂଖ୍ୟାରେ ଏକ ତୃତୀୟାଂଶ ହେଲେ ବି ସେମାନେ ଆମର ପୂରା ଭବିଷ୍ୟତ । ସ୍କୁଲ ସମୟ ସେମାନଙ୍କ ଜୀବନର ସବୁଠାରୁ ଗୁରୁତ୍ବପୂର୍ଣ୍ଣ । ଏ ସମୟରେ ସେମାନଙ୍କ ପ୍ରତିଭା ବିକାଶ ପାଇଁ ସୁଯୋଗ ସୃଷ୍ଟି କରିବା ଆମ ଦାୟିତ୍ବ ।’

ସେ ଆହୁରି କହିଥିଲେ, ‘ମୁଁ ଚାହେଁ ମୋ ରାଜ୍ୟର ପିଲା ସବୁ କ୍ଷେତ୍ରରେ ଆଗୁଆ ହୁଅନ୍ତୁ । ପାଠ ସହ କ୍ରୀଡା, ସଂଗୀତ ସବୁ କ୍ଷେତ୍ରରେ ଓଡିଶାର ଗୌରବ ବଢାନ୍ତୁ । ନୂଆ ନୂଆ ଟେକ୍ନୋଲୋଜି ବିଷୟରେ ଜାଣନ୍ତୁ । ବଡ ସ୍ବପ୍ନ ଦେଖନ୍ତୁ ଓ ଜୀବନର w୍ରତିଟି ସମସ୍ୟାକୁ ସାମ୍ନା କରିବା ପାଇଁ ଆତ୍ମବିଶ୍ବାସର ସହ ଆଗକୁ ବଢନ୍ତୁ । ଏହା ହିଁ ହେଉଛି ସ୍କୁଲ ରୂପାନ୍ତରର ଲକ୍ଷ୍ୟ ।’

୫-ଟି ନୀତି ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଥିଲେ, ‘ସ୍କୁଲ ରୂପାନ୍ତର ଆମ ୫-ଟି କାର୍ଯ୍ୟକ୍ରମର ଶ୍ରେଷ୍ଠ ଉଦାହରଣ। ୫-ଟି ହେଉଛି ଟେକ୍ନୋଲେଜି, ଟିମ୍ ୱାର୍କ, ଟାଇମ, ଟ୍ରାନ୍ସପାରେନ୍ସି ଓ ଟ୍ରାନ୍ସଫରମେସନ୍ । ଏହା ଆଣିଛି ରୂପାନ୍ତର, ଯାହାକୁ ଆମେ ସମସ୍ତେ ଦେଖିପାରୁଛୁ ଓ ଅନୁଭବ ମଧ୍ୟ କରିପାରୁଛୁ ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ ।

ସ୍କୁଲ ରୂପାନ୍ତର କାର୍ଯ୍ୟକ୍ରମ ସହର ଓ ଗାଁର ସ୍କୁଲଙ୍କ ଭିତରେ ଥିବା ତଫାତକୁ ଦୂର କରିଛି । ଗୁରୁତ୍ବପୂର୍ଣ୍ଣ କଥା ହେଲା ସରକାରୀ ସ୍କୁଲରେ ପଢୁଥିବା ପିଲାଙ୍କ ଡାକ୍ତର, ଇଞ୍ଜିନିୟର ହେବାର ସ୍ବପ୍ନ ଯେପରି ସାକାର ହୋଇପାରିବ, ସେଥିପାଇଁ ରାଜ୍ୟ ସରକାର ୧୫ ପ୍ରତିଶତ ଆସନ ସଂରକ୍ଷିତ ରଖିଛନ୍ତି ।

କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀମାନେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରି ବିଦ୍ୟାଳୟ ରୂପାନ୍ତର ସଂପର୍କରେ ନିଜର ମନ କଥା କହିଥିଲେ । କାର୍ଯ୍ୟକ୍ରମରେ ମନ୍ତ୍ରୀ ନିରଞ୍ଜନ ପୂଜାରୀ, ମନ୍ତ୍ରୀ ପ୍ରେମାନନ୍ଦ ନାୟକ, ବିଧାୟକ ପ୍ରଦୀପ ଅମାତ୍ ଏବଂ ବ୍ୟୋମକେଶ ରାୟ ପ୍ରମୁଖ ଯୋଗଦେଇ ବିଦ୍ୟାଳୟ ରୂପାନ୍ତର କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ। କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ. ପାଣ୍ଡିଆନ ପରିଚାଳନା କରିଥିଲେ । ମୋ ସ୍କୁଲ କାର୍ଯ୍ୟକ୍ରମର ଅଧ୍ୟକ୍ଷା ସୁସ୍ମିତା ବାଗ୍‌ଚୀ, ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଏବଂ ବିଭିନ୍ନ ବିଭାଗର ପ୍ରମୁଖ ସଚିବ ଓ ସଚିବମାନେ ଉପସ୍ଥିତ ଥିଲେ ।

ଏକ୍ସପ୍ରେସ ଓ୍ବେରେ ଓହ୍ଲାଇଲା ଫାଇଟର୍ ଜେଟ୍

ଲକ୍ଷ୍ନୌ: ପୂର୍ବାଞ୍ଚଳ ଏକ୍ସପ୍ରେସ ଓ୍ବେରେ ଅବତରଣ କଲା ଯୁଦ୍ଧ ବିମାନ । ଉତ୍ତର ପ୍ରଦେଶରେ ନିର୍ମିତ ପୂର୍ବାଞ୍ଚଳ ଏକ୍ସପ୍ରେସ ଓ୍ବରେ ଉଦଘାଟନ ପୂର୍ବରୁ ଆଜି ଭାରତୀୟ ବାୟୁସେନାର ଦୁଇଟି ଯୁଦ୍ଧ ବିମାନର ଟ୍ରାଏଲ ଅବତରଣର କରାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦଘାଟନ କରିବା ପୂର୍ବରୁ ଆଜି ଏୟାର ଷ୍ଟ୍ରିପରେ ଚାଲିଥିବା ପରୀକ୍ଷଣରେ ଭାରତୀୟ ବାୟୁସେନାର ଯୁଦ୍ଧ ବିମାନ ମିରାଜ ୨୦୦୦ ଏବଂ SU-30MKI ଯୁଦ୍ଧ ବିମାନ ଅବତରଣ କରିଛି ।

ନଭେମ୍ବର ୧୬ରେ ଏହି ଏକ୍ସପ୍ରେସର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ସମୟରେ C-130J ସୁପର ହର୍କ୍ୟୁଲ୍ସ ପରିବହନ ବିମାନରେ ଏଠାରେ ଅବତରଣ କରିବାର କାର୍ଯ୍ୟକ୍ରମ ରହିଛି । C-130J ସୁପର ହର୍କ୍ୟୁଲ୍ସ ପରିବହନ ବିମାନ ସହିତ ଯେଉଁ ବିମାନରେ ପ୍ରଧାନମନ୍ତ୍ରୀ ଥିବେ ସେହି ବିମାନ ମଧ୍ୟ ଏହି ଏକ୍ସପ୍ରେସରେ ଅବତରଣ କରିବ । ଏହାସହ ମିରାଜ ୨୦୦୦ ଏବଂ SU-30MKI ମଧ୍ୟ ଅବତରଣ କରିବେ ।

୩୪୦ କିଲୋମିଟରର ଏହି ଏକ୍ସପ୍ରେସ ୱେ ଉତ୍ତରପ୍ରଦେଶ ରାଜଧାନୀକୁ ପୂର୍ବାଞ୍ଚଳ ଜିଲ୍ଲା ମାଉ, ଆଜମଗଡ, ବାରବାଙ୍କି ସମେତ ପ୍ରୟାଗରାଜ ଏବଂ ବାରାଣାସୀ ସହରକୁ ସଂଯୋଗ କରିବ ।

ଫାଇଟର ଜେଟର ଜରୁରୀ ଅବତରଣ ପାଇଁ ୩.୩ କିଲୋମିଟର ଷ୍ଟ୍ରେଚ ସୁଲତାନପୁର ଜିଲ୍ଲା ନିକଟରେ ଉନ୍ନତୀକରଣ କରାଯାଇଛି । ଉଦଘାଟନୀ ଉତ୍ସବ ଦିନ ମିରାଜ ୨୦୦୦ ଓ SU-30MKI କଳାକୌଶଳ ଦେଖାଇବା ସହ ଉଡ଼ାଣ ଓ ଅବତରଣ କରିବେ ।

ଦୁଇପଟେ ଦୁଇ ପଡୋଶୀ ପାକିସ୍ତାନ ଓ ଚୀନ ସବୁବେଳେ ଯୁଦ୍ଧଭଳି ସ୍ଥିତି ସୃଷ୍ଟି କରୁଛନ୍ତି । ଏମିତି ସ୍ଥିତିରେ ଦୋମୁହାଁ ଯୁଦ୍ଧ ପାଇଁ ଭାରତ ପ୍ରସ୍ତୁତି ଆରମ୍ଭ କରିଦେଇଛି । ଏକ୍ସପ୍ରେସ ଓ୍ବେର ବିକାଶ ଏହାର ଏକ ଅଂଶ ବିଶେଷ । ଗମନାଗମନ ସହ ଯୁଦ୍ଧ ଭଳି ସ୍ଥିତି ସୃଷ୍ଟି ହେଲେ ବାୟୁସେନା ଏହି ଏକ୍ସପ୍ରେସ ଓ୍ବେକୁ ବ୍ୟବହାର କରିପାରିବେ । ଏହି ଏକ୍ସପ୍ରେସ ଓ୍ବେ ରାଜ୍ୟ ଅର୍ଥନୀତିର ମେରୁଦଣ୍ଡ ହେବ ବୋଲି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି ।