spot_img
Home Blog Page 4812

ମମିତାଙ୍କୁ ନ୍ୟାୟ ନୁହେଁ ରାଜନୈତିକ ଫାଇଦା ଚାହୁଁଛି ବିଜେପି: ପ୍ରତାପ ଦେବ

ଭୁବନେଶ୍ୱର: ମମିତା ନ୍ୟାୟ ପାଉ ବୋଲି ବିଜେପି ଚାହୁଁନି । କେବଳ ରାଜନୀତି ପାଇଁ ପ୍ରହସନ କରୁଛି, ରାଜନୈତିକ ଷଡ଼ଯନ୍ତ୍ର କରୁଛି । ଦିବଙ୍ଗତ ଶିକ୍ଷୟିତ୍ରୀଙ୍କୁ ନ୍ୟାୟ ପାଇଁ ଲଢ଼ୁଛନ୍ତି । ଯେଉଁଭଳି କଟ ଆଉଟ୍ ଲଗାଇ ଚିତ୍ରଣ କରିଥିଲେ । ତାହା ନାରୀ ସମାଜ ପାଇଁ ନିନ୍ଦନୀୟ କଥା । ବିଜେପିରେ ଥିବା ଲୋକ ବୌଦ୍ଧିକ ଶକ୍ତି ହରାଇଛନ୍ତି ବୋଲି କହିଛନ୍ତି ବିଜେଡି ମୁଖପାତ୍ର ପ୍ରତାପ ଦେବ । ପ୍ରକୃତରେ ନ୍ୟାୟ ମାଗିବାକୁ ନା ଜଣେ ମୃତ ବ୍ୟକ୍ତିଙ୍କ ଶବ ଉପରେ ଛିଡ଼ା ହୋଇ ରାଜନୈତିକ ଅଙ୍କ ଆଙ୍କୁଥିଲେ ସ୍ପଷ୍ଟ ପ୍ରମାଣିତ ହୋଇଛି ।

BJD Leader Pratap Dev Criticized BJP Over Mamita Meher Case

କମିଶନରେଟ୍ ପୋଲିସ ଠାରୁ ଆନ୍ଦୋଳନ ପାଇଁ ଅନୁମତି ନେଲେ ସେହି ପୋଲିସକୁ ବାଡ଼େଇଲେ, ଟେକା ଫିଙ୍ଗିଲେ, ଗାଡ଼ି ପୋଡ଼ିଲେ, ସାମ୍ବାଦିକଙ୍କୁ ପିଟିଲେ । ମମିତାକୁ ନ୍ୟାୟ ଦିଆଯାଉ ଏହା ବିଜେପିର ଏକ ରାଜନୈତିକ ସ୍ଲୋଗାନ । ପ୍ରକୃତରେ ବିଜେପି ପୀଡ଼ିତାଙ୍କୁ ନ୍ୟାୟ ଦେବାକୁ ଚାହୁଁନି, କେବଳ ରାଜନୀତି ଚାହୁଁଛି । ବିଜେପି ଯୁବମୋର୍ଚ୍ଚା ସଭାପତିଙ୍କ ନାଁରେ ଏକାଧିକ ଅପରାଧିକ ମାମଲା ରହିଛି । ତାଙ୍କ ନେତୃତ୍ୱରେ ପୀଡ଼ିତାଙ୍କ ପାଇଁ ନ୍ୟାୟ ମଗାଯିବା ବେଳେ ଏଭଳି ଆଚରଣ ହିଁ ଆଶା କରାଯାଏ ।

BJD Leader Pratap Dev Criticized BJP Over Mamita Meher Case

ଏହାର ଉଚିତ୍ ଜବାବ ଓଡ଼ିଶାବାସୀ ଦେବେ । ମମିତାଙ୍କୁ ନ୍ୟାୟ ଆଳରେ ବିଜେପି ପ୍ରହସନ କରୁଛି । ବିଧାନସଭା ଚଳାଇ ଦେଉନାହାଁନ୍ତି । ପ୍ରଶାସନ ଉପରେ ତାଙ୍କର ଆଚରଣ ପୀଡ଼ିତାଙ୍କୁ ନ୍ୟାୟ ଦେବା ଏକ ଆଳ । ପ୍ରକୃତ ଉଦ୍ଦେଶ୍ୟ ହେଉଛି, ପୋଲିସ ଲାଠିଚାର୍ଜ କରୁ, ମାଡ଼ ମାରୁ । ଏଭଳି କରି ବିଜେପି ହାଇଲାଇଟ୍ ହେବାକୁ ଚାହୁଁଛି । ବିଜେପି ରାଲିରେ ଘଟିଥିବା ଆଚରଣକୁ ବିଜେଡି ନିନ୍ଦା କରିଛି ।

ଏଥିସହ ପଢ଼ନ୍ତୁ: ବିଜେପି କର୍ମୀଙ୍କ ଆକ୍ରମଣରେ ୧୪ ପୋଲିସ ଆହାତ, ରଣକ୍ଷେତ୍ର ପାଲଟିଲା ଲୋୟର ପିଏମଜି

ଜୋରଦାର ହେବ ବିଦେଶ ଫେରନ୍ତାଙ୍କ ଟେଷ୍ଟିଂ, ଟ୍ରେସିଂ ଓ ଟ୍ରାକିଂ

ଭୁବନେଶ୍ୱର: ଓମିକ୍ରନ୍‌ ପ୍ରତିହତ ପାଇଁ ପ୍ରସ୍ତୁତ ରାଜ୍ୟ ସରକାର । ଏଣିକି ସମସ୍ତ ବିଦେଶ ଫେରନ୍ତାଙ୍କ ଟେଷ୍ଟିଂ, ଟ୍ରେସିଂ ଓ ଟ୍ରାକିଂକୁ ଜୋରଦାର କରାଯିବ । କୋଭିଡ୍ ନିୟମ କଡ଼ାକଡ଼ି ପାଳନ ନେଇ କଡ଼ା ନିର୍ଦ୍ଦେଶ ଦିଆଯାଇଛି । ଏ ନେଇ ଆଜି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ସବୁ ରାଜ୍ୟର ସ୍ୱାସ୍ଥ୍ୟ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ଓମିକ୍ରନରେ ଛୋଟ ପିଲାମାନେ ଅଧିକ ପ୍ରଭାବିତ ହେବାର ଆଶଙ୍କା ଥିବାରୁ ରାଜ୍ୟ ସରକାର ଚିକିତ୍ସା ପାଇଁ ସବୁ ପ୍ରକାର ପ୍ରସ୍ତୁତି ଚୂଡ଼ାନ୍ତ କରିଛନ୍ତି ।

ସେପଟେ ସ୍ୱାସ୍ଥ୍ୟ ବିଶେଷଜ୍ଞ କହିଛନ୍ତି, ଓମିକ୍ରନ୍‌ କ୍ଷୀପ୍ର ଗତିରେ ସଂକ୍ରମଣ କରୁଛି । କିନ୍ତୁ ଏହା ସେତେଟା ପ୍ରାଣଘାତି ହୋଇନଥିବାରୁ ଗୋଷ୍ଠୀଗତ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ସହାୟକ ହେବ । ଏହାସହିତ ଟିକାକରଣକୁ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଯେଉଁମାନେ ପ୍ରଥମ ଡୋଜ୍ ଟିକା ନେଇସାରିଛନ୍ତି ସେମାନେ କିପରି ଦ୍ବିତୀୟ ଡୋଜ ଟିକା ନେବେ ସେଥିପାଇଁ ସ୍ୱାସ୍ଥ୍ୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ଏବେ ସୁଦ୍ଧା ବିଦେଶରୁ ୧୧୩୪ ଜଣ ଏୟାର ସୁବିଧା ପୋର୍ଟାଲ ଜରିଆରେ ପଞ୍ଜିକରଣ କରିଛନ୍ତି । ସେମାନଙ୍କ ମଧ୍ୟରୁ ୪ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ୨ ଜଣ ଯାଜପୁର ଓ ଅନ୍ୟ ୨ ଜଣ ସୁନ୍ଦରଗଡ଼ ଜିଲ୍ଲାର । ଦକ୍ଷିଣ ଆଫ୍ରିକାରେ ୫ରୁ ୯ ବର୍ଷର ପିଲା ଓମିକ୍ରନ୍‌ ଦ୍ୱାରା ବେଶୀ ସଂକ୍ରମିତ ହୋଇଛନ୍ତି । ସେଠାରେ କଟକଣା ଷ୍ଟେଜ୍‌ ୱାନରେ ରହିଛି । କିନ୍ତୁ ସେତେଟା ଗୁରୁତର ଅବସ୍ଥା ନ ଥିବାରୁ ଡାକ୍ତରଖାନା ରୋଗୀ ଭର୍ତ୍ତି ହେଉନାହାନ୍ତି ।

ମହୋଷଧି ଗଧ କ୍ଷୀର; ପିଇଲେ ବଢ଼ିବ ଇମ୍ୟୁନିଟି

ମୁମ୍ବାଇ: ମହାରାଷ୍ଟ୍ରର ହିଙ୍ଗୋଲି ସହରରେ ବିକ୍ରି ହେଉଛି ଗଧ କ୍ଷୀର । ଗଧ କ୍ଷୀର ପିଇବା ପାଇଁ ହିଙ୍ଗୋଲରେ ବହୁ ସଂଖ୍ୟାରେ ଲୋକ ଭିଡ ଜମାଉଛନ୍ତି । ଗଧ କ୍ଷୀର ବିକ୍ରି କରୁଥିବା ବାଲାଜୀ ମେସେବାଡ ଦାବି କରି କହିଛନ୍ତି କି ଗଧ କ୍ଷୀର ପିଇବା ଦ୍ୱାରା ଶରୀରରେ ଇମ୍ୟୁନିଟି ବଢ଼ିବ । କରୋନା ମହାମାରୀ ସମୟରେ ଏହା ଅତ୍ୟନ୍ତ ପ୍ରଭାବଶାଳୀ ହେବ । ତେବେ ଏହି ଗଧ କ୍ଷୀର ନେବା ପାଇଁ ହିଙ୍ଗୋଲିରେ ବହୁ ସଂଖ୍ୟାରେ ଲୋକ ଜମା ହେଉଛନ୍ତି । ଏହି ଗଧ କ୍ଷୀର ପ୍ରତି ଲିଟର ପିଛା ୧୦ ହଜାର ଟଙ୍କାରେ ବିକ୍ରି ହେଉଛି ।

ହିଙ୍ଗୋଲିର ଗଳି କନ୍ଦିରେ ବୁଲି ବୁଲି ବିକ୍ରି କରାଯାଉଛି ଏହି ଗଧ କ୍ଷୀର । ଗୋଟିଏ ଚାମଚ ଗଧ କ୍ଷୀର ପିଅନ୍ତୁ ଏବଂ ସମସ୍ତ ପ୍ରକାର ରୋଗରୁ ମୁକ୍ତି ପାଆନ୍ତୁ । ଏହି କ୍ଷୀରକୁ ପିଇବା ଫଳରେ ଲୋକଙ୍କୁ ଅନେକ ଫାଇଦା ମିଳିବ ବୋଲି ଜୋର ଜୋରରେ ଚିଲାଇ ଗଧ କ୍ଷୀର ବିକ୍ରି କରୁଛନ୍ତି ବାଲାଜୀ ମେସେବାଡ । ଏହି କ୍ଷୀର ପିଇବା ଦ୍ୱାରା ଛୋଟ ପିଲାଙ୍କୁ ନିମୋନିଆ ହେବ ନାହିଁ । ଏହା ବ୍ୟତୀତ ଜ୍ୱର, କାଶ, କଫ ପରି ରୋଗ ମଧ୍ୟ ହେବ ନାହିଁ । କ୍ଷୀର ବିକ୍ରି କରୁଥିବା ବାଲାଜୀ ମେସେବାଡ ଆହୁରି କହିଛନ୍ତି କି ଏହି କ୍ଷୀର ପିଇବା ଦ୍ୱାରା କରୋନାରେ ଆକ୍ରାନ୍ତ ଥିବା ରୋଗୀଙ୍କର ଇମ୍ୟୁନିଟି ମଧ୍ୟ ବୃଦ୍ଧି ପାଇବ । ଗଧ କ୍ଷୀର ବିକ୍ରି କରୁଥିବା ବାଲାଜୀ ମେସେବାଡ ଆହୁରି କହିଛନ୍ତି କି ଏହି କ୍ଷୀର ପିଇବା ଦ୍ୱାରା ଅନେକ ରୋଗରୁ ମଧ୍ୟ ମୁକ୍ତି ମିଳୁଛି । ଗୋଟିଏ ଚାମଚ କ୍ଷୀରର ମୂଲ୍ୟ ୧୦୦ ଟଙ୍କା ଏବଂ ଏକ ଲିଟର କ୍ଷୀରର ମୂଲ୍ୟ ୧୦ ହଜାର ଟଙ୍କାରେ ବିକ୍ରି କରୁଛନ୍ତି ବୋଲି କହିଛନ୍ତି ବାଲାଜୀ ମେସେବାଡ ।

ଅନ୍ୟପକ୍ଷରେ ଏହି ଘଟଣାରେ ଡାକ୍ତର ବିଏନ ରୋଡଗେ କହିଛନ୍ତି କି ଗଧ କ୍ଷୀର ୧୦ ହଜାର ଟଙ୍କାରେ ବିକ୍ରି କରାଯିବା ପୂରା ଭୁଲ ଅଟେ । ଗଧ କ୍ଷୀର ପିଇବା ଦ୍ୱାରା କରୋନା ମହାମାରୀ କେବେ ବି ଠିକ୍ ହେବ ନାହିଁ । ଏହା ସମ୍ପୂର୍ଣ୍ଣ ଭୁଲ କଥା । ଏମିତି ସବୁ କଥାକୁ ଆଖି ବନ୍ଦ କରି ବିଶ୍ୱାସ କରିବା ଭୁଲ କଥା । ଯଦି ଲୋକମାନେ କିଛି ରୋଗରେ ଆକ୍ରାନ୍ତ ହେଉଛନ୍ତି ତେବେ ତୁରନ୍ତ ଡାକ୍ତରଙ୍କ ପରମର୍ଶ କରନ୍ତୁ ବୋଲି କହିଛନ୍ତି ଡାକ୍ତର ବିଏନ ରୋଡଗେ ।

ଭକ୍ତ ନିବାସରେ ରୁମ୍ ବୁକିଂ ପାଇଁ ନୂଆ ୱେବ ଆପ୍ଲିକେସନ୍ ଲୋକାର୍ପିତ

ପୁରୀ: ଶ୍ରୀମନ୍ଦିର ପ୍ରଶାସନ ଅଧୀନରେ ଥିବା ଭକ୍ତ ନିବାସ ଗୁଡ଼ିକର ବୁକିଂ ପାଇଁ ନୂଆ ୱେବ ଆପ୍ଲିକେସନ । ନୂଆ ୱେବ ଆପ୍ଲିକସନର ଆଜି ଲୋକାର୍ପିତ ହୋଇଛି । ଶ୍ରୀମନ୍ଦିର ମୁଖ୍ୟ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ତଥା ଶ୍ରୀମନ୍ଦିର ଉପମୁଖ୍ୟ ପ୍ରଶାସକ ସମର୍ଥ ବର୍ମା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହାର ଉନ୍ମୋଚନ କରିଛନ୍ତି। https://stayatpurijagannatha.in/ ଲଗଇନ୍ କରି ବୁକି କରି ହେବ ।

 New Web Application Launched For Room Booking In Bhakta Niwas Puri

ଏହି ଆପ୍ଲିକେସନ ଜରିଆରେ ପୁରୀରେ ଥିବା ନିଳାଦ୍ରୀ, ଶ୍ରୀଗୁଣ୍ଡିଚା ଏବଂ ନୀଳାଚଳ ଭକ୍ତ ନିବାସ ପାଇଁ ଅନଲାଇନ୍ ରୁମ୍ ବୁକିଂ କରି ହେବ । ଲୋକାର୍ପଣ କାର୍ଯ୍ୟକ୍ରମରେ ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନା, ନୀତି ପ୍ରଶାସକ ଜିତେନ୍ଦ୍ର ସାହୁ ଏବଂ ପରିଚାଳନା କମିଟିର ସଦସ୍ୟ ମାନେ ଉପସ୍ଥିତ ଥିଲେ ।

ବାହା ହେଲେ ଲାଲୁଙ୍କ ପୁଅ ତେଜସ୍ୱୀ ଯାଦବ, ଜାଣନ୍ତୁ ପତ୍ନୀ କିଏ ?

0

ନୂଆଦିଲ୍ଲୀ: ରାଷ୍ଟ୍ରିୟ ଜନତା ଦଳ (ଆରଜେଡି) ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କ ସାନପୁଅ ତଥା ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ତେଜସ୍ୱୀ ଯାଦବ ଜଣେ ଏୟାର ହୋଷ୍ଟେସ୍ ଆଲେକ୍ସିସଙ୍କୁ ବିବାହ କରିଛନ୍ତି । ତେଜସ୍ୱୀ ଏବଂ ଆଲେକ୍ସିସ୍ ହେଉଛନ୍ତି ପୁରୁଣା ବନ୍ଧୁ। ଏମାନେ  ପରସ୍ପରକୁ ୬ ବର୍ଷ ହେଲା ଜାଣିଛନ୍ତି।

ଗତକାଲି ଉଭୟଙ୍କର ନିର୍ବନ୍ଧ ହୋଇଥିଲା ଆଉ ଆଜି ବିବାହ । ସୂଚନା ମୁତାବକ ତେଜସ୍ୱୀ ନିର୍ବନ୍ଧ ଓ ବିବାହ ମଧ୍ଯରେ ଦୁଇମାସ ବିରତି ଚାହୁଁଥିଲେ, କିନ୍ତୁ କୌଣସି କରାଣରୁ ସେ ନିର୍ବନ୍ଧର ପରଦିନ ହିଁ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି।

ତେଜସ୍ୱୀଙ୍କ ନିର୍ବନ୍ଧ ଏବଂ ବିବାହର ଏହି କାର୍ଯ୍ୟକ୍ରମ ଦିଲ୍ଲୀର ସୈନିକ ଫାର୍ମରେ ହୋଇଛି । ଏହି ସୈନିକ ଫାର୍ମତାଙ୍କ ଭଉଣୀ ମିସା ଭାରତୀଙ୍କର । ଫାର୍ମରଭିତରେ ଓ ବାହାରେ କଡ଼ା ସୁରକ୍ଷାର ବ୍ୟବସ୍ଥା କରାଯାଇଛି । ବିବାହକୁ  ଆସୁଥିବା ପ୍ରତ୍ୟେକ ଗାଡ଼ିର କଡା ଯାଞ୍ଚ କରାଯାଉଛି ।

ତେଜସ୍ୱିଙ୍କ ଧର୍ମପତ୍ନୀ ଆଲେକ୍ସିସ୍ ପୂର୍ବରୁ ଜଣେ ଏୟାରହୋଷ୍ଟେସ୍ ଥିଲେ । ସେ ଦିଲ୍ଲୀର ବସନ୍ତ ବିହାରରେ ରୁହନ୍ତି ଏବଂ ତାଙ୍କ ପିତା ଚଣ୍ଡିଗଡ଼ର ଏକ ବିଦ୍ୟାଳୟର ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଥିଲେ। କୁହାଯାଉଛି ଯେ ଆଲେକ୍ସସ୍ ଏବଂ ତେଜାସ୍ୱୀଙ୍କର ବନ୍ଧୁତା ପ୍ରାୟ ୬ ବର୍ଷ ପୂରୁଣା। କୁହାଯାଉଛି ଯେ ଲାଲୁ ତେଜଶ୍ୱୀଙ୍କ ଏହି ନିଷ୍ପତ୍ତିରେ ଆଦୌ ଖୁସି ନଥିଲେ, ସେ ପୁଅ ଉପରେ ବହୁତ ରଗିଥିଲେ। ଆଲେକ୍ସସ୍ ଏକ ଖ୍ରୀଷ୍ଟିଆନ ପରିବାରର ହୋଇଥିବାରୁ ଲାଲୁ ଏହି ସମ୍ପର୍କକୁ ବିରୋଧ କରୁଥିଲେ। ଏପରିକି ପରିବାରର କେହି ମଧ୍ୟ ଏହି ସମ୍ପର୍କରେ ଖୁସି ନଥିଲେ । ଶେଷରେ ତେଜସ୍ୱୀ ଓ ଆଲେକ୍ସା ସମସ୍ତଙ୍କୁ ବୁଝେଇବା ପରେ ପରିବାର ରାଜି ହୋଇଥିଲେ।

ବିଜେପି କର୍ମୀଙ୍କ ଆକ୍ରମଣରେ ୧୪ ପୋଲିସ ଆହାତ, ରଣକ୍ଷେତ୍ର ପାଲଟିଲା ଲୋୟର ପିଏମଜି

ଭୁବନେଶ୍ୱର: ନ୍ୟାୟ ପାଇଁ ଦାବି ନା ଦାଦାଗିରି । ବିଜେପି ଯୁବ ମୋର୍ଚ୍ଚାର ଆତଙ୍କରାଜ ଯୋଗୁଁ ଲୋୟର ପିଏମଜିରେ ଖଣ୍ଡଯୁଦ୍ଧ । ବିଧାନସଭା ଘେରାଉ ପାଇଁ ରାଜଧାନୀରେ ଏକାଠି ହୋଇଥିଲେ ବିଜେପି କର୍ମୀ । ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ବଦଳରେ ବିଶୃଙ୍ଖଳିତ କର୍ମୀଙ୍କ ଅରାଜକତା ଓ ଟେକା ପଥର ମାଡ଼ ଯୋଗୁଁ ୧୪ ପୋଲିସ କର୍ମୀ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରେ ୩ ଆଇଆଇସି, ଜଣେ ଏସିପି ଥିବା ବେଳେ ଦୁଇ ପୋଲିସ କର୍ମୀ ଗୁରୁତର ଅଛନ୍ତି । ବିଜେପି କର୍ମୀଙ୍କ ଦାଦାଗିରି ଯୋଗୁଁ ସାଧାରଣ ଲୋକେ ଆହାତ ହେବା ସହ ଗଣମାଧ୍ୟମର ୪ ପ୍ରତିନିଧି ବି ବିଜେପି ଗୁଣ୍ଡାଗିରିର ଶିକାର ହୋଇଛନ୍ତି ।

14 Police Injured By Attack Of BJP Workers During Protest

ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ଆଜି ବିଧାନସଭା ଘେରାଉ ଡାକରା ଦିଆଯାଇଥିଲା । ଦଳୀୟ ରାଜ୍ୟ କାର୍ଯ୍ୟାଳୟରୁ ବାହାରିଥିଲା ଶୋଭାଯାତ୍ରା । ରାଲିରେ ସାମିଲ ଥିଲେ ଦଳୀୟ ବିଧାୟକ ଓ ବରିଷ୍ଠ ନେତୃବୃନ୍ଦ । ବିଧାନସଭା ଘେରାଉ ପାଇଁ ମାଷ୍ଟରକ୍ୟାଣ୍ଟିନ ଦେଇ ଲୋୟର ପିଏମଜି ଆଡ଼େ ମାଡ଼ି ଯାଇଥିଲେ ଶହ ଶହ ବିଜେପି ଯୁବ ଓ ମହିଳା କର୍ମୀ । ପୋଲିସ କର୍ଡ଼ନ ଭାଙ୍ଗିବାକୁ ଭରପୂର ଉଦ୍ୟମ କରିଥିଲେ । ହେଲେ ସୁରକ୍ଷା କର୍ମୀଙ୍କ ଉପସ୍ଥିତି ବୁଦ୍ଧି ଯୋଗୁଁ ଏହା ସମ୍ଭବ ହୋଇନଥିଲା । ସବୁ ଜାଗାରେ ବିଜେପିର ଉଦ୍ୟମକୁ ପ୍ରତିରୋଧ କରିଥିଲେ ପୋଲିସ କର୍ମୀ । ଯୋଜନା ଫଳପ୍ରଦ ନ ହେବା ପରେ ଉତକ୍ଷିପ୍ତ ହୋଇ ଗୁଣ୍ଡାଗିରି ଆରମ୍ଭ କରିଥିଲେ ବିଜେପି ଯୁବ ମୋର୍ଚ୍ଚା ।

14 Police Injured By Attack Of BJP Workers During Protest

ପୋଲିସକୁ ସବୁଆଡ଼ୁ ଟେକା ପଥର ମାଡ଼ କରିଥିଲେ । ବିଶୃଙ୍ଖଳିତ ବିଜେପି କର୍ମୀଙ୍କୁ ପୋଲିସ ଲୋୟର ପିଏମଜିରୁ ମାଷ୍ଟର କ୍ୟାଣ୍ଟିନ ପର୍ଯ୍ୟନ୍ତ ଘଉଡ଼ାଇଥିଲା । ହେଲେ ରାସ୍ତାର ଦୁଇ କଡ଼ରେ ଲୁଚି ରହିଥିବା ବିଜେପିର ଉଶୃଙ୍ଖଳ କର୍ମୀ ପୋଲିସ ଗାଡ଼ି ଉପରେ ରାଗ ଶୁଝାଇଥିଲେ । ବିଜେପି ଯୁବ ମୋର୍ଚ୍ଚାର ଟେକା ମାଡ଼ରେ ୭ଟି ପୋଲିସ ଗାଡ଼ି ଭାଙ୍ଗି ଯାଇଛି । ବିଜେପି କର୍ମୀଙ୍କ ଅରାଜକତା ଯୋଗୁଁ ରାସ୍ତାରେ ଯାଉଥିବା ସାଧାରଣ ଲୋକ ବି ଆହାତ ହୋଇଛନ୍ତି । ଡାକ୍ତରଖାନାକୁ ରୋଗୀ ନେଇ ଯାଉଥିବା ଆଉ କିଛି ଲୋକ ବି ବିଜେପିର ଆନ୍ଦୋଳନ ଯୋଗୁଁ ଅନେକ ହଇରାଣ ହୋଇଛନ୍ତି ।

ବନ୍ଦ ଆଖିରେ ଜାଣି ପାରୁଛନ୍ତି ରଙ୍ଗ, ପଢ଼ୁଛନ୍ତି ଖବରକାଗଜ

ଧର୍ମଗଡ଼: ସୃଜନଶୀଳ ସପ୍ତମ ଶ୍ରେଣୀ ଛାତ୍ର । ଆଖିରେ ଅନ୍ଧପୁଟୁଳି ବାନ୍ଧି ଅନେକ କାର୍ଯ୍ୟ କରିପାରୁଛନ୍ତି । ବହି ପଢ଼ିବା ଠାରୁ ଆରମ୍ଭ କରି ସାଇକେଲ୍ ଚଳାଇବା, ରଙ୍ଗ ଚିହ୍ନିବା ସହିତ ଟଙ୍କା ମଧ୍ୟ ଗଣି ପାରୁଛନ୍ତି । ସପ୍ତମ ଶ୍ରେଣୀର ଛାତ୍ରଙ୍କ ଏଭଳି କାମକୁ ନେଇ ଆଶ୍ଚର୍ଯ୍ୟ ଅଞ୍ଚଳବାସୀ ।

Wonder Boy Of Dharmagarh Reading Book With Black Clothes In Eyes

ଉପାନ୍ତ ଅଞ୍ଚଳର ଅଦ୍ଭୁତ ବାଳକ । ଆଖି ବନ୍ଦ କରି କରୁଛନ୍ତି ସମସ୍ତ କାର୍ଯ୍ଯ । ବହି ପଢିବା ଠାରୁ ଆରମ୍ଭ କରି ସାଇକେଲ୍ ଚଳାଇବା ପର୍ଯ୍ୟନ୍ତ, ସବୁ କିଛି ଆଖିରେ ପଟି ବାନ୍ଧି କରି ପାରୁଛନ୍ତି । କଳହାଣ୍ଡି ଜିଲ୍ଲା ଧର୍ମଗଡ଼ ହାତୀପଖାନ ଗାଁର ରୋହିତ ସେନାପତି । ରଙ୍ଗ ଚିହ୍ନିବା ସହ ଖବରକାଗଜକୁ ମଧ୍ୟ ଅତି ସହଜରେ ପଢି ପାରୁଛନ୍ତି । ୫ ମିନିଟରେ ବିଶ୍ୱର ୨୦୦ଟି ସହରର ନାମ କହି ସମସ୍ତ ଚକିତ କରୁଛନ୍ତି ସପ୍ତମ ଶ୍ରେଣୀର ଛାତ୍ର । ତେବେ ଉପାନ୍ତ ଅଞ୍ଚଳର ଏଭଳି ଅନନ୍ୟ ପ୍ରତିଭା ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି ।

Wonder Boy Of Dharmagarh Reading Book With Black Clothes In Eyes

ପ୍ରାରମ୍ଭରୁ ଦୁର୍ବଳ ଶ୍ରେଣୀଭୁକ୍ତ ଛାତ୍ର ଥିଲେ ରୋହିତ । ସ୍ମୃତି ଶକ୍ତ ପ୍ରଖର ନଥିବାରୁ ଚିନ୍ତାରେ ଥିଲେ ବାପା-ମାଆ । ପରେ ପୁଅର କ୍ରିଏଟିଭ୍ ନଲେଜ୍ ବଢାଇବା ପାଇଁ କୋରାପୁଟ ଜୟପୁରରେ ଏକ ଶିକ୍ଷା ଅନୁଷ୍ଠାନରେ ୩ ମାସର କୋର୍ସ କରାଇଥିଲେ । ଏବେ ଆଖି ବନ୍ଦ କରି ରୋହିତ ସବୁକିଛି କରିପାରୁଥିବା ବେଳେ ପୁଅର ଏଭଳି କାମକୁ ନେଇ ଗର୍ବିତ ପରିବାର ଲୋକ ।

ବିପିନ ରାଓ୍ୱତଙ୍କ ପାର୍ଥିବ ଶରୀର ନେଇ ଆସୁଥିବା ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ

ନୂଆଦିଲ୍ଲୀ: ଭାରତର ପ୍ରଥମ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ ବିପିନ ରାଓ୍ୱତଙ୍କ ପାର୍ଥିବ ଶରୀର ନେଇ ଆସୁଥିବା ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ । କୋଏମ୍ବଟୁରର ମେଟ୍ଟାପଳୟମ ନିକଟ ଘାଟି ରାସ୍ତାରେ ହୋଇଥିଲା ଦୁର୍ଘଟଣା । ଗତକାଲି ଅର୍ଥାତ ବୁଧବାର ତାମିଲନାଡୁର କୁନ୍ନୁରରେ ହେଲିକପ୍ଟର ଦୁର୍ଘଟଣାରେ ପ୍ରାଣ ହରାଇଥିଲେ ସିଡିଏସ ବିପିନ୍ ରାଓ୍ୱତ । ବିପିନ୍ ରାଓ୍ୱତ, ତାଙ୍କ ପତ୍ନୀଙ୍କ ସହ ମୋଟ ୧୩ ଜଣ ଏହି ଦୁର୍ଘଟଣାରେ ସହିଦ ହୋଇଥିଲେ । ସହିଦ ହୋଇଥିବା ସମସ୍ତଙ୍କ ପାର୍ଥିବ ଶରୀର ଗୁରୁବାର ବାୟୁସେନାର ସ୍ୱତନ୍ତ୍ର ବିମାନରେ ଦିଲ୍ଲୀ ଆସିବ । ସହିଦ ହୋଇଥିବା ୧୩ ଜଣଙ୍କ ପାର୍ଥିବ ଶରୀର ଗୁରୁବାର ଓ୍ୱେଲିଂଟନରୁ ସୁଲୁର ତିନୋଟି ଆମ୍ବୁଲାନ୍ସରେ ଅଣାଯାଉଥିଲା । କିନ୍ତୁ କୋଏମ୍ବଟୁରର ମେଟ୍ଟାପଳୟମ ନିକଟ ଘାଟି ରାସ୍ତାରେ ହୋଇଥିଲା ଦୁର୍ଘଟଣା ।

ବିପିନ ରାଓ୍ୱତଙ୍କ ପାର୍ଥିବ ଶରୀର ଥିବା ଆମ୍ବୁଲାନ୍ସ ଦୁର୍ଘଟଣା ହେବା ପରେ ତାଙ୍କ ପାର୍ଥିବ ଶରୀରକୁ ଆଉ ଏକ ଆମ୍ବୁଲାନ୍ସରେ ପଠାଯାଇଥିଲା । ତେବେ କେଉଁ କାରଣରୁ ଏହି ଦୁର୍ଘଟଣା ହୋଇଛି ତାହାର ସୂଚନା ଏପର୍ଯ୍ୟନ୍ତ ମିଳିପାରି ନାହିଁ । ସୂଚନା ଅନୁସାରେ ବୁଧବାର ତାମିଲନାଡୁର କୁନ୍ନୁରରେ ଏକ ହେଲିକପ୍ଟର ଦୁର୍ଘଟଣାରେ ସହିଦ ହୋଇଥିଲେ ବିପିନ ରାଓ୍ୱତ । ବିପିନ ରାଓ୍ୱତ, ତାଙ୍କ ପତ୍ନୀଙ୍କ ସହ ମୋଟ ୧୩ ଜଣ ଏହି ଦୁର୍ଘଟଣାରେ ସହିଦ ହୋଇଥିଲେ ।

ଜୟପୁରରେ NIAର ୨ ଜଣିଆ ଟିମ୍, ହାର୍ଡକୋର ମାଓବାଦୀ ଦୁବାସି ଶଙ୍କରକୁ କରିବେ ଜେରା

ଜୟପୁର: ଜୟପୁରରେ ଏନଆଇଏର ୨ ଜଣିଆ ଟିମ୍ । ଗିରଫ ହାର୍ଡକୋର ମାଓ ନେତା ଦୁବାସି ଶଙ୍କରକୁ ପଚରାଉଚରା କରିବା ପାଇଁ ଏନଆଇଏ ଟିମ୍ ଜୟପୁର ଏସଡିଜେଏମ କୋର୍ଟରେ ଆବେଦନ କରିଛନ୍ତି । କୋର୍ଟ ଏନଆଇଏ କରିଥିବା ଆବେଦନର ତର୍ଜମା କରୁଛନ୍ତି । ଗତ ସେପ୍ଟେମ୍ବର ମାସରେ ଟପ୍ ମାଓ ନେତା ଦୁବାସିକୁ ଗିରଫ କରିଥିଲା ପୋଲିସ । କୋରାପୁଟ ପୋଲିସ, ଏସଓଜି ଓ ବିଏସଏଫ ମିଳିତ ଅପରେସନରେ ଦୁବାସି ଶଙ୍କରକୁ ଗିରଫ କରିଥିଲେ ।

Two Members Of NIA In Jeypore For Interrogation To Maoist Dubasi Sankar

୨୦୧୨ ମସିହା ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡାରେ ଅପରେସନ୍ ପାଇଁ ବିଏସଏଫର ଏକ ଟିମ୍ ବୋଲେରୋ ଯୋଗେ ଯାଉଥିବା ବେଳେ ଆଇଇଡି ବ୍ଲାଷ୍ଟ ସହ ଗୁଳିମିନିମୟ ହୋଇଥିଲା । ଏଥିରେ ଜଣେ କମାଣ୍ଡାଣ୍ଟ ଓ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟଙ୍କ ସହ ଆଉ ୨ ଜଣ ଯବାନଙ୍କ ମୃତ୍ୟୁ ହୋଇଥିଲା । ଆଉ ୨ ଜଣ ଗୁରୁତର ଆହାତ ହୋଇଥିଲେ । ସେହି ଘଟଣାର ତଦନ୍ତ ପାଇଁ ଦୁବାସିକୁ ଜେରା କରିବାକୁ ଏନଆଇଏ ଟିମ୍ ଜୟପୁର ଏସଡିଜେଏମଙ୍କ କୋର୍ଟଙ୍କ ଅନୁମତି ଲୋଡ଼ିଛନ୍ତି ।

ଏଥିସହ ପଢ଼ନ୍ତୁ: ଓଡ଼ିଶା ପୋଲିସକୁ ବଡ଼ ସଫଳତା, ୨୦ ଲକ୍ଷ ଟଙ୍କାର ଇନାମୀ ମାଓନେତା ଗିରଫ

ହାର୍ଡକୋର ନକ୍ସଲ ଦୁବାସି ଶଙ୍କର ନାଁରେ ୨୦ ଲକ୍ଷ ଟଙ୍କାର ପୁରସ୍କାର ଥିଲା । ଦୁବାସି ଶଙ୍କର ନାଁରେ ମାଲକାନଗିରି ଓ କୋରାପୁଟ ଜିଲ୍ଲାର ବହୁ ମାମଲା ରହିଛି । ସେ ୧୯୮୭ରୁ ମାଓ ସଙ୍ଗଠନରେ ସକ୍ରିୟ ରହିଥିଲା । ଆନ୍ଧ୍ରପ୍ରଦେଶ ପୋଲିସ ନିକଟରେ ଦୁବାସି ଶଙ୍କର ବିରୋଧରେ ୩୨ଟି ମାମଲା ଥିବାବେଳେ ତେଲଙ୍ଗାନାରେ ୨୪ଟି, ମାଲକାନଗିରିରେ ୧୭ଟି ଓ କୋରାପୁଟ ପୋଲିସ ନିକଟରେ ୪ଟି ମାମଲା ରହିଛି ।

ଲାଇଫ ସପୋର୍ଟ ସିଷ୍ଟମରେ ଗ୍ରୁପ୍ କ୍ୟାପଟେନ ବରୁଣ ସିଂ; ଅଧିକ ଚିକିତ୍ସା ପାଇଁ ଓ୍ୱେଲିଂଟନରୁ ଅଣାଯିବ ବାଙ୍ଗାଲୋର

ନୂଆଦିଲ୍ଲୀ: ଗତ ବୁଧବାର ତାମିଲନାଡୁର କୁନ୍ନୁରରେ ହୋଇଥିବା ହେଲିକପ୍ଟର ଆକ୍ରମଣରେ ପ୍ରାଣ ହରାଇଛନ୍ତି ଭାରତର ପ୍ରଥମ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ ବିପିନ ରାଓ୍ୱତ । ଏହି ଦୁର୍ଘଟଣାରେ ବିପିନ ରାଓ୍ୱତ, ତାଙ୍କ ପତ୍ନୀ ମଧୁଲିକା ରାଓ୍ୱତଙ୍କ ସମେତ ମୋଟ ୧୩ ଜଣ ପ୍ରାଣ ହରାଇଥିଲେ । ଏହି ହେଲିକପ୍ଟରରେ ଥିବା ୧୪ ଜଣଙ୍କ ମଧ୍ୟରୁ ୧୩ ଜଣ ମୃତ୍ୟୁ ବରଣ କରିଥିବାବେଳେ ଗ୍ରୁପ୍ କ୍ୟାପଟେନ ବରୁଣ ସିଂହ ହସ୍ପିଟାଲରେ ମୃତ୍ୟୁ ସହ ଲଢ଼େଇ କରୁଛନ୍ତି । ସୂଚନା ଅନୁସାରେ ବରୁଣଙ୍କ ଶରୀର ପ୍ରାୟତଃ ୪୫ ପ୍ରତିଶତ ଜଳିଯାଇଛି । ଯାହା ଫଳରେ ସେ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି ।

ତାଜା ସୂଚନା ଅନୁସାରେ ଗ୍ରୁପ୍ କ୍ୟାପଟେନ ବରୁଣ ସିଂହଙ୍କୁ ଅଧିକ ଚିକିତ୍ସା ପାଇଁ ଓ୍ୱେଲିଂଟନର ସେନା ହସ୍ପିଟାଲରୁ ବେଙ୍ଗାଲୁରୁର କମାଣ୍ଡ ହସ୍ପିଟାଲକୁ ଆଣାଯିବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ଅନ୍ୟପକ୍ଷରେ ସିଡିଏସ ବିପିନ ରାଓ୍ୱତ ତାଙ୍କ ପତ୍ନୀଙ୍କ ସମେତ ମୋଟ ୧୩ ଜଣ ସହିଦ ହୋଇଥିବା ସମସ୍ତଙ୍କ ପାର୍ଥିବ ଶରୀରକୁ ଓ୍ୱେଲିଂଟନ ସେନା ହସ୍ପିଟାଲରୁ ମାଦ୍ରାସ ରେଜିମେଣ୍ଟକୁ ଆଣାଯାଇଛି ।

ଦେଶକୁ ସ୍ତବ୍ଧ କରିଦେଇଥିବା ଏହି ଘଟଣା ବିଷୟରେ ଗୁରୁବାର ରାଜ୍ୟସଭାରେ ବୟାନ ରଖିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ସେ କହିଛନ୍ତି କି ବହୁତ ଦୁଃଖର ସହ କହୁଛି କି ଗତ ୮ ଡିସେମ୍ବରରେ ଭାରତୀୟ ବାୟୁ ସେନାର ଏକ ହେଲିକପ୍ଟର କ୍ରାସ୍ ହୋଇଯାଇଥିଲା । ଯେଉଁ ବିମାନରେ ଥିଲେ ସିଡିଏସ ବିପିନ ରାଓ୍ୱତ । ଏୟାରଫୋର୍ସର MI-17 ହେଲିକପ୍ଟର ସୁଲୁର ଏୟାରବେସରୁ ୧୧.୪୮ ମିନିଟରେ ଉଡାଣ ଆରମ୍ଭ କରିଥିଲା । ଏହି ହେଲିକପ୍ଟର ୧୨.୧୫ ମିନିଟରେ ଓ୍ୱେଲିଂଟନରେ ଅବତରଣ କରିବାର ଥିଲା । କିନ୍ତୁ ୧୨.୦୮ ମିନିଟ ସମୟରେ ଏହି ହେଲିକପ୍ଟର ଏୟାର ଟ୍ରାଫିକ୍ କଣ୍ଟ୍ରୋଲ ସହ ସମ୍ପର୍କ ହରାଇଥିଲା ।

ରାଜ୍ୟସଭାରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଆହୁରି କହିଥିଲେ କି ହେଲିକପ୍ଟର ଦୁର୍ଘଟଣା ହେବା ପରେ ଜଙ୍ଗଲରେ ନିଆଁ ଲାଗିଥିବାର ଦେଖିଥିଲେ ସ୍ଥାନୀୟ ବାସିନ୍ଦା । ସ୍ଥାନୀୟ ବାସିନ୍ଦା ଏହି ଘଟଣା ସମ୍ପର୍କରେ ସ୍ଥାନୀୟ ପ୍ରଶାସନକୁ ଖବର ଦେଇଥିଲେ । ଏହା ପରେ ତୁରନ୍ତ ରେସ୍କ୍ୟୁ ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲେ । ବର୍ତ୍ତମାନ ସୁଦ୍ଧା ତାଜା ସୂଚନା ଅନୁସାରେ ହେଲିକପ୍ଟରରେ ଥିବା ୧୪ ଜଣଙ୍କ ମଧ୍ୟରୁ ୧୩ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ଗ୍ରୁପ୍ କ୍ୟାପଟେନ ବରୁଣ ସିଂ ଏବେବି ଗୁରୁତର ଭାବରେ ଲାଇଫ ସପୋର୍ଟ ସିଷ୍ଟମରେ ରହିଛନ୍ତି ବୋଲି ରାଜ୍ୟସଭାରେ ସୂଚନା ଦେଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ।